ଓଡିଶାରେ ପ୍ରବାସୀ ଭାରତୀୟ ଉତ୍ସବର ଭିତିରି କଥା

Sarbaharakranti Dated 20.01.2025 –

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ମହା ସମାରୋହରେ ଶେଷ ହୋଇଛି । ପୂର୍ବୋଦୟ ବିକାଶ ଯୋଜନା କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ଆଶୀର୍ବାଦ କଲେ ଏତେବଡ଼ ଉତ୍ସବ ପାଳିବାର ସୌଭାଗ୍ୟ ଲାଭ କରିବାକୁ ବୋଲି ରାଜ୍ୟ ବିଜେପି ସରକାର ତରଫରୁ ପ୍ରଚାର ଚାଲିଛି ।
ଏହାକୁ ବିଶାଳ, ଭବ୍ୟ, ଦିବ୍ୟ, ଅବିଶ୍ୱସନୀୟ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଦାନ୍ତ କାମୁଡି ଲାଗି ପଡ଼ି ଥିଲେ । ଗଣ୍ଡା ଗଣ୍ଡା କେନ୍ଦ୍ର ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ରାଜ୍ୟର ବହୁ ମନ୍ତ୍ରୀ, ମୁଖ୍ୟ ସଚିବ, ବରିଷ୍ଠ ସଚିବ, ଉଚ୍ଚ ପୁଲିସ ଅଧିକାରୀ, ଅସଂଖ୍ୟ ଉଚ୍ଚ ପଦସ୍ଥ ଅଫିସର ରାତି ଦିନ ଲାଗି ଥିଲେ । ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ପାଇଁ ୯୦ ପ୍ଲାଟୁନ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଥିଲେ । ସହରର ସଫେଇ କାର୍ଯ୍ୟ ପାଇଁ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ନିଜସ୍ୱ କର୍ମଚାରୀଙ୍କ ଛଡା ଅଧିକ ୪୦୦ କର୍ମଚାରୀଙ୍କୁ ନିୟୋଜିତ କରିଥିଲା । ତା ଛଡା ଛୋଟ ବଡ ରାସ୍ତା, କାନ୍ଥ, ପାଚେରୀ, ଓଭର୍ ବ୍ରିଜ, ପାର୍କ ସବୁ ରଙ୍ଗ ତୂଳୀର ଯାଦୁକାରୀରେ ଜୀବନ୍ତ ହୋଇ ଉଠିଲା । ଏକ ହଜାରରୁ ଉର୍ଦ୍ଧ୍ୱ ଚିତ୍ରଶିଳ୍ପୀ ଦିନ ରାତି ବିଭିନ୍ନ ଚିତ୍ର ଆଙ୍କି ଚାଲିଥିଲେ – କେଉଁଠି କୃଷକ ଚାଷ କରୁଛି, କେଉଁଠି ଗ୍ରାମ୍ୟ ରମଣୀ ରୋଷେଇ କରୁଛି, କେଉଁଠି ଆଦିବାସୀ ତରୁଣୀମାନେ ଝୁମି ଝୁମି ନାଚୁଛନ୍ତି, କେଉଁଠି ଫୁଲ ଗଛ ଲତା, ପାହାଡ଼, ପର୍ବତ, ଝରଣା, ବାଘ ଭାଲୁ, ହରିଣ, କେଉଁଠି ମନ୍ଦିର, କେଉଁଠି ସୁସଜ୍ଜିତ ଗଛ, କେଉଁଠି ସୋଲାର ବୃକ୍ଷ, କେଉଁଠି ଶଗଡ଼ ଗାଡି, କେଉଁଠି ସାଧବ ପୁଅର ନୌ ଯାତ୍ରା, ଭୁବନେଶ୍ୱରର ଅପରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ହେଲେ ଦର୍ଶକ, ପ୍ରବାସୀ ଭାରତୀୟ । ୧୦୮ କିଲୋମିଟର ବ୍ୟାପୀ ସଡକର ସଫେଇ ଓ ସୌନ୍ଦର୍ଯ୍ୟକରଣ କରାଗଲା, ସରକାରୀ କଳ ବେସରକାରୀ ସଂସ୍ଥା, ଶ୍ରମିକ ଓ କର୍ମଚାରୀ ପ୍ରାଣମୂର୍ଛା ଲାଗିଥିଲେ ଏହି ପର୍ବକୁ ସବୁ ଦିଗରୁ ସଫଳ କରିବାକୁ । ଇଭେଣ୍ଟ ମ୍ୟାନେଜମେଣ୍ଟରେ ସୁଖ୍ୟାତି ଅର୍ଜନ କରିଥିବା ଦିଲ୍ଲୀର ଏକ ସଂସ୍ଥାକୁ ୧୭୨ କୋଟି ଟଙ୍କାର କଣ୍ଟ୍ରାକ୍ଟ ଦିଆ ଯାଇଥିଲା ଜନତା ମୈଦାନକୁ ସଜାଇବାକୁ, ନାଚ ଗୀତ, ଓଡିଶା, ଭାରତର ଗୌରବମୟ ଅତୀତ, ରାମାୟଣ, କଳିଙ୍ଗ ଯୁଦ୍ଧର ବିଭୀଷିକା – ଚଣ୍ଡାଶୋକରୁ ଧର୍ମାଶୋକ ଚିତ୍ର ପ୍ରଦର୍ଶନ ଆଦି ବିଭିନ୍ନ କାର୍ଯ୍ୟକ୍ରମ, ଆଲୋକ ମାଳାର ଭିନ୍ନ ଭିନ୍ନ ଥିମ୍‌ରେ ଦର୍ଶକଙ୍କୁ ପରଷି ଦେବାକୁ । ଏହା ବ୍ୟତୀତ କାର୍ଯ୍ୟକ୍ରମ ପାଇଁ ବିପୁଳ ଅର୍ଥ ବରାଦ କରାଯାଇଥିଲା । ଯେଉଁମାନେ ଦେଖିଛନ୍ତି କହୁଛନ୍ତି ସତେ ଯେମିତି କେଉଁ ଏକ ସମୃଦ୍ଧ ସହରର ଭ୍ରମ ସ୍ରୁଷ୍ଟି କରୁଥିଲା ଜନତା ମଇଦାନ । ଅତ୍ୟନ୍ତ ଆକର୍ଷଣୀୟ ଓ ଅତ୍ୟନ୍ତ ମନମୁଗ୍ଧକର ଥିଲା ପ୍ରତ୍ୟେକ କାର୍ଯ୍ୟକ୍ରମ । ନବବଧୂକୁ ଦେଖିବାକୁ, ତାର ଆତିଥ୍ୟ ଗ୍ରହଣ କରିବାକୁ ବିଶାଳ ବରାତ୍ ନେଇ ଆସିଥିଲେ ପ୍ରାୟ ୧୬୦ ଦେଶରୁ ସାତ ହଜାରରୁ ଅଧିକ ପ୍ରବାସୀ ଭାରତୀୟ । କିଛି ବିଦେଶୀ ଅତିଥି ବି ।
