ଶିଳ୍ପାୟନ, ବିକାଶ ଓ ପ୍ରଗତିର ଧୂଆଁବାଣ ଓ ବାସ୍ତବତା
Sarbaharakranti Dated 15.10.2023 –
୧୯୯୧ ମସିହାରେ ତତ୍କାଳୀନ କେନ୍ଦ୍ର କଂଗ୍ରେସ ସରକାର ଜଗତିକରଣ, ଉଦାରିକରଣ, ଘରୋଇକରଣ ନୀତି ଲାଗୁ କରିବା ପରେ ଶିଳ୍ପାୟନ ଓ ବିକାଶ ଆଳରେ ସାଧାରଣ ଲୋକଙ୍କୁ ଭିଟାମାଟିରୁ ଉଚ୍ଛେଦ କରାଯିବା ସମଗ୍ର ଦେଶ, ବିଶେଷକରି ଆମ ରାଜ୍ୟରେ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ବନ୍ଧୁକ ମୁନରେ ଲୋକଙ୍କ ହାତରୁ ବହୁଫସଲି ଚାଷିଜମି ଛଡେଇ ନେଇ ଏହି ଜମିକୁ ଏକଚାଟିଆ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କୁ ଶାଗ-ମାଛ ମୂଲ୍ୟରେ ଟେକିଦେବା ପ୍ରକ୍ରିୟା ନିରନ୍ତର ଚାଲିଛି । ପ୍ରତିଦିନ ରାଜ୍ୟରେ କେଉଁଠିନା କେଉଁଠି କମ୍ପାନୀ ପାଇଁ ଜମି ଅଧିଗ୍ରହଣ ନୋଟିସ ଜାରି ହେଉଛି, ଏ ସଂପର୍କିତ ଆଇନ କାନୁନ୍କୁ ବୃଦ୍ଧାଙ୍ଗୁଷ୍ଠି ପ୍ରଦର୍ଶନ କରି ଜନଶୁଣାଣିର ପ୍ରହସନ ଚାଲିଛି । ପ୍ରତିବାଦୀ ଜନସାଧାରଣଙ୍କ ଉପରେ କମ୍ପାନୀର ଗୁଣ୍ଡା ଓ ପୁଲିସର ମିଳିତ ଆକ୍ରମଣ ଚାଲିଛି । ଭାରତୀୟ ପିଙ୍ଗଳ କୋର୍ଡର ସମସ୍ତ ମାରାତ୍ମକ ଧାରାରେ ଆନ୍ଦୋଳନକାରୀ ମାନଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା ରୁଜୁ ହେଉଛି । ଅନ୍ୟଦିଗରେ ବିସ୍ଥାପିତ ମାନଙ୍କ ଅବସ୍ଥା କହିଲେ ନସରେ । ହୀରାକୁଦ, ଇନ୍ଦ୍ରାବତୀ,କୋଲାବ, ବାଲିମେଳା, ମାଛକୁଣ୍ଡ, ସୁନାବେଡା ମିଗ୍ କାରଖାନା, ଦାମନଯୋଡି ଓ ରେଙ୍ଗାଲି ଡ୍ୟାମ ପ୍ରକଳ୍ପରୁ ଆରମ୍ଭକରି ସଂପ୍ରତି ବଲାଙ୍ଗୀର ଜିଲ୍ଲାର ଲୋୟର ସୁଖତେଲ ବିସ୍ଥାପିତମାନଙ୍କ କରୁଣ କାହାଣୀ ଏବଂ ମର୍ଯ୍ୟାଦାର ସହିତ ବଂଚିବା ପାଇଁ ସେମାନଙ୍କର ଶେଷହୀନ ସଂଗ୍ରାମ ମଣିଷର ଅନ୍ତରାତ୍ମାକୁ ଆନ୍ଦୋଳିତ କରୁଛି । ବଳପୂର୍ବକ ଜମିଅଧିଗ୍ରହଣର ପ୍ରତିବାଦ ଓ ବିସ୍ଥାପନ ପରେ ଉପଯୁକ୍ତ ଥଇଥାନ ଦାବିକରିବାର ଅପରାଧରେ ଆଜି ଦିନରେ ଶତାଧିକ ଆନ୍ଦୋଳନକାରୀ ଜେଲରେ ସଢୁଛନ୍ତି ।
ରାଜ୍ୟରେ ଏହି ପ୍ରକିୟା ବ୍ୟାପକ ସ୍ତରରେ ଆରମ୍ଭ ହୋଇଥିଲା ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ସରକାରର ଶାସନ କାଳରେ । ନବେ ଦଶକର ପ୍ରାରମ୍ଭରେ ବିଜୁ ପଟ୍ଟନାୟକ ସ୍ୱରାଜ ପଲକୁ ସାଙ୍ଗରେ ଧରି ଯାଜପୁର ଜିଲ୍ଲାର ସୁକିନ୍ଦାଠାରେ ୩ଟି କଦମ୍ବ ଗଛ ଲଗାଇ ଇସ୍ପାତ କାରଖାନାର ଶିଳାନ୍ୟାସ କରିଥିଲେ । ସ୍ୱରାଜ ପଲ କଦମ୍ବ ଗଛ ଲଗାଇ ଫେରାର ହୋଇଯାଇଥିଲେ ମାତ୍ର ସେହି ସମୟରୁ ହିଁ ସୁକିନ୍ଦା ଅଂଚଳରେ ଏକ ବୃହତ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ବ୍ୟାପକ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିଲା । ବ୍ରିଟିଶ ଅମଳର ୧୮୯୪ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ମାମୁଲି କ୍ଷତିପୂରଣ ବା ବିନା କ୍ଷତିପୂରଣରେ ସେହି ଅଞ୍ଚଳରେ ବ୍ୟାପକ ଜମି ଅଧିଗ୍ରହଣ କରାଯାଇଥିଲା । ଆଜିର କଳିଙ୍ଗନଗର ସେହି ସୁକିନ୍ଦା ଶିଳ୍ପାଞ୍ଚଳର ସଂପ୍ରସାରିତ ଓ ପରିବର୍ଦ୍ଧିତ ରୂପ । ୧୯୯୫ ମସିହା ନିର୍ବାଚନରେ ଜନତାଦଳ ପରାଜିତ ହେଲା ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳ ରାଜ୍ୟରେ କ୍ଷମତାସୀନ ହେଲା । କଂଗ୍ରେସ ସରକାର ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଟାଟା କମ୍ପାନୀର ଏକ ସମୁଦ୍ର କୂଳିଆ ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ ନୋଟିସ ଜାରି କଲା । ପ୍ରାୟ ୩୦୦୦ ଏକର ଉର୍ବର ଜମି ଓ ପ୍ରାକୃତିକ ଭାବରେ ଉପଲବ୍ଧ କିଆ ଅର୍ଥନୀତିକୁ ଧ୍ୱଂସ କରି ପ୍ରାୟ ୩୦ ହଜାର ଲୋକଙ୍କୁ ଉଦ୍ବାସ୍ତୁ କରିବାପାଇଁ ସରକାର ସମସ୍ତ ଶକ୍ତିଦେଇ ଅଗ୍ରସର ହେଲା । ପ୍ରତିବାଦ କରୁଥିବା ଜନସାଧାରଣଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରି ବଳପୂର୍ବକ ଜମି ଅଧିଗ୍ରହଣ କରାଗଲା ଏବଂ ଏହି ପ୍ରକଳ୍ପକୁ ବିଶେଷ ଅର୍ଥନୈତିକ ଅଞ୍ଚଳ(ଏସ୍.ଇ.ଜେଡ୍) ଭାବରେ ଘୋଷଣା କରାଗଲା । ମାତ୍ର ବଳପୂର୍ବକ ଜମି ଅଧିଗ୍ରହଣର ୨୫ବର୍ଷପରେ ମଧ୍ୟ ସେଠାରେ ଇସ୍ପାତ କାରଖାନା ହୋଇନାହିଁ କିମ୍ବା ଏହାର ମୂଳ ମାଲିକମାନଙ୍କୁ ଜମି ଫେରାଇ ଦିଆଯାଇ ନାହିଁ ।
କଂଗ୍ରେସ ସରକାରର ପରାଜୟପରେ ୨୦୦୦ ମସିହାରେ ବିଜେଡି ବିଜେପି ମିଳିତ ସରକାର ରାଜ୍ୟରେ କ୍ଷମତାସୀନ ହେଲା । କ୍ଷମତାକୁ ଆସିବା ସଙ୍ଗେ ସଙ୍ଗେ ଏହି ସରକାର ଏକଚାଟିଆ ପୁଞ୍ଜିପତିମାନଙ୍କ ପାଇଁ ବିନାବାଧାରେ ବ୍ୟବସାୟ(Ease of Doing Business) ମନ୍ତ୍ର ଜପିବା ଆରମ୍ଭ କଲା । ଏହି ସରକାରର ମୂଳ କଥା ହେଲା ଦରିଦ୍ର ଓଡିଶାକୁ ବିକଶିତ କରିବାକୁ ହେଲେ ଏବଂ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ କର୍ମ ସଂସ୍ଥାନ ସୃଷ୍ଟି କରିବାକୁ ହେଲେ ବ୍ୟାପକ ଶିଳ୍ପାୟନ ଆବଶ୍ୟକ । ବ୍ୟାପକ ଶିଳ୍ପାୟନ ପାଇଁ ରାଜ୍ୟରେ ବିପୁଳ ପୁଞ୍ଜିବିନିଯୋଗ ଆବଶ୍ୟକ । ଶିଳ୍ପାୟନପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ । ତେଣୁ, ପୁଞ୍ଜି ଆକର୍ଷିତ କରିବାପାଇଁ ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କୁ ଓଡିଶା ମୁହାଁ କରିବାକୁ ହେବ । ଓଡିଶା ମୁହାଁ କରିବାକୁ ହେଲେ ସେମାନଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସୁବିଧା ସୁଯୋଗ ଦେବାକୁ ହେବ । ରାଜ୍ୟର ଜମି, ଖଣି, ଜଳ, ଜଙ୍ଗଲ ସବୁକିଛି ବିନା ବାଧା ପ୍ରତିବନ୍ଧକରେ ଏକଚାଟିଆ ପୁଞ୍ଜିପତି ମାନଙ୍କ ହାତରେ ଟେକି ଦେବାକୁ ହେବ । ସେମାନଙ୍କୁ କର, ଖଜଣା, ସେସ୍ ଛାଡ କରିବାକୁ ହେବ । ରାଜ୍ୟବାସୀଙ୍କ ଟଙ୍କାରେ କମ୍ପାନୀମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରିବାକୁ ହେବ । ସେମାନଙ୍କର ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ କରିବାକୁ ହେବ ।