ଶ୍ରମିକ କର୍ମଚାରୀ ବିରୋଧୀ ୪ଟି ଶ୍ରମକୋର୍ଡ ପ୍ରତ୍ୟାହାର ଦାବିରେ ଦୀର୍ଘସ୍ଥ।ୟୀ ଆନ୍ଦୋଳନ ଗଢିତୋଳନ୍ତୁ

SK Dated 15.12.2025 –

ଦେଶର ଶ୍ରମିକ କର୍ମଚାରୀଙ୍କ ବିରୋଧ ସତ୍ତ୍ୱେ କେନ୍ଦ୍ର ବିଜେପି ସରକାର ୪ଟି ଶ୍ରମକୋଡକୁ ୨୧ନଭେମ୍ବର ୨୦୨୫ଠାରୁ ଲାଗୁ କରିଛନ୍ତି । ଏହି ଶ୍ରମକୋର୍ଡ ଲାଗୁ ହେବା ଫଳରେ ଦେଶର ଶ୍ରମିକ କର୍ମଚାରୀମାନଙ୍କ ଅଶେଷ କଲ୍ୟାଣ ହେବ ବୋଲି ସରକାର ଗଣମାଧ୍ୟମରେ ବ୍ୟାପକ ପ୍ରଚାର କରି ଚାଲିଛନ୍ତି । ୨୯ଟି ପ୍ରଚଳିତ ଶ୍ରମ ଆଇନକୁ ଉଚ୍ଛେଦ କରି କେନ୍ଦ୍ର ବିଜେପି ସରକାର ପ୍ରଣୟନ କରିଥିବା ଏହି ୪ଟି ଶ୍ରମ କୋଡ ଚରମ ଶ୍ରମିକ କର୍ମଚାରୀ ବିରୋଧୀ । କେତେକ ମୌଳିକ ବିଷୟରେ ଉଚ୍ଛେଦ କରାଯାଇଥିବା ଶ୍ରମ ଆଇନ ଗୁଡିକରେ ଥିବା ପ୍ରାବଧାନଗୁଡିକ ଏବଂ ଲାଗୁ କରାଯାଇଥିବା ଶ୍ରମ କୋଡର ପ୍ରାବଧାନଗୁଡିକ ସଂପର୍କରେ ତୁଳନାତ୍ମକ ଆଲୋଚନାରୁ ପ୍ରକୃତ ସତ୍ୟ ବୁଝି ହେବ ।
ଏହି ଚାରିଟି କୋଡ୍ ମଧ୍ୟରୁ ପ୍ରଥମେ ମଜୁରୀ କୋର୍ଡ ସଂପର୍କରେ ଆଲୋଚନା କରାଯାଉ । ୮ଅଗଷ୍ଟ ୨୦୧୯ରେ ମଜୁରୀ କୋଡ-୨୦୧୯ର ସରକାରୀ ଗେଜେଟ୍ ନୋଟିଫିକେସନ ହୋଇଥିଲା । ଦ ପେମେଣ୍ଟ ଅଫ୍ ୱେଜେସ୍ ଆକ୍ଟ-୧୯୩୬, ନ୍ୟୁନତମ ମଜୁରି ଆଇନ-୧୯୪୮, ଦ ପେମେଣ୍ଟ ଅଫ୍ ବୋନସ ଆକ୍ଟ-୧୯୬୫ ଓ ଦ ଇକ୍ୟୁଆଲ ରେମୁନେରେସନ୍ ଆକ୍ଟ-୧୯୭୬କୁ ଉଚ୍ଛେଦ କରି ଏହି ମଜୁରୀ କୋଡ-୨୦୧୯ ପ୍ରଣୟନ କରାଯାଇଛି । ମଜୁରୀ କୋଡ-୨୦୧୯ର ଧାରା-୯ରେ ଫ୍ଲୋର ୱେଜ୍ ନିର୍ଦ୍ଧାରଣ କଥା କହୁଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଘୋଷିତ ଦୈନିକ ଫ୍ଲୋର ୱେଜ ହେଉଛି ୧୭୮ ଟଙ୍କା । ଏହା କେନ୍ଦ୍ର ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଠାରୁ ଅନେକ କମ୍ । ସର୍ବନିମ୍ନ ମଜୁରୀ ଫ୍ଲୋର ୱେଜଠାରୁ କମ୍ ହେବ ନାହିଁ ବୋଲି ଶ୍ରମ କୋଡରେ ଉଲ୍ଲେଖ ଅଛି । ଏହି ଫ୍ଲୋର ୱେଜକୁ ଭତ୍ତି କରି ସରକାର ସର୍ବନିମ୍ନ ମଜୁରୀ କମ୍ କରି ମାଲିକ ବା ନିଯୁକ୍ତି ଦାତାଙ୍କ ଉପରେ ଆର୍ଥିକ ବୋଝକୁ ହାଲୁକା କରିବେ ଏଥିରେ ସନ୍ଦେହ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମସିହାରେ କେନ୍ଦ୍ର ବିଜେପି ସରକାର ପ୍ରୟୋଜନ ଭିତ୍ତିକ ସର୍ବନିମ୍ନ ମଜୁରୀ(Need Based Minimun Wage) ନିର୍ଦ୍ଧାରଣ ନିମନ୍ତେ ଅନୁପ ଶତପଥିଙ୍କ ନେତୃତ୍ୱରେ ୭ଜଣ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ । ଏହି କମିଟି ଦୈନିକ ସର୍ବନିମ୍ନ ମଜୁରୀ ୩୭୫ଟଙ୍କା ଏବଂ ମାସକୁ ୧୪୩୦ଟଙ୍କା ଘରଭଡା ଦେବାପାଇଁ ସୁପାରିଶ କରିଥିଲେ । ଏହି ସୁପାରିଶକୁ କେନ୍ଦ୍ର ବିଜେପି ସରକାର ଗ୍ରହଣ କଲେ ନାହିଁ । ଏଥିରୁ ସ୍ପଷ୍ଟ ବୁଝାପଡେ ଯେ କେନ୍ଦ୍ର ବିଜେପି ସରକାର ମାଲିକମାନଙ୍କ ସ୍ୱାର୍ଥରେ ଶ୍ରମ କୋଡରେ ଫ୍ଲୋର ୱେଜ ବିଷୟ ଅନ୍ତର୍ଭୁକ୍ତ କରିଛନ୍ତି ।
ମଜୁରୀ କୋଡ-୨୦୧୯ର ଧାରା୨(ଣ)୭ରେ ଘର ଭଡା ଭତ୍ତା (House Rent Allowance)କୁ ମଜୁରୀର ଅନ୍ତର୍ଭୁକ୍ତ ନ କରିବାକୁ କୁହାଯାଇଛି । ଫଳରେ ଶ୍ରମିକ କର୍ମଚାରୀମାନଙ୍କର ପିଏଫ୍‌, ବୋନସ, ଗ୍ରାଚ୍ୟୁଟି ପେନସନ ପ୍ରାପ୍ୟର ପରିମାଣ କମିଯିବ । ଉଚ୍ଛେଦ କରାଯାଇଥିବା ସର୍ବନିମ୍ନ ମଜୁରୀ ଆଇନ-୧୯୪୮ର ଧାରା ୨(ଷ) ରେ ଘରଭଡା ଭତ୍ତାକୁ ମଧ୍ୟ ମଜୁରୀ ଅନ୍ତର୍ଭୁକ୍ତ କରାଯାଉଥିଲା ।
