ଘରୋଇ ବିଦ୍ୟୁତ ବଣ୍ଟନ କମ୍ପାନୀ ସ୍ୱାର୍ଥରେ ପ୍ରିପେଡ ସ୍ମାର୍ଟ ବିଦ୍ୟୁତ ମିଟର ପ୍ରଚଳନ ଓ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବିରୁଦ୍ଧରେ ଶକ୍ତିଶାଳୀ ଆନ୍ଦୋଳନ ଗଢିତୋଳନ୍ତୁ
Sarbaharakranti Dated 20.01.2025 –
ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ଅଧିକ ପ୍ରୟୋଜନୀୟ ସେବା କ୍ଷେତ୍ର ବିଦ୍ୟୁତ୍କୁ ଲାଭଖୋର ଘରୋଇ କମ୍ପାନୀମାନଙ୍କ ହାତକୁ ଟେକି ଦିଆଯାଉଛି । ତାର ପରିଣତି ହେଉଛି ନିଷ୍ଠୁର ଓ ଅନ୍ୟାୟ ଭାବେ ଦେଶ ସାରା ସୀମାହୀନ ବିଦ୍ୟୁତ ଶୁଳ୍କ ବୃଦ୍ଧି । ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ବିଦ୍ୟୁତ୍କୁ ପ୍ରୟୋଜନୀୟ ସେବାକ୍ଷେତ୍ର ପରିବର୍ତ୍ତେ ଅତ୍ୟଧିକ ଲାଭକାରୀ କ୍ଷେତ୍ରରେ ପରିଣତ କରିବାର ଜଘନ୍ୟ ପରିକଳ୍ପନା କରାଯାଉଛି । ବିଗତ ଶତାବ୍ଦୀର ନବେଦଶକରେ ତତ୍କାଳୀନ କଂଗ୍ରେସ ସରକାର ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ଉଦାରୀକରଣ ଓ ଜଗତିକରଣ ନୀତି ପ୍ରଚଳନ କରିବା ପରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସରକାରୀ କ୍ଷେତ୍ରକୁ ଘରୋଇକରଣ କରିବା ଆରମ୍ଭ ହେଲା । ଶିକ୍ଷା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଘରୋଇକରଣ ପ୍ରକ୍ରିୟା ଚାଲିଲା । ତାର ଧାରାବାହିକତାରେ କେନ୍ଦ୍ରରେ କ୍ଷମତାସୀନ ଅଟଳ ବିହାରୀ ବାଜପେୟୀ ନେତୃତ୍ୱାଧୀନ ବିଜେପି ପରିଚାଳିତ ଏନ୍ଡିଏ ସରକାର ବିଦ୍ୟୁତ(ବଣ୍ଟନ) ଆଇନ୧୯୪୮କୁ ଉଚ୍ଛେଦ କରି ବିଦ୍ୟୁତ୍ ଆଇନ ୨୦୦୩ ପ୍ରଣୟନ କଲେ । ସେତେବେଳେ ଏହି ଏନ୍ଡିଏ ସରକାରରେ ବିଜେଡି ମଧ୍ୟ ଅଂଶୀଦାର ଥିଲା ଏବଂ ଓଡିଶା ରାଜ୍ୟରେ ବିଜେଡି-ବିଜେପି ମିଳିତ ସରକାର ଶାସନ କ୍ଷମତାରେ ଥିଲେ । ଏହି ବିଦ୍ୟୁତ ଆଇନ ୨୦୦୩ ପ୍ରଣୟନ କରି ରାଜ୍ୟଗୁଡିକରେ ସରକାରଙ୍କ ପରିଚାଳନାରେ ଚାଲୁଥିବା ରାଜ୍ୟ ବିଦ୍ୟୁତ ବୋର୍ଡଗୁଡିକୁ ଭାଙ୍ଗି ଦିଆଗଲା ଏବଂ ବିଦ୍ୟୁତ କ୍ଷେତ୍ରରେ ଘରୋଇ କମ୍ପାନୀମାନଙ୍କୁ ପ୍ରବେଶ ପାଇଁ ଆନଗତ ସ୍ୱୀକୃତି ପ୍ରଦାନ କରାଗଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୭ ମସିହାରେ ଓଡିଶାରେ କ୍ଷମତାସୀନ କଂଗ୍ରେସ ସରକାର ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡକୁ ଭାଙ୍ଗି ବିଦ୍ୟୁତ ଉତ୍ପାଦନ, ଟ୍ରାନସମିସନ ଓ ବଣ୍ଟନ ପାଇଁ ଅଲଗା ଅଲଗା ନିଗମମାନ ଗଠନ କଲେ । ବିଦ୍ୟୁତ ଉତ୍ପାଦନ ପାଇଁ ଓଡିଶା ପାୱାର ଜେନେରସ କର୍ପୋରେସନ, ଟ୍ରାନସମିଶନ କର୍ପୋରେସନ ଲିଃ ଏବଂ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ନିମନ୍ତେ ସେସ୍କୋ, ନେସ୍କୋ, ସାଉଥ୍କୋ ଓ ୱେସ୍କୋ ପ୍ରତିଷ୍ଠା କରାଗଲା । ବିଦ୍ୟୁତ ବଣ୍ଟନ ପାଇଁ ଓଡିଶା ରାଜ୍ୟ ସରକାର ବିଭିନ୍ନ ସମୟରେ ବିଏସ୍ଇଏସ୍, ଓ ଏନ୍ଜେନ ଭଳି ଘରୋଇ ବିଦ୍ୟୁତ ବଣ୍ଟନ କମ୍ପାନୀମାନଙ୍କୁ ଦାୟିତ୍ୱ ଦେଇ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଜୁଲୁମ ଶୋଷଣର ଶୀକାର କରାଇଥିବାବେଳେ ଉପଭୋକ୍ତାମାନଙ୍କଠାରୁ ଆଦାୟ କରାଯାଇଥିବା ହଜାର ହଜାର କୋଟି ଟଙ୍କା ଲୁଟ କରି ଘରୋଇ କମ୍ପାନୀମାନେ ପଳାଇଛନ୍ତି । ୨୦୨୦ ମସିହାରେ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ଘରୋଇ ବିଦ୍ୟୁତ କମ୍ପାନୀ ଟାଟା ପାୱାରର ୫୧ଶତାଂଶ ଓ ଓଡିଶା ରାଜ୍ୟ ସରକାରଙ୍କ ୪୯ ଶତାଂଶ ଅଂଶଧନକୁ ନେଇ ଟାଟା ପାୱାର ପରିଚାଳନାରେ ପ୍ରଥମେ ଟାଟା ପାୱାର ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ(TPCODL) ଗଠନ ହେଲା ଏବଂ ପରେ ଟାଟା ପାୱାର ନଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ(TPNODL), ଟାଟା ପାୱାର ସାଉଦର୍ଣ୍ଣ ଓଡିଶା ଡ୍ରିଷ୍ଟ୍ରିବ୍ୟୁସନ ଲିମିଟେଡ(TPSODL) ଓ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ(TPWODL) ପ୍ରତିଷ୍ଠା କରାଗଲା । ବର୍ତ୍ତମାନ ଟାଟା ପାୱାରର ପରିଚାଳନାରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଉନ୍ନତ ବିଦ୍ୟୁତ ସେବା ଯୋଗାଇ ଦେବାର କୌଣସି ବ୍ୟବସ୍ଥା ହୋଇନାହିଁ, ବରଂ ବିଦ୍ୟୁତ ଉପଭୋକ୍ତାମାନଙ୍କଠାରୁ ଜୋର ଜୁଲୁମ କରି ଅତ୍ୟଧିକ ବିଦ୍ୟୁତ ଶୁଳ୍କ ଆଦାୟ କରିବାର ଯୋଜନା ଚାଲିଛି । ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ କମିଶନ(OERC) ଘରୋଇ ବିଦ୍ୟୁତ ବଣ୍ଟନ କମ୍ପାନୀ ଟାଟା ପାୱାରର ସ୍ୱାର୍ଥରେ ବିଭିନ୍ନ ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ(Additional Security Deposite)କୁ ବିଦ୍ୟୁତ ଉପଭୋକ୍ତାମାନଙ୍କ ଉପରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ବିଦ୍ୟୁତ ଉପଭୋକ୍ତାମାନଙ୍କ ଘରେ ବସା ଯାଇଥିବା ଡିଜିଟାଲ ସ୍ମାର୍ଟ ମିଟର ମାଧ୍ୟମରେ ଯେଉଁ ବିଦ୍ୟୁତ ବିଲ ଆସୁଛି ସେଥିରେ ଅସଂଗତ, ଅଯୌକ୍ତିକ ଅତ୍ୟଧିକ ବିଜୁଳି ବିଲ ଆସୁଛି ଏବଂ ଏହାଫଳରେ ବିଦ୍ୟୁତ ଉପଭୋକ୍ତାମାନେ ଚରମ ଶୋଷଣର ଶୀକାର ହେଉଛନ୍ତି ।
ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଘରୋଇ ବିଦ୍ୟୁତ ବଣ୍ଟନ କମ୍ପାନୀମାନେ ଯେତିକି ପରିମାଣର ଶୋଷଣ କରି ଅତ୍ୟଧିକ ଲାଭ କରୁଛନ୍ତି ସେତିକିରେ ସେମାନେ ସନ୍ତୁଷ୍ଟ ନୁହନ୍ତି । ତେଣୁ ଘରୋଇ ବିଦ୍ୟୁତ ବଣ୍ଟନ କମ୍ପାନୀ ଆଦାନୀ, ଟାଟା, ଆମ୍ବାନୀ, ଗୋଏଙ୍କା ଆଦିଙ୍କ ଚାପରେ କେନ୍ଦ୍୍ରର ବିଜେପି ସରକାର ଇଲେକ୍ଟ୍ରିସିଟି ରାଇଟ୍ସ ଅଫ କଂଜ୍ୟୁମରର୍ସ ରୁଲ ୨୦୨୦ ପ୍ରଣୟନ କରିଛନ୍ତି । ଏହି ରୁଲ ଅନୁଯାୟୀ ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ପ୍ରିପେଡ ସ୍ମାର୍ଟ ବିଦ୍ୟୁତ ମିଟର ଲଗାଯିବ । ବିଜେପି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେ, ୨୦୨୫ ମସିହା ଏପ୍ରିଲ ସୁଦ୍ଧା ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ବା ସଂସ୍ଥାରେ ପ୍ରିପେଡ ସ୍ମାଟ ବିଦ୍ୟୁତ ମିଟର ଲଗାଯିବ । ବିଦ୍ୟୁତ ଗ୍ରୀଡର ଆଧୁନିକୀକରଣ ନାଁରେ ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା ଓ ସିଷ୍ଟମ ଅପଗ୍ରେଡ୍ ପାଇଁ ବହୁ କୋଟି ଟଙ୍କାର କଣ୍ଟ୍ରାକ୍ଟ ଘରୋଇ କମ୍ପାନୀମାନଙ୍କୁ ପ୍ରଦାନ କରାଯାଉଛି । ଭଲଭାବରେ କାମ କରୁଥିବା ପୁରୁଣା ବିଦ୍ୟୁତ ମିଟରକୁ ବଳପୂର୍ବକ ବିଚ୍ଛିନ୍ନ କରି ପ୍ରିପେଡ ସ୍ମାର୍ଟ ବିଦ୍ୟୁତ ମିଟର ଲଗାଇବା ପାଇଁ ପୂର୍ବର ବିଜେଡି ସରକାର ଓ ବର୍ତ୍ତମାନର ବିଜେପି ସରକାରଙ୍କ ସମେତ ଅନେକ ରାଜ୍ୟ ସରକାର କଡା ପଦକ୍ଷେପ ଲାଗୁ କରିଛନ୍ତି । ବିଦ୍ୟୁତ କ୍ଷେତ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନସ୍ଥ ବିଷୟ । ତେଣୁ କେନ୍ଦ୍ର ସରକାର ଏ କ୍ଷେତ୍ରରେ ଯାହା ନିଷ୍ପତ୍ତି ନେଲେ ମଧ୍ୟ ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା କୌଣସି ରାଜ୍ୟ ସରକାରଙ୍କର ପାଇଁ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଯେ ରାଜ୍ୟ ସରକାରମାନେ ପ୍ରିପେଡ ସ୍ମାର୍ଟ ବିଦ୍ୟୁତ ମିଟର ଲଗାଇବା ନିମନ୍ତେ ଉଦ୍ୟମ ଗ୍ରହଣ କରିଛନ୍ତି । ପ୍ରିପେଡ ସ୍ମାଟ୍ ବିଦ୍ୟୁତ ମିଟରରେ ରିଚାର୍ଜ କରାଯାଇଥିବା ଟଙ୍କାର ପରିମାଣ ଶେଷ ହେବା ମାତ୍ରେ ତତ୍କ୍ଷଣାତ୍ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯିବ, ଯାହାକି ବିଦ୍ୟୁତ ଉପଭୋକ୍ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେବ । ଦଶନ୍ଧି ଦଶନ୍ଧି ଧରି ବିଦ୍ୟୁତ ଉପଭୋକ୍ତାମାନେ ପ୍ରଥମେ ବିଦ୍ୟୁତ ସେବା ପାଇବା ପରେ ବିଦ୍ୟୁତ ଶୁଳ୍କ ପ୍ରଦାନ କରି ଆସୁଥିଲେ । ପ୍ରିପେଡ ସ୍ମାଟ୍ ବିଦ୍ୟୁତ ମିଟର ପ୍ରଚଳନ ଫଳରେ ପ୍ରଥମେ ଟଙ୍କା ପ୍ରଦାନ ପରେ ବିଦ୍ୟୁତ ସେବା ପାଇବାର ନୂତନ ଧାରଣାକୁ ପ୍ରାଧାନ୍ୟ ଦିଆଯାଇଛି, ଯାହାକି ବିଦ୍ୟୁତ ସେବା ଭଳି ଅତ୍ୟାବଶ୍ୟକୀୟ ସେବା ପାଇବାର ଅଧିକାରରୁ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ବଂଚିତ କରିବ । ପ୍ରିପେଡ ସ୍ମାର୍ଟ ବିଦ୍ୟୁତ ମିଟର ହେଉଛି ସଠିକ୍ ବିଦ୍ୟୁତ ବିଲ ପାଇଁ ସଠିକ ସମାଧାନ ବୋଲି ପ୍ରଚାର କରାଗଲେ ମଧ୍ୟ ପ୍ରିପେଡ ସ୍ମାର୍ଟ ବିଦ୍ୟୁତ ମିଟର ଲାଗିବା ପରେ ଅତ୍ୟଧିକ ବିଦ୍ୟୁତ ବିଲ ଆସୁଥିବା ସଂପର୍କିତ ଗୁରୁତର ଅଭିଯୋଗ ଦେଶର ବିଭିନ୍ନ ଅଂଚଳର ବିଦ୍ୟୁତ ଉପଭୋକ୍ତାମାନେ ଆଣିଛନ୍ତି ।
ଭାରତର ପାୱାର ସେକ୍ଟରରେ ଘରୋଇ ବିଦ୍ୟୁତ କମ୍ପାନୀମାନଙ୍କ ପ୍ରଭାବ ବିସ୍ତାରକୁ ପ୍ରିପେଡ ସ୍ମାର୍ଟ ବିଦ୍ୟୁତ ମିଟର ଆହୁରି ତ୍ୱରାନ୍ୱିତ କରିବ । ଏହି ପ୍ରିପେଡ ସ୍ମାର୍ଟ ମିଟର ପ୍ରଚଳନ ବିଦ୍ୟୁତ କ୍ଷେତ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାରର ସାମଗ୍ରିକ ମାରାତ୍ମକ ଯୋଜାନର ଏକ ଅଙ୍ଗ । ଏକ ଦେଶ, ଏକ ଗ୍ରୀଡ, ଏକ ଫ୍ରିକ୍ୱେନ୍ସି, ଏକ ମୂଲ୍ୟ(One Nation, One