ଅତିଥିଙ୍କୁ ସ୍ୱାଗତ କରିବାକୁ ସହରର ବିଭିନ୍ନ ପାର୍କରେ, ପ୍ରଦର୍ଶନୀ ପଡିଆରେ, ସଂଗ୍ରହାଳୟ, ରବିନ୍ଦ୍ର ମଣ୍ଡପ, ଜୟଦେବ ଭବନରେ ଏମିତି ୧୪ଟି ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିଲା । ପାରମ୍ପରିକ ନୃତ୍ୟ, ଓଡିଶୀ, ଲୋକ ନୃତ୍ୟ ଲାଗି ରହିଥିଲା । ରାସ୍ତାରେ ପଥ ମହୋତ୍ସବ, ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ କଳାକାର ମାନଙ୍କର ନାନା ଧରଣର କାର୍ଯ୍ୟକ୍ରମ ସହରବାସୀଙ୍କ ପାଇଁ ପରିବେଷଣ କରାଯାଇଥିଲା ।
ସହରର କାନ୍ଥ, ବାଡ଼ରେ ଭଳି ଭଳି ଫଟୋ, ଚିତ୍ର କଳା ଦେଖି ଓଡ଼ିଶାର ଐତିହ୍ୟ, କଳା, ଭାସ୍କର୍ଯ୍ୟ, ଗୌରବମୟ ଇତିହାସ ବିଷୟରେ ଅବଗତ ହେଲା ବିଶ୍ୱ – ଏ କଥା ଗଳା ଫଟାଇ କହିଛନ୍ତି । ସରକାର ଓ ତାଙ୍କର ବଶମ୍ବଦ ଟିଭି ଓ ଖବରକାଗଜ ଓ ସେମାନଙ୍କ ଦ୍ୱାରା ନିୟନ୍ତ୍ରିତ ସାମାଜିକ ଗଣମାଧ୍ୟମ । ନବୀନ ସରକାର ଦୁଇଟି ହକି ବିଶ୍ୱ କପ୍ ସମୟରେ ଭୁବନେଶ୍ୱର, ରାଉରକେଲା, କଟକ ସହରର ସୌନ୍ଦର୍ଯ୍ୟକରଣ କରିଥିଲେ, ଆଉ କିଛି ଯାହା ବାକି ରହିଯାଇଥିଲା ସେ ସବୁ ସମ୍ପୂର୍ଣ୍ଣ କରିବା ସହିତ ହେଇଥିବା କାମ ଉପରେ ବି ରଙ୍ଗ ଉପରେ ରଙ୍ଗ ମାଖି ମୋହନ ସରକାର ବାହାବା ନେବା ପାଇଁ କୌଣସି ସୁଯୋଗ ହାତ ଛଡା କରି ନାହାନ୍ତି ।
ଭୁବନେଶ୍ୱର ନବବଧୁ ପରି ତ ସଜେଇ ହୋଇଛି ନିଶ୍ଚୟ । କିନ୍ତୁ କାହିଁକ ତାର ଏ ରୂପ ସଜ୍ଜା, କାହିଁକି ଏପରି ବିଶାଳ ବର୍ଣ୍ଣାଢ୍ୟ ଆୟୋଜନ? କାହିଁକି ଏ ରାଜକୀୟ ଆଡମ୍ବର? କାହିଁକି ଗରିବ ମଣିଷର ଟିକସରେ ଏତେ ବେହିସାବ ଖର୍ଚ୍ଚ? ଯେଉଁ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଟଙ୍କା ପାଣି ଭଳି ବୁହାଇ ଦିଆ ଯାଇଛି ସେହି ସହରର ସାଧାରଣ ମଣିଷ କ୍ଷୁଧାର୍ତ୍ତ ଶୁଦ୍ଧ ପିଇବା ପାଣି ପାଇଁ ତୃଷାର୍ତ୍ତ କି ନୁହେଁ; ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଯୋଗୁ ତାର ଜୀବନ ବିପର୍ଯ୍ୟସ୍ତ କି ନୁହେଁ, ସେକଥା କେହି ବୁଝିବାକୁ ଚାହିଁ ନାହାନ୍ତି । ସାମାନ୍ୟ ବର୍ଷାରେ ରାସ୍ତା ଘାଟ, ଗାଡି ମଟର ବୁଡି ଯାଉଛି କି ନାହିଁ, ଘରେ ପାଣି ପଶି ଯାଏ କି ନାହିଁ, ଏ ଖବର କୋଳାହଳ ଭିତରେ ଅଦୃଶ୍ୟ ହୋଇଯାଇଛି । ସହରତଳି ଜୀବନ ସେମିତି ଦୁର୍ବିସହ ହୋଇ ରହିଯାଇଛି । ଅସମ୍ଭାଳ ଶୀତରେ ଖୋଲା ଆକାଶ ତଳେ, ଫୁଟ୍ ପାଥ୍‌, ଷ୍ଟେସନ ବସ୍ ଷ୍ଟାଣ୍ଡରେ କେତେ ଅସହାୟ ମଣିଷ ଟିକିଏ ନିଦରେ ଆଖି ମୁଦିବାକୁ ଅସଫଳ ଚେଷ୍ଟା କରୁଛି; ତାର ଖୋଜ୍ ତ କେହି ନେଲେ ନାହିଁ । ସେସବୁକୁ ଲୁଚାଇ ଦିଆଗଲା ନମସ୍ତେ ଟ୍ରମ୍ପ ସମୟରେ ଯେମିତି କରାଯାଇ ଥିଲା । ଫୁଟପାଥ୍ ରାସ୍ତା କଡରେ ଯେଉଁ ଗରିବ ଲୋକ ଫଳ, ପନିପରିବା ବିକ୍ରି କରି ୩୦୦/୪୦୦ ଟଙ୍କା ଦିନକୁ ରୋଜଗାର କରି ପାରୁ ନ ଥିଲେ ଏମିତି ୫୫ ହଜାର ଲୋକଙ୍କୁ ହଟାଇ ଦିଆ ଯାଇଥିଲା । କାରଣ ସେମାନେ ନବବଧୁଟିର ସୌନ୍ଦର୍ଯ୍ୟରେ ହାନୀ ଘଟାଉ ଥିଲେ ।
ଦିନେ ଇତିହାସ ତ ଜବାବ ମାଗିବ ତୁମେ ଯେଉଁ ରଙ୍ଗୀନ ଝଲମଲ ଆଲୋକ ମାଳାରେ ପ୍ରବାସୀ ମାନଙ୍କୁ ସମ୍ମୋହିତ କରି ଲୋକଙ୍କୁ ବିକଶିତ ଭାରତର ସ୍ୱପ୍ନ ଦେଖାଉଛ ସେହି ଭାରତରେ ସାଧାରଣ ମଣିଷର ଜୀବନର ମୂଲ୍ୟ କେତେ? କେତେ ତାର ରୋଜଗାର, କେତେ ତାର ସଂଚୟ? କେତେ ଖାଇ ବଂଚିଛି, ଅପପୁଷ୍ଠି ଯୋଗୁ ଶାରିରୀକ ଭାବରେ ଖର୍ବକାୟ ତାର ସନ୍ତାନ?
ବିଦେଶରେ ପ୍ରାୟ ୩ କୋଟି ଭାରତୀୟ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୧.୬ କୋଟି ଭାରତୀୟ ନାଗରିକ ଯେଉଁମାନେ ସେଠାରେ ଚାକିରୀ କରୁଛନ୍ତି, ବ୍ୟବସାୟ କରୁଛନ୍ତି, ପାଠ ପଢୁଛନ୍ତି । ସେମାନଙ୍କୁ ଭାରତ ସରକାର ଓ ଓଡିଶା ସରକାର ସରକାରୀ ଖର୍ଚ୍ଚରେ ଡାକି ଆଣି ରାଜକୀୟ ଖାଇବା ପିଇବା ଦେବା ସହ ସେମାନଙ୍କୁ କହିବେ “ଦେଖ ଏଇ ତୁମର ଘର, ଏଇ ତୁମ ଦେଶର ପର୍ବତ ଝରଣା” । ଏହାର ଉଦ୍ଦେଶ୍ୟ କ’ଣ?
ଅତିଥି ମାନଙ୍କ ସହ ୧୭ଟି ଅଧିବେଶନରେ ମୁଖ୍ୟତଃ ବିକଶିତ ଭାରତ ୨୦୪୭ ଗଠନରେ ସେମାନଙ୍କର ଯୋଗଦାନ ବିଷୟରେ ସରକାର ଆଲୋଚନା କରିଛନ୍ତି । ଅର୍ଥାତ୍ ଦେଶରେ ପୁଞ୍ଜି ନିବେଶ କର, ଭାରତରେ ବ୍ୟାଙ୍କ୍‌ରେ ଜମା ରଖ । ଷ୍ଟାର୍ଟ ଅପ୍ ବ୍ୟବସାୟ ଖୋଲ । ସରକାର ଉଦାର ହାତରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ।
ଆମେ ଜାଣୁ ଯେ ମହାତ୍ମା ଗାନ୍ଧୀ ୧୮୯୩ରେ ଦକ୍ଷିଣ ଆଫ୍ରିକା ଯାଇଥିଲେ ସେଠାରେ ଜଣେ ଧନୀ ବ୍ୟବସାୟୀଙ୍କ ପାଇଁ ଓକିଲାତି କରିବାକୁ, ଦେଶ ସେବା ପାଇଁ ନୁହେଁ । କିନ୍ତୁ ସେଠାରେ ଦୀର୍ଘ ୨୧ ବର୍ଷ ରହିବା ଭିତରେ ଘଟଣା ଚକ୍ରରେ ବହୁ ବାର ବର୍ଣ୍ଣ ବୈଷମ୍ୟର ଶିକାର ହେବାରୁ ଲଜ୍ଜା ଅପମାନରେ ଜର୍ଜରିତ ହୋଇ ଶେଷରେ ନିଷ୍ପତ୍ତି ନେଲେ ଦେଶକୁ ଫେରି ଆସି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେବାକୁ । ଗାନ୍ଧୀଙ୍କର ଏହି ପ୍ରତ୍ୟାବର୍ତ୍ତନ ସହ ପ୍ରବାସୀ ଦିବସର କି ସାମଞ୍ଜସ୍ୟ ଅଛି ବୁଝା ପଡୁନାହିଁ । ଦେଶର ପରାଧୀନତାର ଜ୍ୱାଳା ଅନୁଭବ କରିଥିଲେ ଗାନ୍ଧିଜୀ । ତେବେ ତାଙ୍କର ପ୍ରତ୍ୟାବର୍ତ୍ତନ ସହ ପ୍ରବାସୀ ଦିବସକୁ ତୁଳନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଇତିହାସକୁ ବିକୃତ କରିବା ସହ ସମାନ । ଗାନ୍ଧିଜୀଙ୍କ ନାମକୁ ବ୍ୟବହାର କରି ତାଙ୍କୁ ଅପମାନିତ କରିବା ବ୍ୟତୀତ ଏହାର ପ୍ରକୃତ ଉଦ୍ଦେଶ୍ୟ ଆଉ କ’ଣ ହୋଇପାରେ?
ଯେଉଁ ମାନଙ୍କୁ ପ୍ରବାସୀ ଭାରତୀୟ ଭାବରେ ଆମନ୍ତ୍ରଣ କରାଯଅଇଛି ସେମାନେ ତ ପୃଥିବୀର ବିଭିନ୍ନ ଦେଶରେ ଖୁସିରେ ଅଛନ୍ତି, ମୋଟା ଦରମା ପାଉଛନ୍ତି, ଆଉଥରେ ଭାରତକୁ ଫେରିବା ପାଇଁ ଅଧିକାଂଶଙ୍କର ଯୋଜନା ନାହିଁ । ବରଂ ଭାରତରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର, ରାଜନୀତିର ଅପରାଧିକରଣ, ଖାଦ୍ୟ ଔଷଧରେ ଭେଜାଲ, ସର୍ବୋପରି ବେକାରୀ ସମସ୍ୟାରେ ଅତିଷ୍ଠ ହୋଇ ବହୁ ଉଚ୍ଚ ମଧ୍ୟବିତ୍ତ, ମଧ୍ୟବିତ୍ତ ଏପରିକି ଗରିବ ଲୋକ ମଧ୍ୟ ଦେଶ ଛାଡି ଚାଲି ଯାଇଛନ୍ତି । କେବଳ ସେତିକି ନୁହେଁ ବିଦେଶ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଏ ଯେ କେବଳ ୨୦୨୨ ରେ ୨୨୫୬୨୦ ଜଣ ଭାରତର ନାଗରିକତ୍ୱ ତ୍ୟାଗ କରି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି । ଏହା ଗତ ୫ ବର୍ଷ ମଧ୍ୟରେ ଦ୍ରୁତ ବଢି ବଢି ଚାଲିଛି ।
କିଛି ଧନୀ ଲୋକ ତ ବିଦେଶୀ ନାଗରିକତ୍ୱ ଗ୍ରହଣକରି ସେଠାରେ ପ୍ରତିଷ୍ଠିତ ହୋଇଛନ୍ତି । ଅନ୍ୟଦିଗରେ ଯେଉଁ ମାନେ ଯାଇ ପାରି ନାହାନ୍ତି ସେମାନେ ଯିବାକୁ ଛଟପଟ ହେଉଛନ୍ତି । ଏବେକାର ପିଲା ଭାରତର ଅବ୍ୟବସ୍ଥା ଭିତରୁ ଖସିଯିବାକୁ ଅନେଇ ବସିଛନ୍ତି । ସେମାନେ କାହିଁକି ଦେଶରେ ରହିବାକୁ ଚାହୁଁ ନାହାନ୍ତି, କାହିଁକି ଦେଶର ପ୍ରଗତିରେ ସେମାନେ ନିଜର ସେବା ଦେବାକୁ ଚାହୁଁନାହାନ୍ତି ସରକାର ସେ ଦିଗରେ କିଛି ଚିନ୍ତା କରିଛନ୍ତି କି? ଏ ବାବଦରେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାର ବିବରଣୀ ଦେଇପାରିବେ କି? ପୁଣି ପେଟର ଜ୍ୱାଳାରେ ଋଷିଆ ସେନାବାହିନୀ ପାଇଁ ଲଢି ମୃତ୍ୟୁବରଣ କରୁଥିବା ଯୁଦ୍ଧ ଗ୍ରସ୍ତ ଇସ୍ରାଏଲରେ ଜୀବନକୁ ବିପନ୍ନ କରି କାମ କରୁଥିବା ପ୍ରବାସୀମାନଙ୍କ କ’ଣ ସରକାର ଏହି ମହୋତ୍ସବକୁ ଆମନ୍ତ୍ରଣ କରିଛନ୍ତି?
ଆମ ଦେଶର ସାଧାରଣ ଲୋକଙ୍କର ଦୁରାବସ୍ଥା ଓ ଦେଶର ବିଭିନ୍ନ ଅବ୍ୟବସ୍ଥା ଦୂର କରିବା କ୍ଷେତ୍ରରେ ଏହି ପ୍ରବାସୀ ମାନଙ୍କର କି ଅବଦାନ ରହିଛି? ତା ସତ୍ତ୍ୱେ ସେମାନଙ୍କୁ ଏତେ ଆଡମ୍ବର ପୂର୍ଣ୍ଣ ଅବ୍ୟର୍ଥନା କାହିଁକି? ଏହା ଯେଭଳି ସେମାନଙ୍କ ଦୁଆରେ ଭିକ୍ଷାଥାଳ ଧରି ଠିଆ ହେବ । ତୁମେମାନେ ବିଦେଶରେ ରୋଜଗାର କରୁଛ ସଂଚୟ, ବିନିଯୋଗ ବିଦେଶରେ, ବିଦେଶୀ କମ୍ପାନୀରେ ନକରି ଦେଶରେ ଜମା କର, ପୁଞ୍ଜି ନିବେଶ କର ଦେଶର ପ୍ରଗତିରେ ଯୋଗଦାନ କର । ତାହାହିଁ ସଦ୍ୟ ସମାପିତ ପ୍ରବାସୀ ଭାରତୀୟ ଦିବସ ପ୍ରମାଣିତ କରୁଛି ।
ଏଠାରେ ଆମେ ଉଲ୍ଲେଖ କରିବାକୁ ଚାହୁଁଯେ ଏହି ଧରଣର ସମାବେଶ ଆମ ରାଜ୍ୟରେ ବା ଦେଶର ବିଭିନ୍ନ ରାଜ୍ୟରେ ଅତୀତରେ ମଧ୍ୟ ବିଭିନ୍ନ ଦଳର ସରକାରମାନଙ୍କ ଦ୍ୱାରା କରାଯାଇଛି । ଭବିଷ୍ୟତରେ ମଧ୍ୟ ହେବ । ଅଳ୍ପ କେତେଦିନ ପରେ ଓଡିଶାର ଏହି ଧରଣର ଆଉକ ଏକ ସମାବେଶ ହେବାକୁ ଯାଉଛି । ଏହାର ନାମ ମେକ୍ ଇନ୍ ଓଡିଶା । ଏସବୁ ହେଉଛି ଦେଶକୁ ବିଦେଶୀ ପୁଞ୍ଜି ଆକର୍ଷଣ କରିବାର ଘୋଷିତ ଲକ୍ଷ୍ୟରେ କରାଯାଉଥିବା ଶିଳ୍ପ ବା ପୁଞ୍ଜି ନିବେଶ କନ୍‌କ୍ଲେଭ୍‌ର ଅନ୍ୟ ଏକ ରୂପ । ଏଥିରେ ବ୍ୟବସାୟ ବିଦେଶୀ ପୁଞ୍ଜି ଆକର୍ଷଣ ଉପରେ ସଂସ୍କୃତିର ପ୍ରଲେପ ଦିଆଯାଇଛି ଏବଂ ଜାତୀୟତାବାଦ ଓ ଦେଶପ୍ରେମର ପୁଟ ମଧ୍ୟ ରହିଛି । ସେଥିପାଇଁ ଶୁଷ୍କ ବ୍ୟବସାୟିକ କନ୍‌କ୍ଲେଭ ପରିବର୍ତ୍ତେ ପ୍ରବାସୀ ଭାରତୀୟ ଦିବସର ପରିକଳ୍ପନା ।
ତେବେ ସେ ଯେଉଁ ରୂପରେ ହେଉ ଏସବୁର ମୂଳ ଉଦ୍ଦେଶ୍ୟ ହେଉଛି ଦେଶକୁ ଓ ବିଶେଷ ବିଶେଷ ରାଜ୍ୟକୁ ବିଦେଶୀ ପୁଞ୍ଜି ଆକର୍ଷଣ କରିବା । ସରକାରଙ୍କର ଯୁକ୍ତି ହେଉଛି ବିଦେଶୀ ପୁଞ୍ଜି ଆସିଲେ ଦେଶ ତଥା ରାଜ୍ୟରେ କଳ କାରଖାନା ଗଢି ଉଠିବ । କଳ କାରଖାନାରେ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟର ବେକାର ଯୁବକ ଏସବୁ କଳ କାରଖାନାରେ ନିଯୁକ୍ତି ପାଇବେ । ବେକାରୀ ସମସ୍ୟା ଦୂର ହେବ । ଲୋକଙ୍କ ହାତକୁ ଟଙ୍କା ଆସିବ । ଲୋକ ବଜାରରୁ ଅଧିକରୁ ଅଧିକ ଭୋଗ୍ୟ ପଣ୍ୟ ଖରିଦ୍ କରିବେ । ଫଳରେ ବଜାରରେ ଚାହିଦା ସୃଷ୍ଟି ହେବ । ଏହି ବର୍ଦ୍ଧିତ ଚାହିଦା ମେଣ୍ଟାଇବା ପାଇଁ କଳ କାରଖାନା ପୁରା କ୍ଷମତାରେ ଉତ୍ପାଦନ କରିବେ । ଏହାଫଳରେ ଶ୍ରମିକ ଛଟେଇ, ଲେ ଅଫ୍ କାରଖାନାରେ ତାଲାବନ୍ଦ ହେବ ନାହିଁ । ରାଜ୍ୟ ତଥା ଦେଶର ଅର୍ଥନୀତି ଚାଙ୍ଗା ହେବ । ଏହି ଯୁକ୍ତିରେ ୨୦୦୦ ମସିହାରୁ ପ୍ରଥମ ୯ବର୍ଷ ରାଜ୍ୟ ବିଜେଡି-ବିଜେପି ମେଣ୍ଟ ସରକାର ଓ ତା’ପରେ ଏକକ ଭାବରେ ବିଜେଡି ସରକାର ରାଜ୍ୟରେ ପୁଞ୍ଜି ବିନିଯୋଗ ଆଳରେ ରାଜ୍ୟର ଖଣି, ପାଣି, ଜଙ୍ଗଲ, ଜଳ, ଜମି ସବୁକିଛିକୁ ଏକଚାଟିଆ ପୁଞ୍ଜିପତି ମାନଙ୍କ ହାତକୁ ଶାଗ ମାଛ ମୂଲରେ ଟେକି ଦେଉଥିଲା । ଏହାର ବିରୋଧୀ ମାନଙ୍କୁ ଦେଶଦ୍ରୋହୀ, ବିକାଶ ବିରୋଧୀ, ଅର୍ବାନ ନକ୍ସାଲ ପ୍ରଭୃତି କୁହାଯାଉଥିଲା । ମାତ୍ର ଏହାର ପରିଣାମ କ’ଣ ହୋଇଛି?
