ମୋଦି ସରକାର ଶାସନ କାଳରେ ରାଷ୍ଟ୍ରାୟତ୍ତ କ୍ଷେତ୍ରରୁ ପ୍ରାୟ ୩ଲକ୍ଷ ପଦବୀ ଉଚ୍ଛେଦ

Sarbaharakranti Dated 01.03.2024 –

ଗତ ଫେବୃୟାରୀ ୭ତାରିଖରେ ରାଜ୍ୟସଭାରେ ଏକ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗର୍ବର ସହିତ କହିଛନ୍ତି ଯେ, ଗତ ଦଶ ବର୍ଷରେ କେନ୍ଦ୍ର ସରକାରଙ୍କର ସଂସ୍ଥାଗୁଡିକ ଶକ୍ତିଶାଳୀ ହୋଇଛି । ସେୟାର ବଜାରରେ ସେସବୁର ସେୟାର ମୂଲ୍ୟ ବୃଦ୍ଧି ଘଟିଛି । ଅଥଚ ଏହାର ମାତ୍ର କିଛି ମାସ ପୂର୍ବରୁ ଗତ ଜୁନ ମାସରେ ‘ପବ୍ଲିକ୍ ଏଣ୍ଟରପ୍ରାଇଜେସ ସର୍ଭେ’ ରିପୋର୍ଟରେ ଯେଉଁ ପରିସଂଖ୍ୟାନ ପ୍ରକାଶିତ ହୋଇଛି ସେଥିରେ ଦେଖାଯାଇଛି ଯେ, ଗତ ଦଶ ବର୍ଷରେ କେନ୍ଦ୍ରୀୟ ସରକାରୀ ସଂସ୍ଥାଗୁଡିକରେ ବ୍ୟାପକ ପରିମାଣରେ ନିଯୁକ୍ତି ହ୍ରାସ କରାଯାଇଛି । କେବଳ ଏତିକି ନୁହେଁ, ଯେତିକି କର୍ମସଂସ୍ଥାନର ସୁଯୋଗ ରହିଛି ତା’ ମଧ୍ୟରୁ ଅଧିକାଂଶ ହିଁ ଚୁକ୍ତି ଭିତ୍ତିକ କାମ ଅର୍ଥାତ୍ ଅସ୍ଥାୟୀ ଚାକିରୀ ।
‘ପବ୍ଲିକ୍ ଏଣ୍ଟରପ୍ରାଇଜେସ ସର୍ଭେ’ ରିପୋର୍ଟ ଅନୁଯାୟୀ ଏହି ସରକାରୀ ସଂସ୍ଥାଗୁଡିକରେ ୨୦୧୩ ମସିହାରେ କର୍ମଚାରୀ ସଂଖ୍ୟା ୧୭.୩ ଲକ୍ଷ ଥିଲାବେଳେ ୨୦୨୨ରେ ତାହା ହ୍ରାସ ପାଇ ୧୪.୦୬ ଲକ୍ଷରେ ପହଞ୍ôଚଛି । ଅର୍ଥାତ୍ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ୨ଲକ୍ଷ ୭୦ହଜାର କର୍ମସଂସ୍ଥାନର ସୁଯୋଗ ହ୍ରାସ ପାଇଛି ।
ରିପୋର୍ଟ ଆହୁରି ଦର୍ଶାଇଛି ଯେ, କେବଳ କ୍ଷତିରେ ଚାଲୁଥିବା ସଂସ୍ଥାଗୁଡିକ ନହେଁ, ଏପରିକି ଯେଉଁ ସବୁ ସଂସ୍ଥାଗୁଡିକ ଯଥେଷ୍ଟ ଲାଭ କରୁଛନ୍ତି ସେଗୁଡିକରେ ମଧ୍ୟ ପଦବୀ ଉଚ୍ଛେଦ କରାଯାଉଛି । ଏହା ସହିତ ସ୍ଥାୟୀ କର୍ମଚାରୀ ବଦଳରେ ସରକାରୀ ସଂସ୍ଥାଗୁଡିକରେ ଚୁକ୍ତିଭିତ୍ତିକ ନିଯୁକ୍ତି ବୃଦ୍ଧି ପାଇଛି । ୨୦୧୩ ମସିହାରେ ଶତକଡା ୧୭ଭାଗ କର୍ମଚାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ । ୨୦୨୨ରେ ଏହା ବୃଦ୍ଧିପାଇ ଶତକଡା ୩୫ଭାଗରେ ପହଞ୍ôଚଛି । ଦୈନିକ ମଜୁରିଭିତ୍ତିକ କର୍ମଚାରୀମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ୨୦୨୨ମସିହାରେ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ଦୈନିକ ମଜୁରିଆଙ୍କ ସଂଖ୍ୟା ମୋଟ କର୍ମଚାରୀ ସଂଖ୍ୟାର ଶତକଡା ୪୩ଭାଗରେ ଆସି ପହଞ୍ôଚଛି । ଯାହା ପୂର୍ବରୁ ଶତକଡା ୧୯ଭାଗ ଥିଲା ।
