ମୋଦି-ଟ୍ରମ୍ପ ସାକ୍ଷାତରୁ ଭାରତର ସାଧାରଣ ଲୋକ ପାଇଲେ କ’ଣ?

SK Dated 05.03.2025 –

ବିଜେପି-ଆରଏସ୍‌ଏସ୍ ବାହିନୀ ଏବଂ ମୋଦି ସରକାରଙ୍କ ଅନୁଗତ ଗଣମାଧ୍ୟମଦ୍ୱାରା ପ୍ରଚାର କରି କରି ସମଗ୍ର ଦେଶରେ ଗୋଟିଏ ହାୱା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି, ସତେ ଯେଭଳି ମୋଦଙ୍କ ନେତୃତ୍ୱରେ ଭାରତ ସରକାର ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ସହିତ କୂଟନୈତିକ ଓ ବାଣିଜ୍ୟିକ କ୍ଷେତ୍ରରେ ସମାସ୍କନ୍ଧ ଭାବରେ ଆଳାପ ଆଲୋଚନା କରିପାରିବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦକ୍ଷତା ଓ ବ୍ୟକ୍ତିତ୍ୱ ଯୋଗୁ ବିଶ୍ୱର ଅଗ୍ରଣୀ ନେତାରେ ପରିଣତ ହୋଇଛନ୍ତି ଏବଂ ଏଥିପାଇଁ ତାଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ବନ୍ଧୁ ବୋଲି ସମ୍ବୋଧନ କରୁଛନ୍ତି । ଏହା ମିଥ୍ୟା ବୋଲି କେନ୍ଦ୍ର ସରକାର ସ୍ୱୀକାର କରିଥିଲେ ମଧ୍ୟ ମୋଦିଙ୍କୁ ମହାମାନବରେ ପରିଣତ କରିବାପାଇଁ କେତେକ ବିଜେପି ନେତା ଓ ଗଣମାଧ୍ୟମରେ ଏକାଂଶ ମୋଦି ଫୋନକରି ଋଷିଆ ୟୁକ୍ରେନ ଯୁଦ୍ଧ ଘଣ୍ଟାଏ ପାଇଁ ବନ୍ଦ କରିଦେଲେ ବୋଲି ଏବେବି ପ୍ରଚାର କରୁଛନ୍ତି । ଏହାଫଳରେ ମୋଦିଙ୍କ ନେତୃତ୍ୱରେ ଭାରତ ଆମେରିକା ସହିତ ନିଜସ୍ୱାର୍ଥରେ ଅତ୍ୟନ୍ତ ଫଳପ୍ରଦ ଭାବରେ ମୂଲଚାଲ କରିପାରିବ ବୋଲି ଦେଶର ଲୋକଙ୍କ ମଧ୍ୟରେ ଏକପ୍ରକାର ଧାରଣା ସୃଷ୍ଟି କରାଯାଇଥିଲା । ମାତ୍ର ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ସଂପ୍ରତି ୱାସିଂଟନଠାରେ ଅନୁଷ୍ଠିତ ବୈଠକ ଏହି ଧରଣର ପ୍ରଚାର ଓ ଅବଧାରଣାକୁ ମିଥ୍ୟା ପ୍ରମାଣିତ କରିଛି ।
ଟ୍ରମ୍ପଙ୍କ ସହିତ ମୋଦିଙ୍କର ବୈଠକ ପ୍ରମାଣିତ କଲା ଯେ, ଭାରତ ସହିତ ଆମେରିକାର ସଂପର୍କ ବାସ୍ତବରେ ଗୋଟିଏ ପ୍ରବଳ ଶକ୍ତିଶାଳୀ ରାଷ୍ଟ୍ର ସହିତ ଅପେକ୍ଷାକୃତ ଦୁର୍ବଳ ଅନ୍ୟ ଏକ ରାଷ୍ଟ୍ର ସହିତ ଯେଭଳି ବ୍ୟବସାୟିକ ସଂପର୍କ ରଖିଥାଏ ଠିକ ସେହିଭଳି । ମୋଦିଙ୍କ ସହିତ ଟ୍ରମ୍ପଙ୍କ ସଂପର୍କ ମଧ୍ୟ ଆଦୌ ବନ୍ଧୁତ୍ୱପୂର୍ଣ୍ଣ ନୁହେଁ । ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ଅପେକ୍ଷାକୃତ ଦୁର୍ବଳ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କର ସଂପର୍କ ଯେଉଁଭଳି ହେବା ସ୍ୱାଭାବିକ ମୋଦି ଟ୍ରମ୍ପଙ୍କ ସଂପର୍କ ମଧ୍ୟ ଠିକ ସେହିଭଳି । ଦୁଇଦେଶର ଶିଳ୍ପପତି-ଧନକୁବେର ଗୋଷ୍ଠିର ରାଜନୈତିକ ମ୍ୟାନେଜର ହିସାବରେ ଉଭୟ ଦେଶର ସାମ୍ରାଜ୍ୟବାଦୀ ପୁଞ୍ଜିର ସ୍ୱାର୍ଥରକ୍ଷା ପାଇଁ ଉଦ୍ୟମ କରିଛନ୍ତି । ଉଲ୍ଲେଖକରିବା ବାହୁଲ୍ୟ, ସେହି ଉଦ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ନିଜେ ମୋଦି ଓ ତାଙ୍କର ସମର୍ଥକମାନେ ତାଙ୍କ ୫୬ ଇଂଚ ଚଉଡା ଛାତି ପାଇଁ ଯେତେ ଗର୍ବ କରୁନ୍ତୁନା କାହିଁକି, ଟ୍ରମ୍ପଙ୍କ ନିକଟରେ ବସିଥିଲାବେଳେ ଏହାର ସାମାନ୍ୟ ସୂଚନା ମଧ୍ୟ ମିଳିଲା ନାହିଁ ।
