ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ର ଆଉ ଏକ ମାରାତ୍ମକ ପଦକ୍ଷେପ ୪ବର୍ଷିଆ ଡିଗ୍ରୀ କୋର୍ସ

Sarbaharakranti Dated 20.01.2025 –

କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶ୍ରେଣୀ ପାଇଁ ଫର୍ମ ବାହାରିଲା । ପ୍ରଥମ ଚରଣର ଆଡମିସନ ଶେଷ ହୋଇଗଲା । ଅଗଷ୍ଟ ୧ତାରିଖରୁ ସରକାରୀ ଆଦେଶ ମୁତାବକ ଓଡିଶାର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ପାଠ ପଢା ବି ଆରମ୍ଭ ହୋଇଗଲା । ଛାତ୍ର-ଛାତ୍ରୀମାନେ ପ୍ରତ୍ୟେକ ନୂଆ କଲେଜର ବାତାବରଣ ସହିତ ନିଜକୁ ଖାପ-ଖୁଆଇବାକୁ ଚେଷ୍ଟା କରୁଥାନ୍ତି । ଶିକ୍ଷକମାନେ ପାଠ୍ୟକ୍ରମରେ ନିଜ ନିଜର ଅଂଶ ପଢାଇବା ଆରମ୍ଭ କରିଦେଇ ଥାଆନ୍ତି । ପିଲାମାନେ ଜାଣି ଥାଆନ୍ତି, ସେମାନେ ୩ବର୍ଷଆ ସ୍ନାତକ ଶ୍ରେଣୀରେ ନାମ ଲେଖାଇଛନ୍ତି । ଯେଉଁଥିରେ ୬ଟି ସେମିଷ୍ଟାର ପରୀକ୍ଷା ହେବ । କାରଣ ଏହା ଆରମ୍ଭରୁ ହିଁ ସମସ୍ତ ଶିକ୍ଷାନୁଷ୍ଠାନର ପ୍ରବେଶିକା ପୁସ୍ତକ(ଚକ୍ସକ୍ଟଗ୍ଦକ୍ଟ୍ରରମଗ୍ଧଙ୍କଗ୍ଦ) ରେ ଖୁବ୍ ସ୍ପଷ୍ଟ ଭାବରେ ଉଲ୍ଲେଖ ଥିଲା । କିନ୍ତୁ ଏହିପରି ଏକ ସମୟରେ ଓଡିଶାର ନୂତନ ଭାବେ ନିର୍ବାଚିତ ବିଜେପି ସରକାର ତରବରିଆଭାବେ ଓଡ଼ିଶାର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ନୂଆ ପାଠ୍ୟକ୍ରମ ମୁତାବକ ପାଠପଢା ହେବ ବୋଲି ନିଷ୍ପତ୍ତି ନେଲେ । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏଥିପାଇଁ ପାଠ୍ୟ ଖସଡା ସମସ୍ତ ଶିକ୍ଷାନୁଷ୍ଠାନକୁ ପଠାଇ ଦେଲେ ଓ ପ୍ରତ୍ୟେକ ଉଚ୍ଚଶିକ୍ଷାନୁଷ୍ଠାନରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲା । ରାତାରାତି ସଂପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତ୍ତନ କରାଗଲା । ଏହା ସହିତ ସଂଶ୍ଳିଷ୍ଟ ସମସ୍ତଙ୍କ ମୁଣ୍ଡରେ ଚଡକ ପଡିଲା । ଦେଖାଗଲା ଏହି ବ୍ୟବସ୍ଥାଟି ଅଡୁଆ ସୂତାର ଏକ ଛନ୍ଦାଛନ୍ଦି ହୋଇଥିବା ଗୋଲକ ଧନ୍ଦା । ଗୋଟିଏ ପଟରେ ଖିଅକୁ ଖୋଲିବାକୁ ଚେଷ୍ଟା କଲେ, ଆରପଟରେ ଗଣ୍ଠି ପଡିଯାଉଛି ।
ସେପ୍ଟେମ୍ବର ମାସ ୪ତାରିଖରେ ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଲାଗୁ କରିବାପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଦୁଇଦିନିଆ, ଆଲୋଚନା ଚକ୍ର ରଖାଗଲା । ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୂଳପତି, କଲେଜ ପ୍ରିନ୍‌ସିପାଲ, ବରିଷ୍ଠ ଅଧ୍ୟାପକମାନଙ୍କୁ ନେଇ ଏହି ଦୁଇ ଦିନିଆ ଆଲୋଚନା ଚକ୍ରରେ ବେଶ ଭାଷଣବାଜି ହେଲା କିନ୍ତୁ କଲେଜ ବା ବିଶ୍ୱବିଦ୍ୟାଳୟ ସ୍ତରରେ ଏହାକୁ କିପରି ଲାଗୁ କରାଯିବ, ତାର କୌଣସି ନିର୍ଦ୍ଧିଷ୍ଟ ଖସଡା ବାହାରି ପାରିଲା ନାହିଁ । ଓଡିଶା ରାଜ୍ୟ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ଏହି ପାଠ୍ୟକ୍ରମକୁ ବିବେଚନା କଲେ ମୁଣ୍ଡ ଘୁରାଇଯିବା ସୁନିଶ୍ଚିତ । ପୂର୍ବ ବ୍ୟବସ୍ଥା ମୁତାବକ ଗୋଟିଏ ପିଲା +୩ ଶ୍ରେଣୀରେ ଯୋଗ ଦେଲେ, ସେ ୩ବର୍ଷରେ ୬ଟି ସେମିଷ୍ଟାର ପରୀକ୍ଷା ଦେଇ, ଗୋଟିଏ ସାର୍ଟିଫିକେଟ ସହ ସ୍ନାତକ ଶ୍ରେଣୀ ଉତ୍ତିର୍ଣ୍ଣ ହେଉଥିଲା । କିନ୍ତୁ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ର ଏହି ନୂଆ ବ୍ୟବସ୍ଥାରେ ଗୋଟିଏ ପିଲା ସ୍ନାତକ ଶ୍ରେଣୀରେ ନାମ ଲେଖାଇଲେ, ୭ପ୍ରକାର ସାର୍ଟିଫିକେଟ ନେଇ ପାସ କରିବାର ବ୍ୟବସ୍ଥା ରହିଛି ।
ପ୍ରଥମତଃ, ଜଣେ ଛାତ୍ର ଗୋଟିଏ ବର୍ଷ ପଢିବ, ଦୁଇଟି ସେମିଷ୍ଟାର ପରୀକ୍ଷା ସହ ଖରାଛୁଟିରେ କିଛି ଇଣ୍ଡର୍ଣ୍ଣସିପ ପାଠ(ଇଲେକ୍ଟ୍ରିସିଆ, ଫିଟର ପରି କାରିଗରୀ ବିଦ୍ୟାରେ) ଶେଷ କରି ସ୍ନାତକ-ସାର୍ଟିଫିକେଟ କୋର୍ସ ସହ କଲେଜରୁ ବାହାରି ଯାଇ ପାରିବ । ଦ୍ୱିତୀୟତଃ, ଜଣେ ଛାତ୍ର ଦୁଇ ବର୍ଷର ୪ଟି ସେମିଷ୍ଟାର ପରୀକ୍ଷା ସହ ଖରାଛୁଟିରେ ଇଣ୍ଟର୍ଣ୍ଣସିପ ପାଠ ଶେଷ କରି ସ୍ନାତକ-ଡିପ୍ଲୋମା ସାର୍ଟିଫିକେଟ୍ ନେଇ ବାହାରି ଯାଇପାରିବ । ତୃତୀୟତଃ, ୩ବର୍ଷରେ ୬ଟି ସେମିଷ୍ଟାର ପାସ କରି, ଗୋଟିଏ ବିଷୟକୁ ଅନର୍ସ ବା ମୁଖ୍ୟ ବିଷୟ ଭାବେ ରଖି ତିନି ବର୍ଷିଆ ସ୍ନାତକ ଡିଗ୍ରୀ ନେଇ ପାସ କରିପାରିବ । ଚତୁର୍ଥତଃ, ତିନି ବର୍ଷରେ ୬ଟି ସେମିଷ୍ଟାର ପାସ କରି, ଦୁଇଟି ବିଷୟକୁ ଅନର୍ସ ବା ମୁଖ୍ୟ ବିଷୟ ଭାବରେ ରଖି ତିନି ବର୍ଷିଆ ସ୍ନାତକ ଡିଗ୍ରୀ ନେଇ ପାସ କରିପାରିବ । ପଞ୍ଚମତଃ, ତିନି ବର୍ଷର ୬ଟି ସେମିଷ୍ଟାର ପାସ କରି, କୌଣସି ବିଷୟକୁ ଅନର୍ସ ବା ମୁଖ୍ୟ ବିଷୟ ଭାବେ ନ ରଖି ତିନି ବର୍ଷିଆ ସ୍ନାତକ ଡିଗ୍ରୀ ନେଇ ପାସ କରିପାରିବ । ଷଷ୍ଠତଃ, ଗବେଷଣା ବିନା ୪ବର୍ଷିଆ ଅନର୍ସ କୋର୍ସ ଏବଂ ସପ୍ତମତଃ, ଗବେଷଣା ସହ ୪ବର୍ଷିଆ ଅନର୍ସ କୋର୍ସ ।
