ରାଜ୍ୟରେ କନିଷ୍ଠ ଶିକ୍ଷକ ନିୟୋଜନ ଆଉ ଏକ ଷଡଯନ୍ତ୍ର
Sarbaharakranti Dated 15.10.2023 –
ରାଜ୍ୟର ୩୦ଟି ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୨୦ହଜାର କନିଷ୍ଠ ଶିକ୍ଷକ(ଯୋଜନାଭିତ୍ତିକ) ନିୟୋଜିତ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗତ ଅଗଷ୍ଟ ୨୨ ତାରିଖରେ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ମାତ୍ର ଏହାର ନିଯୁକ୍ତି ସର୍ତ୍ତାବଳୀ ନିଯୁକ୍ତି ଆଶାୟୀ ମାନଙ୍କୁ ବିଷାଦଗ୍ରସ୍ତ କରିଛି । କିଛି ଦିନ ତଳେ ସରକାର ରାଜ୍ୟରେ ଚୁକ୍ତିଭିତ୍ତିକ ବ୍ୟବସ୍ଥା ଓ ବ୍ଲକ୍ଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଘୋଷଣା କରିଥିଲେ । ସରକାର କ’ଣ ତାଙ୍କ ପ୍ରତିଶୃତି ରକ୍ଷା କରି ବର୍ତ୍ତମାନ ସ୍ଥାୟୀଭିତ୍ତିିରେ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି? ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ କାଏମ ରଖି କେବଳ ନାମ ପରିବର୍ତ୍ତନ କରି ଯୋଜନାଭିତ୍ତିକ ନିଯୁକ୍ତି ନାମରେ ଲୋକଙ୍କୁ ପ୍ରତାରିତ କରିବାର ଚେଷ୍ଟା କରାଯାଉ ନାହିଁ କି? ସେଥିପାଇଁ ଗେଜେଟ୍ ବିଜ୍ଞପ୍ତିକୁ ଭଲ ଭାବେ ତର୍ଜମା କରିବା ଆବଶ୍ୟକ ।
ଯୋଜନାଭିତ୍ତିକ(Schematic) ନିଯୁକ୍ତି କ’ଣ?
ସରକାରଙ୍କ ଏହି ନୂତନ ଶିକ୍ଷକ ନିଯୁକ୍ତି ଯୋଜନା ଅନୁଯାୟୀ ସମସ୍ତ ଶିକ୍ଷକ ଜିଲ୍ଲା ୱାରି ଜିଲ୍ଲା ପରିଷଦ ଦ୍ୱାରା ନିୟୋଜିତ ହେବେ । ପ୍ରତ୍ୟେକ ବର୍ଷ ନିୟୋଜନ ପତ୍ର ନବୀକରଣ କରାଯିବ । ସେଥିପାଇଁ ପ୍ରତ୍ୟେକ ଶିକ୍ଷକଙ୍କୁ ନିଜେ ନିଯୋଜିତ ଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଠାରୁ ସନ୍ତୋଷଜନକ କାମ କରିଥିବାର ଏକ ପ୍ରମାଣପତ୍ର ଆଣି ଜିଲ୍ଲା ପରିଷଦରେ ଦାଖଲ କରିବାକୁ ହେବ । ଜିଲ୍ଲା ପରିଷଦ ଏଥିରେ ସମ୍ମତି ପ୍ରଦାନ କଲେ ନିୟୋଜନ ନବୀକରଣ ହେବ । ଏହିପରି ଯୋଜନାଭିତ୍ତିକ କନିଷ୍ଠ ଶିକ୍ଷକମାନେ ୩ବର୍ଷ ନିରନ୍ତର ଓ ସନ୍ତୋଷଜନକ କାମ କଲାପରେ ଯାଇ କନିଷ୍ଠ ଶିକ୍ଷକର ମାନ୍ୟତା ପାଇବେ । ସେହିପରି ୬ବର୍ଷ ନିରନ୍ତର ଓ ସନ୍ତୋଷଜନକ କାମ କଲାପରେ ସେମାନେ ଏଲିମେଣ୍ଟାରୀ କ୍ୟାଡର ଶିକ୍ଷକ ଭାବେ ନିଯୁକ୍ତି ପାଇବେ ବୋଲି କୁହାଯାଇଛି! ମାତ୍ର ଏହି ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି କହୁଛି- ଏ ସମସ୍ତ ଶିକ୍ଷକ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ‘ସମଗ୍ର ଶିକ୍ଷା ଯୋଜନା’ ଯାହାକି ଦେଶରେ ୩୧ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିବ ତାରି ଅନ୍ତର୍ଗତ ନିୟୋଜିତ ହେବେ । ‘ସମଗ୍ର ଶିକ୍ଷା ଯୋଜନା’ ବନ୍ଦ ହେବା ପୂର୍ବରୁ ଯଦି ସରକାର ଏ ସମସ୍ତ ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡର ଶିକ୍ଷକ ରୂପେ ଗ୍ରହଣ ନକରନ୍ତି ତେବେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ ଚାକିରି ହରାଇବେ ।
ଶିକ୍ଷକ ନିଯୁକ୍ତିର ପୃଷ୍ଠଭୂମି
ସ୍ୱାଧୀନତା ପରେ ୧୯୫୨ ମସିହାରୁ ୧୯୬୨ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ସ୍ଥାନୀୟ ସଂସ୍ଥା (ଲୋକାଲ ବଡି) ଜରିଆରେ ଜିଲ୍ଲା ୱାରି ନିଯୁକ୍ତି ପ୍ରଦାନ କରୁଥିଲେ । ତାପରେ ୧୯୬୨ ରୁ ୬୬ ପର୍ଯ୍ୟନ୍ତ ମାର୍କ ଭିତ୍ତିରେ ବ୍ଲକ ଚେୟାରମ୍ୟାନମାନେ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ଦେଉଥିଲେ । ସେଥିରେ ପ୍ରିୟାପ୍ରୀତି ତୋଷଣ ଓ ବ୍ୟାପକ ଦୁର୍ନୀତି ହେବାରୁ ସେମାନଙ୍କ ହାତରୁ ନିଯୁକ୍ତି ପ୍ରକ୍ରିୟା କାଢିନେଇ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ୱାରି ସ୍ଥାୟୀ ଭିତ୍ତିରେ ଶିକ୍ଷକ ନିଯୁକ୍ତି ପ୍ରଦାନ କରାଯାଉଥିଲା । ମାତ୍ର ୧୯୯୧ରେ ଦେଶରେ ଜଗତୀକରଣ ଅର୍ଥନୀତି ଲାଗୁହେବା ପରେ ଶିକ୍ଷା ସମେତ ପ୍ରାୟ ସମସ୍ତ ବିଭାଗରେ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା । ଜଗତୀକରଣ ବ୍ୟବସ୍ଥା ମୁତାବକ ସରକାର ଶିକ୍ଷା, ସ୍ୱାସ୍ଥ୍ୟସେବା ପ୍ରଭୃତି ଜନମଙ୍ଗଳକାରୀ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ କରି ଏ କ୍ଷେତ୍ର ଗୁଡିକୁ କର୍ପୋରେଟମାନଙ୍କ ହାତକୁ ଟେକି ଦେବାକୁ ଲାଗିଲେ । ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ପ୍ରାୟ ବନ୍ଦ ହୋଇଗଲା । ବିନା ଶିକ୍ଷକରେ ବିଦ୍ୟାଳୟମାନଙ୍କରେ ପାଠପଢା ବନ୍ଦ ହେବାରୁ ଜନଗଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହେଲା । ବିଭିନ୍ନ ସ୍ଥାନରେ ଆନ୍ଦୋଳନ ମୁଣ୍ଡ ଟେକିଲା । ଆନ୍ଦୋଳନ ଚାପରେ ରାଜ୍ୟ ସରକାର ୨୦୦୧ ମସିହାରେ ବିଦ୍ୟାଳୟମାନଙ୍କରେ ସ୍ଥାୟୀ ବଦଳରେ ଅସ୍ଥାୟୀ ଓ ସ୍ୱଳ୍ପ ବେତନରେ ଶିକ୍ଷା ସହାୟକ ନିଯୁକ୍ତ କଲେ । ଏଠାରେ କହିବା ବାହୁଲ୍ୟ ଏମାନେ ଶିକ୍ଷକ ନୁହଁନ୍ତି । ଏମାନଙ୍କୁ ସହାୟକ କୁହାଗଲା । ଅର୍ଥାତ୍ ଏମାନେ ପାଠ ପଢାଇବେ ନାହିଁ ପାଠପଢାରେ ସହାୟତା କରିବେ । ଅଦ୍ୟାବଧି ଏହି ପ୍ରକ୍ରିୟା ରାଜ୍ୟରେ ଚାଲୁ ରହିଛି ।
