ଦାଦନ ଦୁର୍ଦ୍ଦଶା, ବିକାଶର ଭିନ୍ନ କଥା କୁହେ
SKnews_Dated – 02.02.2025 –
“କାଣା କରମିରେ ପୁତା, ନାଇଁ କଲେ ନାଇଁ ଚଲେ । ସଭେ ଦେଶ ଯାଇଛନ । ମଲା ବେଲକେ ସେମାନକେ ଦେଖି ପାରମି କି ନାଇଁ, କେ ଜାନେ?”
ଜଣେ ଅସ୍ଥି କଙ୍କାଳ ସାର ବୃଦ୍ଧା ଥର ଥର ହାତରେ ପୋଇ ସାଗ କେରାଏ ପନିକିରେ କାଟୁଥାଏ ଆଉ କମ୍ପିତ କଣ୍ଠରେ, ଲୋତକ ଭରା ଆଖିରେ ଏହି କଥା କହୁଥାଏ । କହିଲାବେଳେ ତାର ଛାତି ଯେମିତି ଫାଟି ପଡୁଥାଏ । ଏହାର ଠିକ ଦୁଇ ତିନିଦିନ ପରେ ତା’ ମୁଣ୍ଡ ଉପରେ ଆକାଶଟା ସତେ ଯେମିତି ଫାଟି ପଡିଲା, ଯେତେବେଳେ ତାର ଜୁଆନ ପୁଅର ଶବ ତା ଭଙ୍ଗା ଘର ଦୁଆରେ ପହଞ୍ôଚଲା । ବୁଢୀ ମଲାବେଳେ ପୁଅ ମୁହଁ ଦେଖି ପାରିବ କି ନାହିଁ ଭାବୁଥିଲା, ଏବେ ସେ ନିଜେ ତା ପୁଅର ମଲା ମୁହଁ ଦେଖୁଛି । ବଲାଙ୍ଗୀର ଜିଲ୍ଲାର ଏକ ଗାଁର ଏହା ଏକ ହୃଦୟବିଦାରକ ଦୃଶ୍ୟ । ତେବେ ଏହିଭଳି ବେଦନାଭରା ଘଟଣା ବଲାଙ୍ଗୀର ସମେତ ସମସ୍ତ ଦାଦନ ପ୍ରବଣ କେବିକେ ଜିଲ୍ଲା(ଅବିଭକ୍ତ କଳାହାଣ୍ଡି, ବାଲାଙ୍ଗୀର, କୋରାପୁଟ), ଅବିଭକ୍ତ ସମ୍ବଲପୁର, ଗଞ୍ଜାମ ଆଦି ଜିଲ୍ଲାମାନଙ୍କରେ ଯେମିତି ନିତି ଦିନିଆ ସାଧାରଣ ଘଟଣା ହୋଇଯାଇଛି । ବର୍ତ୍ତମାନ ତ ଦାଦନ ସିଜିନ ବା ଦାଦନ ଋତୁ ଚାଲିଛି । ସେହି ଗ୍ରୀଷ୍ମ ଋତୁରେ ଯେମିତି ଗଛସବୁ ପତ୍ର ଶୂନ୍ୟ ହୋଇଯାଏ, ନଈ-ପୋଖରୀ ଶୁଖିଯାଏ, ମାଟି ଫାଟି ଆଁ କରେ, ଠିକ ସେମିତି ସେହି ନିଦାଘ ଗ୍ରୀଷ୍ମର ଦାରୁଣ ଦୃଶ୍ୟ ସମସ୍ତ ଦାଦନ ପ୍ରପୀଡିତ ଗାଁମାନଙ୍କରେ ଆଜି ଦେଖିବାକୁ ମିଳୁଛି । ଗାଁ ଆଜି ଜନମାନବ ଶୂନ୍ୟ ମଶାଣି ପଦା ଭଳି ଠିଆ ହୋଇଛି । କାଁ ଭାଁ କିଛି ବୁଢାବୁଢୀ ଆତ ଯାତ ହେଉଛନ୍ତି । ଗତ ବିଧାନସଭାରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡିଶାର ୩୦ଟି ବ୍ଲକ୍ରୁ ୧କୋଟି ରୁ ଉର୍ଦ୍ଧ୍ୱ ଲୋକ ପଳାୟନ କରିଛନ୍ତି, ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏହି ତଥ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ପ୍ରଶ୍ନ ଉଠାଇଛି, ଏହା କ’ଣ ବିକଶିତ ଭାରତ, ବିକଶିତ ଓଡିଶାର ନମୂନା? ତେବେ ଏହା ଆମ ପାଇଁ ଗର୍ବର ବିଷୟ ବା ଲଜ୍ଜାର ବିଷୟ, ଏ ସଂପର୍କରେ ମନ୍ତ୍ରୀ ମହୋଦୟ କିଛି କହିନାହାନ୍ତି । ବୋଧହୁଏ ଜନସାଧାରଣଙ୍କ ଉପରେ ଏ ପ୍ରଶ୍ନଟିକୁ ସେ ଛାଡି ଦେଇଛନ୍ତି ।
ପ୍ରଚାର ଯା ବି ହେଉ, ବାସ୍ତବତା ଅତି କରୁଣ
ସରକାରଙ୍କ ସ୍ୱୀକାରୋକ୍ତି, ଗଣମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର ଯା ବି ହେଉ, ବାସ୍ତବ ଚିତ୍ର କିନ୍ତୁ ଅତି କରୁଣ । ସମସ୍ୟା ଦିନକୁ ନିଦ ଭୟାବହ ରୂପ ନେଇ ଚାଲିଛି । ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଖବର ଏକ ଝଲକ ମାତ୍ର । ଗ୍ରାମାଞ୍ଚଳ ଏପିରିକି ସହରାଞ୍ଚଳରେ ଗ୍ରାଉଣ୍ଡ ସର୍ଭେ କଲାବେଳେ ଯେଉଁ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳେ ତା ବର୍ଣ୍ଣନାତୀତ । ୨୦୦୯ ମସିହାରେ ତତ୍କାଳୀନ ବିଜେଡି-ବିଜେପି ମିଳିତ ସରକାର ସମୟରେ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ର ଚାବ୍ରିପାଲି ଗାଁରେ ଏକ ମାସ ମଧ୍ୟରେ ଦାଦନ ଝିଣ୍ଟୁ ବରିହା, ତାର ସ୍ତ୍ରୀ ବିମଳା, ୫ବର୍ଷର ପୁତ୍ର ରାମ ପ୍ରସାଦର ୬ମାସର କନ୍ୟା କମଳୀର ମର୍ମାନ୍ତିକ ମୃତ୍ୟୁ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ସେଦିନର ରାଜ୍ୟ ସରକାର ମଧ୍ୟ ଘୋଷଣା କରିଥିଲେ, ଏଭଳି ପଦକ୍ଷେପ ଓ ଯୋଜନାମାନ ନିଆଯିବ ଯଦ୍ୱାରାକି ଆଉ ଝିଣ୍ଟୁ ବରିହା ସୃଷ୍ଟି ହେବେ ନାହିଁ । ଦିନ ଗଡିଚାଲିଲା । ପ୍ରତିଶୃତିର ବନ୍ୟା ବି ବହିଚାଲିଲା । ଯୋଜନାର ଅଭାବ ନାହିଁ, ମାତ୍ର ଆଜି ସ୍ଥିତି କ’ଣ? ଅତି ସାଂଘାତିକ । କିଛି ସଦ୍ୟ ଘଟଣାର ଉଦାହରଣ ଦିଆଯାଇପାରେ । ଦାଦନ ଗଡ ଭାବେ ପରିଚିତ ବଲାଙ୍ଗୀର ଜିଲ୍ଲାର ଅତି ଦାଦନ ପ୍ରବଣ ଅଂଚଳ ପାଟଣାଗଡ ବିଧାନସଭାର ବରିଷ୍ଠ ବିଧାୟକ ଓ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ କେ.ବି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତ ୧୪ ଅକ୍ଟୋବର ୨୦୨୪ ଦିନ ୨୦ ଜଣିଆ ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଟାସ୍କ ଫୋର୍ସ ଗଠନ ହୋଇଥିବା କଥା ଲୋକେ ଜାଣିଲେ । ବହୁ ସାନ୍ତ୍ୱନା ଓ ଆଶ୍ୱସନା ବାଣୀ ମଧ୍ୟ ଶୁଣିଲେ । ମାତ୍ର ତା’ ପରମାସ ୨୦୨୪ ନଭେମ୍ବରରୁ ଡିସେମ୍ବର ମାସ ମଧ୍ୟରେ କେବଳ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଓ ପାଟଣାଗଡ ବ୍ଲକ୍ର ୧୦ଜଣ ଶ୍ରମିକଙ୍କ ଶବ ଗାଁକୁ ଫେରିଛି । ଗତ ଡିସେମ୍ବର ୧୬ତାରିଖ ଦିନ ପାଟଣାଗଡ ବ୍ଲକ୍ର କୁଆଁ ବାଉଁଶ ଗ୍ରାମର ରାଏମଣୀ ମାଝୀ ସ୍ୱାମୀ ଶିବ ମାଝୀଙ୍କ କ୍ଷତବିକ୍ଷତ ମୃତ ଶରୀର ଧରି ଗାଁକୁ ଫେରିଛି । ଡିସେମ୍ବର ୧୭ତାରିଖରେ ଖପ୍ରାଖୋଲ ବ୍ଲକ୍ ଟେଙ୍ଗରାପଥର ଗାଁର ୨୦ବର୍ଷର ଜଣେ ଯୁବକର ଶବ ଗାଁକୁ ଫେରିଛି । ନବ ବର୍ଷ ପାଳନ ଚାଲୁଥିବାବେଳେ ଖବର ମିଳିଲା, ବଲାଙ୍ଗୀର ସହର ତଳି ବସ୍ତିର ୨୫ରୁ୨୬ବର୍ଷୀୟ ଦୁଇ ଜଣ ଯୁବକଙ୍କୁ ନିର୍ମମଭାବେ ହତ୍ୟା କରାଯାଇ ଆନ୍ଧ୍ର ପ୍ରଦେଶର କେଉଁ ଟ୍ରେନ୍ ଲାଇନ ତଳେ ଫିଙ୍ଗି ଦିଆଯାଇଛି । ପ୍ରତିଦିନ ଏହିଭଳି ହତ୍ୟା, ମୃତ୍ୟୁ, ନିର୍ଯାତନାର ଖବର ଆଂଚଳିକ ସ୍ତରରେ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ସମଗ୍ର ରାଜ୍ୟର ଖବର ମିଳିବା କଷ୍ଟ । ପ୍ରସଙ୍ଗତଃ ଉଲ୍ଲେଖ କରାଯାଇପାରେ, ଏହି ଟାସ୍କ ଫୋର୍ସ କୌଣସି ସଦସ୍ୟ ବା ଏହାର ଅଧ୍ୟକ୍ଷ କେଉଁ ପରିବାରକୁ ଏପରିକି ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀର କୌଣସି ମୃତକ ବା କ୍ଷତିଗ୍ରସ୍ତ ପରିବାରକୁ ସାକ୍ଷାତ କରିଛନ୍ତି କି, ସାଧାରଣ ସାନ୍ତ୍ୱନାମୂଳକ କଥା ପଦୁଟିଏ କହିଛନ୍ତି କି? ଅନୁକମ୍ପା ମୂଳକ ସାହାଯ୍ୟ ଘୋଷଣା ବା ପ୍ରଦାନ କରିବା ତ ଦୂରର କଥା । ଏ ହେଉଛି ଆମର ଜନ ଦରଦୀ ଜନତାର ସରକାରର ଅସଲ ଚରିତ୍ର । ପ୍ରସଙ୍ଗତଃ, ଆଉ ଏକ ଘଟଣା ଉଲ୍ଲେଖ କରାଯାଇପାରେ, ଉପମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବେଲପଡା ବ୍ଲକ୍ର କିନ୍ଧ୍ରିଟାଲ ଗ୍ରାମର ଜନୈକା ଗରିବ ମହିଳା ସେହି ୨୦୧୭ ମସିହାରୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିବା ନିଜର ସ୍ୱାମୀର ଫେରନ୍ତା ପଥକୁ ଚାହିଁ ରହି ଆଖିରୁ ଲୁହ ଗଡାଉଛି । ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ପାଖରୁ ଆରମ୍ଭ କରି କେତେ ମନ୍ତ୍ରୀ ବିଧାୟକଙ୍କ ଦ୍ୱାରସ୍ଥ ହୋଇ କିଭଳି ଅପମାନିତା ଓ ଲାଞ୍ôଛତା ହୋଇ ଫେରିଛି, ସେହି କରୁଣ କାହାଣୀ ଏବେ ବି ସେ କାନ୍ଦି କାନ୍ଦି ଶୁଣାଉଛି । ଏହି ସରକାର ଓ ବିଭିନ୍ନ ଭୋଟ ସର୍ବସ୍ୱ ଦଳମାନେ ଯେ ଦରିଦ୍ର ଅସହାୟ ଲୋକଙ୍କ ପ୍ରତି କେତେ ସମ୍ବେଦନହୀନ, ଏମାନେ ଯେ ଏମାନଙ୍କର ପ୍ରକୃତ ମୁନିବ ଲୁଟିଖିଆ ମାଲିକମାନଙ୍କ ସ୍ୱାର୍ଥରେ ରାତିଦିନ ବ୍ୟସ୍ତ, ଏକଥା ବୁଝାଇ କହିବା ବା କ’ଣ ଦରକାର, ଲୋକେ ତ ମର୍ମେ ମର୍ମେ ଏହା ଅନୁଭବ କରୁଛନ୍ତି ।
ଅମାନୁଷିକ ନିର୍ଯାତନାର ଶେଷ ନାହିଁ
ବିଭିନ୍ନ ସୂତ୍ରରୁ ଜଣାପଡେ, ଆଜକୁ ବହୁ ଦଶଂଧି ପୂର୍ବରୁ ଏହି ଅମାନବିକ ଦାଦନ ପ୍ରଥା ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ୟର ଲୋକେ ନିଜ ଅଂଚଳରେ କାମ ଧନ୍ଦା ନପାଇ ଅଥବା କେହି କେହି ଉଚ୍ଚ ମଜୁରି, ଉନ୍ନତ ମାନର ଜୀବନ ଯାପନ ଆଶାରେ ବା ସ୍ଥାୟୀ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ କାମ କରି ଯା’ନ୍ତି । ଏମାନଙ୍କୁ ପ୍ରବାସୀ ଶ୍ରମିକ କୁହାଯାଏ । ମାତ୍ର ଦାଦନ ଶ୍ରମିକ ହେଲେ ସେହି ପ୍ରବାସୀ ଶ୍ରମିକ ଯେଉଁମାନଙ୍କୁ ଦାଦନ ସର୍ଦ୍ଦାର କୁହାଯାଉଥିବା ମାଲିକର ଦଲାଲମାନେ ପ୍ରଥମେ ଅଗ୍ରୀମ ଟଙ୍କା ଦେଇ ବାହାର ରାଜ୍ୟକୁ, ଅଥବା ନିଜ ରାଜ୍ୟର ଅନ୍ୟ ଅଂଚଳକୁ ପଠାଇଥାନ୍ତି । ବର୍ତ୍ତମାନ ତ ବିଦେଶକୁ ବି ଶ୍ରମିକ ଚାଲାଣ ହୋଇଛି । ଏହି ପ୍ରଥା ଅତ୍ୟନ୍ତ ଘୃଣ୍ୟ ପ୍ରଥା ଯାହା ସରକାରୀ ଆଇନର ସ୍ୱୀକୃତି ପାଇ ଚାଲିଛି । ଏହି ଶ୍ରମିକମାନେ ସାଧାରଣତଃ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଗୁଜୁରାଟ ଆଦି ରାଜ୍ୟକୁ ଯାଇ ଇଟା ଭାଟି ବା କାରଖାନାରେ ଇଟା ଗଢନ୍ତି, ଅନ୍ୟାନ୍ୟ କାରଖାନାର କିଛି କିଛି କାମ କଲେ ବି ମୂଳତଃ ଇଟା ତିଆରି କରନ୍ତି । ହଜାର ଇଟା ପ୍ରତି କମିଶନ ଟଙ୍କା ଦାଦନ ସର୍ଦ୍ଦାରମାନଙ୍କୁ ମାଲିକ ପକ୍ଷରୁ ମିଳିଥାଏ । ପ୍ରାୟ ନଭେମ୍ବରରୁ ଜୁଲାଇ, ୮ରୁ ୯ମାସ କାମ କରିବାକୁ ପଡିଥାଏ । ଏହି ସମୟକୁ ଦାଦନ ସିଜିନ ବା ଦାଦନ ଋତୁ କୁହାଯାଇଥାଏ । ଗୋଟିଏ ସିଜିନରେ ସର୍ଦ୍ଦାରମାନେ ଜଣକୁ ୪୦ରୁ ୫୦ହଜାର ଟଙ୍କା ଅଗ୍ରିମ ଦେଇଥାନ୍ତି । ଗୋଟିଏ ସିଜିନରେ ୪ରୁ୫ ଲକ୍ଷ ଇଟା ତିଆରି କରିବାକୁ ଏମାନେ ବାଧ୍ୟ । ଶେଷରେ ମାଲିକମାନେ ଇଟା ହଜାର ପ୍ରତି ୩୫୦ରୁ ୪୦୦ଟଙ୍କା ହିସାବ କରି ଅଗ୍ରିମ ଟଙ୍କା ସହିତ ମିଳାଇ ଦେଖନ୍ତି । ଯଦି ଅଗ୍ରିମ ଟଙ୍କାଠାରୁ ହିସାବ କମ୍ ହୁଏ ଅର୍ଥାତ୍ ଶ୍ରମିକମାନଙ୍କ ଉପରେ ଟଙ୍କା ରହିଯାଏ, ତେବେ ଅତ୍ୟାଚାରୀ ମାଲିକମାନେ ସେମାନଙ୍କୁ ପୁଣି ଖଟାଇବେ । ଯଦି ବା କେହି ଲୁଚି ଛପି ଗାଁକୁ ପଳାଇ ଆସିଥିବେ, ତେବେ ଦାଦନ ସର୍ଦ୍ଦାରମାନେ ଗୁଣ୍ଡା ଲଗାଇ ମାରପିଟ କରି ସେହି ଟଙ୍କା ଅସୁଲ କରନ୍ତି, ଅଥବା ପରବର୍ତ୍ତୀ ସିଜିନରେ ଯିବା ପାଇଁ ସେମାନଙ୍କୁ ବାଧ୍ୟ କରିବା ନିମିତ୍ତ ଷ୍ଟାମ୍ପ ପେପରରେ ଦସ୍ତଖତ କରାଇ ନିଅନ୍ତି । ଅନ୍ୟପଟରେ ଯଦି ଅଗ୍ରିମ ଟଙ୍କା ଅପେକ୍ଷା ଅଧିକା ଇଟା ଶ୍ରମିକମାନେ ଗଢିଥାନ୍ତି ତେବେ ମାଲିକମାନେ ପ୍ରାୟତଃ ସେହି ଟଙ୍କା ଦେବାକୁ ଅସ୍ୱୀକାର କରନ୍ତି । ଶ୍ରମିକମାନେ ଯୋର ଜବରଦସ୍ତି କଲେ ସେମାନଙ୍କୁ ସେମାନେ ବା ସେମାନଙ୍କ ଦଲାଲ ସର୍ଦ୍ଦାରମାନେ ଅମାନୁଷିକ ନିର୍ଯାତନା ଦେଇଥାନ୍ତି । ସାଧାରଣତଃ ଦାଦନ ଶ୍ରମିକମାନେ ସପରିବାର ଏପରିକି ନବ ବିବାହିତ ଦମ୍ପତି, ଶିଶୁ, ଗର୍ଭବତୀ ମହିଳାମାନେ ମଧ୍ୟ କାମ କରିବାକୁ ଯାଇଥାନ୍ତି, ଏହି ସମୟରେ ଗାଁ ଗୁଡିକ ଜନମାନବ ଶୂନ୍ୟ ହୋଇଯାଏ । ଦୁଇ ଚାରିଜଣ ଅତି ବୁଢା ବୁଢୀ ବା ଅକର୍ମଣ୍ୟ ଲୋକ ଅସହାୟ ଅବସ୍ଥାରେ ଗାଁରେ ପଡି ରହିଥାନ୍ତି । ଦାଦନ ଶ୍ରମିକମାନେ ପିଲା ଛୁଆ ସହ ଧାର୍ଯ୍ୟ ଇଟା ଗଢିବା ପାଇଁ ପାଗଳ ଭଲି ଲାଗି ପଡିଥାନ୍ତି । କୁନି କୁନି ପିଲାମାନେ ମଧ୍ୟ ସେମାନଙ୍କ ସାନ ସାନ ପାଦ ଓ ହାତରେ କାଦୁଅ ଚକଟନ୍ତି । ଇଟା ଗଢାରେ ବାପା-ମା’ଙ୍କୁ ସାହାଯ୍ୟ କରନ୍ତି, ପାଠ ପଢା ଏମାନଙ୍କ ପାଇଁ ସ୍ୱପ୍ନ । ବହୁ ଗର୍ଭବତୀ ନାରୀ ସେହି କାଦୁଆ ମାଟିରେ ସନ୍ତାନ ପ୍ରସବ କରନ୍ତି, ଚିକିତ୍ସା ବିନା ଓ ଅସ୍ୱାସ୍ଥ୍ୟକର ପରିବେଶରେ ବହୁ ମା’ ଓ ସଦ୍ୟଜାତ ଶିଶୁ ସନ୍ତାନର ମୃତ୍ୟୁ ମଧ୍ୟ ହୁଏ । ରହିବା ପାଇଁ ସେମିତି କୌଣସି ଘର ନଥାଏ, କଂଚା ଇଟାର କାନ୍ଥ ଉପରେ ଖଣ୍ଡେ ଖଣ୍ଡେ ଟିଣ ଚାଦର ବା ଆଜବେଷ୍ଟସ୍ ଓହଳାଇ ଦିଆଯାଇଥାଏ । ଭୋର ୫ଟାରୁ ରାତି ୨ଟା ଯାଏ ବେଳେ ବେଳେ ଏହାଠୁ ଅଧିକ ସମୟ ଏମାନେ କାମ କରନ୍ତି । ଅତି ବେଶୀରେ ଦୁଇ ତିନି ଘଣ୍ଟା ଶୋଇବା ହୁଏ । ବେଳେ ବେଳେ ଶୋଇବା ପାଇଁ ବି ସମୟ ମିଳେନା । ମୁଣ୍ଡ ଫଟା ଖରାରେ କାମ କରିବାକୁ ପଡେ, ଶୋଷରେ ପାଟି ଶୁଖିଗଲେ ବି ପାଣି ପିଇବା ବା ଖାଇବା ପାଇଁ ମଧ୍ୟ ସମୟ ନଥାଏ । ଶୁଦ୍ଧ ପାନୀୟ ଜଳ ମିଳିବା ଏଠି ସ୍ୱପ୍ନ । କାମ କଲାବେଳେ କେହି ମରିଗଲେ ବା ଅକର୍ମଣ୍ୟ ହୋଇଗଲେ କ୍ଷତିପୂରଣ ତ ମିଳେନା, ବରଂ ଅଗ୍ରୀମ ଟଙ୍କା ଅନୁଯାୟୀ ଏହି ଅବସ୍ଥାରେ ବି ପରିବାରର ଅନ୍ୟାନ୍ୟ ସଭ୍ୟ ମାନଙ୍କୁ ଇଟା ଗଢିବାକୁ ଓ ଅନ୍ୟାନ୍ୟ କାମ କରିବାକୁ ବାଧ୍ୟ କରାଯାଏ । ମନା କଲେ ମାର ପିଟ କରାଯାଏ, ବେଳେବେଳେ ଅପହରଣ ଓ ହତ୍ୟା ବି କରାଯାଏ । ଦେଶର କୌଣସି ଆଇନ କାନୁନ ଏଠି କାମ କରେନା । ଇଟା ଭାଟି ଅଂଚଳ ଜେଲ ଖାନାଠାରୁ ବି ଆହୁରି ନିର୍ମମ । ମାଲିକର ଗୁଣ୍ଡାବାହିନୀ ଛୁରି, ତଲୱାର, ହଣ୍ଟର ଭଳି ଅସ୍ତ୍ରଶସ୍ତ୍ର ଧରି କ୍ୟାମ୍ପ ଗୁଡିକୁ ଦିନରାତି ଜଗି ରହିଥାନ୍ତି । ସେମାନଙ୍କୁ ବାହାରର ଏପରିକି ସମ୍ପର୍କୀୟ ମାନଙ୍କ ସହିତ ମଧ୍ୟ ସାକ୍ଷାତ କରିବାକୁ ଦିଆଯାଏନା । ବହୁ ଦାଦନ ଶ୍ରମିକ ଗାଁକୁ ଫେରି ନିଜ ଦେହର କ୍ଷତ ସ୍ଥାନଗୁଡିକ ଦେଖାଇ ସେହି ନିର୍ଯାତନାର କରୁଣ କାହାଣୀ ବର୍ଣ୍ଣନା କରନ୍ତି । ମହିଳା ଦାଦନ ଶ୍ରମିକମାନେ ଜଘନ୍ୟ ଭାବେ ଯୌନଶୋଷଣର ଶୀକାର ହୁଅନ୍ତି । ସବୁ ନୀରବରେ ସହିଯିବାକୁ ବାଧ୍ୟ ହୁଅନ୍ତି । ସଂପ୍ରତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର(ଉତ୍କର୍ଷ କେନ୍ଦ୍ର) ଆଂଚଳିକ ବିକାଶ ଓ ଜନଜାତି ଅଧ୍ୟୟନ କେନ୍ଦ୍ରର ଏକ ରିପୋର୍ଟ ଅନୁଯାୟୀ, କାର୍ଯ୍ୟକ୍ଷେତ୍ର ଓ ରହିବା ସ୍ଥାନରେ ସର୍ବନିମ୍ନ ସ୍ୱଚ୍ଛତାର ଅଭାବ ଯୋଗୁ ୨୧ ପ୍ରତିଶତ ଦାଦନ ଶ୍ରମିକଙ୍କ ଜୀବନ ଯାଇଛି । ଏହି ରିପୋର୍ଟ ସଂପର୍କରେ ରାଜ୍ୟ ସରକାର ଓ ପ୍ରଶାସନର ନୀରବତା ପ୍ରମାଣ କରୁଛି ଯେ ସେମାନେ ଏହି ସତ୍ୟକୁ ଅସ୍ୱୀକାର କରିପାରି ନାହାନ୍ତି । ବର୍ତ୍ତମାନ ଦାଦନ ପ୍ରବଣ ଜିଲ୍ଲାମାନଙ୍କରେ କ୍ୱାରେଣ୍ଟାଇନ ସେଣ୍ଟରମାନ ଦେଖିବାକୁ ମିଳୁଛି । ଏଠାରେ ଡାଇରିଆ ରୋଗୀଙ୍କର ଭିଡ । ଖବର ଅନୁଯାୟୀ ବର୍ତ୍ତମାନ ଇଟା ଭାଟି ଅଂଚଳରେ ଡାଇରିଆ ବ୍ୟାପିଛି । ଗଣମାଧ୍ୟମରେ ପ୍ରକାଶିତ ହୋଇଛି, ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିରେ କାର୍ଯ୍ୟରତ ନୁଆପଡା ଜିଲ୍ଲାର ୩୦ ଜଣ ଦାଦନ ଶ୍ରମିକ ଡାଇରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଇତିମଧ୍ୟରେ ଜଣେ ୨୧ବର୍ଷୀୟ ଯୁବ ଶ୍ରମିକର ମୃତ୍ୟୁ ହୋଇଯାଇଛି । ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଏହିଭଳି ମୃତ୍ୟୁ ଖବର ପ୍ରକାଶିତ ହୋଇଛି । କିଛି ଶ୍ରମିକ କାମ କଲାବେଳେ ହଠାତ୍ ଛାତି ଓ ପେଟରେ ଅକଥନୀୟ ଯନ୍ତ୍ରଣା ଅନୁଭବ କରି ମୃତ୍ୟୁମୁଖରେ ପଡିଥିବାର ଖବର ମଧ୍ୟ ଆସିଛି । ଆଉ ଏକ ହୃଦୟଥରା ଖବର ହେଲା, ଜଣେ ଦାଦନ ଶ୍ରମିକର ଅଚାନକ ମୃତ୍ୟୁ ହୋଇଗଲା । ଫଳରେ ସେ ନେଇଥିବା ଅଗ୍ରିମ ୮୦ ହଜାର ଟଙ୍କା ଅସୁଲ କରିବା ପାଇଁ ଇଟାଭାଟି ମାଲିକ ତାର ୧୨ବର୍ଷର ଝିଅକୁ ବନ୍ଧକ ରଖିଛି । ବହୁ ପ୍ରତିବନ୍ଧକତା ମଧ୍ୟରେ ଖୁବ କମ ଖବର ହିଁ ଲୋକଲୋଚନକୁ ଆସୁଛି । ଅବସ୍ଥା ଯେ ଆହୁରି ଶୋଚନୀୟ ଏହା ସମସ୍ତେ ହିଁ ପ୍ରାୟ ବୁଝୁଛନ୍ତି ।
ଇଟା ଗଢାର ନୂତନ ପ୍ରକ୍ରିୟା ଅବସ୍ଥାକୁ ଆହୁରି ଶୋଚନୀୟ କରିଛି
୨୦୦୩-୨୦୦୪ ମସିହାରେ ଇଟା ଗଢିବାର ନୂତନ ପ୍ରକ୍ରିୟା ଚାଲୁହେବା ପୂର୍ବରୁ ବି ମାଲିକମାନେ ବିଭିନ୍ନ ଉପାୟରେ ନାନା ବାହାନା ଦେଖାଇ ଦାଦନ ଶ୍ରମିକମାନଙ୍କ ଉପରେ ଅତ୍ୟାଚାର କରୁଥିଲେ, ସେମାନଙ୍କୁ ପଶୁଭଳି ଖଟାଉଥିଲେ । ଯେମିତି ଇଟା ଠିକ ଭାବେ ହେଉ ନାହିଁ, ସୁନ୍ଦର ହେଉ ନାହିଁ ଆଦି କଥା କହି ନିସ୍ତୁକ ମାଡ ମାରୁଥିଲେ । ଏପରିକି କିଛି ଇଟା ଭାଟି ତଳେ ମାରି ପୋତି ଦେଇ ନିଖୋଜ ବୋଲି ଘୋଷଣା କରୁଥିଲେ । ଏହା ଏବେ ବି ଚାଲିଛି । ତେବେ ୨୦୦୩-୨୦୦୪ ପୂର୍ବରୁ ଓଜନ ଇଟାଭାଟି ପ୍ରଥାରେ ଇଟା ତିଆରି ହେଉଥିଲା, ଯେଉଁଥିରେ କି ଶ୍ରମିକମାନେ ନିଜେ ମାଟି ଖୋଳି କାଦୁଅ କରି ଇଟା ତିଆରି କରୁଥିଲେ । ସକାଳୁ ରାତି ପର୍ଯ୍ୟନ୍ତ କାମ କରି ବି ବିଶ୍ରାମ ପାଇଁ କିଛିଟା ସମୟ ବାହାର କରିପାରୁଥିଲେ । ମାତ୍ର ୨୦୦୪ ମସିହା ପରେ ଇଟା କାରଖାନାରେ ଇଟା ତିଆରି ପ୍ରକ୍ରିୟା ବଦଳିଗଲା । ମାଲିକମାନେ ୪୦ରୁ ୨୦ଫୁଟ କ୍ଷେତ୍ରଫଳ ଆକାରର ଓ ୪ଫୁଟ ଉଚ୍ଚତାର ଟାଙ୍କି ତିଆରି କରି ସେଥିରେ ଟ୍ରାକ୍ଟରରେ ମାଟି, ଧାନ ଅଗାଡିର ପାଉଁଶ, ପାଣି ପକାଇ ଦିଅନ୍ତି ଓ ଟ୍ରାକ୍ଟରରେ ଲୁହା ଚକ ଲଗାଇ କାଦୁଅ କରାଇଥାନ୍ତି । ଟ୍ରାକ୍ଟର ଦ୍ରୁତ କାଦୁଅ ତିଆରି କରି ଚାଲେ ଓ ସେହି ଗତି ସହିତ ତାଳ ଦେଇ ଶ୍ରମିକମାନେ ମେସିନ ଭଳି ଇଟା ଗଢି ଚାଲନ୍ତି । ଫଳରେ ଖାଇବା, ପିଇବା, ଶୋଇବା ଏପରିକି ସାମାନ୍ୟ ବିଶ୍ରାମ ନେବା ପାଇଁ ବି ସମୟ ମିଳେନା । ଏହି ପ୍ରକ୍ରିୟା ଚାଲୁ ହେବା ପରେ ରୋଗଗ୍ରସ୍ତ ଓ ଶ୍ରମିକ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି ଆଉ ମାଲିକର ଲାଭ ହୁ ହୁ ହୋଇ ବଢିଚାଲିଛି । ଏଠି ଆଇନର କିଛି କର୍ତ୍ତୃତ୍ୱ ନ ଥାଏ । କାରଣ, ଏହି ଦାଦନ ସର୍ଦ୍ଦାରମାନେ ଦାଦନ ଚାଲାଣ ପାଇଁ ଲାଇସେନ୍ସ କରିଥାନ୍ତି । ଫଳରେ ସେମାନେ ଯେମିତି ଏହି ଅତ୍ୟାଚାର କରିବାକୁ ସରକାର ଓ ପ୍ରଶାସନ ଦ୍ୱାରା ସ୍ୱୀକୃତିପ୍ରାପ୍ତ । ବେଳେବେଳେ ଜନରୋଷ ଚାପରେ ପୋଲିସ ପ୍ରଶାସନ ଏମାନଙ୍କୁ ମିଛି ମିଛିକା ଗିରଫ କରନ୍ତି, ତେବେ ଶୀଘ୍ର ହିଁ ଛାଡି ଦିଅନ୍ତି । ଏ ଅତ୍ୟାଚାର ତ ସେହି ବର୍ବର କ୍ରୀତଦାସ ପ୍ରଥାଠାରୁ ବି କୌଣସି ଗୁଣରେ କମ ନୁହେଁ ।
ଦାଦନ ଉଦ୍ଧାର ଦୋଷ ଢାଙ୍କିବାର ଏକ ଅଭିନବ ପ୍ରକ୍ରିୟା
ଆଉ ଏକ ବିଷୟ ହେଲା, ପ୍ରାୟତଃ, ଗଣମାଧ୍ୟମରେ ଫଟୋ ସହ ପ୍ରକାଶିତ ହୁଏ, ଅମୁକ ଷ୍ଟେସନରୁ ଏତେ ସଂଖ୍ୟକ ଦାଦନ ଶ୍ରମିକଙ୍କୁ ପୋଲିସ ଓ ପ୍ରଶାସନ ମିଳିତ ଭାବେ ଉଦ୍ଧାର କରିଛି । ତେବେ ଏହା କି ପ୍ରକାର ଉଦ୍ଧାର? ପ୍ରଶାସନ ଏହି ଗରିବ ଶ୍ରମିକମାନଙ୍କୁ ଆଣି କେବଳ ଘରେ ଅସହାୟ ଅବସ୍ଥାରେ ପହଞ୍ଚାଇ ଦେଇ ଛାଡି ପଳାନ୍ତି । ଏମାନଙ୍କ ପାଇଁ ବଂଚିବାର କୌଣସି ବ୍ୟବସ୍ଥା, ଖାଦ୍ୟର ବ୍ୟବସ୍ଥା, ଚିକିତ୍ସାର ବ୍ୟବସ୍ଥା, ଏମାନଙ୍କ ପୁଅ ଝିଅଙ୍କ ପାଇଁ ପାଠ ପଢିବାର କୌଣସି ବ୍ୟବସ୍ଥା କରନ୍ତି କି? ଅସଲ କଥା ହେଲା, ଏହା ପଛରେ ଲାଇସେନ୍ସଧାରୀ ସ୍ୱୀକୃତିପ୍ରାପ୍ତ ଦାଦନ ସର୍ଦ୍ଦାର, ପୋଲିସ, ପ୍ରଶାସନ ତଥା ଗାଁରେ ଥିବା ଏମାନଙ୍କର ଏଜେଣ୍ଟ ମାନଙ୍କ ମଧ୍ୟରେ ଏକ ବୁଝାମଣା ଥାଏ । ପୋଲିସ ପ୍ରଶାସନିକ ଅଧିକାରୀମାନେ ବି ଏହି ସୁଯୋଗରେ ବେଶ ଦୁଇ ପଇସା କମାଇଥାନ୍ତି । କାରଣ ଏହି ଶ୍ରମିକମାନେ ହୁଏତ ନିଜସ୍ୱ ଉଦ୍ୟୋଗରେ ବା ଅଣସ୍ୱୀକୃତିପ୍ରାପ୍ତ ସର୍ଦ୍ଦାରମାନଙ୍କ ଜରିଆରେ ବାହାରକୁ ଯିବାକୁ ଉଦ୍ୟମ କରିଥାନ୍ତି ଯାହା କି ପ୍ରଚଳିତ ଆଇନ ଆଖିରେ ବେଆଇନ । ଏହା ଯେତେ ଅମାନବିକ ହେଲେ ବି ବେଆଇନ କାର୍ଯ୍ୟ ହେବାକୁ ସରକାରୀ ପୋଲିସ ଓ ପ୍ରଶାସନ କିଭଳି ଅନୁମତି ଦେବେ? ଏହା ହିଁ ସେମାନଙ୍କର ଦାଦନ ଉଦ୍ଧାର!
ଏତେ ଅତ୍ୟାଚାର ସତ୍ତ୍ୱେ ଏମାନେ କାହିଁକି ଦାଦନ ଯାଆନ୍ତି?
କିଛି ସରକାରୀ ଭାଟ ବୁଦ୍ଧିଜୀବୀ ଓ ବିଭ୍ରାନ୍ତ ବ୍ୟକ୍ତି ଯୁକ୍ତି କରନ୍ତି, ଏତେ ଅତ୍ୟାଚାର ସତ୍ତ୍ୱେ ଏମାନେ ଦାଦନ ଖଟିବାକୁ କାହିଁକି ଯାଉଛନ୍ତି? ମରୁଛନ୍ତି, ପୁଣି ବି ଯାଉଛନ୍ତି? ଏହି ତଥାକଥିତ ବୁଦ୍ଧିଜୀବୀ ମାନଙ୍କୁ କ’ଣ ବା ଉତ୍ତର କରାଯିବ? କୌଣସି ଲୋକେ ଖୁସିରେ ଯାଏ ନାହିଁ । ସଂପ୍ରତି ବରଗଡ ଜିଲ୍ଲାର ଜଣେ ଦାଦନ ଶ୍ରମିକ ଗଣମାଧ୍ୟମ ସାମ୍ନାରେ କୋହଭରା କଣ୍ଠରେ କହିଛନ୍ତି- “ମୁଁ ଛୋଟ ଚାଷୀ । ମାତ୍ର ୨ ଏକର ଜମିରେ ଧାନ ଚାଷ କରିଥିଲି । ଗତବର୍ଷ ସ୍ୱଳ୍ପ ବର୍ଷା ଯୋଗୁ ଫସଲ ବରବାଦ ହୋଇଗଲା । ଏଭଳି ସ୍ଥିତି ଉତ୍ପନ୍ନ ହେଲା ଯେ, ଚାଷ ଖର୍ଚ୍ଚ ପରିଶୋଧ ଓ ପରିବାର ଚଳାଇବା ପାଇଁ ତେଲେଙ୍ଗାନାର ଇଟା ଭାଟି ଯିବାକୁ ବାଧ୍ୟ ହୋଇଛି ।” ସମ୍ବଲପୁର ବିଶ୍ୱବିଦ୍ୟାଳୟର (ଉତ୍କର୍ଷ କେନ୍ଦ୍ର) ଆଂଚଳିକ ବିକାଶ ଓ ଜନଜାତି ଅଧ୍ୟୟନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁ ଦାଦନ ପ୍ରବଣ ଜିଲ୍ଲାମାନଙ୍କରେ କୃଷି ଉତ୍ପାଦନ ହ୍ରାସ ପାଇଛି, ଫଳରେ ଚାଷୀଙ୍କ ବାର୍ଷିକ ଆୟ ପ୍ରାୟ ୩୯% ହ୍ରାସ ପାଇ ୩୦ ହଜାରରୁ କମରେ ପହଞ୍ôଚଛି । ସ୍ୱଳ୍ପ ବୃଷ୍ଟି ଓ ଅନାବୃଷ୍ଟି ଯୋଗୁ ଗତ ୧୦ବର୍ଷ ହେଲା ଲଗାତର ଭାବେ ଏହି ଅଂଚଳକୁ ସଂପୂର୍ଣ୍ଣ କିମ୍ବା ଆଂଶିକ ମରୁଡି ପ୍ରଭାବିତ ଅଂଚଳ ଭାବେ ଘୋଷଣା କରାଯାଇଛି । ମାଟିର ଉର୍ବରତା ମଧ୍ୟ କମିବାରେ ଲାଗିଛି । ଅନ୍ୟଦିଗରେ ଧାନ ଚାଷୀ, କପା ଚାଷୀ ଓ ବିଭିନ୍ନ ପନିପରିବା ଚାଷୀ ସରକାର ଓ ମିଲମାଲିକ ମାନଙ୍କ ଶୋଷଣ ଯୋଗୁ, ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଂଚିତ ହୋଇ ଅଭାବୀ ବିକ୍ରୀର ଶୀକାର ହୁଅନ୍ତି । ଋଣ ସୁଝିବା ପାଇଁ ଅନେକେ ପଳାୟନ କରନ୍ତି । ଅନ୍ୟଦିଗରେ ଭୟଙ୍କର ଦାରିଦ୍ର୍ୟ, ଅନାହାରର କଷ୍ଟ ଯନ୍ତ୍ରଣା, ବେକାରୀତ୍ୱର ଜ୍ୱାଳା ସହି ନପାରି ଓ ବହୁ ଛାତ୍ରଛାତ୍ରୀ ନିଜର ପାଠପଢା ଖର୍ଚ୍ଚ ଯୋଗାଡ କରିବା ପାଇଁ ମଧ୍ୟ ଦାଦନ ଖଟିବାକୁ ବାଧ୍ୟ ହୁଅନ୍ତି । ଦରଦାମ ବୃଦ୍ଧି ତ ଜୀବନକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି । ଫଳରେ ସରକାରଙ୍କ ଜନମାରଣ ନୀତି ହିଁ ଦାଦନ ଖଟିବାକୁ ଯିବା ପାଇଁ ଲୋକମାନଙ୍କୁ ବାଧ୍ୟ କରୁଛି ।
୧୦୦ଦିନରେ ଦାଦନ ସମସ୍ୟାର ସ୍ଥାୟୀ ସମାଧାନର ପ୍ରତିଶୃତି କୁଆଡେ ଗଲା?
ଗତ ବିଧାନ ସଭା ଓ ଲୋକସଭା ନିର୍ବାଚନବେଳେ ବିଜେପି ଦଳର ଏକ ବଡ ନିର୍ବାଚନୀ ପ୍ରତିଶୃତି ଥିଲା, ବିଜେପି ଦଳ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠିତ ହେଲେ ୧୦୦ ଦିନ ମଧ୍ୟରେ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ହେବ । ପ୍ରଧାନମନ୍ତ୍ରୀଙ୍କ ପାଖରୁ ରାଜ୍ୟ ଓ ତଳସ୍ତରର ନେତାମାନେ ଭାଷଣରେ କହିଲେ, ଏଥର ଦାଦନ କଳଙ୍କ ଦୂର ହେବ । ୧୦୦ ଦିନ ତ ପାର ହୋଇଗଲାଣି । ଏ ଦିଗରେ କେତେ ଅଗ୍ରଗତି ଘଟିଛି? ସେମାନେ ତ କଣ୍ଠ ଫଟେଇ କହୁଥିଲେ, ଏଥର ଗାଁ ଗାଁରେ କାମ ମିଳିବ, ବାହାରକୁ ଯିବା ଦରକାର ନାହିଁ । ଅଥଚ ଆଗରୁ ମନରେଗା ଯୋଜନାରେ ଯେତିକି ବି କାମ ମିଳୁଥିଲା, ଆଜି ସେତିକି ବି ନାହିଁ । ଦେଶର ସର୍ବତ୍ର ବିଶେଷକରି ଦାଦନ ପ୍ରବଣ ଅଂଚଳରେ ୩୬୫ ଦିନ କାମ ଯୋଗାଇ ଦେବା ପାଇଁ ଓ ଠିକ ସମୟରେ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ମଜୁରୀ ଦେବା ପାଇଁ ଦାବି ହୋଇଆସୁଛି । ମାତ୍ର ଡବଲ ଇଞ୍ଜିନ ସରକାର ଆସିଲା ପରେ ମନରେଗାରେ ଆଉ କାମ ନାହିଁ । ଲୋକମାନେ କାମ କରି ପଇସା ନପାଇ ହତାଶ ହୋଇ ବସିଛନ୍ତି । କେନ୍ଦ୍ର ସରକାର ତ ଏହି ଯୋଜନାର ବ୍ୟୟବରାଦ ଅଧା କରିଦେଇଛନ୍ତି ଓ ୮କୋଟି ଶ୍ରମିକଙ୍କୁ ତାଲିକାରୁ କାଟି ଦିଆଯାଇଛି । ଅନ୍ୟଦିଗରେ ରୋଜଗାରର କୌଣସି ବ୍ୟବସ୍ଥା ନାହିଁ । ଶ୍ରମ ଭିତ୍ତିକ କାରଖାନା ନିର୍ମାଣ କରି ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାର କୌଣସି ପରିକଳ୍ପନା ନାହିଁ । ବରଂ ଛଟେଇ ଚାଲିଛି । କମ୍ପାନୀ ସ୍ୱାର୍ଥରେ ଅମାନବିକ ବିସ୍ଥାପନ ଚାଲିଛି । ବେକାରୀ ସମସ୍ୟା ଉତ୍କଟ । ଏଣେ ଦରଦାମ ହୁ ହୁ ହୋଇ ବଢୁଛି । ଯାହାଫଳରେ ଦାଦନ ସମସ୍ୟା ଭୟାବହ ରୂପ ନେଇଛି । ସରକାର ଖାଲି ଏକ ଟାସ୍କ ଫୋର୍ସ ଗଠନ କରି ଯେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଏହା ବୋଧେ ଆଉ ବୁଝିବାର ବାକି ନାହିଁ ।
ସ୍ଥାୟୀ ସମାଧାନ ପାଇଁ ଶକ୍ତିଶାଳୀ ବୃହତ୍ତର ଗଣଆନ୍ଦୋଳନ ଗଢିତୋଳିବାକୁ ହେବ
ଦାଦନ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସରକାରଙ୍କୁ ବାଧ୍ୟ କରିବାକୁ ହେଲେ ଶକ୍ତିଶାଳୀ ଗଣଆନ୍ଦୋଳନ ଛଡା ଅନ୍ୟ କିଛି ବାଟ ନାହିଁ । ବର୍ଷକୁ ୩୬୫ଦିନ ମନରେଗା ଯୋଜନା ମାଧ୍ୟମରେ ଲୋକଙ୍କୁ କାମ ଯୋଗାଇ ଦେଇ ସଠିକ ସମୟରେ ଉପଯୁକ୍ତ ମଜୁରୀ ଦେବା, ସ୍ଥାୟୀ କର୍ମ ସଂସ୍ଥାନ ପାଇଁ ସରକାରୀ ଉଦ୍ୟୋଗରେ ଶ୍ରମ ଭିତ୍ତିକ ଶିଳ୍ପ କାରଖାନା ପ୍ରତିଷ୍ଠା କରିବା, ଜଳସେଚନର ସୁବନ୍ଦୋବସ୍ତ ସହ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ସ୍ୱୀକୃତି ପ୍ରଦାନ କରିବା, ଅଭାବି ବିକ୍ରି ବନ୍ଦ, ମରୁଡିର ସ୍ଥାୟୀ ପ୍ରତିକାର ପାଇଁ ବିଭିନ୍ନ ଧରଣର ଜଳସେଚନ ପ୍ରକଳ୍ପ ନିର୍ମାଣ, ବେଲଗାମ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ସହ ତାତ୍କ୍ଷଣିକ ପଦକ୍ଷେପ ଭାବେ କ୍ଷତିଗ୍ରସ୍ତ ଓ ମୃତ ଦାଦନମାନଙ୍କୁ ଉପଯୁକ୍ତ ଅନୁକମ୍ପାମୂଳକ କ୍ଷତିପୂରଣ ସହାୟତା ପ୍ରଦାନ, ଅମାନୁଷିକ ଅତ୍ୟାଚାର, ହତ୍ୟା ଘଟଣାରେ ସଂପୃକ୍ତ ଇଟାଭାଟି ମାଲିକ ଓ ସେମାନଙ୍କ ଏଜେଣ୍ଟ ଦାଦନ ସର୍ଦ୍ଦାରମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଦାବିରେ ବୃହତ୍ତର ଶକ୍ତିଶାଳୀ ଗଣଆନ୍ଦୋଳନ ଗଢିତୋଳିବା ହିଁ ଆଜି ସମୟର ଜରୁରୀ ଆହ୍ୱାନ ।