ଏହି ମହାଜଟିଳ ବ୍ୟବସ୍ଥା, ଗୋଟିଏ ଶ୍ରେଣୀ କିନ୍ତୁ ସାତ ପ୍ରକାର ପ୍ରସ୍ଥାନ ଦ୍ୱାରର ଆବଶ୍ୟକତା କ’ଣ? ପ୍ରକୃତରେ ସ୍ନାତକ ପାଠପଢାର ଉଦ୍ଦେଶ୍ୟ କ’ଣ? ଏପରି ସାତ ପଥ ପ୍ରସ୍ଥାନର ଜଟିଳ ବ୍ୟବସ୍ଥା କ’ଣ ସତରେ ଏହି ଶ୍ରେଣୀରେ ପାଠ ପଢିବାର ମୂଳ ଉଦ୍ଦେଶ୍ୟକୁ କୌଣସି ଭାବରେ ସାହାଯ୍ୟ କରିବ? ତେବେ ଏହି ବିଷୟ ମଧ୍ୟକୁ ଯିବା ପୂର୍ବରୁ ଆଉ ଗୋଟିଏ କଥା କହି ରଖିବା ଜରୁରୀ ।
ଏହି ପାଠ୍ୟ ଖସଡାର ଅନ୍ୟ ଏକ ଦିଗ ଅଛି । ଯଦି କେହି ଛାତ୍ର ପ୍ରଥମ ବର୍ଷ ବା ଦ୍ୱିତୀୟ ବର୍ଷ ପାଠ ଅଧାରୁ ଛାଡି ତଥାକଥିତ ସାର୍ଟିଫିକେଟ୍ ବା ଡିପ୍ଲୋମା ବା ଡିଗ୍ରୀ ସହ ବାହାରି ଯାଇଥିବ ସେ ତାର ୨ବର୍ଷ ମଧ୍ୟରେ ପୁନରାୟ ନାମ ଲେଖାଇ ସଂପୂର୍ଣ୍ଣ ୩ବର୍ଷିଆ ବା ୪ବର୍ଷିଆ ସ୍ନାତକ ଡିଗ୍ରୀ ସଂପୂର୍ଣ୍ଣ କରିପାରିବ । ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ଗୋଟିଏ ପିଲା କାହିଁକି ନିଜ ମୂଲ୍ୟବାନ ସମୟ ନଷ୍ଟ କରି ପ୍ରଥମ ବର୍ଷ ବା ଦ୍ୱିତୀୟ ବର୍ଷ ପାଠ ଛାଡିଦେବ ପୁଣି ଫେରିଆସି ସେହି ପାଠ୍ୟ କ୍ରମରେ ଯୋଗ ଦେବ? ପୁଣି ପାଠ ପଢିବା-ପଢାଇବା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା । କେଉଁଠାରେ କେବେ ମଝିରୁ ପାଠ ଛାଡିବା ଏକ ବ୍ୟତିକ୍ରମ ହୋଇପାରେ, କିନ୍ତୁ ସୁନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ବର୍ଷ ବା ଦୁଇବର୍ଷ ପାଠପଢି ଗୋଟିଏ ଅଧାପନ୍ତରିଆ ସାଟିଫିକେଟ୍ ନେଇ ୨ବର୍ଷ କାଳ ବାହାରେ ବୁଲିବାର ଆବଶ୍ୟକତା କ’ଣ? ଏହାର ଉଦ୍ଦେଶ୍ୟ କ’ଣ? ଏଥିରେ ପାଠପଢିବାର ମହାନ ଧାରାଟି କ’ଣ ଚରିତାର୍ଥ ହେବ? ବରଂ ପାଠପଢାରୁ ଦୂରରେ ରହିଲେ ପୂର୍ବପାଠ ସହ ସଂପର୍କ ଚ୍ଛିନ୍ନ ହେବ ଏବଂ ନୂଆ ଭାବରେ ପୁନରାୟ ପାଠ୍ୟକ୍ରମରେ ଯୋଗ ଦେଇ ୩ ବା ୪ବର୍ଷିଆ ସ୍ନାତକ ଡିଗ୍ରୀପାଇଁ ପାଠ ପଢିବାର ସାହସ ମଧ୍ୟ ରହିବ ନାହିଁ । ତେଣୁ ମଝିରେ ପାଠ ଛାଡିବାକୁ ଏକ ସୁନିର୍ଦ୍ଦିଷ୍ଟ ବ୍ୟବସ୍ଥାର ରୂପ ଦେଇ ସରକାର କିଛି ଅଧାପାଠୁଆ ସୃଷ୍ଟି କରିବାର ଅଭିସନ୍ଧି ହିଁ କରିଛନ୍ତି । ଏହା ଛଡା ଏପରି ବ୍ୟବସ୍ଥାର ଆଉ କ’ଣ ବା କାରଣ ହୋଇପାରେ?
ଆମେ କେବେ ଗୋଟିଏ ନୂଆ ରାସ୍ତାରେ ଯିବା ସମୟରେ ଯଦି ଦୋଛକି ଟିଏ ପଡେ, ତେବେ କେଉଁ ରାସ୍ତାଟି ନେଲେ ଠିକ୍ ଗନ୍ତବ୍ୟ ସ୍ଥଳରେ ପହଞ୍ôଚଚିବୁ ତାହା ଠିକ କରିବା କଠିନ ହୋଇପଡେ, ପାଂଚ ଲୋକକୁ ପଚାରିଲା ପରେ ମଧ୍ୟ ଭୁଲ ରାସ୍ତାଟି ଧରି ନେବାର ଯଥେଷ୍ଟ ସମ୍ଭାବନା ଥାଏ । ଭାବି ଦେଖନ୍ତୁତ ଗୋଟିଏ ୧୮-୧୯ବର୍ଷର ପିଲାକୁ ଏହିପରି ଏକ ୭ଛକିଆ ରାସ୍ତାରେ ଯଦି ଠିଆ କରି ଦିଆଯାଏ ଏବଂ ତାକୁ ତା’ର ଭବିଷ୍ୟତର ରାସ୍ତା ବାଛିବାକୁ କୁହଯାଏ ତେବେ ତାର କି ପରିଣତ ହେବ? ଏହା ନିଶ୍ଚିତ ଯେ ଗୋଟିଏ ବଡ ସଂଖ୍ୟାର ଛାତ୍ର ବାଟବଣା ହେବେ । କେବେ ଏପଟ ପୁଣି କେବେ ସେପଟ ରାସ୍ତାରେ ଆଗ ପଛ ହେଉ ହେଉ ଜ୍ଞାନ ଅର୍ଜନର ମୂଳ ବିଷୟଟି ଅବାଟରେ ଯାଇ ଲକ୍ଷ୍ୟ ସ୍ଥଳରୁ ବିଚ୍ୟୁତ ହେବାପାଇଁ ବାଧ୍ୟ ହେବେ । ସବୁ ଜାଣିବୁଝିି ଛାତ୍ରମାନଙ୍କୁ ବାଟବଣା କରିବା ପାଇଁ ଏହି ଯେଉଁ ଷଡଯନ୍ତ୍ର କରାଯାଉଛି ତାହାର ପ୍ରକୃତ ଉଦ୍ଦେଶ୍ୟ କ’ଣ? ଏହା ମାନବ ଜାତି ପାଇଁ, ଭବିଷ୍ୟତ ପୀଢିର ପିଲାଙ୍କ ଜ୍ଞାନ ଅର୍ଜନ ମାର୍ଗରେ ଏକ ବିରାଟ ପ୍ରତିବନ୍ଧକ ନୁହେଁ କି?
ପାଠପଢିବା ଓ ପଢାଇବା ପ୍ରକ୍ରିୟାରେ ଯେଉଁଠାରେ ଉଚ୍ଚତର ଜ୍ଞାନର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା ହୁଏ ସେଠାରେ ଛାତ୍ର ଶିକ୍ଷକ ମଧ୍ୟରେ ଏକ ସୂକ୍ଷ୍ମ ସଂପର୍କ ଗଢିଉଠିବା ହେଉଛି ପ୍ରାଥମିକ ଆବଶ୍ୟକତା । ଶିକ୍ଷକମାନଙ୍କୁ ଭଲ ପାଇବା ମଧ୍ୟରେ ଛାତ୍ରଛାତ୍ରୀମାନେ ଜ୍ଞାନର ବିଭିନ୍ନ ଦିଗ ପ୍ରତି ଆକୃଷ୍ଟ ହୁଅନ୍ତି । ପ୍ରଶ୍ନ କରିବା, ଚର୍ଚ୍ଚା-ଆଲୋଚନା କରିବା, ଗଭୀରଭାବେ ଅଧ୍ୟୟନ କରିବାପାଇଁ ମାନସିକ ସ୍ତରରେ ପ୍ରେରଣା ମଧ୍ୟ ଛାତ୍ର-ଛାତ୍ରୀମାନେ ଶିକ୍ଷକମାନଙ୍କୁ ଦେଖି ଶିଖିଥାଆନ୍ତି । କିନ୍ତୁ ବର୍ତ୍ତମାନର ଏହି ଶିକ୍ଷାନୀତି ଛାତ୍ର-ଶିକ୍ଷକର ସଂପର୍କକୁ ସମୂଳେ ଧ୍ୱଂସ କରିବ ।
