ଟଙ୍କାର ଅବମୂଲ୍ୟାୟନ, ଦେଶର ସାଧାରଣ ଲୋକଙ୍କର ଦୟନୀୟ ଅବସ୍ଥା ଓ କେନ୍ଦ୍ର ବିଜେପି ସରକାର

SKNews Dated 02.02.2025 –

ଅତୀତର ସମସ୍ତ ରେକର୍ଡ ଭାଙ୍ଗି, ଟଙ୍କାର ମୂଲ୍ୟ ସର୍ବ ନିମ୍ନ ସ୍ତରରେ ପହଂଚି ଅବାଞ୍ଛିତ ରେକର୍ଡ କରି ଚାଲିଛି। ଗତ ଦଶବର୍ଷ ମଧ୍ୟରେ ମାର୍କିନ ଡଲାର ପିଛା ଭାରତୀୟ ଟଙ୍କା ୫୪.୭୮ ଟଙ୍କାରୁ ଖସି ଚଳିତ ମାସ ଜାନୁଆରୀ ୧୩ ତାରିଖରେ ୮୬.୫୯ ଟଙ୍କାରେ ପହଂଚିଛି। ଟଙ୍କାର ଏହି ଧରଣର ଅବମୂଲ୍ୟାୟନରେ ଭାରତର ରିଜର୍ଭ ବ୍ୟାଙ୍କଠାରୁ ଆରମ୍ଭକରି ଅର୍ଥନୀତି ସଂପର୍କରେ ସାମାନ୍ୟ ଜ୍ଞାନ ଥିବା ବ୍ୟକ୍ତି ବିବ୍ରତ ଓ ଆଶଙ୍କିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଏ ବିଷୟରେ ପାଟି ଖୋଲୁ ନାହାନ୍ତି, ବିକଶିତ ଭାରତର ଢୋଲ ପିଟୁଛନ୍ତି। ଏଠାରେ ଆମେ ପାଠକ ମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହୁଁ ଯେ କଂଗ୍ରେସ ନେତୃତ୍ୱରେ ପରିଚାଳିତ ଉପା ସରକାରର ଶାସନ କାଳରେ ଭାରତୀୟ ଟଙ୍କାର ଅବମୂଲ୍ୟାୟନ ଘଟିବା ସମୟରେ ଗୁଜୁରାଟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ତୀବ୍ର ସମାଲୋଚନା କରିଥିଲେ। ସେତେବେଳେ ମୋଦି କହିଥିଲେ ଟଙ୍କା ଯଦି ଏହି ଭଳି ଭାବରେ ଦୁର୍ବଳ ହୁଏ ତା’ହେଲେ ଭାରତର ବ୍ୟବସାୟୀ ମାନେ ମାରାତ୍ମକ କ୍ଷତିର ସମ୍ମୁଖୀନ ହେବେ। ଦେଶର ଅର୍ଥନୀତି ଭୁଷୁଡି ପଡିବ। ଦେଶର ସାଧାରଣ ଲୋକ ହାହାକାର କରିବେ। ସେ ଆହୁରି କହିଥିଲେ କେନ୍ଦ୍ର ସରକାରର ଅପାରଗତା ପାଇଁ ହିଁ ଭାରତୀୟ ଟଙ୍କା ମାର୍କିନ ଡଲାର ତୁଳନାରେ ଦୁର୍ବଳ ହେଉଛି। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଭାରତୀୟ ଟଙ୍କାର ଏହି ଧରଣର ମାରାତ୍ମକ ଅବମୂଲ୍ୟାୟନ ଚାଲିଥିଲା ବେଳେ ସଂପୂର୍ଣ୍ଣ ନିରବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିଜର ସ୍ୱଭାବ ସୁଲଭ ଢଙ୍ଗରେ କହିଛନ୍ତି ଯେ ଭାରତୀୟ ଟଙ୍କାର ମୂଲ୍ୟ କମି ନାହିଁ ଡଲାର ମଜଭୁତ ହେଉଛି। ପିଆଜ ଦର ବୃଦ୍ଧି ବେଳେ ତାଙ୍କର “ମୁଁ ପିଆଜ ଖାଏନାହିଁ” ଉକ୍ତି ଭଳି ଏହା ମଧ୍ୟ ଏକ ଐତିହାସିକ ଉକ୍ତି।
ଟଙ୍କା ଦେଇ ଆମେ ତେଲ ଲୁଣ, ଡାଲି ଚାଉଳ, ଗାଡି ମଟର ଇତ୍ୟାଦି ସବୁକିଛି ବଜାରରୁ କିଣୁ। ଆମ ଦେଶରେ ପ୍ରତ୍ୟେକ ଜିନିଷର ମୂଲ୍ୟ ଟଙ୍କାରେ ନିର୍ଦ୍ଧାରିତ କରାଯାଇଥାଏ। ଧରାଯାଉ ମାଛ କିଲୋ ୨୦୦ ଟଙ୍କା ଓ ଚାଉଳ କିଲୋ ୫୦ ଟଙ୍କା। ଅର୍ଥାତ୍ ଆମେ ଗୋଟେ କିଲୋ ମାଛ ଦେଇ ୪ କିଲୋ ଚାଉଳ ପାଇ ପାରିବା। ଦୁଇଟି ଜିନିଷର ଏଭଳି ମୂଲ୍ୟ ଭିତ୍ତିକ ବିନିମୟ ଟଙ୍କା ମାଧ୍ୟମରେ ହେଉଥିବାରୁ ଟଙ୍କାକୁ ବିନିମୟର ମାଧ୍ୟମ (Medium of Exchange) କୁହାଯାଏ।
ପୂର୍ବରୁ ଦେଶ ବିଦେଶରେ ସୁନା ରୂପା ଭଳି ଧାତୁରେ ନିର୍ମିତ ମୁଦ୍ରା ପ୍ରଚଳିତ ଥିଲା। ଦେଶ ଭିତରେ ଓ ଦେଶ ବାହାରେ ବେପାର ବଣିଜ କରିବାରେ ଅସୁବିଧା ନଥିଲା, ଗୋଟେ ଦେଶର ମୁଦ୍ରା ଅନ୍ୟ ଦେଶରେ ଗ୍ରହଣୀୟ ହେଉଥିଲା। କିନ୍ତୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହୁ ପରମାଣର ମୁଦ୍ରା ବୋହି ନେବା ଅସୁବିଧା ଜନକ ହେବାରୁ କାଗଜ ଟଙ୍କାର ଉଦ୍ଭାବନ ହେଲା। ପୃଥିବୀର ସବୁ ଦେଶରେ ଏବେ କାଗଜ ଟଙ୍କା ପ୍ରଚଳିତ ହେଉଛି, ଯାହାର ନିଜସ୍ୱ ମୂଲ୍ୟ (Intrinsic Value) କିଛି ନାହିଁ। ଟଙ୍କା ଛପା ହେଉଥିବା କାଗଜର ମୂଲ୍ୟ ଯାହା ହେଉନା କାହିଁକି ଏହାର ପ୍ରକୃତ ମୂଲ୍ୟ ଥାଏ ଏହି ଟଙ୍କାର ଆଇନଗତ ମାନ୍ୟତା ପାଇଁ।
