ପୁଞ୍ଜିପତି ମାନଙ୍କ ଟଙ୍କାରେ ଚାଲୁଥିବା ଦଳ ଗୁଡିକ ପକ୍ଷରେ ଜନଗଣଙ୍କ ସ୍ୱାର୍ଥ ରକ୍ଷା କରିବା ସମ୍ଭବ ନୁହେଁ
Sarbaharakranti Dated 20.01.2025 –
ଏସ୍ୟୁସିଆଇ(କମ୍ୟୁନିଷ୍ଟ) ପାର୍ଟି ଜନଜୀବନର ଜ୍ୱଳନ୍ତ ସମସ୍ୟା ନେଇ ଗଣଆନ୍ଦୋଳନ କରି ଆସୁଅଛି । ଶିକ୍ଷା ସମସ୍ୟା, କୃଷକ ମାନଙ୍କ ସମସ୍ୟା, ସଂଗଠିତ ଅସଂଗଠିତ ଶ୍ରମିକ କର୍ମଚାରୀ ମାନଙ୍କ ସମସ୍ୟା, ବସ୍ତିବାସିନ୍ଦା ମାନଙ୍କ ସମସ୍ୟା ନେଇ ଲଗାତର ଆନ୍ଦୋଳନର କର୍ମସୂଚୀ ସହ ଅଗ୍ରସର ହେଉଛି । ଏହି କର୍ମସୂଚୀ ପାଇଁ ପ୍ରଚାର ପ୍ରସାର ଯେମିତି ଚାଲେ, ସେମିତି ଏହା ପାଇଁ ଆବଶ୍ୟକ ଖର୍ଚ୍ଚ, ଦଳର କର୍ମୀମାନେ ଘରେ ଘରେ ବୁଲି, ଦୋକାନ ବଜାର, ରାସ୍ତା ଘାଟ, ଟ୍ରାଫିକ ପୋଷ୍ଟରେ ଛିଡା ହୋଇ ଜନସାଧାରଣଙ୍କ ପାଖରୁ ସଂଗ୍ରହ କରନ୍ତି । ନିର୍ବାଚନ ସମୟରେ ଦଳର କର୍ମୀ ମାନେ ଘରକୁ ଘର ଯାଇ ନିଜ ପ୍ରାର୍ଥୀ ମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରନ୍ତି । ପୁଣି ସେମିତି ଭୋଟ ପାଇଁ ଆବଶ୍ୟକ ଖର୍ଚ୍ଚ ସେମାନେ ଭୋଟରଙ୍କ ପାଖରୁ ହିଁ ସଂଗ୍ରହ କରନ୍ତି । ଅନ୍ୟ ଦଳମାନେ ବି କିଛି ନା କିଛି ବିଷୟ ନେଇ ଆନ୍ଦୋଳନର ଡାକରା ଦିଅନ୍ତି । ନିର୍ବାଚନ ଲଢନ୍ତି । ସେମାନେ କେବେହେଲେ ଜନଗଣଙ୍କଠାରୁ ପାଣ୍ଠି ସଂଗ୍ରହ କରିବା କେହି କେବେ ଦେଖିଛନ୍ତି କି? ତେବେ ଏହି ସବୁ କାର୍ଯ୍ୟକ୍ରମରେ ସେମାନେ ଯେଉଁ ବିପୁଳ ଅର୍ଥ ବ୍ୟୟ କରନ୍ତି ତାହା ଆସେ କେଉଁଠାରୁ? ଏହିସବୁ ଦଳମାନଙ୍କର ବିଳାସପୂର୍ଣ୍ଣ କାର୍ଯ୍ୟାଳୟ ପାଇଁ କିଏ ଟଙ୍କା ଦିଏ? କେବଳ ଲୋକ ଦେଖାଣିଆ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ନୁହେଁ, ଏହି ସବୁ ଦଳର ନେତାମାନଙ୍କର ବିଳାସମୟ ଜୀବନଯାତ୍ରା, ଗାଡି ଘୋଡା, ଘରଦ୍ୱାର ପାଇଁ ଆବଶ୍ୟକ ବିପୁଳ ଅର୍ଥ କେଉଁଠୁ ଆସେ?
ଶାସକ ଦଳ ଗୁଡିକ ଚଳନ୍ତି
ପୁଞ୍ଜିପତିମାନକ ଟଙ୍କାରେ
ଗତ ଡିସେମ୍ବରରେ ଜାତୀୟ ନିର୍ବାଚନ କମିଶନ ପ୍ରଦତ୍ତ ତଥ୍ୟ ରୁ ଏହାର ସଠିକ ଉତ୍ତର ମିଳିବ । ଏହି ରିପୋର୍ଟରେ ଦର୍ଶାଯାଇଛି, ୨୦୨୩-୨୪ ଆର୍ôଥକ ବର୍ଷରେ, ଟ୍ରଷ୍ଟ ବା କର୍ପୋରେଟ ସଂସ୍ଥା ମାନଙ୍କଠାରୁ ଯେଉଁ ସବୁ ରାଜନୈତିକ ଦଳ ଚାନ୍ଦା ପାଇଛନ୍ତି ସେମାନଙ୍କ ମଧ୍ୟରେ ଆଗରେ ଅଛି ବିଜେପି । ବିଜେପି ପାଇଥିବା ଅନୁଦାନର ପରିମାଣ ୨ ହଜାର ୨୨୪ କୋଟି ଟଙ୍କା । ଗତ ୨୦୨୨-୨୩ ଆର୍ôଥକ ବର୍ଷରେ ବିଜେପି ପାଇଥିବା ଚାନ୍ଦାଠାରୁ ଏହା ତିନି ଗୁଣ ବେଶୀ । କଂଗ୍ରେସ ପାଇଛି ୨୮୮.୯ କୋଟି ଟଙ୍କା । ଗତ ବର୍ଷ କଂଗ୍ରେସ ପାଇଥିବା ଚାନ୍ଦାର ପରିମାଣ ୭୯.୯ କୋଟି ଟଙ୍କା ଥିଲା ।
ଏହି ଟଙ୍କା କେଉଁ ମାନେ ଦିଅନ୍ତି ତାହା ଗୋପନ ରଖିବା ପାଇଁ ବିଜେପି କ୍ଷମତାସୀନ ହେବାପରେ ନିର୍ବାଚନୀ ବଣ୍ଡ (ଋକ୍ଷରମଗ୍ଧକ୍ଟକ୍ସବକ୍ଷ ଈକ୍ଟଦ୍ଭୟ) ଚାଲୁ କରିଥିଲା । ଏହା ଦ୍ୱାରା ଏହି ଅନୁଦାନ ଟଙ୍କା କିଏ ଦେଇଛନ୍ତି ତାହା ସାଧାରଣ ଭାବେ ଜଣା ପଡିବ ନାହିଁ । ଏହି ବଣ୍ଡ ଜରିଆରେ କାର୍ଯ୍ୟତଃ ଶାସକ ଦଳକୁ ଲାଂଚ ଆକାରରେ ପ୍ରଚୁର ଅର୍ଥ ପ୍ରଦାନ କରି ଅବୈଧ ଉପାୟରେ ବଡ ବଡ ପୁଞ୍ଜିପତି ଓ ବ୍ୟବସାୟୀ ଗୋଷ୍ଠୀ ନାନା ସରକାରୀ ସୁବିଧା ସୁଯୋଗ ପାଉଥିଲେ ବୋଲି ବର୍ତ୍ତମାନ ପ୍ରମାଣିତ ହୋଇଛି । ଏହି ପରିସ୍ଥିତିରେ ସୁପ୍ରିମ କୋର୍ଟ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଓ ବେଆଇନ ବୋଲି ଘୋଷଣା କରି ନିଷିଦ୍ଧ କରିଥିଲେ ଓ କେଉଁମାନେ ଏହି ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକୁ ଅନୁଦାନ ଦେଇଛନ୍ତି ତାହା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ଫଳରେ ଦେଖାଗଲା ଯେ ୨୦୧୯ ଏପ୍ରିଲ ଠାରୁ ୨୦୨୪ ଜାନୁଆରୀ ପର୍ଯ୍ୟନ୍ତ ବଣ୍ଡ ମାଧ୍ୟମରେ ବିଜେପି ଏକା ପାଇଛି ୬ ହଜାର ୬୦ କୋଟି ଟଙ୍କା । ଏହା ବଣ୍ଡ ମାଧ୍ୟମରେ ପ୍ରଦତ୍ତ ମୋଟ ଅନୁଦାନର ପ୍ରାୟ ଅର୍ଦ୍ଧେକ । ଅନ୍ୟ ଜାତୀୟ ଏବଂ ଆଂଚଳିକ ଦଳ ମାନେ ପାଇଛନ୍ତି ଅନୁଦାନର ବାକି ଅର୍ଦ୍ଧେକ ଟଙ୍କା ।
ପୁଞ୍ଜିପତିମାନେ ଶାସକ ଦଳମାନଙ୍କୁ
ଟଙ୍କା ଦିଅନ୍ତି କାହିଁକି ?