ମଜୁରୀ କୋଡର ଧାରା ୨(ତ)(ଭ) ଅନୁଯାୟୀ ସୁପରଭାଇଜର କାମରେ ନିଯୁକ୍ତ ବ୍ୟକ୍ତି ଯଦି ମାସିକ ୧୫ହଜାର ବା ତାଠାରୁ ଅଧିକ ଟଙ୍କା ମଜୁରୀ ପାଆନ୍ତି, ତେବେ ସେ ଶ୍ରମିକ ଭାବେ ବିବେଚିତ ହେବେ ନାହିଁ । ଯାହାଫଳରେ ସୁପରଭାଇଜରମାନେ ଅନେକ ପ୍ରାପ୍ୟ ପାଇବାରୁ ବଂଚିତ ହେବେ । ଉଚ୍ଛେଦ କରାଯାଇଥିବା ଶ୍ରମ ଆଇନରେ ଏପରି ବିଷୟ ନଥିଲା ।
ମଜୁରୀ କୋଡର ଧାରା ୧୫ଅନୁସାରେ କର୍ମଚାରୀଙ୍କ ଅନୁମୋଦନ ବିନା ନିଯୁକ୍ତିଦାତା କର୍ମଚାରୀଙ୍କ ମଜୁରୀ ଚେକ୍ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମ ବା ଯେକୌଣସି ରକମର ଅନଲାଇନ ମାଧ୍ୟମରେ ଦେଇ ପାରିବେ । ଉଚ୍ଛେଦ କରାଯାଇଥିବା ମଜୁରୀ ପ୍ରଦାନ ଆଇନ-୧୯୩୬ର ଧାରା(୬) ଅନୁସାରେ କର୍ମଚାରୀମାନଙ୍କ ଅନୁମୋଦନ ବିନା ନିଯୁକ୍ତି ଦାତା ନିଜ ଇଚ୍ଛାନୁସାରେ ଯେକୌଣସି ଉପାୟରେ ମଜୁରୀ ପ୍ରଦାନ ନକରିବାର ବ୍ୟବସ୍ଥା ଥିଲା ।
ମଜୁରୀ କୋଡର ଧାରା ୪୯ ଅନୁସାରେ ମାଲିକମାନଙ୍କ ଅନିୟମିତତା ବିରୁଦ୍ଧରେ ଶ୍ରମିକ କର୍ମଚାରୀମାନେ ସିଧା କୋର୍ଟକୁ ଯାଇପାରିବେ ନାହିଁ । କିନ୍ତୁ ଉଚ୍ଛେଦ କରାଯାଇଥିବା ମଜୁରୀ ପ୍ରଦାନ ଆଇନ-୧୯୩୬ର ଧାରା ୧୭ ଅନୁସାରେ ମଜୁରୀ ସଂକ୍ରାନ୍ତରେ ଯେକୌଣସି ଅନିୟମିତତା ବ୍ୟାପାରରେ ମାଲିକ ବା ନିଯୁକ୍ତିଦାତାଙ୍କ ବିରୁଦ୍ଧରେ ଶ୍ରମିକ ସିଧା କୋର୍ଟକୁ ଯାଇପାରିବାର ବ୍ୟବସ୍ଥା ଥିଲା ।
ମଜୁରୀ କୋଡର ଧାରା ୫୧ରେ ଇନସ୍ପେକ୍ଟର-କମ-ଫେସିଲିଟେଟ୍‌ର ନିଯୁକ୍ତି ଓ ତାଙ୍କର କ୍ଷମତା ନେଇ ଆଲୋଚନା କରାଯାଇଛି । ଉପଧାରା୨(ଇ)ରେ କାରଖାନା ପରିଦର୍ଶନ ଯେକୌଣସି ଜ୍ଞାତବ୍ୟ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଦେବା ନେବା ଉପରେ ଗୁରୁତ୍ୱ ଦିଆଯାଇଛି । ଯାହାକି ବାସ୍ତବ ପରିଦର୍ଶନ ହୋଇ ପାରିବ ନାହିଁ । ତା’ଛଡା ଏହି ଶ୍ରମ କୋଡରେ ଇନସ୍ପେକ୍ଟର-କମ୍‌-ଫେସିଲିଟେଟ୍‌ର ଭୂମିକା ହେଉଛି ମୂଳତଃ ଉଭୟ ନିଯୁକ୍ତି ଦାତା ଓ ଶ୍ରମିକଙ୍କ ମଧ୍ୟରେ ପରାମର୍ଶଦାତା ଓ ମଧ୍ୟସ୍ଥତାକାରୀ ଭାବେ କାର୍ଯ୍ୟ କରିବା । ଉଚ୍ଛେଦ କରାଯାଇଥିବା ଶ୍ରମ ଆଇନରେ ଶ୍ରମ ନିରୀକ୍ଷକ(Labour Inspector) ମାନଙ୍କର ଯେଉଁ ଅଧିକାର ଥିଲା- ଶ୍ରମ କୋଡ୍ ମାଧ୍ୟମରେ ତାକୁ ଖର୍ବ କରାଯାଇଛି । ଯାହା ଫଳରେ ଏହି ଶ୍ରମ କୋଡ୍ ଶ୍ରମିକମାନଙ୍କ ଉପରେ ମାଲିକମାନଙ୍କର ଅତ୍ୟାଚାରକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ।
ଉପରୋକ୍ତ ଶ୍ରମିକ କର୍ମଚାରୀ ବିରୋଧୀ ବିଷୟ ସହିତ ଆହୁରି ଅନେକ ଶ୍ରମିକ କର୍ମଚାରୀ ବିରୋଧୀ ବିଷୟ ଏହି ମଜୁରୀ କୋଡ-୨୦୧୯ରେ ରହିଛି ।
ବର୍ତ୍ତମାନ ଦ୍ୱିତୀୟ କୋଡ ସଂପର୍କରେ ଆଲୋଚନା କରାଯାଉ । ୨୯ ସେପ୍ଟେମ୍ବର ୨୦୨୦ରେ ଶିଳ୍ପ ସଂପର୍କ କୋଡ-୨୦୨୦ର ଗେଜେଟ୍ ନୋଟିଫିକେସନ ହୋଇଥିଲା । ଦ ଟ୍ରେଡ୍ ୟୁନିୟନ ଆକ୍ଟ-୧୯୨୬, ଦି ଇଣ୍ଡଷ୍ଟ୍ରିଆଲ ଏମ୍ପୟେମେଣ୍ଟ(ଷ୍ଟାଣ୍ଡିଂ ଅର୍ଡର୍ସ) ଆକ୍ଟ-୧୯୪୬ ଓ ଦ ଇଣ୍ଡଷ୍ଟ୍ରିଆଲ ଡିସ୍‌ପ୍ୟୁଟେସ ଆକ୍ଟ-୧୯୪୭କୁ ଉଚ୍ଛେଦ କରି ଏହା ସ୍ଥାନରେ ଶିଳ୍ପ ସଂପର୍କ କୋଡକୁ ବିଜେପି ସରକାର ପ୍ରଣୟନ କରିଛନ୍ତି ।
