ଚାକଚକ୍ୟର ଛଦ୍ମବେଶ ତଳେ – ସରକାରୀ ଶିକ୍ଷାର ଆର୍ତ୍ତ ଚିତ୍କାର
Sarbaharakranti Dated 20.01.2025 –
ପ୍ରତିବର୍ଷ ଭଳି ଏବର୍ଷର ୟୁଡିଆଇଏସ୍ଇ(UDISE) ୨୦୨୩-୨୪ ରିପୋର୍ଟ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ଇତିମଧ୍ୟରେ ପ୍ରକାଶିତ ହୋଇଛି ।
ମାତ୍ର ରିପୋର୍ଟ ପ୍ରକାଶିତ ହେବାମାତ୍ରେ ସାରା ଦେଶରେ ଚହଳ ପଡିଛି । ପୂର୍ବବର୍ଷ ତୁଳନାରେ ୨୦୨୩-୨୪ ଶିକ୍ଷା ବର୍ଷରେ ସ୍କୁଲରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ହ୍ରାସ ପାଇଛି । ୨୦୧୮-୧୯ରେ ଉପସ୍ଥାନ ୨୬.୦୨କୋଟି ଥିବାବେଳେ ୨୦୨୩- ୨୪ରେ ତାହା ଦ୍ରୁତ ହ୍ରାସ ପାଇ ୨୪.୮କୋଟିରେ ପହଂଚିଛି । ଅର୍ଥାତ ସ୍କୁଲ ଶିକ୍ଷାରେ ଡ୍ରପ ଆଉଟ ହାର ୬ ପ୍ରତିଶତରୁ ଉର୍ଦ୍ଧ୍ୱ । ବିହାରରେ ୩୫.୬୫ଲକ୍ଷ, ମହାରାଷ୍ଟ୍ରରେ ୧୮.୫୫ଲକ୍ଷ, ଉତ୍ତର ପ୍ରଦେଶରେ ୨୮.୨୬ଲକ୍ଷ, ଓଡିଶାରେ ୫.୦୧ଲକ୍ଷ କମ୍ ସଂଖ୍ୟକ ପିଲା ସ୍କୁଲରେ ନାମ ଲେଖାଇଛନ୍ତି । ଏପରିକି ରିପୋର୍ଟ ଅନୁଯାୟୀ ଦେଶରେ କେବଳ ଜଣେ ଶିକ୍ଷକ ଥିବା ସ୍କୁଲ ସଂଖ୍ୟା ୧.୧ଲକ୍ଷ, ଯେଉଁଥିରେ ୪୦ଲକ୍ଷରୁ ଉର୍ଦ୍ଧ୍ୱ ପିଲା ପଢୁଛନ୍ତି । ସେହି ସ୍କୁଲରେ ପିଲା କ’ଣ ପଢୁଥିବେ ଏଥିରୁ ବୁଝା ପଡୁଛି । ବିଶେଷକରି ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ବିହାର, ରାଜସ୍ଥାନରେ ଶିକ୍ଷାର ସ୍ଥିତି ଅତ୍ୟନ୍ତ ଦୟନୀୟ । ସ୍କୁଲରେ ନାମ ଲେଖାଉଥିବା ମୋଟ ପିଲାଙ୍କ ସଂଖ୍ୟା ବା Gross Enrolment Ratio(GER)କୁ ବିଚାର କଲେ ଦେଶରେ ପ୍ରାଥମିକ ସ୍ତରରେ ଜି.ଇ.ଆର ୯୧.୮ପ୍ରତିଶତ ଥିବାବେଳେ ଉଚ୍ଚ ପ୍ରାଥମିକରେ ୮୯.୭ ଏବଂ ଏହା ଦ୍ରୁତ ହ୍ରାସ ପାଇ ମାଧ୍ୟମିକ ହାଇସ୍କୁଲରେ ୭୭.୪, ଉଚ୍ଚ ମାଧ୍ୟମିକରେ ୫୬.୨ପ୍ରତିଶତରେ ଆସି ପହଂଚିଛି । ଓଡିଶାରେ ଉଚ୍ଚ ମାଧ୍ୟମିକରେ ଜି.ଇ.ଆର ୫୮.