ବିହାର ନିର୍ବାଚନ ପୂର୍ବରୁ ଭୋଟର ଲିଷ୍ଟର ସଘନ ଯାଂଚ ପଛଦ୍ୱାର ବାଟେ ଏନ୍‌ଆରସି ଲାଗୁ କରିବାର ଉଦ୍ୟମ ବ୍ୟତୀତ ଅନ୍ୟ କିଛି ନୁହେଁ

SK News Dated – 08.08.2025 –

ମାତ୍ର ୨୮ଦିନ ମଧ୍ୟରେ ବିହାରର ପ୍ରାୟ ୭କୋଟି ୫୦ ଲକ୍ଷ ଭୋଟରଙ୍କର ବିଶେଷ ଓ ସଂଘନ ଯାଂଚ (Special Intensive Revision-SIR) ପ୍ରକ୍ରିୟା ଶେଷ କରିବା ଭଳି ଗୋଟିଏ ଅବାସ୍ତବ କର୍ମସୂଚୀ ଭାରତର ନିର୍ବାଚନ କମିଶନ ବିହାର ଜନସାଧାରଣଙ୍କ ଉପରେ ଲଦି ଦେଇଛି । ଦେଶର ମୁଖ୍ୟ ନିର୍ବାଚନ କମିଶନ କିଛି ଦିନ ପୂର୍ବରୁ ସଗର୍ବେ ଘୋଷଣା କରିଥିଲେ ଯେ ଏହା ହେଉଛି ‘ନୂତନ ନିର୍ବାଚନ କମିଶନ’ । ସଂପ୍ରତି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ବିଜେପି ଦଳର ଛୋଟ କାଟର ନେତାଙ୍କ ପର୍ଯ୍ୟନ୍ତ ଆଜିର ଭାରତ ‘ଏକ ନୂଆ ଭାରତ’ ବୋଲି କହୁଥିବା ପ୍ରାୟ ଶୁଣିବାକୁ ମିଳୁଛି । ରାଜନୈତିକ ନେତାମାନଙ୍କର ଏହି କଥା ସହିତ ଦେଶର ମୁଖ୍ୟ ନିର୍ବାଚନ କମିଶନଙ୍କ କଥାଟା ମେଳ ଖାଉଛି । ପାଠକମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହୁଁ ଯେ ବର୍ତ୍ତମାନ ନିର୍ବାଚନ କମିଶନ ମାନଙ୍କ ନିଯୁକ୍ତି ପ୍ରକ୍ରିୟା କେନ୍ଦ୍ର ସରକାରଙ୍କର କୁକ୍ଷିଗତ ହୋଇଛି । କେନ୍ଦ୍ର ବିଜେପି ସରକାର ଆଇନ ପ୍ରଣୟନ କରି ନିର୍ବାଚନ କମିଶନମାନଙ୍କ ଚୟନ କମିଟିରୁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ବାଦ ଦେଇଛନ୍ତି । ନିକଟ ଅତୀତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ନିର୍ବାଚନ କମିଶନ ମାନଙ୍କର ନିର୍ବାଚନ ପରିଚାଳନ କ୍ଷେତ୍ରରେ ପକ୍ଷପାତିତା ଓ ଶାସକ ଦଳର ସ୍ୱାର୍ଥରକ୍ଷାକାରୀ ନିଷ୍ପତ୍ତି ନିର୍ବାଚନ କମିଶନର ନିରପେକ୍ଷତା ସଂପର୍କରେ ଗୁରୁତର ପ୍ରଶ୍ନ ଉତ୍‌ଥାପନ କରିଛି । ବିଶେଷ କରି ଗତ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟର ତାଲିକାରେ ଜାଲିଆତି, ଇଭିଏମ୍‌ରେ ହେରଫେର ଓ ଭୋଟ ଗଣତି ସମୟରେ ଅସ୍ୱଚ୍ଛ ପ୍ରକ୍ରିୟା ଗ୍ରହଣ କରାଯିବା ଫଳରେ ଦେଶର ନିର୍ବାଚନ ଆୟୋଗର ନିରପେକ୍ଷତା ସଂପର୍କରେ ବହୁ ଗୁରୁତର ପ୍ରଶ୍ନ ଉଠିଛି । ଏପରିକି ଗତ ୫ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ଯେତେ ସଂଖ୍ୟକ ନୂଆ ଭୋଟର ତାଲିକାରେ ଯୁକ୍ତ ହୋଇଥିଲେ ଗତ ସାଧାରଣ ନିର୍ବାଚନର ମାତ୍ର ୫ ମାସ ମଧ୍ୟରେ ତାଠାରୁ ଅଧିକ ସଂଖ୍ୟକ ନାମ ଭୋଟର ତାଲିକାରେ ଯୁକ୍ତ ହୋଇଛି । ନୂଆକରି ଭୋଟର ତାଲିକାରେ ଯୋଗ କରାଯାଇଥିବା ଏହି ଜାଲ ଭୋଟର ମାନଙ୍କ ଭୋଟ ପାଇ ମହାରାଷ୍ଟ୍ରରେ ବିଜେପି ମେଣ୍ଟ ଜୟଯୁକ୍ତ ହୋଇଛି ବୋଲି ଗୁରୁତର ଅଭିଯୋଗ ଆସୁଛି । ପ୍ରଶ୍ନ ହେଉଛି ମାତ୍ର ୫ମାସ ମଧ୍ୟରେ ଏତେ ବିପୁଳ ସଂଖ୍ୟକ ଭୋଟର କେଉଁଠୁ ଆସିଲେ? ଏପର୍ଯ୍ୟନ୍ତ ନିର୍ବାଚନ କମିଶନ କୌଣସି ଗୋଟିଏ ନିର୍ବାଚନ ଜାଲିଆତି ସଂପର୍କିତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନାହିଁ । ଏହି ପୃଷ୍ଠଭୂମିରେ ବିହାର ବିଧାନସଭା ନିର୍ବାଚନର ମାତ୍ର ୨/୩ ମାସ ପୂର୍ବରୁ ଏହି ଧରଣର ଭୋଟର ତାଲିକା ସଂଶୋଧନ ନିର୍ବାଚନ କମିଶନର ଅସଲ ଉଦ୍ଦେଶ୍ୟ ସଂପର୍କରେ ଅତ୍ୟନ୍ତ ଗୁରୁତର ପ୍ରଶ୍ନ ଉତ୍‌ଥାପନ କରୁଛି ।
ଏହି ଧରଣର ପ୍ରଶ୍ନ ଉଠିବା ସ୍ୱାଭାବିକ । କାରଣ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଜନ୍ମ ପ୍ରମାଣ ପତ୍ର, ପାସପୋର୍ଟ, ମ୍ୟାଟ୍ରିକ ସାଟିଫିକେଟ, ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ପରିଚୟ ପତ୍ର, ପେନସନ ପାଉଥିବା ପ୍ରମାଣପତ୍ର, ସ୍ଥାୟୀ ବାସସ୍ଥାନ ସାଟିଫିକେଟ୍‌, ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ମଳିଥିବା ଜଙ୍ଗଲ ଅଧିକାର ସାଟିଫିକେଟ୍‌, ଅନୁସୂଚୀତ ଜାତି, ଜନଜାତି ଓ ଓବିସି ମାନଙ୍କର ଜାତି ସାଟିଫିକେଟ, ଏନ୍‌ଆରସି ସାଟିଫିକେଟ୍‌, ପଂଚାୟତ ଦ୍ୱାରା ଜାରୀ କରାଯାଇଥିବା ପରିବାର ପଞ୍ଜିକା(ଫ୍ୟାମଲି ରେଜିଷ୍ଟର), ସରକାରଙ୍କ ଦ୍ୱାରା ଜମି ବା ଘର ଆବଣ୍ଟନ ପ୍ରମାଣପତ୍ର, ୧୯୮୭ ମସିହା ପୂର୍ବରୁ ଜାରୀ କରାଯାଇଥିବା ସରକାର କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ ଜାରୀ କରାଯାଇଥିବା ପରିଚୟ ପତ୍ର ଦାଖଲ କରିପାରିଲେହିଁ ଜଣେ ବ୍ୟକ୍ତିଙ୍କ ନାମ ଭୋଟର ଲିଷ୍ଟରେ ରହିବ । ଭୋଟର ଲିଷ୍ଟରେ ନାମ ରହିବା ପାଇଁ ଜନ୍ମ ସ୍ଥାନ ଓ ଜନ୍ମ ତାରିଖର ପ୍ରମାଣ ସ୍ୱରୂପ ଆଧାର କାର୍ଡ, ଭୋଟର କାର୍ଡ, ପ୍ୟାନ କାର୍ଡ, ମନରେଗା ଜବ କାର୍ଡ, ରେସନ କାର୍ଡ, ସରକାରୀ ବ୍ୟାଙ୍କ ପାଶବହି ଭଳି ଅଧିକାଂଶ ଲୋକଙ୍କ ପାଖରେ ଥିବା ପ୍ରମାଣପତ୍ର ଗ୍ରହଣଯୋଗ୍ୟ ହେବ ନାହିଁ । ଏସବୁକୁ ପ୍ରମାଣ ଭାବରେ ଗ୍ରହଣ କରିବାପାଇଁ ସୁପ୍ରିମ କୋର୍ଟର ସୁପାରିଶକୁ ମଧ୍ୟ ନିର୍ବାଚନ କମିଶନ ଅସ୍ୱୀକାର କରିଛି । କେବଳ ମାତ୍ର ନିର୍ବାଚନ କମିଶନ ଦ୍ୱାରା ସ୍ଥିର କରାଯାଇଥିବା ଉପରୋକ୍ତ ୧୧ଟି ପ୍ରମାଣପତ୍ର ବ୍ୟତୀତ ଅନ୍ୟକୌଣସି ପ୍ରମାଣପତ୍ର ଗ୍ରହଣୀୟ ହେବ ନାହିଁ । ଅର୍ଥାତ୍ ଏହି ୧୧ଟିରୁ ଯଦି ଯେକୌଣସି ଗୋଟିଏ ପ୍ରମାଣପତ୍ର ଥାଏ ତାହେଲେ ସଂପୃକ୍ତ ବ୍ୟକ୍ତିଙ୍କର ନାମ ଭୋଟର ତାଲିକାରେ ରହିବ ତା ନହେଲେ ତାଙ୍କ ନାମ ଭୋଟର ତାଲିକାରୁ କାଟି ଦିଆଯିବ ।
ଜୁନ ୨୪ତାରିଖ ରାତିରେ ଦେଶର ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ନିର୍ଦ୍ଦେଶ ଜାରୀ ହେବା ପରେ ଜୁନ ୨୫ ତାରିଖରୁ ବୁଥସ୍ତରୀୟ ଅଫିସର(ଈଖଙ)ମାନେ ଘର ଘର ବୁଲି ଭୋଟର ଲିଷ୍ଟ ଯାଂଚ ପାଇଁ ନିର୍ବାଚନ କମିଶନ ପକ୍ଷରୁ ଜାରୀ କରାଯାଇଥିବା ଯାଂଚ ଫର୍ମ ବଣ୍ଟନ କରୁଛନ୍ତି ବୋଲି ଦାବି କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ବୁଥ ସ୍ତରୀୟ ଅଫିସର ମାନେ ପ୍ରତ୍ୟେକ ଭୋଟରଙ୍କ ପାଖକୁ ୨୮ ଦିନ ମଧ୍ୟରେ ୩ଥର ଯିବେ । ଆବଶ୍ୟକ ପ୍ରମାଣପତ୍ର ସହିତ ଫର୍ମ ପୂରଣ କରି