ଶିଳ୍ପ ପ୍ରତିଷ୍ଠା ଆଳରେ ବିସ୍ଥାପନ ପ୍ରତିବାଦରେ କେନ୍ଦୁଝରରେ ବିଶାଳ ଗଣବିକ୍ଷୋଭ

SK News Dated 17.02.2025

କେନ୍ଦୁଝର ଜିଲ୍ଲାରେ ଜିନ୍ଦଲ କମ୍ପାନୀ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । କେନ୍ଦୁଝର ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ହୋଇଥିବାରୁ ଏହି କାରଖାନା ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଉଦ୍ୟମ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି । ଇତି ମଧ୍ୟରେ କାରଖାନା ପ୍ରତିଷ୍ଠା ପାଇଁ ଜିନ୍ଦଲ କମ୍ପାନୀ ସହିତ ରାଜ୍ୟ ସରକାରଙ୍କର ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି ବୋଲି ଖବର ମିଳୁଛି । ଏହି ବୁଝାମଣାପତ୍ର ଅନୁଯାୟୀ ରାଜ୍ୟ ସରକାର କାରଖାନା ପ୍ରତିଷ୍ଠା ପାଇଁ କମ୍ପାନୀକୁ ରିହାତି ଦରରେ ୧୦,୦୦୦ ଏକର ଜମି ସହିତ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବେ । ସର୍ବଶେଷ ସମ୍ବାଦ ଅନୁଯାୟୀ ଏହି କାରଖାନା ଜିନ୍ଦଲ ଓ ପୋସ୍କୋର ମିଳିତ ଉଦ୍ୟୋଗରେ ପ୍ରତିଷ୍ଠା କରାଯିବ ।
ଏଠାରେ ସୂଚନାଯୋଗ୍ୟ, ୨୦୦୬ ମସିହାରେ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ୍‌ରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ତତ୍‌କାଳୀନ ରାଜ୍ୟ ବିଜେଡି-ବିଜେପି ମେଣ୍ଟ ସରକାର ମିତ୍ତଲ କମ୍ପାନୀ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ସେତେବେଳେ ପାଟଣା ବ୍ଲକ୍‌ର ପ୍ରାୟ ୮୪୪୨ ଏକର ଜମି ଅଧିଗ୍ରହଣ ପାଇଁ ସରକାର ନୋଟିସ ଜାରୀ କରିଥିଲେ । ଏହାଫଳରେ ପାଟଣା ବ୍ଲକ୍‌ର ୧୭ଟି ରାଜସ୍ୱ ଗ୍ରାମର ଲୋକ ବିସ୍ଥାପିତ ହେବାର ବିପଦ ଦେଖାଦେଇଥିଲା । ଏଠାରେ ସୂଚନାଯୋଗ୍ୟ ତତ୍‌କାଳୀନ ବିଜେଡି-ବିଜେପି ରାଜ୍ୟ ସରକାରଙ୍କର ଏତାଦୃଶ ପଦକ୍ଷେପ ପ୍ରତିବାଦରେ ସେତେବେଳେ ପାଟଣା ବ୍ଲକ୍‌ର ବିସ୍ଥାପିତ ହେବାକୁ ଯାଉଥିବା ଗ୍ରାମବାସୀ ମାନଙ୍କ ସମେତ ଶିଳ୍ପାୟନ ଆଳରେ ବିସ୍ଥାପିତ ହୋଇଥିବା ଏବଂ ବିସ୍ଥାପନର ସମ୍ମୁଖୀନ ହୋଇଥିବା ହଜାର ହଜାର ଲୋକ ବିପ୍ଳବୀ ଚାଷୀ ସଂଗଠନ ଏଆଇକେକେଏମ୍‌ଏସ୍ ପତାକା ତଳେ ଐକ୍ୟବଦ୍ଧ ହୋଇ ଦୀର୍ଘସ୍ଥାୟୀ ଲଗାତର ଆନ୍ଦୋଳନ ପରିଚାଳନା କରିଥିଲେ । ଶେଷ ପର୍ଯ୍ୟନ୍ତ ପୃଥିବୀର ସବୁଠାରୁ ବଡ ଇସ୍ପାତ କମ୍ପାନୀ ମିତ୍ତଲକୁ କେନ୍ଦୁଝର ଛାଡିବାକୁ ହୋଇଥିଲା । ଆଜକୁ ପ୍ରାୟ ୨୦ ବର୍ଷ ପରେ ସଂପୃକ୍ତ ଅଂଚଳର ଲୋକଙ୍କ ମୁଣ୍ଡରେ ପୁନର୍ବାର ବିସ୍ଥାପନର ଖଣ୍ଡା ଝୁଲୁଛି ।
କହିବା ବାହୁଲ୍ୟ, ରାଜ୍ୟର ବେକାର ଯୁବକଯୁବତୀ ମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଆଳରେ ପ୍ରତିଷ୍ଠା କରାଯାଉଥିବା ଏହି ଧରଣର ପୁଞ୍ଜି ଭିତ୍ତିକ ଶିଳ୍ପର ରୋଜଗାର ସୃଷ୍ଟି କରିବାର କ୍ଷମତା ନାହିଁ । ଗତ ୨୪ ବର୍ଷର ବିଜେଡି-ବିଜେପି ମିଳିତ ସରକାର ଓ ଏହାପରେ ଏକକ ଭାବରେ ବିଜେଡି ସରକାର ଶିଳ୍ପାୟନ ପାଇଁ ଗ୍ରହଣ କରିଥିବା ପଦକ୍ଷେପର ବିଫଳତା ଏହାର ପ୍ରମାଣ ବହନ କରୁଛି । ଗତ ବିଜେଡି