Grid, One Frequency, One Price) ଉଦ୍ୟମ” ବଜାର ଭିତ୍ତିକ ଅର୍ଥନୈତିକ ପ୍ରେରିତ’(Market-Based-Economic-Dispatch(MBED)) ପରିକଳ୍ପନା ଯାହାକି ୨୦୨୧ ମସିହାରେ ପ୍ରଚଳନ ହୋଇଛି । ଏହି ପରିକଳ୍ପନା ବିଦ୍ୟୁତ ପରିଚାଳନା କ୍ଷେତ୍ରରେ ରାଜ୍ୟ ମାନଙ୍କର ସ୍ୱାତନ୍ତ୍ରତାକୁ ଖର୍ବ କରିବ ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ବିଦ୍ୟୁତ ବଣ୍ଟନ କମ୍ପାନୀମାନଙ୍କୁ କେନ୍ଦ୍ରୀୟ ସିଷ୍ଟମ ମଧ୍ୟକୁ ଆଣିବ ଏବଂ ଏକଚାଟିଆ ଘରୋଇ ବିଦ୍ୟୁତ କମ୍ପାନୀମାନଙ୍କର ଶୋଷଣ କରିବାର ରାସ୍ତାକୁ ପ୍ରଶସ୍ତ କରିବ ।
ଜାତୀୟ ସ୍ମାର୍ଟ ମିଟର ଲଗାଇବା ଏବଂ ପୁନର୍ଗଠିତ- ବଣ୍ଟନ କ୍ଷେତ୍ର ସ୍ମିମ(Ravaomped Distribution Sector Scheme(RDSS)) ପ୍ରଣୟନ କରି କେନ୍ଦ୍ର ସରକାର ୯୭,୬୩୧ କୋଟି ଟଙ୍କା ଓ ରାଜ୍ୟ ବଣ୍ଟନ କମ୍ପାନୀ ୨,୦୬,୦୦୦ କୋଟି ଟଙ୍କା ବହନ କରିବେ ଏବଂ ଏହି ଅର୍ଥକୁ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଅଧିକ ଆର୍ଥିକ ବୋଝ ଭାବରେ ଲଦି ଦେବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସ୍କିମ ଅନିବାର୍ଯ୍ୟ ଭାବେ ବିଦ୍ୟୁତ କ୍ଷେତ୍ରରେ ସବ୍ସିଡି ବ୍ୟବସ୍ଥା ସମାପ୍ତ କରିବ । ଯଦି ରାଜ୍ୟ ସରକାରମାନେ କୌଣସି ପ୍ରକାର ସବସିଡି ଦେବେ ତେବେ ଡିରେକ୍ଟ ବେନିଫିଟ୍ ଟ୍ରାନ୍ସଫର(DBT) ବ୍ୟବସ୍ଥା ବା ପ୍ରତ୍ୟକ୍ଷ ସୁବିଧା ପ୍ରେରଣ ପ୍ରକ୍ରିୟାରେ ପ୍ରଦାନ କରିବେ । ଆମେ ଦେଖୁଛୁ କିଭଳିଭାବେ ବିଗତ ଦିନରେ ରନ୍ଧନ ଗ୍ୟାସ(ଏଲ୍ପିଜି) ସିଲିଣ୍ଡର କ୍ରୟ କ୍ଷେତ୍ରରେ ଡି.ବି.ଟି(DBT) ସିଷ୍ଟମ ଦୁଃଖଦାୟକ ଭାବେ ବିଫଳ ହୋଇଛି, ରନ୍ଧନଗ୍ୟାସ ଉପଭୋକ୍ତାମାନେ ଦରବୃଦ୍ଧିର ବୋଝ ବୋହି ଚାଲିଛନ୍ତି । ଆହୁରି ମଧ୍ୟ ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ଅର୍ଥନୈତିକ ସଂସ୍ଥାଗୁଡିକ ବିକାଶଶୀଳ ଦେଶଗୁଡିକରେ ସ୍ମାର୍ଟ ଗ୍ରୀଡ ପ୍ରତିଷ୍ଠାପାଇଁ ଉତ୍ସାହିତ କରୁଛନ୍ତି । କିନ୍ତୁ ବହୁ ବିକଶିତ ଦେଶର ଅଭିଜ୍ଞତା ହେଉଛି ଏହି ସ୍ମାର୍ଟ ଗ୍ରୀଡ ବ୍ୟବସ୍ଥା ବିଫଳ ହୋଇଛି ଏବଂ ଏହା ବ୍ୟୟବହୁଳ ମଧ୍ୟ ।
