୨୫ ନଭେମ୍ବର ଜନଗର୍ଜନରେ କମ୍ପିଉଠିଲା ରାଜଧାନୀ – ଡିସେମ୍ବର ୯ ରୁ ୧୫ ରାଜ୍ୟବ୍ୟାପି ଦାବି ସପ୍ତାହର ଡାକରା
SKranti Dated – 01.12.2025 –
“ଯଦି ନ ଶୁଣନ୍ତି?”
“ନ ଶୁଣିଲେ ବାରମ୍ବାର ଆସିବୁ । ଆହୁରି ଅଧିକ ସଂଖ୍ୟାରେ ଆସିବୁ । ଆନ୍ଦୋଳନ ଜୋରଦାର କରିବୁ ।” କ୍ୟାମେରା ସାମ୍ନାରେ କୋଳରେ କଅଁଳା ଶିଶୁକୁ ଜାବୁଡି ଧରି ଗର୍ଜି ଉଠି ଜବାବ ଦେଉଥିଲେ କନ୍ଧମାଳର ଜଣେ ମହିଳା ଆନ୍ଦୋଳନକାରୀ ।
“ସକାଳୁ ଆସୁ, ଫେରୁ ଫେରୁ ସନ୍ଧ୍ୟା ହୋଇଯାଏ । ନିଜ ଛୁଆ ମୁହଁ ଦେଖିପାରୁନା । କେତେ ଛୁଆ, ଶିକ୍ଷକଙ୍କ ଭୋକ ଦୂର କରୁ; ହେଲେ ଆମ ଘର ଛୁଆ ଭୋକିଲା । ସ୍କୁଲରେ ଚୁଲି ଜାଳୁ, ଆମ ଘରେ ଚୁଲି ବନ୍ଦ । ଏତେ କରିବି ଆମର କୌଣସି ସମ୍ମାନ ନାହିଁ, ସୁରକ୍ଷା ନାହିଁ । ସରକାରୀ କର୍ମଚାରୀର ମାନ୍ୟତା ତ ମିଳିଲା ନାହିଁ, ଦିନ ମଜୁରିଆ ଭାବେ ବି କୌଣସି ସରକାର ଗ୍ରହଣ କଲେ ନାହିଁ । ନୂଆ ସରକାର ଘୋଷଣା କଲେ, ସର୍ବନିମ୍ନ ଦୈନିକ ମଜୁରି ୪୬୨ଟଙ୍କା, ଆମେ କିନ୍ତୁ ପାଉ ଦିନକୁ ୧୦୦ଟଙ୍କା, ସେ ପୁଣି ୩ ମାସରେ ୪ମାସରେ ଥରେ । ପୁରା ଦରମା ବି ପାଉନା । ମାସେ ନହେଲେ ଦୁଇ ମାସର, ଯାହା ସରକାରଙ୍କ ଦୟା । ଏ ଅନ୍ୟାୟ ସହିବୁ ନାହିଁ, ଆମେ ଲଢିବୁ । ଦରକାର ହେଲେ ସବୁ ସ୍କୁଲରେ ଚୁଲି ବନ୍ଦ କରି ଆନ୍ଦୋଳନ କରିବୁ ।” ବଲାଙ୍ଗିର ଜିଲ୍ଲାରୁ ଆସିଥିବା ଜଣେ ପାଚିକା ସହାୟିକା ଏକଥା କହୁଥିବା ବେଳେ ତାଙ୍କ କଣ୍ଠ ଲୁହ, କୋହ ଓ କ୍ରୋଧରେ ବାଷ୍ପରୁଦ୍ଧ ହୋଇଯାଉଥିଲା । ଜନସମୁଦ୍ରର ଲହଡିଭାଙ୍ଗି କ୍ୟାମେରାମ୍ୟାନ ସହ ଆଗେଇ ଯାଉଥିବା ଏକ ସାମାଜିକ ଗଣମାଧ୍ୟମର ମହିଳା ସାମ୍ବାଦିକ ଯାହାକୁ ବି ଏହିଭଳି ପ୍ରଶ୍ନ ପଚାରୁଥିଲେ ସମସ୍ତଙ୍କଠାରୁ ଏହି ସମାନ ଉତ୍ତର ପାଉଥିଲେ ।