୬ପ୍ରତିଶତ ଅର୍ଥାତ ରାଜ୍ୟରେ ପ୍ରାଥମିକ ସ୍ତରରେ ଯେତେ ପିଲା ନାମ ଲେଖାଉଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ଅଧା ପିଲା ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଆସି ପହଂଚି ପାରୁଛନ୍ତି । ବ୍ୟାପକ ସଂଖ୍ୟାରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଶିକ୍ଷା ପ୍ରାପ୍ତିରୁ ବଂଚିତ ହେଉଛନ୍ତି ।
ଏ ପରିସ୍ଥିତି କାହିଁକି? ସରକାର ତ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ବିଦ୍ୟାଳୟ ମାନଙ୍କରେ ତ ରଙ୍ଗ ବୋଳା ଚାଲିଛି, ସ୍ମାର୍ଟ ଶ୍ରେଣୀଗୃହ ହେଉଛି, ଖେଳ ପଡିଆ, ଜିମ୍ନାସିୟମ୍ ସହିତ ପ୍ରତିଦିନ ଖବର କଗଜରେ ଫାଳ ଫାଳ ଉତ୍କର୍ଷତାର ରଙ୍ଗିନ୍ ଚିତ୍ର ସବୁ ନେତା ମନ୍ତ୍ରୀଙ୍କ ମୁହଁସହ ବିଜ୍ଞାପନ ଛପା ଚାଲିଛି । ଏତଦ୍ ସତ୍ତ୍ୱେ ଗାଡି ଆଗକୁ ଗଡୁନି ବରଂ ଆହୁରି ପଛକୁ ପଛକୁ ଚାଲିଛି । ସମସ୍ତଙ୍କୁ ମନ ଖୋଲାରଖି ସରକାରଙ୍କ ଯୋଜନା, ଶିକ୍ଷାନୀତି ଭିତରକୁ ଯାଇ ବିଚାର କରିବାକୁ ପଡିବ । ନହେଲେ ଆପଣା ହସ୍ତେ ଜିହ୍ୱା ଛେଦ କରିବା ସାର ହେବ ।
ସ୍ୱାଧୀନତାର ୧୦ବର୍ଷ ମଧ୍ୟରେ ୬ରୁ ୧୪ବର୍ଷର ସମସ୍ତ ପିଲାଙ୍କୁ ମୌଳିକ ଶିକ୍ଷା ପ୍ରଦାନ କରିବା ପାଇଁ ସଂବିଧାନର ଧାରା ୪୫ରେ ଘୋଷଣା କରାଯାଇଥିଲା । ଦଶବର୍ଷ ତ ଛାଡ ୧୯୯୦ ମସିହା ପର୍ଯ୍ୟନ୍ତ ମଧ୍ୟ କିଛି ହେଲା ନାହିଁ । ୧୯୯୦ ମସିହାରେ ସମାଜତାନ୍ତ୍ରିକ ସୋଭିଏତ୍ ରୁଷର ବିପର୍ଯ୍ୟୟ ପରେ ଆମେରିକା ନେତୃତ୍ୱରେ ସାମ୍ରାଜ୍ୟବାଦୀ ଶକ୍ତି ବିଶ୍ୱବ୍ୟାଙ୍କ ପୃଷ୍ଠପୋଷକତାରେ ଏହାକୁ ଆନ୍ତର୍ଜାତୀୟ ସମସ୍ୟାଭାବେ ଉପସ୍ଥାପନ କରି ଥାଇଲ୍ୟାଣ୍ଡର ଜୋମତିଆନ ସହରରେ ୨୦୦୦ମସିହା ସୁଦ୍ଧା ସମସ୍ତଙ୍କ ପାଇଁ ଶିକ୍ଷା (Education for All)ର ସ୍ଲୋଗାନ ଦେଇ ଡି.ପି.ଇ.ପି ଆରମ୍ଭ କରାଗଲା । ଭାରତ ସରକାର ୧୯୯୪ ମସିହାରେ ଦେଶରେ ଲାଗୁ କଲେ ଡି.