ସୌମ୍ୟାଶ୍ରୀଙ୍କ ମର୍ମାନ୍ତିକ ମୃତ୍ୟୁ – ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରୁଥିବା କେତୋଟି ପ୍ରଶ୍ନ ।
SK News Dated 07.08.2025 –
ଓଡିଆ ଅସ୍ମିତା, ନାରୀ ସୁରକ୍ଷା ଓ ପରିବର୍ତ୍ତନର ସ୍ଲୋଗାନ ଦେଇ ଗତ ରାଜ୍ୟ ବିଧାନସଭା ନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ହୋଇଥିବା ବିଜେପି ସରକାର ଇତିମଧ୍ୟରେ କ୍ଷମତାରେ ଏକ ବର୍ଷ ପୂରଣ କରିଛି । ଏହି ଏକ ବର୍ଷ ମଧ୍ୟରେ ରାଜ୍ୟ ବିଜେପି ସରକାରର ଅସଲ ମୁଖା ଖୋଲିଯାଇଛି ଏବଂ ଏହାର ଜନବିରୋଧୀ ଚରିତ୍ର ନଗ୍ନ ଭାବରେ ପ୍ରକଟିତ ହେବାରେ ଲାଗିଛି । ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା, ଅପସଂସ୍କୃତିର ପ୍ରଚାର ପ୍ରସାର ଆଜି ଆକାଶଛୁଆଁ ହୋଇଛି । ବିଶେଷକରି ମହିଳା ଓ ଛାତ୍ରୀମାନଙ୍କ ଉପରେ ଅତ୍ୟାଚାର, ବଳାତ୍କାର, ଗଣବଳତ୍କାର ଓ ହତ୍ୟା ଘଟଣା ଦ୍ରୁତ ବଢି ଚାଲିଛି । ନିକଟରେ କେନ୍ଦ୍ର ସରକାରଙ୍କ ସଂସ୍ଥା ଏନ୍ସିଆରବି(ଘବଗ୍ଧସକ୍ଟଦ୍ଭବକ୍ଷ ଉକ୍ସସଜ୍ଞର ଜରମକ୍ଟକ୍ସୟଗ୍ଦ ଈଙ୍କକ୍ସରବଙ୍କ) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଛାତ୍ରୀ ଓ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କ୍ଷେତ୍ରରେ ଜନସଂଖ୍ୟାର ଆନୁପାତିକ ହାର ଅନୁଯାୟୀ ବିଚାରକଲେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ବିଧାନ ସଭାରେ ରାଜ୍ୟ ସରକାରଙ୍କ ତରଫରୁ ଉପସ୍ଥାପିତ ଶ୍ୱେତପତ୍ର ଅନୁଯାୟୀ କେବଳ ୨୦୨୪ ମସିହାରେ ରାଜ୍ୟରେ ୩୦୫୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ଗତ ୬ବର୍ଷର ଏ ସଂପର୍କିତ ପରିସଂଖ୍ୟାନରୁ ଜଣାଯାଇଛି ଯେ ରାଜ୍ୟରେ ପ୍ରତ୍ୟେକ ଦିନ ଅନ୍ତତଃ ୮ଟି ଦୁଷ୍କର୍ମ ମାମଲା ରୁଜୁ ହେଉଛି । କହିବା ବାହୁଲ୍ୟ ମାମଲା ରୁଜୁ ହେଉନଥିବା ଏହି ଧରଣର ଘଟଣା ସଂଖ୍ୟା ଏହାର ବହୁଗୁଣ । ରାଜ୍ୟରେ ଏହିଭଳି ଭାବରେ ମହିଳାମାନଙ୍କ ଉପରେ ନିର୍ଯ୍ୟାତନା ଘଟଣା ବଢି ଚାଲିଥିଲାବେଳେ ଜୁଲାଇ ୧୨ତାରିଖରେ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍ ଦ୍ୱିତୀୟବର୍ଷ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି । ସୌମ୍ୟାଶ୍ରୀଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ରାଜ୍ୟର ଶୁଭବୁଦ୍ଧି ସଂପନ୍ନ ଦରଦୀ ହୃଦୟର ମଣିଷଙ୍କ ମନରେ ଗଭୀର ପୀଡା ଦେଇଛି ଏବଂ ଏହା ସହିତ ବହୁ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି ।
ଜୁଲାଇ ୧୨ତାରିଖ ଦିନ ସ୍ପଷ୍ଟ ଦିବାଲୋକରେ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ନ୍ୟାୟପାଇଁ ଦୀର୍ଘ ୪ମାସ ଧରି ସମସ୍ତ ପ୍ରକାର ଉଦ୍ୟମ କରି ଅସଫଳ ହେବାପରେ ସୌମ୍ୟାଶ୍ରୀ ବିଶି କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିଛନ୍ତି । ପେଟ୍ରୋଲ ନିଆଁରେ ଶତକଡା ୯୦ଭାଗରୁ ଅଧିକ ଜଳିଯାଇଥିବା ସୌମ୍ୟାଶ୍ରୀ ଭୁବନେଶ୍ୱର ଏଆଇଆଇଏମ୍ଏସ୍ରେ ମୃତ୍ୟୁ ସହିତ ଦୁଇଦିନ ସଂଗ୍ରାମ କରି ୧୪ ତାରିଖ ମଧ୍ୟରାତ୍ରୀରେ ଦୁଃଖଦ ମୃତ୍ୟୁ ବରଣ କରିଛନ୍ତି । ଏହି ହୃଦୟ ବିଦାରକ ଘଟଣା ସମଗ୍ର ରାଜ୍ୟରେ ଗଭୀର ଶୋକର ଲହରୀ ଖେଳାଇ ଦେଇଛି ଏବଂ ପ୍ରବଳ ଜନରୋଷ ସୃଷ୍ଟି କରିଛି ।
ମୃତ୍ୟୁପୂର୍ବରୁ ତାଙ୍କ ପ୍ରତି କରାଯାଉଥିବା ଯୋଜନାବଦ୍ଧ ଅବିଚାର ଓ ଉତ୍ପୀଡନ ସଂପର୍କରେ ସୌମ୍ୟାଶ୍ରୀ କଲେଜ ଅଧ୍ୟକ୍ଷଙ୍କ ସମେତ ଜିଲ୍ଲାପାଳ, ଏସ୍ପି, ସ୍ଥାନୀୟ ବିଧାୟକ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ । ଏହାବ୍ୟତୀତ ମୃତ୍ୟୁର ୭ଦିନ ପୂର୍ବରୁ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ସେ ତାଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ସୌମ୍ୟାଶ୍ରୀଙ୍କ ଅଭିଯୋଗ ଅନୁଯାୟୀ କଲେଜର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ପଢାପଢିରେ ସହାୟତା କରିବା ପ୍ରତିବଦଳରେ ତାଙ୍କୁ ‘ଅନୁଗୃହୀତ’ କରିବାପାଇଁ ପରୋକ୍ଷରେ ସୌମ୍ୟାଶ୍ରୀଙ୍କୁ ଦ୍ୱିଅର୍ଥବୋଧକ ଅଶ୍ଳୀଳ ଇଙ୍ଗିତ ଦେଇଥିଲେ । ବିଭାଗୀୟ ମୁଖ୍ୟଙ୍କୁ ‘ଅନୁଗୃହୀତ’ କରିବାପାଇଁ ସମ୍ମତ ନହେବାରୁ ସଂପୃକ୍ତ ବିଭାଗୀୟ ମୁଖ୍ୟ ତାଙ୍କୁ ନାନା ଭାବରେ ହଇରାଣ ହରକତ କରୁଥିଲେ । ଏହି ପରିସ୍ଥିତିରେ ନ୍ୟାୟ ପାଇବା ଓ ନିଜର ସୁରକ୍ଷାପାଇଁ ସମସ୍ତ ସ୍ତରରେ ନିବେଦନ କଲେ ମଧ୍ୟ କେହି ତାଙ୍କ ପ୍ରତି ନ୍ୟାୟ ବିଚାର କଲେନାହିଁ ବୋଲି ସୌମ୍ୟାଶ୍ରୀ ଅଭିଯୋଗ କରିଥିଲେ । ଫଳରେ ମାନିସକ ଅବସାଦର ଶୀକାର ଏବଂ ହତାଶାଗ୍ରସ୍ତ ହୋଇ ସେ ଆତ୍ମଦାହର ରାସ୍ତା ବାଛି ନେଲେ ବୋଲି କୁହାଯାଉଛି । ତାଙ୍କର ମୃତ୍ୟୁପରେ ସମଗ୍ର ରାଜ୍ୟରେ ଦେଖାଦେଇଥିବା ପ୍ରବଳ ଜନରୋଷ, ବିଶେଷକରି ଜୁଲାଇ ୧୭ତାରିଖ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ସମେତ ଅନ୍ୟକେତୋଟି ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ଓଡିଶାବନ୍ଦର ଅଦ୍ଭୁତପୂର୍ବ ସଫଳତା ଫଳରେ ଚାପଗ୍ରସ୍ତ ରାଜ୍ୟ ସରକାର ଜନରୋଷକୁ ସାମୟିକ ଭାବରେ ପ୍ରଶମିତ କରିବାପାଇଁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ବିଭାଗୀୟ ମୁଖ୍ୟ ଓ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବନ କରି ଗିରଫ କରିଛନ୍ତି । ଏତିକିରେ ସରକାର ତାଙ୍କ କାମ ସାରି ଦେଇଛନ୍ତି । ମାତ୍ର ଯେଉଁ ପ୍ରଶାସନିକ ଅଧିକାରୀ ଓ ରାଜନେତା ମାନଙ୍କର ଅବହେଳା ଓ ଦାୟିତ୍ୱହୀନତା ପାଇଁ ଗୋଟିଏ ସମ୍ଭାବନାମୟ ଜୀବନର ଦୁଃଖଦ ଅନ୍ତ ଘଟିଲା ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ଗ୍ରହଣ କରାଯିବାର କୌଣସି ସମ୍ଭାବନା ମଧ୍ୟ ନାହିଁ ।
ଅନ୍ୟପଟରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁପରେ ସରକାର ଚିରାଚରିତ ଭାବରେ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଘୋଷଣା କରିଛନ୍ତି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ଟଏଉ) ଘଟଣାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରିଛନ୍ତି । ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଚାଲିଥିଲାବେଳେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ୟୁଜିସି କି ଧରଣର ତଦନ୍ତ କରିବ ତାହା ରାଜ୍ୟବାସୀଙ୍କ ପାଖରେ ସ୍ପଷ୍ଟ ନୁହେଁ । ତିନିଟି ଯାକ ସଂସ୍ଥା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଏହାର ଅଗ୍ରଗତି ସଂପର୍କରେ ରାଜ୍ୟର ଜନସାଧାରଣଙ୍କୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ସରକାର ମଧ୍ୟ ଏ ବାବଦରେ ଆଉକି ପଦକ୍ଷେପ ଗ୍ରହଣ କରିବାକୁ ପରିକଳ୍ପନା କରୁଛନ୍ତି ସେ ବିଷୟରେ କୌଣସି ସୂଚନା ନାହିଁ । ଦୀର୍ଘଦିନ ବିତି ଯାଇଥିଲେ ବି କିଟ୍ ବିଶ୍ୱବିଦ୍ୟାଳୟରେ ଘଟିଥିବା ନେପାଳୀ ଛାତ୍ରୀ ଆତ୍ମହତ୍ୟା ସଂପର୍କିତ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ଅତୀତରେ ଏହିଭଳି ଆହୁରି ଅନେକ ସମ୍ବେଦନଶୀଳ ଘଟଣାର ତଦନ୍ତ ରିପୋର୍ଟ ସରକାର ସାର୍ବଜନୀନ କରିନାହାନ୍ତି । ଯଦିଓ ଘଟଣା ଘଟିବାବେଳେ ଏହି ରିପୋର୍ଟ ତୁରନ୍ତ ପ୍ରକାଶ ପାଇବ ବୋଲି ସରକାର ଘୋଷଣା କରିଥିଲେ । ଏହି ପରିସ୍ଥିତିରେ ଅତୀତର ଅନ୍ୟାନ୍ୟ ବହୁ ତଦନ୍ତଭଳି ସୌମ୍ୟାଶ୍ରୀ ମୃତ୍ୟୁର ତଦନ୍ତ ରିପୋର୍ଟ ମଧ୍ୟ ସରକାରୀ ଫାଇଲ ଭିତରେ ହଜି ଯିବାର ଆଶଙ୍କା ଧୀରେ ଧୀରେ ଦୃଢୀଭୂତ ହେଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ ସୌମ୍ୟାଶ୍ରୀ ଆର୍ଏସ୍ଏସ୍ର ଛାତ୍ର ସଂଗଠନ ଏବିଭିପିର ଜଣେ ଜଣାଶୁଣା ଆଗୁଆ ସଂଗଠିକା ଥିଲେ । ଶୁଣିବାକୁ ମିଳୁଛି ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ସଂଗଠନ ପକ୍ଷରୁ ସେ ସଭାପତି ପ୍ରାର୍ଥୀ ହେବାପାଇଁ ଆଶାୟୀ ଥିଲେ । ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ଏବିଭିପିର ଜଣେ ଆଗୁଆ ସଂଗଠିକା ଭାବରେ ସ୍ଥାନୀୟ ଓ ଜିଲ୍ଲା ସ୍ତରୀୟ ବିଜେପି ନେତାମାନଙ୍କ ସହିତ ତାଙ୍କ ଘନିଷ୍ଟ ପରିଚୟ ଥିଲା ଏବଂ ଏହି ପରିଚୟକୁ ବ୍ୟବହାରକରି ସେ ନ୍ୟାୟ ପାଇବାପାଇଁ ଉଦ୍ୟମ ମଧ୍ୟ କରିଥିଲେ । ମାତ୍ର ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବରେ ରାଜ୍ୟ ବିଜେପି ସରକାର କିମ୍ବା ବିଜେପି ନେତାମାନେ ତାଙ୍କ ନିଜ ଦଳର ଜଣେ ଆଗୁଆ ନେତ୍ରୀଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ । ଏହା କଣ ବିଶ୍ୱାସ ଯୋଗ୍ୟ? ଏହା ଯଦି ସତ୍ୟ ହୋଇଥାଏ ତାହେଲେ ଏହିଭଳି ଏକ ଅପାରଗ ସରକାର କଣ ରାଜ୍ୟର ନାରୀ ସମାଜକୁ ବାସ୍ତବରେ ସୁରକ୍ଷା ଦେଇପାରିବ? ସରକାରୀ କଳର ଅପାରଗତା ଓ ଦଳୀୟ ଉଦାସୀନତା ପାଇଁ ଯଦି ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହୋଇନଥାଏ, ତାହେଲେ ଏବିଭିପି ସଂଗଠନ ଓ ବିଜେପି ଦଳର ଅର୍ନ୍ତଦ୍ୱନ୍ଦ ଫଳରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଛି ବୋଲି ସନ୍ଦେହ ଅମୂଳକ ବୋଲି କୁହାଯାଇ ପାରିବ କି? କେବଳ ସେତିକି ନୁହେଁ ସୌମ୍ୟାଶ୍ରୀଙ୍କ ମୃତ୍ୟୁପରେ ଏଥିପାଇଁ ଅଭିଯୁକ୍ତ ଅଧ୍ୟାପକ, କଲେଜର ଆଭ୍ୟନ୍ତରୀଣ କମିଟି ଏବଂ ଅଧ୍ୟକ୍ଷଙ୍କୁ ଦାୟୀ କରିଥିବା ବାଲେଶ୍ୱର ସାଂସଦ ଘଟଣାର କିଛି ଦିନ ପୂର୍ବରୁ ଅଭିଯୁକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ପ୍ରଶଂସା କରୁଥିବା ଏବଂ ଆନ୍ଦୋଳନକାରୀ ଛାତ୍ର ଛାତ୍ରୀଙ୍କୁ ସମାଲୋଚନା କରୁଥିବାର ଏକ ଭିଡିଓ ପ୍ରସାରିତ ହେବାପରେ ଏହି ସନ୍ଦେହ ଆହୁରି ଦୃଢୀଭୂତ ହେଉଛି । ଏହାସହିତ ବର୍ତ୍ତମାନ କଲେଜକୁ ନାମଲେଖା ପାଇଁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ସହାୟତା ପାଇଁ ଏବିଭିପି ପକ୍ଷରୁ କଲେଜ ଗେଟ ନିକଟରେ କରାଯାଇଥିବା ହେଲ୍ପ ଡେସ୍କ ଟୁଙ୍ଗୀ ସମ୍ମୁଖରେ ଅଭିଯୁକ୍ତ ଅଧ୍ୟାପକଙ୍କ ସହିତ ଅଧ୍ୟକ୍ଷଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏହାର ଅର୍ଥ ହେଉଛି ଯେଉଁ ଅଧ୍ୟାପକଙ୍କ ବିରୁଦ୍ଧରେ ସୌମ୍ୟାଶ୍ରୀ ଅସଦାଚରଣ ଓ ହଇରାଣ ହରକତ କରିବାର ଅଭିଯୋଗ ୪ମାସରୁ ଅଧିକ ସମୟ ଧରି କରିଆସୁଛନ୍ତି ସେହି ଅଧ୍ୟାପକଙ୍କୁ ତାଙ୍କ ସଂଗଠନ ଏବିଭିପି ସଂପ୍ରତି ସମ୍ବର୍ଦ୍ଧନା ଜ୍ଞାପନ କରିଛି । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ନୁହେଁକି? ଏଥିରୁ ସ୍ୱଭାବିକ ଭାବରେ ଉପରୋକ୍ତ ସନ୍ଦେହ ଆହୁରି ଘନୀଭୂତ ହେଉ ନାହିଁକି? ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ କେନ୍ଦ୍ରକରି ଆଉ କେତୋଟି ଗୁରୁତର ପ୍ରଶ୍ନ ମୁଣ୍ଡଟେକୁଛି । ପ୍ରକାଶିତ ଖବର ଅନୁଯାୟୀ ଜୁଲାଇ ୧୨ତାରିଖ ମଧ୍ୟାହ୍ନରେ ଅଧ୍ୟକ୍ଷଙ୍କ ଅଫିସରେ ଚାଲିଥିବା ବୈଠକରେ ଅଧ୍ୟକ୍ଷଙ୍କଠାରୁ ନ୍ୟାୟର କୌଣସି ପ୍ରତିଶୃତି ନପାଇ ଏବଂ ଅପମାନିତ ହୋଇ ଅଫିସ ବାହାରେ ସୌମ୍ୟାଶ୍ରୀ ଏହିଭଳି ଚରମ ପଦକ୍ଷେପ ଗ୍ରହଣ କଲେ । ଅଫିସରୁ ବାହାରିବା ପରେ ପରେ ହିଁ ତାଙ୍କ ଦେହରେ ଅଗ୍ନି ସଂଯୋଗ ହୋଇଛି ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ପ୍ରଶ୍ନ ଉଠୁଛି ସେ ଆତ୍ମଦାହ କରିବେ ବୋଲି ନିଷ୍ପତ୍ତି ନେଇ ପେଟ୍ରୋଲ ଓ ଦିଆସିଲ କଣ ସାଙ୍ଗରେ ନେଇ ଯାଇଥିଲେ? ସେ ଅଧ୍ୟକ୍ଷଙ୍କ ଅଫିସକୁ ଆଲୋଚନା ପାଇଁ ଯାଇଥିଲାବେଳେ ପେଟ୍ରୋଲ କାହାପାଖରେ ଥିଲା? ସୌମ୍ୟାଶ୍ରୀ କଣ ପୂର୍ବରୁ ନିଶ୍ଚିତ ଥିଲେ ଯେ ଅଧ୍ୟକ୍ଷ ତାଙ୍କୁ ନିରାଶ ଓ ଅପମାନିତ କରିବେ ଏବଂ ସେ ଆତ୍ମଦାହ କରିବେ? ସେଥିପାଇଁ କଣ ସେ ପେଟ୍ରୋଲ ଓ ଦିଆସିଲି ସାଙ୍ଗରେ ନେଇ ଯାଇଥିଲେ? ପୁଣି ପ୍ରଶ୍ନ ଉଠୁଛି ସେ ଅଧ୍ୟକ୍ଷଙ୍କ ଅଫିସରୁ ବାହାରିବା ପରେ ତାଙ୍କୁ ପେଟ୍ରୋଲ ଓ ଦିଆସିଲି କିଏ ଦେଲା? ସିସିଟିଭି ଫୁଟେଜ୍ରୁ ଜଣା ପଡୁଛି ଯେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ସମୟରେ ସେହି ସ୍ଥାନରେ ଅନେକ ଛାତ୍ର ଛାତ୍ରୀ ଥିଲେ । ଏହିଭଳି ଏକ ସ୍ଥାନରେ ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା କିଭଳି ସମ୍ଭବ ହେଲା? ତାଙ୍କୁ ଉପସ୍ଥିତ ଛାତ୍ରଛାତ୍ରୀମାନେ ଏଥିରୁ ନିବୃତ୍ତ କଲେ ନାହିଁ କାହିଁକି? ଆହୁରି ମଧ୍ୟ ସିସିଟିଭି ଫୁଟେଜ୍ରୁ ଜଣାଯାଉଛି ଯେ ସ୍ଥାନୀୟ ଏକ ପେଟ୍ରୋଲ ପମ୍ପରୁ ଜଣେ ଝିଅ ଗୋଟିଏ ବ୍ୟାଟେରୀ ଚାଳିତ ସ୍କୁଟରରେ ପେଟ୍ରୋଲ କିଣି ଆଣୁଛି । ସେହି ଝିଅଟି କିଏ? ଏବିଭିପି ସହତି ସେହି ଝିଅର ସଂପର୍କ କ’ଣ? ଘଟଣାର ଏତେ ଦିନ ପରେ ମଧ୍ୟ ସେହି ଝିଅର ପରିଚୟ ପ୍ରକାଶିତ ହୋଇନାହିଁ କାହିଁକି? ଝିଅଟିର ପରିଚୟ ଜାଣିଶୁଣି ଗୋପନ ରଖାଯାଇଛି ବୋଲି ସନ୍ଦେହ କଣ ଅମୂଳକ? ସୌମ୍ୟାଶ୍ରୀ ନିଜ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଛନ୍ତି ନା ଏହା ପଛରେ ବହୁଲୋକଙ୍କର ଏକ ସଂଗଠିତ ଯୋଜନା କାମ କରିଛି? ଘଟଣା ପ୍ରବାହରୁ ଏହିସବୁ ପ୍ରଶ୍ନ ସ୍ୱାଭାବିକ ଭାବରେ ମୁଣ୍ଡ ଟେକୁଛି । ସୌମ୍ୟାଶ୍ରୀ ଜଳି ଯାଉଥିଲାବେଳେ ମୋବାଇଲରେ କେତେକ ପିଲା ତାଙ୍କ ଫଟୋ ବା ଭିଡିଓ ଉତ୍ତୋଳନ କରୁଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଉଛି । ଏହି ଛାତ୍ରମାନେ କିଏ? ସେମାନେ ସାଧାରଣ ଛାତ୍ର ନା ଏବିଭିପି ସଂଗଠନ ସହିତ ସଂପୃକ୍ତ ଛାତ୍ର? କେବଳ ମାତ୍ର ଏକ ନିରପେକ୍ଷ ତଦନ୍ତହିଁ ଏସବୁ ପ୍ରଶ୍ନର ସଠିକ ଉତ୍ତର ଲୋକଲୋଚନକୁ ଆଣିପାରିବ । ମାତ୍ର ସରକାରୀ ତଦନ୍ତ କ’ଣ ଏସବୁ ପ୍ରଶ୍ନକୁ ତଦନ୍ତ ପରିସରଭୁକ୍ତ କରିବ ଏବଂ ସତ୍ୟ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବ?