ପ୍ରଥମ ବର୍ଷ ଶେଷ ହେଉ ହେଉ କିଛି ପିଲା ଛାଡି ଚାଲିଯିବେ, ପୁନରାୟ କିଛି ପୁରୁଣା ପିଲା ହୁଏତ ୧ବର୍ଷ ବା ୨ବର୍ଷ ତଳର ଯିଏ ପୂର୍ବରୁ ସ୍ନାତକ-ସାଟିଫିକେଟ କୋର୍ସ କରିଥିବେ ସେମାନେ ଆସି ଯୋଗ ଦେବେ । ଏହିପରି ପରିସ୍ଥିତି ୨ୟ ଏବଂ ୩ୟ ବର୍ଷ ପିଲାମାନଙ୍କ ପାଇଁ ଲାଗି ରହିବ । ତେଣୁ କୌଣସି ବର୍ଷ ଶ୍ରେଣୀରେ ସମାନ ପିଲା ରହିବେ ନାହିଁ । ପ୍ରତିବର୍ଷ ବଦଳୁଥିବା ଏହି ଛାତ୍ରମାନଙ୍କ ସହ ଶିକ୍ଷକମାନଙ୍କର କେବେ ବି ଘନିଷ୍ଠତା ଗଢି ଉଠିପାରିବ ନାହିଁ । ପରିସ୍ଥିତି ଏହିପରି ହେବ ଯେ, ଶିକ୍ଷକମାନେ ଗୋଟିଏ ଗୋଟିଏ କ୍ଲାସ ନେଉଛନ୍ତି, କିନ୍ତୁ ଏବର୍ଷ ଯେଉଁ ପିଲା ଅଛନ୍ତି ସେମାନେ ଆସନ୍ତା ବର୍ଷ ନାହାନ୍ତି । କେଉଁ ଛାତ୍ର ଗୋଟିଏ କୋର୍ସ ନେଉଛି, ପୁଣି କେହି ଅନ୍ୟଗୋଟିଏ । ଶ୍ରେଣୀଗୃହଟି ଭ୍ରାମ୍ୟମାଣ ଛାତ୍ରଙ୍କର ଏକ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ପରିଣତ ହୋଇଛି । ତେଣୁ ଛାତ୍ର-ଶିକ୍ଷକ ସଂପର୍କର ଯେଉଁ ସୂକ୍ଷ୍ମ ବନ୍ଧନ ମଧ୍ୟରେ ଜ୍ଞାନ-ବିଜ୍ଞାନର ବିଭିନ୍ନ ଦିଗଗୁଡିକ ଜୀବନ ସହ ଏକାତ୍ମ ହୋଇ ପ୍ରସ୍ପୁଟିତ ହେବା କଥା ତାହା କଢରୁ ହିଁ ମଉଳି ଯିବ । ଏହା ହିଁ ହେବ ଏହାର ଅପରିହାର୍ଯ୍ୟ ପରିଣତି ।
ଏହି ଶିକ୍ଷା ଖସଡା ପୁଣି କହୁଛି କି, ଯଦି କେହି ଛାତ୍ର ଚାହିଁବେ ତେବେ କୌଣସି ବିଶେଷ ପେପର ବା ବିଷୟ ନିଜ କଲେଜ ବା ବିଶ୍ୱବିଦ୍ୟାଳୟକୁ ବାଦ ଦେଇ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରୁ କରିପାରିବେ ନଚେତ୍ କୌଣସି ଅନଲାଇନ କୋର୍ସରୁ ମଧ୍ୟ କରିପାରିବେ । ଏହା ସହିତ ପଦାର୍ଥ ବିଜ୍ଞାନ ବା ଗଣିତରେ ଅନର୍ସ କରୁଥିବା ପିଲାଟି ଶାସ୍ତ୍ରୀୟ ସଂଗୀତ ବା ସମାଜ ବିଜ୍ଞାନକୁ ମାଇନର ବା ଇଲେକ୍ଟିଭ ବା ସହଯୋଗୀ ବିଷୟ ଭାବରେ ନେଇପାରିବେ । କହିବାର ତାତ୍ପର୍ଯ୍ୟ ହେଉଛି ସ୍ନାତକ ପାଠପଢାରେ ଗୋଟିଏ ମୁଖ୍ୟ ବିଷୟ ବା ଅନର୍ସରେ ଉଚ୍ଚତର ଶିକ୍ଷା ଗ୍ରହଣ କରିବା ସହ ଏପରି ସହଯୋଗୀ ବିଷୟ ନେବାର ବ୍ୟବସ୍ଥା କରାଯାଇଥାଏ ଯାହା ଫଳରେ ମୁଖ୍ୟ ବିଷୟଟିକୁ ସାମଗ୍ରିକ ଭାବେ ବୁଝିବା ବା ବିଭିନ୍ନ ଦିଗରୁ ବୁଝିବାରେ ଏହା ସହାୟକ ହୋଇଥାଏ । ଯେପରି ପ୍ରାଣୀ ବା ଉଦ୍ଭିଦ ବିଜ୍ଞାନ ସହ ରାସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ସହ ଗଣିତ, ଅର୍ଥଶାସ୍ତ୍ର ସହ ରାଜନୀତି