କେବଳ ସେତିକି ନୁହେଁ ଏକଚାଟିଆ ପୁଞ୍ଜିପତିମାନଙ୍କର ଅବାଧ ପୁଞ୍ଜିନିବେଶ ପାଇଁ ଏ ସଂପର୍କିତ ଆଇନ କାନୁନ୍ରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ହେବ । ସର୍ବୋପରି ସରକାରଙ୍କର ଏହି ଧରଣର ‘ମହତ’ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଜନସାଧାରଣଙ୍କୁ ପ୍ରଗତି ଓ ବିକାଶର ବିରୋଧି ଭାବରେ ଉପସ୍ଥାପନ କରିବାକୁ ହେବ । ସେମାନଙ୍କୁ ଉଚିତ ଶିକ୍ଷା ଦେବାକୁ ହେବ । ଏକଚାଟିଆ ପୁଞ୍ଜିପତିମାନଙ୍କୁ ଦେଖାଇ ଦେବାକୁ ହେବ ଯେ, ରାଜ୍ୟରେ ଦୃଢ ସରକାର ରହିଛି ଏବଂ ଏହି ସରକାର ଏକଚାଟିଆ ପୁଞ୍ଜିପତିମାନଙ୍କର ଅବାଧରେ ଲୁଟ କରିବାର ଅଧିକାରକୁ ସୁରକ୍ଷିତ କରିବାପାଇଁ ଯେକୌଣସି ଆନ୍ଦୋଳନର ତଣ୍ଟି ଚିପିପାରେ, ଗଣହତ୍ୟା ମଧ୍ୟ କରିପାରେ । ତା’ହେଲେ ଯାଇ ରାଜ୍ୟରେ ଶିଳ୍ପ ବିକାଶ ହେବ । ଶିଳ୍ପ ପ୍ରତିଷ୍ଠା ହେଲେ ରୋଜଗାର ସୃଷ୍ଟି ହେବ ଆଉ ରାଜ୍ୟର ବେକାର ଯୁବକ ଯୁବତୀ କର୍ମ ସଂସ୍ଥାନ ପାଇବେ । ବିଗତ ୨୩ବର୍ଷ ଧରି ପ୍ରଥମେ ବିଜେଡି-ବିଜେପି ମିଳିତ ସରକାର ଓ ପରବର୍ତ୍ତୀ ସମୟରେ ବିଜେଡି ସରକାର ଏହି ରାସ୍ତାରେ ହିଁ ଚାଲିଛି । ରାଜ୍ୟକୁ ଦେଶୀ-ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କୁ ଆକର୍ଷିତ କରିବାର ଘୋଷିତ ଲକ୍ଷ୍ୟରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟରେ, ରାଜ୍ୟ ବାହାରେ ଏପରିକି ବିଦେଶରେ କନ୍କ୍ଲେଭ ମାନ ଆୟୋଜିତ ହେଉଛି ।
ତେବେ ଗୋଟିଏ ଦିଗରେ ଦ୍ରୁତ ଏବଂ ବ୍ୟାପକ ଶିଳ୍ପାୟନ ତଥା ନୂତନ କର୍ମନିଯୁକ୍ତି ସୃଷ୍ଟିର ପ୍ରଚାର ଚାଲିଥିବାବେଳେ ଅନ୍ୟଦିଗରେ ରାଜ୍ୟର ହଜାର ହଜାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପରେ ତାଲାପଡିଛି । ଲକ୍ଷ ଲକ୍ଷ ଲୋକ କାମ ହରାଇଛନ୍ତି । ରାଜ୍ୟର ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଛି । କାମ ସନ୍ଧାନରେ ରାଜ୍ୟର ଲକ୍ଷ ଲକ୍ଷ ଲୋକ ଦାଦନ ଶ୍ରମିକରେ ପରିଣତ ହେଉଛନ୍ତି । ଅନ୍ୟଦିଗରେ ଗତ୨୩ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିଷ୍ଠିତ ହୋଇଥିବା ଶିଳ୍ପ ମଧ୍ୟରୁ ଇତି ମଧ୍ୟରେ ଅର୍ଦ୍ଧାଧିକ ବନ୍ଦ ହୋଇଯାଇଛି, କିମ୍ବା ଧକେଇ ଧକେଇ ଚାଲିଛି । ପୁଣି ଏହି ଶିଳ୍ପମାନଙ୍କରେ କେତେ କର୍ମନିଯୁକ୍ତି