ମୋଦିଙ୍କୁ ପାଖରେ ବସାଇ ଟ୍ରମ୍ପ ଯେଭଳି ଭାବରେ ଏକତରଫା ଆମେରିକାର ସ୍ୱାର୍ଥରେ ଗୋଟିଏ ପରେ ଗୋଟିଏ ସର୍ତ୍ତ ଭାରତ ଉପରେ ଲଦି ଦେଲେ ଏବଂ କାକୁସ୍ଥ ଭାବରେ ସେଠାରେ ବସି ମୋଦି ସେସବୁକୁ ବିନା ପ୍ରତିବାଦରେ ଗ୍ରହଣକଲେ ତାକୁ ଦେଖି ମୋଦିଙ୍କୁ ଜଣେ ଅତ୍ୟନ୍ତ ଅନୁଗତ ବ୍ୟକ୍ତି ବ୍ୟତୀତ ଆଉକିଛି ମନେ ହେଉନଥିଲା । ମାତ୍ର ଠିକ୍ ସେହି ପରିସ୍ଥିତିରେ ଗତ ୩ବର୍ଷ ଧରି ଋଷିଆର ଆକ୍ରମଣର ମୁକାବିଲା କରୁଥିବା ୟୁକ୍ରେନ୍‌ର ରାଷ୍ଟ୍ରମୁଖ୍ୟ ଯେଉଁ ଦୃଢତାର ସହିତ ଆମେରିକାର ଛାତି ଉପରେ ବସି ଟ୍ରମ୍ପଙ୍କର କୌଣସି ଗୋଟିଏ ହେଲେ ଅବମାନକର ସର୍ତ୍ତ ମାନିବା ପାଇଁ ସିଧାସଳଖ ଅସ୍ୱୀକାର କଲେ, ଏପରିକି ଟ୍ରମ୍ପଙ୍କ ସହିତ ତୀବ୍ର ବାକ୍ୟ ବିନିମୟକଲେ ତାକୁ ଦେଖିବାପରେ ମୋଦିଙ୍କର ସ୍କୁଲ ଛାତ୍ର ସୁଲଭ ଆଚରଣ ଅତ୍ୟନ୍ତ ଅମର୍ଯ୍ୟାଦାକର ଓ ଲଜ୍ଜାଜନକ ମନେ ହେଉଥିଲା । ଏହାପୂର୍ବରୁ ଫ୍ରାନ୍ସର ରାଷ୍ଟ୍ରପତି ମଧ୍ୟ ଠିକ୍ ସେହିଭଳି ଟ୍ରମ୍ପଙ୍କର ସମସ୍ତ ଏକତରଫା ଘୋଷଣାର ତୀବ୍ର ବିରୋଧ କରିଥିଲେ ।
ମାତ୍ର ମୋଦିଙ୍କୁ ପାଖରେ ବସାଇ ମିଳିତ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଟ୍ରମ୍ପ ଭାରତୀୟ ପଣ୍ୟ ଉପରେ ଅଧିକ ଆମଦାନୀ ଶୁଳ୍କ ବସାଇବା ପାଇଁ ଘୋଷଣା କଲେ ଏବଂ କହିଲେ ଏ ବାବଦରେ ସେ ମୋଦିଙ୍କର କୌଣସି ଗୋଟିଏ ହେଲେ ଯୁକ୍ତି ଗ୍ରହଣ କରିବେ ନାହିଁ ସେତେବେଳେ ମୋଦି ସାହସ ସଂଚୟ କରି କହିପାରିଲେ ନାହିଁ ଯେ ସେ ମଧ୍ୟ ଗୋଟିଏ ରାଷ୍ଟ୍ରର ମୁଖ୍ୟ ଏବଂ ସେ ଟ୍ରମ୍ପଙ୍କ ଠାରୁ ସେହି ଧରଣର ବ୍ୟବହାର ଓ ମର୍ଯ୍ୟାଦା ଆଶା କରନ୍ତି ।
ମୋଦିଙ୍କ ସହିତ ବୈଠକର ମାତ୍ର କେତେ ଘଣ୍ଟା ପୂର୍ବରୁ ଟ୍ରମ୍ପ ତାଙ୍କ ଶୁଳ୍କ ନୀତି ଘୋଷଣାକରି କହିଲେ ଯେ ‘ଆମେରିକାର ବନ୍ଧୁମାନେ ଅନେକ ସମୟରେ ଶତ୍ରୁମାନଙ୍କଠାରୁ ମଧ୍ୟ ଖରାପ’ । ସେ ଏହି ଘୋଷଣା କରିବାପାରେ ଏଥିରେ କାହାରି କୌଣସି ସନ୍ଦେହ ନଥିଲା ଯେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟ କରି ହିଁ ଏକଥା କହୁଛନ୍ତି, ମୋଦି-ଟ୍ରମ୍ପ ବୈଠକରେ କଣ ହେବାକୁ ଯାଉଛି ସେକଥା ଟ୍ରମ୍ପଙ୍କର ଏହି ଘୋଷଣାରୁ ହିଁ ସ୍ପଷ୍ଟ ହୋଇଯାଉଥିଲା । କେବଳ ସେତିକି ନୁହେଁ, ଟ୍ରମ୍ପ-ମୋଦିଙ୍କୁ କି ଧରଣର ବନ୍ଧୁ ମନେକରନ୍ତି, ତାହା ମଧ୍ୟ ସେ ଦର୍ଶାଇ ଦେଇଥିଲେ- ପ୍ରଥମେ ୧୦୪ ଜଣଙ୍କୁ, ତାପରେ ଦଫା ଦଫାରେ ଆମେରିକାର ବସବାସ କରୁଥିବା ପ୍ରବାସୀ ଭାରତୀୟ ମାନଙ୍କୁ ହାତ, ଗୋଡ ଓ ଅଣ୍ଟାରେ ଜଂଜିର ବାନ୍ଧି ସେନାବାହିନୀର ମାଲବାହୀ ବିମାନରେ ପଶୁଭଳି ଭାରତକୁ ପଠାଇ ଦେବା ମଧ୍ୟଦେଇ ।
ଭାରତୀୟ ପଣ୍ୟ ଉପରେ ବିପୁଳ ଶୁଳ୍କ
