କେନ୍ଦ୍ର, ରାଜ୍ୟ ସରକାରଙ୍କ ଅବହେଳା ପାଇଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

Sarbaharakranti Date 15.10.2023 –

ଆମ ରାଜ୍ୟର ବହୁ ସମସ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ସାମାନ୍ୟ ଡେଙ୍ଗୁ ଜ୍ୱରର ସ୍ଥିତି ଉଦ୍‌ବେଗଜନକ । ଜନଗଣ ଭୟର ବାତାବରଣ ମଧ୍ୟରେ ଆବର୍ତ୍ତିତ । କେତକ ଜିଲ୍ଲା ଯଥା ଖୋର୍ଦ୍ଧା, କଟକ, ନୟାଗଡ, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦ୍ରାପଡା, ବାଲେଶ୍ୱର ଏପରିକି ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁର ଆତଙ୍କ ଖେଳିଯାଇଛି । ୨୦୨୨ ମସିହାରେ ଏହି ସମୟରେ ସାରା ରାଜ୍ୟରେ ୨୫୦୨୨ଜଣ ଲୋକଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିଲା । ତା’ମଧ୍ୟରୁ ୩୧୩୬ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାର ଖବର ସରକାରୀ ରିପୋର୍ଟରେ ପ୍ରକାଶିତ । କିନ୍ତୁ ଚଳିତ ବର୍ଷ ୭୦୮୭୮ଟି ରକ୍ତ ନମୂନା ପରୀକ୍ଷା କରାଯାଇ ୫୩୩୭ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଇଛି । ସରକାରୀ ହିସାବ ଯାହା ହେଉନା କାହିଁକ ହଜାର ହଜାର ଲୋକ ଘରୋଇ ନର୍ସିଂ ହୋମରେ ଚିକିତ୍ସା ହେଉଥିବାର ତଥ୍ୟ ସରକାରଙ୍କ ପାଖରେ ନଥିବା ବିଷୟ ଅତ୍ୟନ୍ତ ଲଜ୍ଜ୍ୟା କର । ବର୍ତ୍ତମାନ ଡେଙ୍ଗୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଚିକିତ୍ସା ବିଜ୍ଞାନର ଅଭୂତପୂର୍ବ ବିକାଶ ସତ୍ତ୍ୱେ ବି ଆଜି ବି ଗାଁ ସହରର ଲୋକଙ୍କୁ ସାମାନ୍ୟ ଡେଙ୍ଗୁ ଜ୍ୱର, ଟାଇଫଏଡ, ମେଲେରିଆ,ସ୍କ୍ରବ ଟାଇଫସ୍ ରୋଗରେ ମରିବାକୁ ପଡୁଛି, ଭାବିଲେ ଲଜ୍ଜା ଲାଗେ । ପରିସ୍ଥିତି ଏମିତି ହୋଇଛିଯେ ସରକାରଙ୍କ ଅପାରଗତାକୁ ଲୁଚାଇବାକୁ ଯାଇ ଜନସ୍ୱାସ୍ଥ୍ୟ ବିଭାଗ ଦୈନିକ ପ୍ରଦାନ କରୁଥିବା ସମୀକ୍ଷା ରିପୋର୍ଟ ପ୍ରକାଶ ବନ୍ଦ କରିଦେଇଛି । ପ୍ରଥମ ଅବସ୍ଥାରେ ଜନସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁସ୍ତରରେ ସମୀକ୍ଷା କରୁଥିଲା, ହେଲେ ବର୍ତ୍ତମାନ ପରିସ୍ଥିତି ଅଣାୟତ୍ତ ଜାଣିବି ଅତ୍ୟନ୍ତ ଖାମଖିଆଲ ଢଙ୍ଗ ନେଉଛି । ଦୁଃଖ ଓ ପରିତାପର ବିଷୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଜର ଦାୟିତ୍ୱକୁ ଏଡାଇଯାଇ ଲୋକଙ୍କ ଅସଚେତନତା କଥା କହି ସରକାରଙ୍କର ଆନ୍ତରିକତାର ଅଭାବକୁ ପ୍ରମାଣ କରିଛନ୍ତି । ଡେଙ୍ଗୁ ଜ୍ୱର ମହାମାରୀ ରୂପ ନେଉଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର \”ଚତୁରେ ଚତୁରେ କୋଳାକୋଳି’ ନୀତି ଗ୍ରହଣ କରି ଅସହାୟ ଜନଗଣଙ୍କ ଶବ ଉପରେ ଆଗାମୀ ସାଧାରଣ ନିର୍ବାଚନର ପ୍ରସ୍ତୁତି କାମରେ ବ୍ୟସ୍ତ । ଜନସ୍ୱାସ୍ଥ୍ୟ ଚୁଲିକି ଯାଉ ସେମାନଙ୍କର ଦରକାର କ୍ଷମତା । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର \”ପ୍ରତିଟି ଜୀବନ ମୂଲ୍ୟବାନ’ ସ୍ଲୋଗାନକୁ ପ୍ରଚାର କରିବା ପାଇଁ ରାଜ୍ୟ ରାଜକୋଷରୁ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଗାଁ ସହର, ରାସ୍ତା ଘାଟ, ପାହାଡ ପର୍ବତ, ବସ ଷ୍ଟାଣ୍ଡ, ରେଳଷ୍ଟେସନରେ ବିଜ୍ଞାପନ ହୋଡିଙ୍ଗ ଲଗାଯାଇଛି । ଟିଭି, ରେଡିଓ, ଖବରକାଗଜ, ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଦେଇ ପ୍ରମାଣ କରିବାକୁ ଚେଷ୍ଟା କରାଯାଉଛି ଯେ, ସରକାର ଜନସ୍ୱାସ୍ଥ୍ୟ ପ୍ରତି କେତେ ସଚେତନ ।
ରାଜ୍ୟ ସରକାର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଯେତେ ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତ ତା ସହିତ ତାଳ ଦେଇ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି । ‘ମୋ ହସ୍ପିଟାଲ\’ର ଯୋଜନାରେ ଡାକ୍ତରଖାନାଗୁଡିକର ଯେତେ ରୂପାନ୍ତରିକରଣ ଘଟୁଛି, ନୂତନ ନୂତନ କୋଠାଘର ଛିଡା ହେଉଛି ସେତେ ସ୍ୱାସ୍ଥ୍ୟସେବାର ଅବନତି ଘଟୁଛି । ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକରେ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଅଭାବ ପରିଲକ୍ଷିତ ହେଉଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟଠାରୁ ଆରମ୍ଭକରି ସବ୍‌ଡିଭିଜନ ସ୍ତରୀୟ ଡାକ୍ତରଖାନା, ପିଏଚସି-ସିଏଚସି ଗୁଡିକରେ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ନା ମିଳୁଛି ଜୀବନ ରକ୍ଷାକାରୀ ଔଷଧ, ସାଲାଇନ, ଗଜକନା ଖଣ୍ଡେ, ନା ଅଛି ରୋଗୀମାନଙ୍କ ପାଇଁ ଶଯ୍ୟା, ନା ଅଛି ବିଭିନ୍ନ ପରୀକ୍ଷା-ନୀରିକ୍ଷା, ଏକ୍ସରେ, ଅଲଟ୍ରାସାଉଣ୍ଡର ବ୍ୟବସ୍ଥା । ସରକାର କେବଳ କିଛି ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ଖଣ୍ଡେ ଖଣ୍ଡେ ଧରାଇ ଦେଇ ଅସହାୟ ଲୋକମାନଙ୍କୁ କର୍ପୋରେଟ ହସ୍ପିଟାଲକୁ ପଠାଇ ଦେଇ ନିଜର ଦାୟତ୍ୱ ଶେଷ କରି ବାହା-ବାହା ନେଉଛନ୍ତି । ଅପ-ପୁଷ୍ଟିଜନିତ ରୋଗରେ ଓଡିଶା ଶୀର୍ଷରେ । ଏବେବି ନଗଡାର ଶିଶୁମାନଙ୍କର କରୁଣ ଚିତ୍ର ସାରା ଓଡିଶାରେ ଦେଖିବାକୁ ମିଳୁଛି । ଦୁର୍ଗମ ଅଂଚଳରେ ରୋଗୀକୁ ଖଟିଆରେ ବୁହାହେଉଥିବା ଦୃଶ୍ୟ ଶୁଭବୁଦ୍ଧି ସଂପନ୍ନ ଲୋକଙ୍କୁ ବିଚଳିତ କରୁଛି । ସରକାର ସମସ୍ତ ଅଂଚଳରେ ଉତ୍ତମ ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଚାର କରୁଛନ୍ତି । କିନ୍ତୁ ଦେଖାଯାଉଛି କ୍ରମାଗତ ଭାବରେ ସ୍ୱାସ୍ଥ୍ୟ ବଜେଟ ହ୍ରାସ ଘଟୁଛି । ଯାହାବି ବ୍ୟୟବରାଦ କରାଯାଉଛି ତାର ସୁଫଳ ଜନଗଣଙ୍କ ନିକଟରେ ପହଂଚୁନାହିଁ । ଜନସଂଖ୍ୟା ତୁଳନାରେ ଡାକ୍ତର, ଶଯ୍ୟା, ଆମ୍ବୁଲାନ୍ସ ଓ ନର୍ସମାନଙ୍କର ସଂଖ୍ୟା ହ୍ରାସ ପାଉଛି । ସୁସ୍ଥ ପରିବେଶ ସୃଷ୍ଟି କରିବାପାଇଁ ସରକାରଙ୍କ ଆନ୍ତରିକତାର ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟ ବିଭାଗ ସମୟଭିତ୍ତିକ ଯୋଜନାବଦ୍ଧ ପଦକ୍ଷେପ ନେଉ ନ ଥିବାରୁ ଡେଙ୍ଗୁ, ମେଲେରିଆ, ସ୍କ୍ରବ ଟାଇଫସ ଭଳି ରୋଗ କାୟା ବିସ୍ତାର କରୁଛି । ଗାଁ ଗହଳି କଥା ଛାଡନ୍ତୁ ଏପରିକି ଭୁବନେଶ୍ୱର-କଟକ ସମେତ ବିଭିନ୍ନ ଜିଲ୍ଲାରେ ଥିବା ସ୍ୱାୟତ୍ତ ଶାସନ ସଂସ୍ଥା, ମ୍ୟୁନିସପାଲଟି ଓ ପୌରପରିଷଦ ଗୁଡିକ ମଧ୍ୟ ସହରବାସୀଙ୍କୁ ନିରାମୟ ଓ ପ୍ରଦୂଷଣ ମୁକ୍ତ ପରିବେଶ ଯୋଗାଇଦେବାରେ ବିଫଳ । ସହରଗୁଡିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନା ସୁସ୍ଥଭାବରେ ହୁଏନାହିଁ । ସ୍ମାର୍ଟ ସିଟିଠାରୁ ଆରମ୍ବକରି ପ୍ରତ୍ୟେକଟି ସହରରେ ନାଳ ମୁକୁଳା ପଡିଛି । ରାସ୍ତାଘାଟଗୁଡିକ ଖାଲଖମାରରେ ଭର୍ତ୍ତି । ଏହାଦ୍ୱାରା ଅନେକ ସ୍ଥାନରେ ପାଣି ଜମା ହୋଇ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ତା’ ସହିତ ଗାଁ କଲ୍ୟାଣ ସମିତି ଓ ସହରର ପୌର କର୍ତ୍ତୃପକ୍ଷ ଉଭୟ ଗ୍ରାମ ଓ ସହରବାସିନ୍ଦାଙ୍କୁ ଡେଙ୍ଗୁ ମେଲେରିଆ ରୋଗରୁ ସୁରକ୍ଷିତ ରଖିବା ନିମନ୍ତେ ଯେଉଁଭଳି ମଶାଧୂଆଁ ଛାଡିବା, ନାଳରେ ମଶା ତେଲ ସିଂଚନ କରିବା, ଲଟାବୁଦା ପରିଷ୍କାର କରିବା କଥା ତାହା ସେମାନେ କରୁନାହାନ୍ତି । ବିଶେଷ କରି ଗ୍ରାମାଚଂଳରେ ଓ ସହରାଚଂଳରେ ଗଢିଉଠୁଥିବା ବସ୍ତିଗୁଡିକର ଅବସ୍ଥା ସାଂଘାତିକ ।
ଏହିଭଳି ପରିସ୍ଥିତିରୁ ରକ୍ଷାପାଇବାକୁ ହେଲେ ଆବଶ୍ୟକ ବ୍ୟାପକ ଜନଆନ୍ଦୋଳନ । ସଠିକ ନିତି ଆଦର୍ଶ ମୂଲ୍ୟବୋଧ ଭିତ୍ତିରେ ସଠିକ ନେତୃତ୍ୱରେ ଗଢିତୋଳିବାକୁ ହେବ ସ୍ୱାସ୍ଥ୍ୟ ଆନ୍ଦୋଳନ । ସେହି ସ୍ୱାସ୍ଥ୍ୟ ଆନ୍ଦୋଳନକୁ ସାମାଜିକ ଅନ୍ଦୋଳନର ପରିପୂରକ ଭାବେ ସଂଗଠିତ କରିବାକୁ ହେବ । ଜନଆନ୍ଦୋଳନ ଜରିଆରେ ପ୍ରତିଷ୍ଠିତ ଶୋଷଣମୂଳକ ରାଷ୍ଟ୍ର ବ୍ୟବସ୍ଥାକୁ ପରିବର୍ତ୍ତନ କରି ସମାଜବାଦୀ ସମାଜ ବ୍ୟବସ୍ଥା କାଏମ ମଧ୍ୟଦେଇ ଜନଜୀବନର ସମସ୍ତ ସମସ୍ୟା ସମାଧାନ କରାଯାଇପାରିବ । ଏହାହିଁ ଆମର ଆଜିର କର୍ତ୍ତବ୍ୟ ।

Leave a Reply

Your email address will not be published. Required fields are marked *