ରନ୍ଧନ ଗ୍ୟାସର କୃତ୍ରୀମ ସଙ୍କଟ ସୃଷ୍ଟି ଓ ଦରବୃଦ୍ଧି ବିରୋଧରେ ବିକ୍ଷୋଭ
Dated – 18.03.2026 – ସମ୍ପ୍ରତି ଦେଶରେ ଯୁଦ୍ଧର କାରଣ ଦର୍ଶାଇ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରିବା ପରେ ପରେ ଏହାର ନାହିଁ ନଥିବା କୃତ୍ରୀମ ଅଭାବ ସୃଷ୍ଟି କରି ଜନସାଧାରଣଙ୍କୁ ଯେଭଳି ହଇରାଣ ହରକତ ମଧ୍ୟକୁ ଠେଲି ଦିଆଯାଉଛି ତାହା ବିରୋଧରେ ଆଜି ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ଆଜି ଦେଶରେ ରନ୍ଧନ ଗ୍ୟାସର ନାହିଁ ନଥିବା ଅଭାବ ଯୋଗୁଁ ଜନସାଧାରଣଙ୍କର ବେଳାଏ ରୋଷେଇ ହେଲେ ଆଉ ବେଳା ରୋଷେଇ ହେଉନାହିଁ । ପ୍ରଥମେ ଆନ୍ତର୍ଜାତୀକ ସ୍ତରରେ ମୂଲ୍ୟ ବୃଦ୍ଧିର ଦ୍ୱାହି ଦେଇ ଗ୍ୟାସ ସିଲିଣ୍ଡର ପିଛା ୬୦ଟଙ୍କା କରି ମୂଲ୍ୟ ବୃଦ୍ଧି କରାଗଲା । କିନ୍ତୁ ଏହି ସଙ୍କଟ ଦୂର ହୋଇଗଲେ ଏହି ଦର ବୃଦ୍ଧି ପ୍ରତ୍ୟାହୃତ ହୋଇଯିବ ବୋଲି କୌଣସି ପ୍ରତିଶୃତି ଆସିଲା ନାହିଁ । ତାହାପରେ ଆରମ୍ଭ ହେଲା ଗ୍ୟାସର କୁତ୍ରୀମ ଅଭାବ ସୃଷ୍ଟି । ବହୁ ଯାଗାରେ ହୋମ୍ ଡେଲିଭରି ବନ୍ଦ ହୋଇଯିବାରୁ ଗ୍ୟାସ ଦୋକାନ ସମ୍ମୁଖରେ ଜନସାଧାରଣ ଲମ୍ବା ଲାଇନ୍ ଦେଇ ଗ୍ୟାସ୍ ଟିଏ ପାଇଁ ଦିନ ଦିନ ଜଗି ବସିଛନ୍ତି । ଏହି ଅଭାବ ଦୁର କରିବା ପାଇଁ ସରକାରଙ୍କର କୌଣସି ଠୋସ୍ ପଦକ୍ଷେପ ନାହିଁ । ଏହି ଯୁଦ୍ଧ ଆମେରୀକା ଇସ୍ରାଏଲ୍ ଅନ୍ୟାୟ ଭାବେ କରୁଛନ୍ତି ତାହା ନେଇ ଏହି ଅନ୍ୟାୟ ଘଟଣାକୁ ମଧ୍ୟ ସରକାରଙ୍କର ନିନ୍ଦା କାରିବାପାଇଁ ସାହାସ ନାହିଁ କି ଯୁଦ୍ଧ ବନ୍ଦ କରିବା ପାଇଁ ଦାବୀ କରୁନାହାଁନ୍ତି । ଅନ୍ୟପଟରେ ଦେଶରେ ଓ ରାଜ୍ୟରେ ପର୍ଯ୍ୟପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି ବୋଲି ଡବଲ ଇଞ୍ଜିନ୍ ସରକାର ଦାବୀ କରୁଛନ୍ତି ପୂନର୍ବାର ୨୫ ଦିନ ପରେ ଯାଇ ହିଁ ଜଣେ ଗ୍ୟାସ ବୁକ୍ କରିପାରିବ ବୋଲି ନିୟମ କରିଛନ୍ତି । ଚିଙ୍ଗୁଡିକୁ ଗୋଳିଆ ପାଣି ସୁହାଇଲା ଭଳି ଆଜିର ଯୁଦ୍ଧ ପରିସ୍ଥିତି ଜନସାଧାରଣଙ୍କୁ ଲୁଟ କରି କୋଟି କୋଟି ଟଙ୍କା ମୁନାଫା ଅର୍ଜନ କରିବା ପାଇଁ ଗ୍ୟାସ କମ୍ପାନୀ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ଓ ସରକାର ଏହି ସୁଯୋଗ କରାଇ ଦେଉଛନ୍ତି । ତେଣୁ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ଏହି ମୁଲ୍ୟ ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କୁ ଆବଶ୍ୟକ ମୁତାବକ ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇଁ ଦୃଢ ଦାବୀ କରାଯାଇଛି । ଆଜିର ଏହି ପ୍ରତିବାଦ ସଭାରେ ଶ୍ରୀ ପୁର୍ଣ୍ଣଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମ୍ମା, ନିରଞ୍ଜନ ମହାନ୍ତି, ପ୍ରଭାମଞ୍ଜୁଳା ବ୍ରହ୍ମ, ବିଜୟ ଲକ୍ଷ୍ମୀପାତ୍ର, ନସିମ ସରକାର, ସପ୍ତର୍ସିନୀ ରାଉଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