ଆଣିବେ ଏବଂ ତାକୁ ଅପଲୋଡ କରିବେ । ଏହା ଯେ ଅସମ୍ଭବ ସେକଥା ଜଳ ଜଳ ଦିଶୁଛି । ଏହି ବିଏଲ୍‌ଓ ମାନେ ହେଉଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ । ସୁତରାଂ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ମାସେ କାଳ ସମଗ୍ର ବିହାରରେ ପ୍ରାଥମିକ ସ୍କୁଲରେ ତାଲା ପଡିଛି । ତେବେ ନିର୍ବାଚନ କମିଶନର ସମସ୍ତ ଦାବି ସତ୍ତ୍ୱେ ଫର୍ମ ଯାଂଚରେ ବ୍ୟାପକ ଜାଲିଆତି ଘଟଣା ବର୍ତ୍ତମାନ ପ୍ରମାଣିତ । ଉପରୋକ୍ତ ୧୧ଟି ମଧ୍ୟରୁ ଯେକୌଣସି ଗୋଟିଏ ପ୍ରମାଣପତ୍ର ସହିତ ସମସ୍ତ ଭୋଟର ଜୁଲାଇ ୩୦ ତାରିଖ ସୁଦ୍ଧା ଏହି ଫର୍ମ ପୂରଣ କରିବେ ଏବଂ ବିଏଲ୍‌ଓ ମାନେ ତୃତୀୟଥର ପାଇଁ ପ୍ରତ୍ୟେକ ଭୋଟରଙ୍କ ପାଖକୁ ଯାଇ ଏହି ଫର୍ମ ଆଣି ଅପଲୋଡ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହା ଫଳରେ ବିହାରର ସହରଠାରୁ ଆରମ୍ଭକରି ନିପଟ ମଫସଲ ପର୍ଯ୍ୟନ୍ତ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସମସ୍ତ ସ୍ତରର ଜନସାଧାରଣ, ବିଶେଷକରି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ଜନଗୋଷ୍ଠୀର ବିରାଟ ଅଂଶର ଜନସାଧାରଣଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାର ଆଶଂକା ସୃଷ୍ଟି ହୋଇଛି । ଅଧିକାଂଶ ଦରିଦ୍ର ଲୋକ, ଦାଦନ ଶ୍ରମିକ ମାନଙ୍କ ପକ୍ଷରେ ଏହି ପ୍ରମାଣପତ୍ର ଦାଖଲ କରିବା ଅସମ୍ଭବ । କାରଣ ଏହି ଧରଣର କୌଣସି ପ୍ରମାଣପତ୍ର ସେମାନଙ୍କ ନିକଟରେ ନାହିଁ କିମ୍ବା ନିର୍ବାଚନ କମିଶନ ଦ୍ୱାରା ନିଦ୍ଧାରିତ ସମୟସୀମା ମଧ୍ୟରେ ଏହି ଧରଣର ପ୍ରମାଣ ପତ୍ର ପ୍ରସ୍ତୁତ କରିବା ସେମାନଙ୍କ ପକ୍ଷରେ ସମ୍ଭବ ମଧ୍ୟ ନୁହେଁ । ଏହି ପରିସ୍ଥିତିରେ ଭୋଟ ଦାନ ଭଳି ଏକ ପ୍ରାଥମିକ ନାଗରିକ ଅଧିକାରରୁ ରାଜ୍ୟର ଏକ ବିରାଟ ସଂଖ୍ୟକ ଲୋକ ବଂଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ପ୍ରବଳ ବିରୋଧ ଫଳରେ ପ୍ରଥମେ ବିନା ପ୍ରମାଣପତ୍ରରେ କେବଳ ଫର୍ମ ପୂରଣ କରି ଦାଖଲ କଲେ ଚଳିବ ବୋଲି ନିର୍ବାଚନ କମିଶନ ପକ୍ଷରୁ ଖବର କାଗଜରେ ବିଜ୍ଞାପନ ଦିଆଯାଇଥିଲା । ମାତ୍ର ତୁରନ୍ତ ସେହି ବିଜ୍ଞାପନ ପ୍ରତ୍ୟାହାର କରିନିଆଗଲା ଏବଂ ପୂର୍ବଭଳି ନିଜର, ନିଜ ପିତା ମାତାଙ୍କ ଜନ୍ମ ତାରିଖ ଓ ଜନ୍ମ ସ୍ଥାନର ପ୍ରମାଣପାଇଁ ନିର୍ବାଚନ କମିଶନ ଦ୍ୱାରା ସ୍ଥିରିକୃତ ୧୧ଟି ଦସ୍ତାବେଜ ମଧ୍ୟରୁ ଅନ୍ତତଃ ଗୋଟିଏ ଦେବାକୁ ବାଧ୍ୟତାମୂଳକ ବୋଲି ଘୋଷଣା କରାଗଲା । ସ୍ୱାଭାବିକ ଭାବରେ ଏହାଫଳରେ ସାଧାରଣଲୋକଙ୍କ ମଧ୍ୟରେ ଭୋଟର ତାଲିକା ସଂଶୋଧନକୁ କେନ୍ଦ୍ରକରି ଆହୁରି ଗୁରୁତର ଅନିଶ୍ଚିତତା ସୃଷ୍ଟି ହୋଇଛି ।
