ଏସ୍ୟୁସିଆଇ(କମ୍ୟୁନିଷ୍ଟ)ର ବରିଷ୍ଠ ରାଜ୍ୟ ନେତ୍ରୀ କମ୍ରେଡ ବୀଣାପାଣି ଦାସଙ୍କ ଜୀବନାବସାନରେ – ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଶୋକ ପ୍ରସ୍ତାବ
SK Dated 29.12.2025 –
ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ କମିଟି ସଂପାଦକ ମଣ୍ଡଳୀର ବରିଷ୍ଠ ସଦସ୍ୟା ତଥା ଓଡ଼ିଶାର ବିଶିଷ୍ଟ ଜନ ନେତ୍ରୀ କମ୍ରେଡ ବୀଣାପାଣି ଦାସ ୨୦୨୫ ଡ଼ିସେମ୍ବର ୨୨ ତାରିଖ ସନ୍ଧ୍ୟା ୮ ଟା ୧୫ ମିନିଟ୍ ସମୟରେ ପ୍ରାୟ ୭୯ ବର୍ଷ ବୟସରେ ଭୁବନେଶ୍ୱର ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ବିଭିନ୍ନ ଧରଣର ଶାରୀରିକ ଅସୁସ୍ଥତା ପାଇଁ ଗତ କିଛି ବର୍ଷ, ବିଶେଷ କରି ଗତ ଏକ ବର୍ଷ ଧରି ଚିକିତ୍ସିତ ହେଉଥିଲେ । ସେ ବିପ୍ଳବୀ ମହିଳା ସଂଗଠନ, ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ପୂବର୍ତନ ରାଜ୍ୟ ସଭାପତି ଏବଂ ସର୍ବଭାରତୀୟ ଉପସଭାପତି ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ସମେତ ତାଙ୍କ ଚିକିତ୍ସା ସହିତ ସଂପୃକ୍ତ ଡାକ୍ତରଖାନାର ସମସ୍ତ କର୍ମଚାରୀ ତଥା ସମଗ୍ର ରାଜ୍ୟର କମ୍ରେଡ ମାନଙ୍କର ସମସ୍ତ ପ୍ରକାର ଆନ୍ତରିକ ଉଦ୍ୟମ ସତ୍ତ୍ୱେ ତାଙ୍କ ଅମୂଲ୍ୟ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ ।
କମ୍ରେଡ ବୀଣାପାଣି ଦାସଙ୍କ ଦୁଃଖଦ ମୃତ୍ୟୁ ଶେଷ ପର୍ଯ୍ୟନ୍ତ ସାଢ଼େ ପାଂଚ ଦଶନ୍ଧି ବ୍ୟାପି ଗୋଟିଏ ଗୌରବମୟ ବିପ୍ଳବୀ ଜୀବନ ସଂଗ୍ରାମର ଅନ୍ତ ଘଟାଇଲା । ତାଙ୍କ ପରିବାରର ରାଜନୈତିକ ପୃଷ୍ଠଭୂମି ଯୋଗୁ ଅତ୍ୟନ୍ତ ଅଳ୍ପ ବୟସରେ କମ୍ରେଡ ବୀଣାପାଣି ଦାସ ଆମର ପ୍ରିୟ ଦଳ ଏସ୍ୟୁସିଆଇ(କମ୍ୟୁନିଷ୍ଟ)ର ସଂସ୍ପର୍ଷରେ ଆସିଥିଲେ । ପରିବାର ମଧ୍ୟରେ ସ୍କୁଲରେ ପଢୁଥିବା ସମୟରେ ହିଁ ସର୍ବହାରର ମହାନ୍ ନେତା, ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଦଳର ପ୍ରତିଷ୍ଠାତା ସାଧାରଣ ସଂପାଦକ କମ୍ରେଡ ଶିବଦାସ ଘୋଷଙ୍କ ଚିନ୍ତା ସହିତ ତାଙ୍କର ପ୍ରାଥମିକ ପରିଚିତି