ଆଜି ସାରାଦେଶ ବେକାରୀ ସମସ୍ୟାରେ ଜର୍ଜରିତ । କର୍ମହୀନତାର ହାର ଅତୀତର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ୨୦୧୪ ମସିହାରେ ପ୍ରଥମଥର କେନ୍ଦ୍ରରେ କ୍ଷମତାସୀନ ହେବା ପୂର୍ବରୁ ନରେନ୍ଦ୍ର ମୋଦି ପ୍ରତିବର୍ଷ ଦୁଇ କୋଟି ବେକାରଙ୍କୁ କାମ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସେହି ମିଥ୍ୟା ପ୍ରତିଶୃତି ଭୋଟ ପାଇବାପାଇଁ ଉଦ୍ଦିଷ୍ଟ ଥିଲାବୋଲି ବର୍ତ୍ତମାନ ପ୍ରମାଣିତ ହୋଇଛି । ଯୁବକ ଯୁବତୀମାନେ ଚାକିରି ଆଶା ଛାଡି ଦେଇଛନ୍ତି । ଏକଥା ସତ୍ୟ ଯେ, ଆଜି ଦେଶରେ ଯେଉଁ ପୁଞ୍ଜିବାଦୀ ବ୍ୟବସ୍ଥା କାଏମ ରହିଛି ତାର ନିଜସ୍ୱ ନିୟମରେ ଦେଶର କଳକାରଖାନାଗୁଡିକ ଧିରେ ଧିରେ ବନ୍ଦ ହେବାରେ ଲାଗିଛି । ସେଥିପାଇଁ କର୍ମସଂସ୍ଥାନର ସୁଯୋଗ କମୁଛି । ଏହି ପରିସ୍ଥିତିରେ ଗୋଟିଏ ଦେଶରେ ସରକାରଙ୍କର କର୍ତ୍ତବ୍ୟ ହେବା ଉଚିତ, ଦେଶର ବିରାଟ ସଂଖ୍ୟକ ବେକାର ବାହିନୀର ନିଯୁକ୍ତିପାଇଁ କର୍ମସଂସ୍ଥାନର ବ୍ୟବସ୍ଥା କରିବା ।
କିନ୍ତୁ ଲକ୍ଷ୍ୟ କରାଯାଉଛି ବିଜେପି ସରକାର କେନ୍ଦ୍ରୀୟ ସଂସ୍ଥାଗୁଡିକରେ କର୍ମସଂସ୍ଥାନର ସୁଯୋଗକୁ ବ୍ୟାପକ ମାତ୍ରାରେ ହ୍ରାସ କରୁଛି । ଏହା ସହିତ ବେସରକାରୀ ସଂସ୍ଥାଗୁଡିକରେ ମଧ୍ୟ ସ୍ଥାୟୀ ପଦବୀ ଗୁଡିକୁ ଚୁକ୍ତିଭିତ୍ତିକ ତଥା ଅସ୍ଥାୟୀ ପଦବୀରେ ପରିଣତ କରାଯାଉଛି । ଯୁବ ସମାଜର ବିକାଶ ପ୍ରସଙ୍ଗରେ ସଦା ସର୍ବଦା କୁମ୍ଭୀର କାନ୍ଦଣା କାନ୍ଦୁଥିବା ପ୍ରଧାନମନ୍ତ୍ରୀ ଓ ତାଙ୍କର ସହଯୋଗୀମାନଙ୍କର ଏ ବାବଦରେ ଆନ୍ତରିକତା କେତେ ସେକଥା ଏହି ପରିସଂଖ୍ୟାନରୁ ପ୍ରମାଣିତ ହୋଇଛି । ଏହା ହିଁ ଅସଲରେ ନରେନ୍ଦ୍ର ମୋଦିଙ୍କର ‘ସବକା ସାଥ ସବକା ବିକାଶ’ର ନମୁନା ।

Leave a Reply

Your email address will not be published. Required fields are marked *