ବିହାରର ବିଜେପି-ଜେଡିୟୁ ମିଳିତ ସରକାରଙ୍କ ଅବସ୍ଥା ଅସମ୍ଭାଳ । ଏହି ମିଳିତ ସରକାର ବିରୁଦ୍ଧରେ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଛି । ଏହି ଧରଣର ଜନଅସନ୍ତୋଷରୁ ରକ୍ଷା ପାଇବାପାଇଁ ଓ ସରକାର ଉପରେ ବିକ୍ଷୁବ୍ଧ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟତ୍ର ଅପସାରିତ କରିବାପାଇଁ ବର୍ତ୍ତମାନ ବିଜେପି ପକ୍ଷରୁ ବିହାରରେ ବ୍ୟାପକ ସଂଖ୍ୟକ ବାଂଲାଦେଶୀ, “ଅନୁପ୍ରବେଶ” ଘଟିଛି ବୋଲି ପ୍ରଚାର କରାଯାଉଛି । ପାଠକମାନଙ୍କର ସ୍ମରଣଥିବା ଏହାପୂର୍ବରୁ ଝାଡଖଣ୍ଡ, ଦିଲ୍ଲୀ, ହରିୟାନା ଏପରିକି ମହାରାଷ୍ଟ୍ରରେ ମଧ୍ୟ ଏହି ବ୍ୟାପକ ଅନୁପ୍ରବେଶକୁ ଅନ୍ୟତମ ମୁଖ୍ୟ ନିର୍ବାଚନୀ ଇସ୍ୟୁରେ ପରିଣତ କରିବାପାଇଁ ବିଜେପି ଦଳ ଓ ବିଜେପି ପରିଚାଳିତ କେନ୍ଦ୍ର ତଥା ରାଜ୍ୟ ସରକାର ମାନଙ୍କ ପକ୍ଷରୁ ପ୍ରବଳ ଉଦ୍ୟମ କରାଯାଇଥିଲା । ସେ ଯାହାହେଉ ବର୍ତ୍ତମାନ ବିଜେପି ପକ୍ଷରୁ ଦାବି କରାଯାଉଛି ଯେ ବିହାରରେ ବ୍ୟାପକ ସଂଖ୍ୟକ ବାଂଲାଦେଶୀ, ନେପାଳୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀ ଭୋଟର ତାଲିକାରେ ଜାଲିଆତି କରି ନାମ ଦରଜ କରିଛନ୍ତି । ସେଥିପାଇଁ ଭୋଟର ତାଲିକାର ବ୍ୟାପକ ସଂଶୋଧନର ଆବଶ୍ୟକତା ରହିଛି । ଖବର କାଗଜରେ ଏହି ଧରଣର ମିଥ୍ୟା ଖବର ଯୋଜନାବଦ୍ଧ ଭାବରେ ପ୍ରକାଶ କରି ଆତଙ୍କ ସୃଷ୍ଟି କରାଯାଉଛି । ବିଜେପିର ସ୍ୱରରେ ସ୍ୱର ମିଳାଇ ନିର୍ବାଚନ କମିଶନ ବର୍ତ୍ତମାନ ବିହାରରେ ଭୋଟର ତାଲିକାର ସଘନ ଯାଂଚ ଆରମ୍ଭ କରିଛି । ବିଶେଷକରି ସଂଖ୍ୟାଲଘୁ ସଂପ୍ରଦାୟର ବିରାଟ ସଂଖ୍ୟକ ଲୋକଙ୍କର ନାମ ସହିତ ପାରମ୍ପରିକ ଭାବରେ ବିଜେପିକୁ ଭୋଟ ଦେଉନଥିବା ଜନଗୋଷ୍ଠୀଭୁକ୍ତ ଲୋକଙ୍କ ନାମ ଯେତେ ଅଧିକ ସମ୍ଭବ ଭୋଟର ତାଲିକାରୁ ବାଦ ଦେବା ଉଦ୍ଦେଶ୍ୟରେ ଯେ ଏହା କରାଯାଉଛି ତାହା ବର୍ତ୍ତମାନ ସ୍ପଷ୍ଟ । ଏହାଫଳରେ ଆଗାମୀ ନିର୍ବାଚନରେ ବିଜେପିର ବିଜୟର ସମ୍ଭାବନା କିଛିଟା ବୃଦ୍ଧି କରାଯାଇପାରିବ ବୋଲି ବିଜେପି ନେତାମାନେ ଆଶା କରୁଛନ୍ତି । ଏହା ସଂଗେ ସଂଗେ ବିଜେପି ନେତାମାନେ ଏହା ମଧ୍ୟ ଭଲଭାବରେ ଜାଣନ୍ତି ଯେ ଭୋଟର ତାଲିକାରେ ନାଁ କଟିବା ବିପଦରୁ ରକ୍ଷା ପାଇବାପାଇଁ ଦରିଦ୍ର ବଂଚିତ ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ ଶାସକ ଦଳର ନେତାମାନଙ୍କ ଶରଣାପନ୍ନ ହେବେ । ସରକାରୀ କଳକୁ ପ୍ରଭାବିତ କରି ଏହି ଧରଣର ଲୋକଙ୍କୁ ‘ସହାୟତା’ କରିବା ପ୍ରତିବଦଳରେ ଏମାନଙ୍କ ଭୋଟ ହାସଲ କରାଯାଇ ପାରିବ ବୋଲି ବିଜେପି ନେତାମାନେ ନିଶ୍ଚିତ । ବିହାରରେ ମେଣ୍ଟ ସରକାରକୁ ଯେକୌଣସି ଉପାୟରେ ବିଜୟୀ କରିବାପାଇଁ ନାଗରିକତା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସଂବେଦନଶୀଳ ପ୍ରସଙ୍ଗକୁ ହତିଆର କରିବାପାଇଁ ମଧ୍ୟ ବିଜେପି ସରକାର ପଶ୍ଚାଦପଦ ହୋଇନାହିଁ । ସବୁଠାରୁ ମାରାତ୍ମକ ବିଷୟ ହେଉଛି ଭୋଟର ତାଲିକାରୁ ଯାହାର ନାମ କଟିବ ତାଙ୍କୁ ଦେଶର ନାଗରିକ ଭାବରେ ଗ୍ରହଣ କରାଯିବ ନାହିଁ । ସେହି ବ୍ୟକ୍ତିଙ୍କୁ ନିଜର ନାଗରିକତାର ପ୍ରମାଣ ଦେବାକୁ ପଡିବ, ତାହା ନକରିପାରିଲେ ତାଙ୍କୁ ଦେଶରୁ ବିତାଡିତ କରାଯିବ । ଏହି ପ୍ରକ୍ରିୟାରେ ବିହାରରୁ କୋଟି କୋଟି ଲୋକ ଭୋଟ ଦେବାର ଅଧିକାର ସହିତ ନାଗରିକତା ହରାଇବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଏହି ପ୍ରକ୍ରିୟା ଚାଲୁ କରିବାପାଇଁ ନିର୍ବାଚନ କମିଶନ ଘୋଷଣା କରିଛି । ଏହା ମଧ୍ୟଦେଇ ସମଗ୍ର ଦେଶରେ ନିର୍ବାଚନ କମିଶନକୁ ବ୍ୟବହାରକରି ପଛଦ୍ୱାରା ବାଟେ ଏନ୍‌ଆରସି ଲାଗୁ କରିବାପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି । ସେଥିପାଇଁ ବିହାରରେ ଏହି ଧରଣର ତଥାକଥିତ ଭୋଟର ତାଲିକା ସଂଶୋଧନକୁ ସାରାଦେଶରେ ତୀବ୍ର ବିରୋଧ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ନାଗରିକ ମାନଙ୍କର ନାଗରିକତ୍ୱ ପ୍ରମାଣ କରିବା ଦାୟିତ୍ୱଟି କେନ୍ଦ୍ର ସରକାରଙ୍କର ଥିଲା । କେଉଁମାନେ ନାଗରିକ ଏବଂ କେଉଁମାନେ ନାଗରିକ ନୁହଁନ୍ତି ଆଇନତଃ ତାହା କେନ୍ଦ୍ର ଗୃହ ବିଭାଗ ସ୍ଥିର କରିବ । ସେଥିପାଇଁ ଏକ ଆଇନ ସମ୍ମତ ପ୍ରକ୍ରିୟାର ଅନୁପାଳନ ଜରୁରୀ । ଏହି ପ୍ରକ୍ରିୟା ଅନୁଯାୟୀ ଜଣେ ବ୍ୟକ୍ତି ନାଗରିକ ନୁହଁନ୍ତି ବୋଲି ସରକାରଙ୍କୁ ପ୍ରମାଣ ଦେବାକୁ ହେବ । କେବଳ କୌଣସି ଏକ ଦସ୍ତାବେଜ ନଥିବା କାରଣରୁ କାହାରିକୁ ନାଗରିକ ନୁହଁନ୍ତି ବୋଲି କୁହାଯାଇ ପାରିବନାହିଁ । ମାତ୍ର ବର୍ତ୍ତମାନ ନିର୍ବାଚନ କମିଶନକୁ ବ୍ୟବହାର କରି ନିଜର ନାଗରିକତା ପ୍ରମାଣ କରିବାର ଦାୟିତ୍ୱ ସରକାର ଦେଶର ଲୋକଙ୍କ ମୁଣ୍ଡରେ ଲଦି ଦେଇଛନ୍ତି । ଦେଶର ସାଧାରଣ ଲୋକ କେଉଁଠୁ ଏତେ କାଗଜପତ୍ର ଆଣିବେ? ସାଧାରଣ ଲୋକଙ୍କ କଥା ଦୂରେ ଥାଉ ବିହାରରେ ଚାଲିଥିବା ଏହି ତଥାକଥିତ ଭୋଟର ତାଲିକାର ସଂଘନ ଯାଂଚକୁ ବିରୋଧକରି ସୁପ୍ରିମକୋର୍ଟରେ ଚାଲିଥିବା ଏକ ମାମଲାର ଶୁଣାଣି ସମୟରେ ଜନୈକ ବିଚାରପତି ମନ୍ତବ୍ୟ ଦେଇଥିଲେ ଯେ ବିହାରର ସାଧାରଣ ଲୋକଙ୍କ କଥା ଦୂରେ ଥାଉ ଏହି ୧୧ଟିରୁ ଗୋଟିଏ ହେଲେ ପ୍ରମାଣପତ୍ର ମୁଁ ବି ଦେଇ ପାରିବି ନାହିଁ । ଏପରିକି ଗତ ତିନିଟି ସାଧାରଣ ନିର୍ବାଚନରେ ଯେଉଁମାନଙ୍କ ଭୋଟରେ ବିଜୟ ଲାଭକରି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି ସେହି ଭୋଟର ମାନଙ୍କୁ ମଧ୍ୟ ନିଜର ନାଗରିକତା ପ୍ରମାଣ କରିବାକୁ ବାଧ୍ୟ କରାଯାଉଛି । ସ୍ମରଣ ରଖିବା ଆବଶ୍ୟକ ଯେ ଏହି ବିଜେପି ସରକାର ୨୦୨୧ ମସିହାରେ ହେବାକୁଥିବା ଜନଗଣନା ଆଜି ମଧ୍ୟ କରିନାହିଁ । ଏହି ସରକାର କଣ ଏତେ ଶୀଘ୍ର ସାରାଦେଶରେ ନାଗରିକତାର ପ୍ରମାଣ ସଂଗ୍ରହ ସହିତ ଭୋଟର ତାଲିକା ସଂଶୋଧନ କରିଦେବେ? ବିହାରରେ ନିର୍ବାଚନ କମିଶନର ଏହି ଧରଣର ସ୍ୱେଚ୍ଛାଚାର ବିରୁଦ୍ଧରେ ସୁପ୍ରିମ କୋର୍ଟରେ ମାମଲା ଦାୟାର କରି ଏଡିଆର ନାମକ ଏକ ସଂସ୍ଥା ଆଶଂକା ପ୍ରକାଶ କରିଛି ଯେ ଏହାଫଳରେ ସଂଖ୍ୟାଲଘୁ, ଆଦିବାସୀ, ପାରମ୍ପରିକ ଜଙ୍ଗଲ ଅଧିବାସୀ, ଦାଦନ ଶ୍ରମିକ ମାନଙ୍କ ସହିତ ପ୍ରାୟ ୩କୋଟିରୁ ଅଧିକ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ପଡିଯିବ । ଦାଦନ ଶ୍ରମିକମାନେ ଅଧିକାଂଶ ସମୟ ନିଜର ଗାଁ ବା ସହରରୁ ଦୂରରେ ରହନ୍ତି । ବିଏଲ୍‌ଓ ମାନେ ସେମାନଙ୍କୁ ଖୋଜି ପାଇବେ ନାହିଁ । ନିର୍ବାଚନ କମିଶନର ନିର୍ଦ୍ଦେଶ ଅନୁଯାୟୀ ଅନଲାଇନରେ ଫର୍ମ ପୂରଣ କରି ଦାଖଲ କରାଯାଇ ପାରିବ । ତେବେ ଏହି ଦେଶର ଦରିଦ୍ର ଜନସାଧାରଣଙ୍କ ମଧ୍ୟରୁ କେତେ ଜଣ ଅନଲାଇନ ବ୍ୟବସ୍ଥା ବ୍ୟବହାର କରି ଏହି କାମ କରିପାରିବେ? ଏଥିପାଇଁ ସେମାନଙ୍କର ଦଲାଲ ହାବୁଡରେ ପଡିବା ନିଶ୍ଚିତ । ଏହାବ୍ୟତୀତ ବିଜେପିର ଏଜେଣ୍ଡା ଅନୁଯାୟୀ ନିର୍ବାଚନ କମିଶନ କହୁଛି- ଦାଦନ ଶ୍ରମିକମାନେ ବର୍ଷର ଅଧିକାଂଶ ସମୟ ଯେଉଁଠାରେ ରହିବେ ସେହିଠାରେ ହିଁ ଭୋଟର ହେବେ । ଏହା ଯେ ସଂପୂର୍ଣ୍ଣ ଭାବରେ ଏକ ତୋଗଲକି ନିଷ୍ପତ୍ତି ଏଥିରେ ସନ୍ଦେହର ଅବକାଶ ନାହିଁ ।
ଆଧାରକାର୍ଡକୁ କେନ୍ଦ୍ରକରି ବିଜେପି ସରକାର ଏତେଦିନ ଧରି ହଇଚଇ କରିଛି । ବର୍ତ୍ତମାନ ବ୍ୟାଙ୍କଠାରୁ ଆରମ୍ଭକରି ହୋଟେଲରେ ରହିବା, ରେସନ ଦୋକାନ, ହାସପାତାଳ ଏପରିକି ଶ୍ମଶାନରେ ମଧ୍ୟ ଆଧାର କାର୍ଡ ହିଁ ଭରସା । ଏପରିକି ଜନସାଧାରଣଙ୍କର ସମସ୍ତ କାର୍ଯ୍ୟକଳାପକୁ ଆଧାର ସହିତ ଯୁକ୍ତ କରିବାପାଇଁ ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର ‘ଦୃଢ’ ଯୁକ୍ତି ଉପସ୍ଥାପନ କରିଥିଲେ । ଆଧାରକୁହିଁ ସରକାର ୟୁନିକ ଆଇଡି ବା ପରିଚୟ ପତ୍ର ବୋଲି ନାମିତ କରିଥିଲେ । ସେହି ଆଧାର କାର୍ଡ ପୁଣି ଭୋଟର ପରିଚୟ ପାଇଁ ଅକାର୍ଯ୍ୟକାରୀ? ସବୁଠାରୁ ଅଧିକ ସଂଖ୍ୟକ ଗରିବ ଲୋକଙ୍କ ନିକଟରେ ଜବ୍ କାର୍ଡ ଥାଏ, ହେଲେ ଜବ କାର୍ଡ ବି ଅକାର୍ଯ୍ୟକାରୀ । ସରକାରଙ୍କ ଯୁକ୍ତି ହେଉଛି ଦୁର୍ନିତୀପୂର୍ଣ୍ଣ ଉପାୟରେ ଆଧାରକାର୍ଡ, ଜବକାର୍ଡ ହାସଲ କରାଯାଉଛି । କେତେକ କ୍ଷେତ୍ରରେ ଅର୍ଥ ବିନିମୟରେ ଅବୈଧ ଅନୁପ୍ରେବେଶକାରୀମାନଙ୍କୁ ଆଧାରକାର୍ଡ ଦିଆଯିବାର ଅଭିଯୋଗ କରାଯାଇଛି । ସେଥିପାଇଁ ଆଧାରକୁ ପ୍ରମାଣ ହିସାବରେ ଗ୍ରହଣ କରାଯିବ ନାହିଁ ବୋଲି ସରକାର ଓ ନିର୍ବାଚନ କମିଶନ ଯୁକ୍ତି କରୁଛନ୍ତି । ଆଧାର କାର୍ଡ କ୍ଷେତ୍ରରେ ଯଦି ଦୁର୍ନୀତି ହୋଇଛି ତା’ହେଲେ ସେଥିପାଇଁ କିଏ ଦାୟୀ? ଏଥିପାଇଁ ସରକାର ଦାୟୀ ନା ସାଧାରଣ ନାଗରିକମାନେ ଦାୟୀ? ଏଥିପାଇଁ ଭୋଟରମାନଙ୍କ ଫଟୋଥିବା ଏବଂ ନିର୍ବାଚନ କମିଶନ ପକ୍ଷରୁ ଜାରୀ କରାଯାଇଥିବା ଭୋଟ ପରିଚୟ ପତ୍ର କାହିଁକି ଗ୍ରହଣୀୟ ହେବ ନାହିଁ? ନିର୍ବାଚନ କମିଶନ ତ ସବୁ ପ୍ରକାର ଯାଂଚ କରି ଏହି କାର୍ଡ ପ୍ରଦାନ କରିଛି । ଆଧାର ଓ ଭୋଟ ପରିଚୟ ପତ୍ର ପାଇଁ ସାଧାରଣ ଲୋକଙ୍କ ଟିକସ ଅର୍ଥରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ସତ୍ତ୍ୱେ ମଧ୍ୟ ଏ କ୍ଷେତ୍ରରେ ଯଦି କିଛି ତ୍ରୁଟି ଥାଏ ତାହେଲେ ପୁଣି ସେହି ତ୍ରୁଟି ତ କେବେହେଲେ ସାଧାରଣ ଭୋଟରର ନୁହେଁ । କମିଶନ ଓ ସରକାରର ଅପଦାର୍ଥତାର ଦାୟଦାୟିତ୍ୱ ସାଧାରଣ ନାଗରିକ ମାନଙ୍କ ମୁଣ୍ଡରେ ଲଦି ଦିଆଯାଉଛି କାହିଁକି?
କାହିଁକି ନିର୍ବାଚନ କମିଶନକୁ ଆଗରେ ରଖି ବିଜେପି ଏହି ଧରଣର ପରିକଳ୍ପନା ଗ୍ରହଣ କଲା? ବିଜେପି ବର୍ତ୍ତମାନ ସମଗ୍ର ଦେଶରେ ଏକ ଆତଙ୍କର ବାତାବରଣ ସୃଷ୍ଟିକରିବାକୁ ଚାହୁଁଛି । ସାଧାରଣ ଲୋକ ଆଜି ବିଜେପି ସରକାରର କୁଶାସନରେ ଅତିଷ୍ଠ, ନିଯୁକ୍ତି, ଶିକ୍ଷା, ଅଧିକାର ଦାବିରେ କ୍ଷୋଭରେ ଫାଟିପଡିବାର ଦ୍ୱାର ଦେଶରେ । ଏହି ପରିସ୍ଥିତିରେ ବିଜେପି ଦଳ ଓ ସରକାର ମାନେ ଦେଶର ବିକ୍ଷୁବ୍ଧ ଜନସାଧାରଣଙ୍କର କ୍ଷୋଭକୁ ଭିନ୍ନ ଦିଗରେ ପରିଚାଳିତ କରିବାପାଇଁ ‘ଅନୁପ୍ରବେଶକାରୀ’ ଭୂତ ଠିଆ କରିବାକୁ ଉଦ୍ୟମ କରୁଛନ୍ତି । ମାତ୍ର ବାସ୍ତବରେ ସେମାନେ ଏତେ ସଂଖ୍ୟକ ଅନୁପ୍ରବେଶକାରୀ ପାଇବେ କେଉଁଠୁ? ସେଥିପାଇଁ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ, ସଂଖ୍ୟାଲଘୁ ସଂପ୍ରଦାୟ ବିଶେଷକରି ବଙ୍ଗଳାଭାଷା କହୁଥିବା ମୁସଲମାନ ଧର୍ମାବଲମ୍ବୀ ମାନଙ୍କ ବିରୁଦ୍ଧରେ ନାନା ରାଜ୍ୟରେ ଅପପ୍ରଚାର ଚଳାଇ, ଅବିଶ୍ୱାସର ବାତାବରଣ ସୃଷ୍ଟିକରି ସେମାନଙ୍କ ‘ଅନୁପ୍ରବେଶକାରୀ’ ତତ୍ତ୍ୱକୁ ସଠିକ୍ ପ୍ରମାଣ କରିବାକୁ ଉଦ୍ୟମ କରାଯାଉଛି । କେନ୍ଦ୍ର ବିଜେପି ସରକାରର ଏହି ଯୋଜନା ଅନୁଯାୟୀ ସରକାରୀ ଦଲାଲରେ ପରିଣତ ହୋଇଥିବା ଏକଚାଟିଆ ପୁଞ୍ଜିପତି ମାନଙ୍କ ମାଲିକାନାଧିନ ଗଣମାଧ୍ୟମ ଲଗାତର ଅପପ୍ରଚାର ଚଳାଇଛି । ଏହାଫଳରେ ସମଗ୍ର ଦେଶରେ ବିଷ୍ଫୋରକ ପରିସ୍ଥିତି ସୃଷ୍ଟି ହେଉଛି । ଏହି ଉଦ୍ଦେଶ୍ୟରେ ହିଁ ସମଗ୍ର ଦେଶରେ ଏନ୍‌ଆରସି ଲାଗୁ କରିବାପାଇଁ କେନ୍ଦ୍ର ବିଜେପି ସରକାର ପୂର୍ବରୁ ଉଦ୍ୟମ କରିଥିଲା । ଏହି ଉଦ୍ୟମ ପ୍ରତିବାଦରେ ସମଗ୍ର ଦେଶରେ ଗଣଆନ୍ଦୋଳନ ଗଢିଉଠିବା ଫଳରେ ସମଗ୍ର ଦେଶରେ ଏନ୍‌ଆରସି ଲାଗୁ କରିବା ନିଷ୍ପତ୍ତିରୁ କେନ୍ଦ୍ର ବିଜେପି ସରକାର ସାମୟିକ ଭାବରେ ଓହରି ଯାଇଥିଲେ ମଧ୍ୟ ପଛଦ୍ୱାର ବାଟେ ଏହାକୁ ଚାଲୁ କରିବାର ଉଦ୍ୟମ ପୁନର୍ବାର ଆରମ୍ଭ ହୋଇଛି । ଏନ୍‌ଆରସିକୁ କେନ୍ଦ୍ରକରି ବିଜେପି ଆସାମରେ କି ଧରଣର ସାଂଘାତିକ ସାଂପ୍ରଦାୟିକ ପରିସ୍ଥିତି ସୃଷ୍ଟି କଲା ସେ ଅଭିଜ୍ଞତା ଆସାମର ଜନସାଧାରଣଙ୍କର ରହିଛି । ବିଜେପି ମନେକରୁଛି ଏହି କାମଟି ସଫଳତାର ସହିତ କରିପାରିଲେ ଦେଶରେ ସାଂପ୍ରଦାୟିକ ବିଭାଜନକୁ ଚୂଡାନ୍ତ ରୂପ ଦେଇ ହିନ୍ଦୁ ଭୋଟବ୍ୟାଙ୍କ ଆଧାରରେ ଦୀର୍ଘ ବର୍ଷ ଧରି କ୍ଷମତା ଉପଭୋଗ କରିପାରିବ ଏବଂ ଏକଚାଟିଆ ପୁଞ୍ଜିପତି ମାନଙ୍କ ସେବାଦାସର ଭୂମିକା ପାଳନ କରିପାରିବ । ଏକଚାଟିଆ ପୁଞ୍ଜିପତି ଶ୍ରେଣୀ ଅବାଧରେ ତାର ଶୋଷଣର ରାଜତ୍ୱ ବଳବତ୍ତର ରଖିପାରିବ । ବିଜେପି ଉପରେ ମଧ୍ୟ ପୁଞ୍ଜିପତିମାନଙ୍କ ଆଶୀର୍ବାଦ ବଜାୟ ରହିପାରିବ ।