ବିଜ୍ଞାନ, ଶାସ୍ତ୍ରୀୟ ସଂଗୀତ ସହ ମାତୃଭାଷା କିନ୍ତୁ ଏହି ମୁଖ୍ୟ ବିଷୟ ସହ ସଂପୂର୍ଣ୍ଣ ଭାବରେ ସଂପର୍କ ବିହୀନ କୌଣସି ବିଷୟକୁ ସହଯୋଗୀ ବିଷୟ ଭାବରେ ନେଲେ ନା ଅନର୍ସ ବା ମୁଖ୍ୟ ବିଷୟକୁ ବୁଝିବାରେ ସାହାଯ୍ୟ ହେବ ନା ସହଯୋଗୀ ବିଷୟଟିରେ ବିଶେଷ ଦକ୍ଷତା ହାସଲ କରି ହେବ । ତେଣୁ ଛାତ୍ରଟିଏ, ଯିଏ କି ଉଚ୍ଚତର ଜ୍ଞାନ ପାଇଁ ସ୍ନାତକ ଶ୍ରେଣୀରେ ନାମ ଲେଖାଏ ସେ ଗୋଟିଏ ଅଣାୟତ୍ତ ପେଣ୍ଡୁଲମ୍ ପରି କେବେ କିଚି ଅସଂଯୋଜିତ ବିଷୟ ବସ୍ତୁ ମଧ୍ୟରେ- କେବେ ପୁଣି କୌଣସି ସଂପର୍କ ନଥିବା ଦୂର ଦୂରାନ୍ତର ଦୁଇଟି ବା ତତେଃାଧିକ କଲେଜ- ବିଶ୍ୱବିଦ୍ୟାଳୟ ମଧ୍ୟରେ ଝୁଲିବାକୁ ଲାଗିବ । ବିଶ୍ୱିବିଦ୍ୟାଳୟର ବାରଣ୍ଡା, ଶ୍ରେଣୀଗୃହ, ପାଠାଗାର, ହଷ୍ଟେଲ ଭିତରରେ ବୁଲୁ ବୁଲୁ ଶିକ୍ଷକମାନଙ୍କ ସହ ବିଭିନ୍ନ ଭାବରେ ଉଭୟ ଔପଚାରିକ ଓ ଅନୌପଚାରିକ ଭାବରେ ମିଶୁ ମିଶୁ ଛାତ୍ରଟିଏ ଏକ ସ୍ୱାଭାବିକ ପ୍ରକ୍ରିୟାରେ ଜ୍ଞାନର ଗନ୍ତାଘର ଭିତରେ ପ୍ରବେଶ କରେ । ଏପରିକି ସେ କଲେଜ ଏବଂ ହଷ୍ଟେଲ ମ୍ୟାଗାଜିନ ପାଇଁ ଲେଖାଟିଏ ପ୍ରସ୍ତୁତ କରିବା ଭିତରେ ନିଜର ସୃଜନଶୀଳତାକୁ ଉଖୁରେଇ ନିଜେ ନିଜକୁ ପରୀକ୍ଷା କରିନିଏ । କିନ୍ତୁ ଏହି ଶିକ୍ଷା ବ୍ୟବସ୍ଥା ଏ ସମସ୍ତ ପ୍ରକ୍ରିୟାରେ ଗୋଟିଏ ପୂର୍ଣ୍ଣଚ୍ଛେଦ ଟାଣି ଦେଇଛି । ଏହା ବଦଳରେ ପାଠପଢାରେ ଏକ ମଲ ବା ଦୋକାନର ସଂସ୍କୃତି ଆଣିବାର ଚେଷ୍ଟା କରିଛି, ଯାହା ଅତ୍ୟନ୍ତ ଭୟଙ୍କର । ଅର୍ଥାତ୍ କେହି ଅତ୍ୟନ୍ତ ଅସନ୍ତୁଷ୍ଟ ଗ୍ରାହକ ଯେପରି ହଜାର ଦୋକାନ ମୁଲେଇ ମୁଲେଇ କୌଣସି ଗୋଟିଏ ଜାଗାରୁ ଜିନିଷଟିଏ କିଣି ନିଜେ ଏକ ଗଡ ଜୟ କରିବାର ଧାରଣାରେ ରହେ, ଠିକ୍ ସେହିପରି ଛାତ୍ରଟିଏ ବାବନା ଭୂତ ଭଳି ଘୁରିବୁଲିବାକୁ ହିଁ ଏହି ଏନ୍‌ଇପି-୨୦୨୦ ସୁନିଶ୍ଚିତ କରୁଛି । ଛାତ୍ରଟିଏ ଯେକୌଣସି ଗୋଟିଏ ବିଷୟର ମରମ କଥା ବିଭିନ୍ନ ଲେଖକଙ୍କ ଦ୍ୱାରା ଲେଖା ପାଠ୍ୟପୁସ୍ତକ ମଧ୍ୟରେ ଖୋଜିବ । ଗୋଟିଏ ବିଷୟକୁ କିପରି ବିଭିନ୍ନ ଦିଗରୁ ପର୍ଯ୍ୟାଲୋଚନା କରାଯାଏ ତାହା ଶିଖିବ, ଏହାର ଅର୍ଥ ନୁହେଁ ଗୋଟିଏ ସ୍ନାତକ ଡିଗ୍ରୀ ପାଇଁ ୨ଟା କି ୩ଟା କି ୪ଟା ଶିକ୍ଷାନୁଷ୍ଠାନର ଦାଣ୍ଡରେ ଅଧିଆ ପଢିବ ।