ଯେ କୌଣସି ବ୍ୟକ୍ତି ନିଜ ପସନ୍ଦ ଦଳକୁ ଚାନ୍ଦା ଦେଇ ପାରନ୍ତି । କିନ୍ତୁ ଏହି ବିପୁଳ ପରିମାଣର ଚାନ୍ଦା କେଉଁ ସାଧାରଣ ସମର୍ଥକ ବା ସଦସ୍ୟର ଚାନ୍ଦା ନୁହେଁ, ଏହା ବ୍ୟବସାୟୀ ଏବଂ କର୍ପୋରେଟ ସଂସ୍ଥା ଗୁଡିକଦ୍ୱାରା ପ୍ରଦତ୍ତ ଟଙ୍କା । ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ, ବ୍ୟବସାୟୀ ସଂସ୍ଥା ଏବଂ ପୁଞ୍ଜିପତିମାନେ ଏତେ ବିପୁଳ ପରିମାଣରେ ଚାନ୍ଦା ରାଜନୈତିକ ଦଳଗୁଡିକୁ ବିଶେଷ କରି ବିଜେପିକୁ କ’ଣ ପାଇଁ ଦିଅନ୍ତି ?
ଏହା ସମସ୍ତଙ୍କୁ ଜଣା, ବ୍ୟବସାୟୀ, ଶିଳ୍ପପତିମାନେ ଗୋଟିଏ ଟଙ୍କା ଖର୍ଚ୍ଚ କଲାବେଳେ ମଧ୍ୟ ତାର ଲାଭ କ୍ଷତି ହିସାବ କରିଥାନ୍ତି । ତା ହେଲେ ଏହି ଅନୁଦାନ କ୍ଷେତ୍ରରେ ସେମାନେ ଏତେ ଉଦାର-ହସ୍ତ କଣ ପାଇଁ! ରାଜନୀତି ନାଁ କହିଲେ ସାଧାରଣତଃ ବ୍ୟବସାୟୀ-ଶିଳ୍ପପତିମାନେ ନାକ ଟେକିଥାନ୍ତି । ଉପଦେଶ ଦିଅନ୍ତି, ରାଜନୀତି କରନାହିଁ, କର୍ମ କର, କର୍ମ କଲେ ଦେଶର ବିକାଶ ହେବ । ତା’ହେଲେ ରାଜନୈତିକ ଦଳମାନଙ୍କୁ ସେମାନେ ଏତେ ବିପୁଳ ପରିମାଣର ଟଙ୍କା ଦିଅନ୍ତି କାହିଁକି? ବାସ୍ତବରେ ଏହା କୌଣସି ଉଦାରତା ର ବିଷୟ ନୁହେଁ । ରାଜନୈତିକ ଦଳମାନଙ୍କୁ ସେମାନେ ଟଙ୍କା ଦେଇ ତାର ଲାଭ-କ୍ଷତିର ଅଙ୍କ କଷନ୍ତି । ବ୍ୟବସାୟୀଙ୍କ ଟଙ୍କା ସେଠାରେ ଖଟେ ଯେଉଁଠାରେ ତାହା ବହୁଗୁଣିତ ହୋଇ ଫେରି ଆସିବାର ସମ୍ଭାବନା ଥାଏ । କିନ୍ତୁ, ରାଜନୈତିକ ଦଳ ମାନଙ୍କରୁ ଟଙ୍କା ବହୁଗୁଣିତ ହୋଇ ଫେରି ଆସେ କେମିତି ?
ପ୍ରାକ ସ୍ୱାଧୀନତା କାଳରୁ କଂଗ୍ରେସ ପୁଞ୍ଜିପତି ମାନଙ୍କ ଠାରୁ ଟଙ୍କା ନେଇଛି । ଅସଲରେ ଏମାନେ ଟଙ୍କା ଦିଅନ୍ତି ଶାସନ କ୍ଷମତାରେ ଥିବା ଦଳ ବା ଆଗାମୀ ଦିନରେ ଶାସନ କ୍ଷମତାକୁ ଆସିବାକୁ ଥିବା ଦଳକୁ । ଏ ଦେଶରେ ଶିଲ୍ପପତି-ପୁଞ୍ଜିପତିମାନେ ସ୍ୱାଧୀନତା ପରଠାରୁ କଂଗ୍ରେସ ଦଳ ପଛରେ ବିପୁଳ ଟଙ୍କା ବିନିଯୋଗ କରିଛନ୍ତି ଏବଂ ବିନିମୟରେ ସରକାର ଏବଂ ପ୍ରସାଶନକୁ କାମରେ ଲଗାଇ ସମସ୍ତ ପ୍ରକାର ସୁବିଧା ହାସଲ କରିଛନ୍ତି । କଂଗ୍ରେସ ସେମାନଙ୍କର ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ଦଳ ହିସାବରେ ଏହି ସୁବିଧା ଦେଇଛି । ପୂର୍ବରୁ କୁହାଯାଇଛି ଏହା ସ୍ୱାଧୀନତାର ଅନେକ ଆଗରୁ ଆରମ୍ଭ ହୋଇଥିଲା । କଂଗ୍ରେସ ୱାର୍କିଂ କମିଟିରେ ବହୁ ସଂଖ୍ୟକ ବଡ ବଡ ଧନୀ ଥିଲେ । ଯେମିତି ବିରଳା, ବଜାଜ, ସରାଭାଇ, ଲାଲ ଭାଇ ଓ ଅନ୍ୟାନ୍ୟ ଧନୀ ପୁଞ୍ଜିପତିମାନେ ଥିଲେ କଂଗ୍ରେସର ପୃଷ୍ଠପୋଷକ । ଗାନ୍ଧିଜୀ ନିଜେ ଦିଲ୍ଲୀରେ ବିରଳା ଭବନରେ ରହୁଥିଲେ । ଏ ସବୁ ଦେଖି କଂଗ୍ରେସର ଜଣେ ଶୀର୍ଷ ନେତା ଲାଲା ଲାଜପତ ରାୟ ଶିଳ୍ପପତିମାନଙ୍କଠାରୁ ଚାନ୍ଦା ନ ନେବା ପାଇଁ ଗାନ୍ଧିଜୀଙ୍କୁ କହିଥିଲେ । ସେ ଦଳ ଏବଂ ଆନ୍ଦୋଳନର ଖରଚ ପାଇଁ ଜନଗଣଙ୍କ ଉପରେ ନିର୍ଭର କରିବାକୁ ଗାନ୍ଧିଜୀଙ୍କୁ ଅନୁରୋଧ କରିଥିଲେ । ଗାନ୍ଧିଜୀ ସେହି ଅନୁରୋଧକୁ ଏଡାଇ ଯାଇ କହିଥିଲେ, କାହିଁକି ଧନୀ ମାନଙ୍କର କଣ ଦେଶକୁ ଭଲପାଇବାର ଅଧିକାର ନାହିଁ । ଗାନ୍ଧିଜୀ ବର୍ଣ୍ଣିତ ପୁଞ୍ଜିପତିମାନଙ୍କ ଦେଶପ୍ରେମର ଅସଲ ଚେହେରା ଟା କ’ଣ, ତାହା ସ୍ୱାଧୀନତାର ଗତ ପ୍ରାୟ ଆଠ ଦଶନ୍ଧି ଧରି ଦେଶର ଶ୍ରମିକ-କୃଷକ, ସାଧାରଣ ଜନତା ଜୀବନ ସାରା ଯନ୍ତ୍ରଣା , ଶୋଷଣ -ଲାଞ୍ଛନାର ତୀବ୍ରତା ମାଧ୍ୟମରେ ମର୍ମେ ମର୍ମେ ଉପଲବ୍ଧି କରୁଛନ୍ତି ।
ବର୍ତ୍ତମାନ କଂଗ୍ରେସର ସ୍ଥାନ
ନେଇଛି ବିଜେପି