କାଗଜ ଟଙ୍କାରେ ସରକାରଙ୍କ ର ପ୍ରତିଶ୍ରୁତି ଥାଏ ଯେ କେହି ଏହି ଟଙ୍କା ଦେଲେ ସେହି ମୂଲ୍ୟର ସୁନା କିମ୍ବା ସୁନା ଜମା ଦେଲେ ସେହି ମୂଲ୍ୟର ଟଙ୍କା ପାଇବେ। ଏଥିପାଇଁ କାଗଜ ଟଙ୍କାକୁ ଅଙ୍ଗୀକାର ସୂଚକ ରୋକଡ (Promissory Note) କୁହଯାଏ।
ଜିନିଷ ପତ୍ରର ମୂଲ୍ୟ ସିନା ଆମେ ଟଙ୍କାରେ କହିଥାଉ; ଟଙ୍କାର ମୂଲ୍ୟ ପୁଣି କ’ଣ? ପ୍ରଥମତଃ ଏହା ଟଙ୍କାର ଜିନିଷ ପତ୍ରର କ୍ରୟ କ୍ଷମତା (Purchasing Power of Commodity)କୁ ବୁଝାଏ ଓ ଦ୍ୱିତୀୟରେ ଏହା ଅନ୍ୟ ଦେଶର ମୁଦ୍ରା (Currency) କୁ କିଣିବାର କ୍ଷମତାକୁ (Purchasing Power of Foreign Currency)କୁ ମଧ୍ୟ ବୁଝାଏ।
କୌଣସି ଜିନିଷ ର ଦାମ୍ ବଢ଼ିଗଲେ ଟଙ୍କା ର କ୍ରୟ କ୍ଷମତା ର ହ୍ରାସ ଘଟେ। ଉଦାହରଣ ସ୍ୱରୂପ ଦଶବର୍ଷ ତଳେ ସୋରିସ ତେଲ ଲିଟର ୮୦ ଟଙ୍କା ଥିଲା, ଏବେ ଲିଟର ୧୮୦ ଟଙ୍କା। ଅର୍ଥାତ୍ ଆଜିର ଦରରେ ସେହି ୮୦ ଟଙ୍କାରେ ମାତ୍ର ୪୪୪ ମିଲିଲିଟର ତେଲ କିଣି ହେବ। ସେମିତି ବିଦେଶୀ ମୁଦ୍ରା ର ଦାମ୍ ବଢି ଗଲେ ଟଙ୍କା (Rupee) ର କ୍ରୟ କ୍ଷମତା ହ୍ରାସ ଘଟେ। ଅର୍ଥାତ୍ କିଣୁଥିବା ଜିନିଷର ଦାମ୍ ବଢ଼ିଗଲେ ଟଙ୍କାର କ୍ରୟ କ୍ଷମତା ହ୍ରାସ ବା ମୂଲ୍ୟ ହ୍ରାସ ଘଟେ। ଏଠାରେ ଦୁଇଟି ପ୍ରଶ୍ନ ଆସେ : ଦରଦାମ୍ କାହିଁକି ବଢେ ଓ ଟଙ୍କାରେ ସିନା ଆମେ ବ୍ୟବହାର୍ଯ୍ୟ ଜିନିଷ ପତ୍ର ବା ସେବା କିଣୁ କିନ୍ତୁ ଅନ୍ୟ ଦେଶର ଟଙ୍କା କିଣିବାର ଆବଶ୍ୟକତା କ’ଣ? ଆମ ଦେଶରେ ପ୍ରଚଳିତ ପୁଞ୍ଜିବାଦୀ ଅର୍ଥନୀତିର ମୂଳ ଉଦ୍ଦେଶ୍ୟ ହେଉଛି ଲାଭ, ସର୍ବୋଚ୍ଚ ସମ୍ଭବ ଲାଭ ଅର୍ଜନ। ପୁଞ୍ଜିବାଦୀ ଅର୍ଥନୀତିରେ ଉତ୍ପାଦନ ଓ ଉତ୍ପାଦନର ସାଧନର ମାଲିକ ହେଉଛନ୍ତି ଏକଚାଟିଆ ପୁଞ୍ଜିପତି ଶ୍ରେଣୀ। ଦରଦାମ ସେମାନେ ସ୍ଥିର କରନ୍ତି; ତାରି ଭିତରେ ଚୋରି ହୋଇଯାଏ ଶ୍ରମିକର ଶ୍ରମ ଶକ୍ତିର ଏକାଂଶ। ଏହି ଚୋରିକୁ ଯୋଗାଣ ଓ ଚାହିଦା (supply and demand) ତତ୍ତ୍ୱ ଦ୍ୱାରା ଯୁକ୍ତିଯୁକ୍ତ, ଯଥାର୍ଥ ଓ ଆଇନ୍ ସିଦ୍ଧ କରାଯାଇଛି। ବସ୍ତୁତଃ ଯୋଗାଣ ଓ ଚାହିଦାକୁ ମଧ୍ୟ କମ୍ ବେଶୀ ସେହି ଏକଚାଟିଆ ପୁଞ୍ଜିପତି ମାନେ କରିଥାନ୍ତି।
ସୂଚନାଯୋଗ୍ୟ କେବଳ ଯେ ମାର୍କିନ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଘଟିଛି ତାହା ନୁହେଁ; ୟୁରୋ (Euro), ବ୍ରିଟିଶ ପାଉଣ୍ଡ ଷ୍ଟର୍ଲିଙ୍ଗ, ଜାପାନ ର ୟେନ୍ (Yen) ଭଳି ପ୍ରମୁଖ ବିଦେଶୀ ମୁଦ୍ରା ତୁଳନାରେ ବି ଟଙ୍କା ର ମୂଲ୍ୟ ହ୍ରାସ ଘଟୁଛି। କିନ୍ତୁ ମାର୍କିନ୍ ଡଲାର ତୁଳନାରେ ଟଙ୍କା ର ମୂଲ୍ୟ ଚିନ୍ତାଜନକ ଭାବେ ହ୍ରାସ ପାଉଛି। ଆହୁରି ମଧ୍ୟ ଜଣା ପଡିଛି ଯେ, ବାଂଲାଦେଶ, ପାକିସ୍ତାନ, ନେପାଳ, ଭୁଟାନ୍ ଭଳି ଛୋଟ ଦେଶମାନଙ୍କର ମୁଦ୍ରାର ମୂଲ୍ୟ ହ୍ରାସ ଘଟିଛି ସତ କିନ୍ତୁ ଭାରତୀୟ ମୁଦ୍ରା ତୁଳନାରେ କମ୍ ପ୍ରତିଶତ ହ୍ରାସ ଘଟିଛି।
ଦ୍ୱିତୀୟ ପ୍ରଶ୍ନ ହେଉଛି ଟଙ୍କାରେ ବିଦେଶୀ ମୁଦ୍ରା କିଣିବା ଦରକାର ହୁଏ କାହିଁକି? ଏହାର କାରଣ ହେଉଛି ବିଦେଶୀ ରାଷ୍ଟ୍ରରୁ ଆମଦାନୀ କରାଯାଉଥିବା ଦ୍ରବ୍ୟର ମୂଲ୍ୟ ଦେବାକୁ ହେବ ଓ ରପ୍ତାନୀ କରାଯାଉଥିବା ଦେଶ ଠାରୁ ପ୍ରାପ୍ୟ ଆଣିବାକୁ ହେବ। ଏହିସବୁ କାରବାର ପାଇଁ ସାରା ବିଶ୍ୱରେ କୌଣସି ସର୍ବ ମାନ୍ୟ ମୁଦ୍ରା (ଉଙ୍କକ୍ସକ୍ସରଦ୍ଭମଚ୍ଚ) ନାହିଁ କିମ୍ବା ସୁନା ରୂପା ମୁଦ୍ରା ଐତିହାସିକ କାରଣରୁ ଆଉ ପ୍ରଚଳନରେ ନାହିଁ। ଆମ ଦେଶର ଟଙ୍କା ଅନ୍ୟ ଦେଶରେ କେବଳ କାଗଜ ଟୁକୁରା ସଦୃଶ, ବିଦେଶରେ ଏହାର କୌଣସି ମୂଲ୍ୟ ନାହିଁ। ଯଦି ଦୁଇ ଦେଶ ବୁଝାମଣା ଭିତ୍ତିରେ ପରସ୍ପରର ମୁଦ୍ରା ବିନିମୟ ମୂଲ୍ୟ ସ୍ଥିର କରି ବ୍ୟବସାୟ ବାଣିଜ୍ୟ କରନ୍ତି, ତାହାହେଲେ ଏମିତି ସବୁଦେଶ ସହ କରିବାକୁ ହେବ ଏବଂ ସମସ୍ତଙ୍କୁ ସମସ୍ତଙ୍କର ମୁଦ୍ରା (currency) ରଖିବାକୁ ପଡିବ, ଯାହା ସମ୍ଭବ ନୁହେଁ।