ଏନ୍ସିଟିଇ (National Council for Teacher Education) ୨୦୧୧ ମସିହାରେ ଶିକ୍ଷକ ନିଯୁକ୍ତିର ସର୍ବନିମ୍ନ ଯୋଗ୍ୟତା ଟିଇଟି(Teacher Eligibility Test) ସ୍ଥିର କଲେ । ପୂର୍ବରୁ ସିଟି କଲାପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକରୂପେ ନିଯୁକ୍ତି ଦିଆଯାଉଥିଲା । ସିଟି ହେଉଛି ଶିକ୍ଷକ ହେବା ପାଇଁ ଯୋଗ୍ୟତାର ଟ୍ରେନିଂ ସାର୍ଟିଫିକେଟ୍ । ଟ୍ରେନିଂ ନେବାପରେ ଏବଂ ପରୀକ୍ଷା ଦେଇ ପାସ କଲାପରେ ପୁଣିଥରେ ଟିଇଟି ମାଧ୍ୟମରେ ଯୋଗ୍ୟତାର ପରୀକ୍ଷା ହେବ କାହିଁକି? ଯେଉଁ ବିଏସ୍ଇ(Board of Secondary Education) ସିଟି ପରୀକ୍ଷା ପରିଚାଳନା କରି ଯୋଗ୍ୟତାର ସାର୍ଟିଫିକେଟ୍ ଦେଇଛି ସେହି ସଂସ୍ଥାର ସଚ୍ଚୋଟତା ଉପରେ ପ୍ରଶ୍ନ କରି ପୁଣି ସେହି ସଂସ୍ଥାଦ୍ୱାରା ଓଟିଇଟି ଓ ଏସଟିଇଟି ପରୀକ୍ଷା କରାଇ ଛାତ୍ରଛାତ୍ରୀମାନଙ୍କୁ ପୁର୍ନଃବାର ଏକ ଯୋଗ୍ୟତାର ସାର୍ଟିଫିକେଟ ଦେବା ସ୍ୱବିରୋଧୀ ନୁହେଁ କି? ରାଜ୍ୟ ସରକାର ୨୦୧୨ ମସିହାରେ ରାଜ୍ୟରେ ଓଟିଇଟି ବ୍ୟବସ୍ଥା ଆରମ୍ଭ କଲେ । ଓଟିଇଟିରେ ଉତ୍ତିର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହାୟକ ପଦବୀରେ ନିଯୁକ୍ତି ମିଳୁଥିଲା । ମାତ୍ର ସଂପ୍ରତି ଯୋଜନାଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ବିଜ୍ଞପ୍ତି କହୁଛି, Now, the Government have been pleased to supersede the previous resolutions and have decided to conduct the recruitment for engagement of Junior Teacher (Schematic) through an online computer-based test. ଅର୍ଥାତ୍ ରାଜ୍ୟ ସରକାର ପୂର୍ବ ସମସ୍ତ ନିଷ୍ପତ୍ତିକୁ ବାତିଲ ଅର୍ଥାତ୍ ସିଟି, ଓଟିଇଟି ପାସ୍ କରିବା ସତ୍ତ୍ୱେ ଆଉ ଏକ ଅନ୍ଲାଇନ୍ କମ୍ପୁଟର ଭିତ୍ତିକ ପରୀକ୍ଷା କରି କନିଷ୍ଠ ଶିକ୍ଷକ ନିୟୋଜିତ କରିବେ । ଯୋଗ୍ୟତା ଅର୍ଜନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆଉ କେତୋଟି ପରୀକ୍ଷା ଦେବାକୁ ହେବ? ପୁଣି ଅନ୍ଲାଇନ୍ କମ୍ପ୍ୟୁଟର ପରୀକ୍ଷା ଦେବାପାଇଁ ପିଲାମାନଙ୍କୁ ୫୦୦ଟଙ୍କା ଦେବାକୁ ହେବ । କି ବିଚିତ୍ର ନିୟମ! ଏହି ପୃଷ୍ଟଭୂମିରେ ବର୍ତ୍ତମାନ ହେବାକୁ ଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି କଥା ବିଚାର କରିବାକୁ ହେବ ।
ନିୟମିତ ନିଯୁକ୍ତି ନଦେଇ ଯୋଜନାଭିତ୍ତିକ
ନିୟୋଜନ କହିଁକି?