କେନ୍ଦ୍ର ବିଜେପି ସରକାର ବିଦ୍ୟୁତ୍ ଉପଭୋକ୍ତାଙ୍କ ଅଧିକାର ନିୟମାବଳୀ-୨୦୨୦(Electricity Right of Consumers, Rule-2020)ରେ ସଂଶୋଧନ କରି ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା ଓ ଟାଇମ ଅଫ ଡେ(TOD) ତାରିଫ ସିଷ୍ଟମ ଲାଗୁ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଟିଓଡି ତାରିଫ ବ୍ୟବସ୍ଥା ଲାଗୁ କରିବାକୁ ହେଲେ ସ୍ମାର୍ଟ ବିଦ୍ୟୁତ୍ ମିଟର ଲଗାଇବାକୁ ହେବ । ତେଣୁ କେନ୍ଦ୍ର ବିଜେପି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେ ୧ଏପ୍ରିଲ ୨୦୨୫ ପୂର୍ବରୁ କୃଷି କ୍ଷେତ୍ର ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ବିଦ୍ୟୁତ ଉପଭୋକ୍ତାଙ୍କ ଘର ବା ସଂସ୍ଥାରେ ପ୍ରିପେଡ ସ୍ମାର୍ଟ ମିଟର ଲଗାଯିବ ।
ରାଜ୍ୟ ସରକାରମାନେ ମଧ୍ୟ ଟିଓଡି ତାରିଫ୍ କିମ୍ବା ଡାଇନାମିକ୍ ପ୍ରାଇସ ପ୍ରଚଳନ କରି ବିଦ୍ୟୁତ ଶୁଳ୍କ ଆଦାୟର ବ୍ୟବସ୍ଥା କରୁଛନ୍ତି । ଅଧିକ ବିଦ୍ୟୁତ ବ୍ୟବହାର ହେଉଥିବା ସମୟ ପାଇଁ ବିଦ୍ୟୁତ ଶୁଳ୍କ ଓ କମ୍ ବିଦ୍ୟୁତ ବ୍ୟବହାର ହେଉଥିବା ସମୟ ପାଇଁ ବିଦ୍ୟୁତ ଦେୟ(ଶୁଳ୍କ) ମଧ୍ୟରେ ପାର୍ଥକ୍ୟ ରହିବ । ଏହି ଟିଓଡି ତାରିଫ ସିଷ୍ଟମ ଅନୁସାରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ଅପେକ୍ଷାକୃତ କମ ବିଦ୍ୟୁତ ବ୍ୟବହାର ହେଉଥିବା ସମୟରେ ବ୍ୟବହୃତ ବିଦ୍ୟୁତର ଶୁଳ୍କ ଶତକଡା ୧୦ରୁ ୨୦ ଭାଗ କମ ହେବ ଏବଂ ଅଧିକ ବିଦ୍ୟୁତ ବ୍ୟବହୃତ ହେଉଥିବା ସମୟରେ (Peak Hours) ଶତକଡା ୧୦ରୁ ୨୦ଭାଗ ଅଧିକ ହେବ । ଟିଓଡି ବ୍ୟବସ୍ଥାରେ ଅସଂଗତ ଓ ଅତ୍ୟଧିକ ବିଦ୍ୟୁତ୍ ଶୁୁଳ୍କ ନିର୍ଦ୍ଧାରଣ ସ୍କିମ୍ ଗରିବ ଓ ମଧ୍ୟବିତ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଅକଥନୀୟ ଶୋଷଣର ଶୀକାର କରିବ । ଟିଓଡି ତାରିଫ ବିଦ୍ୟୁତ ଉପଭୋକ୍ତାମାନଙ୍କ ଉପରେ ଅତ୍ୟଧିକ ଆର୍ଥିକ ବୋଝ ସୃଷ୍ଟି କରିବ ।
