ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁରେ ଆଜି ଏସ୍ୟୁସିଆଇ(ସି) ପକ୍ଷରୁ ରାଜ୍ୟବ୍ୟାପୀ ଶୋକ ଦିବସ, ୧୭ ଜୁଲାଇ ସାରା ଓଡିଶା ବନ୍ଦ
SK Dated 15.07.2025 –
ଭୁବନେଶ୍ୱର ତା ୧୫.୦୭.୨୦୨୫ – ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଛାତ୍ରୀ ତଥା ଜଣେ ପ୍ରଶିକ୍ଷିତ ସେଲ୍ଫ ଡିଫେନ୍ସ ମାଷ୍ଟର ଟ୍ରେନରଙ୍କର ଗତ ୧୨ ତାରିଖ ଦିନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଫିସ୍ ସମ୍ମୁଖରେ ସ୍ପଷ୍ଟ ଦିବାଲୋକରେ ଆତ୍ମହତ୍ୟା ଉଦ୍ୟମ କରିବା ଓ ପରେ ମୃତ୍ୟୁବରଣ କରିବା ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ମୃତ ଛାତ୍ରୀର ସ୍ମୃତିରେ ଆଜି ଏସ୍ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ରାଜ୍ୟବ୍ୟାପୀ ଶୋକ ଦିବସ ପାଳନ, କଳାବ୍ୟାଚ୍ ପରିଧାନ, ବିଭିନ୍ନ ସ୍ଥାନରେ ମୃତ ଛାତ୍ରୀଙ୍କ ସ୍ମୃୁତିସ୍ତମ୍ଭରେ ମାଲ୍ୟାର୍ପଣ, କ୍ୟାଣ୍ଡେଲ ଶୋଭାଯାତ୍ରା ଆଦି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଏବଂ ୧୭ଜୁଲାଇ ସାରା ଓଡିଶା ବନ୍ଦକୁ ସଫଳ କରିବାକୁ ରାଜ୍ୟର ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି ।
ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକଙ୍କ ଦ୍ୱାରା ମାନସିକ ନିର୍ଯ୍ୟାତନା, ଅପମାନ, ଅଶାଳୀନ ମନ୍ତବ୍ୟ, ଯୌନ ନିର୍ଯ୍ୟାତନା ଓ ଏକାଡେମୀକ ହାରାସମେଣ୍ଟର ଶିକାର ହୋଇଥିବା ଏହି ଛାତ୍ରୀ ଜଣକ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବା ପୂର୍ବରୁ ନ୍ୟାୟ ପାଇବା ଆଶାରେ କଲେଜ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ସରକାରୀ ଓ ପ୍ରଶାସନିକ ସମସ୍ତ ସ୍ତରରେ ଦୀର୍ଘ ଆଠ ମାସ ଧରି ଆପ୍ରାଣ ଚେଷ୍ଟାକରି ବିଫଳ ହେବା ଓ ଅପମାନିତ ହେବା ଘଟଣା ମଧ୍ୟ ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିଛି । ଆଜି ଭୁବନେଶ୍ୱରର ଲୋହିଆ ଭବନ ଠାରେ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଉକ୍ତ ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି । ଏହି ମର୍ମାନ୍ତିକ ଘଟଣାର ପ୍ରତିବାଦରେ ଦଳ ପକ୍ଷରୁ ଗତ ୧୪ତାରିଖ ଦିନ ସାରା ଓଡିଶା ପ୍ରତିବାଦ ଦିବସ ପାଳିତ ହୋଇଛି ଓ ସ୍ତରେ ସ୍ତରେ ଶକ୍ତିଶାଳୀ ଆନ୍ଦୋଳନ ଗଢ଼ି ତୋଳିବାକୁ ନିଷ୍ପତ୍ତି ନିଆଯାଇଛି ।
ଦଳର ରାଜ୍ୟ ସମ୍ପାଦକ ଶଙ୍କର ଦାସଗୁପ୍ତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭରସହ କହିଛନ୍ତି କି ଦୀର୍ଘ ୮ମାସ ଧରି ବିଭାଗର ମୁଖ୍ୟଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ଓ ଏକାଡେମୀକ ହାରାସମେଣ୍ଟର ଶିକାର ହୋଇଥିବା ଛାତ୍ରୀ ଜଣକ ନ୍ୟାୟ ପାଇଁ ସମସ୍ତ ସ୍ତରରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି । ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ସରକାର ଓ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରି ଗଣ ମାଧ୍ୟମ ସମ୍ମୁଖରେ ନିଜର ନିର୍ଯ୍ୟାତନାର କରୁଣ କାହାଣୀ ସ୍ପଷ୍ଟଭାବେ ବର୍ଣ୍ଣନା କରିଛନ୍ତି । ଏପରିକି ଇତି ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବଞ୍ôଚଯାଇଥିବାର କଥା ମଧ୍ୟ କହିଛନ୍ତି । ଏହାପରେ ଜୁନ୍ ୩୦ତାରିଖରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଜୁଲାଇ ୧ତାରିଖ ଦିନ ‘x’ ରେ ନିର୍ଯ୍ୟାତନାର ସମସ୍ତ ତଥ୍ୟ ଦେଇ ଓଡିଶାର ଉଚ୍ଚଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରଶିକ୍ଷାମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ବାଲେଶ୍ୱର ଜିଲ୍ଲାପାଳ, ବାଲେଶ୍ୱର ବିଧାୟକ, ଜାତୀୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ ଦାୟର କରିଛନ୍ତି । ବାଲେଶ୍ୱର ସାଂସଦଙ୍କୁ ମଧ୍ୟ ସାକ୍ଷାତ କରି ଦୁଃଖ ଜଣାଇଛନ୍ତି । ମାତ୍ର ସବୁଠାରୁ ନିରାଶ ହୋଇ ଶେଷରେ ଜୁଲାଇ ୧୨ ତାରିଖ ଦିନ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବାକୁ ଯାଇ ତାଙ୍କ ଠାରୁ ଅପମାନିତ ହେବାପରେ ଏଭଳି ଚରମ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଛନ୍ତି । ଶାସକ ବିଜେପି ଦଳ ଓ ବିଜେପି ସରକାର ଦ୍ୱାରା ପରିଚାଳିତ ପୋଲିସ ପ୍ରଶାସନ ସମ୍ପୃକ୍ତ ଅଭିଯୁକ୍ତ ଅଧ୍ୟାପକଙ୍କୁ ଘଣ୍ଟ ଘୋଡାଇବା ପାଇଁ କରିଥିବା ପ୍ରଚେଷ୍ଟା ମଧ୍ୟ ପ୍ରମାଣିତ ହୋଇଛି । ସମ୍ପୃକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କର ବିଜେପି ଓ ଏହାର ଛାତ୍ର ସଂଗଠନ ଏ.ବି.ଭି.ପି. ସହିତ ସମ୍ପର୍କ ମଧ୍ୟ ଲୋକଲୋଚନକୁ ଆସିଛି । ଆଜି ଜନରୋଷ ଓ ଜନଆନ୍ଦୋଳନ ଚାପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ ଓ ପରେ ସସ୍ପେଣ୍ଡ ହୋଇଥିବା ଅଧ୍ୟକ୍ଷକଙ୍କୁ ଗିରଫ କରାଯାଇଥିଲେ ବି ଏହି ଜଘନ୍ୟ ଘଟଣାରେ ଦାୟୀ ଶାସକ ଦଳର ନେତା, ମନ୍ତ୍ରୀ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀମାନଙ୍କୁ ଖସାଇ ଦେବାପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରହିଛି । ଏହି ପରିସ୍ଥିତିରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ନିମ୍ନଲିଖିତ ଦାବିରେ ୧୭ଜୁଲାଇ ସାରା ଓଡିଶା ବନ୍ଦକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ମଣ୍ଡଳି ସଦସ୍ୟ ବିଷ୍ଣୁ ଦାସ, ବିଶ୍ୱାବସୁ ଦାସ, ସ୍ୱଂୟପ୍ରଭା ନାୟକ, ରାଜ୍ୟ କମିଟି ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମ୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ଦାବି –
୧) ମୃତ ଛାତ୍ରୀଙ୍କ ପରିବାରକୁ ୧କୋଟି ଟଙ୍କା ସହାୟତା ଦେବା ।
୨) ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଏହାର ରିପୋର୍ଟ ୭ଦିନ ମଧ୍ୟରେ ସର୍ବସାଧାରଣରେ ପ୍ରକାଶ କରିବା ।
୩) ସମ୍ପୃକ୍ତ ସମସ୍ତ ଅପରାଧୀ ତଥା ଦୀର୍ଘମାସ ଧରି ପୀଡିତା ଛାତ୍ରୀଙ୍କ ଯୌନ ନିର୍ଯ୍ୟାତନା, ମାନସିକ ନିର୍ଯ୍ୟାତନା ଓ ଏକାଡେମୀକ ହାରାସମେଣ୍ଟର ଅଭିଯୋଗକୁ କର୍ଣ୍ଣପାତ କରିନଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।
୪) ଉକ୍ତ ଦୁଃଖଦାୟକ ଘଟଣାର ସମସ୍ତ ନୈତିକ ଦାୟିତ୍ୱ ବହନ କରି ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ।
୫) ସମସ୍ତ କଲେଜ ଓ ୟୁନିଭରସିଟି କ୍ୟାମ୍ପସ ଭିତରେ ଏବଂ ବାହାରେ ଛାତ୍ରୀମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ଓ ଏକାଡେମୀକ ହାରାସମେଣ୍ଟର ଥ୍ରେଟ୍ କଲ୍ଚର୍ ବନ୍ଦ କରିବା ଏବଂ ଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ନିରାପତ୍ତା ପ୍ରଦାନ କରିବା ।