୪ଟି ଶ୍ରମକୋଡ ମଧ୍ୟରେ ଏହି ଶିଳ୍ପ ସଂପର୍କ କୋଡ ମଧ୍ୟରେ ରହିଛି ଶ୍ରମିକ ଶ୍ରେଣୀର ଅଧିକାର ହରଣ କରିବାର ସବୁଠାରୁ ଅଧିକ ସଂଖ୍ୟକ ଧାରା । ଶିଳ୍ପ ସଂପର୍କ କୋଡର ଧାରା୨(୦)ରେ ସ୍ଥାୟୀ କାମରେ ‘ଫିକ୍ସଡ୍ ଟର୍ମ ଏମ୍ପ୍ଲୟେମେଣ୍ଟ’(ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ଚୁକ୍ତି ଭିତ୍ତିକ ନିଯୁକ୍ତି)କୁ ଅନ୍ତର୍ଭୁକ୍ତ କରାଯାଇଛି । ଯାହାଫଳରେ ସ୍ଥାୟୀ କାମରେ ଅସ୍ଥାୟୀ ନିଯୁକ୍ତିର ଆଇନଗତ ଅଧିକାର ମାଲିକ ବା ନିଯୁକ୍ତି ଦାତାଙ୍କୁ ପ୍ରଦାନ କରାଯାଇଛି । ଏହା ଉଚ୍ଛେଦ ହୋଇଥିବା ଶ୍ରମ ଆଇନଗୁଡିକରେ ନଥିଲା । ସ୍ଥାୟୀ ବା ସବୁଦିନିଆ କାମରେ ଠିକା ଶ୍ରମିକ ନିଯୁକ୍ତି କଣ୍ଟ୍ରାକ୍ଟ ଲେବର(ରେଗୁଲେସନ୍ ଏଣ୍ଡ ଏବୋଲିସନ୍‌) ଆକ୍ଟ-୧୯୭୦ର ଧାରା ୧୦ ଅନୁସାରେ ନିଷିଦ୍ଧ ଥିଲା । ଶିଳ୍ପ ସଂପର୍କ କୋଡ୍ ଅନୁସାରେ ନିଯୁକ୍ତ ଫିକ୍ସଡ୍ ଟର୍ମ ଶ୍ରମିକ ମାନେ ଚାକିରି ଚାଲିଯିବାର ଭୟ ଓ ପରବର୍ତ୍ତୀ ସମୟରେ କାମ ପାଇବାର ଅନିଶ୍ଚିତତା କାରଣରୁ ୟୁନିୟନ୍‌ରେ ସାମିଲ ହେବେ ନାହିଁ । ଏହିଭଳି ପରିସ୍ଥିତିରେ ସରକାର ପ୍ରଚାର କରୁଥିବା “ସମସ୍ତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ନିଯୁକ୍ତିର ଫାର୍ମାଲାଇଜେସନ୍‌”- ଏକ ମିଥ୍ୟାଚାର ବ୍ୟତୀତ କିଛି ନୁହେଁ । ଶିଳ୍ପ ସଂପର୍କ କୋଡ୍‌ର ଧାରା ୨୮(୧) ଅନୁସାରେ ୩୦୦ ବା ତାଠାରୁ ଅଧିକ ଶ୍ରମିକ କାମ କରୁଥିବା ଶିଳ୍ପ ପ୍ରତିଷ୍ଠାନରେ କେବଳ ମାତ୍ର ‘ଷ୍ଟାଣ୍ଡିଂ ଅର୍ଡର’ କାର୍ଯ୍ୟକାରୀ ହେବ । ଉଚ୍ଛେଦ କରାଯାଇଥିବା ଦ ଇଣ୍ଡଷ୍ଟ୍ରିଆଲ ଏମ୍ପ୍ଲୟେମେଣ୍ଟ(ଷ୍ଟାଣ୍ଡିଂ ଅର୍ଡର୍ସ) ଆକ୍ଟ-୧୯୪୬ ଅନୁସାରେ ୧୦୦ ବା ତାଠାରୁ ବେଶୀ ଶ୍ରମିକ କାମ କରୁଥିବା ଶିଳ୍ପ ପ୍ରତିଷ୍ଠାନରେ ଷ୍ଟାଣ୍ଡିଂ ଅର୍ଡର କାର୍ଯ୍ୟକାରୀ ହେଉଥିଲା । ବର୍ତ୍ତମାନ ଶିଳ୍ପ ପ୍ରିତଷ୍ଠାନରେ ଆଧୁନିକ କାରିଗରୀ ଜ୍ଞାନ କୌଶଳ ବ୍ୟବହାର ଯୋଗୁ ଶ୍ରମିକ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଘଟୁଛି । ଯାହାଫଳରେ ୭୪% ଶିଳ୍ପରେ ୩୦୦ରୁ କମ୍ ଶ୍ରମିକ କାମ କରୁଛନ୍ତି । ଏହି ଶ୍ରମକୋଡ ଲାଗୁ ଫଳରେ ୭୪% ଶିଳ୍ପରେ ଶ୍ରମିକ କର୍ମଚାରୀ ବେତନ ଓ ଚାକିରୀ ସର୍ତ୍ତାବଳୀ ନିର୍ଦ୍ଧାରଣ ଅଧିକାରରୁ ବଂଚିତ ହେବେ ।
ଶିଳ୍ପ ସଂପର୍କ କୋଡ୍‌-୨୦୨୦ର ଧାରା ୭୭ ଅନୁସାରେ ୩୦୦ରୁ କମ୍ ଶ୍ରମିକ କାମ କରୁଥିବା ଶିଳ୍ପ ପ୍ରତିଷ୍ଠାନରେ ଲେ-ଅଫ୍‌, ଛଟେଇ, କ୍ଲୋଜର କରିବା ନିମନ୍ତେ ନିଯୁକ୍ତିଦାତା ସରକାରଙ୍କଠାରୁ ଅନୁମତି ନେବାର କୌଣସି ପ୍ରୟୋଜନ ହେବ ନାହିଁ । ଉଚ୍ଛେଦ କରାଯାଇଥିବା ଶିଳ୍ପ ବିବାଦ ଆଇନ-୧୯୪୭ର ଧାରା ୨୫(କ) ଅନୁସାରେ ୧୦୦ ବା ତାଠାରୁ କମ୍ ଶ୍ରମିକ କାମ କରୁଥିବା ଶିଳ୍ପ ପ୍ରତିଷ୍ଠାନରେ ଲେ-ଅଫ୍‌, ଛଟେଇ, କ୍ଲୋଜର ନିମନ୍ତେ ସରକାରଙ୍କଠାରୁ ଅନୁମତି ନେବାର ପ୍ରୟୋଜନ ନଥିଲା । ଏହି ଶ୍ରମ କୋଡ ଲାଗୁ ଫଳରେ ୩୦୦ରୁ କମ୍ ଶ୍ରମିକ କର୍ମଚାରୀ କାମ କରୁଥିବା ଶିଳ୍ପ ପ୍ରତିଷ୍ଠାନ ଗୁଡିକରେ ଅବାଧ ଶ୍ରମିକ କର୍ମଚାରୀ ଛଟେଇର ଅଧିକାର ମାଲିକ ବା ନିଯୁକ୍ତି ଦାତାଙ୍କୁ ଦିଆଯାଇଛି । ଏହାଦ୍ୱାରା ୭୪% ଶ୍ରମିକ କର୍ମଚାରୀଙ୍କ ଚାକିରୀକୁ ଅନିଶ୍ଚିତତା ମଧ୍ୟକୁ ନିକ୍ଷେପ କରାଯାଇଛି ।
ଶିଳ୍ପ ସଂପର୍କ କୋଡ୍‌ର ଧାରା ୨(ତକ୍ସ)ରେ ଆପ୍ରେଣ୍ଟିସ୍‌(ଶିକ୍ଷା ନବୀସ)ଙ୍କୁ ଶ୍ରମିକ ଭାବେ ଗଣ୍ୟ ନକରିବା ବିଷୟ ଉଲ୍ଲେଖ ରହିଛି । ଉଚ୍ଛେଦ କରାଯାଇଥିବା ଶିଳ୍ପ ବିବାଦ ଆଇନ-୧୯୪୭ର ଧାରା ୨(ଝ) ରେ ଆପ୍ରେଣ୍ଟିସଙ୍କୁ ଶ୍ରମିକ ଭାବେ ଗଣ୍ୟ କରାଯାଉଥିଲା । ଏହି ଶ୍ରମ କୋଡ୍ ଲାଗୁ ଫଳରେ ଆପ୍ରେଣ୍ଟିସ୍ ମାନେ ବିଭିନ୍ନ ଆଇନଗତ ପ୍ରାପ୍ୟ ଓ ସୁବିଧା ସୁଯୋଗରୁ ବଂଚିତ ହେବେ ଏବଂ ନିଯୁକ୍ତି ଦାତା ଆପ୍ରେଣ୍ଟିସ୍‌ମାନଙ୍କୁ ନ୍ୟାଯ୍ୟ ପ୍ରାପ୍ୟ ଓ ସୁବିଧା ସୁଯୋଗ ନଦେଇ ମନଇଚ୍ଛା କାମରେ ଲଗାଇବେ ।
ଶିଳ୍ପ ସଂପର୍କ କୋଡର ଧାରା ୨(ତକ୍ସ)(ସଙ୍ଖ)ରେ ଉଲ୍ଲେଖ ରହିଛି ଯେ ସୁପରଭାଇଜର ଭାବେ ସମସ୍ତ କାମ ଦେଖାଶୁଣା କରୁଥିବା ବ୍ୟକ୍ତି ଯିଏ ପ୍ରତିମାସରେ ୧୮ହଜାର ଟଙ୍କା ବା ତାଠାରୁ ଅଧିକ ବେତନ ପାଉଥିବେ ସେ ଶ୍ରମିକ ଭାବେ ଗଣ୍ୟ ହେବେ ନାହିଁ । ଯାହାଫଳରେ ସୁପରଭାଇଜର ମାନେ ଅନେକ ଆଇନଗତ ପ୍ରାପ୍ୟ ପାଇବାରୁ ବଂଚିତ ହେବେ ।
ଶିଳ୍ପ ସଂପର୍କ କୋଡର ଧାରା ୨୯(୧)ରେ ମଡେଲ ଷ୍ଟାଣ୍ଡିଂ ଅର୍ଡର ପ୍ରଣୟନ କ୍ଷମତା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି । ଉଚ୍ଛେଦ କରାଯାଇଥିବା ଇଣ୍ଡଷ୍ଟ୍ରିଆଲ ଏମ୍‌ପ୍ଲୟେମେଣ୍ଟ(ଷ୍ଟାଣ୍ଡିଂ ଅର୍ଡର୍ସ) ଆଇନ ୧୯୪୬ର ଧାରା ୧୪(ଇ)(ଈ) ଅନୁସାରେ ଏହା ରାଜ୍ୟ ସରକାରଙ୍କ କ୍ଷମତା ଅନ୍ତର୍ଭୁକ୍ତ ଥିଲା ।
ଶିଳ୍ପ ସଂପର୍କ କୋଡ୍‌-୨୦୨୦ର ଧାରା ୬୨ରେ ଉଲ୍ଲେଖ ରହିଛି ଯେ ଶିଳ୍ପ ପ୍ରତିଷ୍ଠାନରେ ଧର୍ମଘଟ କରିବାକୁ ୧୪ଦିନ ପୂର୍ବରୁ ଶ୍ରମିକମାନଙ୍କୁ ନୋଟିସ ଦେବାକୁ ହେବ । ଉଚ୍ଛେଦ କରାଯାଇଥିବା ଶିଳ୍ପ ବିବାଦ ଆଇନ ୧୯୪୭ର ଧାରା ୨୨ରେ କେବଳ ଅତ୍ୟାବଶ୍ୟକୀୟ ସେବା କ୍ଷେତ୍ରରେ ଧର୍ମଘଟ ପାଇଁ ୧୪ଦିନର ନୋଟିସ୍ ଦେବାର ପ୍ରାବଧାନ ଥିଲା । ଅନ୍ୟକୌଣସି ଶିଳ୍ପ ପ୍ରତିଷ୍ଠାନରେ ପ୍ରୟୋଜନରେ ବିନା ନୋଟିସରେ ଶ୍ରମିକ କର୍ମଚାରୀମାନେ ଧର୍ମଘଟ କରିପାରୁଥିଲେ । ଆହୁରି ମଧ୍ୟ ଏହି ଶ୍ରମକୋଡ୍‌ରେ ରହିଛି ଯେ ଶ୍ରମ ଦପ୍ତରରେ ଆଲୋଚନା ପ୍ରକ୍ରିୟା ଚାଲିଥିବା ସମୟ ମଧ୍ୟରେ, ଟ୍ରିବ୍ୟୁନାଲ ଓ ମଧ୍ୟସ୍ଥତା ପ୍ରକ୍ରିୟାରେ କୌଣସି ପ୍ରକାର ଶିଳ୍ପ ବିବାଦ ଚାଲିଥିବା ସମୟରେ ବା ପରିସମାପ୍ତିର ୬୦ଦିନ ମଧ୍ୟରେ ଶ୍ରମିକମାନେ ଧର୍ମଘଟ କରିପାରିବେ ନାହିଁ । ଏହି ସମସ୍ତ ପ୍ରକ୍ରିୟାକୁ ଦୀର୍ଘାୟିତ କରି ଆଇନର ନାଗଫାସ ବନ୍ଧନ ମଧ୍ୟରେ ଶ୍ରମିକମାନଙ୍କୁ ଅଟକ ରଖି ଧର୍ମଘଟ କରିବାର ଅଧିକାରରୁ ସେମାନଙ୍କୁ ବଂଚିତ କରାଯିବ । ଶ୍ରମକୋଡ୍ ଲାଗୁ ଯୋଗୁଁ ଯେକୌଣସି ଅନ୍ୟାୟ ଅତ୍ୟାଚାରର ପ୍ରତିବାଦରେ ଶ୍ରମିକମାନେ ଧର୍ମଘଟ କରିବାର ଯେଉଁ ମୌଳିକ ଅଧିକାର ଥିଲା ତାକୁ କାଢି ନିଆଯାଇଛି । ଶିଳ୍ପ ସଂପର୍କ କୋଡ-୨୦୨୦ରେ ଆହୁରି ଅନେକ ଶ୍ରମିକ କର୍ମଚାରୀ ବିରୋଧୀ ଧାରା ରହିଛି ।
ସଂପ୍ରତି କେନ୍ଦ୍ର ସରକାର ଲାଗୁ କରିଥିବା ତୃତୀୟ କୋଡ୍ ହେଉଛି ସାମାଜିକ ସୁରକ୍ଷା କୋଡ୍ । ସାମାଜିକ ସୁରକ୍ଷା କୋଡ-୨୦୨୦ର ଗେଜେଟ୍ ନୋଟିଫିକେସନ ୨୯ ସେପ୍ଟେମ୍ବର ୨୦୨୦ରେ ହୋଇଥିଲା । ସାମାଜିକ ସୁରକ୍ଷା ସଂପର୍କିତ ୯ଟି ଆଇନକୁ ବାତିଲ କରି ଏହି ଶ୍ରମ କୋଡ୍‌କୁ କେନ୍ଦ୍ର ବିଜେପି ସରକାର ପ୍ରଣୟନ କରିଛନ୍ତି । ଦ ୱାର୍କମେନ୍‌ସ ଆକ୍ଟ-୧୯୪୮, ଦ ଏମ୍ପୟେଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଏଣ୍ଡ ମିସଲେନିୟସ୍ ପ୍ରୋଭିଜନ୍‌ସ ଆକ୍ଟ-୧୯୫୨, ଦ ଏମ୍ପୟେମେଣ୍ଟ ଏକ୍ସଚେଞ୍ଜ୍‌(କମ୍ପଲସରି ନୋଟିଫକେସନ ଅଫ୍ ଭାକେନ୍‌ସିଜ୍‌) ଆକ୍ଟ-୧୯୫୯, ଦ ମାଟରନିଟି ବେନିଫିଟ୍ ଆକ୍ଟ-୧୯୬୧, ଦ ପେମେଣ୍ଟ ଅଫ୍ ଗ୍ରାଚ୍ୟୁଟି ଆକ୍ଟ-୧୯୭୨, ଦ ସିନେ ୱାର୍କର୍ସ ୱେଲଫେୟାର ଫଣ୍ଡ ଆକ୍ଟ-୧୯୮୧, ଦ ବିଲଡିଂ ଆଣ୍ଡ ଅଦର କନଷ୍ଟ୍ରକସନ୍ ଫଣ୍ଡ ସେସ୍ ଆକ୍ଟ-୧୯୯୬ ଏବଂ ଦ ଅନଅର୍ଗାନଇଜଡ୍ ୱାର୍କର୍ସ ସୋସାଲ ସିକ୍ୟୁରିଟି ଆକ୍ଟ-୨୦୦୮କୁ ବାତିଲ କରି ଏହି ସାମାଜିକ ସୁରକ୍ଷା କୋଡ୍ ପ୍ରଣୟନ କରାଯାଇଛି ।
