ରାଜ୍ୟବ୍ୟାପୀ ସାର ପାଇଁ ଚାଷୀ ହାହାକାର କରୁଛି ହେଲେ ସରକାର ସଂପୂର୍ଣ୍ଣ ଉଦାସୀନ

SK News Dated 21.09.2025 –

ଗତ ଏକ ମାସ ଧରି ସାରା ରାଜ୍ୟରେ ୟୁରିଆ ସାର ପାଇଁ ଚାଷୀକୂଳ ହାହାକାର କରୁଛି । କେଉଁଠି କୃଷି ସମବାୟ ସମିତି କାର୍ଯ୍ୟାଳୟରେ ରାତିସାରା ସାର ମୁଠାଏ ପାଇବାପାଇଁ ଚାଷୀ ଅନିଦ୍ରା ହୋଇ ଜଗି ରହିଛି ତ ଆଉ କେଉଁଠି ଲ୍ୟାମ୍ସ କି ପାକ୍ସ ଅଫିସ ସମ୍ମୁଖରେ ଆଧାରକାର୍ଡ ଧରି ରଖିଦେଇ ଅଫିସ ବାରଣ୍ଡାରେ ମଶା ଡାଆଁସ ଗୋଡେଇ ରାତି କାଟୁଛି । ପୁଣି କେଉଁଠି ବିଚରା ଧୈର୍ଯ୍ୟହରା ଚାଷୀ ରାସ୍ତାରେ ଗାଡି ମଟର ଅଟକେଇ ନିଜ ଦୁଃଖ ସରକାରଙ୍କୁ ଜଣାଇବାକୁ ବିଫଳ ଉଦ୍ୟମ କରୁଛି । ଗାଁ ଗହୀରରେ ହସି ଉଠୁଥିବା ଧାନ ଫସଲ ସାର ଅଭାବରୁ ନଷ୍ଟ ହେବାର ଆଶଙ୍କାରେ ହତାଶାଗ୍ରସ୍ତ ଚାଷୀ ପୁଣି କେଉଁଠି ସାର ଗାଡି ଲୁଟ କରିବା ଖବର ମଧ୍ୟ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ଏହିଭଳି ସାରା ରାଜ୍ୟରେ ସାରର ଅଭାବ ଚାଷୀକୂଳକୁ ହୀନସ୍ତା କରୁଛି । ଏହି ପରିସ୍ଥିତିରେ ବାଧ୍ୟ ହୋଇ ଚାଷୀ ଚଢା ଦରରେ କଳାବଜାରରେ ସାର ଖରିଦ କରୁଛି । ସରକାରଙ୍କ କୃପାରୁ ଚାଷୀ ସର୍ବସ୍ୱାନ୍ତ ହେଉଛି, କଳାବଜାରୀ ହସୁଛି ।
ହେଲେ ଅନ୍ୟାନ୍ୟ ବହୁ ଲମ୍ବା ଚଉଡା ପ୍ରତିଶୃତି ସହିତ ଚାଷୀକୂଳର ଦୁଃଖ ଦୂର କରିବାପାଇଁ ପ୍ରତିଶୃତି ଦେଇ କ୍ଷମତାସୀନ ହୋଇଥିବା ରାଜ୍ୟ ବିଜେପି ସରକାର ଚାଷୀକୂଳର ଏହିଭଳି ଦୟନୀୟ ପରିସ୍ଥିତି ସଂପର୍କରେ ସଂପୂର୍ଣ୍ଣ ଉଦାସୀନ । ବିଭାଗୀୟ ମନ୍ତ୍ରୀ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟାଏ ପରେ ଗୋଟାଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଚାଲିଛି, ହେଲେ ଚାଷୀର ଦୁଃଖ ଦୂର ହେଉନାହିଁ କିମ୍ବା ସାର ମୁଠିଏ ତାକୁ ମିଳୁନାହିଁ । କଟା ଘା’ରେ ଚୂନ ବୋଳିଲାଭଳି ଘୋଷଣା କରିଛନ୍ତି- ରାଜ୍ୟରେ ଯଥେଷ୍ଟ ପରିମାଣରେ ସାର ମହଯୁଦ ରହିଛି । ଚିନ୍ତା କରିବାର କୌଣସି କାରଣ ନାହିଁ । ସରକାର ଆହୁରି ମଧ୍ୟ ଘୋଷଣା କରିଛନ୍ତି- ସାର କଳାବଜାରୀକୁ ଦୃଢ ହସ୍ତରେ ଦମନ କରାଯାଉଛି, ଗୋଟିଏ ଦାନା ସାର କଳାବଜାରରେ ବିକ୍ରି କରିବାକୁ ଦିଆଯିବ ନାହିଁ । ହେଲେ ଲ୍ୟାମ୍ସ ପାକ୍ସ କିମ୍ବା କୃଷି ସମବାୟ ସମିତି ଅଫିସ ଦୁଆର ମୁହଁରେ ରାତିସାରା ଜଗି ଜଗି ଦିନ ଦିପହରକୁ ଅଧ ବସ୍ତାଏ ସାର ଧରି ଘରକୁ ଫେରୁଥିବା କିମ୍ବା କଳାବଜାରରୁ ଚଢା ଦାମରେ ସାର କିଣୁଥିବା ଚାଷୀ ଭାବୁଛି ସରକାର ବୋଧେ ଆଉ କୋଉ ରାଇଜର ଚାଷୀଙ୍କ ପାଇଁ ଏସବୁ ଘୋଷଣା କରୁଛନ୍ତି । ମାସାଧିକାଳ ରାଜ୍ୟରେ ସାରର ଅଭାବନାହିଁ ବୋଲି ଦାବି କରିବା ପରେ ସଂପ୍ରତି ରାଜ୍ୟ କୃଷି ମନ୍ତ୍ରୀ ଏକ ବିସ୍ମୟକର ବୟାନ ଦେଇଛନ୍ତି । ମନ୍ତ୍ରୀ ମହୋଦୟ କହିଛନ୍ତି ଚଳିତବର୍ଷ ରାଜ୍ୟରେ ପୂର୍ବବର୍ଷ ତୁଳନାରେ ଅଧିକ ଜମିରେ ଧାନଚାଷ ହୋଇଥିବାରୁ ସାରକୁ ନେଇ ଏହି ଧରଣର ପରିସ୍ଥିତି ସୃଷ୍ଟି ହୋଇଛି । ଆମେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ, ମନ୍ତ୍ରୀଙ୍କର ଏହି ଦାବି ସଂପୂର୍ଣ୍ଣ ଭ୍ରମାତ୍ମକ । ତେବେ ମନ୍ତ୍ରୀଙ୍କର ଏହି ବିବୃତ୍ତିରୁ ହିଁ ବୁଝି ହେଉଛି ଯେ ରାଜ୍ୟରେ ସାରର ଅଭାବକୁ ସରକାର ପ୍ରକାରାନ୍ତରେ ସ୍ୱୀକାର କଲେ ମଧ୍ୟ ଗାଲଭୁରୁଡି ମାରି ଚାଲିଛନ୍ତି ।
ବର୍ତ୍ତମାନ ଏ ସଂପର୍କିତ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଏଠାରେ ସଂକ୍ଷେପରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି । ପ୍ରଥମତଃ, ଦେଶରେ ସାରର ଆବଶ୍ୟକତା ମେଣ୍ଟାଇବା ପାଇଁ ବିଗତ ଶତାବ୍ଦୀର ୭୦ଦଶକର ଆରମ୍ଭରୁହିଁ ସରକାର ଉଦ୍ୟୋଗରେ ଦେଶରେ ଅନେକ ଗୁଡିଏ ସାର କାରଖାନା ପ୍ରତିଷ୍ଠା କରାଯାଇଥିଲା । ବହୁ ପ୍ରଚାରିତ ସବୁଜ ବିପ୍ଳବ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାବ୍ୟତୀତ ବିଦେଶରୁ ଆବଶ୍ୟକତା ମୁତାବକ ସାର ଆମଦାନୀ ମଧ୍ୟ କରାଯାଉଥିଲା । ଏହି ସାରକୁ ପଂଚାୟତ ସ୍ତରରେ ଥିବା କୃଷି କାର୍ଯ୍ୟାଳୟ ଜରିଆରେ ଚାଷୀକୁ ସରକାରୀକଳର ତତ୍ତ୍ୱାବଧାନରେ ବିକ୍ରି କରାଯାଉଥିଲା । ସାର ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆବଶ୍ୟକତା ତୁଳନାରେ କମ୍ ହେଲେ ମଧ୍ୟ ସବ୍‌ସିଡି ପ୍ରଦାନ କରୁଥିଲେ । ମାତ୍ର ୧୯୯୦ ଦଶକର ଆରମ୍ଭରେ ଦେଶରେ ତଥାକଥିତ ଉଦାରୀକରଣ ଅର୍ଥନୀତି ପ୍ରଚଳନ ହେବାପରେ ରାଷ୍ଟ୍ରାୟତ୍ତ ସାର କାରଖାନା ଗୁଡିକୁ ଗୋଟିକ ପରେ ଗୋଟିଏ ଘରୋଇ କମ୍ପାନୀ ହାତକୁ ଟେକି ଦିଆଗଲା କିମ୍ବା ବନ୍ଦ କରିଦିଆଯାଇଥିଲା । ଗତ କିଛି ବର୍ଷ ପୂର୍ବରୁ ଏହି କାରଖାନାକୁ ପୁନର୍ବାର