ପରିସ୍ଥିତି ଖୁବ୍ ପ୍ରତିକୂଳ ଥିଲା । ବାତ୍ୟା ଭୟରେ ଆତଙ୍କିତ ଲୋକେ ଅଦିନିଆ ବର୍ଷା ଦାଉରୁ ବଂଚିଥିବା ଧାନ ଓ ଅନ୍ୟାନ୍ୟ ଫସଲ ଅମଳ କରିବାରେ ରକ୍ତକୁ ପାଣି କରି ଲାଗିପଡିଥାନ୍ତି । ପୁଣି ଶୀତର ପ୍ରକୋପ । ଏହାରି ଭିତରେ ଚାଲିଥିଲା ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଡାକରା ଦିଆଯାଇଥିବା ୨୫ ନଭେମ୍ବର ରାଜ୍ୟସ୍ତରୀୟ ବିକ୍ଷୋଭର ପ୍ରସ୍ତୁତି । ଏତେ ବ୍ୟସ୍ତତା ସତ୍ତ୍ୱେବି ବିକ୍ଷୋଭର ୧୭ଦଫା ଦାବିକୁ ଶୋଷିତ ଜନଗଣ ନିଜର ବଂଚିବାର ଦାବି ଭାବେ ଗ୍ରହଣ କରି ଆବେଗର ସହ ଆଗେଇ ଆସିଲେ । ବିଭିନ୍ନ ପ୍ରକାର ଦାୟିତ୍ୱ ପାଳନ କଲେ, ସହୃଦୟ ବ୍ୟକ୍ତି ଆର୍ଥିକ ସହଯୋଗ, ନାନା ପ୍ରକାର ସାହାଯ୍ୟ ଓ ଦୃଢ ନୈତିକ ସମର୍ଥନ ଯୋଗାଇଦେଲେ । ଗାଁ, ସହର, ହାଟ, ବଜାର, ସାହି ବସ୍ତିରେ ହେଉଥିବା ସଭାମାନଙ୍କରେ ଲୋକଙ୍କର ଭିଡ ଦେଖିଲାଭଳି ଥିଲା । ଆନ୍ଦୋଳନ ସଂକ୍ରାନ୍ତୀୟ ବିଶେଷ ବୁଲେଟିନ ହଜାର ହଜାର ସଂଖ୍ୟାରେ ଲୋକ ଆଗ୍ରହର ସହ କ୍ରୟ କରି ପଢିଲେ । ଏପରିକି ଯିଏ ପଢିଜାଣି ନାହାନ୍ତି ସେମାନେ ଅନ୍ୟମାନଙ୍କଠାରୁ ଶୁଣିଲେ । ଗାଁ ଗାଁରେ ବର୍ଷା ଶୀତ ମଧ୍ୟରେ ୩ମାସ ଧରି ଏହିଭଳିଭାବେ ପ୍ରସ୍ତୁତି ଚାଲିଥିଲା । ପୁଣି ଦଳର ନେତା କର୍ମୀମାନେ ପ୍ରାଚୀର ଲିଖନ କରୁଥିଲେ, ପୋଷ୍ଟର ମାରୁଥିଲେ, ଲକ୍ଷ ଲକ୍ଷ ପ୍ରଚାରପତ୍ର ବାଣ୍ଟୁଥିଲେ, ଆନ୍ଦୋଳନ ପାଣ୍ଠି ସଂଗ୍ରହ କରୁଥିଲେ । ଜନସାଧାରଣ କେବଳ ଏହାର ପ୍ରତ୍ୟକ୍ଷଦର୍ଶୀ ନ ଥିଲେ, ସେମାନେ ଏକ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଛନ୍ତି । ପୁଣି ବିଭିନ୍ନ ସ୍ଥାନରେ ଆସିଥିବା ଭୋଟ ସର୍ବସ୍ୱ ରାଜନୈତିକ ଦଳମାନଙ୍କର, ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଲୋକଙ୍କର ବାଧାକୁ ପ୍ରତିହତ କରିବାରେ ଏହି ଜନଗଣହିଁ ସମସ୍ତ ପ୍ରକାର ସହଯୋଗ କରିଛନ୍ତି । ଶେଷରେ ସେହି ପ୍ରତିକ୍ଷିତ ଦିନ୨୫ ନଭେମ୍ବର ଆସିଲା । ସବୁ ବାଧା ପ୍ରତିବନ୍ଧକକୁ ପ୍ରତିହତ କରି ରାଜ୍ୟର ୩୦ଟି ଜିଲ୍ଲାରୁ ୨୫ହଜାରରୁ ଉର୍ଦ୍ଧ୍ୱ ଜନଗଣ ନିଜ ଖର୍ଚ୍ଚରେ ନିଜର ଖାଦ୍ୟ ଧରି ଛୁଟି ଆସିଲେ ରାଜଧାନୀ ଭୁବନେଶ୍ୱରକୁ, ସଚିବାଳୟ ସମ୍ମୁଖ ବିକ୍ଷୋଭ ଆନ୍ଦୋଳନକୁ ସଫଳ କରିବାକୁ । ସଂଗ୍ରାମୀ ଜନଗଣ ସୃଷ୍ଟି କଲେ ଗଣଆନ୍ଦୋଳନର ଇତିହାସରେ ଏକ ପ୍ରେରଣାଦାୟୀ ଅଧ୍ୟାୟ । ସେଥିପାଇଁ ପାର୍ଟିର ରାଜ୍ୟ ସଂପାଦକ କମ୍ରେଡ ଶଙ୍କର ଦାସଗୁପ୍ତ ଉପସ୍ଥିତ ହଜାର ହଜାର ସଂଗ୍ରାମୀ ଜନଗଣ ତଥା ରାଜ୍ୟର ଜନସାଧାରଣଙ୍କୁ ସଂଗ୍ରାମୀ ଅଭିନନ୍ଦନ ଜଣାଇ ଏହି ସଫଳତାର ସମସ୍ତ ଶ୍ରେୟ ସେମାନଙ୍କୁ ହିଁ ଅର୍ପଣ କରିଛନ୍ତି ।
ନଭେମ୍ବର ୨୪ ରାତିରୁ ହିଁ ଭୁବନେଶ୍ୱର ରେଳ ଷ୍ଟେସନ ଲୋକାରଣ୍ୟ ହେବାକୁ ଲାଗିଲା ।୨୫ତାରିଖ ଦିନ ୧୧ଟା ବେଳକୁ ରାଜମହଲ ଛକରେ ସୋରିଷ ପଡିବାକୁ ଜାଗା ନଥିଲା । ସୂର୍ଯ୍ୟର ତେଜ ସହିତ ଆନ୍ଦୋଳନର ତେଜ ବଢିବାରେ ଲାଗିଲା । ୧୧ଟା ୧୫ରେ ଶୋଭାଯାତ୍ରା ଆରମ୍ଭ ହେଲା । କ୍ରମେ କ୍ରମେ ଜନସମୁଦ୍ରର ଉତ୍ତାଳ ତରଙ୍ଗ ଫୁଲି ଫୁଲି ଉଠିଲା । ଲହଡି ପରେ ଲହଡି ଭାଙ୍ଗି ସଚିବାଳୟ ଦିଗରେ ଅଗ୍ରସର ହେଲା । ଏକଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଶୋଭାଯାତ୍ରା ଚାଲୁଥିଲା । ମାଷ୍ଟରକ୍ୟାଣ୍ଟିନ୍ ରୁ ରାଜମହଲ-ରାମମନ୍ଦିର ଛକ ରାସ୍ତା, ପୁଣି ସମ୍ମୁଖ ବିଧାନସଭା ପର୍ଯ୍ୟନ୍ତ ସବୁଠି ବନ୍ୟାଜଳ ଭଳି ଜନସମୁଦ୍ରର ପ୍ଲାବନ ଖେଳୁଥିଲା । ଉପସ୍ଥିତ ପଥଚାରୀ ଦେଖୁଥିଲେ ଏକ ଅଭିନବ ଦୃଶ୍ୟ । ସୁଶୃଙ୍ଖଳିତ ସୁଶୋଭିତ ଜନତାର ପଟୁଆର । ଶୁଣୁଥିଲେ ରାଜ୍ୟର ସାଢେ ୪କୋଟି ଜନଗଣଙ୍କର ବଂଚିବାର ୧୭ଦଫା ଦାବିରେ ଗଗନ ପବନ ପ୍ରକମ୍ପିତ ସ୍ଲୋଗାନର ଅପୂର୍ବ ରାଗିଣୀ । ପୁଣି ପ୍ରତ୍ୟକ୍ଷ କରୁଥିଲେ ଚାଷୀ, ଶ୍ରମିକ, ମହିଳା, ପାଚିକା-ସହାୟିକା, ଆଶା, ଅଙ୍ଗନୱାଡି କର୍ମୀ ଓ ବହୁ ସ୍କିମ୍ ୱାର୍କର, ନିର୍ମାଣ ଶ୍ରମକ, ବସ୍ତିବାସିନ୍ଦା, ଶିକ୍ଷକ କର୍ମଚାରୀ, ଗରିବ ଆଦିବାସୀ, ଛାତ୍ର ଯୁବକ, ବୁଦ୍ଧିଜୀବୀ ଜନଗଣଙ୍କର ଅପୂର୍ବ ସଂଗ୍ରାମୀ ମହାମିଳନ । ବାସ୍ତବରେ ଏହି ଶୋଭାଯାତ୍ରା ଯେ ଜନଗଣଙ୍କର ଶୋଭାଯାତ୍ରା, ପାର୍ଟିର ଦଳୀୟ କର୍ମସୂଚୀ ନୁହେଁ, ଜନଗଣଙ୍କର ହିଁ ନିଜସ୍ୱ କର୍ମସୂଚୀ ତାହା ବଳିଷ୍ଠଭାବେ ପ୍ରତିଭାତ ହେଉଥିଲା ।
ହାତରେ ଥିଲା ଦାବି ସମ୍ବଳିତ ପ୍ଲାକାର୍ଡ, ପାର୍ଟି ବ୍ୟାନର, ସମ୍ମୁଖରେ ବିଶାଳ ଫେଷ୍ଟୁନ୍ ସହ ନେତୃମଣ୍ଡଳୀ । ହଜାରେ କଣ୍ଠରୁ ନିର୍ଘୋଷିତ ହେଉଥିଲା ବିକ୍ଷୋଭର ଦାବି ସମୂହ । ଛାତ୍ରୀ ମହିଳାମାନଙ୍କ ଉପରେ ନିର୍ଯ୍ୟାତନା ବନ୍ଦ କର, ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ଛାତ୍ରୀ ଓ ମହିଳାମାନଙ୍କର ନିରାପତ୍ତା ସୁନିଶ୍ଚିତ କର, ସୌମ୍ୟାଶ୍ରୀ, ବଳଙ୍ଗା ଓ ଅନ୍ୟାନ୍ୟ ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ କଠୋର ଦଣ୍ଡ ଦିଅ, ମଦ-ଡ୍ରଗ୍ସ ଆଦି ସମସ୍ତ ମାଦକ ଦ୍ରବ୍ୟକୁ ସଂପୂର୍ଣ୍ଣ ନିଷିଦ୍ଧ କର, ମୋବାଇଲ ଇଣ୍ଟରନେଟ୍ରେ ଅଶ୍ଳୀଳତା ଯୌନତାର ପ୍ରଚାର ପ୍ରସାର ବନ୍ଦ କର, ବନ୍ଦଥିବା ସମସ୍ତ ଓଡିଆ ମାଧ୍ୟମ ସ୍କୁଲଗୁଡିକୁ ଖୋଲିବା ସହ ସ୍କୁଲ ବନ୍ଦ ଓ ମିଶ୍ରଣ ବନ୍ଦ କର, ପାଚିକା ସହାୟିକା, ଅଙ୍ଗନୱାଡି, ଆଶା କର୍ମୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କର, ଜାତୀୟ ଜୀବିକା ମିଶନ ଓ ସମସ୍ତ ସ୍କିମ୍ ୱାର୍କରମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଅ, ଶିକ୍ଷାର ଘରୋଇକରଣ- ବ୍ୟବସାୟୀକରଣ-ସାଂପ୍ରଦାୟିକରଣ ବନ୍ଦ କର, ସମସ୍ତ ବେକାର ଯୁବକ ଯୁବତୀମାନଙ୍କୁ ସ୍ଥାୟୀ କର୍ମ ନିଯୁକ୍ତି ଯୋଗାଇ ଦିଅ, ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡିଥିବା ପଦବୀ ଗୁଡିକୁ ଅବିଳମ୍ବେ ପୂରଣ କର, ଠିକା ନୁହେଁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦିଅ, ନିଯୁକ୍ତି ନ ମିଳିବା ଯାଏ ବେକାରୀ ଭତ୍ତା ପ୍ରଦାନ କର, ମନରେଗା ଯୋଜନାରେ ବର୍ଷସାରା କାମ ଯୋଗାଇ ଦିଅ, ବିଦ୍ୟୁତର ଘରୋଇକରଣ ଓ ସ୍ମାଟ୍ ମିଟର ବସାଇବା ବନ୍ଦ କର, ବିଦ୍ୟୁତ ସଂଶୋଧନ ଆଇନ-୨୦୨୩ ରଦ୍ଦ କର, ପୁଞ୍ଜିପତିଙ୍କ ସ୍ୱାର୍ଥରେ ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କର, ସରକାରୀ ପତିତ ଜମିରେ ଶ୍ରମଭିତ୍ତିକ ଶିଳ୍ପ ପ୍ରତିଷ୍ଠା କର, ଜଙ୍ଗଲ ସଂଶୋଧନ ଆଇନ-୨୦୨୩ ବାତିଲ କର, ସମସ୍ତ କୃଷିଜାତ ଦ୍ରବ୍ୟ ଉପରେ ଏମ୍ଏସ୍ପିର ଆଇନଗତ ମାନ୍ୟତା ଦିଅ, ଚାଷୀମାନଙ୍କର କୃଷି ଋଣ ଛାଡ କର, ଭାଗଚାଷୀମାନଙ୍କ ପାଖରୁ ସରକାର ସିଧାସଳଖ ଧାନ କ୍ରୟ କର, ଚାଷୀମାନଙ୍କୁ ଚାଷକାର୍ଯ୍ୟରେ ମାଗଣାରେ ବିଦ୍ୟୁତ ଯୋଗାଇ ଦିଅ, ପ୍ରତି ବ୍ଲକ୍ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କର, ଶ୍ରମିକ କର୍ମଚାରୀ ବିରୋଧୀ ୪ଟି ଶ୍ରମକୋର୍ଡ ବାତିଲ କର, ପୁରୁଣା ପେନସନ ବ୍ୟବସ୍ଥା ଚାଲୁ କର, ଉପଯୁକ୍ତ ଥଇଥାନ ବିନା ବସ୍ତିବାସିନ୍ଦାଙ୍କ ଉଚ୍ଛେଦ ବନ୍ଦ କର, ସମସ୍ତ ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ କରି କର୍ମସ୍ଥଳ ନିକଟରେ ଥଇଥାନ କର, ଦାଦନ ସମସ୍ୟାର ସ୍ଥାୟୀ ସମାଧାନ କର, ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି ବନ୍ଦ କର, ସ୍ୱାସ୍ଥ୍ୟ ସେବାର ଘରୋଇକରଣ ବନ୍ଦ କର, ସମସ୍ତ ଡାକ୍ତରଖାନାରେ ପ୍ରୟୋଜନ ମୁତାବକ ଡାକ୍ତର କର୍ମଚାରୀ ନିଯୁକ୍ତି କର, ହାତୀ କୁକୁର, ଭାଲୁ, ମାଙ୍କଡ, ବାରହା ଆଦି ବନ୍ୟଜନ୍ତୁଙ୍କ ଦାଉରୁ ଫସଲ ଓ ଧନ ଜୀବନ ରକ୍ଷା କର, ଏସ୍ଆଇଆର୍ ବାତିଲ କର, ଇନ୍କ୍ଲାବ ଜିନ୍ଦାବାଦ, ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଜିନ୍ଦାବାଦ ।