ଏହି ସମସ୍ୟାର ସମାଧାନ ପାଇଁ ୧୮୭୦ ମସିହାରେ ବିଭିନ୍ନ ଦେଶ ମିଶି Gold Standard ବ୍ୟବସ୍ଥା ଗ୍ରହଣ କରିଥିଲେ; ଯେଉଁ ବ୍ୟବସ୍ଥାରେ ପ୍ରତ୍ୟେକ ଦେଶ ସୁନାର ମୂଲ୍ୟ ନିଜ ନିଜ ମୁଦ୍ରା (currency)ରେ ନିର୍ଦ୍ଧାରଣ କଲେ ଓ ଏଥିରୁ ଜନ୍ମ ନେଲା Exchange Rate ବା Foreign currency Exchange Rate – ମୁଦ୍ରା ବିନିମୟ ମୂଲ୍ୟ। ମନେକରାଯାଉ ଭାରତ ସରକାର ଘୋଷଣା କଲେ ପ୍ରତି ୧୦ ଗ୍ରାମ ସୁନା ର ମୂଲ୍ୟ ୩୦୦ ଟଙ୍କା ; ଯେକେହି ୧୦ ଗ୍ରାମ ସୁନା ଦେଇ ୩୦୦ ଟଙ୍କା ନେଇ ପାରିବେ ଏବଂ ୩୦୦ ଟଙ୍କା ଦେଇ ୧୦ ଗ୍ରାମ ସୁନା ନେଇ ପାରିବେ। ଧରନ୍ତୁ ସେଭଳି ଆମେରିକା ସରକାର ୧୦ ଗ୍ରାମ ସୁନାର ମୂଲ୍ୟ ୧୫୦ ମାର୍କିନ୍ ଡଲାର ବୋଲି ଘୋଷଣା କଲା। ତେଣୁ ମାର୍କିନ ଡଲାର ଓ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ବା Exchange Rate ଏକ ଡଲାରକୁ ଦୁଇ ଟଙ୍କା ସ୍ଥିର ହୋଇଗଲା। ଏମିତି ଦେଶ ଦେଶ ମଧ୍ୟରେ ପରସ୍ପର ମୁଦ୍ରାର ବିନିମୟ ମୂଲ୍ୟ (Currency Exchange Rate) ସ୍ଥିର ହେଲା ଓ ଦେଶ ଦେଶ ଭିତରେ ସହଜରେ ବ୍ୟବସାୟ ବାଣିଜ୍ୟ ଚାଲିଲା। ସୁନା ଦର ଭିତ୍ତିରେ ବିଦେଶୀ ମୁଦ୍ରାର ପରସ୍ପର ର ମୂଲ୍ୟ ନିର୍ଦ୍ଧାରଣ କୁ Gold Standard System କୁହାଯାଏ।
୧୯୭୧ ମସିହାରେ ଆମେରିକାର ରାଷ୍ଟ୍ରପତି ରିଚାର୍ଡ ନିକ୍ସନ Gold Standard ବ୍ୟବସ୍ଥାକୁ ହଟାଇ ଦେଲେ। ବିନିମୟ ମୂଲ୍ୟ (Exchange rate) ସହିତ ସୁନା ର ପୂର୍ବରୁ ଥିବା ସମ୍ପର୍କକୁ ରଦ୍ଦ କରିଦେଲେ। ବିନିମୟ ମୂଲ୍ୟ (Exchange rate) ର ମୂଳ ଆଧାର (Base) ସୁନା ବଦଳରେ ମାର୍କିନ ଡଲାର ହେବ ବୋଲି ଘୋଷଣା କଲେ। ଏଇଠୁ ଆରମ୍ଭ ହେଲା ସମଗ୍ର ବିଶ୍ୱର ଅର୍ଥନୀତିରେ ଡଲାରର ବିଧିବଦ୍ଧ ଆଧିପତ୍ୟ। ତେବେ କାହିକିଁ ଡଲାର, କାହିଁକି ଅନ୍ୟ ମୁଦ୍ରା (currency) ନୁହେଁ? ଏହାର ଉତ୍ତର ଆମେ ପାଇ ପାରିବା ଇତିହାସ ପୃଷ୍ଠାରୁ।
ଦୁଇଟି ବିଶ୍ୱ ଯୁଦ୍ଧରେ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ସାମିଲ ହୋଇ ପୃଥିବୀର ବହୁ ଦେଶ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲେ। ଏହି ଦେଶ ମାନେ ଦେଶରେ ଗଚ୍ଛିତ ସୁନା ବନ୍ଧା ଦେଇ ଆମେରିକା ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର କିଣିଥିଲେ, ଋଣ ବି କରିଥିଲେ। ବହୁ ଦେଶ କରଜରେ ବୁଡି ଯାଇଥିଲେ। ଏହି ପ୍ରକ୍ରିୟାରେ ଦୁନିଆର ପ୍ରାୟ ଶତକଡା ୮୦ ଭାଗ ସୁନା ଆମେରିକାକୁ ଚାଲି ଯାଇଥିଲା। ଫଳରେ ଗଚ୍ଛିତ ସୁନା ମୂଲ୍ୟ ଅନୁଯାୟୀ ନୋଟ୍ (Currency) ଛାପିବା ଓ ବିନିମୟ ମୂଲ୍ୟ (Exchange Rate) ସ୍ଥିର କରି ବିଦେଶୀ ରାଷ୍ଟ୍ର ମାନଙ୍କ ସହିତ ବ୍ୟବସାୟ ବାଣିଜ୍ୟ କରିବା ଏହି ଦେଶ ମାନଙ୍କ ପକ୍ଷରେ ଆଉ ସମ୍ଭବ ହେଲା ନାହିଁ। ୧୯୪୪ ମସିହାରେ ଅନୁଷ୍ଠିତ Britton Woods ସମ୍ମିଳନୀରେ ଯୁଦ୍ଧ କ୍ଷତିଗ୍ରସ୍ତ ଦେଶମାନଙ୍କର ପୁନର୍ଗଠନ ଆଳରେ IBRD (The International Bank for Reconstruction and Development- ପରବର୍ତ୍ତୀ ସମୟରେ ବିଶ୍ୱ ବ୍ୟାଙ୍କ) ଏବଂ ଏହି ସବୁ ଦେଶମାନଙ୍କର ତଥାକଥିତ ଆର୍ôଥକ ସୁଧାର ପାଇଁ ସ୍ୱଳ୍ପ ସୁଧରେ ଋଣ ଯୋଗାଇ ଦେବାର ଘୋଷିତ ଲକ୍ଷ୍ୟରେ ଓଗୠ ଭଳି ସଂସ୍ଥା ଗଠନ ହେଲା। ଏହି ବ୍ରିଟନ ଉଡ ସମ୍ମିଳନୀରେ ଆହୁରି ନିଷ୍ପତ୍ତି ହେଲା ଯେ ଯଦି ଦେଶ ମାନଙ୍କ ପାଖରେ ସୁନା ନାହିଁ ତାହାହେଲେ ସେମାନେ ଯେକୌଣସି ଦେଶ ସହ ଆମେରିକାର ଡଲାରରେ ବ୍ୟବସାୟ ବାଣିଜ୍ୟ କରିପାରିବେ। ଏହିଭଳି ଭାବରେ ହିଁ ସାରା ବିଶ୍ୱର ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ରାଷ୍ଟ୍ର ମାନେ ଡଲାରର ପ୍ରଭୁତ୍ୱକୁ ସ୍ୱୀକୃତି ପ୍ରଦାନ କରିବାକୁ ବାଧ୍ୟ ହେଲେ। ମାତ୍ର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମାରାତ୍ମକ ଭାବରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏକମାତ୍ର ସମାଜବାଦୀ ସୋଭିଏତ ୟୁନିଅନ ଏହି ବ୍ୟବସ୍ଥାରେ ସାମିଲ ହୋଇନଥିଲା। ଆମେରିକା ପାଖରେ ଯଥେଷ୍ଟ ପରିମାଣରେ ସୁନା ମହଜୁଦ ଥିଲା ଓ ଯୁଦ୍ଧାସ୍ତ୍ର ବି। ଆମେରିକା ଘୋଷଣା କଲା ଯେକୌଣସି ଦେଶ ଡଲାର ବଦଳରେ ସୁନା କିମ୍ବା ସୁନା ବଦଳରେ ଡଲାର ନେଇ ପାରିବେ। କିନ୍ତୁ ଏଭଳି ଘୋଷଣା କରିବାକୁ ଅନ୍ୟ ଦେଶ ମାନଙ୍କ ର ସମ୍ବଳ ନ ଥିଲା। ବିଶ୍ୱଯୁଦ୍ଧର ସୁଯୋଗ ନେଇ ଆମେରିକା ଯୁଦ୍ଧାସ୍ତ୍ର ବିକ୍ରିକରି ଯୁଦ୍ଧରେ ଲିପ୍ତ ସମସ୍ତ ପୁଞ୍ଜିବାଦୀ, ସାମ୍ରାଜ୍ୟବାଦୀ ଦେଶ ମାନଙ୍କୁ ବରବାଦ କରି ଦେଇ ଥିଲା।
ପୁଞ୍ଜିବାଦୀ ବ୍ୟବସ୍ଥାର ଅବଶ୍ୟମ୍ଭାବୀ ସଂକଟ ଫଳରେ ଷାଠିଏ ଦଶକରେ ଭାରତ ସରକାର ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ରୁ ଋଣ ଆଣିଥିଲା। ଏହା ସଙ୍ଗେ ସଙ୍ଗେ ୧୯୬୬ ମସିହାରେ କଂଗ୍ରେସ ନେତୃତ୍ୱରେ ପରିଚାଳିତ ତତ୍କାଳୀନ ଭାରତ ସରକାର ଭାରତୀୟ ଟଙ୍କାର ଅବମୂଲ୍ୟାୟନ (Rupee Devaluation) କଲେ। ଏହାର ଘୋଷିତ ଲକ୍ଷ୍ୟ ଥିଲା ଭାରତରେ ବିଦେଶୀ ପୁଞ୍ଜି ନିବେଶକୁ ଉତ୍ସାହିତ କରିବା। କହିବା ବାହୁଲ୍ୟ ଏହି ବିଦେଶୀ ପୁଞ୍ଜି ଆକର୍ଷଣ ନାଟକ ଏବେବି ଚାଲିଛି, ଏହା ରାଜ୍ୟ ସ୍ତରକୁ ବ୍ୟାପିଲାଣି। ଅନ୍ୟପଟରେ ଭିଏତନାମ ଓ ଆମେରିକା ମଧ୍ୟରେ ଦୀର୍ଘ ୨୫ ବର୍ଷ ବ୍ୟାପୀ ଯୁଦ୍ଧରେ ଆମେରିକାର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଗଲା। ଏଥିରୁ ମୁକୁଳିବା ପାଇଁ ଆମେରିକା ଗଚ୍ଛିତ ସୁନାର ମୂଲ୍ୟଠାରୁ ଅଧିକରୁ ଅଧିକ ଡଲାର ଛାପିବାକୁ ଲାଗିଲା। ଡଲାର ବିଶ୍ୱ ବଜାରରେ ତାର ପୂର୍ବର ବିଶ୍ୱସନୀୟତା ହରାଇବାକୁ ଲଗିଲା। ଯେଉଁ ଦେଶ ମାନଙ୍କ ପାଖରେ ଡଲାର ଗଚ୍ଛିତ ଥିଲା ସେମାନେ ସୁନା ବଦଳ କରିବାକୁ ଲାଗିଲେ। ଫ୍ରାନ୍‌ସ ୧୯୬୫ରେ ଡଲାର ଫେରାଇ ବିପୁଳ ପରିମାଣର ସୁନା ନେଇଗଲା। ଫ୍ରାନସ୍‌କୁ ଦେଖି ଅନ୍ୟ ଦେଶମାନେ ମଧ୍ୟ ସୁନା ବଦଳାଇ ନେଲେ। ଆମେରିକା ପାଖରୁ ସୁନା ସରିବାକୁ ଲଗିଲା। କ୍ରମେ ଡଲାର ବଦଳରେ ସୁନା ଦେବାକୁ ଅକ୍ଷମ ହେଲା ଆମେରିକା। ୧୯୭୧ ମସିହାରେ ତତକାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଡଲାର ସହ ସୁନାର ଅଦଳ ବଦଳ ନୀତିକୁ ରଦ୍ଦ କରିଦେଲେ ଯାହା Nixon Shock ବା ନିକ୍ସନ ଝଟକା ଭାବେ ପରିଚିତ। ଆମେରିକାର ଏଭଳି ନୀତିରେ ଅସଂଖ୍ୟ ଦେଶ କ୍ଷତିର ସମ୍ମୁଖୀନ ହେଲେ ସତ କିନ୍ତୁ ଆମେରିକା ଲାଭବାନ ହେଲା ଓ ଡଲାରର ପ୍ରଭୁତ୍ୱ କାଏମ ରହିଲା। ଫଳତଃ ଯେଉଁ ମାନଙ୍କ ପାଖରେ ଡଲାର ଥିଲା ସେଥିରେ ବ୍ୟବସାୟ ବାଣିଜ୍ୟ ଚାଲୁ ରଖିଲେ।