ସାମାଜିକ ସୁରକ୍ଷା କୋଡ-୨୦୨୦ର ଧାରା୧(୫)ରେ କୁହାଯାଇଛି ଯେ ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ୍‌)ର ସୁବିଧା ଶ୍ରମିକମାନେ ପାଇବେ, କିନ୍ତୁ ତାହା ଇଚ୍ଛାଧୀନ ହୋଇପାରେ । ଯଦି କୌଣସି ଶିଳ୍ପ ପ୍ରତିଷ୍ଠାନର ମାଲିକ ଓ ସଂଖ୍ୟାଗରିଷ୍ଠ ଶ୍ରମିକ କର୍ମଚାରୀମାନେ ଚୁକ୍ତିରେ ଆବଦ୍ଧ ହୁଅନ୍ତି ଯେ ସେମାନଙ୍କ ପାଇଁ ପିଏଫ୍‌ର ବ୍ୟବସ୍ଥା ରହିବ ନାହିଁ, ତାହେଲେ କେନ୍ଦ୍ରୀୟ ପିଏଫ୍ କମିଶନର ସେଠାରେ ପିଏଫ୍ କାର୍ଯ୍ୟକାରୀ ନହେବା ପାଇଁ ଅନୁମୋଦନ କରିପାରିବେ । ପିଏଫ୍ ଏବଂ ତା ସହିତ ସଂପର୍କଯୁକ୍ତ ପେନସନ୍ ସାମାଜିକ ସୁରକ୍ଷାର ଗୋଟିଏ ନିର୍ଭରଯୋଗ୍ୟ ଯୋଜନା ଭାବେ ଉଚ୍ଛେଦ ହୋଇଥିବା ଆଇନରେ ଥିଲା । ଶ୍ରମକୋଡ ମାଧ୍ୟମରେ ପିଏଫ୍‌କୁ ଇଚ୍ଛାଧୀନ କରି ଦିଆଯିବାଦ୍ୱାରା ସାମାଜିକ ସୁରକ୍ଷା ବିଷୟଟି ଗୁରୁତ୍ୱହୀନ ହୋଇପଡିବ । ଧମକ, ଭୟ ପ୍ରଦର୍ଶନ ଦ୍ୱାରା ଅଧିକାଂଶ ଶ୍ରମିକଙ୍କ ସମର୍ଥନ ଭିତ୍ତିରେ ମାଲିକମାନେ ଶ୍ରମିକମାନଙ୍କୁ ପିଏଫ୍ ସୁବିଧାରୁ ବଂଚିତ କରିବେ ।
ସାମାଜିକ ସୁରକ୍ଷା କୋଡର ଧାରା ୧୬(୧)ରେ ପିଏଫ୍ କ୍ଷେତ୍ରରେ କର୍ମଚାରୀ ଓ ନିଯୁକ୍ତି ଦାତା ଉଭୟଙ୍କ ଦେୟ(Contribution) ମୂଳ ବେତନର ୧୨% କୁ ହ୍ରାସ କରି ୧୦% କରାଯାଇଛି । ଯାହାଫଳରେ କର୍ମଚାରୀଙ୍କ ଏପିଏଫ୍ ଆକାଉଣ୍ଟରେ ପ୍ରତିମାସରେ ୪%(୨%+୨%) କମ୍ ଜମା ପଡିବ । ନିଯୁକ୍ତି ଦାତା ୨ଠ% ଅର୍ଥରାଶି ଛାଡ ପାଇବେ ଏବଂ ଅବସର ସମୟରେ ଶ୍ରମିକ କର୍ମଚାରୀ ମାନଙ୍କ ପିଏଫ୍ ପ୍ରାପ୍ୟ କମିବ ଓ ପେନସନ୍‌ର ପରିମାଣ ମଧ୍ୟ କମିବ ।
ସାମାଜିକ ସୁରକ୍ଷା କୋଡର ଧାରା୧(୭)ରେ ଇଏସ୍‌ଆଇସିକୁ ଇଚ୍ଛାଧୀନ କରିଦିଆଯାଇଛି । ଯଦି ଏକ ସଂସ୍ଥାର ମାଲିକ ବା ନିଯୁକ୍ତିଦାତା ଓ ସଂଖ୍ୟାଗରିଷ୍ଠ ଶ୍ରମିକମାନଙ୍କ ମଧ୍ୟରେ ଚୁକ୍ତି ହେବ ଯେ ସେମାନେ ଇଏସ୍‌ଆଇସି ସ୍କିମ୍‌ରେ ଅନ୍ତର୍ଭୁକ୍ତ ହେବେ ନାହିଁ, ଇଏସଆଇସିର ଡାଇରେକ୍ଟର ଜେନେରାଲ ସେଥିରେ ସନ୍ତୁଷ୍ଟ ହେଲେ ସେଠାରେ ଇଏସ୍‌ଆଇସି ବ୍ୟବସ୍ଥା କାର୍ଯ୍ୟକାରୀ ନକରିବା ନିମନ୍ତେ ସରକାର ଅନୁମୋଦନ କରିବେ । ଇଏସଆଇସି ଭଳି ଏକ ସାମାଜିକ ସୁରକ୍ଷା ଯୋଜନା ଯେଉଁଥିରେ ଚିକିତ୍ସାଧୀନ ସମୟର ଛୁଟି ପାଇଁ ମଜୁରୀ ଓ ବହିଃ ବିଭାଗ ଚିକିତ୍ସାରେ ଔଷଧର ବ୍ୟବସ୍ଥା ରହିଛି, ଅନ୍ୟକୌଣସି ସ୍କିମ୍‌ରେ ଏଭଳି ବ୍ୟବସ୍ଥା ନାହିଁ । ତେବେ ଶ୍ରମକୋଡ୍ ଅନୁସାରେ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଅଧିକାର ହରଣ ଏହିଭଳି ଭାବେ ହେବ ।
ପିଏଫ୍‌, ଇଏସ୍‌ଆଇସି, ଗ୍ରାଚ୍ୟୁଇଟି ଇତ୍ୟାଦି ସାମାଜିକ ସୁରକ୍ଷା ଦେବା କ୍ଷେତ୍ରରେ ଫାଙ୍କି ଦେବା ବା ଅନାଦେୟ ଥିବା ବା ଆତ୍ମସାତକାରୀ ମାଲିକମାନଙ୍କ ପାଇଁ ଯେଉଁ ଶାସ୍ତିମୂଳକ ବ୍ୟବସ୍ଥା ଉଚ୍ଛେଦ କରାଯାଇଥିବା ଆଇନରେ ଥିଲା, ତାହା ଶ୍ରମକୋଡ୍‌ରେ ଲଘୁ କରିଦେଇ ଆର୍ଥିକ ଜୋରିମାନା କଥା କୁହାଯାଇଛି ଏବଂ କାରାଦଣ୍ଡର ପରିମାଣ କମ୍ କରାଯାଇଛି । ଏହାଫଳରେ ମାଲିକମାନଙ୍କ ଫାଙ୍କିର ପ୍ରବଣତା ଆହୁରି ବଢିବ ।