ପି.ଇ.ପି (District Primary Education Programme) । ଦେଶସାରା ଡି.ପି.ଇ.ପି ରଥ ବୁଲିଲା, ପେନ୍ସିଲ ଉପରେ ପିଲା ଉଡିବାର ଛବି ଚାରିଆଡେ ଅଙ୍କା ଗଲା । ସତେ ଯେମିତି ପିଲା ଏହାଦ୍ୱାରା ଉଡି ଉଡି ସ୍କୁଲ ଭିତରେ ପଶି ଯିବେ! ମୋଟା ମୋଟା ଛବି ଥିବା ବହି ବଣ୍ଟା ହେଲା ଯାହାକୁ ଯେତେ । ଖେଳି ଖେଳିକି ଶିକ୍ଷା, ବସ୍ତାନି ବିହୀନ ପାଠପଢା, ଗୃହକାର୍ଯ୍ୟ ବିନା ପାଠପଢା, ଖାତା ବିନା କେବଳ ବହି ଦ୍ୱାରା ପାଠପଢା, ଦଣ୍ଡମୁକ୍ତ ଅଂଚଳ ଏହିଭଳି କେତେ ଯେ ଭେଳିକି ଚାଲିଲା ଏବଂ ଏବେ ବି ଚାଲିଛି ଆମେ ସମସ୍ତେ ତାହାର ଭୁକ୍ତଭୋଗୀ । ମାତ୍ର ୨୦୦୦ ମସିହା ଚାଲିଗଲା, ଫଳ ଶୂନ ।
ସର୍ବ ଶିକ୍ଷା ଅଭିଯାନ ନାଁରେ ପୁଣି ନୂଆ ଅଭିଯାନ ଆରମ୍ଭ ହେଲା । ସେହି ଏକା କଥା, ଦଶବର୍ଷର ଟାର୍ଗେଟ୍ ୨୦୧୦ସୁଦ୍ଧା ସମସ୍ତଙ୍କୁ ଶିକ୍ଷା । ସେତିକିରେ ସୀମିତ ନରହି ଅଭିଯାନକୁ ଆହୁରି ସଂପ୍ରସାରଣ କରି ଆରମ୍ଭ କରାଗଲା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ (RMSA) । ସମସ୍ତଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ତାହା ପୁଣି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବାର କଥା କୁହାଗଲା । କିନ୍ତୁ ଫଳ କଣ ହେଲା? ଆକାଶ କଇଁଆ ଚିଲିକା ମାଛ । ସମସ୍ତଙ୍କୁ ଶିକ୍ଷା ତ ଦୂରର କଥା ପିଲା ମାନେ ଯାହାବି କିଛି ପାଠ ପଢୁଥିଲେ ଡି.ପି.ଇ.ପି, ସର୍ବଶିକ୍ଷା ଅଭିଯାନ ସବୁକିଛିକୁ ଧ୍ୱଂସ କରିଦେଲା ।
ସରକାର ବିଗତଦିନ ମାନଙ୍କରେ ନେଇଥିବା ବହୁ ପ୍ରଚାରିତ ବ୍ଲାକ୍ ବୋର୍ଡ ଅପରେସନ୍, ଶିଶୁ ଯତ୍ନ ଓ ଶିକ୍ଷା, ଶିଶୁ କୈନ୍ଦ୍ରିକ ଶିକ୍ଷା, ଅଣଆନୁଷ୍ଠାନିକ ମୁକ୍ତ ଓ ଦୂର ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ଡି.ପି.ଇ.ପି, ସର୍ବଶିକ୍ଷା ଅଭିଯାନ ଆଦି ବିଭିନ୍ନ ପଦକ୍ଷେପ ନେବା ସତ୍ତ୍ୱେ ଲକ୍ଷ୍ୟ ହାସଲ ସୁଦୂର ପରାହତ । ସବୁକିଛି ଅସଫଳ ହେବାପରେ ଅନିଶ୍ଚିତତାର ସମୁଦ୍ର ମନ୍ଥନ କରି ୨୦୦୯ ମସିହା ଅଗଷ୍ଟ ୨୬ ତାରିଖ ଦିନ ଶିକ୍ଷା ଅଧିକାର ଆଇନ ୨୦୦୯କୁ ପାର୍ଲାମେଣ୍ଟରେ ଗୃହୀତ କରାଇ ଅପୂରିତ ଲକ୍ଷ୍ୟ ହାସଲ କରିବା ପାଇଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ଫେଲ୍ ବ୍ୟବସ୍ଥାକୁ ଉଚ୍ଛେଦ କରି No Detention Policy ଲାଗୁ କଲେ । ଚାରିଆଡେ ସ୍କୁଲ ଚାଲ ଅଭିଯାନ ଆରମ୍ଭ ହେଲା ।
ଶିକ୍ଷକମାନଙ୍କ ଜରିଆରେ ଗାଁ, ସାହି, ବସ୍ତି ବୁଲି ବୁଲି ପିଲାମାନଙ୍କୁ ଚନ୍ଦନ ଫୁଲ ଦେଇ ସ୍କୁଲରେ ଭର୍ତ୍ତି କରାଇଲା । ପିଲାଟି ସ୍କୁଲକୁ ଆସୁ ନଆସୁ ସେଥିରେ କିଛି ଯାଏ ଆସେନା, ସ୍କୁଲ ଖାତାରେ ନାଁ ରହିଲେ ହେଲା । ଆଉ ପରୀକ୍ଷାର ଝିନ୍ଝଟ ରହିଲା ନାହିଁ । ଥରେ ଯାହାର ସ୍କୁଲ ଖାତାରେ ନାଁ ଚଢିଗଲା ପ୍ରତିବର୍ଷ ନାଁ ଗଡି ଗଡି ଅଷ୍ଟମ ଶ୍ରେଣୀରେ ପହଁଚିଲା । ଯାହା ଏତେ ଦିନ ପର୍ଯ୍ୟନ୍ତ ହୋଇ ପାରୁନଥିଲା ସରକାର ଏକାଥରକେ କାଗଜ କଲମରେ ଟାଣି ଓଟାରି ପ୍ରାୟ ଶତପ୍ରତିଶତ ଉପସ୍ଥାନ ଦେଖାଇ ନିଜର ପାରିବା ପଣିଆ!ର ପରିଚୟ ଦେଲେ ।
ମାତ୍ର ପିଲାଟି କଣ ପଢୁଛି, କେତେ ପାଠ ପଢୁଛି ସେନେଇ କାହାର ନିଘା ନାହିଁ । ସରକାରୀ ବିଦ୍ୟାଳୟରେ ପାଠପଢୁଥିବା ଅଧିକାଂଶ ପିଲାମାନେ ସାଧାରଣ ପରିବାରରୁ ଆସନ୍ତି, ଯେଉଁମାନଙ୍କ ପରିବାର ବଂଚିବା ପାଇଁ ଦିନରାତି ସଂର୍ଘଷ କରୁଛନ୍ତି । ସେମାନେ ପାଠପଢାପ୍ରତି ଅସଚେତନ । କେବଳ ସେମାନେ ପିଲାର ମଧ୍ୟାହ୍ନ ଭୋଜନ, ପୋଷାକ, ବହି ଖାତା ଦିଆ ନିଆ ଭିତରେ ସୀମିତ । ଆଉ ସବୁ କିଛିକୁ ସରକାରଙ୍କ ଭରସାରେ ଛାଡି ଦେଇଛନ୍ତି । ମାତ୍ର ଯେଉଁ ଅଭିଭାବକମାନେ ସଚେତନ ସେମାନେ ନିଜ ପିଲାର ଭବିଷ୍ୟତକୁ ଲକ୍ଷ୍ୟକରି ଧିରେ ଧିରେ ଘରୋଇ ଇଂରାଜୀ ସ୍କୁଲରେ, ସେତକ ନହେଲେ ଘରୋଇ ଓଡିଆ ସ୍କୁଲରେ ଭର୍ତ୍ତି କରୁଛନ୍ତି ।
ଡି.ପି.ଇ.ପି, ସର୍ବଶିକ୍ଷା ଅଭିଯାନ, ପାସ୍-ଫେଲ୍ ଉଚ୍ଛେଦ ଇତ୍ୟାଦି ନୀତି ଲାଗୁ ହେବାର ଭୟାବହତା ଲୋକମାନଙ୍କ ସମ୍ମୁଖରେ ସ୍ପଷ୍ଟ ହୋଇଗଲା ଯେତେବେଳେ ଏ.ଏସ୍.ଇ ରିପୋର୍ଟ ପଦାକୁ ଆସିଲା । ଗୋଟେ ପଟେ ସରକାର କେବଳ କାଗଜ କଲମରେ ପିଲାମାନଙ୍କ ଉପସ୍ଥାନ ବଢାଇ ଦେବାରେ ସଫଳ ହେଲେ ମାତ୍ର ଏହାର ଆବରଣ ତଳେ ସୁପରିକଳ୍ପିତ ଭାବେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସଂପୂଣ୍ଣ ର୍ ଧ୍ୱଂସ କରି ଚାଲିଲେ । (ଏ.ଏସ୍.ଇ ରିପୋର୍ଟ ନେଇ ସର୍ବହରା କ୍ରାନ୍ତି ପୂର୍ବ ସଂଖ୍ୟା ମାନଙ୍କରେ ବିସ୍ତୃତ ବିବରଣୀ ଦିଆଯାଇଥିଲା ।) ୨୦୨୪ରେ ପ୍ରକାଶିତ ଏ.ଏସ୍.ଇ ରିପୋର୍ଟ ଅନୁଯାୟୀ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରୁ ୨୫ଭାଗ ପିଲା ମାତୃଭାଷାରେ ବହି ପଢି ପାରୁନାହାଁନ୍ତି, ୪୨ଭାଗ ପିଲା ଇଂରାଜୀରେ ସହଜ ବାକ୍ୟ ପଢିପାରୁ ନାହାଁନ୍ତି । ଏହି ପିଲାମାନଙ୍କ ମଧ୍ୟରୁ ୫୦ଭାଗରୁ ଉର୍ଦ୍ଧ୍ୱ ପିଲା ହରଣ ଜାଣନ୍ତି ନାହିଁ । ଏପରିକି ଦୈନନ୍ଦିନ କାମ ହିସାବରେ କୌଣସି ଜିନିଷର ଦୈର୍ଘ୍ୟ କେବଳ ୪୦ଭାଗ ପିଲା ଠିକ୍ ଭାବେ ମାପି ପାରୁଛନ୍ତି । ଏହିଭଳି ଅନେକ ବେଦନା ଦାୟକ ତଥ୍ୟସବୁ ରିପୋର୍ଟରେ ରହିଛି । ଯେତେ ସମୟ ଯାଉଛି ସରକାରୀ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଦିନକୁ ଦିନ ପରିମାଣଗତ ଏବଂ ଗୁଣଗତ ଦିଗରୁ ଆହୁରି ଖରାପ ହୋଇଚାଲିଛି ।
ଏହା ସହିତ ଗତ କିଛି ବର୍ଷ ହେବ ପିଲାସଂଖ୍ୟା କ୍ରମଶଃ ହ୍ରାସର ଆଳ ଦେଖାଇ ସ୍କୁଲ ବନ୍ଦ ଓ ମିଶ୍ରଣ ଚାଲିଛି । ରାଜସ୍ଥାନର ତତ୍କାଳୀନ ବିଜେପି ସରକାର ସର୍ବପ୍ରଥମେ ସ୍କୁଲ ବନ୍ଦ ଓ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ରାଜସ୍ଥାନରେ ୨୦୧୯ ମସିହା ଭିତରେ ୨୨ହଜାର ସ୍କୁଲ ବନ୍ଦ ହୋଇଥିବା ବେଳେ ତେଲେଙ୍ଗାନାରେ ୪ହଜାର, ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ୩୪ହଜାର ସ୍କୁଲ, ଗୁଜରାଟରେ ୧୩,୪୫୦, ଆନ୍ଧ୍ର ପ୍ରଦେଶରେ ୫,୫୩୦, ତାମିଲନାଡୁରେ ୩ହଜାର, ଉତ୍ତରାଖଣ୍ଡରେ ୧୨ହଜାର, ପଞ୍ଜାବରେ ୧୧୭୦, ମହାରାଷ୍ଟ୍ରରେ ୧୩୯୦୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଆଉ ମିଶଣ୍ର କରାଯାଇଛି । ତତ୍କାଳୀନ ରାଜ୍ୟ ବିଜେଡ ି ସରକାର ନୀତି ଆୟୋଗ ସୁପାରିସ କ୍ରମେ “Rationalisation & Consolidation” ନାଁରେ ରାଜ୍ୟର ୧୪,୩୭୯ଟି ପ୍ରାଥମିକ/ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଏବଂ ମିଶ୍ରଣ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ଆଜି ବିଜେପି ସମେତ ସମସ୍ତ ସରକାରଙ୍କ ମଧ୍ୟରେ ସ୍କୁଲ ବନ୍ଦ ଓ ମିଶ୍ରଣ କରିବା ପାଇଁ ପ୍ରତିଯୋଗିତା ଚାଲିଛି । ନୂତନ ଶିକ୍ଷାନୀତି-୨୦୨୦ ସ୍କୁଲ କମ୍ପେ୍ଲକ୍ସ/କ୍ଲଷ୍ଟର ପ୍ରତିଷ୍ଠା କଥା ଭିତର ଦେଇ ଏହି ବନ୍ଦ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛି ।
ଏଠାରେ ଓଡିଶା ଉଚ୍ଚନ୍ୟାୟାଳୟରେ ସ୍କୁଲ ବନ୍ଦ ଓ ମିଶ୍ରଣ ନେଇ ଦାଖଲ ମାମଲାର ରାୟ ଉଲ୍ଲେଖଯୋଗ୍ୟ । ଉକ୍ତ ରାୟରେ ଦର୍ଶାଯାଇଥିଲା (ବିଜ୍ଞପ୍ତି ନଂ ୫୪୬୫ ସ୍କୁଲ ମିଶ୍ରଣ ବା ବନ୍ଦ କରିବା ଉଦ୍ଦେଶ୍ୟରେ ୨୦୨୦ ମାର୍ଚ୍ଚ ୧୧ ତାରିଖରେ), ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି, ସମ୍ବିଧାନର ଧାରା ୨୧(ଏ)ର ବିରୁଦ୍ଧାଚରଣ କରୁଛି । ସେଥିପାଇଁ ବିଭିନ୍ନ ବର୍ଗର ବିଦ୍ୟାଳୟର ଏକତ୍ରୀକରଣ/ମିଶ୍ରଣ (consolidation/merger) ପାଇଁ ପ୍ରସ୍ତାବିତ ପଦ୍ଧତି ଗ୍ରହଣୀୟ ନୁହେଁ ।