କେବଳ ସେତିକି ନୁହେଁ ଆମେରିକା ବିଭିନ୍ନ ସମୟରେ ସମଗ୍ର ପୃଥିବୀରେ ସନ୍ତ୍ରାସ ଚଳାଇ ଆସିଛି। ଦେଶ ଦେଶ ଭିତରେ ଯୁଦ୍ଧ ଲଗାଇବା, ଦୀର୍ଘ ଦିନ ଯୁଦ୍ଧ ଚଳାଇ ଯୁଦ୍ଧାସ୍ତ୍ର ବିକି ଯୁଦ୍ଧରେ ଲିପ୍ତ ଦେଶ ମାନଙ୍କୁ ତଳିତଳାନ୍ତ କରିବା, ସଂପୃକ୍ତ ଦେଶର ସ୍ୱାର୍ଥ ପ୍ରତିକୂଳ ସର୍ତ୍ତ ରେ ଡଲାରରେ ଜିନିଷ ଆମଦାନୀ ରପ୍ତାନୀ ପାଇଁ ବାଧ୍ୟ କରିବା, ଆମେରିକା ଆଧିପତ୍ୟାଧିନ ଦେଶ ମାନଙ୍କ ସହ ବ୍ୟବସାୟ ବାଣିଜ୍ୟ କରିବାକୁ ବିଭିନ୍ନ ଦେଶକୁ ବାଧ୍ୟ କରିବା, ସୋଭିଏତ୍ ୟୁନିୟନ ନେତୃତ୍ୱରେ ପରିଚାଳିତ ସମାଜବାଦୀ ଶିବିର ସହିତ ସଂପୃକ୍ତ ଦେଶମାନଙ୍କ ସହ ସମ୍ବନ୍ଧ ନ ରଖିବା ଆଦି ସର୍ତ୍ତ ଦ୍ୱାରା ଡଲାରର ଚକ୍ରବ୍ୟୁହରେ ପ୍ରାୟ ସମସ୍ତ ପୃଥିବୀ ଛନ୍ଦି ହୋଇ ରହିଛି। ରୁଷିଆ ସହ କୌଣସି ବୈଦେଶିକ ବାଣିଜ୍ୟ ନ କରିବାକୁ ବିଭିନ୍ନ ଦେଶ ଉପରେ ଚାପ ପକାଇଛି ଆମେରିକା। ଭାରତ ଉପରେ ବି ଚାପ ପକାଉଛି ରୁଷିଆଠାରୁ ତେଲ ନ କିଣିବାକୁ। ଋଷିଆ ୟୁକ୍ରେନ ଯୁଦ୍ଧ ବାହାନାରେ ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ (Federal Reserves)ରେ ରୁଷିଆର ହଜାର ହଜାର କୋଟି Dollar-Treasury ବଣ୍ଡକୁ ଆମେରିକା ଅଚଳ କରିଦେଇଛି। ଅର୍ଥାତ୍ ଏହାର ଆଧିପତ୍ୟ ସ୍ୱୀକାର ନକଲେ ଯେକୌଣସି ଦେଶକୁ ଆର୍ôଥକ ଭାବରେ ପଙ୍ଗୁ କରି ଦେବାକୁ ଉଦ୍ୟମ କରୁଛି ଆମେରିକା। ୨୦୨୨ରେ ବିଶ୍ୱ ବାଣିଜ୍ୟର ଶତକଡା ୫୪ ଭାଗ ମାର୍କିନ ଡଲାରରେ ହୋଇଥିଲା। କିନ୍ତୁ ଆମେରିକା ସମଗ୍ର ବିଶ୍ୱରେ ହୋଇଥିବା ବାଣିଜ୍ୟ କାରବାରର ମାତ୍ର ଶତକଡା ୮ ଭାଗ ରପ୍ତାନୀ ଓ ଶତକଡ଼ା ୧୩ ଭାଗ ଆମଦାନୀ କରିଥିଲା। ଗ୍ଲୋବାଲ ପେମେଣ୍ଟ ଯଥା କ୍ରେଡିଟ୍ କାର୍ଡ, ବିଭିନ୍ନ ଦେଶ ଭିତରେ ଅଣବାଣିଜ୍ୟ ଅର୍ଥ ସରବରାହ (Money Transfer) ଇତ୍ୟାଦିର ଶତକଡ଼ା ୪୯ ଭାଗ ମାର୍କିନ ଡଲାର ଜରିଆରେ ହେଉଛି। ସମଗ୍ର ବିଶ୍ୱ ଜିଡିପି (GDP)ର ଶତକଡା ୨୬ ଭାଗ ହେଉଚି ଆମେରିକାର ଏଊଚ। ଏଥିରୁ ସହଜରେ ବୁଝି ହୁଏ କେମିତି ଧମକ, କଟକଣା, ଯୁଦ୍ଧଭୟ ମାଧ୍ୟମରେ ଅର୍ଦ୍ଧାଧିକ ବିଶ୍ୱ ଅର୍ଥନୀତିକୁ କବଜା କରିସାରିଛି ଆମେରିକା।
ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବାପରେ ରାଷ୍ଟ୍ରପତି ଟ୍ରମ୍ପ ବ୍ରାଜିଲ, ଋଷିଆ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ ଓ ୟୁନାଇଟେଡ ଆରବ ଏମିରେଟ୍ସକୁ ନେଇ ଗଠିତ ବ୍ରିକ୍ସ (BRICKS) ଦେଶ ମାନଙ୍କୁ ଖୋଲା ଧମକ ଦେଇଛନ୍ତି ଯଦି ସେମାନେ ଡଲାରର ବିକଳ୍ପ ଭାବେ ଅନ୍ୟ କୌଣସି ମୁଦ୍ରା (Currency) ଚାଲୁ କରନ୍ତି (Euro ଭଳି), ଡଲାର ଉପରେ ଯଦି କିଛି ଆଂଚ୍ ଆସେ ତାହାହେଲେ ଭୟଙ୍କର ପରିଣତି ଭୋଗିବାକୁ ପଡିବ। ସୂଚନାଯୋଗ୍ୟ ରୁଷିଆ, ଭାରତ, ଚୀନ୍ ଆଦି ଈଜଓଉକଝ ଗୋଷ୍ଠୀର ରାଷ୍ଟ୍ର ମାନେ ଏବେ କହିଲେଣି ସେମିତି କିଛି ଯୋଜନା ନାହିଁ ଯଦିଓ ଏହି ରାଷ୍ଟ୍ର ମାନେ ୨୦୨୩ ମସିହାରେ ଦକ୍ଷିଣଆଫ୍ରିକା ସମ୍ମିଳନୀରେ ଡଲାରର ବିକଳ୍ପ ଭାବେ ବ୍ରିକ୍ସ ମୁଦ୍ରା (BRICKS Currency) ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଥିଲେ।
ମୁଦ୍ରା ବିନିମୟ (Currency Exchange ) କ୍ଷେତ୍ରରୁ ସୁନା ହଟିଯିବା ପରେ ବସ୍ତୁତଃ ମାର୍କିନ ଡଲାରମୂଲ୍ୟ ଆଧାରରେ ବିଭିନ୍ନ ଦେଶର ମୁଦ୍ରା ବିନିମୟ ମୂଲ୍ୟ ନିର୍ଦ୍ଧାରଣ ହେଉଛି। ଡଲାର ହେଉ କି ୟୁରୋ ହେଉ, ସେ ସବୁର ମୂଲ୍ୟ ଆଜି ବଜାର ଅର୍ଥନୀତି ଚାହିଦା ଓ ଯୋଗାଣ (ଊରଜ୍ଞବଦ୍ଭୟ ବଦ୍ଭୟ ଝଙ୍କକ୍ଟ୍ରକ୍ଟ୍ରକ୍ଷଚ୍ଚ) ଦ୍ୱାରା ସ୍ଥିର ହେଉଛି। ବିଭିନ୍ନ ଦେଶରେ ଏ ବାବଦରେ ପ୍ରଚଳିତ ପଦ୍ଧତି କୁ ଲକ୍ଷ୍ୟ କଲେ ତିନି ପ୍ରକାର ବିନିମୟ ହାର(ଋଙ୍ଘମଷବଦ୍ଭଶର ଜବଗ୍ଧର) ଦେଖିବାକୁ ମିଳେ। ଯଥା :