ସୃଷ୍ଟି ହୋଇଛି ତା’ଉପରେ ଏକ ଶ୍ୱେତପତ୍ର ଜାରି କରିବାପାଇଁ ଦାବି କରାଯାଉଥିଲେ ମଧ୍ୟ ସରକାର ନିରବ । ବାସ୍ତବରେ ଏହି ଧରଣର ପୁଞ୍ଜିଭିତ୍ତିକ ଶିଳ୍ପରେ ନିଯୁକ୍ତି ସୃଷ୍ଟିର ସମ୍ଭାବନା ଅତ୍ୟନ୍ତ ସୀମିତ କିମ୍ବା କାର୍ଯ୍ୟତଃ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକଚାଟିଆ ପୁଞ୍ଜିପତିମାନଙ୍କ ସେବାଦାସରେ ପରିଣତ ହୋଇଥିବା କେନ୍ଦ୍ର ଓ ରାଜ୍ୟ ସରକାର ଏହି ସତ୍ୟକୁ ଲୁଚାଇବାକୁ ଉଦ୍ୟମ କରୁଛନ୍ତି । ସେଥିପାଇଁ ସରକାରୀ ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ଓ ବଶମ୍ବଦ ଗଣମାଧ୍ୟମରେ ଏସଂପର୍କରେ ଅପପ୍ରଚାର ଚାଲିଛି । ଏହି ପରିସ୍ଥିତିରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ସରକାରଙ୍କର ବହୁ ପ୍ରଚାରିତ ତଥାକଥିତ ଶିଳ୍ପାୟନ, ବିକାଶ ଓ ପ୍ରଗତି ବାସ୍ତବରେ କାହାପାଇଁ? କିଏ ଏହାର ଲାଭାର୍ôଥ? ମାତ୍ର ସରକାରଙ୍କ ପକ୍ଷରୁ ଏହାର ଉତ୍ତର ମିଳୁନାହିଁ, ଶିଳ୍ପାୟନର ସେହି ପୁରୁଣା ଫଟା ଢୋଲପିଟା ଚାଲିଛି । ଶିଳ୍ପାୟନ ଆଳରେ ବଳପୂର୍ବକ ଲୋକଙ୍କଠାରୁ ଜମି ଛଡେଇଦେବା ଜାରୀ ରହିଛି । ସରକାରୀ ପ୍ରୋତ୍ସାହନରେ ଟାଟା, ବିରଳା, ବେଦାନ୍ତ, ବିଏଚ୍ପି-ବିଲଟନ୍, ରିନ୍ ଟିଂଟୋ, ଆଲକାନ, ଷ୍ଟାରଲାଇଟ୍, ହିଣ୍ଡାଲକୋ, ଜିନ୍ଦଲ ଭଳି କମ୍ପାନୀ ଓଡିଶାର ଖଣିଜ ସମ୍ପଦକୁ ଲୁଟ୍ କରୁଛନ୍ତି । କମ୍ପାନୀମାନଙ୍କ ଲୁଟ୍କୁ ନିରଙ୍କୁଶ କରିବାପାଇଁ ସରକାର, ସରକାରୀ କଳ ଜନସାଧାରଣଙ୍କ ଉପରେ ବର୍ବର ଆକ୍ରମଣ କରୁଛି ।
୨୦୦୦ ମସିହା ଫେବୃୟାରୀ ମାସରେ ବିଜେଡି-ବିଜେପି ଭାଗୁଆଳି ସରକାର କ୍ଷମତାସୀନ ହେଲା । ସେହି ବର୍ଷ ଡିସେମ୍ବର ୧୬ତାରିଖରେ ନିଜର ଭିଟାମାଟି, ଚାଷକ୍ଷେତ ଓ ପ୍ରାକୃତିକ ସଂପଦକୁ ଆଦିତ୍ୟ-ବିରଳା କମ୍ପାନୀର ଆଲୁମୁନିୟମ୍ କାରଖାନା ଓ ବକ୍ସାଇଟ ଖଣିର ଆଁ ରୁ ରକ୍ଷା କରିବାପାଇଁ ଆନ୍ଦୋଳନ କରୁଥିବା ଆଦିବାସୀମାନଙ୍କ ଉପରେ ମାଇକଞ୍ଚଠାରେ ପୁଲସ ଆଖିବୁଜା ଗୁଳିଚାଳନା କରି ତିନିଜଣଙ୍କୁ ହତ୍ୟାକଲା । ତିରିଶରୁ ଅଧିକ ଲୋକ ଗୁରୁତର ଭାବରେ ଆହତ ହୋଇ ସାରାଜୀବନପାଇଁ ପଙ୍ଗୁ ହୋଇଗଲେ । ମାଇକଞ୍ଚରୁ ଆରମ୍ଭ ହେଲା କମ୍ପାନୀପାଇଁ ରାଜ୍ୟ ସରକାରଙ୍କର ଗଣହତ୍ୟାର ପର୍ବ । ଏହାପରେ ୨୦୦୪ ମସିହାରେ କଳାହଣ୍ଡି, ରାୟଗଡା ଜିଲ୍ଲାର ସୀମାରେ ନିୟମଗିରି ଆନ୍ଦୋଳନକୁ ସମାନ କାଇଦାରେ ଦମନ କରାଗଲା । ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ପୁଲିସ ଗୁଳିରେ ୧୩ଜଣ ଆଦିବାସୀ ଶହୀଦ ହେଲେ । ବିଜେଡି-ବିଜେପି ସରକାର ରାଜ୍ୟର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟିକଲା । ଏହାପରେ ପୋସ୍କୋ, ମିତ୍ତଲ, ଜିନ୍ଦଲ, ନରାଜ ଅଂଚଳରେ ଟାଟା ପ୍ରକଳ୍ପ, ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ, ପୁରୀ ସିପସରୁ ବାଲି ପ୍ରକଳ୍ପ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ପ୍ରକଳ୍ପପାଇଁ ପଶୁବଳ ପ୍ରୟୋଗ କରି ଲୋକଙ୍କ ହାତରୁ ଜମି ଛଡେଇ ନେବା ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ପୁଲିସ ଓ କମ୍ପାନୀର ଗୁଣ୍ଡାମାନେ ଆତଙ୍କରାଜ ଚଳାଇଲେ । ତା’ ସତ୍ତ୍ୱେ ମଧ୍ୟ ଦୀର୍ଘ ଦଶବର୍ଷଧରି ମରଣପଣ ଲଢେଇ, ୬ ଟି ଅମୂଲ୍ୟ ଜୀବନ ଦାନ କରି ଓ ପୁଲିସର ବର୍ବରୋଚିତ ଅତ୍ୟାଚାର ସହ୍ୟକରି ସେ ଅଂଚଳର ଲୋକ ପୋସ୍କୋକୁ ଫେରିଯିବାକୁ ବାଧ୍ୟ କଲେ । ମିତ୍ତଲ କମ୍ପାନୀକୁ ଫେରିଯିବାକୁ ବାଧ୍ୟକଲେ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ୍ର ସଂଗ୍ରାମୀ ଜନସାଧାରଣ । ମାତ୍ର ପୋସ୍କୋ ଫେରି ଯିବାର ୫ବର୍ଷ ପରେ ସେହି ସ୍ଥାନରେ ଜେଏସ୍ଡବ୍ଲୁର ଇସ୍ପାତ କରାଖାନା ପାଇଁ ଗତ ଦେଢ ବର୍ଷ ହେଲା ଢିଙ୍କିଆର ଜନସାଧାରଣଙ୍କ ଉପରେ ପୁନର୍ବାର ପୁଲିସର ମଧ୍ୟଯୁଗୀୟ ବର୍ବର ଅତ୍ୟାଚାର ଆରମ୍ଭ ହୋଇଛି । ପ୍ରାୟ ୩୦୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ଆନ୍ଦୋଳନର ନେତା ବିନା କାରଣରେ ଦେଢ ବର୍ଷ ହେଲା ଜେଲରେ ସଢୁଛନ୍ତି । କେବଳ ସେତିକି ନୁହେଁ, ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ୍ର ଗର୍ଜନବାହାଲ ଅଂଚଳର ଯାମକାନି ଏବଂ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ୍ର ବ୍ୟାପକ ଅଂଚଳ କୋଇଲା ଖଣିପାଇଁ ଜନଶୂନ୍ୟ ହେବାକୁ ଯାଉଛି । ବକ୍ସାଇଟ୍ ଖନନ ପାଇଁ କମ୍ପାନୀ ମାନଙ୍କର ଲୋଲୁପ ଦୃଷ୍ଟି ପଡିଛି କଳାହାଣ୍ଡି ଜିଲ୍ଲାର ଖଣ୍ଡୁଆମାଳି ପର୍ବତ ମାଳାର କାର୍ଲାପାଟ ଉପରେ । ଇତିପୂର୍ବରୁ କୋରାପୁଟର ପଞ୍ଚବଟମାଳି, କୋଡିଙ୍ଗାମାଳି, ରାୟଗଡା ଜିଲ୍ଲାର ବଫଲିମାଳିକୁ ନାଲକୋ, ବେଦାନ୍ତ ଓ ଆଦିତ୍ୟ ବିରଳା କମ୍ପାନୀ ଦ୍ୱାରା ବକ୍ସାଇଟ୍ ଉତ୍ତୋଳନ ପାଇଁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ସରକାର ଥୁଆମୂଳ-ରାମପୁରର କୁଟୁରୁମାଳି, ସିଜିମାଳି, ମିଂଜିମାଳି ସମେତ ସମଗ୍ର ଖଣ୍ଡୁଆମାଳିକୁ ଆଦାନୀ କମ୍ପାନୀ ହାତକୁ ଟେକି ଦେବାକୁ ଯାଉଛନ୍ତି । କାଶିପୁରର ଶାଶୁବୋହୁମାଳି ମଧ୍ୟ ଆଦାନୀକୁ ଦେବାପାଇଁ ଷଡଯନ୍ତ୍ର ଚାଲିଛି । ମାଲକାନଗିରି ଜିଲ୍ଲାର କେଟାମେଟା ଜଙ୍ଗଲର ପ୍ରାୟ ତିନି ହଜାର ଏକର ଚୂନପଥର ଖଣିପାଇଁ ଲିଜ୍ ଦିଆଯାଇଛି । ଇତିମଧ୍ୟରେ କୋରାପୁଟ ଜିଲ୍ଲାର ମାଳି ପର୍ବତକୁ ହିଣ୍ଡାଲକୋକୁ ହସ୍ତାନ୍ତର କରିବାପାଇଁ ତିନିଥର ଜନଶୁଣାଣି କରାଯାଇଛି । କିଛି ଦିନ ପୂର୍ବରୁ ରାୟଗଡା ଜିଲ୍ଲା କାଶିପୁରର କୁଟ୍ରୁମାଳି ଓ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ର ବାଲ୍କା ଅଂଚଳରେ ନାଗେଶ୍ୱରୀ ପାହାଡରେ ବକ୍ସାଇଟ ଖଣିକୁ ଆଦାନୀକୁ ଦିଆଯାଇଛି । ସେରୁବନ୍ଧ ବକ୍ସାଇଟ୍ ଖଣି ନାଲକୋକୁ ଦେବାପାଇଁ ଯୋଜନା ଚାଲିଛି । ଲମତାପୁର ବ୍ଲକ୍ ରେ ଖଡିମାଟି ପାଇଁ ବିସ୍ତୃତ ଜମି ହାତେଇବା ପାଇଁ କମ୍ପାନୀ ପହଂଚି ଯାଇଛି । ଏସବୁ କେତୋଟି ଉଦାହରଣ ମାତ୍ର । ସଂପୂର୍ଣ୍ଣ ତାଲିକା ଏଠାରେ ଉପସ୍ଥାପନ ସମ୍ଭବ ନୁହେଁ ।
ସଂପ୍ରତି ଅଗଷ୍ଟ ପ୍ରଥମ ସପ୍ତାହରୁ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ବକ୍ସାଇଟ୍ ଖଣି ଅଂଚଳର ଜନସାଧାରଣଙ୍କ ଉପରେ ପୁଲିସ ଓ କମ୍ପାନୀ ଗୁଣ୍ଡା ମାନଙ୍କର ବର୍ବରୋଚିତ ଆକ୍ରମଣ ଆଉ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । କାଶିପୁର ଓ ଥୁଆମାଳ ରାମପୁର ବ୍ଲକ୍ର ସିଜିମାଳି, କୁଟ୍ରୁମାଳି ଓ ମିଂଜିମାଳି ଅଂଚଳରେ ଆଦାନୀ, ବେଦାନ୍ତ, ମୈତ୍ରୀ କମ୍ପାନୀ ଓ ଆଦିତ୍ୟ ବିରଳାର ହିଣ୍ଡାଲକୋ କବଳରୁ ଜୀବନ, ଜୀବିକା, ଚାଷଜମି, ପାହାଡ, ଝରଣାକୁ ରକ୍ଷା କରିବାପାଇଁ ସଂଗ୍ରାମରତ ଆଦିବାସୀ ଜନସାଧରଣଙ୍କ ଉପରେ ଅମାନୁଷିକ ପୁଲିସ୍ ଅତ୍ୟାଚାର ଚାଲିଛି । ପୁଲିସ ସାଧା ପୋଷାକରେ ଲୋକଙ୍କ ହାଟ, ବଜାରରୁ ଉଠେଇ ନେଇ ଅଜଣା ସ୍ଥାନରେ ଅତ୍ୟାଚାର କରୁଛି । ଅପହୃତ ଲୋକଙ୍କୁ ଛାଡିଦେବା ଦାବିରେ ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀଙ୍କୁ ୟୁଏପିଏ ଭଳି ମାରାତ୍ମାକ ଧାରାରେ ଗିରଫ କରାଯାଉଛି । ପ୍ରକଳ୍ପ ପାଇଁ ଜନ ଶୁଣାଣି ପ୍ରହସନରେ ପରିଣତ ହୋଇଛି । ଜନଶୁଣାଣି ସ୍ଥାନକୁ ପୁଲିସ ଛାଉଣୀରେ ପରିଣତ କରି, କମ୍ପାନୀ ବିରୋଧୀମାନଙ୍କୁ ବଳପୂର୍ବକ ଜନଶୁଣାଣି ସ୍ଥଳକୁ ଆସିବାକୁ ନ ଦେଇ, ଗାଁ ଗାଁରେ ଆତଙ୍କରାଜ କରି ପୁଲିସ ପ୍ରଶାସନ କମ୍ପାନୀମାନଙ୍କ ପାଇଁ ରାସ୍ତା ପରିଷ୍କାର କରୁଛି । ରାଜନୈତିକ ଦଳମାନେ ଖୋଲାଖୋଲି କମ୍ପାନୀମାନଙ୍କ ସପକ୍ଷରେ ବାହାରିଛନ୍ତି । ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ପୃଥକ ଭାବରେ ସାମ୍ବାଦିକ ସମ୍ମିଳନୀକରି ପୁଲିସ କାର୍ଯ୍ୟାନୁଷ୍ଠାନ ଓ କମ୍ପାନୀମାନଙ୍କୁ ସମର୍ଥନ କରିଛନ୍ତି । ସମଗ୍ର ଅଂଚଳରେ ଆତଙ୍କ ସୃଷ୍ଟି କରାଯାଇଛି । ଏହି ପରିସ୍ଥିତିରେ ରାଷ୍ଟ୍ର ଶକ୍ତି ବିରୁଦ୍ଧରେ ଦରିଦ୍ର ଆଦିବାସୀମାନେ ପୁଣିଥରେ ମରଣପଣ ଲଢେଇ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ।
ଏହି ପ୍ରସଙ୍ଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନାର ଆବଶ୍ୟକତା ରହିଛି । ୨୦୧୩ ମସିହା ପର୍ଯ୍ୟନ୍ତ ୧୮୯୪ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ସମଗ୍ର ଦେଶରେ ଜମି ଅଧିଗ୍ରହଣ କରାଯାଉଥିଲା । ବ୍ରିଟିଶ ସରକାର ଦ୍ୱାରା ପ୍ରଣୀତ ଏହି ଆଇନ ଜମି ହରାଉଥିବା ଲୋକଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟପୂର୍ଣ୍ଣ ଥିଲା । ଦୀର୍ଘ ଆନ୍ଦୋଳନ ପରେ ୨୦୧୩ ମସିହାରେ ତତ୍କାଳୀନ କେନ୍ଦ୍ର ଉପା ସରକାର ଏକ ନୂତନ ଜମି ଅଧିଗ୍ରହଣ ଆଇନ ପ୍ରଣୟନ କରିବାକୁ ବାଧ୍ୟ ହୋଇଥିଲା । ଏହି ଆଇନରେ ଅନ୍ୟାନ୍ୟ କେତେକ ବିଷୟ ସହିତ ବେସରକାରୀ ପ୍ରକଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଜମି ଅଧିଗ୍ରହଣ ପାଇଁ ଗ୍ରାମ ସଭାର ଶତକଡା ୮୦ ଭାଗ ଲୋକଙ୍କ ସମ୍ମତିକୁ ବାଧ୍ୟତାମୂଳକ କରାଯାଇଥିଲା । ଏହାବ୍ୟତୀତ ଅନୁମୋଦନ ପୂର୍ବରୁ ଯେ କୌଣସି ପ୍ରକଳ୍ପର ସାମାଜିକ ପ୍ରଭାବ ଆକଳନ(Social Impact Assesment)କୁ ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା । ଆହୁରି ମଧ୍ୟ ବିସ୍ଥାପିତ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଓ ସେମାନଙ୍କର ଉପଯୁକ୍ତ ପୁନର୍ବାସ ପାଇଁ ଏହି ଆଇନରେ ପର୍ଯ୍ୟାପ୍ତ ନହେଲେ ମଧ୍ୟ କେତେକ ବ୍ୟବସ୍ଥା କରାଯାଇଥିଲା । ମାତ୍ର ୨୦୧୪ ମସିହା ସାଧାରଣ ନିର୍ବାଚନରେ ଖୋଲାଖୋଲି ଭାବରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାପାଇଁ ପ୍ରଚାର କରିଥିବା ଏକଚାଟିଆ ପୁଞ୍ଜିପତିମାନଙ୍କ ଚାପରେ ୨୦୧୪ ମସିହାରେ କେନ୍ଦ୍ର ବିଜେପି ସରକାର କ୍ଷମତାସୀନ ହେବା ସଂଗେ ସଂଗେ ଏହି ଆଇନକୁ ବାତିଲ କରିବାପାଇଁ ଏକ ଅଧ୍ୟାଦେଶ ଜାରୀ କରିଥିଲା । ଦେଶବ୍ୟାପୀ ବ୍ୟାପକ ବିରୋଧ ଫଳରେ କେନ୍ଦ୍ର ବିଜେପି ସରକାର ଏହି ଅଧ୍ୟାଦେଶକୁ ଆଇନରେ ପରିଣତ କରିପାରିଲା ନାହିଁ । ତା’ ସତ୍ତ୍ୱେ ମଧ୍ୟ ଓଡିଶା ସମେତ ଅନ୍ୟ କେତେକ ରାଜ୍ୟ ସରକାର ୨୦୧୩ ଆଇନକୁ ଅକାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ବିଧାନସଭାରେ ଅନେକ ଗୁଡିଏ ଆଇନ ପ୍ରଣୟନ କଲେ ଏବଂ କେନ୍ଦ୍ର ବିଜେପି ସରକାରର ସହାୟତାରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କଲେ । ଅନ୍ୟଦିଗରେ ୨୦୧୩ ଆଇନରେ ଥିବା ଲ୍ୟାଣ୍ଡବ୍ୟାଙ୍କ ବ୍ୟବସ୍ଥାର ସଂପ୍ରସାରଣ ପାଇଁ ରାଜ୍ୟ ସରକାର କେତେଗୁଡିଏ ନିୟମ(Rules) ପ୍ରଣୟନ କରିଛନ୍ତି । ଏହି ନିୟମ ଅନୁଯାୟୀ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଯେକୌଣସି ବେସରକାରୀ ଜମି ଅଧିଗ୍ରହଣକରି ଏହି ଜମିକୁ ଲ୍ୟାଣ୍ଡ ବ୍ୟାଙ୍କରେ ଅନିର୍ଦ୍ଦିଷ୍ଟ ସମୟପାଇଁ ରଖିପାରିବେ । ଲ୍ୟାଣ୍ଡବ୍ୟାଙ୍କ ପାଇଁ ଜମି ଖୋଜି ବାହାର କରିବା ଦାୟିତ୍ୱ ସରକାର ଇଡ୍କୋକୁ ଦେଇଛନ୍ତି । ସରକାରଙ୍କର ଉଦ୍ଦେଶ୍ୟ ହେଉଛି କମ୍ପାନୀମାନଙ୍କ ପାଇଁ ପୂର୍ବରୁ ଜମି ପ୍ରସ୍ତୁତ କରି ରଖିବା । ଯେକୌଣସି ପରିସ୍ଥିତିରେ ମଧ୍ୟ ଜଳସେଚିତ ଦୋଫସଲି ଜମି ଅଧିଗ୍ରହଣ କରାଯାଇ ପାରିବ ନାହିଁ । ଅଧିଗ୍ରହଣର ୫ବର୍ଷ ମଧ୍ୟରେ ଜମି ଯେଉଁ ବିଶେଷ ଉଦ୍ଦେଶ୍ୟରେ ଅଧିଗ୍ରହଣ କରାଯାଇଛି, ସେହି କାମରେ ବ୍ୟବହୃତ ନହେଲେ ମୂଳ ମାଲିକଙ୍କ ଫେରାଇ ଦିଆଯିବ ବୋଲି ୨୦୧୩ ଆଇନରେ ବ୍ୟବସ୍ଥା ରହିଥିଲେ ମଧ୍ୟ ସରକାର ଏହି ବ୍ୟବସ୍ଥାକୁ ଅକାମୀ କରି ଦେଇଛନ୍ତି । ଏହିଭଳି ଭାବରେ ରାଜ୍ୟ ସରକାର ୨୦୧୩ ଜମି ଅଧିଗ୍ରହଣ ଆଇନ, ପେସା ଆଇନ୍, ଜଙ୍ଗଲ ଅଧିକାର ଆଇନ-୨୦୦୬, ସମ୍ବିଧାନର ୫ମ ଅନୁଚ୍ଛେଦ ଅନୁଯାୟୀ ଅନୁସୂଚୀତ ଅଂଚଳ(Schedule Area)ରୁ ଜମି ଅଧିଗ୍ରହଣ ନିଷେଧକାରୀ ଆଇନର ଉଲଂଘନ କରି ବେଆଇନ ଭାବରେ ବଳପୂର୍ବକ ଜମି ଅଧିଗ୍ରହଣ କରୁଛନ୍ତି । ସେପ୍ଟେମ୍ବର ତୃତୀୟ ସପ୍ତାହରେ ଆହୂତ ବିଧାନସଭାର ସ୍ୱଳ୍ପ କାଳୀନ ଅଧିବେଶନରେ ଏ ସଂପର୍କିତ ଆଉ ଏକ ଆଇନ ପ୍ରଣୟନ କରାଯାଇଛି । ଏହି ଆଇନ ଅନୁଯାୟୀ ଏଣିକି ଜାତୀୟ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ(Strategic) ପ୍ରକଳ୍ପ, ଶିଳ୍ପ କରିଡର, ସ୍ୱାସ୍ଥ୍ୟସେବା, ବିଦ୍ୟୁତ କ୍ଷେତ୍ରର ସଂପ୍ରସାରଣ, ରାଜପଥ ନିର୍ମାଣ, ଆବାସ ଯୋଜନା, ଶିକ୍ଷାର ବିସ୍ତାର, ପାନୀୟ ଜଳ ଯୋଗାଣ ଇତ୍ୟାଦି ପାଇଁ ୫୦୦ ଏକର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ପାଇଁ ସାମାଜିକ ପ୍ରଭାବ ଆକଳନ କରିବାର ଆବଶ୍ୟକତା ନାହିଁ । ଅର୍ଥାତ୍ ରାଜ୍ୟ ବିଜେଡି ସରକାର ୨୦୧୩ ଜମି ଅଧିଗ୍ରହଣ ଆଇନର ଶବାଧାରରେ ଶେଷ ପିରିଖ କଣ୍ଟାଟି ପିଟିଦେଲେ ଏବଂ ସମଗ୍ର ରାଜ୍ୟର ଜମି, ଜଳ, ଜଙ୍ଗଲ, ପାହାଡକୁ ଘରୋଇ କମ୍ପାନୀ ମାନଙ୍କ ହାତକୁ ଟେକି ଦେବା ରାସ୍ତାକୁ କଣ୍ଟକଶୂନ୍ୟ କରିଦେଲେ । ସଂପ୍ରତି କେନ୍ଦ୍ର ସରକାର ପ୍ରଣୟନ କରିଥିବା ଜଙ୍ଗଲ(ସଂରକ୍ଷଣ) ସଂଶୋଧାନ ଆଇନ-୨୦୨୩ ସହିତ ୨୦୧୩ ଜମି ଅଧିଗ୍ରହଣ ଆଇନକୁ ଅକାମୀ କରିବା ପାଇଁ ରାଜ୍ୟ ବିଜେଡି ସରକାର ସଂପ୍ରତି ପ୍ରଣୟନ କରିଥିବା ବିଭିନ୍ନ ଆଇନ ଏବଂ ଜାରୀ କରିଥିବା ନିୟମାବଳୀକୁ ଏକତ୍ର ଅନୁଶୀଳନ କଲେ ରାଜ୍ୟର ସାଧାରଣ ମଣିଷ ଉପରେ କି ଧରଣର ବିପଦ ଘନେଇ ଆସୁଛି ତା’ ଯେ କେହି ହୃଦୟଙ୍ଗମ କରିପାରିବେ । ଏହାହିଁ ହେଉଛି ରାଜ୍ୟ ସରକାରଙ୍କର ବିକାଶ, ପ୍ରଗତି, ଶିଳ୍ପାୟନର କାନଫଟା ପ୍ରଚାର ଆଢୁଆଳରେ ଲୁଚି ରହିଥିବା ବାସ୍ତବ ସତ୍ୟ । ଏହି ପରିସ୍ଥିତିରେ ରାଜ୍ୟର ଜନସାଧାରଣଙ୍କର ଭିଟାମାଟି ଓ ଚାଷଜମି ସମେତ ସମସ୍ତ ପ୍ରାକୃତିକ ସଂପଦକୁ ଏକଚାଟିଆ ପୁଞ୍ଜିପତିମାନଙ୍କ କବଳରୁ ରକ୍ଷାକରିବାପାଇଁ ମିଳିତ ଦୀର୍ଘସ୍ଥାୟୀ ଓ ଶକ୍ତିଶାଳୀ ଗଣଆନ୍ଦୋଳନ ହିଁ ସମୟର ଆହ୍ୱାନ ।