କିଟ ଘଟଣା – ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ ନୀତିର ବହୁ ଅପରାଧୀକ ଅକୁହା କଥାର ଗୁମର ଫିଟାଇଛି

SKranti Dated 05.03.2025 –

ଅନେକ ସ୍ୱପ୍ନ ନେଇ ଛାତ୍ରୀଟି ପଢିବାକୁ ଆସିଥିଲା । ସୁଦୂର ନେପାଳରୁ ଓଡିଶା, ଏକ ବିଶ୍ୱସ୍ତରୀୟ ଘରୋଇ ବିଶ୍ୱବିଦ୍ୟାଳୟକୁ । ପୁଣି ଏକା ନୁହେଁ, ସଂପର୍କୀୟ ଦୁଇ ଭାଇଙ୍କ ସହିତ । ଏହି ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ର ସଂଗ୍ରହ ଅଭିଯାନର କାଠମାଣ୍ଡୁର ଏକ ସମାରୋହରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଦେଇଥିବା ବକ୍ତବ୍ୟରେ ଖୁବ ଆକର୍ଷିତ ହୋଇଥିଲେ ଛାତ୍ରୀଙ୍କର ପିତା । ବକ୍ତବ୍ୟ ତ ନୁହେଁ, ତାଙ୍କ କଥାରେ ସେ ଥିଲା ଯେମିତି ସନ୍ୟାସୀର ପ୍ରବଚନ । ସେହି ସମ୍ମୋହନୀ ବକ୍ତବ୍ୟରେ ସେ ପ୍ରଲୋଭିତ ହୋଇଯାଇଥିଲେ, ନିଜର ମେଧାବୀ କନ୍ୟାର ସୁନେଲି ସ୍ୱପ୍ନ ଦେଖି ପାରିଥିଲେ । ଆଉ ସେହି ସ୍ୱପ୍ନବିଭୋର ପିତା ନିଜର ୧୯ବର୍ଷର କନ୍ୟାକୁ ପଠାଇଥିଲେ ଏହି ବହୁ ପ୍ରଚାରିତ ଘରୋଇ ବିଶ୍ୱବିଦ୍ୟାଳୟକୁ । ସେଥିପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରିବାକୁ ବି ପଛାଇ ନଥିଲେ । ବୋଧହୁଏ ଗର୍ବ କରି ସଂପର୍କୀୟମାନଙ୍କୁ କହୁଥିବେ, ଝିଅ ତାଙ୍କର ଇନ୍ଦ୍ରପୁରରେ ଅଛି । ସେ ନିଶ୍ଚିନ୍ତ । ଏତେ ଶୀଘ୍ର ସେ ସ୍ୱପ୍ନ ତାଙ୍କର ଭାଙ୍ଗିଯିବ, ତା’ ବୋଧହୁଏ ସେ ଦୁଃସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିବେ । ଗତ ଫେବୃୟାରୀ ୧୮ତାରିଖ ଦିନ କନ୍ୟାର ମୃତ ଶରୀର ନେଇ ନିଜ ଦେଶ ନେପାଳ ଫେରିଯିବା ବେଳେ ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି, “ମୋ ଝିଅ ଖୁବ ମେଧାବୀ ଛାତ୍ରୀ ଥିଲା । ସ୍ୱପ୍ନ ଦେଖୁଥିଲା ଇଞ୍ଜିନିୟର ହେବ । ତା’ର ସେହି ସୁନ୍ଦର ସ୍ୱପ୍ନକୁ ସାକାର କରିବା ପାଇଁ ଏତେବଡ ଏକ ଘରୋଇ ବିଶ୍ୱବିଦ୍ୟାଳୟକୁ ପାଠ ପଢିବାକୁ ପଠାଇଥିଲି । ଏଭଳି ଯେ ହେବ କେବେ ଭାବି ପାରିନଥିଲି । ତା’ ପ୍ରତି ଯା’ ହେଲା, ଅନ୍ୟକୌଣସି ଝିଅ ପ୍ରତି ଯେମିତି ତା’ ନ ହେଉ ।” ସମସ୍ତେ ବୁଝିପାରୁଥିବେ, କେଉଁ ବିଶ୍ୱବିଦ୍ୟାଳୟର କଥା କୁହାଯାଉଛି । ଆମ ରାଜ୍ୟରେ ଥିବା ଓ ଆମର ଗର୍ବ ଗୌରବ ବୋଲି କଣ୍ଠ ଫଟେଇ କୁହାଯାଉଥିବା ଡିମ୍‌ଡ ବିଶ୍ୱବିଦ୍ୟାଳୟ ‘କିଟ’, ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କଥା । ସ୍ୱୟଂ ପ୍ରତିଷ୍ଠାତା ହିଁ କୁହନ୍ତି ତାଙ୍କ ଗୌରବ ଗାଥା । ସେ ଜାତୀୟ ସ୍ତରର ନୁହଁନ୍ତି, ଜଣେ ଆନ୍ତର୍ଜାତିକ ସ୍ତରର ଖେଲାଡି, ଆନ୍ତର୍ଜାତିକ ଫିଲଡ୍‌ରେ ଖେଳନ୍ତି । ହଁ ସତକଥା, ଏ ଖେଳ କ୍ରିକେଟ ବା ଫୁଟବଲ ନୁହେଁ, ଶିକ୍ଷା ବେପାରର ଖେଳ । ସେ ନିଜେ ବୋଧେ ଅନ୍ୟଭାଷାରେ କହୁଛନ୍ତି ସେ ଜଣେ ଆନ୍ତର୍ଜାତିକ ଶିକ୍ଷା ବ୍ୟବସାୟୀ । ପୁଣି କୁହନ୍ତି, ସେ ହିମାଳୟ ସଦୃଶ ବିଶ୍ୱବିଦ୍ୟାଳୟ ଗଢିଛନ୍ତି, ହିମାଳୟ ପ୍ରମାଣ ସମସ୍ୟାକୁ ବି ଅନାୟସରେ ମୁକାବିଲା କରିପାରନ୍ତି । ସେ ବିଶ୍ୱର ଜଣେ ଅଦ୍ୱିତୀୟ ଏଣ୍ଟର ପ୍ରାଇଜର । ଏହା ବି ସତକଥା । ଅତୀତର ବହୁ କେଳେଙ୍କାରୀ, ଦୁର୍ନୀତି, ଅଭିଯୋଗକୁ ସେ ଅନାୟସରେ ଦୂର କରିଦେଇ ପାରିଛନ୍ତି । କାରଣ ସରକାରଠାରୁ ପ୍ରଶାସନ, ଗୋଟିଏ କଥାରେ ଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ ନୀତିର ପ୍ରୋତ୍ସାହନକାରୀ ସମଗ୍ର ରାଷ୍ଟ୍ର ଶକ୍ତି ଯେ ତାଙ୍କ ପଛରେ । ନେପାଳ ଭଳି କ୍ଷୁଦ୍ର କମ ଜିଡିପିର ଦରିଦ୍ର ଦେଶ ନୁହେଁ, ବହୁ ଧନୀ ଦେଶର ଏମ୍‌ପି ମାନେ କାଳେ ତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତି । ଆଉ ସେ ଆନନ୍ଦର ରୋମାଞ୍ଚ ଅଙ୍ଗେ ଅଙ୍ଗେ ଅନୁଭବ କରନ୍ତି । ସାରା ବିଶ୍ୱ ସେ ଭ୍ରମଣ କରିଛନ୍ତି । ତାଙ୍କ ସମ୍ମୋହନୀ ଯାଦୁକାରୀ ବକ୍ତବ୍ୟରେ ଆକୃଷ୍ଟ ହୋଇ ୬୪ ଦେଶରୁ ୨୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ତାଙ୍କ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଆଉ ବିଦେଶାଗତ ଛାତ୍ରଛାତ୍ରୀଙ୍କ ଆଗମନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜନେତା, ପଦ୍ମ ବିଜେତା, ନୋବେଲ ବିଜେତା ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ । ଜଗତିକରଣ, ଉଦାରୀକରଣ ଅର୍ଥନୀତି ଯୁଗରେ ଶିକ୍ଷାର ଘରୋଇକରଣ, ଘରୋଇ ବିଶ୍ୱବିଦ୍ୟାଳୟର ଆଦର ଓ ସରକାରୀ ଶିକ୍ଷାନୁଷ୍ଠାନର ଅନାଦର ତ ବଢି ବଢି ଚାଲିଛି । ଏଥିରୁ କିଟ ବା ବାଦ ପଡନ୍ତା କେମିତି? ତେବେ ଏସବୁ ମଧ୍ୟରେ ଗୋଟିଏ ଘଟଣା ଆଜି ବାଟରେ ପଡି ହାଟରେ ଗଡୁଛି । ୨୧ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କର ରହସ୍ୟ ଜନକ ମୃତ୍ୟୁ ଓ ତାର ପରବର୍ତ୍ତୀ ଘଟଣା ପ୍ରବାହକୁ କେନ୍ଦ୍ରକରି ବହୁ ଲୁକ୍କାୟିତ ସତ୍ୟ ଉନ୍ମୋଚିତ ହେଉଛି । ତେବେ ଏହା ମଧ୍ୟ ସତ୍ୟ, ଏହା ସେହି ବରଫାଚ୍ଛାଦିତ ଏକ ବିରାଟ ପର୍ବତର କ୍ଷୁଦ୍ର ଅଂଶ ଦୃଶ୍ୟମାନ ହେଲାଭଳି । ରଙ୍ଗିନ ଆଲୋକମାଳାରେ ଇନ୍ଦ୍ରପୁରୀ ଭଳି ବିସ୍ତୃତ ଅଂଚଳ ବ୍ୟାପି ଝଲସୁ ଥିବା ରାଜପ୍ରାସାଦର ଅନ୍ତପୁରର ମନ୍ଦ ଚିତ୍ର ଆଜି ଆଉ ପ୍ରାଚୀରର ଚାରିକାନ୍ଥ ମଧ୍ୟରେ ସିମାବଦ୍ଧ ହୋଇ ରହିନାହିଁ । ଶିକ୍ଷାର ବ୍ୟବସାୟିକରଣ-ଘରୋଇକରଣ ନୀତିର ବହୁ ଅପରାଧୀକ ଅକୁହା କଥାର ଗୁମର ଫିଟି ଚାଲିଛି ।
କିଛି ବେଦନାଭରା ପ୍ରଶ୍ନ
ଗତ ଫେବୃୟାରୀ ୧୬ତାରିଖ ଦିନ କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳି ଛାତ୍ରୀ ପ୍ରକୃତି ନାମସାଲର ରହସ୍ୟଜନକ ମୃତ୍ୟୁ ଓ ତାର ପରବର୍ତ୍ତୀ ଘଟଣାବଳୀ ଚାକଚକ୍ୟପୂର୍ଣ୍ଣ ଘରୋଇ ଶିକ୍ଷାନୁଷ୍ଠାନର ବହୁ ଭିତିରି କଥାକୁ ସମ୍ନାକୁ ଆଣିଛି । ଏହି ମୃତ୍ୟୁକୁ କେନ୍ଦ୍ରକରି କିଛି ପ୍ରାସଙ୍ଗିକ ତ ବେଦନାଭରା ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି । ସମଗ୍ର ଶିକ୍ଷା ବ୍ୟବସ୍ଥା ବିଶେଷକରି ଉଚ୍ଚଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ ନୀତିର ପ୍ରଣେତା ଓ ପ୍ରବକ୍ତାମାନେ ଘରୋଇ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା, ଉନ୍ନତ ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ନିରାପତ୍ତା, ନିଯୁକ୍ତିର ନିଶ୍ଚୟତା କଥା କହି ଶିକ୍ଷା ବଜାରକୁ ଗରମ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ବାସ୍ତବ ମର୍ମାନ୍ତିକ ଚିତ୍ର ଉକ୍ତ ଘଟଣା ମଧ୍ୟରେ ନଗ୍ନଭାବେ ପ୍ରକଟିତ ହୋଇଛି । ଆହୁରି ମଧ୍ୟ କ୍ଷମତାଶାଳୀ ଶିକ୍ଷା ବ୍ୟବସାୟୀ ଗୋଷ୍ଠି, ସରକାର, ପୋଲିସ-ପ୍ରଶାସନ ଓ ଅପରାଧୀମାନଙ୍କ ମଧ୍ୟରେ ଥିବା ଗୋପନ ବୁଝାମଣା ଓ ମୈତ୍ରୀକୁ ସଂପୂର୍ଣ୍ଣ ଭାବେ ପର୍ଦ୍ଦାଫାସ କରିଦେଇଛି । ଆହୁରି ମଧ୍ୟ ପ୍ରମାଣିତ ହୋଇଛି, ଏହିସବୁ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଦେଶର କୌଣସି ଆଇନ କାନୁନ, ସାମ୍ବିଧାନିକ ବିଧି, ଗଣତାନ୍ତ୍ରିକ ରୀତି ନୀତି, ସର୍ବନିମ୍ନ ସୌଜନ୍ୟତା ପ୍ରଯୁଜ୍ୟ ନୁହେଁ । ଏଠି କର୍ତ୍ତୃପକ୍ଷଙ୍କ ନିଜସ୍ୱ ନିୟମ ଓ ଆଇନର ରାଜ ଚାଲେ । ବର୍ତ୍ତମାନ ଘଟିଥିବା ଘଟଣା ଉପରେ ଆଲୋକପାତ କରାଯାଉ । ଗତ ଫେବୃୟାରୀ ୧୬ତାରିଖ ଦିନ କିଟ୍ ହଷ୍ଟେଲର ଏକ ରୁମରେ ଜଣେ ନେପାଳି ଛାତ୍ରୀଙ୍କ ମୃତ ଦେହ ଫ୍ୟାନରେ ଝୁଲିଥିବାର ଦେଖିବାକୁ ମିଳେ । ତୁରନ୍ତ କିଟ୍ କର୍ତ୍ତୃପକ୍ଷ ଆସି ମୃତ ଦେହ ସୋ ମୋଟୋ ଉଦ୍ଧାର କରନ୍ତି । ଏକ ସାଧାରଣ ଆଇନଗତ ନୀତି ଯାହା ସର୍ବତ୍ର ପ୍ରଯୁଜ୍ୟ ତା’ ହେଲା, ଘଟଣା ସଂପର୍କରେ ଅବଗତ ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସକୁ ଖବର ଦେବା ଓ ପୋଲିସ କର୍ତ୍ତୃପକ୍ଷଙ୍କ ଉପସ୍ଥିତି ଓ ହେପାଜତରେ ପରବର୍ତ୍ତୀ କାର୍ଯ୍ୟ ସଂପାଦନ କରିବା । ମାତ୍ର ଏହି ସାଧାରଣ ନୀତି ଉକ୍ତ ଅସାଧାରଣ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ ହେଲା ନାହିଁ କାହିଁକି? ଏହି ପ୍ରଶ୍ନ ଉଠିବା ତ ସ୍ୱାଭାବିକ । କୌଣସି ଯାଞ୍ଚ ବିନା କିଟ୍ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଘୋଷଣା କରି ମୃତ ଛାତ୍ରୀଙ୍କ ପିତାଙ୍କୁ ଖବର ଦେଇଦେଲେ । ଏହିଦିନ ଦିନ ଦୁଇଟା ବେଳେ ଝିଅ ସହିତ ଫୋନରେ ସ୍ୱାଭାବିକ କଥା ହୋଇଥିବା ଓ ସନ୍ଧ୍ୟାରେ ପୁଣି ଫଙ୍କସନ ସରିବାପରେ କଥା ହେବାପାଇଁ କହିଥିବା ଝିଅର ଆତ୍ମହତ୍ୟା ଘଟଣା ଶୁଣି ପିତା ଆଚମ୍ବିତ ହୋଇଯାଇଥିଲେ । ଏହାପରେ ପରେ ଭାଇରାଲ ହୋଇଥିବା ଆଦବିକ ଶ୍ରୀବାସ୍ତବ ନାମକ ଜଣେ ଛାତ୍ର ସହିତ ଗତବର୍ଷ ହୋଇଥିବା ଏକ ଅଡିଓ ମେସେଜରୁ ଏହି ଛାତ୍ରଙ୍କ ଅଶାଳୀନ କଥା ଓ ମାନସିକ ନିର୍ଯ୍ୟାତନା କଥା ସମସ୍ତେ ଜାଣିପାରିଲେ । ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟର ଇଣ୍ଟର ନେସ୍‌ନାଲ ଅଭିଯୋଗ ସେଣ୍ଟରରେ ବର୍ଷେକାଳ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା କଥା ମଧ୍ୟ ଜଣାପଡିଗଲା । ଏଥି ସହିତ ଆଉ ଏକ ଭିଡିଓ ଭାଇରାଲ ହେଲା ଯେ, ସେଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲୁଥିଲାବେଳେ ୟୁନିଭରସିଟ ହଲରେ ଆଦବିକ ପ୍ରକୃତିକୁ ଏକୁଟିଆ ପାଇ ଅସଦ ବ୍ୟବହାର ଓ ମାରପିଟ କରିଛି, ଯାହା ଫଳରେ କି ଘଟଣା ସ୍ଥଳରେ ପ୍ରକୃତିର ମୃତ୍ୟୁ ହୋଇଯାଇଛି । ଘଟଣାକୁ ଚପେଇ ଦେବାପାଇଁ କିଟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହାକୁ ଆତ୍ମହତ୍ୟାର ରୂପ ଦେବା ଓ ନିଜର ଦୋଷ ଘଣ୍ଟ ଘୋଡାଇବା ପାଇଁ ତରବରିଆ ଭାବେ ମୃତ ଶରୀରକୁ ଆଣି ହଷ୍ଟେଲ ରୁମର ଫ୍ୟାନରେ ଟଙ୍ଗାଇ ଦିଆଯାଇଛି । ପୋଲିସକୁ ନ ଜଣାଇ ଶବ ଜବତ କରିବା ଓ ନିଜ ଆଡୁ ଏହାକୁ ଆତ୍ମହତ୍ୟା ବୋଲି ପ୍ରଚାର କରିବା ଘଟଣା ଏହି ସନ୍ଦେହକୁ ଦୃଢୀଭୂତ କରିବା ସ୍ୱାଭାବିକ । ଫଳରେ ଖାଲି ନେପାଳ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନୁହେଁ, ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାର ତଦନ୍ତ, ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ପ୍ରକୃତିକୁ ନ୍ୟାୟ ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରନ୍ତି । ଏହି ଆନ୍ଦୋଳନ ହିଂସକ ବା ଆକ୍ରାମାତ୍ମକ ନଥିଲା, ଅଯୌକ୍ତିକ ବା ଅନ୍ୟାୟ ମଧ୍ୟ ନଥିଲା । ଏକ ସ୍ୱାଭାବିକ ମାନବିକ ପ୍ରତିକ୍ରିୟା ଥିଲା । ଘଟଣା ମଧ୍ୟ ସାମାନ୍ୟ ଘଟଣା ନଥିଲା । ଜଣେ ବିଦେଶୀ ଛାତ୍ରୀଙ୍କ ମୃତ୍ୟୁ, ଘଟଣାର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ବଢାଇ ଦେବା ସ୍ୱାଭାବିକ । ଫଳରେ ଜାତି, ଧର୍ମ, ଦେଶ ନିର୍ବିଶେଷରେ ଛାତ୍ରଛାତ୍ରୀମାନେ ଏହି ପ୍ରତିବାଦ ଆନ୍ଦୋଳନରେ ସାମିଲ ହେଲେ । କିନ୍ତୁ କିଟ୍ କର୍ତ୍ତୃପକ୍ଷ ଏପରିକି ଖୋଦ ପ୍ରତିଷ୍ଠାତାଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ଅମାନବିକ ଓ ଆକ୍ରଣାତ୍ମକ କାର୍ଯ୍ୟାନୁଷ୍ଠାନ ଘରୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସ୍ୱେରାଚାରୀ ଚରିତ୍ର ଛଡା ଆଉ କଣ କୁହାଯାଇପାରେ । କାରଣ ଏହା ସର୍ବତ୍ର ଦେଖାଯାଉଛି, ଦେଶର ଯେକୌଣସି ଘରୋଇ ଶିକ୍ଷାନୁଷ୍ଠାନରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯେତେ ଅନ୍ୟାୟ ହେଲେ ବି ଯେତେ ମନଇଛା ଫିସ ଆଦାୟ ହେଲେ ବି, ଯେତେ ନିର୍ଯ୍ୟାତନା ଏପରିକି ଯୌନ ନିର୍ଯ୍ୟାତନା ଏବଂ ପରୀକ୍ଷା ଫଳ ପ୍ରକାଶନରେ ଯେତେ ଅରାଜକତା, ବିଶୃଙ୍ଖଳା ହେଲେ ବି ଛାତ୍ର ଛାତ୍ରୀମାନେ ପାଟି ଖୋଲି ପାରିବେନାହିଁ । ସାମାନ୍ୟ ବାକ ସ୍ୱାଧୀନତାର ସର୍ବନିମ୍ନ ଗଣତାନ୍ତ୍ରିକ ଅଧିକାର ଏଠି ନାହିଁ । ଯଦି ହୁଏ, ତେବେ ଏହାକୁ ଯେକୌଣସି ଭାବେ, ଯେତେ କଠୋର ଭାବେ ଦମନ କରିବାପାଇଁ ସରକାର ଏମାନଙ୍କୁ ଫ୍ରି ଲାଇସେନ ଦେଇଛନ୍ତି । ଏହା ନହେଲେ କାଳେ ଏମାନଙ୍କର ସୁନାମ ବରବାଦ ହୋଇଯିବ, ଶିକ୍ଷା ବଜାର ମାନ୍ଦା ପଡିଯିବ । ଏହା ହିଁ ଏଠି ଘଟିଛି । ସେହି ରାତିରେ ବିଶ୍ୱବିଦ୍ୟାଳୟର ସିକ୍ୟୁରିଟି ଗାର୍ଡ ପିଲାମାନଙ୍କୁ ପିଟିଛନ୍ତି । ବର୍ତ୍ତମାନ ସବୁ ଘରୋଇ ବିଶ୍ୱବିଦ୍ୟାଳୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ଘରୋଇ ଅନୁଷ୍ଠାନ ନିଜର ଏକ ବିଶେଷ ଧରଣର ଗୁଣ୍ଡା ବାହିନୀ ରଖିଛନ୍ତି ଯାହାକୁ ‘ବାଉନ୍‌ସର’ କୁହାଯାଇଛି ଯେଉଁମାନଙ୍କ ପାଇଁ କୌଣସି ଆଇନ କାନୁନ ନାହିଁ ଓ ଯେକୌଣସି ସମୟରେ କର୍ତ୍ତୃପକ୍ଷଙ୍କ ପ୍ରୟୋଜନରେ ଏମାନେ ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ବେଧଡକ ପିଟି ପାରିବେ, ମାରି ଲହୁଲୁହାଣ କରିପାରିବେ । କିଟ୍‌ର ଏହି ତାଗଡ଼ା ‘ବାଉନସର’ ମାନେ ମଧ୍ୟ କିଭଳି ଛାତ୍ରଛାତ୍ରୀ ବିଶେଷ କରି ନେପାଳ ଛାତ୍ର ଛାତ୍ରୀମାନଙ୍କୁ ନୃଶଂସଭାବେ ମାରିଛନ୍ତି, ଲହୁଲୁହାଣ କରିଛନ୍ତି, ପୁଣି ଧାରଣାରତ ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଦୁଇଜଣ ମହିଳା ପ୍ରଫେସର ସେହି ‘ବାଉନସର’ ମାନଙ୍କ ଭଳି ଅଙ୍ଗ ଭଙ୍ଗୀ କରି, ଚିତ୍କାର କରି ଧମକ ଦେଇ କହିଛନ୍ତି, “ଆମ ପ୍ରତିଷ୍ଠାତା ୪୦ ହଜାର ପିଲାଙ୍କୁ ପ୍ରତିଦିନ ଖୁଆଇବାରେ ଯେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ତୁମ ଦେଶର ଜିଡିପି ବି ସେତିକି ନୁହେଁ, ତୁମ ମାନଙ୍କର ୱକାତ୍ କେତେ? ତୁମେ କିଏ ହୋ?” ଏହା କେବଳ ଔଦ୍ଧତ୍ୱପୂର୍ଣ୍ଣ ଆଚରଣ ନୁହେଁ, ଏକ ଦେଶ ବିରୁଦ୍ଧରେ ଅତ୍ୟନ୍ତ ଗର୍ହିତ ଅପରାଧମୂଳକ ବୈଷମ୍ୟବାଦୀ ଆଚରଣ । ଖାଲି ଗୋଟିଏ ଔପଚାରିକ ଭିଡିଓ ବାର୍ତ୍ତା ଜାରି କରିଦେଲେ ମାଫ ହୋଇଯିବ? ଯଦିଓ କିଛି ଗଣମାଧ୍ୟମ ଓ ପଦଲେହନକାରୀ ବୁଦ୍ଧିଜୀବି, ସ୍ତମ୍ଭକାର ନିଜଆଡୁ ଏମାନଙ୍କୁ ମାଫ କରି ଦେଇଛନ୍ତି । ଘଟଣା ଏତିକିରେ ଶେଷ ହୋଇନାହିଁ । ଛାତ୍ରଛାତ୍ରୀଙ୍କ ପାଇଁ ଆହୁରି ନୃଶଂସ କାଣ୍ଡ ବାକି ଥିଲା । ୧୭ ତାରିଖ ବଡି ଭୋରରୁ ବିଶ୍ୱବିଦ୍ୟାଳୟ ଷ୍ଟାଫ୍‌, ସିକ୍ୟୁରିଟି ଗାର୍ଡ ଓ ଗୁଣ୍ଡା ବାହିନୀଙ୍କର ମିଳିତ ଅପରେସନ ଆରମ୍ଭ ହେଲା । ସମସ୍ତ ନେପାଳୀ ଛାତ୍ରଛାତ୍ରୀମାନଙ୍କ ହଷ୍ଟେଲ କବାଟ ଜୋରେ ବାଡେଇ ଶୋଇଥିବା ଛାତ୍ରଛାତ୍ରୀମାନଙ୍କ ଉଠଗଲା ଓ ଦୁଇଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରି ନିଜ ଦେଶ ନେପାଳକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଗଲା । କେବଳ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ ଡାଏ ଘୋଷଣା କରାଗଲା ଯାହା କି ଏକ ଘୋର ଅବ୍ୟବସ୍ଥିତ ଓ ଅଭାବନୀୟ କାର୍ଯ୍ୟ । ଏମାନଙ୍କ ବସରେ ବସାଇ ଭୁବନେଶ୍ୱର ନୁହେଁ, କଟକ, ପୁରୀ ରେଳ ଷ୍ଟେସନରୁ ୧ରୁ ୨କିମି ଦୂରରେ ଅସହାୟ ଅବସ୍ଥାରେ ଛାଡି ଦିଆଗଲା । ୧୯, ୨୦, ୨୧ବର୍ଷର ପିଲା ଏମାନେ, ପୁଣି ବିଦେଶୀ, ପାଖରେ ତୁରନ୍ତ ପଇସା ମିଳିବାର ସମ୍ଭାବନା ନାହିଁ । ଛାତ୍ରୀମାନଙ୍କ ପୁଣି ନିରାପତ୍ତାର ପ୍ରଶ୍ନ ଅଛି । ଖାଇବାକୁ ବି କିଛି ନାହିଁ । ଛାତ୍ର ଛାତ୍ରୀମାନେ ସେହି ଅବସ୍ଥା ବର୍ଣ୍ଣନା କଲାବେଳେ କୌଣସି ସମ୍ବେଦନଶୀଳ ଲୋକ ନକାନ୍ଦି ରହିପାରିବ ନାହିଁ । ଜଣେ ଛାତ୍ର ନିଜର ଘର ଫେରନ୍ତା ଯାତ୍ରାର କରୁଣ କାହାଣୀ ବର୍ଣ୍ଣନା କରି କହିଛି, “କେତେ ଟ୍ରେନ ମୋତେ ବଦଳାଇବାକୁ ପଡିଛି । ସାଧାରଣ ଡବାରେ ଅସମ୍ଭବ ଭିଡ ମଧ୍ୟରେ ଠିଆ ହୋଇ ୫୦ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଉପାସରେ ଯାତ୍ରା କରିବାକୁ ପଡିଛି ।” ଏ ହେଉଛି ଆମ ବହୁ ପ୍ରଚାରିତ ଘରୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରକୃତ ଚରିତ୍ର । ଏହି ପିଲାମାନେ କ’ଣ କାହାରି ଦୟାରେ ପଢୁଥିଲେ ନା ହଷ୍ଟେଲରେ ମାଗଣାରେ ରହୁଥିଲେ? ୨୨, ୨୫ ଲକ୍ଷ ଟଙ୍କାରୁ ଅଧିକ ଫିସ୍ ଦେଇ ଆଡମିସନ କରିଥିଲେ । ମୋଟା ଅଙ୍କରୁ ହଷ୍ଟେଲ ଫିସ ଦେଉଥିଲେ । ଦେଶ ବିଦେଶରେ ଲୋଭନୀୟ ବିଜ୍ଞାପନ ଦେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ପ୍ରଲୋଭିତ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପାଖରୁ ଆରମ୍ଭ କରି ଏମାନଙ୍କ ଏଜେଣ୍ଟମାନେ ଛାତ୍ରଛାତ୍ରୀ ସଂଗ୍ରହ କରନ୍ତି, ଆଉ ଏମାନଙ୍କ ପ୍ରତି ଏତାଦୃଶ ବର୍ବର ଆଚରଣ କରନ୍ତି । ଏହା କ’ଣ ଘରୋଇକରଣର ମହନୀୟତା ନା ନୈତିକତା? ଏହା ତ ଏକ ଆରମ୍ଭ ମାତ୍ର, ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ପଥ ଆହୁରି ସୁଗମ କରିଛି । ସ୍ୱୟଂ ପ୍ରଧାନମନ୍ତ୍ରୀ ଶିକ୍ଷାରେ ପୁଞ୍ଜି ଖଟାଇବାକୁ ଇଚ୍ଛୁକ ଦେଶୀ ବିଦେଶୀ ଏଣ୍ଟରପ୍ରାଇଜର, କମ୍ପାନୀମାନଙ୍କୁ ରେଡ କାର୍ପେଟ ବିଛାଇ ସ୍ୱାଗତ କରିବାକୁ ଆହ୍ୱାନ ଦେଉଛନ୍ତି । ଏହି କ୍ରମରେ ପୁଣି ବେଦାନ୍ତ ବିଶ୍ୱ ବିଦ୍ୟାଳୟ ଆସୁଛି । ଆହୁରି ଅନେକ ଲାଇନ ଲଗାଇଛନ୍ତି।
ଢୋଲ ଭିତରୁ ମୁଷା ବାହାରିଗଲା
ଏହି ଅଭାବନୀୟ ଓ ଅମାନବୀୟ ଖବର ଆଉ ଦେଶ ମଧ୍ୟରେ ସୀମିତ ରହିଲା ନାହିଁ । ଏହା ଏକ ଆନ୍ତର୍ଜାତିକ ଇସ୍ୟୁ ଓ ବିବାଦରେ ପିରଣତ ହେଲା । କିଟ୍ ବିଶ୍ୱବିଦ୍ୟାଳୟର ସ୍ୱେରାଚାରୀ କର୍ତ୍ତୃପକ୍ଷଙ୍କ ଧମକ, ଆକ୍ରମଣ, ଅମାନୁଷିକ ନିର୍ଯ୍ୟାତନା ସତ୍ତ୍ୱେ ବି ଜାତି, ଧର୍ମ ଦେଶ ଉପରକୁ ଯାଇ ଛାତ୍ରଛାତ୍ରୀ ମାନେ ଯେ ଏକ ନଜିର ବିହୀନ ଆନ୍ଦୋଳନର ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି । ପୁଣି କିଛିି ସାହସୀ ଛାତ୍ର ଛାତ୍ରୀ ଖୁବ ରିସ୍କ ନେଇ ଏ ସଂକ୍ରାନ୍ତିୟ ଭିଡିଓ ଅଡିଓ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିଛନ୍ତି । ଫଳରେ ଏହାର ବ୍ୟାପକ ପ୍ରଭାବ ପଡିଲା । ଘଟଣା ଲୋକଲୋଚନକୁ ଆସି ଚର୍ଚ୍ଚିତ ବିଷୟ ହେଲା । ନେପାଳ ପାର୍ଲିଆମେଣ୍ଟରେ ମଧ୍ୟ ପ୍ରତିବାଦର ସ୍ୱର ଉତ୍‌ଥାପିତ ହେଲା । ସ୍ୱୟଂ ନେପାଳ ପ୍ରଧାନମନ୍ତ୍ରୀ ବିବୃତ୍ତି ଜାରୀ କଲେ, ନେପାଳ ଦୂତାବାସର ଅଫିସରମାନଙ୍କୁ ପଠାଇଲେ । ଚାରିଆଡେ ବି ପ୍ରଚାର ହେଲା, ଆମ ଦେଶ ବଦନାମ ହେଲା । ସେତେବେଳେ କିଟ୍ କର୍ତ୍ତୃପକ୍ଷ ଓ ସରକାର ଦେଖିଲେ ଢୋଲ ଭିତରୁ ମୁଷା ବାହାରି ଯାଇଛି । ଏବେ ଟିକେ ନରମ ହେବାକୁ ପଡିବ । ନିଜର କ୍ଷତି ଭରଣା ବା ଡ୍ୟାମେଜ କଣ୍ଟ୍ରୋଲ ପାଇଁ ସମସ୍ତେ ଅଣ୍ଟା ଭିଡିଲେ । ଦୁଇ ମହିଳା ପ୍ରଫେସର ଧର୍ମକୁ ଆଖିଠାର ଭଳି ସ୍ୱୀକାର କରି ଭିଡିଓ ମେସଜ ଜାରୀ କରିଦେଲେ । ସଙ୍ଗେ ସଙ୍ଗେ ଫେବୃୟାରୀ ୧୯ତାରିଖ ଦିନ ମୃତ ଛାତ୍ରୀ ପ୍ରକୃତି ନାଁରେ ଏକ ସ୍ୱତନ୍ତ୍ର ସ୍କଲାରସିପ କିଟ କର୍ତ୍ତୃପକ୍ଷ ଘୋଷଣା କରି ବିବୃତ୍ତି ଜାରୀ କରି କହିଲେ, “ଏହି ଉଦ୍ୟମ ପ୍ରକୃତି ଭଳି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିନା ପ୍ରତିବନ୍ଧକତାରେ ନିଜର ପାଠପଢା ଚଳାଇ ରଖିବାକୁ ସୁନିଶ୍ଚିତ କରିବ ।” ବିଶ୍ୱବିଦ୍ୟାଳୟର ଷ୍ଟାଫମାନେ ନେପାଳର ପିଲାମାନଙ୍କୁ ପୁଣି ଫରିଆସିବା ପାଇଁ ଅନୁରୋଧ କରି ଫୋନ କରୁଛନ୍ତି । କର୍ତ୍ତୃପକ୍ଷ କିଛିଟା ଭୁଲ ହୋଇଛି ବୋଲି ସ୍ୱୀକାର କରୁଛନ୍ତି । ପଦଲେହନକାରୀ ଗଣମାଧ୍ୟମ, ତଥାକଥିତ କିଛି ବୁଦ୍ଧିଜୀବୀ ମାନେ ମଧ୍ୟ ଏହାକୁ କିଟ୍‌ର ଏକ ବଡପଣ ବୋଲି ଦେଖାଉଛନ୍ତି । ତେବେ ଏହା ତ ସେହି ମଣିଷ ମାରି ଗଙ୍ଗା ସ୍ନାନ କରିବା ଭଳି କଥା । ଏଣେ ଛାତ୍ର ଆନ୍ଦୋଳନ ଓ ଭିଡିଓ ଅଡିଓ ଭାଇରାଲକୁ ନିନ୍ଦିତ ଓ ଭର୍ତ୍ସନା କରିବାକୁ ଉଦ୍ୟମ ଚାଲିଛି । ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରି ଧମକ ବି ଦିଆଯାଉଛି । ଜଣାପଡିଛି ଯେ, ଭୁବନେଶ୍ୱର, କଲିକତାରେ ଛାତ୍ର ବିରୋଧ ଚାପରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଗତ ୨୦ତାରିଖ ଦିନ କିଟର ଏକ ଛାତ୍ର ପ୍ରତିନିଧି ମଣ୍ଡଳୀ ଓ କେତେକ ଛାତ୍ର ନେତାଙ୍କ ସହିତ ଆଲୋଚନା କରିବା ପାଇଁ ସମୟ ଦେଲେ । କିନ୍ତୁ ଯେଉଁ ଛାତ୍ରମାନେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରି ଫୋନରେ ଆଉ ଆଗକୁ ନ ବଢିବାକୁ ଧମକ ଦିଆଚାଲିଛି । ଏହି ପରିସ୍ଥିତିରେ ନେପାଳରୁ କିଛି ଛାତ୍ର ଛାତ୍ରୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, “ଆମ ପ୍ରତି ଅମାନୁଷିକ ଆଚରଣ କରିଥିବା କିଟ କର୍ତ୍ତୃପକ୍ଷ ଏପରିକି ଶିକ୍ଷକମାନେ ବ୍ୟାପକ କୁଟନୈତିକ ଚାପ ଯୋଗୁଁ ଆମକୁ କିଟ ଫେରିଆସିବାକୁ ବାରମ୍ବାର ଫୋନ କରି ଡାକୁଛନ୍ତି । ତେବେ ଆମେ ଫେରିବାକୁ ସିଦ୍ଧାନ୍ତ ନେଇପାରୁନୁ ।” ବର୍ତ୍ତମାନ କ୍ୟାମ୍ପସ ଭିତରେ ଭୟର ବାତାବରଣ । ବାଉନସର ମାନେ ପଇଁତରା ମାରୁଛନ୍ତି । ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରାଚାଲିଛି । କେତେବେଳେ କେଉଁଠି ସୁଯୋଗ ଦେଖି ଏମାନେ ଆକ୍ରମଣ କରି ରାଗ ସୁଝାଇବେ ତା’ ମଧ୍ୟ କହି ହେଉନାହିଁ । ଅନେକ ମାନସିକ ଯନ୍ତ୍ରଣା ମଧ୍ୟରେ ଏପରିକି ଟ୍ରମା ଭିତରେ ଅଛନ୍ତି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଥା ପୋଲିସ ପ୍ରଶାସନର ଭୂମିକା
ବର୍ତ୍ତମାନ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଖୁବ ପ୍ରଖର ଗତିରେ ଚାଲିଛି ବୋଲି ଖୁବ ପ୍ରଚାର ହୋଇଛି । ମାତ୍ର ଯେତେବେଳେ ଏହି ଅମାନୁଷିକ ଓ ଅବାଞ୍ôଛତ କାଣ୍ଡ ବିଧାନସଭାରୁ ମାତ୍ର ୮ରୁ ୯କିମି ମଧ୍ୟରେ ଚାଲୁଥିଲା ସେତେବେଳେ ଏହି ଡବଲ ଇଞ୍ଜିନ ଗାଡି କାହିଁକି ପହଞ୍ôଚ ପାରିଲାନି । ପହଞ୍ôଚବାକୁ ୨୪ଘଣ୍ଟାରୁ ଅଧିକ ଲାଗିଗଲା । ପୁଣି ଯେବେ ପ୍ରସଙ୍ଗଟି ଆନ୍ତର୍ଜାତିକ ପ୍ରସଙ୍ଗ ହେଲାପରେ କୂଟନୈତିକ ସ୍ତରରେ ଯାଇ ଚାପ ସୃଷ୍ଟି ହେଲା । ଏହି ସମୟରେ ବିଧାନସଭାର ବଜେଟ୍ ଅଧିବେଶନ ଚାଲୁଥିଲା । ଫଳରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ପାଖରୁ ଆରମ୍ଭକରି ସମସ୍ତ ମନ୍ତ୍ରୀ, ଶାସକ ଦଳ ତଥା ମୁଖ୍ୟ ବିରୋଧୀ ଦଳର ନେତା ଓ ଅନ୍ୟାନ୍ୟ ବିରୋଧୀ ବିଧାୟକମାନେ ଉପସ୍ଥିତ ଥିଲେ । କାହିଁ, ଘଟଣାର ହସ୍ତକ୍ଷେପ କରିବା ତ ଦୂରର କଥା, ଘଟଣାସ୍ଥଳରେ କେହି ପହଞ୍ôଚବାର ଦେଖାଗଲା ନାହିଁ । ବିଜେପି ସରକାର ବିଦେଶୀମାନଙ୍କୁ ଦେବତା ତୂଲ୍ୟ ଅତିଥିଭାବେ ଦେଖନ୍ତି ବୋଲି କୋଟି କୋଟି ଟଙ୍କା ଖର୍ଚ୍ଚକରି ପ୍ରଚାର କରୁଛନ୍ତି । କାହିଁ ବିଦେଶୀ ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କ ଆଚରଣ ତ ଏହା ଦେଖାଗଲା ନାହିଁ । ପୁଣି ନେପାଳ ଏକମାତ୍ର ‘ହିନ୍ଦୁ ରାଷ୍ଟ୍ର’ ଓ ଆମର ପରମ ମିତ୍ର ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା କୁହନ୍ତି । ସେହି ରାଷ୍ଟ୍ରର ଛାତ୍ରଛାତ୍ରୀ ପ୍ରତି ତାଚ୍ଛଲ୍ୟପୂର୍ଣ୍ଣ ବୈଷମ୍ୟମୂଳକ ହୀନ ମନ୍ତବ୍ୟ ଓ ଏତାଦୃଶ ପାଶବିକ ଆକ୍ରମଣ ପ୍ରସଙ୍ଗରେ ଏହି ତଥାକଥିତ ଧାର୍ମିକ ସରକାର ଓ ବିଜେପି ଦଳ ନିରବ ରହିଲେ କିପରି? ଅନ୍ୟଦିଗରେ କେନ୍ଦ୍ରସରକାର ଓ ଏହି ସରକାରଙ୍କର ଉଚ୍ଚ ଶିକ୍ଷାମନ୍ତ୍ରୀ ଯିଏ ଓଡିଶାର ବୋଲି ଅନେକ ଗର୍ବ କରନ୍ତି ସେ ମଧ୍ୟ ନିରବ ରହିଲେ କିପରି? ଏମାନଙ୍କର ଅସଲ ଚରିତ୍ର ମଧ୍ୟ ଉଦ୍‌ଘାଟିତ ହୋଇଛି । ନିକଟସ୍ଥ ପୋଲିସ ଥାନା, ପୋଲିସ କମିଶନର, ତାଙ୍କର ଗୁଇନ୍ଦା ବିଭାଗ ବି କିଛି ଜାଣିପାରିଲେନି କିପରି? ଦୁଇଦିନ ବିତିଗଲା ପରେ କିଛି ନୈତିକ ଚାପ ସୃଷ୍ଟି ହେଲାପରେ ରାଜ୍ୟ ସରକାର କି ଭୂମିକା ଗ୍ରହଣ କଲେ? ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ ହେବା କଥା ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ଏହିଭଳି କମିଟିର ନିରପେକ୍ଷତା ଓ ତତ୍ପରତାକୁ ନେଇ ମଧ୍ୟ ବହୁ ପ୍ରଶ୍ନ ଅଛି । କାରଣ ପୁର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ପୋଲିସ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ଗଠିତ ହୋଇଥିବା ଏହିଭଳି ଏକ ଉଚ୍ଚସ୍ତରୀୟ କମିଟି କ’ଣ କରିଛି ବା କରୁଛି ତା ଏ ପର୍ଯ୍ୟନ୍ତ କେହି ଜାଣିପାରିଲେ ନାହିଁ । ଇତିମଧ୍ୟରେ ସେହି ରାଜ୍ୟପାଳ ମଧ୍ୟ ଓଡିଶାକୁ ବୁଲି ଯାଉଛନ୍ତି । ଉକ୍ତ ଘଟଣାରେ ଭାରତ ନିନ୍ଦିତ ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଦୁଃଖ ପ୍ରକାଶ କରି ଓ ନେପାଳର ଛାତ୍ରଛାତ୍ରୀଙ୍କୁ ଭାରତ ଫେରିଆସିବାକୁ ନିବେଦନ କରି ତଥା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନେପାଳ ସରକାରଙ୍କୁ ପ୍ରତିଶୃତିି ଦେଇ ନିଜର କର୍ତ୍ତବ୍ୟ ଶେଷ କରିଛନ୍ତି ।
ଅନ୍ୟଦିଗରେ ବିଭିନ୍ନ ଆଡୁ ଚାପ ପଡିବା ପରେ ରାଜ୍ୟ ପୋଲିସ ଦୁଇଜଣ ସିକ୍ୟୁରିଟି ଗାର୍ଡ ଓ ତିନିଜଣ କିଟ କର୍ମଚାରୀଙ୍କୁ ଗିରଫ କଲେ । ଏଥିସହିତ ଭୁବନେଶ୍ୱର ବିମାନବନ୍ଦରରୁ ଅଭିଯୁକ୍ତ ଆବେଦିକ ଶ୍ରୀବାସ୍ତବଙ୍କୁ ମଧ୍ୟ ଗିରଫ କରାଗଲା । ପୋଲିସର ପାରିବା ପଣିଆକୁ ନେଇ ଖୁବ ଚର୍ଚ୍ଚା ହେଲା । ଦେଖନ୍ତୁ, ଏଠି କେତେ ଗଫଲତି ଅଛି । ପୋଲିସ ଏହି ୫ଜଣଙ୍କ ବିରୁଦ୍ଧରେ ଜାଣିଶୁଣି ଏତେ ଦୁର୍ବଳ ଦଫା ଲଗାଇଥିଲେ ଯାହାଫଳରେ ମାତ୍ର ୩ଘଣ୍ଟା ମଧ୍ୟରେ ଏମାନଙ୍କୁ ବେଲ ମିଳିଗଲା । ମୁଖ୍ୟ ଅଭିଯୁକ୍ତର କ’ଣ ହେବ ତା’ ମଧ୍ୟ ଜଣା ପଡୁଛି । କାହିଁ ଯେଉଁ ‘ବାଉନସର’ମାନେ ପିଲାମାନଙ୍କୁ ଗୋଡେଇ ଗୋଡେଇ ପିଟିଲେ, ଯେଉଁମାନଙ୍କୁ ସ୍ପଷ୍ଟ ଦେଖିହେଉଛି, ସେମାନଙ୍କୁ ଚିହ୍ନଟ କରି କୌଣସି କାର୍ଯ୍ୟାନୁଷ୍ଠାନ ତ ନିଆଯାଇ ନାହିଁ । ଫଳରେ ଏ ସମସ୍ତ ଘଟଣାରୁ ଏହା ପ୍ରମାଣ ହୋଇଯାଇଛି, ଘରୋଇ ବିଶ୍ୱବିଦ୍ୟାଳୟ କିଟ ସରକାର-ପୋଲିସ-ପ୍ରଶାସନ-ଅପରାଧୀ ଗୁଣ୍ଡାବାହିନୀ ସମସ୍ତଙ୍କ ମଧ୍ୟରେ ଏକ ଉତ୍ତମ ବୁଝାମଣା ଭିତ୍ତିରେ ହିଁ ସବୁକିଛି ଚାଲିଛି । ସବୁ କିଛି ଯେମିତି ପ୍ରାୟୋଜିତ ।
କିଟ ଏକ ବିଚ୍ଛିନ୍ନ ଘଟଣା ନୁହେଁ
କିଟ ଭଳି ବିଶ୍ୱବିଦ୍ୟାଳୟମାନଙ୍କରେ ଯାହା ଘଟୁଛି, ତାହା ଯେ ଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ ନୀତିର ଫଳ, ଏହି ବିଷୟକୁ ଅନେକେ ଏଡେଇ ଯାଇଛନ୍ତି ବା ଜାଣତରେ କିମ୍ବା ଅଜାଣତରେ ଅଣଦେଖା କରୁଛନ୍ତି । କିଛି ଅଛନ୍ତି ଯେଉଁମାନେ କିଟ୍ ପ୍ରତିଷ୍ଠାନର ଘୋର ବିରୋଧୀ ବୋଲି ନିଜକୁ ପ୍ରଦଶିତ କରୁଛନ୍ତି, କିନ୍ତୁ ସରକାରଙ୍କ ଶିକ୍ଷାର ଘରୋଇକରଣ ନୀତିର ବିରୋଧୀତା କରୁନାହାନ୍ତି ବରଂ ଏହା ପକ୍ଷରେ ଓକିଲାତି କରୁଛନ୍ତି । କିଛିତ କିଟ୍ କର୍ତ୍ତୃପକ୍ଷଙ୍କ ଚାଟୁକରିତା କାରିବାକୁ ଯାଇ ସରକାରୀ ଶିକ୍ଷାନୁଷ୍ଠାନର ବିଫଳତା ଓ ଘରୋଇ ଶିକ୍ଷାନୁଷ୍ଠାନର ସଫଳତା ବଖାଣିବାରେ ଖୁବ୍ ତତ୍ପର । ପୁଣି କହନ୍ତି ସରକାର ଯାହା କରିପାରିଲେ ନାହିଁ, କିଟ୍‌, ସୋଆ ତାହା କରିପାରିଛନ୍ତି । ସରକାର ଯେ ଯୋଜନାବଦ୍ଧ ଭାବେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ଧ୍ୱଂସ କରି ଘରୋଇ ବ୍ୟବସାୟିକ ଶିକ୍ଷାନୁଷ୍ଠାନ ଗଢିତୋଳିବାକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ଓ ଏହା ଯେ ସରକାରଙ୍କ ଶିକ୍ଷାର ଘରୋଇକରଣ ବ୍ୟବସାୟକରଣ ନୀତି, ଏକଥା ଚର୍ଚ୍ଚାର ପରିସରକୁ ଆସୁ ନାହିଁ ଏକଥା କିନ୍ତୁ ବୁଝିବାକୁ ହେବ । ତତ୍‌କାଳୀନ କଂଗ୍ରେସ ସରକାର ୧୯୮୬ ନୂତନ ଜାତୀୟ ଶିକ୍ଷାନୀତି ପ୍ରଣୟନ କରି ଶିକ୍ଷା ବ୍ୟବସାୟର ସିଂହଦ୍ୱାର ଖୋଲିଦେଇଥିଲେ । ତେବେ ବିଜେପି ସରକାର ଦ୍ୱାରା ପ୍ରଣୀତ ଜାତୀୟ ଶିକ୍ଷାନୀତି-୨୦୨୦ ଶିକ୍ଷାରେ ସାମଗ୍ରିକ ଘରୋଇକରଣ ଓ ବ୍ୟବସାୟୀକରଣ ନୀତିର ଏକ ନୀଳ ନକ୍ସା ପ୍ରସ୍ତୁତ କରାଯାଇ ଏହାକୁ ଦୃତ ଗତିରେ କାର୍ଯ୍ୟକାରୀ କରାଯାଉଛି । କୁହାଯାଉଛି ୧୯୮୬-ନୂତନ ଜାତୀୟ ଶିକ୍ଷାନୀତିର ଅସଂପୂର୍ଣ୍ଣ କାର୍ଯ୍ୟ ଏହି ଶିକ୍ଷାନୀତି କରିବ । ଏହାରି ପରିଣତିରେ ସରକାର ଶିକ୍ଷା ପ୍ରତିଥିବା ନିଜର ଦାୟବଦ୍ଧତାରୁ କ୍ରମାଗତ ଓହରି ଯାଉଛନ୍ତି । କ୍ରମାଗତ ଖର୍ଚ୍ଚ କାଟ କରିଚାଲିଛନ୍ତି । ଫଳରେ ଅଧ୍ୟାପକ ବିନା, ସର୍ବନିମ୍ନ ଭିତ୍ତିଭୂମି ବିନା ସରକାରୀ ଶିକ୍ଷାର ଆଜି ବିକଳାଙ୍ଗ ଅବସ୍ଥା । ଆମ ରାଜ୍ୟର ପରିସଂଖ୍ୟାନ ବିଚାରକୁ ନିଆଯାଉ । ରାଜ୍ୟରେ ଥିବା ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରେ ସ୍ୱୀକୃତିପ୍ରାପ୍ତ ପଦବୀ ହେଉଛି ୨୦୦୩ । ସେଥିରୁ ଦୀର୍ଘଦିନ ଧରି ୧୩୦୩ ପଦବୀ ଖାଲି ପଡିଛି । ଅନ୍ୟାନ୍ୟ ବିଭାଗରେ ବି କରୁଣ ଅବସ୍ଥା । ପଦବୀ ପୂରଣ କ’ଣ କରାଯିବ ପଦବୀ ଉଚ୍ଛେଦ ଚାଲିଛି । ଏଣେ ସରକାର ନିୟମ କରିଛନ୍ତି, ୭୫ପ୍ରତିଶତ ଅଧ୍ୟାପକ ପଦବୀ ପୂରଣ ନହୋଇଥିଲେ ନ୍ୟାକ୍ ମାନ୍ୟତା ମିଳିବ ନାହିଁ । କି ବିଚିତ୍ର ନୀତି! ଏହିଭଳୀ ବହୁ ସମସ୍ୟା ଘେରରେ ଯୁଝି ଯୁଝି ଆଜି ବହୁ ସୁନାମଧନ୍ୟ ଖ୍ୟାତି ସଂପନ୍ନ ଶିକ୍ଷାନୁଷ୍ଠାନ ଧ୍ୱଂସ ମୁଖରେ । ସରକାର ନିଜେ ହିଁ ସରକାରୀ ଶିକ୍ଷାନୁଷ୍ଠାନ ଧ୍ୱଂସ କରିବାର ନୀତି ଆଣନ୍ତି । ଏଗୁଡିକୁ ଦୁରବସ୍ଥା ମଧ୍ୟ ଠେଲି ଦିଅନ୍ତି, ଆଉ ଏହି ଦୂରାବସ୍ଥାର ଯୁକ୍ତି ଦେଇ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବାର ଭିତ୍ତ ପ୍ରସ୍ତୁତ କରନ୍ତି । ସରକାରଙ୍କ ସାଥ ଦେବା ପାଇଁ ତ ମୁଣ୍ଡବିକା ଗଣମାଧ୍ୟମ, ସ୍ତମ୍ଭକାର ଓ ତଥାକଥିତ ବୁଦ୍ଧିଜୀବୀ ଅଛନ୍ତି । କିଛି ଭ୍ରମିତ ହୋଇ ମଧ୍ୟ ଏହି ଯୁକ୍ତିକୁ ସମର୍ଥନ କରନ୍ତି । ଆଜି ଅବସ୍ଥା ଏଭଳି ହୋଇଛି ଯେ, ସରକାରୀ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇ ଘରୋଇ ବିଶ୍ୱବିଦ୍ୟାଳୟ ସଂଖ୍ୟା ଦୃତ ବଢି ବଢି ଚାଲିଛି । ସର୍ବଭାରତୀୟ ସ୍ତରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଖ୍ୟା ୫୭, ସରକାରୀ ବିଶ୍ୱବିଦ୍ୟାଳୟ ୪୯୬, କିନ୍ତୁ ଘରୋଇ ବିଶ୍ୱବିଦ୍ୟାଳୟ ସଂଖ୍ୟା ୫୦୨ ଓ ଡିମଡ୍ ବିଶ୍ୱବିଦ୍ୟାଳୟ ୧୩୮ । ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆମ ରାଜ୍ୟର କିଟ୍ ଓ ସୋଆ ଅଛନ୍ତି । କିଟ୍ ଘଟଣା ପରିପ୍ରେକ୍ଷୀରେ କିଛି ସ୍ୱଘୋଷିତ ଶିକ୍ଷାବିତ ବା ବୁଦ୍ଧିଜୀବୀ ଷ୍ଟୁଡିଓରେ ବସି ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଭଳି ଐତିହ୍ୟ ସଂପନ୍ନ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକୁ ତାଚ୍ଛଲ୍ୟ କରି ଘରୋଇ ବିଶ୍ୱବିଦ୍ୟାଳୟର ଗୁଣଗାନ କରୁଛନ୍ତି । ଚତୁର ଚାଟୁକାର ମାନେ ମଧ୍ୟ ସେହିଭଳୀ ପ୍ରଶ୍ନ ସେଟ୍ କରୁଛନ୍ତି । ମାତ୍ର ଆଜି ବି ଜଣେ ସାଧାରଣ ଘରର ପିଲା ଏତେ ପ୍ରତିକୂଳତା ଓ ସରକାରୀ ବୈମାତୃକତା ସତ୍ତ୍ୱେ ବି ରେଭେନ୍ସା, ଉତ୍କଳ ଭଳି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସ୍ୱପ୍ନ ଦେଖେ । ଏହି ସବୁ ବିଶ୍ୱବିଦ୍ୟାଳୟ ଜ୍ଞାନ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ବହୁ ତାରକା ସୃଷ୍ଟି କରିଛି । ଏପରିକି କିଟ୍ ଭଳି ବିଶ୍ୱବିଦ୍ୟାଳୟର ପ୍ରଫେସର ମାନଙ୍କର ଅତୀତକୁ ନଜର କଲେ ହୁଏତ ଜଣାପଡିବ ଏମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି ନା କୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ପଢି ଆସିଥିବେ । ଘରୋଇ ଶିକ୍ଷାନୁଷ୍ଠାନରେ ତ ଖୋଲାଖୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଲୁଟ କରାଯାଉଛି, ମନଇଚ୍ଛା ଫିସ ଆଦାୟ ହେଇଛି । ଏଠି ଶିକ୍ଷା ଏକ ବିଳାସିକ ମହଙ୍ଗା ପଣ୍ୟରେ ପରିଣତ ହୋଇଛି । ଏହି ଫିସ୍‌ର ବୋଝ ଯୋଗୁ ଓ ଅନେକ ସମୟରେ ଘରୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉଗ୍ର, ଅସହିଷ୍ଣୁ, ଅପମାନଜନକ ଆଚରଣ ଯୋଗୁ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି, ତା’ର କୌଣସି ସଠିକ ଖବର ନାହିଁ । ପୁଣି ଫିସ୍ ରେସନାଲାଇଜେସନ ଆଳରେ ଘରୋଇ ଶିକ୍ଷାନୁଷ୍ଠାନର ଫିସ୍ ଷ୍ଟ୍ରକଚର ସହ ସାମଞ୍ଜସ୍ୟ ରଖି ସରକାରୀ ଶିକ୍ଷାନୁଷ୍ଠାନରେ ଫିସ ବୃଦ୍ଧି ହେଉଛି, ଯାହା ଯୋଗୁ ଏତାଦୃଶ୍ୟ ବେଦନାଦାୟକ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି । ଏଠି ସରକାର ନିଜେ ବ୍ୟବସାୟୀ ସାଜିଛନ୍ତି ।
ହୁଏତ କିଛି ଦିନ ପରେ ଏହି ଘଟଣାକୁ କେନ୍ଦ୍ରକରି ଜଳୁଥିବା ନିଆଁ ଲିଭିଯିବ ବା ଲିଭାଇ ଦିଆଯିବ, ମାତ୍ର ନିଜର ମେଧାବୀ କନ୍ୟା ହରାଇଥିବା ସେହି ପିତାଙ୍କର ଯନ୍ତ୍ରଣାର ନିଆଁ କ’ଣ ଲିଭିବ? ବେଦନାର ଲୁହ କ’ଣ ଶୁଖିବ? ହୁଏତ ଗତ ଏକ ବର୍ଷ ମଧ୍ୟରେ ହୋଇଥିବା ୨୭୯ଟି ଘଟଣାର ସରକାରୀ ତାଲିକାରେ ଆଉ ଗୋଟିଏ ସଂଖ୍ୟା ଯୁକ୍ତ ହୋଇ ତାଲିକା ଲମ୍ବା ହେବ, କିନ୍ତୁ ପିତାଙ୍କର ଆକୁଳ ଆବେଦନ, ସହପାଠୀ ଓ ସହଯୋଗୀ ମାନଙ୍କ ଦାବି ‘ପ୍ରକୃତିକୁ ନ୍ୟାୟ’ କଣ ହାସଲ ହେବ? ଆଉ କୌଣସି ଝିଅର ଏଭଳି ଅବସ୍ଥା ନହେଉ, ପିତୃତ୍ୱର ଏହି ପ୍ରତ୍ୟାଶା କ’ଣ ପୂରଣ ହେବ? ଏହି ପ୍ରଶ୍ନ ତ ଆକ୍ରାନ୍ତ ମାନବତାର, ବେଦନାରତ ପିତୃତ୍ୱ-ମାତୃତ୍ୱର । ଏହାର ଉତ୍ତର କିଏ ଦେବ? ଏହା ହିଁ ତ ବଡ ପ୍ରଶ୍ନ! ପ୍ରକୃତିର ମୃତ୍ୟୁରେ ଜାଗି ଉଠିଛି ସୁପ୍ତ ମାନବତାର ଦୀପ୍ତିମାନ ବହ୍ନିଶିକ୍ଷା । କିଛିଦିନ ତଳେ ପଶ୍ଚିମବଙ୍ଗର ଆର ଜି କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ନିର୍ଭୟା ପ୍ରତି ହୋଇଥିବା ବର୍ବରତା ବିରୁଦ୍ଧରେ ପ୍ରତିବାଦର ବହ୍ନିଶିକ୍ଷା ଜଳି ଉଠିଥିଲା । ସେଠି ମଧ୍ୟ ଏହି ସତ୍ୟ ଉଦ୍‌ଭାସିତ ହୋଇଥିଲା । ଆନ୍ଦୋଳନର ଜ୍ୱଳନ୍ତ ଅଗ୍ନିଶିକ୍ଷା ମଧ୍ୟରେ ମାନବତାର ଏହି ପ୍ରଜ୍ୱୋଳିତ ପ୍ରତିଛବି ପ୍ରତିଭାତ ହେଉଛି । ଦେଉଛି, ସରକାରୀ ଶିକ୍ଷାକୁ ବଂଚାଅ, ଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ ନୀତି ପ୍ରତିହତ କରିବା ପାଇଁ ପ୍ରତିବାଦ ପ୍ରତିରୋଧ ଆନ୍ଦୋଳନ ଗଢିତୋଳ, ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ଯାଏ, ସର୍ବସ୍ତରର ଶିକ୍ଷା ସମସ୍ତ ବର୍ଗର ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବା ଦାବିରେ ସ୍ୱାଧୀନତା ଆନ୍ଦୋଳନର ସମସ୍ତ ସଂଗ୍ରାମୀ ଓ ମହାମନିଷୀଙ୍କ ସ୍ୱପ୍ନର ବିପରୀତରେ ଶିକ୍ଷା ବଜାରର ଏକ ଲୋଭନୀୟ ମହଙ୍ଗା ପଣ୍ୟରେ ପରିଣତ କରିବାର ନୀତି ବିରୁଦ୍ଧରେ, ଶିକ୍ଷା ମାଫିଆଙ୍କ କବଳରୁ ଶିକ୍ଷାକୁ ବଂଚାଇବା ଦାବିରେ ଶକ୍ତିଶାଳି ଶିକ୍ଷା ଆନ୍ଦୋଳନ ଗଢିତୋଳନ୍ତୁ । ସେହି ଦାୟିତ୍ୱ ଛାତ୍ର, ଯୁବକ ସମସ୍ତ ସ୍ତରର ଶିକ୍ଷା ସଚେତନ ଜନଗଣଙ୍କୁ ନେବାକୁ ହେବ । ଏହା ହିଁ ସମୟର ଦାବି, ମାନବତାର ଆକୁଳ ଆବେଦନ ।

Leave a Reply

Your email address will not be published. Required fields are marked *