ପୁଣି କମ୍ପାନୀର ଲୋଲୁପ ଦୃଷ୍ଟିରେ ରତ୍ନଗର୍ଭା ଗନ୍ଧମାର୍ଦ୍ଦନ

SK News Dated 17.02.2025

“ମା ମାଏଟକେ ନାଇଁ କରିଦେଉ ମରୁସ୍ଥାନ
ଗଲେ ପଛେ ଯାଉ ଜାନ”
“ଜାନ ଯାଉ ଯାଉ ଜୀବନ ଯାଉ
ଗନ୍ଧମାର୍ଦ୍ଦନ ବଂଚି ଥାଉ”
“କାନ ଖୁଲିକରି ସୁନ ସରକାର
ଆଦାନୀ କମ୍ପାନୀ ଆମକୁ ନେଇ ଦରକାର”
ଗନ୍ଧମାର୍ଦ୍ଦନ ପର୍ବତମାଳାର ଘୋର ଅରଣ୍ୟ, ପାହାଡ ଗୁମ୍ଫାରୁ ଭାସି ଆସୁଛି ହଜାର ହଜାର ସଂଗ୍ରାମୀ ଜନତାର ଏହି ଉଦ୍ଦାମ କଣ୍ଠସ୍ୱର । ପୁଣି ଲୋକେ ମେଳି ବାନ୍ଧୁଛନ୍ତି, ଗନ୍ଧମାର୍ଦ୍ଦନକୁ କମ୍ପାନୀର ଲୋଲୁପ ଦୃଷ୍ଟିରୁ ବଂଚାଇବା ପାଇଁ ପ୍ରତିଜ୍ଞାବଦ୍ଧ ହେଉଛନ୍ତି । ଏକ ଦୀର୍ଘସ୍ଥାୟୀ ଶକ୍ତିଶାଳୀ ଗଣଆନ୍ଦୋଳନର ପ୍ରସ୍ତୁତି ପାଇଁ ପ୍ରସ୍ତୁତ ହେଉଛନ୍ତି । ୮୦ଦଶକରେ ‘ବାଲକୋ ହଟାଓ’, ‘ଗନ୍ଧମାର୍ଦ୍ଦନ ବଚାଓ’ ଆନ୍ଦୋଳନର ଜଣେ ଯୁବ ସଂଗ୍ରାମୀ, ଆଜି ବୃଦ୍ଧ କିନ୍ତୁ ଯୌବନର ତେଜ ନେଇ ସିଂହ ଭାବ ଦେଇ ସରକାରଙ୍କୁ ଚେତାବନୀ ଶୁଣାଇ କହିଛନ୍ତି, “ସେଦିନ ବାଲକୋ ଅସୁରକୁ ହଟାଇଛୁ, ଏଥର ଆଉ ଏକ ମହାସୁର ଆସିଛି, ଆଦାନୀ, ତାକୁ ମଧ୍ୟ ହଟାଇବୁ । ଜାନ ଦେଇ, ରକ୍ତ ଦେଇ ରତ୍ନଗର୍ଭା ଗନ୍ଧମାର୍ଦ୍ଦନକୁ ବଂଚାଇବୁ । ସେଦିନ କଂଗ୍ରେସ ସରକାର ପଛକୁ ହଟିଥିଲା, ଏଥର ବିଜେପିର ଡବଲ ଇଞ୍ଜିନ ସରକାର ମଧ୍ୟ ପଛକୁ ହଟିବ ।” ବାଲକୋ ଆନ୍ଦୋଳନର ଆଉ ଜଣେ ସଂଗ୍ରାମୀ ନେତା ସ୍ୱାମୀ ଶ୍ରୀ ଜ୍ଞାନାନନ୍ଦ ସରସ୍ୱତୀଙ୍କ ସେଦିନର କଥା ଆଜି ମଧ୍ୟ ଉଚ୍ଚାରତି ହେଉଛି, “ଈଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକେ କେବେ ମଧ୍ୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ଦୁର୍ନୀତି ଓ ବ୍ୟଭିଚାର ଆଦି କୁକର୍ମକୁ ବରଦାସ୍ତ କରିପାରନ୍ତି ନାହିଁ । ସତ୍ୟ ଓ ନ୍ୟାୟକୁ ଶକ୍ତିଶାଳୀ କରିବା ପାଇଁ ନିର୍ଭୀକଭାବେ ଈଶ୍ୱରଙ୍କ ଆଦେଶ ପାଳନ କରନ୍ତି ।” ମୁଖେ ମୁଖେ ପ୍ରଶ୍ନ ଉତ୍‌ଥାପିତ ହୋଇଛି, ‘ଏତେ ଧର୍ମ ଧର୍ମ ହେଉଥିବା ବିଜେପି ଦଳ ଶାସନ ଗାଦିରେ ବସିଲାପରେ ଜନଗଣଙ୍କର ଧର୍ମୀୟ ଆବେଗ ବିଜଡିତ ଗନ୍ଧମାର୍ଦ୍ଦନକୁ ଆଦାନୀ ହାତରେ ଟେକି ଦେଇ ଏହାର ସଂପୂର୍ଣ୍ଣ ଧ୍ୱଂସ ସାଧନ କରିବାର ଚଞ୍ଚକତାପୂର୍ଣ୍ଣ ଷଡଯନ୍ତ୍ର କିପରି କରିଛି? ଇଏତ ମୁହେଁ ରାମ ନାମ ବଗଲେ ଛୁରୀ? ଲୋକେ ବୁଝିଲେଣି ଏମାନଙ୍କର ଧର୍ମ ସହିତ କୌଣସି ସଂପର୍କ ନାହିଁ । ଏମାନଙ୍କର ସଂପର୍କ ଖାଲି ଭୋଟ ଆଉ ଶାସନ ଗାଦି ସହିତ । ଏମାନଙ୍କର ନୀତି ହେଲା, ଲୋକଙ୍କର ଧର୍ମୀୟ ଆବେଗକୁ କାମରେ ଲଗେଇ କ୍ଷମତା ହାସଲ କରିବା ଆଉ କ୍ଷମତାକୁ ଆସି ପୁଞ୍ଜିପତିମାନଙ୍କର ସେବା କରିବା, ସେମାନଙ୍କ ସ୍ୱାର୍ଥରେ ହିଁ ଲୋକଙ୍କର ସ୍ୱାର୍ଥକୁ ବଳି ପକାଇବା, ସେମାନଙ୍କର ଜୀବନ-ଜୀବିକା, ପ୍ରକୃତି ଓ ପରିବେଶକୁ ଧ୍ୱଂସ କରିବା । ବିଜେପି ଦଳର ନୀତି ତ ସେହି କଥା କୁହେ । ତେଣୁ ଆଜି ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳର ଖଟିଖିଆ ସାଧାରଣ ମଣିଷ ଏପରିକି ସତ ଧର୍ମ ବିଶ୍ୱାସୀ ସାଧୁସନ୍ଥ ଓ ସମସ୍ତ ସ୍ତରର ଶୁଭବୁଦ୍ଧି ସଂପନ୍ନ ଜନଗଣ, ପ୍ରକୃତି ପ୍ରେମୀ ସଚେତନ ନାଗରିକ ଗୋଟିଏ କଣ୍ଠରେ ଗାଉଛନ୍ତି,
“ମାଟିର ଶରୀର ମିଶିବ ମାଟି
କେହିତ ନୁହେଁ ଆମର
ସତ୍ୟ ଧରମ ମହତ କର୍ମେ
ହୁଅ ବେଗେ ଆଗୁସାର”
ରତ୍ନଗର୍ଭା ଗନ୍ଧମାର୍ଦ୍ଦନ
ବଲାଙ୍ଗୀର-ବରଗଡ-ନୁଆପଡା, ଏହି ତିନୋଟି ଜିଲ୍ଲାକୁ ବ୍ୟାପ୍ତ କରି ଗନ୍ଧମାର୍ଦ୍ଦନ ପାର୍ବତ୍ୟମାଳା ଅବସ୍ଥିତ । ଏହାର ହାରାହାରି କ୍ଷେତ୍ରଫଳ ୨୦,୦୦୦ ହେକ୍ଟର । ଏହାର ଗର୍ଭରେ ରହିଛି ଉନ୍ନତମାନର ବିପୁଳ ବକ୍ସାଇଟ । ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିଛି ଯେ, ଏହାର ପରିମାଣ ୨୩୦ନିୟୁତ ମାଟ୍ରିକ ଟନରୁ ଉର୍ଦ୍ଧ୍ୱ । ଏଠି ରହିଛି ୨୨ଟି ଚିରସ୍ରୋତା ଝରଣା, ଯେଉଁଠୁ ତିନୋଟି ନଦୀ ଅଂଗ, ସୁକତେଲ ଓ ଲାନ୍ଥ ପ୍ରବାହିତ ହୋଇ ମହାନଦୀରେ ମିଶିଛି । ତେଣୁ ଏହି ପର୍ବତକୁ ମଧୁର ସମୁଦ୍ର ବି କୁହାଯାଏ । ପୁଣି ଏଠି ରହିଛି ବିସ୍ତୃତ ଅଂଚଳବ୍ୟାପୀ ଘଞ୍ଚ ଅରଣ୍ୟ । ଗବେଷକମାନଙ୍କ ମତରେ ଗନ୍ଧମାର୍ଦ୍ଦନର ଏକ ବଡ ମହତ୍ତ୍ୱ ହେଲା, ଏଠିଥିବା ଦୁଇଶହରୁ ଉର୍ଦ୍ଧ୍ୱ ବନୌଷଧି ଯାହା ଅନ୍ୟତ୍ର କେଉଁଠି ଦେଖାଯାଏ ନାହିଁ । ଫଳରେ ଗନ୍ଧମାର୍ଦ୍ଦନ କେବଳ ଆମ ରାଜ୍ୟ ବା ଦେଶରେ ନୁହେଁ, ପୃଥିବୀ ମାନଚିତ୍ରରେ ଏକ ବିଶେଷ ସ୍ଥାନ ଅଧିକାର କରିଛି । ଅନ୍ୟଦିଗରେ ଦେଶୀ ବିଦେଶୀ କମ୍ପାନୀମାନଙ୍କ ଲୋଲୁପ ଦୃଷ୍ଟିରେ ବି ଏହି ରତ୍ନଖଚିତ ପର୍ବତ ବି ପଡିଛି । ଯାହାଫଳରେ ବାରମ୍ବାର ବିପଦ ଘନେଇ ଆସିଛି ଓ ଗନ୍ଧମାର୍ଦ୍ଦନ କୋଳରେ ଥିବା ଏହାର ବୀର ସନ୍ତାନମାନେ ନିଜ ମା ପରି ଏହି ପର୍ବତକୁ ରକ୍ଷା କରିଛନ୍ତି । ରକ୍ତକ୍ଷୟୀ ସଂଗ୍ରାମର ନଜିର ସୃଷ୍ଟି କରିଛନ୍ତି ।
ବାଲକୋ ବିରୋଧି ଆନ୍ଦୋଳନର
ଏକ ଝଲକ
୧୯୮୫ ମସିହାରେ ରାଜ୍ୟ ଓ କେନ୍ଦ୍ରରେ ଥିବା ତତ୍‌କାଳୀନ କଂଗ୍ରେସ ସରକାର ଗନ୍ଧମାର୍ଦ୍ଦନ ପର୍ବତରେ ବକ୍ସାଇଟ ଖନନ ପାଇଁ ବାଲକୋ(ଭାରତ ଆଲୁମିନିୟମ କମ୍ପାନୀ)କୁ ଅନୁମିତ ଦେଇଥିଲା । କମ୍ପାନୀ ମଧ୍ୟ ବହୁଦୂର ଅଗ୍ରସର ହୋଇଯାଇଥିଲା । ପର୍ବତ ଉପରେ ରାସ୍ତା ନିର୍ମାଣ ଏପରିକି ରେଳପଥ ନିର୍ମାଣ ପାଇଁ ରାସ୍ତାକାମ ବି ଆରମ୍ଭ କରିଦେଇଥିଲା । ପଦ୍ମପୁର ପାଇକମାଳ ରାସ୍ତାରେ କଲୋନୀ ଘର ମଧ୍ୟ ନିର୍ମାଣ କରିଦେଇ ଥିଲା । କୁହାଯାଇପାରେ ପୁରା ଦମ୍‌ରେ ବକ୍ସାଇଟ ଖନନ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ତେବେ ଏ ଅଂଚଳର ସଂଗ୍ରାମୀ ଜନସାଧାରଣ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଗଠନ କରି ଶକ୍ତିଶାଳୀ ଦୀର୍ଘସ୍ଥାୟୀ ଆନ୍ଦୋଳନ ସଂଗଠିତ କରିଥିଲେ । ବିଭିନ୍ନ ସ୍ତରର ବୁଦ୍ଧିଜୀବୀ, ସମସ୍ତ ସ୍ତରର ଶୁଭବୁଦ୍ଧି ସଂପନ୍ନ ଜନଗଣ ଏ ଆନ୍ଦୋଳନକୁ ଖାଲି ସମର୍ଥନ କରିଥିଲେ ତା’ ନୁହେଁ, ଆନ୍ଦୋଳନ ଗଢିତୋଳିବା କ୍ଷେତ୍ରରେ ସକ୍ରିୟ ଭୂମିକା ପାଳନ କରିଥିଲେ । ଏ ଆନ୍ଦୋଳନ ଏକ ଶକ୍ତିଶାଳୀ ଜନଆନ୍ଦୋଳନରେ ପରିଣତ ହୋଇଥିଲା । ସେଦିନର ଆନ୍ଦୋଳନର ଜଣେ ଯୁବତୀ ସଂଗ୍ରାମୀ ମହିଳା ଜାମ୍ବୋବତୀ ବିରିଜା କିପରି ନିଜର ଶିଶୁ ସନ୍ତାନକୁ ଜିଲ୍ଲାପାଳଙ୍କ ଗାଡି ଚକାତଳେ ଶୁଆଇ ଦେଇ ଓ ନିଜେ ଗାଡି ସାମ୍ନାରେ ଶୋଇଯାଇ ଗାଡିକୁ ଆଗକୁ ଗଡିବାକୁ ଦେଇନଥିଲା ଓ ଜିଲ୍ଲାପାଳଙ୍କୁ ଫେରିଯିବାକୁ ବାଧ୍ୟ କରିଥିଲା । ସେହି ରୋମାଞ୍ଚକର ଘଟଣା ବର୍ତ୍ତମାନ ୮୦ବର୍ଷ ବୟସରେ ଜଣେ ଯୁବତୀ ତେଜନେଇ ଗଣମାଧ୍ୟମ ପ୍ରତିନିଧି ସାମ୍ନାରେ ପ୍ରକାଶ କରିଛନ୍ତି । ଆହୁରି ବି କହିଛନ୍ତି ଏବେ ବି ସେ ଜୀବିତ । ତା’ର ହାଡ କଙ୍କାଳରେ ଏବେ ବି ଶକ୍ତି ଅଛି । ଗନ୍ଧମାର୍ଦ୍ଦନକୁ ବଂଚାଇବା ପାଇଁ ଜୀବନ ଦେଇ ଲଢିବ । ଦୀର୍ଘ ୪ବର୍ଷର ଜନଗଣଙ୍କ ବୀରତ୍ୱପୂର୍ଣ୍ଣ ଆନ୍ଦୋଳନ ସମ୍ମୁଖରେ ତତ୍କାଳୀନ କଂଗ୍ରେସ ସରକାର ମୁଣ୍ଡ ନୁଆଁଇଥିଲା । ସରକାରଙ୍କ ସମସ୍ତ ଦମନ ନୀତି, ଆକ୍ରମଣ, ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନ ସବୁକିଛି ବ୍ୟର୍ଥ ହେଇଥିଲା । ସେଦିନର କଂଗ୍ରେସ ସରକାର ବୁଝାମଣା ପତ୍ର ବାତିଲ କରିବା ଓ ବାଲକୋ ପଛକୁ ହଟିବାକୁ ବାଧ୍ୟ ହେଇଥିଲା । ତେଣୁ ଲୋକେ ଆଜି ମଧ୍ୟ କୁହନ୍ତି, “ପଦ୍ମପୁର ପାଇକମାଳରୁ ନୃସିଂହ ନାଥ ମନ୍ଦିର ରାସ୍ତାରେ ପରିତ୍ୟକ୍ତ ବାଲକୋ କଲୋନୀ ଏହି ସଫଳ ଆନ୍ଦୋଳନର ମୂକ ସାକ୍ଷୀ ହୋଇ ସେହି ଗୌରବୋଜ୍ଜ୍ୱଳ ଆନ୍ଦୋଳନର ଅମର କାହାଣୀ ଆଜିର ନୂତନ ପ୍ରଜନ୍ମକୁ ଯେମିତି ଶୁଣାଉଛି ଓ ଆନ୍ଦୋଳନରେ ପୁଣି ଝାମ୍ପି ପଡିବାକୁ ଆହ୍ୱାନ ଜଣାଉଛି ।”
ଆଦାନୀକୁ ଦେବାପାଇଁ
ସରକାରଙ୍କ ନୂଆ ଚାଲ
ଏହାପରେ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ସରକାରମାନେ ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଖନନ ପାଇଁ ବିଭିନ୍ନ କମ୍ପାନୀକୁ ଦେବା ନିମିତ୍ତ ବହୁ ଷଡଯନ୍ତ୍ର କରି ସଫଳ ହୋଇପାରିନାହାନ୍ତି । ନବେ ଦଶକରୁ ବିଶେଷ କରି ଜଗତୀକରଣ ଅର୍ଥନୀତି ଲାଗୁହେବା ପରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଥିବା ସରକାରମାନେ ଜନଗଣଙ୍କର ସଂପତ୍ତି, ଚାଷ ଜମି, ଭିଟାମାଟି, ମୂଲ୍ୟବାନ ଖଣି ଓ ଅନ୍ୟାନ୍ୟ ପ୍ରାକୃତିକ ସଂପଦ ଆଦି ଦେଶୀ ବିଦେଶୀ କମ୍ପାନୀ, ଖଣି ମାଲିକମାନଙ୍କ ହାତରେ ଟେକି ଦେବାପାଇଁ ନୂଆ ନୂଆ କୌଶଳମାନ ଅବଲମ୍ବନ କଲେ । ଏହି କ୍ରମରେ ପୂର୍ବର ବିଜେଡି ବିଜେପି ମିଳିତ ସରକାର ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଖନନ ପାଇଁ କଣ୍ଟିନେଣ୍ଟାଲ ରିସୋର୍ଟ, ନାଲକୋ, ବେଦାନ୍ତ ସମେତ ବିଭିନ୍ନ କମ୍ପାନୀଙ୍କର ଆବେଦନ ପତ୍ର ଗ୍ରହଣ କରିଥିଲେ । ତେବେ ଦୃଢ ଜମମତ ଓ ଐତିହାସିକ ସଫଳ ବାଲକୋ ବିରୋଧି ଆନ୍ଦୋଳନର ପ୍ରଭାବ ଯୋଗୁ ଏ ଦିଗରେ ସରକାର ବେଶୀ ଦୂର ଆଗେଇ ପାରିନଥିଲେ । ତେବେ ବର୍ତ୍ତମାନ ରାଜ୍ୟରେ ନିଜର ଏକକ ଶକ୍ତିରେ ପ୍ରଥମଥର ପାଇଁ ସରକାର ଗଢିଥିବା ବିଜେପି କ୍ଷମତାକୁ ଆସିବା ସଙ୍ଗେ ସଙ୍ଗେ ହିଁ ଆଦାନୀକୁ ଗୋପାଳପୁର ବନ୍ଦର ହସ୍ତାନ୍ତର କରିଦେଲା । କୌଣସି ଆଇନକାନୁନକୁ ପରୱା ନକରି ଗ୍ରାମ ସଭାର ବିନା ସମ୍ମତିରେ ବି କୋରାପୁଟ ଜିଲ୍ଲାର ଦୁଇଟି ପର୍ବତକୁ ଆଦାନୀ କମ୍ପାନୀକୁ ଲିଜ ଦେଇ ଦେଲା । ତେବେ ଗନ୍ଧମାର୍ଦ୍ଦନ କ୍ଷେତ୍ରରେ ସରକାର ଏକ ନୂଆ ଚାଲ ଖେଳିଛନ୍ତି । ଅନ୍ୟାନ୍ୟ କ୍ଷେତ୍ରରେ ସରକାରୀ ତଥ୍ୟରୁ କମ୍ପାନୀକୁ ଦେବା ସ୍ପଷ୍ଟ ବୁଝାପଡେ । ଏଠି କିନ୍ତୁ ସେଭଳି ହୋଇନାହିଁ । ରାଜ୍ୟ ସରକାରଙ୍କ ତରଫରୁ ଉପମୁଖ୍ୟମନ୍ତ୍ରୀ ତଥା ଗନ୍ଧମାର୍ଦ୍ଦନ ଅନ୍ତର୍ଗତ ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଧାୟକ କନକ ବର୍ଦ୍ଧନ ସିଂହଦେଓ କହିଚାଲିଛନ୍ତି, ଗନ୍ଧମାର୍ଦ୍ଦନକୁ କୌଣସି ପରିସ୍ଥିତିରେ ବି କମ୍ପାନୀକୁ ଦିଆଯିବ ନାହିଁ । ବକ୍ସାଇଟ ଖନନ ପାଇଁ କାହାରିକୁ ଅନୁମିତ ଦିଆଯାଇ ନାହିଁ ବା ଦିଆଯିବ ନାହିଁ । ବରଗଡର ବିଜେପି ଏମ୍‌ପି ପ୍ରଦୀପ ପୁରୋହିତ ମଧ୍ୟ ଏହି ସମାନ କଥା କହୁଛନ୍ତି । ତେବେ ଧିରେ ଧିରେ ଅସଲ କଥା ପଦାରେ ପଡିଗଲା । ଆଦାନୀ ନିଜର ଏକ କମ୍ପାନୀ ‘ମହାନଦୀ ମିନେରାଲ ଲିମିଟେଡ’ ନାମରେ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗନ୍ଧମାର୍ଦ୍ଦନର ପାଶ୍ୱର୍ବର୍ତ୍ତୀ ଅଂଚଳର ଶହ ଶହ ଏକର ଜାଗା କିଣିବା, ଲୋକଙ୍କ ଜାଗାକୁ ପଟ୍ଟା କରିନେବା ଖବର ଲୋକଲୋଚନକୁ ଆସିଲା । ଏହା ଯେ ସରକାର, ପ୍ରଶାସନ ଓ ବନ ବିଭାଗର ଖାଲି ଜାଣତରେ ନୁହେଁ, ପ୍ରତ୍ୟକ୍ଷ ମଦତ୍‌ରେ ହେଇଛି, ତାହା ଜଣା ପଡିଗଲା । ଗଳାବାଟ ଦେଇ ଆଦାନୀକୁ ଆଣିବାର ଏହି ଚତୁର ପଦକ୍ଷେପ ବି ଧରା ପଡିଗଲା । ଏହି ବିଷୟକୁ ନେଇ ବିଭିନ୍ନ ସ୍ତରରେ ପୁଣି ଚର୍ଚ୍ଚା ଆରମ୍ଭ ହେଲା । ଜନ ଅସନ୍ତୋଷ ଦାନା ବାନ୍ଧିଲା । ଆନ୍ଦୋଳନ ମୁଣ୍ଡ ଟେକିଲା । ଛାତ୍ର, ଶିକ୍ଷକ, ବୁଦ୍ଧିଜୀବୀ ମହଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବୌଦ୍ଧିକ ଆଲୋଚନା ଚାଲିଲା । ଗଣମାଧ୍ୟମରେ ଲେଖା ମାନ ପ୍ରକାଶିତ ହେଲା । ବାଲକୋ ଆନ୍ଦୋଳନର ସେହି ସଂଗ୍ରାମୀମାନଙ୍କର କଣ୍ଠସ୍ୱର ଗର୍ଜିଉଠିଲା । ଯାହାଫଳରେ ଗନ୍ଧମାର୍ଦ୍ଦନ ପର୍ବତ ପୁଣି ଏକ ଚର୍ଚ୍ଚିତ ପ୍ରସଙ୍ଗ ହେଲା । ସେତେବେଳେ ରାଜ୍ୟ ସରକାର ସଫେଇ ଦେଲେ, ଏହି ଜମି କିଣା ପଛରେ ଖଣି ଖନନର କୌଣସି ଉଦ୍ଦେଶ୍ୟ ନାହିଁ । ଏହା ହେଉଛି ‘କ୍ଷତିପୂରଣ ବନିକରଣ’ । କମ୍ପାନୀ ବନ ବିଭାଗ, ସରକାର, ମନ୍ତ୍ରୀ, ବିଧାୟକ, ଏମ୍‌ପି ସରକାରଙ୍କ ଭାଟ ସାଜିଥିବା କିଛି ତଥାକଥିତ ବୁଦ୍ଧିଜୀବୀ ସମସ୍ତେ ଗୋଟିଏ ସ୍ୱରରେ କହିଲେ, ‘ଖଣି ଖନନ ନୁହେଁ, କ୍ଷତିପୂରଣ ବନୀକରଣ’ । ପ୍ରଶ୍ନ ଉଠିଲା, ‘କ୍ଷତିପୂରଣ କ’ଣ?’ ସରକାର ଯୁକ୍ତି ଦେଲେ ‘ସୁନ୍ଦରଗଡ ଜିଲ୍ଲାରେ ହେଉଥିବା ଶିଳ୍ପ କାରଖାନା, ଖଣି ଖନନ ଯୋଗୁ ଯେଉଁ ପରିବେଶ ନଷ୍ଟ ହେଉଛି, ବ୍ୟାପକ ଜଙ୍ଗଲ ଧ୍ୱଂସ ହେଉଛି, ସେହି କ୍ଷତିକୁ ଭରଣା କରିବା ପାଇଁ ଏହି ‘କ୍ଷତିପୂରଣ ବନୀକରଣ’ ଏବଂ ଏହି ଉଦ୍ଦେଶ୍ୟରେ ହିଁ ଜମି କିଣା ।’ କି ହାସ୍ୟାସ୍ପଦ ଯୁକ୍ତି! ସୁନ୍ଦରଗଡ ଜିଲ୍ଲାର ପରିବେଶର କ୍ଷତି ଭରଣା ହେବ ଶହ ଶହ କିମି ଦୂରରେ ଅନ୍ୟ ଜିଲ୍ଲାରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତର ଘଞ୍ଚ ଜଙ୍ଗଲ ମଧ୍ୟରେ ବନୀକରଣ ଦ୍ୱାରା! ପ୍ରଶ୍ନ ଉଠିଲା, ଯଦି ବନୀକରଣ ସରକାରଙ୍କ ଲକ୍ଷ୍ୟ, ତେବେ ସରକାର ତ ସୁନ୍ଦରଗଡ ଜିଲ୍ଲାରେ ‘କ୍ଷତିପୂରଣ ବନୀକରଣ’ ଯୋଜନାରେ ସରକାରୀ ଉଦ୍ୟୋଗରେ ବ୍ୟାପକ ବନୀକରଣ କରିପାରିବେ ଓ ସେଥିପାଇଁ ପର୍ଯ୍ୟାପ୍ତ ସରକାରୀ ଖାଲି ସ୍ଥାନ ମଧ୍ୟ ଉପଲବ୍ଧ ଅଛି । ଏହା ନକରି ହଠାତ୍ ଗନ୍ଧମାର୍ଦ୍ଦନର ଘଞ୍ଚ ଜଙ୍ଗଲ ଅଂଚଳରେ ବନୀକରଣ, ସେଥିପାଇଁ ଆଦାନୀ ଭଳି ଏକ ଘରୋଇ କମ୍ପାନୀକୁ ଜମି କିଣିବାକୁ ଅନୁମୋଦନ କାହିଁକି? ଏହା ପଛରେ କି ରହସ୍ୟ ରହିଛି? ଏହା ମଧ୍ୟ ବୁଝିବାକୁ ଅସୁବିଧା ହେଲା ନାହିଁ । ଫଳରେ ଲୋକଙ୍କ ସମ୍ମୁଖରେ ସରକାରଙ୍କର ଅସଲ ନୀତି ସ୍ପଷ୍ଟ ହୋଇଗଲା । ଗନ୍ଧମାର୍ଦ୍ଦନକୁ ଆଦାନୀ ହାତରେ ଟେକି ଦେବାର ଏହା ଏକ ନୂତନ ଚାଲ । ଜଣେ ସାମ୍ବାଦିକ ଯଥାର୍ଥରେ କହିଛନ୍ତି, ଏ ହେଉଛି ‘ବନୀକରଣର ମାୟା ।’
ଖାଲି ଏତିକି ନୁହେଁ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଓ ବେଲପଡା ବ୍ଲକ୍‌, ଗନ୍ଧମାର୍ଦ୍ଦନ ପର୍ବତର ପାଶ୍ୱର୍ବର୍ତ୍ତୀ ଅଂଚଳର ୨୦ଟି ଗ୍ରାମରେ ଗ୍ରାଫାଇଟ ଓ ମାଙ୍ଗାନିଜ ଖଣି ଖନନ ପାଇଁ ବିଭିନ୍ନ କମ୍ପାନୀ ସହିତ ରାଜ୍ୟ ସରକାର ବୁଝାମଣା କରିଥିବା ଖବର ମଧ୍ୟ ଇତିମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏହି ଖଣି ଖନନ ହେଲେ ଉପରୋକ୍ତ ଗ୍ରାମଗୁଡିକ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ଓ ଲୋକେ ବିସ୍ତାପିତ ହୋଇ ଉଦ୍‌ବାସ୍ତୁ ହୋଇଯିବେ । ଏଠି ମଧ୍ୟ ଆନ୍ଦୋଳନ ପାଇଁ ଲୋକେ ପ୍ରସ୍ତୁତ ହେଲେଣି । ତେଣୁ ଗନ୍ଧମାର୍ଦ୍ଦନ ସମେତ ସମଗ୍ର ଅଂଚଳକୁ ବିଭିନ୍ନ୍ କମ୍ପାନୀ ମାନଙ୍କ ହାତରେ ଟେକି ଦେବା ପାଇଁ ସରକାରଙ୍କ ଚଞ୍ଚକତାପୂର୍ଣ୍ଣ ଯୋଜନାକୁ ବୁଝିବାରେ ଲୋକଙ୍କର ଆଉ ବାକି ନାହିଁ ।
କ୍ଷତି ଅପରିସିମ
ଏହା ସର୍ବଜନବିଦିତ ଯେ, ଗନ୍ଧମାର୍ଦ୍ଦନ ପର୍ବତରେ ବକ୍ସାଇଟ ଖନନ ହେଲେ, ଗନ୍ଧମାର୍ଦ୍ଦନ ସଂପୂର୍ଣ୍ଣ ଧ୍ୱଂସ ପାଇବ । କିଛି କମ୍ପାନୀ ମାଲେ ମାଲ ହେବେ, ମାତ୍ର ଯେଉଁ ବିରାଟ କ୍ଷତି ହେବ ତାର କୌଣସି ଭରଣା ହୋଇ ପାରିବ ନାହିଁ । ଏହି ପର୍ବତମାଳାରୁ ବାହାରି ଥିବା ୨୨ଟି ଚିରସ୍ରୋତା ଝରଣା ସଂପୂର୍ଣ୍ଣ ଧ୍ୱଂସ ପାଇବ ଓ ଏହାର ପରିଣତିରେ ୩ଟି ମୂଲ୍ୟବାନ ନଦୀ ଅଙ୍ଗ, ସୁକତେଲ ଓ ଲାନ୍ଥ ନଦୀର ବି ଅପମୃତ୍ୟୁ ଘଟିବ । ଏଥିପାଇଁ ମହାନଦୀର ଜଳସ୍ତର ମଧ୍ୟ ହ୍ରାସ ପାଇବ । ଗବେଷକମାନେ କହୁଛନ୍ତି ମଧୁର ସମୁଦ୍ର କୁହାଯାଉଥିବା ଗନ୍ଧମାର୍ଦ୍ଦନ ଧ୍ୱଂସ ହେଲେ ଏ ଅଂଚଳରେ ସାହାରା ମରୁଭୂମିର ପରିସ୍ଥିତି ସୃଷ୍ଟି ହେବ । ମରୁଡିର ଚିର ସହଚର ବଲାଙ୍ଗୀର, ବରଗଡ ଓ ନୁଆପଡା ଜିଲ୍ଲାରେ ଦୁର୍ଭିକ୍ଷ ପଡିଯିବ । ତିନୋଟି ନଦୀର ଅପମୃତ୍ୟୁ ଯୋଗୁ, ସମୁଦ୍ରକୁ ଶଙ୍ଖେ ଭଳି ଥିବା ଜଳସେଚନ ବ୍ୟବସ୍ଥା ମଧ୍ୟ ସଂପୂର୍ଣ୍ଣ ଧ୍ୱଂସ ପାଇବ । ଜଳସ୍ତର ହ୍ରାସ ପାଇ କୂଅ-ପୋଖରୀ, ନଦୀ-ନାଳ ସବୁ ଶୁଖିଯିବ । ପାଣି ଟୋପାଏ ପାଇଁ ଲୋକେ ହାହାକାର କରିବେ । ବିଶାଳ ସବୁଜ ବନାନୀ ଧ୍ୱଂସ ପାଇଲେ ପ୍ରାକୃତିକ ଭାରସାମ୍ୟ ବି ପ୍ରଭାବିତ ହେବ । ଏହାଦ୍ୱାରା କେବଳ ପଶ୍ଚିମାଞ୍ଚଳ ନୁହେଁ, ସମଗ୍ର ଓଡିଶା ଓ ପଡୋଶୀ ଛତିଶଗଡ ରାଜ୍ୟ ମଧ୍ୟ ପ୍ରଭାବିତ ହେବ । ଗନ୍ଧମାର୍ଦ୍ଦନ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକ ନିଜର ଜୀବନ-ଜୀବିକା ହରେଇବେ । ଏମିତି ତ ଏ ଅଂଚଳ ଦାଦନ ପ୍ରବଣ । ଗତ ସଂଖ୍ୟାରେ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ଉପରେ ଏକ ବିସ୍ତୃତ ଲେଖା ପ୍ରକାଶିତ ହୋଇଛି । ଖଣିଖନନ ହେଲେ ଏ ପରିସ୍ଥିତି ତ ଆହୁରି ଭୟାବହ ହେବ । ଜନସାଧାରଣ, ପ୍ରକୃତି ଓ ପରିବେଶର ଯେତେ ସର୍ବନାଶ ହେଉ, କମ୍ପାନୀର ସେବା ଦାସ ରାଜ୍ୟ ଓ କେନ୍ଦ୍ରର ବିଜେପି ସରକାର । ଆଦାନୀ ଭଳି କିଛି ମୁଷ୍ଟିମେୟ କମ୍ପାନୀ ସ୍ୱାର୍ଥରେ ସେମାନେ ସବୁକିଛି କରିବାକୁ ବଦ୍ଧପରିକର । ତେବେ ଜନସାଧାରଣ ମଧ୍ୟ ଏହାର ଦୃଢ ଜବାବ ଦେବାକୁ ସଂକଳ୍ପବଦ୍ଧ ହେଲେଣି ଆନ୍ଦୋଳନର ରଣ ହୁଙ୍କାର ଦେଲେଣି ।
ଜନଗଣଙ୍କର ନ୍ୟାୟସଂଗତ ଦାବି
ଦୀର୍ଘଦିନ ଧରି ଉପେକ୍ଷିତ
ସରକାର ଓ ଏମାନଙ୍କ ଭାଟ ସାଜିଥିବା କିଛି ବଡପଣ୍ଡା, ସରକାର ଓ କମ୍ପାନୀର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସୃଷ୍ଟି କରାଯାଇଥିବା ‘ସପକ୍ଷବାଦୀ ଗୋଷ୍ଠୀ’ ଯୁକ୍ତି ଦିଅନ୍ତି ଯେ, ଖଣି ହେଲେ, କମ୍ପାନୀ ଆସିଲେ ଲୋକଙ୍କୁ କାଳେ ନିଯୁକ୍ତି ମିଳିବ, ଏ ଅଂଚଳର ବିକାଶ ହେବ । ତେବେ ଯେଉଁ ଅଂଚଳରେ ବିଭିନ୍ନ କମ୍ପାନୀମାନେ ପାହାଡ ତାଡି ମୂଲ୍ୟବାନ ଖଣିଜ ସଂପଦ ଲୁଟି ନେଇଯାଇଛନ୍ତି ସେଠି କେତେ ନିଯୁକ୍ତି ମିଳିଛି ଓ କି ପ୍ରକାର ବିକାଶ ହୋଇଛି, ତା ଆଜି