ଚାକିରି ସୃଷ୍ଟି ହୋଇନାହିଁ କିମ୍ବା ସରକାର ଲୋକଙ୍କୁ ବିଭ୍ରାନ୍ତ କରିବାପାଇଁ ଦେଖାଇଥିବା “ମୁଙ୍ଗେରି ଲାଲଙ୍କ ସୁନ୍ଦର ସ୍ୱପ୍ନ” ସାକାର ହୋଇନାହିଁ । ସ୍ୱପ୍ନ ସାକାର ହୋଇନାହିଁ କାରଣ ଐତିହାସିକ ଭାବରେ ଏହା ସାକାର ହେବା ସମ୍ଭବ ନୁହେଁ । ଦେଶରେ ପ୍ରତିଷ୍ଠିତ ପୁଞ୍ଜିବାଦୀ ବ୍ୟବସ୍ଥାର ମରଣମୁଖୀ ଯୁଗରେ ଶିଳ୍ପ ବିକାଶ ଏବଂ ନିଯୁକ୍ତି ସମ୍ଭାବନା ସୃଷ୍ଟି ଏବଂ ବଜାରରେ ଚାହିଦା ସୃଷ୍ଟି କେବଳ ଏକ ମରିଚିକା ମାତ୍ର । ଏହି ସଂଙ୍କଟ ଆଜି ପୁଞ୍ଜିବାଦୀ ବ୍ୟବସ୍ଥାକୁ ହିଁ ଗ୍ରାସ କରିବାକୁ ବସିଛି । ଏହି ସଂକଟ ଅର୍ଥାତ୍ ବଜାର ସଂକଟରୁ ଉଦ୍ଧାର ପାଇବା ଆଜିର ମରଣମୁଖୀ ଚୂଡାନ୍ତ ଭାବରେ ପ୍ରତିକ୍ରିୟାଶୀଳ ପୁଞ୍ଜିବାଦୀ ବ୍ୟବସ୍ଥା ପକ୍ଷରେ ସମ୍ଭବ ନୁହେଁ । ମାତ୍ର ଏହି ସଂକଟକୁ ଲୋକଲୋଚନରୁ ଦୂରେ ରଖିବାପାଇଁ ଶାସକ ଏକଚାଟିଆ ପୁଞ୍ଜିପତି ଶ୍ରେଣୀର ସେବାଦାସ ସରକାରମାନେ ନାନା ଧରଣ ଭୋଜବାଜୀ ପ୍ରଦର୍ଶନ କରୁଛନ୍ତି । ପ୍ରବାସୀ ଭାରତୀୟ ଉତ୍ସବ ଏହାର ଅଂଶ ବିଶେଷ । ଏଥିରେ ବିଭ୍ରାନ୍ତ ନହେବାପାଇଁ ରାଜ୍ୟବାସୀଙ୍କୁ ଆମର ଅନୁରୋଧ ।

Leave a Reply

Your email address will not be published. Required fields are marked *