କେବଳ ସେତିକି ନୁହେଁ, ଗଣମାଧ୍ୟମର ପ୍ରଚାର ଅନୁଯାୟୀ ସୌମ୍ୟାଶ୍ରୀ ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦେଉଥିଲେ, ମାଷ୍ଟର ଟ୍ରେନର ଥିଲେ । ଖୁସିବାସିଆ ସ୍ୱଭାବର ଥିଲେ । ସେ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଦଳର ପୃଷ୍ଠପୋଷକତା ଲାଭ କରିଥିବା ଛାତ୍ର ସଂଗଠନ ଏବିଭିପିର ଆଗୁଆ ଓ ସକ୍ରିୟ ସଂଗଠିକା ଥିଲେ ବୋଲି ପୂର୍ବରୁ ଉଲ୍ଲେଖ କରାଯାଇଛି । ଏହିଭଳି ପୃଷ୍ଠଭୂମିର ଜଣେ ପିଲା ଏହିଭଳି ଭାବରେ ଆତ୍ମହତ୍ୟାର ରାସ୍ତା ବାଛିନେବ ବୋଲି ବିଶ୍ୱାସ କରିବା କଷ୍ଟକର ହେଉଛି । ସେ ନିର୍ବାଚନରେ ଅଂଶଗ୍ରହଣ କରିବାପାଇଁ ଆଗ୍ରହୀ ଥିଲେ ଏବଂ ସେଥିପାଇଁ ପ୍ରସ୍ତୁତି ମଧ୍ୟ କରୁଥିଲେ । ସୌମ୍ୟାଶ୍ରୀଙ୍କର କଲେଜରେ ଉପସ୍ଥାପନ ଶତକଡା ୭୫ଭାଗରୁ କମ୍ଥିବାରୁ ଲିଙ୍ଗଡୋ କମିଟି ସୁପାରିଶ ଅନୁଯାୟୀ ସେ ନିର୍ବାଚନରେ ଅଂଶଗ୍ରହଣ କରିପାରିନଥାନ୍ତେ । ଏହି ପ୍ରେକ୍ଷାପଟ୍ଟରେ ସମଗ୍ର ଘଟଣାବଳୀକୁ ବିଚାର କଲେ କଲେଜ ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ପାଇଁ ଏହା ଏକ ସୁଚିନ୍ତିତ କୌଶଳ ବୋଲି କୁହାଯାଇପାରେ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗଲାବେଳେ ଏହି ଧରଣର କାଣ୍ଡ ଘଟିଲା ବୋଲି କେତେକ ମହଲରେ ମତପ୍ରକାଶ ପାଉଛି । ତେବେ ଏହା ସତ୍ତ୍ୱେ ମଧ୍ୟ କଲେଜ ପ୍ରଶାସନକୁ ଦୋଷମୁକ୍ତ କରାଯାଇ ପାରିବ ନାହିଁ । ଉପଯୁକ୍ତ ସମୟରେ ସଠିକ ପଦକ୍ଷେପ ଗ୍ରହଣକରି ସମସ୍ତ ଘଟଣାକୁ ଲୋକଲୋଚନକୁ ଆଣିବା କଲେଜ ପ୍ରଶାସନ ପକ୍ଷରେ ଆବଶ୍ୟକଥିଲା । ଏ ସମସ୍ତ ବିଷୟକୁ ବିଚାରକୁ ନେଲେ ବର୍ତ୍ତମାନର ରାଜ୍ୟ ବିଜେପି ସରକାର ଏବଂ ଛାତ୍ର ସଂଗଠନ ଏବିଭିପି ସୌମ୍ୟାଶ୍ରୀଙ୍କ ମୃତ୍ୟୁପାଇଁ ଅନସ୍ୱୀକାର୍ଯ୍ୟ ଭାବରେ କାଠଗଡାରେ ଠିଆ ହୋଇଛନ୍ତି ।