ଚାଷୀ ଓ ବିଦ୍ୟୁତ କର୍ମଚାରୀମାନଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣଙ୍କ ଦୃଢ ପ୍ରତିବାଦ ସତ୍ତ୍ୱେ କେନ୍ଦ୍ର ବିଜେପି ସରକାର ବିଦ୍ୟୁତ(ସଂଶୋଧନ) ବିଲ ୨୦୨୨କୁ ଆଇନରେ ପରିଣତ କରିବାପାଇଁ ପାର୍ଲାମେଣ୍ଟରେ ଆଗତ କରିଛନ୍ତି ଏବଂ ଏ ଦିଗରେ ଅଗ୍ରସର ହେଉଛନ୍ତି । ଶକ୍ତିପାଇଁ ସଂସଦୀୟ ଷ୍ଟାଣ୍ଡିଙ୍ଗ୍ କମିଟି ନିକଟକୁ ଏହି ବିଲକୁ ସରକାର ପଠାଇଛନ୍ତି । ଏହି ବିଲ ଆଇନରେ ପରିଣତ ହେଲେ ବିଦ୍ୟୁତ କ୍ଷେତ୍ର ସଂପୂର୍ଣ୍ଣଭାବେ ଘରୋଇ ବିଦ୍ୟୁତ କମ୍ପାନୀମାନଙ୍କ ନିୟନ୍ତ୍ରଣରେ ରହିବ, ରାଜ୍ୟ ସରକାରଙ୍କ କୌଣସି ନିୟନ୍ତ୍ରଣ ରହିବ ନାହିଁ । ରାଜ୍ୟ ବିଦ୍ୟୁତ୍ ନିୟମାକ ଆୟୋଗ ପରିବର୍ତ୍ତେ କେନ୍ଦ୍ରୀୟ ବିଦ୍ୟୁତ ନିୟମାକ ଆୟୋଗ(ସିଆରସି)ର ମୋହର ମାରି ଘରୋଇ ବିଦ୍ୟୁତ ବଣ୍ଟନ କମ୍ପାନୀମାନଙ୍କର ଅତ୍ୟଧିକ ଲାଭ ପାଇଁ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯିବ । ସାରା ଦେଶରେ ଗୋଟିଏ ବିଦ୍ୟୁତ ଶୁଳ୍କ ନିର୍ଦ୍ଧାରିତ ହେବାଫଳରେ ବିଦ୍ୟୁତ ଉତ୍ପାଦନ ହେଉଥିବା ରାଜ୍ୟର ଜନସାଧାରଣ ଚରମ ଶୋଷଣର ଶୀକାର ହେବେ । ବାସ୍ତବରେ ବିଦ୍ୟୁତସେବା କ୍ଷେତ୍ରରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ସେମାନଙ୍କର ଦାୟିତ୍ୱରୁ ଏଡେଇ ଯାଇ ଯିବେ ଏବଂ ଏକଚାଟିଆ କମ୍ପାନୀମାନଙ୍କ ଦ୍ୱାରା ଶୋଷିତ ହେବାପାଇଁ ସାଧାରଣ ଖାଉଟିକୁ ଛାଡି ଦେବାପାଇଁ ଏହି ନୂତନ ବ୍ୟବସ୍ଥା ପ୍ରଣୟନ କରାଯାଇଛି ।
କେନ୍ଦ୍ର ବିଜେପି ସରକାରର ଏହି ଧରଣର ପଦକ୍ଷେପ ବର୍ତ୍ତମାନ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ସଂକଟମୟ ପରିସ୍ଥିତିରେ ପକାଇଛି । ବିଦ୍ୟୁତ ଉପଭୋକ୍ତାମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ବିଦ୍ୟୁତ ସେବାଭଳି ଏକ ଜରୁରୀ ନିତ୍ୟ ପ୍ରୟୋଜନୀୟ ସେବା କ୍ଷେତ୍ରକୁ ଘରୋଇ ବିଦ୍ୟୁତ ବଣ୍ଟନ କମ୍ପାନୀମାନଙ୍କ କବଳରୁ ମୁକ୍ତ କରିବାକୁ ମିଳିତ ଲଢେଇର ପ୍ରୟୋଜନ ରହିଛି । ବିଦ୍ୟୁତ ସେବାର ଘରୋଇ କରଣ, ପ୍ରିପେଡ ସ୍ମାର୍ଟ ବିଦ୍ୟୁତ ମିଟର ଲଗାଇବା, ବିଦ୍ୟୁତ ସଂଶୋଧନ ବିଲ-୨୦୨୨, ଟାଇମ ଅଫ ଡେ(Time of Day)ତାରିଫ ବ୍ୟବସ୍ଥା ଓ ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ଐକ୍ୟବଦ୍ଧ ଶକ୍ତିଶାଳୀ ବିଦ୍ୟୁତ ଉପଭୋକ୍ତା ଆନ୍ଦୋଳନ ଗଢିତୋଳିବା ପାଇଁ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କୁ ନିବେଦନ କରୁଛୁ ।