ଅତଏବ ଓଡିଶା ଉଚ୍ଚନ୍ୟାୟାଳୟ ସ୍ପଷ୍ଟ ଭାଷାରେ ଦର୍ଶାଇଛନ୍ତି ଯେପର୍ଯ୍ୟନ୍ତ ସ୍ଥାୟୀଭିତ୍ତିରେ ସ୍ୱୀକୃତି ୍ରାପ୍ତ ଶିକ୍ଷକ ନିଯୁକ୍ତି କରାନଯାଇଛି ଶିକ୍ଷାର ସୁଧାର ଆସିବ ନାହିଁ ବରଂ ଶିକ୍ଷା ଦିନକୁ ଦିନ ରସାତଳଗାମୀ ହେବ । ମାତ୍ର ବିଭିନ୍ନ ରାଜ୍ୟ ସରକାର ଏହା ନକରି ଉପସ୍ଥାନ କମିବାର ଆଳକରି ସରକାରୀ ସ୍କୁଲଗୁଡ଼ିକୁ ବନ୍ଦ ଓ ମିଶ୍ରଣ କରିଚାଲିଛନ୍ତି । ସରକାର ନିଜେ ଡାହାଣୀ ହୋଇ ଲାଗୁଛନ୍ତି ଏବଂ ନିଜେ ଗୁଣିଆ ହୋଇ ଝାଡୁଛନ୍ତି । କେବଳ ସେତିକି ନୁହେଁ ନୀତି ଆୟୋଗ ଦ୍ୱାରା ଚାଲିଥିବା ସାଥ୍-ଇ(SATH-E) ଅଭିଯାନ ଅନୁଯାୟୀ ଆଗାମୀ ଦିନରେ ବହୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲଗୁଡିକୁ ବନ୍ଦ କରିବା ପାଇଁ ସରକାର ଜିଲ୍ଲାସ୍ତରରେ ତାଲିକା ପ୍ରସ୍ତୁତ କରିଛନ୍ତି ଏବଂ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବେ ।
ଆଜି ସରକାରୀ ସ୍କୁଲରେ ୧କୋଟିରୁ ଉର୍ଦ୍ଧ୍ୱ କମ୍ ସଂଖ୍ୟକ ପିଲା ନାମ ଲେଖାଇବା ଖବରକୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ଚର୍ଚ୍ଚା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ, ଚର୍ଚ୍ଚା ମଧ୍ୟଦେଇ ଆମେ ଯଦି ସମସ୍ୟାର ବିଜ୍ଞାନସମ୍ମତ କାରଣ ନଜାଣୁ କେବଳ ଉପର ଠାଉରିଆ ଭାବେ ଏଡେଇ ଦେଇ ଚାଲି ଯାଉ ତେବେ ନେଡିଗୁଡ କହୁଣିକୁ ବହିଯିବା ସାର ହେବ । ଉପରୋକ୍ତ ଆଲୋଚନାରୁ ଆମେ ଦେଖିଲେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସକରିବା ପାଇଁ ଅତ୍ୟନ୍ତ ପରିକଳ୍ପିତ ଭାବରେ ସରକାରମାନେ କ୍ରମାନ୍ୱୟରେ ବିଭିନ୍ନ ପଦକ୍ଷପ ନେଇଚାଲିଛନ୍ତି । ଯାହା ଫଳରେ ଧ୍ୱଂସପ୍ରାପ୍ତ ସରାକରୀ ଶିକ୍ଷା ବ୍ୟବସ୍ଥାର ଛାତି ଉପରେ ଶିକ୍ଷା ବେପାରୀମାନେ ଶିକ୍ଷାକୁ ନେଇ ଖୁଲମ ଖୋଲା ବେପାର କରିପାରିବେ ଏବଂ ଅନ୍ୟପଟରେ ଶିକ୍ଷାର ମୂଳ ଉଦ୍ଦେଶ୍ୟକୁ ସମୂଳେ ଧ୍ୱଂସ କରିବେ ।