ଅତୀତର ବହୁ ଘଟଣାବଳୀରୁ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ କ୍ଷେତ୍ରରେ ଆରଏସ୍ଏସ୍-ବିଜେପି-ଏବିଭିପି ଓ ସଂଘ ପରିବାରର ଆଭିମୁଖ୍ୟ ସଂପର୍କରେ ଆମର ସ୍ପଷ୍ଟ ଧାରଣା ରହିଛି । ଜାମ୍ମୁ-କାଶ୍ମୀରର କାଠୁଆଠାରେ ନାବାଳିକା ଗଣଧର୍ଷଣ ଓ ହତ୍ୟାକାରୀ ମାନଙ୍କ ସମର୍ଥନରେ ବିଜେପି ନେତା ଓ ମନ୍ତ୍ରୀମାନ ରାଜରାସ୍ତାରେ ଶୋଭାଯାତ୍ର କରିବାପାଇଁ ମଧ୍ୟ ଲଜ୍ଜାବୋଧ କରିନଥିଲେ । ସେହିଭଳି ହାତରାସରେ ଦଳିତ ନାବାଳିକାଙ୍କ ଗଣଧର୍ଷଣ ଓ ହତ୍ୟାକାଣ୍ଡରେ ଲିପ୍ତ ଅପରାଧି ମାନଙ୍କ ସମର୍ଥନରେ ସଂଘ ପରିବାର ଖୋଲା ଖୋଲି ବାହାରିଥିଲା । ଉନ୍ନାଓ ଠାରେ ଧର୍ଷଣକାରୀ ବିଜେପି ନେତା କୁଲଦୀପ ସେଙ୍ଗରକୁ ବିଜେପି ଖୋଲାଖୋଲି ସମର୍ଥନ କରିଥିଲା । ଅଲମ୍ପିକ ମେଡାଲ ବିଜୟୀ ମହିଳା କ୍ରୀଡାବିତ ମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନାକାରୀ ବ୍ରିଜଭୂଷଣ ସିଂହଙ୍କୁ ସିଧାସଳଖ କେନ୍ଦ୍ର ବିଜେପି ସରକାର ମଦଦ ଯୋଗୁ ଆଇନ ଆଜି ବି ତାଙ୍କୁ ଛୁଇଁ ପାରିନାହିଁ । ତେବେ ସୌମ୍ୟାଶ୍ରୀ ମୃତ୍ୟୁ ବିଜେପି-ଆରଏସ୍ଏସ୍-ଏବିଭିପି-ସଂଘ ପରିବାରର ମହିଳା ବିରୋଧି ଚରିତ୍ରର ଆଉ ଏକ କୁତ୍ସିତ ରୂପ ଉଜାଗର କରିଛି । ହିନ୍ଦୁ ଧର୍ମର ଆତ୍ମଘୋଷିତ ରକ୍ଷାକର୍ତ୍ତାମାନେ ରାଜନୈତିକ ଫାଇଦା ପାଇଁ କେତେ ତଳକୁ ଯାଇପାରନ୍ତି ତାହା ସୌମ୍ୟାଶ୍ରୀଙ୍କ ବେଦନାଦାୟକ ମୃତ୍ୟୁ ଦର୍ଶାଇ ଦେଇଛି ।