୧୩ଟି ଶ୍ରମଆଇନକୁ ଉଚ୍ଛେଦ କରି କେନ୍ଦ୍ର ବିଜେପି ସରକାର ପ୍ରଣୟନ କରିଥିବା ଏହି କୋଡ୍ ପାଇଁ ୨୯ ସେପ୍ଟେମ୍ବର ୨୦୨୦ରେ ଗେଜେଟ ନୋଟିଫିକେସନ କରାଯାଇଥିଲା । କାରଖାନା ଆଇନ-୧୯୪୮, ପ୍ଲାଣ୍ଟେସନ୍ ଶ୍ରମ ଆଇନ-୧୯୫୧, ଖଣି ଆଇନ-୧୯୫୨, କର୍ମରତ ସାମ୍ବାଦିକ ଏବଂ ଅନ୍ୟାନ୍ୟ ସମ୍ବାଦପତ୍ର କର୍ମଚାରୀ ଚାକିରୀର ସର୍ତ୍ତାବଳୀ ଏବଂ ବିବିଧ ବିଧାନ ଆଇନ-୧୯୫୫, କର୍ମରତ ସାମ୍ବାଦିକ(ମଜୁରୀ ହାର ନିର୍ଦ୍ଧାରଣ) ଆଇନ-୧୯୫୮, ମୋଟର ପରିବହନ ଶ୍ରମିକ ଆଇନ-୧୯୬୧, ବିଡି ଏବଂ ଚୁରୁଟ ଶ୍ରମିକ(କର୍ମ ସଂସ୍ଥାନର ସର୍ତ୍ତାବଳୀ) ଆଇନ-୧୯୬୬, ଠିକା ଶ୍ରମିକ(ନିୟନ୍ତ୍ରଣ ଓ ବିଲୋପ) ଆଇନ-୧୯୭୦, ବିକ୍ରୟ ପ୍ରଚାର କର୍ମଚାରୀ (ପରିସେବା ସର୍ତ୍ତାବଳୀ) ଆଇନ-୧୯୭୬, ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ(କର୍ମ ସଂସ୍ଥାନ ଓ ପରିସେବା ସର୍ତ୍ତାବଳୀ) ଆଇନ-୧୯୭୯, ସିନେମା-କର୍ମୀ ଏବଂ ସିନେମା ଥିଏଟର ଶ୍ରମିକ(କର୍ମସଂସ୍ଥା ନିୟନ୍ତ୍ରଣ) ଆଇନ-୧୯୮୧, ଡକ୍ ଶ୍ରମିକ(ନିରାପତ୍ତା, ସ୍ୱାସ୍ଥ୍ୟ ଓ କଲ୍ୟାଣ) ଆଇନ-୧୯୮୬, କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ(କର୍ମସଂସ୍ଥାନ ଓ ପରିସେବାର ସର୍ତ୍ତାବଳୀ ନିୟନ୍ତ୍ରଣ) ଆଇନ-୧୯୯୬କୁ ଉଚ୍ଛେଦ କରି ଏହି ଶ୍ରମକୋଡ୍‌କୁ ପ୍ରଣୟନ କରାଯାଇଛି ।
ଉଚ୍ଛେଦ କରାଯାଇଥିବା କାରଖାନା ଆଇନ-୧୯୪୮ ଅନୁଯାୟୀ ବିଦ୍ୟୁତ ଶକ୍ତି(ପାୱାର) ଚାଳିତ କୌଣସି କାରଖାନା ବା ସଂସ୍ଥାରେ ୧୦ଜଣ ଶ୍ରମିକ କାମ କରୁଥିଲେ ଏବଂ ବିଦ୍ୟୁତ ଶକ୍ତି(ପାୱାର) ବିନା କୌଣସି କାରଖାନା ବା ସଂସ୍ଥାରେ ୨୦ ଜଣ ଶ୍ରମିକ କାମ କରୁଥିଲେ ତାକୁ Factory ବା କାରଖାନା ଭାବେ ଗଣ୍ୟ କରାଯାଉଥିଲା । କିନ୍ତୁ ଏହି ପେଶାଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିବେଶ କୋଡ-୨୦୨୦ରେ ଶିଳ୍ପ ବା କାରଖାନାର ସଂଜ୍ଞା ବଦଳାଇ ଦିଆଯାଇଛି । ଏହି ଶ୍ରମ କୋଡର ଧାରା ୨(ଡ)(ସ)(ସସ)ରେ କୁହାଯାଇଛି ଯେ ଯେଉଁଠାରେ ଶକ୍ତିଚାଳିତ ଉତ୍ପାଦନ ହୁଏ ସେଠାରେ ୨୦ଜଣ ବା ତାଠାରୁ ବେଶୀ ଶ୍ରମିକ କାମ କରୁଥିଲେ ଏବଂ ଶକ୍ତି ବିନା ଉତ୍ପାଦନ ସଂସ୍ଥାରେ ୪୦ଜଣ ବା ତା’ଠାରୁ ଅଧିକ ଶ୍ରମିକ କାମ କରୁଥିଲେ ତାକୁ କାରଖାନା ଭାବେ ସ୍ୱୀକୃତି ଦିଆହେବ । ଫଳରେ ଏହି ଶ୍ରମ କୋଡ୍ ଅନୁସାରେ ବହୁ ସଂଖ୍ୟକ କାରଖାନା ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଧରଣର ବିପୁଳ ସଂଖ୍ୟକ ଶ୍ରମିକ କର୍ମଚାରୀ ଆଇନର ରକ୍ଷା କବଚ ବାହାରକୁ ଚାଲିଯିବେ । ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ, ନିରାପତ୍ତା ଓ କଲ୍ୟାଣ, ଦୈନିକ କାର୍ଯ୍ୟ ନିର୍ଘଣ୍ଟ, ସାପ୍ତାହିକ ଛୁଟି, ଦୈନିକ କାମରେ ବିଶ୍ରାମ ସମୟ ଆଦି ଆଇନଗତ ସୁବିଧା ସୁଯୋଗ ଲାଗୁ ହେବ ନାହିଁ ।
ଏହି ଶ୍ରମକୋଡରେ ଠିକା ଶ୍ରମିକ ଓ ପ୍ରବାସୀ ଶ୍ରମିକ ପାଇଁ ବହୁ ପରିବର୍ତ୍ତନ ଅଣାଯାଇଛି । କୌଣସି ଠିକାଦାରଙ୍କ ଅଧିନରେ ୨୦ ବା ତା’ଠାରୁ ଅଧିକ ସଂଖ୍ୟକ ଶ୍ରମିକ କୌଣସି ଶିଳ୍ପରେ ନିଯୁକ୍ତ ହେଲେ ସେଠାରେ ଉଚ୍ଛେଦ କରାଯାଇଥିବା ଠିକା ଶ୍ରମିକ(ନିୟନ୍ତ୍ରଣ ଓ ବିଲୋପ) ଆଇନ-୧୯୭୦ ଅନୁସାରେ କଣ୍ଟାକ୍ଟର ଶ୍ରମ ଦପ୍ତରରୁ ଲାଇସେନ୍‌ସ ଆଣିବା ସହିତ ସଂପୃକ୍ତ ଠିକା ଶ୍ରମିକଙ୍କୁ ସମସ୍ତ ଆଇନଗତ ପ୍ରାପ୍ୟ ପ୍ରଦାନ କରୁଥିଲେ । ଏହି ଶ୍ରମ କୋଡର ଧାରା ୪୫ରେ ୫୦ଜଣ ବା ତାଠାରୁ ବେଶୀ ଶ୍ରମିକଙ୍କୁ କାମରେ ନିଯୁକ୍ତ କରିଥିବା କଣ୍ଟ୍ରାକ୍ଟରଙ୍କ ପାଇଁ ଏହି କୋଡ୍ ପ୍ରଯୁଜ୍ୟ ହେବ । ଫଳରେ ବିପୁଳ ସଂଖ୍ୟକ ଠିକା ଶ୍ରମିକ ଇଏସଆଇସି, ପିଏଫ୍ ସହ ବିଭିନ୍ନ ସାମାଜିକ ସୁରକ୍ଷା ପାଇବାରୁ ବଂଚିତ ହେବେ ।
ଏହି ଶ୍ରମକୋଡ୍‌ର ଧାରା ୫୯ରେ ଉଲ୍ଲେଖ ଅଛି ଯେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ(Inter State Migrant Workers) ମାନଙ୍କ କ୍ଷେତ୍ରରେ ଆଇନ୍ ପ୍ରଯୁଜ୍ୟ ହେବ ସେତେବେଳେ, ଯେତେବେଳେ ୧୦ବା ତାଠାରୁ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ବର୍ଷର ଯେକୌଣସି ଦିନରେ କାମରେ ନିଯୁକ୍ତ ହେବେ । ପୂର୍ବରୁ ୫ଜଣ ବା ତା’ଠାରୁ ବେଶୀ ପ୍ରବାସୀ ଶ୍ରମିକ ବର୍ଷର ଯେକୌଣସି ଦିନରେ ନିଯୁକ୍ତ ହେଉଥିଲେ ସେଠାରେ ଆଇନ ପ୍ରଯୁଜ୍ୟ ହେଉଥିଲା । ଏହି ଶ୍ରମକୋର୍ଡ ଲାଗୁ ହେବାଫଳରେ ବହୁ ପ୍ରବାସୀ ଶ୍ରମିକ ଆଇନର ସୁବିଧା ସୁଯୋଗରୁ ବଂଚିତ ହେବେ ।
ଯେତେବେଳେ ପ୍ରବାସୀ ଶ୍ରମିକମାନଙ୍କୁ ଜଣେ ଠିକାଦାର ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ନେଇଯାଏ, ସେତେବେଳେ ପ୍ରବାସୀ ଶ୍ରମିକମାନଙ୍କୁ ନିଯୁକ୍ତି ସମୟରେ ସେମାନଙ୍କର ମଜୁରୀର ଶତକଡା ୫୦ଭାଗ ହିସାବରେ ସ୍ଥାନାନ୍ତରିତ ଭତ୍ତା(Displacement Allowance) ଉଚ୍ଛେଦ କରାଯାଇଥିବା ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ୍ତାବଳୀ ଆଇନ ୧୯୭୯ ଅନୁସାରେ ଦେବାକୁ ବାଧ୍ୟତାମୂଳକ ଥିଲା । କିନ୍ତୁ ଏହି ଶ୍ରମକୋଡରେ ସେ ବିଷୟଟିକୁ ସଂପୂର୍ଣ୍ଣ ଭାବେ ବାତିଲ କରି ଦିଆଯାଇଛି । ଯାହାଫଳରେ ପ୍ରବାସୀ ଶ୍ରମିକମାନେ ଚରମ ଶୋଷଣ ବଞ୍ଛନାର ଶୀକାର ହେବେ ।
ଏହି ଶ୍ରମକୋଡ୍‌ର ଧାରା ୫୭ରେ ଉଲ୍ଲେଖ ଅଛି ଯେ, ମୂଳ ନିଯୁକ୍ତି ଦାତା(Principle Employer) ମୌଳିକ କାର୍ଯ୍ୟ(Core Activity)ରେ କଣ୍ଟ୍ରାକ୍ଟରଙ୍କ ଜରିଆରେ ଠିକା ଶ୍ରମିକ ନିଯୁକ୍ତି କରିବାକୁ ଦିଆଯାଇଛି । ଯାହାଫଳରେ ସ୍ଥାୟୀ କାମରେ ଠିକା ଶ୍ରମିକ ନିଯୁକ୍ତିର ବ୍ୟାପକତା ବୃଦ୍ଧି ପାଇବ ।
ଏହି ଶ୍ରମକୋଡ୍‌ର ଧାରା ୪୩ରେ ଉଲ୍ଲେଖ ଅଛି ଯେ ରାତି ସିଫ୍ଟରେ(ସଂଧ୍ୟା ୭ଟାରୁ ସକାଳ ୬ଟା ମଧ୍ୟରେ) ମହିଳା ମାନଙ୍କୁ କାର୍ଯ୍ୟରେ ନିଯୁକ୍ତ କରାଯାଇପାରିବ । ଯଦିଓ ମହିଳାମାନଙ୍କର ସମ୍ମତି ଓ ସୁରକ୍ଷାର ବ୍ୟବସ୍ଥା କଥା କୁହାଯାଇଛି, କିନ୍ତୁ ବାସ୍ତବରେ ମହିଳା ଶ୍ରମିକମାନଙ୍କ ନିରାପତ୍ତା ବିଘ୍ନିତ ହେବ । ଉଚ୍ଛେଦ କରାଯାଇଥିବା କାରଖାନା ଆଇନ-୧୯୪୮ର ଧାରା ୬୬ରେ ରାତ୍ରି ସିଫ୍ଟ କାମରେ ମହିଳା ଶ୍ରମିକ ନିଯୁକ୍ତିକୁ ବାରଣ କରାଯାଇଥିଲା ।
ଏହି ଶ୍ରମ କୋଡ୍‌ର ଧାରା୧୦(୨)ରେ ରହିଛି ଯେ କର୍ମକ୍ଷେତ୍ରରେ ଦୁର୍ଘଟଣାର ତଦନ୍ତ କରିବା ପାଇଁ ତଦନ୍ତକାରୀ ଅଧିକାରୀମାନେ ଦୁଇମାସ ପର୍ଯ୍ୟନ୍ତ ସମୟ ନେଇପାରିବେ । ଯାହାକି ତଦନ୍ତ ପ୍ରକ୍ରିୟାକୁ ଗୁରୁତ୍ୱହୀନ କରିଦେବ ଏବଂ ମାଲିକ ପକ୍ଷକୁ ଦୁର୍ଘଟଣାର ପ୍ରକୃତ କାରଣ ଗୋପନ କରିବା ବା ହଟେଇ ଦେବାର ସୁଯୋଗ ସୃଷ୍ଟି ହେବ, ଯାହାକି ଶ୍ରମିକ ସ୍ୱାର୍ଥ ବିରୋଧି ।
ଏହି ଶ୍ରମ କୋଡ୍‌ର ଧାରା ୨୭ରେ ଓଭରଟାଇମ୍‌ର ସର୍ବୋଚ୍ଚ ସମୟ ସୀମାକୁ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ନିର୍ଦ୍ଧାରିତ ହେବା ବିଷୟ କୁହାଯାଇଛି । ଉଚ୍ଛେଦ କରାଯାଇଥିବା କାରଖାନା ଆଇନ-୧୯୪୮ର ଧାରା ୬୫(୩)(ସଙ୍ଖ)ରେ ତ୍ରୈମାସିକ ଓଭରଟାଇମ୍‌ର ସର୍ବୋଚ୍ଚ ସୀମା ୭୫ଘଣ୍ଟା ଥିଲା । ଯାହାକି ଶ୍ରମିକର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସହାୟକ ହେଉଥିଲା ।
ଏହି ଶ୍ରମ କୋଡ୍‌ର ଧାରା-୧୨୫ ଅନୁସାରେ ଶ୍ରମକୋଡର ଅନ୍ତର୍ଗତ କୌଣସି ବିଷୟକୁ ନେଇ ସିଭିଲ କୋର୍ଟକୁ ଯିବା ଏବଂ ସ୍ଥଗିତାଦେଶ ମାଗିବାର ଅଧିକାର ଶ୍ରମିକମାନଙ୍କର ରହିବ ନାହିଁ । ଅର୍ଥାତ୍ ଏହି ଶ୍ରମ କୋଡ୍ ସରକାରଙ୍କ ଦୃଷ୍ଟିରେ ବିଚାର ବ୍ୟବସ୍ଥାଠାରୁ ମଧ୍ୟ ଉର୍ଦ୍ଧ୍ୱରେ ।