ରାଜ୍ୟରେ ବହୁ ବର୍ଷଧରି କେବଳ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହଜାର ହଜାର ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡିଛି । ପରିଣାମତଃ ପାଠପଢା ମାରାତ୍ମକ ଭାବେ ବ୍ୟାହତ ହେଉଛି । ସେଥିପାଇଁ ଜନଗଣ ବହୁଦିନ ହେବ ସମସ୍ତ ପଦବୀରେ ସ୍ଥାୟୀ ଭିତ୍ତିରେ ଶିକ୍ଷକ ନିଯୁକ୍ତି କରିବାପାଇଁ ଦାବି କରି ଆସୁଛନ୍ତି ଏବଂ ସରକାର ମଧ୍ୟ କିଛିଦିନ ତଳେ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ବିଡମ୍ବନାର ବିଷୟ ସରକାର ଜନଗଣଙ୍କ ଦାବିକୁ ସଂପୂର୍ଣ୍ଣ ଉପେକ୍ଷାକରି ସ୍ଥାୟୀ ଭିତ୍ତିରେ ନିଯୁକ୍ତି ନଦେଇ ୨୦ହଜାର ଯୋଜନାଭିତ୍ତିକ ନିୟୋଜନ କରିବା ନିଷ୍ପତ୍ତି କରିଛନ୍ତି । ଏଠାରେ କହିରଖୁ, ଯୋଜନାଭିତ୍ତିକ ନିୟୋଜନ ହେଉଛି ଚୁକ୍ତିଭିତ୍ତିକ ନିଯୁକ୍ତିର ଭିନ୍ନ ଏକ ରୂପ । ଏମାନେ ନିଯୁକ୍ତି(appointment ପାଇବେ ନାହିଁ ବରଂ ନିୟୋଜନ (Engagement) ପାଇବେ । ନିଯୁକ୍ତି ଅର୍ଥ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ସହ ଜଣେ ଚାକିରି ପାଇବା । ମାତ୍ର ନିୟୋଜିତ ହେଲେ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ଜଣେ ବଂଚିତ ହେବ । ଏହା ‘ହାୟାର ଆଣ୍ଡ ଫାୟାର’ ନୀତି ସହ ସମାନ । ଏ ସମସ୍ତ ଶିକ୍ଷକ ବର୍ଷିକିଆ ଚୁକ୍ତିଭିତ୍ତିରେ ନିଯୁକ୍ତି ପାଇବେ । ଭଲ ସେବା ଯୋଗାଇ ଦେଲେ, ସରକାରଙ୍କ ନିର୍ଦ୍ଦେଶ ମୁତାବକ କାମକଲେ ସ୍କୁଲର ପ୍ରଧାନ ଶିକ୍ଷକ ନବୀକରଣ ପାଇଁ ଏକ ପ୍ରମାଣପତ୍ର ଦେବେ । ଏହି ପ୍ରମାଣପତ୍ରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗ୍ରହଣ କଲେ ଯାଇ ଶିକ୍ଷକଙ୍କ ନିୟୋଜନ ପତ୍ର ନବୀକରଣ ହେବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମ୍ମତି ପ୍ରଦାନ ନକଲେ ଶିକ୍ଷକଙ୍କ ଚୁକ୍ତି ସେଇଠୁ ଶେଷ । ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ହେଉଛନ୍ତି ଗୋଟେ ବିଶେଷ ଦଳ ଓ ଏହାର ଆଦର୍ଶ ଦ୍ୱାରା ପରିଚାଳିତ ଜଣେ ବ୍ୟକ୍ତି ବିଶେଷ । ଏଣୁ ନିଯୁକ୍ତିକୁ ସ୍ଥାୟୀ କରିବା ସମୟରେ ତାଙ୍କର ଦଳ ଓ ଆଦର୍ଶ ପ୍ରତି ଅନୁରକ୍ତ ବ୍ୟକ୍ତି ବିଶେଷଙ୍କୁ ବିଚାରକୁ ନେବେ । ଏହା ସ୍ୱାଭାବିକ କଥା । ଅର୍ଥାତ୍ ଏକଥା ସ୍ପଷ୍ଟ ଯେ ସରକାର ଚଳାଉଥିବା ଦଳପାଇଁ ଯେଉଁମାନେ ନିଷ୍ଠାପରଭାବେ କାମ କରିବେ ନାହିଁ ସେମାନଙ୍କର ନିୟୋଜନ ସ୍ଥାୟୀ ହେବାର ସଂଭାବନା କ୍ଷୀଣ । ଏହି ପରିସ୍ଥିତିରେ ଶିକ୍ଷକମାନେ ଯେ କି ପ୍ରକାର ମାନସିକ ଯନ୍ତ୍ରଣାର ଶିକାର ହେବେ ଏହା ସହଜରେ ଅନୁମେୟ । ଆହୁରି ମଧ୍ୟ କୁହାଯାଉଛି, ଯୋଜନାଭିତ୍ତିକ କନିଷ୍ଠ ଶିକ୍ଷକମାନେ ‘ସମଗ୍ର ଶିକ୍ଷା ଯୋଜନା’ରେ ନିୟୋଜିତ ହେବେ । ଏଠି ଉଲ୍ଲେଖଯୋଗ୍ୟ ଯେ, ‘ସମଗ୍ର ଶିକ୍ଷା ଯୋଜନା’ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା ଯାହାକି ୩୧ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିବ । ଏଠି ପ୍ରଶ୍ନ ଉଠୁଛି ୩୧ମାର୍ଚ୍ଚ ୨୦୨୬ ପରେ ଏସମସ୍ତ ଶିକ୍ଷକଙ୍କ ଭବିଷ୍ୟତ କ’ଣ ହେବ? ସେତେବେଳକୁ ସେମାନେ କନିଷ୍ଠ ଶିକ୍ଷକର ବି ମାନ୍ୟତା ପାଇନଥିବେ । ତେଣୁ ମାତ୍ର ଅଳ୍ପକିଛି ଦିନ କାମ କଲା ପରେ ଏ ସମସ୍ତ ଶିକ୍ଷକଙ୍କୁ ସଂପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଠେଲି ଦିଆଯିବ ।
ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପ୍ରସଂଗରେ, ସ୍କୁଲ ବନ୍ଦ ଏବଂ ମିଶ୍ରଣ ସଂକ୍ରାନ୍ତୀୟ ମାମଲାରେ ଓଡିଶା ଉଚ୍ଚନ୍ୟାୟାଳୟଙ୍କ ରାୟ ଉଲ୍ଲେଖ ଯୋଗ୍ୟ । ୨୦୨୦ ମାର୍ଚ୍ଚ ୧୧ ତାରିଖ ଦିନ ଓଡିଶା ସରକାର ରାଜ୍ୟର ୧୪,୩୭୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ଏବଂ ମିଶ୍ରଣ କରିବାପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ରାଜ୍ୟର ବହୁ ଅଭିଭାବକ ଓ ସ୍କୁଲ ସୁରକ୍ଷା କମିଟି ପକ୍ଷରୁ ଏହାକୁ ବିରୋଧକରି ଓଡିଶା ଉଚ୍ଚନ୍ୟାୟାଳୟରେ ମାମଲା ରୁଜୁ କରାଯାଇଥିଲା । ଉଚ୍ଚନ୍ୟାୟାଳୟ ସବୁ ପକ୍ଷକୁ ଶୁଣି ଏହି ବିଜ୍ଞପ୍ତି ଆଇନ ସମର୍ଥିତ ନୁହେଁ ବୋଲି, ୪ ମଇ ୨୦୨୧ ଦିନ ରାୟ ଶୁଣାଇଥିଲେ । ଏହି ରାୟରେ ସ୍କୁଲମାନଙ୍କରେ ଛାତ୍ର ସଂଖ୍ୟା ହ୍ରାସ ପାଇଁ କମ ସଂଖ୍ୟକ ଶିକ୍ଷକ ଓ ଅସ୍ଥାୟୀ ଶିକ୍ଷକ ନିଯୁକ୍ତିକୁ ଏକ ମୁଖ୍ୟ କାରଣଭାବେ ଅଭିହିତ କରିଥିଲେ । ଏହି ରାୟର ଅନୁଚ୍ଛେଦ ୬୫ (ପୃ ୯୭) ଓ ୬୬ (ପୃ ୯୮)ରେ ଦର୍ଶାଯାଇଛି, “ଓଡିଶା ରାଜ୍ୟରେ, ବହୁ ବର୍ଗର ଶିକ୍ଷକ ଅଛନ୍ତି ଯଥା ସ୍ୱୀକୃତିପ୍ରାପ୍ତ ଶିକ୍ଷକ, ଅଣସ୍ୱୀକୃତିପ୍ରାପ୍ତ ଶିକ୍ଷକ, କଣ୍ଟ୍ରାକ୍ଚୁଆଲ, ପାରା ଶିକ୍ଷକ, ଗଣ ଶିକ୍ଷକ, ଶିକ୍ଷା ସହାୟକ ଇତ୍ୟାଦି । ମାତ୍ର ଅନ୍ୟାନ୍ୟ କୌଣସି କର୍ମଚାରୀଙ୍କ ମଧ୍ୟରେ ଏପରି ବର୍ଗୀକରଣ ଦେଖାଯାଏ ନାହିଁ । ଏହା ସ୍ପଷ୍ଟ ଭାବରେ ଦର୍ଶାଏ ଯେ ଯୋଜନା ଓ ନୀତି ପ୍ରଣୟନକାରୀ ମାନଙ୍କର ଶିକ୍ଷା ପ୍ରତି ସମ୍ମାନ କେତେ? ଶିକ୍ଷକତାକୁ ଏକ ପୂର୍ଣ୍ଣ ସମୟ କାଳୀନ ବୃତ୍ତି ଭାବେ ଗ୍ରହଣ କରାଯିବା ଉଚିତ । ପୂର୍ବେ ଇଟି, ସିଟି ତାଲିମ ପ୍ରାପ୍ତ କମ ଶୈକ୍ଷିକ ଯୋଗ୍ୟତା ଥିବା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଥିଲା ଏବଂ ସେମାନଙ୍କର ଅନୁଷ୍ଠାନ ପ୍ରତି ନିଷ୍ଠା ଥିଲା । ମାତ୍ର ଏବେ ବିଭିନ୍ନ ବର୍ଗର ବହୁବିଧ କାର୍ଯ୍ୟରେ ସଂପୃକ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଛି ଏବଂ ସେମାନଙ୍କୁ ଅତି କମ ପାଉଣା ଦେଇ ବ୍ୟବହାର କରାଯାଉଛି । ଅଧା ପେଟରେ ଥିବା ଶିକ୍ଷକମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସଂପାଦନ ପାଇଁ ନିର୍ଦ୍ଦେଶ ଦିଆଯାଉଛି । ଫଳତଃ ଲକ୍ଷ୍ୟ ହାସଲ ହେଉ ନାହିଁ । କୌଣସି ବିଦ୍ୟାଳୟରେ ଛାତ୍ର ସଂଖ୍ୟା ହ୍ରାସ ପାଇବା ପାଇଁ ଏହା ଏକ କାରଣ ହୋଇପାରେ । ଏହାର ନିରାକରଣ ପ୍ରଭାବୀ ଢଂଗରେ କରାଯାଇପାରିବ ଯଦି କର୍ତ୍ତୃପକ୍ଷ ଏବଂ ଯେଉଁମାନେ ପରିଚାଳନାର ଶୀର୍ଷରେ ବସିଛନ୍ତି ସେମାନେ ସାମାନ୍ୟ ସଜାଗ ହୁଅନ୍ତି ।” ଅତଏବ ଓଡିଶା ଉଚ୍ଚନ୍ୟାୟାଳୟ ସ୍ପଷ୍ଟ ଭାଷାରେ ଦର୍ଶାଇଛନ୍ତି ଯେପର୍ଯ୍ୟନ୍ତ ରାଜ୍ୟରେ ସ୍ଥାୟୀଭିତ୍ତିରେ ଆବଶ୍ୟକ ସଂଖ୍ୟକ ସ୍ୱୀକୃତିପ୍ରାପ୍ତ ଶିକ୍ଷକ ନିଯୁକ୍ତି କରାନଯାଇଛି ଶିକ୍ଷା କ୍ଷେତ୍ରରେ ସୁଧାର ଆସିବ ନାହିଁ ବରଂ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ରସାତଳଗାମୀ ହେବ । ମାତ୍ର ରାଜ୍ୟ ବିଜେଡି ସରକାର ସବୁ କିଛିକୁ ବେଖାତିର କରି ପୁଣି ଥରେ ରାଜ୍ୟରେ ଯୋଜନାଭିତ୍ତିକ ନାଁରେ କାର୍ଯ୍ୟତଃ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି କରିଛି । ଏହା ଚରମ ଶିକ୍ଷା ବିରୋଧୀ, ଛାତ୍ର ବିରୋଧୀ ।
ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସମୂଖରୁ ରକ୍ଷା କରନ୍ତୁ
ସରକାର ଯୋଜନା ପରେ ଯୋଜନା, ନୂଆ ନୂଆ ଶିକ୍ଷାନୀତି ଗ୍ରହଣ କରି ଚାଲିଛନ୍ତି । ମାତ୍ର ଏହି ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପାଣ୍ଠିର ଆବଶ୍ୟକତା ରହିଛି ସରକାର ତାହାର ବ୍ୟବସ୍ଥା କରୁଛନ୍ତି କି? ସରକାରୀ ତଥ୍ୟ କହୁଛି ସମୟ ଯେତେ ଯାଉଛି ଶିକ୍ଷା ବଜେଟ୍ ବଢିବା ବଦଳରେ ମାରାତ୍ମକଭାବେ ହ୍ରାସ ପାଇଚାଲିଛି । ରାଜ୍ୟରେ ବିଭିନ୍ନ ଯୋଜନା ଯଥା ସାଇକେଲ୍ ବଣ୍ଟନ, ପୋଷାକ ପ୍ରଦାନ, ମଧ୍ୟାହ୍ନ ଭୋଜନ, ୫ଞ ରୂପାନ୍ତରୀକରଣ, ମାଗଣା ବହି, ପାଇଖାନା ନିର୍ମାଣ ଇତ୍ୟାଦି ଚାଲିଛି । ଘର ତିଆରି ଚାଲିଛି, ରଙ୍ଗ ଦିଆହେଉଛି, ସ୍ମାର୍ଟ ଶ୍ରେଣୀଗୃହ ହେଉଛି, ପୋଷାକ ରଙ୍ଗ ବଦଳୁଛି ଏହିଭଳି ଭେଳିକି ଚାଲିଛି । ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱବ୍ୟାଙ୍କ, ଡିଏଫଆଇଡି ମଦତ୍ ଓ ପୃଷ୍ଠପୋଷକତାରେ ଏସବୁ ଚାଲିଛି । ସରକାର ଏହି ସମସ୍ତ ସଂସ୍ଥାଠାରୁ ଋଣ ଆଣି ଖର୍ଚ୍ଚ କରୁଛନ୍ତି । କେବଳ ଭିତ୍ତିଭୂମି ନର୍ମାଣ କ୍ଷେତ୍ରରେ ଏହି ଅର୍ଥ ଖର୍ଚ୍ଚ ହେଉଛି । ଅପରପଟେ ଶିକ୍ଷକ ନିଯୁକ୍ତିର କୌଣସି ବ୍ୟବସ୍ଥା ନାହିଁ । ଲକ୍ଷାଧିକ ଶିକ୍ଷକ ପଦବୀ ଫାଙ୍କା । ବିନା ଶିକ୍ଷକରେ ଏଭଳି ଭିତ୍ତିଭୂମିର କି ଆବଶ୍ୟକତା ଅଛି? ସରକାରୀ ଶିକ୍ଷାନୁଷ୍ଠାନଗୁଡିକ ଧ୍ୱଂସ ନହେଲେ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ଗଢିଉଠିବା ଅସମ୍ଭବ । ଏହି କାରଣରୁ ସରକାର ଯୋଜନାବଦ୍ଧ ଓ ପରିକଳ୍ପିତ ଭାବରେ ସରକାରୀ ଶିକ୍ଷାନୁଷ୍ଠାନକୁ ଧ୍ୱଂସ କରୁଛନ୍ତି । ସେଥିପାଇଁ ଦଂଶଧି ଦଂଶଧି ଧରି ସରକାରୀ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରାଯାଉନାହିଁ । ଯାହାଫଳରେ ଗୋଟିଏ ପଟରେ ଅଭିଭାବକମାନେ ପେଟରୁ କାଟି ସେମାନଙ୍କ ପିଲାଙ୍କୁ ଘରୋଇ ଶିକ୍ଷାନୁଷ୍ଠାନକୁ ପଠାଇବାକୁ ବାଧ୍ୟ ହେବେ । ଅନ୍ୟପଟରେ ଦରିଦ୍ର ଘର ପିଲାମାନେ ପୋଥିରେ ଡୋରି ବାନ୍ଧିବେ । ସରକାରୀ ବିଦ୍ୟାଳୟ ଆବଶ୍ୟକ ସଂଖ୍ୟକ ପିଲା ଆସୁନାହାନ୍ତି ବୋଲି ପ୍ରଚାରକରି ସରକାର ବିଦ୍ୟାଳୟ ବନ୍ଦ କରିବେ ଏବଂ ଶିକ୍ଷାର ଆର୍ଥିକ ଦାୟିତ୍ୱରୁ ଓହରି ଯିବେ । ସଂପ୍ରତି ସରକାରଙ୍କର ଯୋଜନା ଭିତ୍ତିକ ଶିକ୍ଷକ ନିୟୋଜନ ଏହି ଯୋଜନାର ଅଂଶ ବିଶେଷ ।
ଏହି ପରିସ୍ଥିତିରେ ସାଧାରଣ ଘରର ପିଲାମାନଙ୍କ ପାଇଁ ଶିକ୍ଷାର ସୁଯୋଗ ଉନ୍ମୁକ୍ତ ରଖିବା ଏବଂ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ମୁହଁରୁ ରକ୍ଷା କରିବାପାଇଁ ଦୀର୍ଘସ୍ଥାୟୀ ଓ ଶକ୍ତିଶାଳୀ ଶିକ୍ଷା ଆନ୍ଦୋଳନ ପରିଚାଳନା ବର୍ତ୍ତମାନ ସମୟର ଆହ୍ୱାନ ।