ଶୋଭାଯାତ୍ରା ସଚିବାଳୟ ସମ୍ମୁଖ ବିକ୍ଷୋଭ ସ୍ଥଳରେ ପହଞ୍ôଚଲାବେଳକୁ ଶେଷ ସୀମା ଆଉ ଦେଖାଯାଉ ନଥିଲା । ଦୀର୍ଘ ସମୟ ଧରି ବିକ୍ଷୋଭ ସ୍ଥଳରେ ହଜାର ହଜାର ଜନତା ଶୃଙ୍ଖଳିତ ଭାବେ ଦଣ୍ଡାୟମାନ ହୋଇ ବଳିଷ୍ଠ କଣ୍ଠରେ ସ୍ଲୋଗାନ ଦେଇ ଗଗନ ପବନ ପ୍ରକମ୍ପିତ କଲେ । କ୍ଲାନ୍ତି, ଶ୍ରାନ୍ତିର କୌଣସି ଆଭାସ ନାହିଁ । ନିର୍ଦ୍ଧାରିତ ସମୟରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ତଥା ଅଫିସ ସଂପାଦକ କମ୍ରେଡ୍ ସ୍ୱୟଂପ୍ରଭା ନାୟକଙ୍କ ସଭାପତିତ୍ୱରେ ବିକ୍ଷୋଭ ସଭା ଆରମ୍ଭ ହେଲା । ରାଜ୍ୟ ସଂପାଦକ ତଥା କେନ୍ଦ୍ରୀୟ କମିଟି ସଭ୍ୟ କମ୍ରେଡ୍ ଶଙ୍କର ଦାସଗୁପ୍ତ ଏହି ବିଶାଳ ଜନସମୁଦ୍ରକୁ ସମ୍ବୋଧିତ କରି କହିଲେ, ‘ଏହି ରାଜ୍ୟସ୍ତରୀୟ ବିଶାଳ ବିକ୍ଷୋଭ ହଠାତ୍ ସଂଗଠିତ ହୋଇନାହିଁ । ଶୋଷିତ ଜନଗଣଙ୍କର ଜୀବନର ଜ୍ୱଳନ୍ତ ସମସ୍ୟାକୁ ନେଇ ପଂଚାୟତ ସ୍ତରରୁ ବ୍ଲକ୍, ଜିଲ୍ଲା ଯାଏ ସଂଗଠିତ ହୋଇଥିବା ଆନ୍ଦୋଳନର ଧାରାବାହିକତାରେ ହିଁ ଏହି ରାଜ୍ୟସ୍ତରୀୟ ବିକ୍ଷୋଭ । ଏହି ଆନ୍ଦୋଳନ ହେଉଛି ଏସ୍ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଦେଶବ୍ୟାପୀ ଚାଲୁରହିଥିବା ସଂଗଠିତ ଧାରାବାହିକ ଆନ୍ଦୋଳନର ଅଂଶବିଶେଷ । ରାଜ୍ୟର ସାଢେ ଚାରି କୋଟିରୁ ୫କୋଟି ଜନସାଧାରଣଙ୍କ ପକ୍ଷରୁ ୧୭ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ତେବେ ଏହି ଗଣ ବିକ୍ଷୋଭରୁ ଆନ୍ଦୋଳନର ପରିସମାପ୍ତି ହେବ ନାହିଁ, ବରଂ ଆଉ ଏକ ଶକ୍ତିଶାଳୀ ଆନ୍ଦୋଳନର ନୂତନ ପର୍ଯ୍ୟାୟ ଆରମ୍ଭ ହେବ । ଗାଁରେ ଗାଁରେ ଆନ୍ଦୋଳନର ହତିଆର ଭାବେ ଜନଗଣଙ୍କର ସଂଗ୍ରାମୀ କମିଟି ଗଠନ କରି ସେହି କମିଟି ନେତୃତ୍ୱରେ ପଂଚାୟତରୁ ବ୍ଲକ୍, ଜିଲ୍ଲା ଯାଏ ଲଗାତର ଭାବେ ଆନ୍ଦୋଳନ ସଂଗଠିତ କରିବାକୁ ପଡିବ । ସେଥିପାଇଁ ଡିସେମ୍ବର୯-୧୫ରାଜ୍ୟବ୍ୟାପୀ ଆନ୍ଦୋଳନକୁ ବ୍ୟାପକ ଓ ତୀବ୍ର କରିବାପାଇଁ ରାଜ୍ୟ କମିଟି ପକ୍ଷରୁ ଦାବି ସପ୍ତାହର ଡାକରା ଦିଆଯାଇଛି । ଏହି ବିଶାଳ ଗଣବିକ୍ଷୋଭରୁ ଶକ୍ତି ଓ ତେଜ ନେଇ ଏହି ଆନ୍ଦୋଳନକୁ ମଧ୍ୟ ସଫଳ କରିବାକୁ ପଡିବ । ସେ ଆହୁରି ମଧ୍ୟ କହିଥିଲେ “ସ୍ୱାଧୀନତାର ଦୀର୍ଘ ୭୮ବର୍ଷର ଅଭିଜ୍ଞତା କହୁଛି, ଯେତେ ନିର୍ବାଚନ ହେଲେ ବି ଜନସାଧାରଣଙ୍କ ଦୁର୍ଦ୍ଦଶାଗ୍ରସ୍ତ ଜୀବନରେ କୌଣସି ପରିବର୍ତ୍ତନ ହେବ ନାହିଁ । ବରଂ ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ ଜନଗଣଙ୍କ ଉପରେ ଅତ୍ୟାଚାର ଆହୁରି ନିର୍ମମ ହେବ । ଦୁର୍ଦ୍ଦଶାଗ୍ରସ୍ତ ଜୀବନ ଆହୁରି ଦୁର୍ବିସହ ହେବ । ରାଜ୍ୟରେ ପ୍ରତିଷ୍ଠିତ ବିଜେପି ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରରେ ଶୋଷଣ ଅତ୍ୟାଚାର ଡବଲ ହୋଇଛି । ତେଣୁ ଜନଗଣଙ୍କର ଆନ୍ଦୋଳନର ବ୍ୟାପକତା ଓ ତୀବ୍ରତାକୁ ଡବଲ କରିବାକୁ ପଡିବ ।” କେନ୍ଦ୍ରୀୟ କମିଟି ସଭ୍ୟ କମ୍ରେଡ୍ ଦ୍ୱାରିକାନାଥ ରଥ ପାର୍ଟିର କେନ୍ଦ୍ରୀୟ କମିଟି ପକ୍ଷରୁ ସଂଗ୍ରାମୀ ଅଭିନନ୍ଦନ ଜଣାଇ ଆବେଗଭରା ତେଜୋଦୀପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ବିଷ୍ଣୁ ଦାସ, ସଦାଶିବ ଦାସ, ଅଶୋକ ମିଶ୍ର, ରାଜ୍ୟକମିଟି ସଭ୍ୟ ଜୟସେନ ମେହେର, କେଦାର ନାଥ ସାହୁ, ସଂଗଠିକା ସରୋଜିନୀ ନାୟକ, ଲିଓନି ତିର୍କୀ, ଶାନ୍ତି ଚାକିଏ, ସୋମନାଥ ବେହେରା, ରାଜକିଶୋର ମଲ୍ଲିକ ପ୍ରମୁଖ ନେତୃମଣ୍ଡଳୀ ବିଭିନ୍ନ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ । ଉପସ୍ଥିତ ଜନତା ଅଦ୍ଭୁତପୂର୍ବ ଶୃଙ୍ଖଳା ଓ ଏକାଗ୍ରତାର ପରିଚୟ ଦେଇ ବକ୍ତବ୍ୟ ଶୁଣୁଥିଲେ । ସଭା ଚାଲୁଥିବା ବେଳେ ସବୁ ଦିଗରୁ ଅସହଯୋଗ କରୁଥିବା ପୋଲିସ ପ୍ରଶାସନ ପକ୍ଷରୁ ଅଧାରୁ ଅଧିକ ମାଇକର ସଂଯୋଗ କାଟି ଦେଇଥିଲେ । ତଥାପି ଜନତାର ଏକାଗ୍ରତା ଓ ଶୃଙ୍ଖଳାବୋଧ ଅବିଚଳିତ ଥିଲା । ରାଜ୍ୟ ସଂପାଦକମଣ୍ଡଳୀ ସଭ୍ୟ କମ୍ରେଡ ଶମ୍ଭୁନାଥ ନାଏକଙ୍କ ନେତୃତ୍ୱରେ ସଂପାଦକ ମଣ୍ଡଳୀ ସଭ୍ୟ ରଘୁନାଥ ଦାସ, ସୁରେନ୍ଦ୍ର ମଲ୍ଲିକ, ରାଜ୍ୟକମିଟି ସଭ୍ୟ ଅଜିତ ନାୟକ, ନୃସିଂହ ପଣ୍ଡାଙ୍କୁ ନେଇ ଗଠିତ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
ସଭାପତି ବିକ୍ଷୋଭର ସମାପ୍ତି ଘୋଷଣା କଲାବେଳକୁ ଘଣ୍ଟାରେ ୩ଟା ବାଜି ସାରିଥାଏ । ସୂର୍ଯ ନିସ୍ତେଜ, ମାତ୍ର ଜନତାଙ୍କ ମୁଖମଣ୍ଡଳରେ ନିସ୍ତେଜତାର ତିଳେମାତ୍ର ଆଭାସ ନାହିଁ । ବରଂ ଲୋକଙ୍କର କଣ୍ଠସ୍ୱର ଆହୁରି ବଳିଷ୍ଠ, ଆହୁରି ଶାଣିତ । ଅନେକ ହିଁ ଭୋକିଲା, କିନ୍ତୁ ନାହିଁ ଦେହରେ ଶିଥିଳତା । ପୁଣି ଉଦ୍ଦାମ କଣ୍ଠ ଥରିଉଠିଲା । ଶୀତୁଆ ଅପରାହ୍ନ ଉଷ୍ମ ହୋଇ ଉଠିଲା । ରକ୍ତ ଦେବୁ ଜୀବନ ଦେବୁ ଆମ ଅଧିକାର ଛଡାଇ ନେବୁ, ଡିସେମ୍ବର୯ରୁ ୧୫ ଦାବି ସପ୍ତାହକୁ ସଫଳ କରିବୁ ଧ୍ୱନିରେ ଚତୁର୍ଦିଗ ପୁନର୍ବାର ପ୍ରକମ୍ପିତ ହେଲା । ନିକଟରେ ଦଣ୍ଡାୟମାନ ଜଣେ ପୋଲିସ ଅଫିସର କହୁଥିଲେ ଏ ତ ଶେଷ ହେଲାଭଳି ଲାଗୁ ନାହିଁ । ସତକଥା, ଏ ଆନ୍ଦୋଳନର ଶେଷ ନାହିଁ । ବିକ୍ଷୋଭ ସ୍ଥଳ ଖାଲି ହେଉ ନଥାଏ । ଲୋକ ଭୋକ ଶୋଷ କଷ୍ଟ ସବୁକିଛି ଭୁଲିଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀ କିଛି ଲୋକ କୁହାକୁହି ହେଉଥିଲେ ଏ ତ ଏକ ଭିନ୍ନ ଦଳ । କେଉଁଠୁ ପାଇଛନ୍ତି ଏମାନେ ଏତେ ଶକ୍ତି । ହଁ ଏ ଦଳ ଭିନ୍ନ ଦଳ, ପୁଞ୍ଜିପତିର ସେବାଦାସ ଦଳ ନୁହେଁ । ଏ ହେଲା ଶ୍ରମିକ ଶ୍ରେଣୀର ବିପ୍ଳବୀ ଦଳ । ମହାନ ମାର୍କ୍ସବାଦୀ ଦାର୍ଶନିକ କମ୍ରେଡ୍ ଶିବଦାସ ଘୋଷଙ୍କ ଚିନ୍ତା ଶିକ୍ଷା ହିଁ ଏ ଦଳର ଶକ୍ତି । ଏହି ଶକ୍ତି ବଳରେ ଏ ଦଳ ଆଗୋଉଛି, ଆଗେଇବ, ଆହୁରି ଶକ୍ତିଶାଳୀ ଆନ୍ଦୋଳନର ଇତିହାସ ସୃଷ୍ଟି କରିବ । ଇଏ ତ ଆରମ୍ଭ ମାତ୍ର ।