କଥା ଏତିକିରେ ଶେଷ ହୋଇନାହିଁ । ବର୍ତ୍ତମାନ ଏହି ଏନ୍‌ଇପି-୨୦୨୦ମୁତାବକ ସ୍ନାତକ ଶ୍ରେଣୀ ପାଇଁ ଗୋଟିଏ ଛାତ୍ରକୁ ଅନର୍ସ ମୁଖ୍ୟ ବିଷୟ ଏବଂ ସହଯୋଗୀ ବିଷୟସହ ଅଧିକନ୍ତୁ ସ୍କିଲ ଏନହାନ୍‌ସମେଣ୍ଟ କୋର୍ସ, ମଲଟି-ଡିସିପ୍ଲିନାରି କୋର୍ସ, ଭ୍ୟାଲୁ ଆଡେଡ କୋର୍ସ, ଆବିଲିଟି ଏନ୍‌ହାନ୍‌ସମେଣ୍ଟ କୋର୍ସ ନାମରେ ପ୍ରାୟ ଅଧିକ ୧୦ଟି ମହା ଖେଚୁଡି ବିଷୟ ପଢିବାକୁ ପଡିବ । ଏଥିରୁ କିଛି କୋର୍ସ ପିଲାମାନେ ଅନଲାଇନରେ ପ୍ରସ୍ତୁତ ହୋଇଥିବା ବିଷୟଗୁଡିକରୁ ପଢି ନେବାପାଇଁ କୁହାଯାଇଛି ।
ଏହି ଆଲୋଚନାରୁ ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନ ନବ ନିର୍ବାଚିତ ବିଜେପି ରାଜ୍ୟ ସରକାର ସ୍ନାତକ ପାଠ୍ୟକ୍ରମ ସ୍ତରରେ ଯେଉଁ ନୂତନ ଶିକ୍ଷାନୀତିଟି ଲାଗୁ କରିଛନ୍ତି ତାହା ବସ୍ତୁତଃ ଉଚ୍ଚଶିକ୍ଷାର ମୂଳ ଉଦ୍ଦେଶ୍ୟ ଯାହା ଗୋଟିଏ ଦିଗରେ ଏକ ନିର୍ଦ୍ଦିଷ୍ଟ ବିଷୟରେ ଭଚ୍ଚତର ଜ୍ଞାନ ଗଢିତୋଳିବା ଏବଂ ଅନ୍ୟଦିଗରେ ଏକ ସାମଗ୍ରିକ ଭାବରେ ସମାଜ ଦରଦୀ ନାଗରିକ ଗଢିତୋଳିବା ପାଇଁ ଉଦ୍ଦିଷ୍ଟ ତାହାକୁ ସମୂଳେ ବିନାଶ କରିବ ।
ପାଠକମାନଙ୍କର ମନେ ହୋଇପାରେ ଯେ ତା’ହେଲେ ସ୍ନାତକ ଶ୍ରେଣୀରେ ବର୍ତ୍ତମାନ ପ୍ରଚଳିତ ପାଠ୍ୟକ୍ରମ ବା ପାଠ୍ୟଖସଡାରେ କ’ଣ କୌଣସି ପରିବର୍ତ୍ତନ ଆବଶ୍ୟକ ନାହିଁ? ଏହା କ’ଣ ଅପରିବର୍ତ୍ତନୀୟ? ବିଷୟଟି ଆଦୌ ସେଭଳି ନୁହେଁ । ମଣିଷ ସୃଷ୍ଟି କରିଥିବା ଜ୍ଞାନ ଭଣ୍ଡାରରେ ପ୍ରତିନିୟତ ପରିବର୍ତ୍ତନ ହେଉଛି । ଏପରିକି ପାଠପଢାଇବାର ପ୍ରକ୍ରିୟାରେ ମଧ୍ୟ ପ୍ରତିନିୟତ ଗବେଷଣା ହେଉଛି ଏବଂ ନୂଆ ପଦ୍ଧତି ସଂଯୋଜିତ ହେଉଛି । ତେଣୁ ଏହି ନୂତନ ଜ୍ଞାନ ଓ ନୂତନ ପ୍ରକ୍ରିୟାକୁ ଆପଣେଇ ନେବା ପାଇଁ ବିଶ୍ୱବିଦ୍ୟାଳୟ ସ୍ତରରେ ସୁନିଦ୍ଦିଷ୍ଟ ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ମୁତାବକ ପ୍ରତ୍ୟେକ ବିଭାଗର ବରିଷ୍ଠ ଅଧ୍ୟାପକମାନେ ପ୍ରତିବର୍ଷ ପାଠ୍ୟକ୍ରମର ପୁର୍ନମୂଲ୍ୟାୟନ କରନ୍ତି ଏବଂ ଏଥିରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟର ଅଭିଜ୍ଞତାକୁ ଏକତ୍ରିତ କରିବାପାଇଁ ସେହି ବିଶ୍ୱବିଦ୍ୟାଳୟର ବିଷୟବସ୍ତୁ ବିଶେଷଜ୍ଞମାନେ ମଧ୍ୟ ଏଥିରେ ଯୋଗ ଦିଅନ୍ତି । ଏହାକୁ ପ୍ରତି ବିଭାଗର ‘ବୋର୍ଡ ଅଫ୍ ଷ୍ଟଡିସ୍‌’ ବୋଲି କୁହାଯାଏ । ତେଣୁ ଅଭିଜ୍ଞ ଶିକ୍ଷକମାନଙ୍କ ଠାରୁ ପରାମର୍ଶ ନେଇ ବିଶେଷ ବିଭାଗର ଶିକ୍ଷକମାନେ ନିଜର ପଠାଇବା ଓ ଗବେଷଣାର ଅଭିଜ୍ଞତାକୁ ଏକତ୍ରିତ କରି ପାଠ୍ୟକ୍ରମକୁ ପ୍ରତିବର୍ଷ ପରିବର୍ତ୍ତନ କରିବାର ବ୍ୟବସ୍ଥା ରହିଛି ଏବଂ ସମସ୍ତ ବିଭାଗଗୁଡିକର ମିଳିତ ମତାମତଗୁଡିକୁ ଏକାଠି କରି ସମଗ୍ର ବିଶ୍ୱବିଦ୍ୟାଳୟ ସ୍ତରରେ ପାଠ୍ୟଖସଡା ପ୍ରସ୍ତୁତ କରାଯାଏ । ଏହାକୁ ଏକାଡେମିକ କାଉନ୍‌ସିଲ ବୋଲି କୁହାଯାଏ । ତେଣୁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ପାଠ୍ୟ ବିଷୟବସ୍ତୁ ଓ ପାଠ୍ୟ ଖସଡାକୁ ସମୟ ସହ ତାଳ ଦେଇ ଆଗେଇ ନେବାପାଇଁ ସୁନିଶ୍ଚିତ ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥାଟିକୁ ଆହୁରି ସଂହତ ଓ ଦୃଢ କରିବାର ଆବଶ୍ୟକତା ରହିଛି । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଏହି ବ୍ୟବସ୍ଥାଟିକୁ ସଂପୂର୍ଣ୍ଣ ଭିତରୁ ଅନ୍ତଃସାରଶୁନ୍ୟ କରିଦେଇ ସରକାର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଉପରେ ଏକ ପୂର୍ବ ପ୍ରସ୍ତୁତ ପାଠ୍ୟ ବିଷୟ ଏବଂ ପାଠ୍ୟ ଖସଡା ଲଦି ଦେଇଛନ୍ତି । ଆମେ ପୂର୍ବ ଆଲୋଚନାରେ ସ୍ପଷ୍ଟ ଭାବରେ ଦର୍ଶାଇଛୁ ଯେ ତାହା ସ୍ନାତକ ଶ୍ରେଣୀର ପାଠପଢାକୁ ସମୂଳେ ଧ୍ୱଂସ କରିବ । ଏହିପରି ଏକ ଭୟାବହ ଶିକ୍ଷାନୀତି ଭବିଷ୍ୟତ ପୀଢିକୁ ପଙ୍ଗୁ କରିଦେବ । ଏହାକୁ ରୋକିବା ନିତାନ୍ତ ଆବଶ୍ୟକ । ତେଣୁ ଆମେ ସମସ୍ତ ଜନଗଣଙ୍କ ପାଖରେ ଆହ୍ୱାନ କରୁଛୁ ଯେ ଏହି ଶିକ୍ଷାନୀତିକୁ ସଂପୂର୍ଣ୍ଣ ବାତିଲ କରିବାପାଇଁ ଦୃଢ ଜନଆନ୍ଦୋଳନ ଗଢିତୋଳନ୍ତୁ । ତାହେଲେ ହିଁ ଶିକ୍ଷା ବ୍ୟବସ୍ଥା ବଂଚିବ ଏବଂ ଛାତ୍ରଛାତ୍ରୀ ପ୍ରକୃତ ଶିକ୍ଷା ପାଇବାର ପଥ ପ୍ରଶସ୍ତ ହେବ ।

Leave a Reply

Your email address will not be published. Required fields are marked *