ଘଟିଥିଲା । ରାଉରକେଲା ଠାରେ ଆମ ଦଳର ପ୍ରିୟ ପୂବର୍ତନ ରାଜ୍ୟ ସଂପାଦକ କମ୍ରେଡ୍ ତାପସ ଦତ୍ତଙ୍କ ଘନିଷ୍ଠ ବିପ୍ଳବୀ ସାନ୍ନିଧ୍ୟ ପାଇବା ପରେ ସେ ତାଙ୍କର ସମଗ୍ର ଜୀବନ ମାର୍କ୍ସବାଦ-ଲେନିନବାଦ-କମ୍ରେଡ ଶିବଦାସ ଘୋଷଙ୍କ ବିପ୍ଳବୀ ଆଦର୍ଶ ଭିତ୍ତିରେ ଶୋଷିତ ଜନସାଧାରଣଙ୍କ ବିପ୍ଳବୀ ସଂଗ୍ରାମରେ ନିଜକୁ ସାମିଲ କରିବାକୁ ଜୀବନର ଏକମାତ୍ର ଲକ୍ଷ୍ୟ ଭାବରେ ଗ୍ରହଣ କରିଥିଲେ । ଏହାହିଁ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା ଏବଂ ମହାନ୍ ବିପ୍ଳବୀ ଜୀବନର ଅଙ୍କା ବଙ୍କା ରାସ୍ତାକୁ ସାମନା କରି ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ସେହି ରାସ୍ତାରେ ଅବିଚଳିତ ରହିଥିଲେ ।
ସେ ଓଡ଼ିଶାରେ ଆମ ମହାନ ଦଳର ପ୍ରଥମ ମହିଳା କର୍ମୀ ଥିଲେ, ରାଜ୍ୟର ମଧ୍ୟ ହାତ ଗଣତି ମହିଳା ରାଜନୈତିକ କର୍ମୀ ମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ସେହି ସମୟରେ ଏହା ଏକ ଅତ୍ୟନ୍ତ କଷ୍ଟଦାୟକ ସଂଗ୍ରାମ ଥିଲା, କାରଣ ସେତେବେଳର ରକ୍ଷଣଶୀଳ ସାମାଜିକ ପରିବେଶରେ ପୁରୁଷ ମାନଙ୍କ ସହିତ ସମାନ ଭାବରେ ବିପ୍ଳବୀ ରାଜନୈତିକ ଆନ୍ଦୋଳନରେ ଅଂଶଗ୍ରହଣ କରିବାପାଇଁ ସାଧାରଣତଃ ମହିଳାମାନେ ଆଗୁସାର ହେଉନଥିଲେ । କିନ୍ତୁ କମ୍ରେଡ ବୀଣାପାଣି ଦାସଙ୍କର ଉତ୍ସର୍ଗୀକୃତ, ଏକାଗ୍ର ଏବଂ ମର୍ଯ୍ୟାଦାମୟ ବିପ୍ଳବୀ ଜୀବନ ସଂଗ୍ରାମ ଯୋଗୁ ସେ ଏହି କଷ୍ଟସାଧ୍ୟ ସଂଗ୍ରାମର ଆବର୍ତ୍ତ ମଧ୍ୟରେ ବି ତାଙ୍କର ମର୍ଯ୍ୟାଦାଜନକ ଉପସ୍ଥିତି ନିଶ୍ଚିତ କରିପାରିଥିଲେ । ତାଙ୍କର ଉତ୍ସର୍ଗୀକୃତ ଓ ମର୍ଯ୍ୟାଦାବନ୍ତ ବିପ୍ଳବୀ ଜୀବନ ସଂଗ୍ରାମ ଯୋଗୁ ରାଜନୈତିକ ଦଳ ଓ ମତବାଦ ନିର୍ବିଶେଷରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି, ଏପରିକି ତାଙ୍କର ଦୃଢ଼ ରାଜନୈତିକ ବିରୋଧୀ ମାନେ ମଧ୍ୟ ତାଙ୍କୁ ଭଲପାଉଥିଲେ ଓ ସମ୍ମାନ ପ୍ରଦର୍ଶନ କରୁଥିଲେ । ତାଙ୍କୁ ସମସ୍ତେ ଭଲ ପାଉଥିଲେ ଏବଂ ବୟସରେ ସାନ ହୁଅନ୍ତୁ କି ବଡ ତାଙ୍କୁ ‘ବୀଣା ଅପା\’ ଭାବରେ ସମ୍ବୋଧନ କରୁଥିଲେ । ତାଙ୍କ ରାଜନୈତିକ ଜୀବନର ଆଦ୍ୟ ପର୍ଯ୍ୟାୟରେ ରାଉରକେଲା ଠାରେ ଛାତ୍ର ସଂଗଠନ ଏଆଇଡିଏସଓ ସହିତ ଯୁକ୍ତ ଥାଇ କମ୍ରେଡ ବୀଣାପାଣି ଦାସ ଓଡ଼ିଶାର ଛାତ୍ର ଆନ୍ଦୋଳନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ସେ ଏଆଇଡିଏସଓର ରାଜ୍ୟ କମିଟି ସଭ୍ୟ ଥିଲେ ଏବଂ ୧୯୭୪ ମସିହାରେ କଟକ ବାରବାଟି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହୋଇଥିବା ସଙ୍ଗଠନର ପ୍ରଥମ ସର୍ବଭାରତୀୟ ସମ୍ମିଳନୀରେ କାଉନସିଲ ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।
ଏହାପରେ ବିଗତ ଶତାବ୍ଦୀର ସତୁରୀ ଦଶକର ଆଦ୍ୟ ପର୍ଯ୍ୟାୟରେ ତାଙ୍କ ଯୌବନର ଆଦ୍ୟ କାଳରେ ଛାତ୍ର ସଙ୍ଗଠନର ସକ୍ରିୟ କାର୍ଯ୍ୟକଳାପ ସହିତ ଭଣ୍ଡାରିପୋଖରୀ ବ୍ଲକ୍ ସମେତ ଯାଜପୁର ଜିଲ୍ଲାର କୋରେଇ ବ୍ଲକର ସଂଖଚିଲା ଓ ବିଂଝାରପୁର ବ୍ଲକ୍ରେ ଚାଷୀ ଆନ୍ଦୋଳନ ଓ ଚାଷୀ ସଂଗଠନ ଗଢିତୋଳିବା ପାଇଁ ତାଙ୍କୁ ରାଉରକେଲାରୁ ବର୍ତ୍ତମାନର ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଂଚଳକୁ ପଠାଯାଇଥିଲା ।
ପରର୍ବତ୍ତୀ ସମୟରେ ଏଆଇଡିଏସ୍ଓର ସର୍ବଭାରତୀୟ ସମ୍ମିଳନୀ ପୂର୍ବରୁ ତାଙ୍କୁ କଟକ ପଠା ଯାଇଥିଲା ।ସେ ସମୟରେ କଟକରେ ପାର୍ଟିର ଗୁରୁତର ଅର୍ଥାଭାବ ଯୋଗୁ କମ୍ରେଡ ତାପସ ଦତ୍ତଙ୍କ ସମେତ କମ୍ରେଡ ବୀଣାପାଣି ଦାସ ଓ ମୁଷ୍ଟିମେୟ ଅନ୍ୟ ଉତ୍ସର୍ଗୀକୃତ ସର୍ବକ୍ଷଣ କର୍ମୀ ଦିନ ଦିନ ଧରି ଉପଯୁକ୍ତ ଖାଦ୍ୟ ଖାଇବାକୁ ମଧ୍ୟ ପାଉ ନଥିଲେ । ପାର୍ଟିର ସେହି କଷ୍ଟ ଦାୟକ ସଂଗ୍ରାମ ସମୟରେ କମ୍ରେଡ୍ ବୀଣାପାଣି ଦାସ ଛାତ୍ର ଛାତ୍ରୀ ମାନଙ୍କୁ ଘରୋଇ ଟିଉସନ୍ କରି ପାର୍ଟି ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ ।
କମ୍ରେଡ ତାପସ ଦତ୍ତଙ୍କ ପ୍ରଚେଷ୍ଟା ଓ ପରିଚାଳନାରେ ୧୯୭୪ ମସିହାର ଶେଷ ଭାଗରେ ରାଉରକେଲାଠାରେ ମହିଳା ସଂଗଠନ ଏଆଇଏମ୍ଏସଏସ(ଇଓଗଝଝ)ର କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା । ମାତ୍ର ୧୯୭୫ ମସିହା ଜୁନ ମାସରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବାପରେ ଏଆଇଏମ୍ଏସ୍ଏସ୍ର କାର୍ଯ୍ୟକଳାପ ବ୍ୟାହତ ହୋଇଥିଲା । ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହୃତ ହେବାପରେ ଏବଂ ୧୯୭୭ ମସିହା ସାଧାରଣ ନିର୍ବାଚନ ପରେ ରାଉରକେଲା ଠାରେ ଏଆଇଏମ୍ଏସ୍ଏସ୍ର କାର୍ଯ୍ୟକଳାପ ପୁନର୍ବାର ଆରମ୍ଭ କରାଗଲା ଏବଂ କମ୍ରେଡ ତାପସ ଦତ୍ତ ରାଜ୍ୟରେ ମହିଳା ସଂଗଠନ ଗଢ଼ିତୋଳିବା ଦାୟିତ୍ୱ କମ୍ରେଡ ବୀଣାପାଣି ଦାସ ଙ୍କ ଉପରେ ନ୍ୟସ୍ତ କଲେ । ପରର୍ବତ୍ତୀ ସମୟରେ ବିଗତ ଶତାବ୍ଦୀର ନବେ ଦଶକର ପ୍ରାରମ୍ଭିକ କାଳରେ କଟକ ଠାରେ ଅନୁଷ୍ଠିତ ସଂଗଠନର ପ୍ରଥମ ରାଜ୍ୟ ସମ୍ମିଳନୀରେ କମ୍ରେଡ ବୀଣାପାଣି ଦାସ ସଂଗଠନର ପ୍ରଥମ ରାଜ୍ୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୨୦୨୪ ଜାନୁଆରୀ ମାସ ପର୍ଯ୍ୟନ୍ତ ସେଇ ପଦ ଓ ଦାୟିତ୍ୱରେ ରହିଥିଲେ ।
ବିଗତ ଶତାବ୍ଦୀର ସତୁରୀ ଦଶକର ଶେଷ ଭାଗରେ କମ୍ରେଡ ବୀଣାପାଣି ଦାସ ଏସ୍ୟୁସିଆଇ(ସି) ରାଜ୍ୟ ସାଂଗଠନିକ କମିଟିର ସଭ୍ୟ ହୋଇଥିଲେ ଏବଂ ପରର୍ବତ୍ତୀ ସମୟରେ ୧୯୮୭ ମସିହା ଡିସେମ୍ବର ମାସରେ କଟକଠାରେ ଅନୁଷ୍ଟିତ ଏସ୍ୟୁସିଆଇ(କମ୍ୟୁନିଷ୍ଟ)ର ପ୍ରଥମ ରାଜ୍ୟ ସମ୍ମିଳନୀରେ ସେ ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ଯଥାକ୍ରମେ ଅନୁଗୁଳ ଓ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏସ୍ୟୁସିଆଇ(କମ୍ୟୁନିଷ୍ଟ)ର ଦ୍ୱିତୀୟ ଓ ତୃତୀୟ ରାଜ୍ୟ ସମ୍ମିଳନୀରେ ମଧ୍ୟ ସେ ରାଜ୍ୟ କମିଟି ସଭ୍ୟ ଭାବରେ ପୁନଃ ନିର୍ବାଚିତ ହୋଇଥିଲେ । ୨୦୧୮ ମସିହାରେ ସେ ପାର୍ଟିର ରାଜ୍ୟ ସଂପାଦକ ମଣ୍ଡଳୀ ର ସଦସ୍ୟ ହୋଇଥିଲେ ।
ଓଡ଼ିଶାରେ ବହୁ ଗଣତାନ୍ତ୍ରିକ ଆନ୍ଦୋଳନରେ କମ୍ରେଡ ବୀଣାପାଣି ଦାସ ଉଲ୍ଲେଖନୀୟ ଭୂମିକା ପାଳନ କରିଥିଲେ । ସେ ଓଡ଼ିଶାରେ ଜେପି ଆନ୍ଦୋଳନର ଅଗ୍ରଭାଗରେ ଥିଲେ । ସେହି ଆନ୍ଦୋଳନରେ ସକ୍ରିୟ ଭୂମିକା ପାଳନ କରି ସେ ଓଡ଼ିଶାର ଦୁଇଜଣ ବିଶିଷ୍ଟ ଓ ସମ୍ମାନିତ ମାନବତାବାଦୀ ତଥା