ତେବେ ଅନୁପ୍ରବେଶ ରୋକିବା ଏବଂ ଦେଶର ସୀମା ଜଗିବା ଦାୟିତ୍ୱ ଯେ କେନ୍ଦ୍ର ସରକାରର ଏବଂ ତାହା ପୁଣି ପ୍ରଧାନମନ୍ତ୍ରୀଙ୍କର ଏକାନ୍ତ ବିଶ୍ୱସ୍ତ କେନ୍ଦ୍ର ଗୃହ ମନ୍ତ୍ରୀଙ୍କର । ସେହି କଥାଟିକୁ ଲୁଚାଇ ଦେବାପାଇଁ ବିଜେପି ପକ୍ଷରୁ ଉଦ୍ୟମ ଚାଲିଛି । କେବଳ ମାତ୍ର ଦେଶରେ ସାଂପ୍ରଦାୟିକ ଧ୍ରୁବୀକରଣ କରିବା, ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ଉଦ୍ଦେଶ୍ୟରେ ହିଁ ଭୋଟ ତାଲିକାରେ ନାଁ ଉଠାଇବା ଭଳି ଏକ ସ୍ୱାଭାବିକ ପ୍ରକ୍ରିୟାକୁ ନିର୍ବାଚନ କମିଶନ ଏତେ ଜଟିଳ କରିଛି । ଏହାକୁ ପୁଣି ଭୋଟର ମାନଙ୍କର ନାଗରିକତା ସହିତ ଯୁକ୍ତ କରିଛି । ବିହାରରେ ପ୍ରାୟ ୭କୋଟି ୫୦ ଲକ୍ଷ ଭୋଟରଙ୍କ ନାଗରିକତାର ଯାଂଚ ୨୮ ଦିନ ମଧ୍ୟରେ କରିବାକୁ ଘୋଷଣା କରିଥିବା ନିର୍ବାଚନ କମିଶନ ଗୋଟିଏ ସରଳ ପ୍ରଶ୍ନର ଉତ୍ତର ଦେଇପାରିନାହିଁ । ମହାରାଷ୍ଟ୍ରରେ ନିର୍ଦ୍ଦିଷ୍ଟ କେତୋଟି ବିଧାନସଭା କ୍ଷେତ୍ରରେ ଗତ ସାଧାରଣ ନିର୍ବାଚନ ଏବଂ ଏହାର ୬ମାସ ପରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରେ କିଭଳି ବିପୁଳ ସଂଖ୍ୟକ ନୂଆ ଭୋଟର ଯୁକ୍ତ ହେଲେ? ସମଗ୍ର ମହାରାଷ୍ଟ୍ରରେ ଅତ୍ୟନ୍ତ ସ୍ୱଳ୍ପ ଦିନର ବ୍ୟବଧାନରେ ଏତେ ସଂଖ୍ୟକ ନୂଆ ଭୋଟର କେଉଁଠୁ ଆସିଲେ? ନିର୍ବାଚନ କମିଶନ ଏହାର ମଧ୍ୟ ଉତ୍ତର ଦେଇ ପାରିନାହିଁ- କିଭଳି ଭାବରେ ଗତ ସାଧାରଣ ନିର୍ବାଚନରେ ଭୋଟ ଶେଷ ହେବାର ୨୪ଘଣ୍ଟା ପରେ ଭୋଟ ଦାତାଙ୍କ ସଂଖ୍ୟା ବିପୁଳ ପରିମାଣରେ ବଢିଗଲା । ଏହିଭଳି ପରିସ୍ଥିତିରେ ବିହାରରେ ଅତି ଅଳ୍ପଦିନ ମଧ୍ୟରେ ଏହିଭଳି ନୂଆ ଭୋଟର ତାଲିକା ପ୍ରସ୍ତୁତ କରିବାପାଇଁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ବିରୁଦ୍ଧରେ ବିହାର ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପାର୍ଟି ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ବିଶେଷ ଅଭିଯାନକୁ ଅବିଳମ୍ବେ ବନ୍ଦ କରିବା ଏବଂ ଦେଶର ସମସ୍ତ ନାଗରିକଙ୍କର ଭୋଟ ଦେବାର ଅଧିକାରକୁ ସୁନିଶ୍ଚିତ କରିବାପାଇଁ ପାର୍ଟି ପକ୍ଷରୁ ଦୃଢ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *