ମେଡିକାଲ ସର୍ଭିସ ସେଣ୍ଟରର ୪ର୍ଥ ରାଜ୍ୟ ସମ୍ମିଳନୀ

Sarbaharakranti News Dated 15.10.2023 –

ଡାକ୍ତରୀ ଶିକ୍ଷା ତଥା ସ୍ୱାସ୍ଥ୍ୟସେବାର ଘରୋଇକରଣ ଓ ବ୍ୟବସାୟୀକରଣ ବନ୍ଦ, ସମସ୍ତଙ୍କ ପାଇଁ ବିନା ମୂଲରେ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦେବା, ସମସ୍ତ ମେଡିକାଲ ଓ ପାରାମେଡିକାଲ ପ୍ରଫେସନାଲମାନଙ୍କ ପାଇଁ ନିୟମିତ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା, ଠିକା ନିଯୁକ୍ତି ପ୍ରଥା ସଂପୂର୍ଣ୍ଣ ଉଚ୍ଛେଦ କରିବା, ରାଜ୍ୟର ସମସ୍ତ ଚିକିତ୍ସାଳୟ ଓ ମେଡିକାଲ କଲେଜମାନଙ୍କରେ ଖାଲି ପଡିଥିବା ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଅଧ୍ୟାପକ ତଥା ଅନ୍ୟାନ୍ୟ କର୍ମଚାରୀ ପଦବୀକୁ ଅବିଳମ୍ବେ ପୂରଣ ଓ ସମସ୍ତ ଚିକିତ୍ସାଳୟମାନଙ୍କୁ ପର୍ଯ୍ୟାପ୍ତ ପରିମାର ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେବା ଦାବିରେ ମେଡିକାଲ ସର୍ଭିସ ସେଣ୍ଟର(ଏମ୍‌.ଏସ୍‌.ସି.)ର ୪ର୍ଥ ଓଡିଶା ରାଜ୍ୟ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଗତ ସେପ୍ଟେମ୍ବର ୨୪ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ୮ଟି ମେଡିକାଲ ଓ ୬ଟି ପାରାମେଡିକାଲ କଲେଜରୁ ଶତାଧିକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ତଥା ଡାକ୍ତରୀ ଛାତ୍ରଛାତ୍ରୀ ପ୍ରତିନିଧି ଭାବେ ଯୋଗ ଦେଇଥିଲେ ।
ଉକ୍ତ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ରାଜ୍ୟ ସଭାପତି ଡା. ସୁରଜିତ ସାହୁ ସଭାପତିତ୍ୱ କରିଥିବାବେଳେ ରାଜ୍ୟ ସଂପାଦକ ପ୍ରଫେସର ଡା. ରାତ୍ନାକର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହାପରେ ସଂଗଠନର ସର୍ବଭାରତୀୟ ଉପସଭାପତି ଡା. ବିଶ୍ୱନାଥ ପାରିଆ ସାଂପ୍ରତିକ ଜାତୀୟ ପରିସ୍ଥିତିରେ ଏହି ରାଜ୍ୟ ସମ୍ମିଳନୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଉକ୍ତ ଅଧିବେଶନରେ ଏମ୍‌ସ୍ ଭୁବନେଶ୍ୱରର ବରିଷ୍ଠ ପେଟରୋଗ ବିଶେଷଜ୍ଞ ପ୍ରଫେସର ଡା. ମାନସ କୁମାର ପାଣିଗ୍ରାହୀ ବିଶିଷ୍ଟ ବକ୍ତାଭାବରେ ଯୋଗ ଦେଇଥିଲେ ।
ଏହାପରେ ଓଡିଶାର ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ଡା. ଅନନ୍ତ କୁମାର ଅଗସ୍ତି ପେଟରୋଗର ଉପଚାର ସଂପର୍କରେ ଆଲୋଚନା କରିଥିଲେ ।
ପ୍ରତିନିଧି ଅଧିବେଶନରେ ରାଜ୍ୟର ବିଭିନ୍ନ ମେଡିକାଲ ଓ ପାରାମେଡିକାଲ କଲେଜରୁ ଆସିଥିବା ପ୍ରତିନିଧିମାନେ ସମ୍ମିଳନୀର ଚିଠା ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିଥିଲେ । ସର୍ବଶେଷରେ ସଂଗଠନର ସର୍ବଭାରତୀୟ ସାଧାରଣ ସଂପାଦକ ଡା. ବିଜ୍ଞାନ ବେରା ମୁଖ୍ୟ ବକ୍ତା ଭାବେ ତାଙ୍କର ବକ୍ତବ୍ୟ ରଖିଥିଲେ । ସମ୍ମିଳନୀରେ ଡା. ସୁରଜିତ ସାହୁ ରାଜ୍ୟ ସଭାପତି ଓ ଡା. ପ୍ରାଜ୍ଞ ଅନିର୍ବାଣ ରାଜ୍ୟ ସଂପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଏହାବ୍ୟତୀତ ଏକ ୫୮ଜଣିଆ ରାଜ୍ୟ କମିଟି ମଧ୍ୟ ଗଠନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *