ଗାଜା ଉପରେ ଇସ୍ରାଏଲର ବର୍ବର ଆକ୍ରମଣ ବିରୁଦ୍ଧରେ ଅନୁଗୁଳରେ ପ୍ରତିବାଦ ସଭା
SK Dated 08.04.2025 – ପାଲେଷ୍ଟାଇନର ଗାଜା ଷ୍ଟ୍ରିପ୍ ଉପରେ ସାମ୍ରାଜ୍ୟବାଦୀ ଇସ୍ରାଏଲ ଯୁଦ୍ଧଖୋର ଆମେରିକାର ପ୍ରତ୍ୟକ୍ଷ ସାହାଯ୍ୟରେ ଯେଉଁ ବର୍ବର ଆକ୍ରମଣ କରି ନରସଂହାର ଭିଆଇ ଚାଲିଛି ତାର ପ୍ରତିବାଦରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) କେନ୍ଦ୍ରୀୟ କମିଟି ଆହ୍ୱାନରେ ଦେଶବ୍ୟାପୀ ପ୍ରତିବାଦ ଉପଲକ୍ଷେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ରାଜାଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ରାଜ୍ୟ କମିଟି ସଭ୍ୟ ପ୍ରହ୍ଲାଦ ଚନ୍ଦ୍ର ସାହୁ, ଜିଲ୍ଲା କମିଟି ସଭ୍ୟ ତୀର୍ଥବାସୀ ଭୋଇ, ମାନସ ପାଳ, ମନ୍ଦୋଦରୀ ରାଉଳ ବକ୍ତବ୍ୟ ପ୍ରଦାନ କରି ଗାଜା ଉପରେ ସାମ୍ରାଜ୍ୟବାଦୀ ଇସ୍ରାଏଲ ଯେଉଁ ବର୍ବର ନରସଂହାର ଘଟାଇଚାଲିଛି ତାର ଦୃଢ଼ ନିନ୍ଦା କରିବା ସଙ୍ଗେ ସଙ୍ଗେ ଯୁଦ୍ଧ ବିରୁଦ୍ଧରେ ଶାନ୍ତିକାମୀ ଜନସାଧାରଣ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ବିଜେପି ସରକାର ଏଲ୍.ପି.ଜି. ସିଲିଣ୍ଡର ପ୍ରତି ୫୦ଟଙ୍କା ଦର ବୃଦ୍ଧିକୁ ଜନସାଧାରଣ ଦୃଢ ବିରୋଧ କରିବା ପାଇଁ ମଧ୍ୟ ଏହି ସଭାରେ ଆହ୍ୱାନ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ କମିଟି ସଭ୍ୟ ଜୟସେନ ମେହେର, ବ୍ରଜବନ୍ଧୁ ସାହୁ, ଜିଲ୍ଲା କମିଟି ସଭ୍ୟ ସୁବାସ ପ୍ରଧାନ, ରଣଜିତ ପ୍ରଧାନ, କୈଳାସ ଚନ୍ଦ୍ର ସାହୁ, ସଞ୍ଜୟ ସାହୁ, ସରୋଜିନୀ ନାୟକ ଏହି ପ୍ରତିବାଦ ସଭାରେ ଅଂଶଗ୍ରହଣ କରିଥିଲେ ।