ସ୍ଥିର ବିନିମୟ ହାର (Fixed Exchange Rate)– ଏହି ପଦ୍ଧତିରେ ପ୍ରତ୍ୟେକ ବିଦେଶୀ ମୁଦ୍ରା ସହ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ସରକାର ସ୍ଥିର କରନ୍ତି। ସରକାର ମଝିରେ ମଝିରେ ଏହାକୁ ସଂଶୋଧନ କରନ୍ତି।
ସ୍ୱତଃ ପରିବର୍ତ୍ତନଶୀଳ ବିନିମୟ ହାର (Floating Exchange Rate)- ଏହି ପଦ୍ଧତିରେ ସରକାର କୌଣସି ହସ୍ତକ୍ଷେପ କରନ୍ତି ନାହିଁ, ବଜାର ଅର୍ଥନୀତିର ଚାହିଦା ଓ ଯୋଗାଣ (Supply and Demand) ର ଶକ୍ତି ଉପରେ ଛାଡ଼ି ଦିଅନ୍ତି।
ସରକାରୀ ହସ୍ତକ୍ଷେପ ଭିତ୍ତିକ ବିନିମୟ ହାର (Managed Exchange Rate)- ଏହି ପଦ୍ଧତିରେ ଚାହିଦା ଓ ଯୋଗାଣ(Supply and Demand) ଦ୍ୱାରା ବିନିମୟ ହାର ନିର୍ଦ୍ଧାରିତ ହୁଏ ସତ କିନ୍ତୁ ଯେତେବେଳେ ଭାରତୀୟ ଟଙ୍କାର ମୂଲ୍ୟ ଅତି ମାତ୍ରାରେ କମିଯାଏ ସେତେବେଳେ ସରକାର ଏଥିରେ ସୁଧାର ଆଣିବା ପାଇଁ ପରୋକ୍ଷରେ ପ୍ରୟାସ କରିଥାନ୍ତି, ଯେମିତି ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଜରିଆରେ ଭାରତ ସରକାର କରୁଛନ୍ତି। ଡଲାର ବିକ୍ରି କରି ବଜାରରେ ଏହାର ଚାହିଦା (Demand) ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି।
୧୯୯୨ ମସିହାରୁ ଭାରତ ଏହି ତୃତୀୟ ପଦ୍ଧତି ଅନୁସରଣ କରୁଛି, ତା ପୂର୍ବରୁ ଦେଶରେ Fixed Exchange Rate ପଦ୍ଧତି ଅନୁସୃତ ହେଉଥିଲା।
ବର୍ତ୍ତମାନ ଆସନ୍ତୁ ଭାରତର ବାସ୍ତବ ଆର୍ôଥକ ସ୍ଥିତି ଉପରେ ନଜର ପକେଇବା। ଭାରତର ଜନସଂଖ୍ୟା ପୃଥିବୀର ଜନସଂଖ୍ୟାର ଶତକଡା ୧୭.୯୬ ଭାଗ। ମାତ୍ର ପରିସଂଖ୍ୟାନରେ କେନ୍ଦ୍ର ବିଜେପି ସରକାରର ସମସ୍ତ ପ୍ରକାର ହେରାଫେରି ସତ୍ତ୍ୱେ ଭାରତର ଜିଡିପି ପୃଥିବୀର ମୋଟ ଜିଡିପିର ମାତ୍ର ୭.୫ ଭାଗ।
୨୦୨୪ ମସିହା ନଭେମ୍ୱର ୨୪ ତାରିଖ ସୁଦ୍ଧା ଭାରତର ମୋଟ ରପ୍ତାନୀ ୩୨.୧ ବିଲିୟନ ମାର୍କିନ ଡଲାର ହୋଇଥିଲା ବେଳେ ଆମଦାନୀ ୬୯.୯୫ ବିଲିଅନ ମାର୍କିନ ଡ଼ଲାର। ଏହାର ଅର୍ଥ ହେଉଛି ଭାରତ ବାଣିଜ୍ୟିକ ନିଅଣ୍ଟ (Trade Deficit) ୩୭.୮ ବିଲିୟନ ଡଲାର, ଯାହାକି ରେକର୍ଡ ପରିମାଣର ନିଅଣ୍ଟ। ଭାରତ ସରକାରଙ୍କ ଆୟ ତୁଳନାରେ ଖର୍ଚ୍ଚ (Fiscal deficit) ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ୧୬.୫୪ ଲକ୍ଷ କୋଟି ଟଙ୍କା।
ଭାରତର ଘରୋଇ ଓ ବିଦେଶୀ ଋଣ ମିଶି ୨୦୧୪ରେ ୫୯ ଲକ୍ଷ କୋଟି ଟଙ୍କାରୁ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ବୃଦ୍ଧି ପାଇ ୧୫୫.୬ ଲକ୍ଷ କୋଟି ଟଙ୍କାରେ ପହଂଚିଛି। ଅର୍ଥାତ୍ ଋଣ ବୃଦ୍ଧି ପାଇଛି ଶତକଡା ୧୭୪ ଭାଗ। ଏହି ୠଣ ହେଉଚି ଦେଶର ମୋଟ୍ ଜିଡିପିର ଶତକଡା ୫୭ ଭାଗ।
ଉପରୋକ୍ତ ତଥ୍ୟ ଏହା ସ୍ପଷ୍ଟ କରୁଛି ଯେ ଭାରତ ଯେତିକି ରପ୍ତାନୀ କରୁଛି ତା’ଠାରୁ ଯଥେଷ୍ଟ ଅଧିକ ଆମଦାନୀ କରୁଛି। ଦେଶର ରପ୍ତାନୀ ହାର ଶତକଡ଼ା ୪ ହାରରେ କମୁଥିବା ବେଳେ ଆମଦାନୀ ହାର ଶତକଡ଼ା ୨୭ ହାରରେ ବଢୁଛି। ଅନ୍ୟପଟରେ ଭାରତ ସରକାର ଯେତିକି ଆୟ କରୁଛନ୍ତି ତା’ଠୁ ଅଧିକ ଖର୍ଚ୍ଚ କରୁଛନ୍ତି। ତୃତୀୟରେ Trade Deficit, Fiscal Deficit ଭରଣା କରିବାକୁ ଭାରତ ସରକାର ଦେଶ ଭିତରୁ ଓ ବିଦେଶରୁ ଋଣ ଆଣୁଛନ୍ତି। ଋଣ ଶୁଝିବା ପାଇଁ, ସୁଧ ପୈଠ ପାଇଁ, ପୁଣି ଋଣ କରୁଛନ୍ତି ; ଋଣର ସିଂହ ଭାଗ ଋଣ ଶୁଝିବାରେ ଯାଉଛି। କେବଳ ସୁଧ ବାବଦକୁ ୧୦.