ମୋଦିଙ୍କ ଆମେରିକା ଯାତ୍ରାର ଠିକ୍ ପୂର୍ବରୁ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ଇସ୍ପାତ ଓ ଆଲୁମ୍ୟୁନିୟମ ଉପରେ ଶତକଡା ୨୫ଭାଗ ଶୁଳ୍କ ବସାଇବା କଥା ଟ୍ରମ୍ପ ଘୋଷଣା କରିଥିଲେ । ଏହାଫଳରେ ଭାରତରୁ ୧୦୦ କୋଟି ଡଲାର ମୂଲ୍ୟର ରପ୍ତାନୀ ଅନିଶ୍ଚିତତାର ସମ୍ମୁଖୀନ ହେବ । ଅନ୍ୟଦିଗରେ ମୋଦି ସରକାର ଏହି ଧରଣର ଏକ ପରିସ୍ଥିତିର ଆଶଂକା କରି ଟ୍ରମ୍ପଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଜେଟରେ ୨୦ଟି ମାର୍କିନ ପଣ୍ୟ ଉପରେ ଆଦାୟ କରାଯାଉଥିବା ଆମଦାନୀ ଶୁଳ୍କ ପ୍ରତ୍ୟାହାର କରିଦେଇଥିଲେ । ମୋଟ ୨୮ଟି ମାର୍କିନ ପଣ୍ୟ ମଧ୍ୟରୁ ୮ଟି ଉପରେ ପୂର୍ବରୁ ଆଦାୟ କରାଯାଉଥିବା ଶୁଳ୍କକୁ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ କରିବା ପୂର୍ବରୁ ହିଁ ପ୍ରତ୍ୟାହାର କରିଦେଇଥିଲେ । ଆମେରିକା ଉଚ୍ଚ ହାରରେ ଆମଦାନୀ ଶୁଳ୍କ ଆଦାୟ କଲେ କେବଳ ଇସ୍ପାତ ଓ ଆଲୁମ୍ୟୁନିୟମ ନୁହେଁ, ଭାରତର ଔଷଧ ଓ ଚିକିତ୍ସା ସରଞ୍ଜାମ, ତଥ୍ୟ ପ୍ରଯୁକ୍ତି ରପ୍ତାନୀ ମଧ୍ୟ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେବ । ଇରାନର ଏକ ବନ୍ଦରକୁ ଭିତ୍ତିକରି ଏତେଦିନ ପର୍ଯ୍ୟନ୍ତ ଭାରତ ଯେଉଁ ସୁବିଧା ଉପଭୋଗ କରୁଥିଲା ତାହା ପ୍ରତ୍ୟାହାର କରିନେବାପାଇଁ ଟ୍ରମ୍ପ ଘୋଷଣା କରିଛନ୍ତି । ଅଥଚ ଭାରତ ଏହି ବନ୍ଦର ନିର୍ମାଣ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଛି ।
ଚଢା ଦରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଖଣିଜ ତେଲ ଓ ଗ୍ୟାସ କିଣିବାକୁ
ଆମେରିକା ବାଧ୍ୟ କଲା

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଖରେ ବସାଇ ଟ୍ରମ୍ପ ଘୋଷଣା କଲେ ଯେ, ୨୦୨୫ ମସିହାଠାରୁ ଆମେରିକା ଭାରତକୁ କୋଟି କୋଟି ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଏବଂ ଏଫ୍‌-୩୫ ଯୁଦ୍ଧ ବିମାନ ବିକ୍ରି କରିବ ଏବଂ ଯୁଦ୍ଧାସ୍ତ୍ର ବିକ୍ରିର ପରିମାଣ କ୍ରମଶଃ ବଢିଚାଲିବ । ସବୁଠାରୁ ଉଲ୍ଲେଖଯୋଗ୍ୟ ହେଉଛି ଲକ୍ଷ ଲକ୍ଷ କୋଟି ଟଙ୍କା ଦରର ଏହି ଏଫ୍‌-୩୫ ଯୁଦ୍ଧ ବିମାନ ବିକ୍ରି କରିବାପାଇଁ ଘୋଷଣା କରିବା ପୂର୍ବରୁ ଏ ସଂପର୍କରେ ଭାରତ ସହିତ କୌଣସି ଔପଚାରିକ ଆଲୋଚନା କରିବାକୁ ମଧ୍ୟ ଟ୍ରମ୍ପ ଆବଶ୍ୟକ ମନେକଲେ ନାହିଁ । ଅର୍ଥାତ୍ ଏକତରଫା ଭାବରେ ଏହି ବିମାନ ଖରିଦ କରିବାପାଇଁ ଭାରତକୁ ବାଧ୍ୟ କରାଗଲା । ମାତ୍ର ୫୬ ଇଂଚ ଛାତି ବାଲା ମୋଦି ସାମାନ୍ୟ ପ୍ରତିବାଦ ନକରି ଏହାକୁ ସ୍ୱୀକାର କଲେ । ଏତିକିରେ କଥା ଶେଷ ହୋଇ ନାହିଁ ।