ଖୋଲିବା ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ କାରଖାନା ଆଜିବି ଚାଲୁ ହୋଇନାହିଁ । ଫଳରେ ବର୍ତ୍ତମାନ ଦେଶର ମୋଟ ସାର ଆବଶ୍ୟକତାର ସିଂହଭାଗ ଆମଦାନୀ କରାଯାଉଛି । ସ୍ୱାଭାବିକ ଭାବରେ ଏହି ସାର ଦର ବହୁଗୁଣ ଅଧିକ । ଏହାବ୍ୟତୀତ ୧୯୯୧ ମସିହାରେ ତଥାକଥିତ ଅର୍ଥନୈନିକ ସଂସ୍କାର ପରେ ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ଭଳି ଚାଷ ପାଇଁ ଆବଶ୍ୟକ ବିହନ, ସାର, ପୋକମାରା ଔଷଧ ଓ କୃଷି ଯନ୍ତ୍ରପାତି ଉପରୁ ସବ୍‌ସିଡି ସଂପୂର୍ଣ୍ଣ ପ୍ରତ୍ୟାହୃତ ହୋଇଛି । ଫଳରେ ଚାଷୀକୁ ଚଢାଦରରେ ସାର କିଣିବାକୁ ହେଉଛି । ଆହୁରି ମଧ୍ୟ ପୂର୍ବରୁ କେବଳ ସରକାରୀ କଳ ଜରିଆରେ ସାର ବିକ୍ରି କରାଯାଉଥିଲାବେଳେ ବର୍ତ୍ତମାନ ସରକାର ସରକାରୀ କଳ ବ୍ୟତୀତ ବ୍ୟବସାୟୀ ମାନଙ୍କୁ ମଧ୍ୟ ସାର ବ୍ୟବସାୟ କରିବାର ସୁଯୋଗ ଦେଇଛନ୍ତି । ଅର୍ଥାତ୍ ସରକାରହିଁ ବ୍ୟବସାୟୀ ମାନଙ୍କୁ ସାର ଯୋଗାଇ ଦେଇ ସାରର କଳାବଜାର ପାଇଁ ରାସ୍ତା ଖୋଲି ଦେଇଛନ୍ତି । ଦ୍ୱିତୀୟତଃ, ରାଜ୍ୟରେ ଚାଷୀ ମାନଙ୍କ କେତେ ସାର ଆବଶ୍ୟକ ତାର ହିସାବ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଆଧାରରେ କରାଯାଉଛି । ସରକାର ସମଗ୍ର ରାଜ୍ୟରୁ ମଣ୍ଡି ଜରିଆରେ ପୂର୍ବବର୍ଷ ଖରିଦ୍ କରୁଥିବା ମୋଟି ଧାନ ଚାଷ ପାଇଁ ଯେତିକି ସାର ଆବଶ୍ୟକ ହୋଇଥିଲା ଚଳିତବର୍ଷ ସେତିକି ସାର ଯୋଗାଇବାପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ ପତ୍ର ଦାଖଲ କରୁଛନ୍ତି । ରାଜ୍ୟ ସରକାର ଦାବି କରିଥିବା ପରିମାଣ ସାର କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ଏବଂ ଏହା ଡବଲ ଇଂଜିନ ସରକାର ପାଇଁ ସମ୍ଭବ ହୋଇଛି ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି । ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ରାଜ୍ୟରେ ପ୍ରତିବର୍ଷ ଉତ୍ପାଦନ କରାଯାଉଥିବା ମୋଟ ଧାନର ଏକ କ୍ଷୁଦ୍ର ଅଂଶ ସରକାର ମଣ୍ଡି ଜରିଆରେ ଖରିଦ କରନ୍ତି । ବାକି ଧାନ ଚାଷୀ, ଘରେ ଖାଇବାପାଇଁ ରଖେ ଏବଂ ବଳକା ଧାନକୁ ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି)ଠାରୁ ଯଥେଷ୍ଟ କମ ଦରରେ ବ୍ୟବସାୟୀମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହୁଏ । ସୁତରାଂ, ସରକାର ଯେତିକି ଧାନ ଖରିଦ କରନ୍ତି ସେତିକି ଧାନପାଇଁ ସାର ଆଣିବା ଅର୍ଥଯୋଗାଣ ସମୟରୁହିଁ ସାରର ଅଭାବ ସୃଷ୍ଟି କରିବ । ସେଥିପାଇଁ ହିଁ ପ୍ରତିବର୍ଷ ଚାଷ ସମୟରେ ସାରର ଅଭାବ ଦେଖାଦିଏ ଏବଂ ଚଳିତବର୍ଷ କଳାବଜାରୀ ମାନଙ୍କ ପ୍ରତି ରାଜ୍ୟ ବିଜେପି ସରକାରର ନରମ ମନୋଭାବ ଯୋଗୁ ପରିସ୍ଥିତି ଉତ୍କଟ ହୋଇଛି । ତୃତୀୟତଃ, ସରକାରୀ ନିୟମ ଅନୁଯାୟୀ କେବଳ କୋପରେଟିଭ ସୋସାଇଟି କିମ୍ବା ବ୍ୟାଙ୍କରୁ କୃଷିଋଣ ନେଇଥିବା ଚାଷୀମାନେହିଁ ସରକାରୀ କଳ ଜରିଆରେ ବିକ୍ରି କରାଯାଉଥିବା ସାର ପାଇବାପାଇଁ ହକଦାର । ଅନ୍ୟ ଚାଷୀମାନେ ଖୋଲାବଜାରରୁ ସାର କିଣିବାପାଇଁ ବାଧ୍ୟ । ଉଲ୍ଲେଖ କରିବା ବାହୁଲ୍ୟ ସରକାରୀ ସାର ଯୋଗାଣ କ୍ଷେତ୍ରରେ ଅବ୍ୟବସ୍ଥା ବୃଦ୍ଧି ସହିତ ଖୋଲାବଜାରରେ ସାର ଦର ମଧ୍ୟ ତାଳ ଦେଇ ବୃଦ୍ଧି ପାଏ । ଏହି ପରିପ୍ରେକ୍ଷୀରେ ଆହୁରି ସୂଚାଇ ଦେବା ଆବଶ୍ୟକ ଯେ କେବଳ ଜମି ମାଲିକମାନେହିଁ କୋପରେଟିଭ ସୋସାଇଟି ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ କୃଷିଋଣ ପାଇବାପାଇଁ ହକଦାର । ସୁତରାଂ, ରାଜ୍ୟର ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ଶତକଡା ୮୫ଭାଗ ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ କୋପରେଟିଭ ସୋସାଇଟି କିମ୍ବା ବ୍ୟାଙ୍କରୁ କୃଷି ଋଣ ନେଇପାରନ୍ତି ନାହିଁ କିମ୍ବା ସରକାର ଯୋଗାଇ ଦେଉଥିବା ସାର ପାଇପାରନ୍ତି ନାହିଁ । ସେମାନେ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ଟଙ୍କା ପାଇଁ ଗାଁ ମହାଜନ, ମାଇକ୍ରୋଫାଇନାନ୍ସ ସଂସ୍ଥା ଏବଂ ସାର, ବିହନ, ପୋକମରା ଔଷଧ ପାଇଁ ଖୋଲା ବଜାର ଉପରେ ନିର୍ଭର କରିବାକୁ ବାଧ୍ୟ । ପୁଣି ଏହି ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସରକାରୀ ଧାନମଣ୍ଡି ମନା । ଏମ୍‌ଏସ୍‌ପିର ଯଥେଷ୍ଟ କମ ଦରରେ ବ୍ୟବସାୟୀକୁ ଧାନ ବିକ୍ରିକରି ଋଣ ଯନ୍ତାରେ ପଡି ସର୍ବସ୍ୱାନ୍ତ ହେବା, ଚାଷ ଛାଡି ଦାଦନ ଖଟିବାକୁ ଯିବା କିମ୍ବା ଆତ୍ମହତ୍ୟା କରିବାକୁ ମଧ୍ୟ ସେମାନେ ବାଧ୍ୟ ।