ଏହି ଶ୍ରମ କୋଡ୍‌ର ଧାରା-୧୨୬ ଅନୁସାରେ ସରକାରୀ ଅଧିକାରୀମାନଙ୍କର ସିଦ୍ଧାନ୍ତ ଦ୍ୱାରା ଶ୍ରମିକମାନେ ଆର୍ଥିକ ବା ଶାରୀରିକ ଭାବେ କ୍ଷତିଗ୍ରସ୍ତ ହେଲେବି ଆଇନର ଦ୍ୱାରସ୍ଥ ହୋଇପାରିବେ ନାହିଁ ।
ଏହି ଶ୍ରମ କୋଡ୍‌ର ଧାରା-୧୨୭ ଅନୁସାରେ ଅର୍ଥନୈତିକ ଉନ୍ନୟନର ସ୍ୱାର୍ଥରେ ଶ୍ରମକକୋଡର ଯେକୌଣସି ଧାରାକୁ ବାତିଲ ବା ସ୍ଥଗିତ କରିବାର ଅଗଣତାନ୍ତ୍ରିକ ଅଧିକାର ସରକାରଙ୍କୁ ଦିଆଯାଇଛି । ଏହାବ୍ୟତୀତ ଆହୁରି ଅନେକ ଶ୍ରମିକ କର୍ମଚାରୀ ବିରୋଧୀ ପ୍ରାବଧାନ ଏହି ଶ୍ରମ କୋଡ୍‌ରେ ରହିଛି ।
୨୧ନଭେମ୍ବର ୨୦୨୫ଠାରୁ ଲାଗୁ ହୋଇଥିବା ୪ଟି ଶ୍ରମକୋଡ୍‌ରେ ଉପରୋକ୍ତ ଶ୍ରମିକ କର୍ମଚାରୀ ବିରୋଧୀ ପ୍ରାବଧାନ ଗୁଡିକରୁ ସ୍ପଷ୍ଟ ଯେ ଏହା ମାଲିକ ଶ୍ରେଣୀ ସ୍ୱାର୍ଥରେ ଲାଗୁ କରାଯାଇଛି । ଆମ ଦେଶର ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ ୧୯୯୧ ମସିହାରେ କେନ୍ଦ୍ରର କଂଗ୍ରେସ ସରକାର ଜଗତିକରଣ ନୀତିର ଅଂଶ ଭାବେ ଉଦାରୀକରଣ ଓ ବଜାର ଅର୍ଥନୀତି ଗ୍ରହଣ କଲେ । ଭାରତ ବିଶ୍ୱ ବାଣିଜ୍ୟ ସଂଗଠନ(WTO)ର ସଦସ୍ୟ ହୋଇ ଆମ ଦେଶରେ ସେବାମୂଳକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଦେଶୀ-ବିଦେଶୀ ପୁଞ୍ଜିପତିମାନଙ୍କର ଅନୁପ୍ରବେଶର ସିଂହଦ୍ୱାର ଖୋଲି ଦେଲେ । ୧୯୯୬ ମସିହାରେ କଂଗ୍ରେସ ଓ ସିପିଆଇ(ଏମ୍‌)ର ସମର୍ଥନରେ ସିପିଆଇ ସାମିଲ ଥିବା ଯୁକ୍ତଫ୍ରଣ୍ଟ ସରକାର କ୍ଷୁଦ୍ର ଶିଳ୍ପ ଓ ବ୍ୟବସାୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫଡ୍‌ିଆଇ)କୁ ଅନୁମତି ଦେଇଥିଲେ । ଦେଶରେ ନୂତନ ଆର୍ଥିକ ନୀତି ଓ ଏଫ୍‌ଡିଆଇକୁ କାର୍ଯ୍ୟକାରୀ କରିବାପାଇଁ ସେହି ସମୟଠାରୁ ଶ୍ରମ ଆଇନ ସଂସ୍କାର ନିମନ୍ତେ ମାଲିକ ଶ୍ରେଣୀ ପକ୍ଷରୁ ଜୋରଦାର ଦାବି ଉଠିଥିଲା । ପୁଞ୍ଜିପତି ଶ୍ରେଣୀର ଦାବି ପୂରଣ କରିବା ଉଦ୍ଦେଶ୍ୟରେ ପ୍ରଚଳିତ ଶ୍ରମ ଆଇନଗୁଡିକର ସଂସ୍କାର ଲକ୍ଷ୍ୟରେ ୧୯୯୯ ମସିହାରେ କ୍ଷମତାସୀନ ଅଟଳ ବିହାରୀ ବାଜପେୟୀ ନେତୃତ୍ୱାଧୀନ କେନ୍ଦ୍ରର ବିଜେପି ପରିଚାଳିତ ଏନ୍‌ଡିଏ ସରକାର କଂଗ୍ରେସ ନେତା ରବିନ୍ଦ୍ର ବର୍ମାଙ୍କ ନେତୃତ୍ୱରେ ଦ୍ୱିତୀୟ ଶ୍ରମ କମିଶନ ଗଠନ କରିଥିଲେ । ୨୦୦୨ ମସିହାରେ ଏହି କମିଶନ ଦେଶର ସମସ୍ତ ଶ୍ରମ ଆଇନଗୁଡିକୁ ୫ଟି ଶ୍ରମକୋଡ୍‌ରେ ରୂପାନ୍ତରିତ କରିବାର ପ୍ରସ୍ତାବ ରିପୋର୍ଟରେ ଉପସ୍ଥାପନ କରିଥିଲେ । ଏହାର ଧାରାବାହିକତାରେ ‘ଇଜି ଅଫ୍ ଡୁଇଂ ବିଜିନେସ୍‌’ ପାଇଁ ଶ୍ରମଜୀବୀ ମଣିଷ ଉପରେ ମାଲିକ ଶ୍ରେଣୀର ଆକ୍ରମଣକୁ ଆହୁରି ତୀବ୍ର କରିବା ଲକ୍ଷ୍ୟରେ ଆମ ଦେଶରେ ଶ୍ରମଜୀବୀ ଜନସାଧାରଣଙ୍କ କଷ୍ଟଲବ୍ଧ ସଂଗ୍ରାମ ଫଳରେ ପରାଧୀନ ଭାରତରେ ଇଂରେଜ ସରକାର ଏବଂ ସ୍ୱାଧୀନ ଦେଶର ସରକାର ଯେଉଁ ସବୁ ଶ୍ରମ ଆଇନ ପ୍ରଣୟନ କରିଥିଲେ ସେଗୁଡିକୁ ଶ୍ରମିକ ଶ୍ରେଣୀ ସ୍ୱାର୍ଥରେ ଉନ୍ନତ କରି ପୁନଃ-ପ୍ରଚଳନ କରିବାର ପ୍ରୟୋଜନ ରହିଛି । ସେଥିପାଇଁ କେନ୍ଦ୍ର ବିଜେପି ସରକାର ଲାଗୁ କରିଥିବା ପୁଞ୍ଜିପତି ସପକ୍ଷବାଦୀ ୪ଟି ଶ୍ରମକୋଡ୍‌କୁ ସଂପୂର୍ଣ୍ଣ ରଦ୍ଦ କରିବା ଦାବିରେ ଶ୍ରମଜୀବୀ ଜନସାଧାରଣଙ୍କର ଶକ୍ତିଶାଳୀ ଦୀର୍ଘସ୍ଥାୟୀ ଐକ୍ୟବଦ୍ଧ ଆନ୍ଦୋଳନ ସଂଗଠିତ କରିବାକୁ ହେବ ।

Leave a Reply

Your email address will not be published. Required fields are marked *