ମୋଦିଙ୍କୁ ପାଖରେ ବସାଇ ଟ୍ରମ୍ପ ଘୋଷଣା କରିଛନ୍ତି, ଭାରତକୁ ଆମେରିକା ନିକଟରୁ ବିପୁଳ ପରିମାଣର ଖଣିଜ-ତେଲ ଏବଂ ଗ୍ୟାସ ଆମଦାନୀ କରିବାକୁ ହେବ । ଅବଶ୍ୟ ଏହି ଘୋଷଣା ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଖରିଦ ଭଳି ଏକତରଫା ନୁହେଁ । ଟ୍ରମ୍ପ କହିଛନ୍ତି ଆମେରିକା ଯେ ଭାରତକୁ ସବୁଠାରୁ ଅଧିକ ଖଣିଜ ତେଲ ଏବଂ ଗ୍ୟାସ ଯୋଗାଣ କରିବ ସେ ବିଷୟରେ ଦୁଇଦେଶ ମଧ୍ୟରେ ସହମତି ପ୍ରତିଷ୍ଠା ହୋଇଛି । ତେଲ ଆମଦାନୀର ପରିମାଣ ବାର୍ଷିକ ୧୫ ବିଲିୟମ ଡଲାରରୁ ବୃଦ୍ଧିକରି ୨୫ ବିଲିୟନ୍ ଡଲାର କରାଯିବ ।
ଭାରତ ଓ ଆମେରିକା ମଧ୍ୟରେ ଗତବର୍ଷ ବାଣିଜ୍ୟର ପରିମାଣ ୧୨,୯୨୦କୋଟି ଡଲାର ଥିଲା । ଭାରତ ଆମେରିକାକୁ ୮୭୪୦ କୋଟି ଡଲାର ମୂଲ୍ୟର ପଣ୍ୟ ରପ୍ତାନୀ କରୁଛି । ଆମେରିକାରୁ ଭାରତକୁ ଆମଦାନୀ ହେଉଛି ୪୧୮୦ କୋଟି ଡଲାର ମୂଲ୍ୟ ପଣ୍ୟ । ଟ୍ରମ୍ପ ଘୋଷଣା କରିଛନ୍ତି ୨୦୩୦ ମସିହା ମଧ୍ୟରେ ଉଭୟ ଦେଶର ବାଣିଜ୍ୟ ପରିମାଣ ୫୦ ହଜାର କୋଟି ଡଲାରରେ ପହଂଚିବ । ଏହି ବିପୁଳ ପରିମାଣର ବାଣିଜ୍ୟରେ ଆମେରିକା ଯଦି ସମପରିମାଣର ପଣ୍ୟ ଭାରତକୁ ରପ୍ତାନୀ କରେ ତା’ହେଲେ ଭାରତୀୟ ବଜାର ଯେ ମାର୍କିନ ପଣ୍ୟରେ ଭର୍ତ୍ତି ହୋଇଯିବ ସେକଥା କାହାରିକୁ ବୁଝାଇ କହିବାର ଆବଶ୍ୟକତା ନାହିଁ ।
ଟ୍ରମ୍ପଙ୍କ ଚାପ ଆଗରେ ମୋଦି ନତ ମସ୍ତକ
ସ୍ୱାଭାବିକ ଭାବରେ ସମଗ୍ର ଦେଶର ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ବିପୁଳ ଅର୍ଥ ବ୍ୟୟକରି ଆମେରିକାରୁ ଏପର୍ଯ୍ୟନ୍ତ ଖରିଦ କରାଯାଉଥିବା ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ କ’ଣ ପ୍ରକୃତରେ ଭାରତର ନିରାପତ୍ତା ପାଇଁ ଆବଶ୍ୟକ? ଯେଉଁ ଦେଶ ବିଶ୍ୱ କ୍ଷୁଧା ସୂଚକରେ ୧୨୫ ଦେଶ ମଧ୍ୟରେ ୧୧୧ ତମ ସ୍ଥାନରେ ରହିଛି, ଯେଉଁ ଦେଶର ବ୍ୟାପକ ଅଂଚଳରେ ପାନୀୟ ଜଳ ସଂଗ୍ରହ ପାଇଁ ପରିବାରର ମହିଳାମାନଙ୍କୁ ଏବେ ବି ମାଇଲ ପରେ ମାଇଲ ପାଦରେ ଚାଲିବାକୁ ହୁଏ, ସ୍ୱଚ୍ଛ ପାନୀୟ ଜଳ ନପାଇ ଅସଂଖ୍ୟ ଲୋକ ଜଳବାହୀ ରୋଗର ଶୀକାର ହୁଅନ୍ତି, ହେପାଟାଇଟିସ୍‌ରେ ମୃତ୍ୟୁ ମୁଖରେ ପଡନ୍ତି, ଯେଉଁ ଦେଶର ସାଧାରଣ ରେଳ ଡବାରେ କୋଟି କୋଟି ଲୋକ ପଶୁଭଳି ଯାତାୟାତ କରନ୍ତି, ଯେଉଁ ଦେଶର ଶତକଡା ୫୦ଭାଗ ଗର୍ଭବତୀ ମହିଳା ଅପପୁଷ୍ଟିର ଶିକାର, ଶିଶୁମାନଙ୍କର ଏକ ବଡ ଅଂଶ କମ୍ ଉଚ୍ଚତା ଓ କମ୍ ଓଜନର ହୁଅନ୍ତି, ଯେଉଁ ଦେଶର ସ୍ୱାସ୍ଥ୍ୟସେବାର କରୁଣ ଅବସ୍ଥାକୁ କରୋନା ମହାମାରୀ ଆଖିରେ ଆଙ୍ଗୁଳି ଦେଇ ଦେଖାଇ ଦେଇଛି, ସେହି ଦେଶରେ କାହାର ନିରାପତ୍ତା କଥା ଚିନ୍ତାକରି ଏହି ଧରଣର ବିରାଟ ଯୁଦ୍ଧ ଆୟୋଜନ କରାଯାଉଛି? ଲକ୍ଷ ଲକ୍ଷ କୋଟି ଡଲାର ଖର୍ଚ୍ଚକରି ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଖରିଦ କରାଯାଉଛି? ଏକଥା ବୁଝିବାରେ ଅସୁବିଧା ନାହିଁ ଯେ ଦେଶର ସଂଖ୍ୟାଗରିଷ୍ଠ ସାଧାରଣ ଲୋକଙ୍କ ତଣ୍ଟିଚିପି ଆଦାୟ କରାଯାଉଥିବା କର ଖଜଣା ଟଙ୍କା ଖର୍ଚ୍ଚକରି ଏହି ବିରାଟ ଅସ୍ତ୍ରସମ୍ଭାର ଖରିଦ କରିବାର ଅସଲ ଉଦ୍ଦେଶ୍ୟ ହେଉଛି ମାର୍କିନ ଯୁଦ୍ଧ ଅର୍ଥନୀତିକୁ ଚାଙ୍ଗା ରଖିବାପାଇଁ ମାର୍କିନ ଉଦ୍ୟମ ନିକଟରେ ନତି ସ୍ୱୀକାର କରିବା ସରକାରଙ୍କ ବୈଦେଶିକ ବାଣିଜ୍ୟ କ୍ଷେତ୍ରରେ ଭାରତ ସରକାରଙ୍କର ଆମେରିକା ଉପରେ ସବୁଠାରୁ ଅଧିକ ନିର୍ଭରଶୀଳତା ମଧ୍ୟ ଏଭଳି କରିବାପାଇଁ ଭାରତ ସରକାରଙ୍କୁ କିଛିଟା ବାଧ୍ୟ କରିଛି ।