୮ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ଦେବାକୁ ହେଉଛି ଯାହାକି ସରକାରଙ୍କ ମୋଟ ବ୍ୟୟର ଶତକଡା ୨୪ ଭାଗ। ଏଥିରୁ ସ୍ପଷ୍ଟ ଯେ ଭାରତ ସରକାର ଦେଶର ଜନସାଧାରଣଙ୍କୁ ଋଣ ଯନ୍ତାରେ ପକାଇଛନ୍ତି। ଏହିଭଳି ଭାବରେ ସାମ୍ରାଜ୍ୟବାଦୀ ଶକ୍ତି ମାନେ ଦୁର୍ବଳ ଦେଶ ମାନଙ୍କର ଆର୍ôଥକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି, ବିଶ୍ୱର ଶ୍ରମିକ ମେହନତି ମଣିଷକୁ ଶୋଷଣ କରି ଧନର ପାହାଡ଼ ସୃଷ୍ଟି କରିଛନ୍ତି। ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ଡଲାର। ଏବେ ଡଲାର ଏକ ବିଶ୍ୱସ୍ତରୀୟ ମୁଦ୍ରା (Global Currency) ଭାବେ ଉଭା ହୋଇଛି ଯାହାକୁ ପାଇବାକୁ ସବୁ ଦେଶ ଚାହାଁନ୍ତି – ଡଲାର ନିର୍ଭରଶୀଳତା ବୃଦ୍ଧି ପାଉଥିବାରୁ ଏହାର ଚାହିଦା ବଢୁଛି, ଦେଶର ମୁଦ୍ରା ବା ଉଙ୍କକ୍ସକ୍ସରଦ୍ଭମଚ୍ଚ ଶସ୍ତା ହେଉଛି, ନ ହେଲେ ନିଜ ଦେଶର ସରକାର ନିଜେ ନିଜର ମୁଦ୍ରାକୁ ଶସ୍ତା କରୁଛନ୍ତି – ସମସ୍ତେ ଡ଼ଲାର ପାଇଁ ଭୋକିଲା। ଆସନ୍ତୁ ବର୍ତ୍ତମାନ ଭାରତର ଡଲାର ନିର୍ଭରଶୀଳତାକୁ ଅନୁଧ୍ୟାନ କରିବା।
୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଭାରତର ସମୁଦାୟ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ ୭୦୪.୮୯ ବିଲିୟନ ମାର୍କିନ ଡଲାର ଥିଲା। ସେଥିରୁ କେବଳ ବୈଦେଶିକ ମୁଦ୍ରା (Foreign Currency) ୬୧୬ ବିଲିଅନ ଡଲାର ଯାହାମୋଟ ପରିମାଣର ଶତକଡା ୮୭.୩୯ ଭାଗ। ବୈଦେଶିକ ମୁଦ୍ରା (Foreign Currency)ର ଶତକଡ଼ା ୬୦ ଭାଗରୁ ଅଧିକ କେବଳ ମାର୍କିନ ଡଲାରରେ ଥିଲା। ବିଭିନ୍ନ ଆନ୍ତର୍ଜାତିକ କାରଣ ପାଇଁ ଗତ ବେଶ କିଛି ସମୟ ଧରି, ବିଶେଷ କରି ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ବିଦେଶୀ ନିବେଶକ ଦ୍ରୁତ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି। ଖବର କାଗଜ ମାନଙ୍କରେ ପ୍ରକାଶିତ ସମ୍ବାଦ ଅନୁଯାୟୀ ୨୦୨୫ ଜାନୁଆରୀ ମାସରେ ହିଁ ବିଦେଶୀ ନିବେଶକମାନେ ୨୨,୧୯୪ କୋଟି ଡଲାର ଭାରତୀୟ ବଜାରରୁ ପ୍ରତ୍ୟାହାର କରିଛନ୍ତି। ଫଳରେ ପୁଞ୍ଜି ବଜାରରେ ଅର୍ଥାତ ଫଟକା ବଜାରରେ ହାହାକାର ଲାଗିଛି। ଲକ୍ଷ ଲକ୍ଷ କୋଟି ଟଙ୍କା ହରାଉଛନ୍ତି ନିବେଶକ।
ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ୨୬୬ ବିଲିୟନ ଗଚ୍ଛିତ ଡ଼ଲାର (forex reserves) ବିକ୍ରି କରିଛି। ଟଙ୍କାର ମୂଲ୍ୟରେ ସ୍ଥିରତା ଆଣିବା ପାଇଁ ଏହା କରାଯାଇଅଛି। ଆଶଙ୍କା ବି ଅଛି ଆଗାମୀ ଦିନରେ ଆମେରିକାର ନୀତିରେ ପ୍ରଭାବିତ ହୋଇ ଆହୁରି ବଡ଼ ପରିମାଣର ପୁଞ୍ଜି ପ୍ରତ୍ୟାହାର କରି ପାରନ୍ତି ନିବେଶକ। ଏଭଳି ସ୍ଥିତିକୁ ସମ୍ଭାଳିବା ପାଇଁ ଡଲାର ବା ବିଦେଶୀ ମୁଦ୍ରା ଯୋଗାଡ କରୁଛନ୍ତି ଭାରତ ସରକାର। ନିକଟରେ ଏହି ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଏହା ପରେ ପରେ ଓଡିଶାରେ ମହା ଆଡମ୍ବରରେ ଉତ୍କର୍ଷ ଓଡିଶା ସମାବେଶ। କହିବା ବାହୁଲ୍ୟ ଏହା ପୂର୍ବତନ ବିଜେଡି ସରକାରର ମେକ୍ ଇନ୍ ଓଡିଶା କନ୍‌କ୍ଲେଭର ନାମାନ୍ତର ମାତ୍ର।
୧୯୯୧-୯୨ ମସିହାରେ ତତ୍କାଳୀନ କେନ୍ଦ୍ର କଂଗ୍ରେସ ସରକାରର ଅର୍ଥ ମନ୍ତ୍ରୀ ମନମୋହନ ସିଂହ ଦୁଇ ଦଫାରେ ଟଙ୍କାର ବଡ଼ ଧରଣର ଅବମୂଲ୍ୟାୟନ କରିଥିଲେ। ସେତେବେଳେ ପ୍ରତି ମାର୍କିନ ଡଲାର ୭.୮୬ ଟଙ୍କା ଥିଲାବେଳେ ସେ ଏହାକୁ ହ୍ରାସ କରି ୨୫.୯୨ ଟଙ୍କା କରିଥିଲେ। ଦେଶରେ ଅବାଧ ପୁଞ୍ଜିନିବେଶକୁ ଉତ୍ସାହିତ କରିବାର ଘୋଷିତ ଲକ୍ଷ୍ୟରେ ପୂର୍ବରୁ ଏ କ୍ଷେତ୍ରରେ ଥିବା ବହୁ କଟକଣା ଉଠାଇ ଦିଆଗଲା ବା କୋହଳ କରିଦିଆ ଗଲା। ଭାରତର ଜନସାଧାରଣଙ୍କ ସମ୍ପଦକୁ ଶାଗ ମାଛ ଦରରେ ବହୁଜାତୀୟ କମ୍ପାନୀ ମାନଙ୍କୁ ଟେକିଦେବା ପ୍ରକ୍ରିୟା ଆରମ୍ଭ ହେଇଥିଲା। ବିଦେଶୀ ମୁଦ୍ରା ଭଣ୍ଡାରର କଳେବର ବୃଦ୍ଧି ପାଇଁ ଭାରତର ଶ୍ରମିକ, କର୍ମଚାରୀ, ମଜଦୁର ଙ୍କର ସ୍ୱାର୍ଥକୁ କବର ଦେଇ ପୁଞ୍ଜିପତି ମାନଙ୍କୁ ସର୍ବୋଚ୍ଚ ଲାଭ ଦେବାର ବ୍ୟବସ୍ଥା କରାଯାଇଥିଲା। ଏଠାରେ ଅମେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ କୌଣସି ଦେଶର ମୁଦ୍ରାର ଅବମୂଲ୍ୟାୟନର ଅର୍ଥ ହେଉଛି ବିଦେଶୀ ଏକଚାଟିଆ ପୁଞ୍ଜିପତି ମାନେ ପୂର୍ବ ଅପେକ୍ଷା କମ୍ ଡଲାର ଖର୍ଚ୍ଚ କରି ସଂପୃକ୍ତ ଦେଶର ସମ୍ପଦ କିଣିପାରିବେ ବା ସେତିକି ଡଲାର ଖର୍ଚ୍ଚ କରି ଅଧିକ ସମ୍ପଦ ହସ୍ତଗତ କରିପାରିବେ। ଏହାର ପରିଣତି ହେଉଛି ଦାରିଦ୍ର‌୍ୟର ଭୟଙ୍କର ରୂପ, ମୁଦ୍ରାସ୍ଫୀତି, ହାଡ଼ ଭଙ୍ଗା ଦର ବୃଦ୍ଧି ଉତ୍କଟ ବେକାରୀ ସମସ୍ୟା। ମନମୋହନ ସିଂହ ହିଁ Fixed Floating Rate ବ୍ୟବସ୍ଥାକୁ ବାତିଲ କରି Managed Floating Rate ବ୍ୟବସ୍ଥା ଲାଗୁ କଲେ। ଏହାର କୁପରିଣାମ ଦେଶର ସଧାରଣ ଲୋକଙ୍କୁ ଆଜି ଭୋଗିବାକୁ ପଡୁଛି।
ତେବେ ମାର୍କିନ ଡଲାର ତୁଳନାରେ ଭାରତୀୟ ଟଙ୍କାର ଏହି ଅବମୂଲ୍ୟାୟନ ଏହି ଯାଗାରେ ଅଟକିବ ନାହିଁ। ଆଗାମୀ କିଛି ମାସ ମଧ୍ୟରେ ଏହା ଆହୁରି ନିମ୍ନଗାମୀ ହୋଇ ଗୋଟିଏ ମାର୍କିନ ଡଲାର ୧୦୦ ଟଙ୍କା ଛୁଇଁ ପାରେ ବୋଲି ଅର୍ଥନୀତିବିଦ୍ ମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ତେବେ ଏ ସଂପର୍କରେ ସରକାର ନିରବ। ଯେଉଁ ଗଣମାଧ୍ୟମ ଓ ସ୍ତମ୍ଭକାର ମାନେ ଉପା ଶାସନ ସମୟରେ ଟଙ୍କାର ଅବମୂଲ୍ୟାୟନ ଯୋଗୁ ଦେଶର ଆନ୍ତର୍ଜାତିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ହେଉଛି, ଏହାଫଳରେ ଦେଶ ଦେବାଳିଆ ହୋଇଯିବ ଏବଂ ଦେଶର ସାଧାରଣ ଲୋକଙ୍କର ଅବସ୍ଥା ସଂକଟଗ୍ରସ୍ତ ହେବ ବୋଲି ହୁରି ପକାଉଥିଲେ ସେମାନେ ଠିକ୍ ଓଲଟା ସ୍ୱରରେ ଗୀତ ଗାଇବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଏହି ଗଣମାଧ୍ୟମ, ବୁଦ୍ଧିଜୀବୀ ମାନଙ୍କର ଏକ ବଡ ଅଂଶ ଏବଂ ମୁଣ୍ଡବିକା ସ୍ତମ୍ଭକାର ମାନେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଦେଶର ଅର୍ଥନୈତିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ପ୍ରମାଣ କରିବା ପାଇଁ ସେମାନଙ୍କର ସମସ୍ତ ଖଳବୁଦ୍ଧିକୁ କାମରେ ଲଗାଉଛନ୍ତି। ସାଧାରଣ ଲୋକଙ୍କ ଟିକସ ଟଙ୍କାକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ବିଜ୍ଞାପନ ଦେଇ ସରକାର ମୁଖ୍ୟଧାରାର ଗଣମାଧ୍ୟମର ମୁହଁ ବନ୍ଦ କରି ଦେଇଛନ୍ତି।
ତେବେ ସରକାର ଯେତେ ଉଦ୍ୟମ କଲେ ମଧ୍ୟ ଦେଶର ସାଧାରଣ ଲୋକଙ୍କର ଜୀବନ ଜୀବିକାର ସଂକଟହିଁ ସେମାନଙ୍କୁ ବୁଝାଇ ଦେଉଛି ଯେ ଟଙ୍କାର ଅବମୂଲ୍ୟାୟନ ଘଟିବାର ଅର୍ଥ ହେଉଛି ସେମାନଙ୍କ ଜୀବନ ଜୀବିକାର ସଂକଟ ଆହୁରି ଘନୀଭୂତ ହେବ। କହିବା ବାହୁଲ୍ୟ ଆଜି ଦିନରେ ସଂକଟଗ୍ରସ୍ତ, ମରଣମୁଖୀ ପୁଞ୍ଜିବାଦ ସାରା ବିଶ୍ୱର ଜନସାଧାରଣଙ୍କୁ ଶୋଷଣ ଲୁଣ୍ଠନ, ବେକାରୀ ବ୍ୟତୀତ ଆଉ କିଛି ଦେଇ ପାରିବ ନାହିଁ। କାମର ସନ୍ଧାନରେ ପଳାୟନ ରୋକି ପାରିବ ନାହିଁ। କେବଳ ଭାରତ ନୁହେଁ, ଆମେରିକା ସମେତ ବିଶ୍ୱର ତଥାକଥିତ ଉନ୍ନତ ଦେଶର ସାଧାରଣ ଲୋକଙ୍କ ଅବସ୍ଥା ପ୍ରକାରେ ଭିନ୍ନ ନୁହେଁ।

Leave a Reply

Your email address will not be published. Required fields are marked *