କେନ୍ଦୁଝର ଜିନ୍ଦଲ-ପୋସ୍କ ପ୍ରତିରୋଧ ମଂଚ ପକ୍ଷରୁ ବିଶାଳ ଗଣବିକ୍ଷୋଭ
SK News dated – 10.09.2025 – ଜିନ୍ଦଲ ଓ ପୋସ୍କୋ ସହ ରାଜ୍ୟ ବିଜେପି ସରକାର କରିଥିବା ଏମ୍ଓୟୁ ରଦ୍ଦ କରିବା ଦାବିରେ ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଂଚ ଓ ଅଲ୍ ଇଣ୍ଟିଆ କିଷାନ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍ଏସ୍) ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଛି । ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଂଚ ନେତୃତ୍ୱରେ ହଜାର ହଜାର ଚାଷୀ-ମୂଲିଆ, ମହିଳା, ଛାତ୍ର ଓ ଯୁବକ କେନ୍ଦୁଝରସ୍ଥ କରଞ୍ଜିଆ ବସଷ୍ଟାଣ୍ଡଠାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ସ୍ଥଳରେ ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ସଭାପତି କମ୍ରେଡ ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ମଣ୍ଡଳୀର ସଦସ୍ୟ ତଥା ପୂର୍ବତନ ବିଧାୟକ କମ୍ରେଡ ଶମ୍ଭୁନାଥ ନାଏକ ଯୋଗଦେଇ ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠାକୁ ଦୃଢଭାବେ ବିରୋଧ କରିଥିଲେ । କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରଙ୍କ କର୍ପୋରେଟ ପ୍ରୀତି ବିରୁଦ୍ଧରେ ଆଗାମୀ ଦିନରେ ଦୀର୍ଘସ୍ଥାୟୀ ଗଣ ଆନ୍ଦୋଳନ ଗଢି ତୋଳିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ କମ୍ରେଡ୍ ନାଏକ ଆହ୍ୱାନ କରିଥିଲେ । ଏହି ବିକ୍ଷୋଭ ସମାବେଶରେ ଅଲ୍ ଇଣ୍ଟିଆ କିଷାନ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସଂପାଦକ ତଥା ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଂଚର ଉପଦେଷ୍ଟା କମ୍ରେଡ ରଘୁନାଥ ଦାସ ଯୋଗ ଦେଇ ବେକାରୀ ସମସ୍ୟା ସମାଧାନ ପାଇ ଁ ନିଯୁକ୍ତି ଭିତ୍ତକ ଶିଳ୍ପ କଳକାରଖାନା ସରକାରୀ ଉଦ୍ୟୋଗରେ କରାଯିବା ଆବଶ୍ୟକ ଏବଂ ଏଥିପାଇଁ କେନ୍ଦୁଝର ଜିଲ୍ଲାରେ ସରକାରଙ୍କ ହାତରେ ୩ ହଜାରୁ ଅଧିକ ଏକର ଜମି ବାଂଶପାଳ ବ୍ଲକର ତରମାକାନ୍ତଠାରେ ଅଛି ବୋଲି କହିଥିଲେ । ଏହାଛଡା ଲୁହାପଥର ଖଣି ସଂଲଗ୍ନ ଅଂଚଳରେ ପର୍ଯ୍ୟାପ୍ତ ପରିମାଣର ସରକାରୀ ଜମି ମଧ୍ୟ ରହିଛି । ସରକାର ସେଠାରେ କଳକାରଖାନା ନକରି ହଜାର ହଜାର ଲୋକଙ୍କୁ ବିସ୍ଥାପିତ କରି ଉର୍ବର ଚାଷ ଜମିକୁ ବଳପୂର୍ବକ ଛଡେଇନେଇ କମ୍ପାନୀ ହାତକୁ ଟେକିଦେବା ସରକାରଙ୍କର ଜନବିରୋଧୀ ଚରିତ୍ରକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ଦସ ପ୍ରକାଶ କରିଥିଲେ । ଏହି ବିକ୍ଷୋଭ ସଭାରେ ଜିନ୍ଦଲ-ପୋସ୍କ ପ୍ରତିରୋଧ ମଂଚର ସଂପାଦକ କମ୍ରେଡ ବେଣୁଧର ସର୍ଦ୍ଦାର, ଉପସଭାପତି ଶ୍ରୀଯୁକ୍ତ ସରୋଜ କୁମାର ସିଂହ, ପ୍ରକାଶ ମଲ୍ଲିକ, ରବିନ୍ଦ୍ର କୁମାର ମହାନ୍ତ ସେମାନଙ୍କ ବକ୍ତବ୍ୟରେ ରକ୍ତ ଦେବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଇନ୍ଦ୍ରମଣି ମହାନ୍ତ, ନିର୍ମଳା ନାଏକ, ଶତ୍ରୁଘ୍ନ ନାଏକ, ତ୍ରିଲୋଚନ ମହାନ୍ତ, ଲାଲମୋହନ ନାଏକ, ଲୋକନାଥ ପାତ୍ର, ଭୁବନାନନ୍ଦ ସର୍ଦ୍ଦାର, ବେଣୁଧର ନହରା, ମନରଞ୍ଜନ ମହାନ୍ତ, ରଘୁନାଥ ନାଏକ, ନେତ୍ରାନନ୍ଦ ନାଏକ, ଇଶ୍ୱର ଚନ୍ଦ୍ର ମହାନ୍ତ, ଗଣେଶ୍ୱର ନାଏକ, ଲକ୍ଷ୍ମୀପ୍ରିୟା ମହାନ୍ତ, ରାମଚନ୍ଦ୍ର ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ, କୌଳାସ ଚନ୍ଦ ୍ର ମହାନ୍ତ, ବିମ୍ବାଧର ମହାନ୍ତ ଓ ମଙ୍ଗୁଳି ନାଏକ ପମୁଖ ସେମାନଙ୍କ ବକ୍ତବ୍ୟରେ କୌଣସି ପରିସି୍ଥତିରେ ଭିଟାମାଟି ଓ ଚାଷଜମି ଛାଡିବୁ ନାହିଁ ଓ ଆବଶ୍ୟକ ହେଲେ ନିଜର ଜୀବନ ବିସର୍ଜନ କରିବାକୁ ପଛଘୁଞ୍ଚା ଦେବୁନାହୁଁ ବୋଲି ବଜ୍ର ଶପଥ ନେଇଥିଲେ । କମ୍ରେଡ ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ, ବେଣୁଧର ସର୍ଦ୍ଦାର, ସରୋଜ କୁମାର ସିଂହ, ଭାଗବତ ମହାନ୍ତ ଆଇନଜିବୀ ବିଷ୍ଣୁଶର୍ମା ସାହୁଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସହିତ ୧୮ ଟି ଗ୍ରାମର କ୍ଷତିଗ୍ରସ୍ତ ଗ୍ରାମବାସୀମାନଙ୍କ ଦସ୍ତଖତ ପ୍ରଦାନ କରିଥିଲେ ।