ଉପନିବେଶିକ ବ୍ରିଟିଶ ସରକାର ସହିତ ବୁଝାମଣା ଜରିଆରେ ଅର୍ଜିତ ସ୍ୱାଧୀନତାର ମଧ୍ୟଦେଇ ଭାରତ ଗୋଟିଏ ପୁଞ୍ଜିବାଦୀ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ ହୋଇଛି । ଏ ପୁଞ୍ଜିବାଦୀ ପଥରେ, ବିକାଶର ସହାୟକ ସମସ୍ତ ନୀତି ଗ୍ରହଣ ମଧ୍ୟ ଦେଇ କଂଗ୍ରେସ ଦଳ ଦେଶକୁ ଦୀର୍ଘ ବହୁ ଦଶନ୍ଧି ଧରି ଶାସନ କରିଛି । ଶାସକ କଂଗ୍ରେସ ଏବଂ ପୁଞ୍ଜିପତି ତଥା ଶିଳ୍ପପତି ପରସ୍ପର ପରିପୂରକ ବୁଝାମଣା ମଧ୍ୟ ଦେଇ ଚାଲନ୍ତି । ଏହି ଭାବରେ ପୁଞ୍ଜିପତିମାନଙ୍କ ସ୍ୱାର୍ଥ ରକ୍ଷା କରିବାକୁ ଯାଇ ସ୍ୱାଭାବିକ ଭାବରେ କଂଗ୍ରେସ ତାର ଜନପ୍ରିୟତା ହରାଇବସେ । ସମୟକ୍ରମେ ଏକଚାଟିଆ ପୁଞ୍ଜିପତିରେ ପରିଣତ ହୋଇଥିବା ପୁଞ୍ଜିପତିମାନେ ସେତେବେଳେ ନିଜର ସ୍ୱାର୍ଥ ରକ୍ଷା ପାଇଁ ଆଉ ଗୋଟିଏ ବିକଳ୍ପ ନିର୍ଭରଯୋଗ୍ୟ ଦଳ ହିସାବରେ ବିଜେପିକୁ ଶକ୍ତିଶାଳୀ ହେବାରେ ସହାୟତା ପ୍ରଦାନ କରନ୍ତି । ଏହିଭଳି ଭାବରେ ବିଜେପି ଦଳର ଉତ୍ଥାନ ହୁଏ । ପୁଞ୍ଜିପତି ଶ୍ରେଣୀ ଶିବିର ବଦଳାଇ ବିଜେପି ନଉକାରେ ସବାର ହୁଅନ୍ତି । ସେଥିପାଇଁ ବର୍ତ୍ତମାନ ବିଜେପି ଅନୁଦାନ ଗ୍ରହଣ କ୍ଷେତ୍ରରେ ପୁଞ୍ଜିପତିମାନଙ୍କ ପ୍ରଥମ ପସନ୍ଦର ଦଳ ।
ଜନଗଣଙ୍କ ସମ୍ପଦକୁ ହିଁ
ପୁଞ୍ଜିପତିମାନେ ଦାନ କରନ୍ତି
ଜାତୀୟ ସମ୍ପଦ, ରାଷ୍ଟ୍ରାୟତ୍ତ ଶିଳ୍ପ ଓ ସଂପତ୍ତିର ବେସରକାରୀକରଣ କଂଗ୍ରେସର ନରସିଂହ ରାଓ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲେ ହେଁ ଗତ ଏକ ଦଶନ୍ଧି ଧରି ବିଜେପି ଶାସନରେ ଏହା ଲଗାମ ଛଡା ଆକାର ଧାରଣ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, କଳ -କାରଖାନା, ରେଳବାଇ, ବ୍ୟାଙ୍କ, ବୀମା, ବନ୍ଦର, ଖଣିଖାଦାନ, ଜଙ୍ଗଲ-ଜମି ପ୍ରଭୃତି ଜାତୀୟ ସମ୍ପଦର ବ୍ୟାପକ ଘରୋଇକରଣ କରାଯାଉଛି । କାହା ହାତରେ ଏ ସବୁକୁ ଟେକି ଦିଆ ଯାଉଛି? ଏକଚାଟିଆ ପୁଞ୍ଜିପତିମାନଙ୍କ ହାତରେ । କୋଟି କୋଟି ଦେଶବାସୀଙ୍କ କଠିନ ପରିଶ୍ରମ ଓ ଟିକସ ଅର୍ଥରେ ଯେଉଁ ଜାତୀୟ ସମ୍ପତ୍ତି ଗୁଡିକ ଗଢି ଉଠିଥିଲା ତାହାକୁ ବିନା ମୂଲ୍ୟ ବା ନ୍ୟୁନତମ ମୂଲ୍ୟରେ ପୁଞ୍ଜିପତି ମାନଙ୍କ ହାତରେ ଟେକି ଦିଆଯାଉଛି । ଖାଲି ସେତିକି ନୁହେଁ, ସେମାନେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନଙ୍କରୁ ନେଇଥିବା ହଜାର ହଜାର କୋଟି ଟଙ୍କାର ଋଣ ମାଫ କରିଦିଆଯାଉଛି । ଟିକସ ଛାଡ କରିଦିଆଯାଉଛି । ହ୍ରାସ କରି ଦିଆଯାଉଛି କର୍ପୋରେଟ ଟିକସ । ଏସବୁ ଅସଲରେ ଜନଗଣଙ୍କ ସଂପତ୍ତି, ଜନଗଣଙ୍କ କଲ୍ୟାଣରେ ବିନିଯୋଗ ହେବା କଥା । ସେଥିରୁ ଜନଗଣଙ୍କୁ ବଂଚିତ କରି ସେ ସବୁକୁ ପୁଞ୍ଜିପତିମାନଙ୍କ ହାତରେ ଟେକି ଦେଉଛି ବିଜେପି ସରକାର ।
ଅର୍ଥାତ, ପୁଞ୍ଜିପତି ଶ୍ରେଣୀର ଏକାନ୍ତ ଅନୁଗତ ସେବକ ହିସାବରେ ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତି ମାନଙ୍କୁ ଶାସକ ବିଜେପି ସମସ୍ତ ପ୍ରକାର ସେବା ଯୋଗାଇ ଆସୁଛି । ଏହାର ପରିଣାମ କ’ଣ ହେଉଛି? ଦେଶର ସମ୍ପଦ କେନ୍ଦ୍ରୀଭୂତ ହେଉଛି ମୁଷ୍ଟିମେୟ ଏକଚାଟିଆ ପୁଞ୍ଜିପତିମାନଙ୍କ ହାତରେ । ଅନ୍ୟଦିଗରେ, ଶାସକ ବିଜେପି ର ଜନସ୍ୱାର୍ଥ ବିରୋଧି ନୀତିଗୁଡିକର ପରିଣାମରେ ଜନଜୀବନରେ ଦେଖା ଦେଇଛି ହାହାକାର । କ୍ରମାଗତ ନିସ୍ୱ ହୋଇଚାଲିଛନ୍ତି ସଂଖ୍ୟାଗରିଷ୍ଠ ମଣିଷ । ଦେଶର ଏକ ଶତାଂଶ ପୁଞ୍ଜିପତି ହାତରେ ଠୁଳ ହୋଇଛି ଦେଶର ସମସ୍ତ ସଂପତ୍ତିର ୪୦ ଶତାଂଶରୁ ଅଧିକ ସଂପତ୍ତି । ସମାଜର ସବା ତଳେଥିବା ୫୦ ଶତାଂଶ ମଣିଷ ନିକଟରେ ରହିଛି ମାତ୍ର ଏକ ଶତାଂଶ ସଂପତ୍ତି । ସେଥିପାଇଁ ପୁଞ୍ଜିପତିମାନେ ନିଜର ବିଶ୍ୱସ୍ତ ସେବକଙ୍କୁ ଅର୍ଥ ଦେଇ,ପ୍ରଚାର ଦେଇ କ୍ଷମତାରେ ରଖିବାକୁ ସମସ୍ତ ଚେଷ୍ଟା ନିଶ୍ଚୟ କରିବେ । ନିଜ ପସନ୍ଦର ରାଜନୈତିକ ଦଳକୁ ଅନୁଦାନ ଦେବା ସେମାନଙ୍କ ବ୍ୟବସାୟର ଏକ ଅଙ୍ଗ ।
ଶାସକ ଶ୍ରେଣୀର ଅନ୍ୟାନ୍ୟ ଅନୁଗତ ଦଳମାନେ ମଧ୍ୟ ଭାଗ ପାଆନ୍ତି
କେବଳ ବିଜେପିକୁ ଟଙ୍କା ଦେଲେ ଚଳିବ ନାହିଁ । କାରଣ, ଆଗାମୀ ଦିନରେ ବିଜେପି ବିରୁଦ୍ଧରେ ଜନତା କ୍ଷୁବ୍ଧ ହେଲେ, ବାସ୍ତବରେ ଯେଭଳି ସରକାର ବିରୋଧୀ କ୍ଷୁବ୍ଧତା ବଢିଚାଲିଛି, ଅନ୍ୟ କୌଣସି ନିର୍ଭରଯୋଗ୍ୟ ଦଳକୁ ପ୍ରସ୍ତୁତ ରଖିବାକୁ ପଡିବ । ସେଥିପାଇଁ ସେମାନେ ବିଜେପି ପାଖାପାଖି ଅନ୍ୟ ଜାତୀୟଦଳ କଂଗ୍ରେସକୁ ମଧ୍ୟ ଚାନ୍ଦା ଦିଅନ୍ତି । ତାଛଡା ବିଭିନ୍ନ ରାଜ୍ୟରେ ସକ୍ରିୟ ଥିବା ଆଂଚଳିକ ଦଳମାନଙ୍କ ପାଖରୁ ବିଭିନ୍ନ ସୁବିଧା ସୁଯୋଗ ହାତେଇବା ପାଇଁ ସେମାନଙ୍କୁ ମଧ୍ୟ ଚାନ୍ଦା ଦିଅନ୍ତି । ୨୦୨୩-୨୪ ଆର୍ôଥକ ବର୍ଷରେ କର୍ପୋରେଟ ଅନୁଦାନର ଦ୍ୱିତୀୟ ସ୍ଥାନରେ ଅଛି ତେଲେଙ୍ଗାନାର ଭାରତ ରାଷ୍ଟ୍ରୀୟ ସମିତି । ସେମାନେ ପାଇଛନ୍ତି ୫୮୦ କୋଟି ଟଙ୍କା । ତୃଣମୂଳ କଂଗ୍ରେସ ପାଇଛି ୧୭୦୮ କୋଟି । ଏ ରାଜ୍ୟର ବିଜେଡ଼ି ପାଇଛି ୧୦୧୬ କୋଟି ଟଙ୍କା । ତାମିଲନାଡୁର ଡ଼ିଏମକେ ପାଇଛି ୬୩୯ କୋଟି, ଆନ୍ଧ୍ରପ୍ରଦେଶର ୱାଇଏସ୍ଆର ପାଇଛି ୫୦୩ କୋଟି ଟଙ୍କା ।
ଜାତୀୟ ତଥା ଜନଗଣଙ୍କ ସଂପତ୍ତି ଗ୍ରାସ କରିବାର ସୁଯୋଗ ପୁଞ୍ଜିପତିମାନଙ୍କୁ କରି ଦେଇଥିବା ଏ ସମସ୍ତ ଦଳମାନଙ୍କର ଏମପି, ଏମଏଲଏ , ମନ୍ତ୍ରୀ ମାନଙ୍କ ପଛରେ ଲୁଟର କିଛି ଅଂଶ ଖର୍ଚ୍ଚ କରି ସେମାନଙ୍କ ଅୟସ ଆରାମ ବିଳାସ-ବ୍ୟସନରେ ରହିବାର ବ୍ୟବସ୍ଥା କରିଦିଅନ୍ତି । ସେଥିପାଇଁ ଏହି ଦଳ ଗୁଡିକର ମନ୍ତ୍ରୀ, ସାଂସଦ, ବିଧାୟକ ମାନେ ଜନପ୍ରତିନିଧି ନାମରେ ସରକାରୀ ନୀତି ନିର୍ଦ୍ଧାରଣରେ ବାସ୍ତବରେ ପୁଞ୍ଜିପତି ମାନଙ୍କର ପ୍ରତିନିଧିତ୍ୱ କରନ୍ତି ।
ଦଳର ଶ୍ରେଣୀ ଚରିତ୍ର ଜନଗଣଙ୍କୁ ବୁଝେଇବାକୁ ହେବ
ଯେଉଁମାନେ ସାଧାରଣ ଭାବରେ ସମାଜରେ ଶ୍ରେଣୀ ଶାସନ ,ଶ୍ରେଣୀ ଦଳର ଅସ୍ତିତ୍ୱ ଧରିପାରନ୍ତି,ଏହି ସବୁ ଘଟଣା ସେମାନଙ୍କୁ ସୂଚାଇ ଦେଉଛି ଯେ, ଯେଉଁ ଦଳ ଶାସକ ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ କାମ କରନ୍ତି, ତାର ନାଁ ଯାହା ହେଉନା କାହିଁକି, ତାର ପତାକାର ରଙ୍ଗ ଯାହା ହେଉନା କାହିଁକି, ତାହା ପ୍ରକୃତରେ ପୁଞ୍ଜିପତି ଶ୍ରେଣୀର ଦଳ । ଅନ୍ୟଦିଗରେ ଯେଉଁ ଦଳ ଶାସକ ଶ୍ରେଣୀର ସ୍ୱାର୍ଥର ବିପରୀତରେ ଶୋଷିତ ଜନଗଣଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଲଢେଇ କରେ ସେ ଦଳ, ଶୋଷିତ ମଣିଷଙ୍କ ଦଳ । ସମାଜରେ ଶ୍ରେଣୀ ଯେମିତି ଦୁଇଟା- ଶୋଷକ ଏବଂ ଶୋଷିତ, ଶାସକ ଏବଂ ଶାସିତ, ସେମିତି ବାସ୍ତବରେ ଦଳମାନଙ୍କର ସଂଖ୍ୟା ଯେତେ ହେଉନା କାହିଁକି ତାହା ପ୍ରକୃତରେ ଦୁଇ ପ୍ରକାର, ପୁଞ୍ଜିପତି ଶ୍ରେଣୀର ସ୍ୱାର୍ଥ ରକ୍ଷାକାରୀ ଦଳ ଏବଂ ଶୋଷିତ ମଣିଷର ସ୍ୱାର୍ଥ ରକ୍ଷାକାରୀ ଦଳ । ଯେଉଁମାନେ ଆଜି ପୁଞ୍ଜିପତିମାନଙ୍କ ମଦତପୃଷ୍ଟ ଏକ ଦଳର କୁଶାସନ ରେ କ୍ଷୁବ୍ଧ ହୋଇ ପୁଞ୍ଜିପତିମାନଙ୍କର ଆଉ ଏକ ଦଳକୁ ସମର୍ଥନ କରୁଛନ୍ତି, ସେମାନେ ରାଜନୀତିର ଅନ୍ଧ ଗଳିରେ ବାଟବଣା ହେବାକୁ ବାଧ୍ୟ । ଏହି ସତ୍ୟ ଆଜି ସମସ୍ତଙ୍କୁ ବୁଝିବାକୁ ହେବ । ଶୋଷିତ ମଣିଷର ନିଜସ୍ୱ ଦଳ ବ୍ୟତୀତ ସେମାନଙ୍କ ସ୍ୱାର୍ଥ ରକ୍ଷା ଅସମ୍ଭବ । ଏସୟୁସିଆଇ(କମୁନିଷ୍ଟ) ଦଳ ସେହି ଦଳ । ଯିଏ ଜନଗଣଙ୍କ ସ୍ୱାର୍ଥ ରକ୍ଷାର ପ୍ରତିଟି ସଂଗ୍ରାମ ସଫଳ କରିବା ପାଇଁ ଜନଗଣଙ୍କ ନିକଟକୁ ଯାଏ, ଜନଗଣ ମଧ୍ୟ ତାଙ୍କର ସାଧ୍ୟ ହିସାବରେ ଏହି ଦଳକୁ ସାହାଯ୍ୟର ହାତ ବଢାଇ ଦିଅନ୍ତି । ପୁଞ୍ଜିପତିମାନଙ୍କ ଶୋଷଣ ବିରୁଦ୍ଧରେ, ଜନଗଣଙ୍କ ସଂପତ୍ତି ଲୁଟ ବିରୁଦ୍ଧରେ ଏହି ଦଳର ସଂଗ୍ରାମ ଜାରି ରହିଛି । ଏହି ସଂଗ୍ରାମ କୌଣସି ସମୟରେ ପୁଞ୍ଜିପତିମାନଙ୍କ ଟଙ୍କାରେ ହୋଇନାହିଁ । ଆଜି ଏହି ଦଳର ଦୃତ ଶକ୍ତି ବୃଦ୍ଧି ଉପରେ ନିର୍ଭର କରୁଛି ଜନଜୀବନର ମୌଳିକ ସମସ୍ୟାର ସମାଧାନ । ପୁଞ୍ଜିପତି ମାନେ ଯେମିତି ନିଜ ଦଳକୁ ଚିହ୍ନି ନିଅନ୍ତି, ସେମିତି ସାଧାରଣ ମଣିଷଙ୍କୁ ସେମାନଙ୍କର ନିଜର ଶ୍ରେଣୀ ଦଳକୁ ଚିହ୍ନି ନେବାକୁ ହେବ । ନହେଲେ ସାଧାରଣ ମଣିଷ ଆଉ କେତେ କାଳ ଏହି ବୁର୍ଜୁଆ ଦଳମାନଙ୍କ ପଛରେ ନିଜର ଶକ୍ତି କ୍ଷୟ କରିବେ?