ଜନସାଧାରଣଙ୍କ ସମ୍ମୁଖରେ ସ୍ପଷ୍ଟ । ଏପରିକି ବଲାଙ୍ଗୀର ଓ ଅନ୍ୟାନ୍ୟ ଜିଲ୍ଲାମାନଙ୍କର ପାଖ ଛୋଟ ବଡ ପର୍ବତମାଳାରୁ ବିଭିନ୍ନ କମ୍ପାନୀମାନେ ଗ୍ରାଫାଇଟ, ମାଙ୍ଗାନିଜ ଖନନ କରୁଛନ୍ତି । ସେ ଅଂଚଳରେ ଲୋକମାନେ ନାହିଁ ନଥିବା ଦୂରାବସ୍ଥା ତ ଭୋଗୁଛନ୍ତି, ତାହା ତ କହିବା ଆବଶ୍ୟକତା ନାହିଁ । ତେଣୁ ନିଯୁକ୍ତି ଓ ବିକାଶର କଥା କହି ଏମାନେ କେତେଦିନ ଲୋକଙ୍କୁ ଆଉ ପ୍ରତାରିତ କରିବେ? ଲୋକଙ୍କୁ କାମ ଦେବାପାଇଁ ସରକାରୀ ଉଦ୍ୟୋଗରେ ଶିଳ୍ପ ଭିତ୍ତିକ କାରଖାନା ଗୋଟିଏ ହେଲେ ବି ତ ଗଢିଉଠି ନାହିଁ । ଏଥିପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ତ ଅଛି । ଏହିସବୁ ଜିଲ୍ଲାଗୁଡିକରେ ଧଳା ହୀରା ଭାବେ ଖ୍ୟାତ କପା ଚାଷ ବ୍ୟାପକ ପରିମାଣରେ ହେଉଛି । ତେଣୁ ଏଠି ସୂତାକଳ ପ୍ରତିଷ୍ଠାର ଦାବିକୁ କୌଣସି ସରକାର କର୍ଣ୍ଣପାତ କରୁନାହାନ୍ତି । ପୁଣି ଏହି ଅଂଚଳରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟକୁ ବିଭିନ୍ନ କମ୍ପାନୀମାନେ ଲୋକଙ୍କ ପାଖରୁ ଲୁଟି ନେଇଯାଉଛନ୍ତି । ତେଣୁ ଦାବି ହେଉଛି, ସରକାରୀ ଉଦ୍ୟୋଗରେ ଏହି ଜଙ୍ଗଲଜାତ ଦ୍ରବ୍ୟଗୁଡିକ ଗଚ୍ଛିତ କରି ଆଧୁନିକ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ପ୍ରକ୍ରିୟାକରଣ ମାଧ୍ୟମରେ ଉନ୍ନତ ସାମଗ୍ରୀ ସୃଷ୍ଟି କରିବା ନିମିତ୍ତ କ୍ଷୁଦ୍ର ଓ ମଧ୍ୟମ ଧରଣର ସରକାରୀ ଉଦ୍ୟୋଗ ପ୍ରତିଷ୍ଠା ହେଉ । ଏହି ଦାବି ମଧ୍ୟ ଉପେକ୍ଷିତ । କପା ସମେତ ଧାନ, ପରିବା ଓ ଅନ୍ୟାନ୍ୟ ଚାଷ କରି ଚାଷୀ ହତାଶ, ଅଭାବୀ ବିକ୍ରିର ଶିକାର ହୋଇ ଆତ୍ମହତ୍ୟା କରୁଛି । ଋଣ ସୁଝିବାକୁ ଯାଇ ସପରିବାର ଦାଦନ ଖଟିବାକୁ ଭିଟାମାଟି, ଚାଷ ଜମି ଛାଡି ପଳାୟନ କରୁଛନ୍ତି । ଦାଦନ ସମସ୍ୟା ଦିନକୁ ଦିନ ଭୟାବହ ରୂପ ନେଉଛି । କୌଣସି ସରକାର ଏହି ସମସ୍ୟାର ସମାଧାନ କରିବା ନିମିତ୍ତ କି ପଦକ୍ଷେପ ନେଇଛନ୍ତି? ଦରିଦ୍ର ଦୁଃଖୀ ଲୋକଙ୍କ ରକ୍ତ ମାଂସକୁ ଶୋଷି, ପ୍ରକୃତି ପରିବେଶକୁ ଧ୍ୱଂସ କରି କମ୍ପାନୀମାନଙ୍କ ପାଇଁ ଆହୁରି କେତେ ଅଧିକରୁ ଅଧିକ ଲାଭ ଅର୍ଜନ ନିମନ୍ତେ ସୁଯୋଗ କରିଦିଆଯିବ, ସେହି ଯୋଜନା ଓ ପଦକ୍ଷେପମାନ ତ ନେଇ ଚାଲିଛନ୍ତି । ସରକାରଙ୍କ ସାମଗ୍ରିକ ଯୋଜନାର ହିଁ ଅଂଶ ହେଉଛି ଏହି ଗନ୍ଧମାର୍ଦ୍ଦନକୁ ଆଦାନୀ କମ୍ପାନୀ ହାତରେ ଟେକିଦେବାର ଏହି ନୂଆ ଚାଲ, ଏହା ବୋଧେ ଆଉ ବୁଝିବାରେ ବାକି ନାହିଁ ।
ପୁଣି ଆରମ୍ଭ ହେଇଛି
ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ
ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ପୁଣି ଏ ଅଂଚଳର ଲୋକମାନେ ଅଣ୍ଟା ଭିଡିଲେଣି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗନ୍ଧମାର୍ଦ୍ଦନକୁ ଧ୍ୱଂସ କରିବାର ଷଡଯନ୍ତ୍ରକୁ ଏଥର ମଧ୍ୟ ପଣ୍ଡ କରିବା ପାଇଁ ଜନ ଆନ୍ଦୋଳନ ମୁଣ୍ଡ ଟେକିଲାଣି । ରାଜ୍ୟ ସରକାର ଗନ୍ଧମାର୍ଦ୍ଦନ ସୁରକ୍ଷା ନିମନ୍ତେ ଏକ ରିଜୋଲ୍ୟୁସନ ପାସ କରାଇବା, କୌଣସି ଦିନ ଯେମିତି କୌଣସି କମ୍ପାନୀ ଗନ୍ଧମାର୍ଦ୍ଦନକୁ କରାୟତ୍ତ କରିନପାରେ, ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ପାଇଁ ସରକାର ଆଇନ ପ୍ରଣୟନ କରିବା, କମ୍ପାନୀ କିଣିଥିବା ଜମିପଟ୍ଟାକୁ ରଦ୍ଦ କରିବା ଆଦି ଦାବିରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ ହୋଇଛି । ପରିଷଦର ହରିଶଙ୍କର ଶାଖା ତରଫରୁ ଗତ ନଭେମ୍ବର୨୫ ତାରିଖ ଦିନ ଖପ୍ରାଖୋଲ ତହସିଲ ଅଫିସ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ୫୫ ଦିନ ଧରି ଦିନ ରାତି ଚାଲିଥିଲା । ସରକାରଙ୍କ କୌଣସି ପ୍ରତିନିଧି, ମନ୍ତ୍ରୀ, ବିଧାୟକ, ଏମ୍‌ପି କେହି ମଧ୍ୟ ଆନ୍ଦୋଳନ ସ୍ଥଳକୁ ଆସି ନାହାନ୍ତି ବା ଆନ୍ଦୋଳନକାରୀଙ୍କ ନିକଟରୁ ଦାବିପତ୍ର ଗ୍ରହଣ କରି କୌଣସି ଆଲୋଚନା କରିନାହାନ୍ତି । ଏହି ଧାରଣାର ୫୬ତମ ଦିବସରେ ଗତ ଜାନୁୟାରୀ ୧୯ତାରିଖ ଦିନ ଏକ ମହାସମାବେଶର ଡାକରା ଦିଆଯାଇଥିଲା, ଯେଉଁଠି ହଜାର ହଜାର ଜନସାଧାରଣ ସାମିଲ ହୋଇଥିଲେ । ବିଭିନ୍ନ ସଂଗଠନର ନେତୃମଣ୍ଡଳୀ ମଧ୍ୟ ଯୋଗ ଦେଇଥିଲେ । ରାଜ୍ୟର ବିଭିନ୍ନ ଅଂଚଳରେ ଚାଲୁଥିବା ଜନଆନ୍ଦୋଳନର ନେତୃମଣ୍ଡଳୀ, ପରିବେଶବିଦ୍‌, ଶିକ୍ଷାବିଦ୍‌ମାନେ ମଧ୍ୟ ଏହି ଗନ୍ଧମାର୍ଦ୍ଦନ ବଚାଓ ଆନ୍ଦୋଳନରେ ସାମିଲି ହୋଇଥିଲେ । ବିପ୍ଳବୀ ଛାତ୍ର ସଂଗଠନ ଏଆଇଡିଏସ୍‌ଓ, ଯୁବସଂଗଠନ ଏଆଇଡିୱାଇଓ, ମହିଳା ସଂଗଠନ ଏଆଇଏମ୍‌ଏସ୍‌ଏସ୍ ଏହି ଆନ୍ଦୋଳନରେ ସକ୍ରିୟଭାବେ ସାମିଲ ହୋଇଛି, ଗାଁ ଗାଁରେ ସ୍କୁଲ, କଲେଜରେ ସଭା, ସମିତି କରି ବିଭିନ୍ନ ସ୍ତରର ଜନସାଧାରଣଙ୍କୁ ସଂଗଠିତ କରୁଛି ଓ ଶହ ଶହ ଲୋକଙ୍କର ଏକ ସୁସଜ୍ଜିତ ଶୋଭାଯାତ୍ରା କରି ଏହି ସମାବେଶ ସ୍ଥଳରେ ପହଞ୍ôଚଛି । ଏହି ଆନ୍ଦୋଳନକୁ ଏକ ବୃହତ୍ତର ଶକ୍ତିଶାଳୀ ଦୀର୍ଘସ୍ଥାୟୀ ଆନ୍ଦୋଳନରେ ରୂପାନ୍ତରିତ କରିବାପାଇଁ ପ୍ରଚେଷ୍ଟା ଜାରି ରହିଛି । ଅତୀତର ସଫଳ ବାଲକୋ ବିରୋଧୀ ଆନ୍ଦୋଳନ, କେନ୍ଦ୍ର ବିଜେପି ସରକାରର ତିନୋଟି କଳା କୃଷି ଆଇନ ବିରୋଧୀ ଦିଲ୍ଲୀର ଐତିହାସିକ ସଫଳ କୃଷକ ଆନ୍ଦୋଳନ ଅନ୍ୟାନ୍ୟ ସ୍ଥାନରେ ହେଉଥିବା ଜନଆନ୍ଦୋଳନରୁ ଶିକ୍ଷା ନେଇ ଏ ଆନ୍ଦୋଳନକୁ ଜୟଯୁକ୍ତ କରାଇବା ପାଇଁ ଡାକରା ଦିଆଯାଇଛି ।
“ଆମେ ଲଢିବୁ
ଆମେ ଜିତିବୁ”
ଏହି ଦୃଢ ସଂକଳ୍ପ ନେଇ ସଚେତନ ସଂଗଠିତ ଦୀର୍ଘସ୍ଥାୟୀ ଗଣଆନ୍ଦୋଳନ ଗଢିତୋଳି ରତ୍ନଗର୍ଭା ଗନ୍ଧମାର୍ଦ୍ଦନକୁ ବଂଚାଇବାକୁ ହେବ । ଏହା ହିଁ ସମୟର ଦାବି ।

Leave a Reply

Your email address will not be published. Required fields are marked *