ରାଜନୈତିକ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଓ ଶ୍ରୀମତୀ ମାଳତୀ ଚୌଧୁରୀଙ୍କ ଶ୍ରଦ୍ଧା ଭାଜନ ହୋଇଥିଲେ । ରାଜ୍ୟର ଶୋଷିତ ଜନସାଧାରଣଙ୍କ ମଧ୍ୟରେ ବିପ୍ଳବୀ ମହିଳା ସଂଗଠନ ଏଆଇଏମ୍ଏସଏସ ଏବଂ ଦେଶର ଏକମାତ୍ର ସଠିକ୍ ବିପ୍ଳବୀ ପାର୍ଟି ଏସ୍ୟୁସିଆଇ (କମ୍ୟୁନିଷ୍ଟ)କୁ ଗଢିତୋଳିବା ପାଇଁ ସେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଉଥିଲେ । ଜଣେ ବିଶ୍ୱସ୍ତ, ବିଶ୍ୱାସଯୋଗ୍ୟ ଏବଂ ମର୍ଯ୍ୟାଦାବନ୍ତ ବିପ୍ଳବୀ ଭାବରେ ରାଜ୍ୟର ସମସ୍ତ କମ୍ରେଡ୍, ବିଶେଷକରି ମହିଳା କମ୍ରେଡ୍ ମାନେ କମ୍ରେଡ୍ ବୀଣାପାଣି ଦାସଙ୍କର ସାଢେ ପାଂଚ ଦଶଂଧିରୁ ଉର୍ଦ୍ଧ୍ୱ ସମୟବ୍ୟାପୀ ଗୌରବୋଜ୍ଜ୍ୱଳ ବିପ୍ଳବୀ ଜୀବନ ସଂଗ୍ରାମ – ଯେଉଁ ସଂଗ୍ରାମରେ ତାଙ୍କ ପରିବାର ଆମ ପାର୍ଟିର ସମଗ୍ର ପାର୍ଟି ପରିବାର ସହିତ ଏକୀଭୂତ ହୋଇଥିଲା ଏବଂ ଯେଉଁ ଉଦାହରଣକୁ ସମସ୍ତେ ନିଜ ଜୀବନରେ ପ୍ରୟୋଗ କରିବା ଆବଶ୍ୟକ, ସେହି ସଂଗ୍ରାମରୁ ଶିକ୍ଷା ଗ୍ରହଣ କରିବା ଉଚିତ ।
କମ୍ରେଡ୍ ବୀଣାପାଣି ବୀଣାପାଣି ଦାସଙ୍କ ଜୀବନାବସାନରେ ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ(କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ କମିଟି ଗଭୀରତମ ଶୋକ ବ୍ୟକ୍ତ କରୁଛି ଏବଂ ୨୦୨୫ ଡିସେମ୍ବର ୨୩ ତାରିଖରେ ଗୋଟିଏ ଦିନ ପାଇଁ ସମଗ୍ର ରାଜ୍ୟର ସମସ୍ତ ପାର୍ଟି ଅଫିସରେ ମହାନ ରକ୍ତ ପତାକାକୁ ଅର୍ଦ୍ଧନମିତ କରି ଏବଂ ସମସ୍ତ କମ୍ରେଡ୍ କଳାବ୍ୟାଜ ପରିଧାନ କରି ଶୋକ ପାଳନ ମଧ୍ୟଦେଇ ପ୍ରୟାତ ନେତାଙ୍କ ପ୍ରତି ସମ୍ମାନପୂର୍ଣ୍ଣ ବିପ୍ଳବୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ମହାନ କମ୍ୟୁନିଷ୍ଟ ଆଦର୍ଶ ଭିତ୍ତିରେ କମ୍ରେଡ୍ ବୀଣାପାଣି ଦାସଙ୍କ ସାଢେ ପାଞ୍ଚ ଦଶଂଧିରୁ ଉର୍ଦ୍ଧ୍ୱ ସମୟବ୍ୟାପୀ ଗୌରବୋଜ୍ଜ୍ୱଳ ବିପ୍ଳବୀ ସଂଗ୍ରାମକୁ ଆମ ପାର୍ଟି ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଗଭୀର ସମ୍ମାନର ସହିତ ସ୍ମରଣ ରଖିବ ।ଣ୍ଟ
କମ୍ରେଡ ବୀଣାପାଣି ଦାସ
ଲାଲ ସଲାମ