ସଂକ୍ଷେପରେ ଏହା ହେଉଛି ରାଜ୍ୟର ଶତକଡା ୮୫ଭାଗ ଚାଷୀଙ୍କ ଅବସ୍ଥା । କେବଳ ସାରର ଅଭାବ ନୁହେଁ, ରାଜ୍ୟର ଶତକଡା ୮୫ଭାଗଚାଷୀଙ୍କ ହାତରେ ଜମି ନାହିଁ, ଜମିକୁ ପାଣି ନାହିଁ, କେନାଲରେ ଆବଶ୍ୟକ ସମୟରେ ପାଣି ଆସେନାହିଁ, ଚାଷୀ କେବଳ ଜଳକର ଗଣେ । ଚାଷ ପାଇଁ ପାଣି ମୁନ୍ଦିଏ ପାଏନା । ଉଠାଜଳସେଚନ ବ୍ୟବସ୍ଥା ରାଜ୍ୟ ସରକାର ବହୁ ଦିନରୁ ବନ୍ଦ କରିଦେଇଛନ୍ତି । ଫଳରେ ପାଣି ପାଇଁ ଆକାଶକୁ ଚାହିଁବା ବ୍ୟତୀତ ଚାଷୀ ପାଖରେ ଅନ୍ୟ ଉପାୟ ନାହିଁ । ଜୟବାୟୁ ପରିବର୍ତ୍ତନ ଫଳରେ ଚାଷ କାମ ଆହୁରି ଅଧିକ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ପୂର୍ବରୁ ଉଲ୍ଲେଖ କରାଯାଇଛି ବିହନ, ସାର, ପୋକମରା ଔଷଧ ଓ କୃଷି ଯନ୍ତ୍ରପାତି ଉପରେ ଆଉ ସବ୍‌ସିଡି ନାହିଁ । ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀକୁ ସୋସାଇଟି କିମ୍ବା ବ୍ୟାଙ୍କ ଋଣ ନାହିଁ । ମଣ୍ଡିରେ ଧାନ ବିକ୍ରି କରିବାର ଅଧିକାର ନାହିଁ । ରାଜ୍ୟର ଚାଷୀ ଏହିଭଳି ଅବସ୍ଥାରେ ପଡିଥିଲାବେଳେ ଚାଷୀମାନଙ୍କର ଅସଲ ସମସ୍ୟାର ସମାଧାନ କରିବା ବଦଳରେ ପୂର୍ବର ରାଜ୍ୟ ବିଜେଡି ସରକାର କାଳିଆ ଯୋଜନାକରି ବର୍ଷକୁ ଚାଷୀଙ୍କୁ ପ୍ରଥମେ ୫ହଜାର ଓ ପରେ ୨ହଜାର ଟଙ୍କା ଦେଇ ବାହାବା ନେବାକୁ ଉଦ୍ୟମ କରିଥିଲା । ସେହିଭଳି ୨୦୨୨ ସୁଦ୍ଧା ସମଗ୍ର ଦେଶର ଚାଷୀଙ୍କ ଆୟ ଦୁଇଗୁଣ କରିବାପାଇଁ ପ୍ରତିଶୃତି ଦେଇଥିବା ପ୍ରଧାନମନ୍ତ୍ରୀ ବର୍ଷକୁ କେତେକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୬ହଜାର ଲେଖାଏଁ ଟଙ୍କା ପଠାଇ ଭୋଟବ୍ୟାଙ୍କ ସୃଷ୍ଟି କରିବାପାଇଁ ଉଦ୍ୟମ କରୁଛନ୍ତି । ରାଜ୍ୟର ଚାଷୀମାନଙ୍କ ମୌଳିକ ସମସ୍ୟାର ସମାଧାନ କରିବାପାଇଁ ପ୍ରତିଶୃତି ଦେଇ କ୍ଷମତାସୀନ ହୋଇଥିବା ରାଜ୍ୟ ବିଜେପି ସରକାର ମଧ୍ୟ ସେହି ରାସ୍ତାରେହିଁ ଚାଲିଛି । ଏହି ସରକାର ଚାଷୀମାନଙ୍କ ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ କ୍ଷମତାସୀନ ହେବାର ୧୭ ମାସ ପରେ ମଧ୍ୟ କୌଣସି ପରିକଳ୍ପନା ହିଁ ଗ୍ରହଣ କରିନାହିଁ । ଏହାର ପରିଣାମ ବର୍ତ୍ତମାନ ସାର ସଂକଟ । ଏହି ପରିସ୍ଥିତିରେ ନିଜର ସମସ୍ୟାର ସମାଧାନ ପାଇଁ ଲଗାତର ଆନ୍ଦୋଳନ ସଂଗଠିତ କରିବା ବ୍ୟତୀତ ଚାଷୀକୂଳର ଗତ୍ୟନ୍ତର ନାହିଁ ।

Leave a Reply

Your email address will not be published. Required fields are marked *