ଏହା ବ୍ୟତୀତ ଇସ୍ରାଏଲ ଓ ୟୁକ୍ରେନକୁ ଯୁଦ୍ଧ ସମୟରେ ଭାରତ ଯେଉଁ ବିପୁଳ ପରିମାଣର ଯୁଦ୍ଧାସ୍ତ୍ର ରପ୍ତାନୀ କରିଛି ତାହା ଆମେରିକାର ଅନୁମୋଦନରେ ହିଁ କରାଯାଇଛି । ଦେଶୀୟ ପୁଞ୍ଜିପତିମାନଙ୍କର ଏହି ସ୍ୱାର୍ଥ ବିଷୟ ସ୍ମରଣ ରଖି ହିଁ କେନ୍ଦ୍ର ବିଜେପି ସରକାର ପ୍ୟାଲେଷ୍ଟାଇନର ସ୍ୱାଧୀନତାର ଦାବିକୁ ସମର୍ଥନ କରିବାର ଭାରତର ଦୀର୍ଘ ଦିନର ଐତିହ୍ୟକୁ ଉଲଂଘନକରି ଗାଜା ଉପରେ ଇସ୍ରାଏଲର ପୈଶାଚିକ ଆକ୍ରମଣକୁ ସମର୍ଥନ କରିଛି ।
ଋଷିଆର ଶସ୍ତା ତେଲ ନୁହେଁ,
ଆମେରିକାର ଦାମୀ ତେଲ କିଣିବାକୁ ହେବ

ତେଲ ଆମଦାନୀ କ୍ଷେତ୍ରରେ ମୋଦି ଟ୍ରମ୍ପ ଯେତେ ଏକମତ ହୁଅନ୍ତୁ, ଏହାଫଳରେ ଭାରତର ସାଧାରଣ କରଦାତାଠାରୁ ଆଦାୟ କରାଯାଉଥିବା ରାଜସ୍ୱ ଲୁଟ୍ ହେବ ଏବଂ ଚଢାଦରରେ ପେଟ୍ରୋଲ ଡିଜେଲ ଖରିଦ କରିବାକୁ ଦେଶର ଲୋକ ବାଧ୍ୟ ହେବେ । ଭାରତକୁ ତାର ତେଲ ଆବଶ୍ୟକତାର ଶତକଡା ୮୫ଭାଗ ଆମଦାନୀ କରୁବାକୁ ହୁଏ । ୟୁକ୍ରେନ ଯୁଦ୍ଧର ପୂର୍ବ ପର୍ଯ୍ୟନ୍ତ ଭାରତ ମୁଖ୍ୟତଃ ଇରାକ ଓ ସାଉଦି ଆରବରୁ କଂଚା ତେଲ ଆମଦାନୀ କରୁଥିଲା । ଋଷିଆରୁ ଆବଶ୍ୟକତାର ମାତ୍ର ୦.୨ ଶତାଂଶ ଆମଦାନୀ କରାଯାଉଥିଲା । ୨୦୨୨ ଫେବୃୟାରୀ ମାସରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ଋଷିଆଠାରୁ ତେଲ ନ କିଣିବାପାଇଁ ଆମେରିକା ୟୁରୋପୀୟ ଦେଶଗୁଡିକ ଉପରେ ନିଷେଧାଦେଶ ଜାରୀ କରିଥିଲା । ଏହି ପରିସ୍ଥିତିରେ ଆନ୍ତର୍ଜାତୀୟ ବଜାର ଦରଠାରୁ ଯଥେଷ୍ଟ କମ୍ ଦରରେ ତେଲ ବିକ୍ରି କରିବାପାଇଁ ଋଷିଆ ଭାରତକୁ ପ୍ରସ୍ତାବ ଦେଇଥିଲା । ଆନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ଦାମ ୧୪୦ ଡଲାରରେ ପହଂଚିବା ପରେ ମଧ୍ୟ ଋଷିଆ ଭାରତୀୟ ତେଲ କମ୍ପାନୀଗୁଡିକୁ ବ୍ୟାରେଲ ପିଛା ମାତ୍ର ୪୦ ଡଲାରରେ ଏପରିକି ଏହାଠାରୁ ମଧ୍ୟ କମ୍ ଦରରେ ତେଲ ବିକ୍ରି କରିବାକୁ ସମ୍ମତି ଦେଇଥିଲା । ବର୍ତ୍ତମାନ ଭାରତର ମୋଟ ଆବଶ୍ୟକତାର ଶତକଡା ୫୦ଭାଗରୁ ଅଧିକ ତେଲ ଋଷିଆରୁ ଆମଦାନୀ ହେଉଛି । ଅନ୍ୟପଟରେ ଆମେରିକାରୁ ତେଲ ଆମଦାନୀ ହ୍ରାସ ପାଇ ଭାରତର ମୋଟ ଆବଶ୍ୟକତାର ଶତକଡା ୩.୪ ଭାଗରେ ପହଂଚିଛି । ସ୍ୱାଭାବିକ ଭାବରେ ଟ୍ରମ୍ପଙ୍କ ପଂତୁଆ ମାନିବାକୁ ଗଲେ ଋଷିଆର ଶସ୍ତା ତେଲ ଆମଦାନୀ ବନ୍ଦ କରି ଆମେରିକାର ଦାମୀ ତେଲ ଭାରତ ସରକାରଙ୍କୁ ଖରିଦ କରିବାକୁ ହେବ । ଭାରତରୁ ଆମେରିକାର ଦୂରତ୍ୱ ଯୋଗୁ ତେଲ ଆମଦାନୀ ପାଇଁ ପରିବହନ ଖର୍ଚ୍ଚ ମଧ୍ୟ ଯଥେଷ୍ଟା ଅଧିକ ହେବ । ସେହି ଆଳରେ ସରକାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି କରିବାର ଆଶଂକା ସୃଷ୍ଟି ହେବା ସ୍ୱାଭାବିକ । ଏହାଫଳରେ ମାର୍କିନ ତେଲ କମ୍ପାନୀମାନଙ୍କର ବିପୁଳ ମୁନାଫା ହେବ ମାତ୍ର ଏହାର ବୋଝ ଭାରତର ସାଧାରଣ ଲୋକଙ୍କୁ ବୋହିବାକୁ ହେବ ।
ପରମାଣୁ ଦୁର୍ଘଟଣାରେ ମାର୍କିନ କମ୍ପାନୀ ଗୁଡିକରେ କୌଣସି ଦାୟଦାୟିତ୍ୱ ରହିବ ନାହିଁ
ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଇଁ ଭାରତ ସରକାର ପରମାଣୁ ବିଦ୍ୟୁତ କ୍ଷେତ୍ରରେ ଦୁର୍ଘଟଣାର ଦାୟଦାୟିତ୍ୱ ସଂକ୍ରାନ୍ତ ଆଇନକୁ ଶିଥିଳ କରିବାକୁ ସମ୍ମତ ହୋଇଛନ୍ତି । ଟ୍ରମ୍ପ ଘୋଷଣା କରିଛନ୍ତି, ଏହା ଫଳରେ ଆମେରିକାର ସଂସ୍ଥାଗୁଡିକ ଭାରତକୁ ପରମାଣୁ ବିଦ୍ୟୁତ ରିଆକ୍ଟର ଯୋଗାଇବ । ଏଠାରେ ପ୍ରଶ୍ନ ଉଠୁଛି, କାହାର ସ୍ୱାର୍ଥରକ୍ଷା କରିବାପାଇଁ ମୋଦି ସରକାର ପରମାଣୁ ରିଆକ୍ଟରରେ ଦୁର୍ଘଟଣା ସଂକ୍ରାନ୍ତ ଆଇନ ଶିଥିଳ କରୁଛି? ନିଶ୍ଚିତ ଭାବରେ ଭାରତର ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଏହା କରାଯାଉନାହିଁ । ବର୍ତ୍ତମାନ କୌଣସି ପରମାଣୁ ବିଦ୍ୟୁତ ରିଆକ୍ଟରରେ ଦୁର୍ଘଟଣା ଘଟିଲେ ଏହାକୁ ପ୍ରତିଷ୍ଠା କରିଥିବା ମାର୍କିନ କମ୍ପାନୀଗୁଡିକ ତାର ଦାୟଦାୟିତ୍ୱ ବହନ କରିବେ ନାହିଁ । ତା’ହେଲେ ସେହି ଦାୟଦାୟିତ୍ୱ କାହାର?
ଦ୍ୱିପାକ୍ଷିକ ସଂପର୍କ କ୍ଷେତ୍ରରେ ଆମେରିକା
ହିଁ ସବୁକିଛି ନିଷ୍ପତ୍ତି କରିବ

ଟ୍ରମ୍ପଙ୍କ ସହିତ ମୋଦିଙ୍କର ସଂପର୍କକୁ ନେଇ ଦେଶରେ ବ୍ୟାପକ ପ୍ରଚାର ଆମେ ଶୁଣିବାକୁ ପାଇଛୁ । ପ୍ରଚାର ଶୁଣି ମନେ ହେଉଥିଲା ମୋଦି ଅଛନ୍ତି ମାନେ ଯେକୌଣସି ପରିସ୍ଥିତିରେ ଭାରତର ସ୍ୱାର୍ଥ ସୁରକ୍ଷିତ ରହିବ । ମୋଦି ହେ ତୋ ମୁମ୍‌କିନ୍ ହେ । ଏଥର ମଧ୍ୟ ଭାରତ-ଆମେରିକା ବୈଠକର ସାଫଲ୍ୟ ପ୍ରମାଣ କରିବାପାଇଁ ସରକାରଙ୍କର ଗୋଡାଣିଆ ଗଣମାଧ୍ୟମ ବ୍ୟାପକ ପ୍ରଚାର ଚଳାଇଛି । ମାତ୍ର ଏହି ପ୍ରଚାର ଦ୍ୱାରା ସତ୍ୟକୁ ଲୁଚାଇ ଦିଆଯାଇ ପାରିନାହିଁ । ସତ୍ୟଟି ହେଉଛି ଟ୍ରମ୍ପ ଯାହା କରିବାକୁ ଚାହିଁଥିଲେ ସେଥିରେ ସେ ପୁରାପୁରି ସଫଳ ହୋଇଛନ୍ତି । ବୈଠକ ପରେ ମୋଦିଙ୍କ ନାମ ଉଲ୍ଲେଖ କରି ଟ୍ରମ୍ପ ଘୋଷଣା କରିଛନ୍ତି ‘ଆପଣ ଯେଉଁ ହାରରେ ଶୁଳ୍କ ଲାଗୁ କରିବେ ମୁଁ ମଧ୍ୟ ସେହି ହାରରେ ଶୁଳ୍କ ଲାଗୁ କରିବି । ଏ ପ୍ରସଙ୍ଗରେ ମୋ ସହିତ କେହି ତର୍କ କରିପାରିବେ ନାହିଁ ।’ ପୁଞ୍ଜିବାଦୀ ରାଷ୍ଟ୍ରନାୟକମାନଙ୍କର ନିକଟରେ ପୁଞ୍ଜିପତି ଶ୍ରେଣୀର ସ୍ୱାର୍ଥଠାରୁ କୌଣସି ବ୍ୟକ୍ତିଗତ ବନ୍ଧୁତ୍ୱ ଯେ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ, ମୋଦି ଭକ୍ତମାନେ ଯେତେ ଶୀଘ୍ର ଏହି ସତ୍ୟଟିକୁ ବୁଝିପାରିବେ ଦେଶପାଇଁ ସେତେ ମଙ୍ଗଳ ।
ମୋଦିଙ୍କୁ ମହାମାନବ ବନାଇବାପାଇଁ ଯେତେ ଉଦ୍ୟମ ହେଲେ ମଧ୍ୟ ଏବଂ ଏହାଫଳରେ ହୁଏତ ବିଜେପି ଭୋଟରେ ସୁବିଧା ହାସଲ କଲେ ମଧ୍ୟ ତାଙ୍କ ପ୍ରତି ଟ୍ରମ୍ପଙ୍କର ବ୍ୟବହାରରୁ ଆମେରିକା ତୁଳନାରେ ଭାରତର ସ୍ଥିତି କେଉଁଠି ତାହା ସ୍ପଷ୍ଟ ହୋଇଯାଇଛି । ଅନ୍ୟଦିଗରେ ଏହା ସ୍ପଷ୍ଟ ହୋଇଛି ଯେ ମାର୍କିନ ଅର୍ଥନୀତି ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ହେଲେ ମଧ୍ୟ ଏହା ସଂକଟ ଜର୍ଜରିତ । ସେହି ସଂକଟରୁ ଦେଶର ଅର୍ଥନୀତିକୁ ଉଦ୍ଧାର କରିବାର ପ୍ରତିଶୃତି ଦେଇ ହିଁ ଟ୍ରମ୍ପ ଆମେରିକା ଲୋକଙ୍କର ସମର୍ଥନ ହାସଲ କରିଛନ୍ତି ଏବଂ ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହୋଇଛନ୍ତି । ଭାରତୀୟ ପଣ୍ୟ ଉପରେ ଅଧିକ ଶୁଳ୍କ ଆଦାୟ କରିବା ପାଇଁ ତାଙ୍କର ନିଷ୍ପତ୍ତି ଟ୍ରମ୍ପଙ୍କର ଭାରତ ବିଦ୍ୱେଷ ପାଇଁ ନୁହେଁ, ଏହା ଟ୍ରମ୍ପଙ୍କ ପାଇଁ ବାଧ୍ୟବାଧକତା, ମାର୍କିନ ଅର୍ଥନୈତିକ ସଂକଟର ପରିଣାମ । ସେଥିପାଇଁ କେବଳ ଭାରତ ନୁହେଁ, ୟୁରୋପ ଏବଂ ସମସ୍ତ ରାଷ୍ଟ୍ରରୁ ଆମଦାନୀ ହେଉଥିବା ପଣ୍ୟ ଉପରେ ଏକାଧରଣର ଶୁଳ୍କ ଲାଗୁ କରିବା ପାଇଁ ଟ୍ରମ୍ପ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ
ମାନଙ୍କର ଅମର୍ଯ୍ୟାଦାର ପ୍ରତିବାଦ କଲେ ନାହିଁ

ଆମେରିକାରେ କାମକରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଦଳ ଦଳ କରି ଅତ୍ୟନ୍ତ ଅମର୍ଯ୍ୟାଦାକର ଭାବରେ ହାତ, ଗୋଡ, ଅଣ୍ଟା ଓ ବେକରେ ଶିକୁଳି ବାନ୍ଧି ମାଲବାହୀ ଯୁଦ୍ଧ ବିମାନରେ ଭାରତକୁ ପଠାଇ ଟ୍ରମ୍ପ ସରକାର ମାନବତାର ଅବମାନନା କରିଛି । ମାତ୍ର ଟ୍ରମ୍ପଙ୍କ ସହିତ ସାକ୍ଷାତ ସମୟରେ ମୋଦି ଏହାର ପ୍ରତିବାଦ କରିବାର ସାହାସ ଯୁଟାଇ ପାରିଲେ ନାହିଁ । ଏହି ଅପମାନ ଦେଶର ଜନସାଧାରଣଙ୍କୁ ପ୍ରବଳ ଭାବରେ ଆଲୋଡିତ କରୁଛି । ଏହି ପ୍ରବାସୀ ଭାରତୀୟ ମାନେ ଅପରାଧୀ ନୁହଁନ୍ତି । ସେମାନଙ୍କୁ କାହିଁକି ସମ୍ମାନର ସହିତ ଦେଶକୁ ଫେରାଇ ଅଣାଗଲା ନାହିଁ? ପ୍ରବାସୀ ବୋଲି ସେମାନଙ୍କ ସହିତ ପଶୁତୁଲ୍ୟ ବ୍ୟବହାର କରାଯିବ? ଆମେରିକାର ଏହି ଧରଣର ବର୍ବର କାର୍ଯ୍ୟର ପ୍ରତିବାଦ କରିନଥିବା ମୋଦି କେଉଁ ଭାରତର ପ୍ରତିନିଧିତ୍ୱ କରୁଥିଲେ? ସେ ଯଦି ଭାରତର ଜନସାଧାରଣଙ୍କର ପ୍ରତିନିଧିତ୍ୱ କରୁଥାନ୍ତି ତା’ହେଲେ ସେହି ସାଧାରଣ ଲୋକଙ୍କ ମର୍ଯ୍ୟଦା ରକ୍ଷା କରିବା କଣ ତାଙ୍କର ଦାୟିତ୍ୱ ନଥିଲା? ସେ ଯେ ସେହି ମର୍ଯ୍ୟାଦା ରକ୍ଷା କରିନାହାନ୍ତି କେବଳ ସେତିକି ନୁହେଁ ସମଗ୍ର ବିଶ୍ୱରେ ଭାରତର ଶ୍ରମଜୀବୀ ମଣିଷଙ୍କ ମର୍ଯ୍ୟାଦାକୁ ପଦଦଳିତ କରିଛନ୍ତି । ପ୍ରତିବାଦ କରିବା ପରିବର୍ତ୍ତେ ମୋଦି ଟ୍ରମ୍ପଙ୍କ ସ୍ୱରରେ ସ୍ୱର ମିଶାଇ କହିଲେ ଅନ୍ୟଦେଶରେ ବେଆଇନ ଭାବରେ ରହିବାର ଅଧିକାର କାହାରି ନାହିଁ । ଏଥିପାଇଁ ସେ ମାନବ ଚାଲାଣକାରୀ ଦୁଷ୍ଟ ଚକ୍ର ଉପରେ ସମସ୍ତ ଦୋଷ ଦେଇ ନିଜେ ନିଜକୁ ଦୋଷମୁକ୍ତ କରିବାକୁ ଉଦ୍ୟମ କଲେ । ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଲେ ଏଥିରେ କିଛି ନୂତନତ୍ୱ ନାହିଁ । ଅର୍ଥାତ୍ ଟ୍ରମ୍ପ ପ୍ରଶାସନର ଏହି ଧରଣର ଅପରାଧୀ ସୁଲଭ ଆଚରଣରେ ସେ କିଛି ଅନ୍ୟାୟ ଦେଖିବାକୁ ପାଇଲେ ନାହିଁ । ମାତ୍ର ଏକଥା କିଏ ଜାଣିନାହିଁ ଯେ ଦେଶରେ ଯଦି ଯୁବକ ଯୁବତୀମାନଙ୍କ ପାଇଁ ଉପଯୁକ୍ତ କାମ ମିଳନ୍ତା ତା’ହେଲେ ଘରବାଡି ବିକ୍ରିକରି, ନିଜ ଜୀବନକୁ ବିପନ୍ନ କରି, ଯୁବକମାନେ କାମର ସନ୍ଧାନରେ ଅନ୍ୟ ଦେଶରେ ବେଆଇନ ଭାବରେ ପ୍ରବେଶ କରନ୍ତେ ନାହିଁ । ଦଲାଲ ମାନଙ୍କୁ ମଧ୍ୟ ଏହିଭଳି ସୁଯୋଗ ମିଳନ୍ତା ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଅନାୟାସରେ ଟ୍ରମ୍ପଙ୍କୁ କହିପାରିଥାନ୍ତେ ଯେ ଏହି ତଥାକଥିତ ବେଆଇନ ପ୍ରବାସୀ ମାନେ ମାର୍କିନ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରନ୍ତି । ଆମେରିକାର ନିର୍ମାଣ ଶିଳ୍ପରେ, କୃଷି କ୍ଷେତ୍ରରେ, ରେସ୍ତୋରାଂଗୁଡିକରେ ଭାରତ ସହ ଅନ୍ୟାନ୍ୟ ଦେଶରୁ ଆସିଥିବା ଏହି ତଥାକଥିତ ବେଆଇନ ଅନୁପ୍ରବେଶକାରୀ ମାନଙ୍କୁ ମାର୍କିନ ବ୍ୟବସାୟୀମାନେ ଶସ୍ତା ଶ୍ରମିକ ଭାବରେ ବ୍ୟବହାର କରନ୍ତି । ସେଥିପାଇଁ ସେମାନଙ୍କ ସହିତ ଅନ୍ତତଃ ମଣିଷ ଭଳି ବ୍ୟବହାର କରିବା ଆବଶ୍ୟକ ଥିଲା । ପୁଞ୍ଜିପତି ଶ୍ରେଣୀର ସେବା କରି କରି ପ୍ରଧାନମନ୍ତ୍ରୀ କ’ଣ ଭୁଲି ଯାଇଛନ୍ତି ଯେ ଦେଶର ସାଧାରଣ ଲୋକଙ୍କ ମର୍ଯ୍ୟାଦା ରକ୍ଷା କରିବା ମଧ୍ୟ ପ୍ରଧାନମନ୍ତ୍ରୀ ହିସାବରେ, ତାଙ୍କର ଦାୟିତ୍ୱ?
କଲମ୍ବିଆ, ମେକ୍ସିକୋ ଯାହା କରିପାରିଲେ ମୋଦି ତାହା କରିପାରିଲେ ନାହିଁ
ଏହି ପ୍ରସଙ୍ଗରେ ଆଉ ଗୋଟିଏ କଥା ଉଲ୍ଲେଖ କରିବା ଆବଶ୍ୟକ । କଲମ୍ବିଆ ଭାରତଠାରୁ ଅନେକ ଛୋଟ ଦେଶ । ତା’ ସତ୍ତ୍ୱେ ମଧ୍ୟ ସେ ଦେଶର ନାଗରିକ ମାନଙ୍କ ସହିତ ମାର୍କିନ ପ୍ରଶାସନର ଏହି ଧରଣର ଅପମାନଜନକ ଆଚରଣକୁ ଏହି ଦେଶ ସ୍ୱୀକାର କରିନାହିଁ । ଏହି ଧରଣର ଆଚରଣର ପ୍ରତିବାଦରେ ପ୍ରବାସୀମାନଙ୍କୁ ନେଇ ଯାଇଥିବା ମାର୍କିନ ବିମାନକୁ ଦେଶର ମାଟିରେ ଓହ୍ଲାଇବାକୁ ଦେଇ ନାହିଁ । କଲମ୍ବିଆ ସରକାର ନିଜ ଦେଶର ବିମାନ ପଠାଇ ନିଜର ନାଗରିକ ମାନଙ୍କୁ ସସମ୍ମାନେ ଦେଶକୁ ନେଇଛନ୍ତି । ପ୍ରବାସୀମାନେ ବିମାନ ବନ୍ଦରରେ ପହଂଚିବା ସମୟରେ ଦେଶର ରାଷ୍ଟ୍ରପତି ବିମାନ ବନ୍ଦରରେ ପହଂଚି ସେମାନଙ୍କୁ ସ୍ୱାଗତ କରିଛନ୍ତି । ଆମେରିକାର ପଡୋଶୀ ଦେଶ ମେକ୍ସିକୋ । ଏହି ଦେଶ ଦେଇ ସବୁଠାରୁ ଅଧିକ ସଂଖ୍ୟକ ପ୍ରବାସୀ ଆମେରିକାରେ ବେଆଇନ ଭାବରେ ଅନୁପ୍ରବେଶ କରନ୍ତି ବୋଲି ଅଭିଯୋଗ ହୁଏ । ମାତ୍ର ମେକ୍ସିକୋର ରାଷ୍ଟ୍ରପତି ମଧ୍ୟ ଆମେରିକାରେ ବେଆଇନ ଭାବରେ ପ୍ରବେଶ କରିଛନ୍ତି ବୋଲି ଅଭିଯୋଗ କରାଯାଉଥିବା ନିଜ ଦେଶର ନାଗରିକ ମାନଙ୍କୁ ସସମ୍ମାନେ ଫେରାଇ ଆଣିଛନ୍ତି । ତେବେ କଲମ୍ବିଆ ଓ ମେକ୍ସିକୋ ରାଷ୍ଟ୍ରପତିଙ୍କ ଛାତିର ମାପ କାହାରିକୁ ଜଣାନାହିଁ!

Leave a Reply

Your email address will not be published. Required fields are marked *