ସରକାରର ପଦାଙ୍କ ଅନୁସରଣ କରି ବର୍ତ୍ତମାନର ରାଜ୍ୟ ବିଜେପି ସରକାର ମଧ୍ୟ ରାଜ୍ୟରେ ଶିଳ୍ପାୟନର ଧୂଆଁବାଣ ମାରୁଛି । ତେବେ ଗତ ୨୫ବର୍ଷ ଧରି ରାଜ୍ୟରେ ଚାଲିଥିବା ଶିଳ୍ପାୟନ ଫଳରେ ଯେ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି ହୋଇନାହିଁ, ସୃଷ୍ଟିହେବା ସମ୍ଭବ ନୁହେଁ ତାହା ଦିବାଲୋକ ଭଳି ସ୍ପଷ୍ଟ । ଅନ୍ୟଦିଗରେ ଏହି ଧରଣର ତଥାକଥିତ ଶିଳ୍ପାୟନ ଆଳରେ ମୂଲ୍ୟବାନ ଜମି, ନଈ, ପାହାଡ, ଝରଣା, ଖଣି ଖାଦାନ ଘରୋଇ କମ୍ପାନୀମାନଙ୍କ ହାତକୁ ସରକାର ମାମୁଲି ଦରରେ ଟେକି ଦେଇଛନ୍ତି । ପାଣି, ପବନ, ଜଳବାୟୁ ବିଷାକ୍ତ ହୋଇଛି । ଏହାଫଳରେ ସାଧାରଣ ଲୋକ ବହୁ ଦୂରାରୋଗ୍ୟ ରୋଗର ଶୀକାର ହେଉଛନ୍ତି । ମାତ୍ର ପୁଞ୍ଜିପତିମାନେ ଶସ୍ତା ଶ୍ରମଶକ୍ତି ଓ ପ୍ରାକୃତିକ ସଂପଦକୁ ଲୁଟ କରି ମୁନାଫାର ପାହାଡ ସୃଷ୍ଟି କରିଛନ୍ତି । ବର୍ତ୍ତମାନର ରାଜ୍ୟ ବିଜେପି ସରକାର ମହାଆଡମ୍ବରରେ ରାଜ୍ୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଓ ଉତ୍କର୍ଷ ଓଡିଶା ସମ୍ମିଳନୀ ଆୟୋଜନକରି ରାଜ୍ୟରେ ଶିଳ୍ପାୟନର ଯେଉଁ ଢୋଲ ପିଟୁଛନ୍ତି ତାହା ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ । ଏହାଫଳରେ ଚାକିରୀ ସୃଷ୍ଟି ହେବ ନାହିଁ, କାରଣ ଏହା ସମ୍ଭବ ନୁହେଁ ।
ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକଙ୍କୁ ବିସ୍ଥାପିତ କରି ମୂଲ୍ୟବାନ ଜମି କମ୍ପାନୀ ହାତକୁ ଟେକି ଦେବା ପାଇଁ ରାଜ୍ୟ ବିଜେପି ସରକାରର ଏହି ଧରଣର ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ଏଆଇକେକେଏମ୍‌ଏସ୍ ପକ୍ଷରୁ ସଂପୃକ୍ତ ଗ୍ରାମର ଜନସଧାରଣଙ୍କୁ ସଂଗଠିତ କରି ଫେବୃୟାରୀ ୫ତାରିଖରେ ୪ଦଫା ଦାବିରେ କେନ୍ଦୁଝର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଛି । ଜିନ୍ଦଲ କମ୍ପାନୀ ସହିତ ସ୍ୱାକ୍ଷରିତ ବୁଝାମଣାପତ୍ର ବାତିଲ କରିବା, କର୍ମକନ୍ତଠାରେ ଖାଲି ପଡିଥିବା ସରକାରୀ ଜମିରେ ସରକାରୀ ଉଦ୍ୟୋଗରେ ଶ୍ରମଭିତ୍ତିକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା, କୃଷି ଜମିରେ କୌଣସି କାରଖାନା ପ୍ରତିଷ୍ଠା ନ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ୫ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ । କମ୍ରେଡ୍ ଘନଶ୍ୟାମ ମହାନ୍ତଙ୍କ ସଭାପତିତ୍ୱରେ ବିକ୍ଷୋଭ ସ୍ଥଳରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଆଇକେକେଏମ୍‌ଏସ୍ ରାଜ୍ୟ ସଂପାଦକ କମ୍ରେଡ ରଘୁନାଥ ଦାସ, ସଂଗଠନର ସର୍ବଭାରତୀୟ କମିଟି ସଦସ୍ୟ କମ୍ରେଡ ପ୍ରକାଶ ମଲ୍ଲିକ, ସଂଗଠନର କେନ୍ଦୁଝର ଜିଲ୍ଲା ସଂପାଦକ କମ୍ରେଡ ବେଣୁଧର ସର୍ଦ୍ଦାରଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଏହି ସଭାରେ ବକ୍ତବ୍ୟ ରଖି ବୁଝାମଣା ପତ୍ର ବାତିଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇ ଯିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *