କେଉଁଝରରେ ପୁଞ୍ଜିପତିମାନଙ୍କ ଦ୍ୱାରା କୃଷି ଜମି ହଡ଼ପ ରୋକିବା ପାଇଁ ଆଦିବାସୀ ଜନସାଧାରଣ ଲଢେଇ ଜାରି ରଖିଛନ୍ତି

SK Dated 03.01.2026 – ଓଡ଼ିଶାର ବିଜେପି ସରକାର କେଉଁଝର ଜିଲ୍ଲାର ପାଟନା ବ୍ଲକର ଅଠରଟି ଗାଁର ପ୍ରାୟ ୧୧,୦୦୦ ଏକର ଉର୍ବର କୃଷି ଜମିକୁ ବଳପୂର୍ବକ ଅଧିଗ୍ରହଣ କରି ଜିନ୍ଦଲ – ପୋସ୍କୋ କଂପାନୀ କୁ ହସ୍ତାନ୍ତର କରିବାକୁ ଘୋଷଣା କରିଛି । ଏହି ଘୋଷଣା ଜାନୁଆରୀ ୨୦୨୫ରେ କରାଯାଇଥିଲା । ଏହାର ପ୍ରତିବାଦରେ ସେହି ଅଂଚଳର ସାଧାରଣ ଲୋକଙ୍କ ମଧ୍ୟରେ, ବିଶେଷକରି ଆଦିବାସୀ ଚାଷୀ ଏବଂ କୃଷି ଶ୍ରମିକଙ୍କ ମଧ୍ୟରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି ଏବଂ ଏହି ଯୋଜନାକୁ କୌଣସି ପରିସ୍ଥିତିରେ କାର୍ଯ୍ୟକାରୀ ହେବାକୁ ଦିଆଯିବ ନାହିଁ ବୋଲି ସେମାନେ ପ୍ରତିଜ୍ଞା କରିଛନ୍ତି । ସୂଚନାଯୋଗ୍ୟ, ୨୦୦୬ ମସିହାରେ ରାଜ୍ୟର ତତ୍କାଳୀନ ବିଜେଡି – ବିଜେପି ମିଳିତ ସରକାର ଏହି ଅଂଚଳରେ ମିତ୍ତଲ କଂପାନୀକୁ ଜମି ଦେବାକୁ ନିଷ୍ପତ୍ତି କରିଥିଲା । ସେତେବେଳେ ସେହି ଅଂଚଳର ଚାଷୀ ଏବଂ କୃଷି ଶ୍ରମିକମାନେ ଏହି ନିଷ୍ପତ୍ତି ବିରୁଦ୍ଧରେ ଏକ ବୀରତ୍ୱପୂର୍ଣ୍ଣ ଲଢେଇ କରିଥିଲେ । ସେହି ସଂଘର୍ଷ ଦୀର୍ଘ ୭ ବର୍ଷ ଧରି ଚାଲିଥିଲା ଏବଂ ଆନ୍ଦୋଳନ ଚାପରେ ୨୦୧୩ ମସିହାରେ ମିତ୍ତଲ କଂପାନୀ ଏବଂ ତତ୍କାଳୀନ ଓଡ଼ିଶା ସରକାର ଶେଷରେ ପଛଘୁଂଚା ଦେଇଥିଲେ । ବର୍ତ୍ତମାନ ପୁନର୍ବାର ରାଜ୍ୟ ବିଜେପି ସରକାର ଜିନ୍ଦଲ-ପୋସ୍କୋ କଂପାନୀଗୁଡ଼ିକୁ ସମାନ ଜମି ଦେବାକୁ ଚେଷ୍ଟା କରୁଛି । ବିଜେପି ସରକାର ଏବଂ ବହୁରାଷ୍ଟ୍ରୀୟ କଂପାନୀଗୁଡ଼ିକର ଯୁକ୍ତି ହେଉଛି ଇସ୍ପାତ କାରଖାନା ହେଲେ ନୂଆ ନିଯୁକ୍ତି ସୃଷ୍ଟି ହେବ । ତେବେ ଏହି ଯୁକ୍ତିର ଅସାରତା ଦେଶର ଜନସାଧାରଣଙ୍କ ନିକଟରେ ସ୍ପଷ୍ଟ । ବାସ୍ତବତା ହେଉଚି ଗତ ଏଗାର ବର୍ଷର କେନ୍ଦ୍ର ବିଜେପି ଶାସନରେ ଦୁଇ ଲକ୍ଷରୁ ଅଧିକ କାରଖାନା ବନ୍ଦ ହୋଇଯାଇଛି । ଏହାଛଡା ଧକେଇ ଧକେଇ ଚାଲୁଥିବା କାରଖାନାଗୁଡ଼ିକରେ ଶ୍ରମିକମାନଙ୍କୁ ନିର୍ବିଚାର ଭାବରେ ଛଟେଇ କରାଯାଉଛି । ପୂର୍ବରୁ ରାଉରକେଲା ଇସ୍ପାତ କାରଖାନାରେ କାମ କରୁଥିବା ଶ୍ରମିକଙ୍କ ସଂଖ୍ୟା ୩୬ ହଜାର ଥିଲା, କିନ୍ତୁ ର୍ବତ୍ତମାନ ଶ୍ରମିକଙ୍କ ସଂଖ୍ୟା ମାତ୍ର ୯ ହଜାରରେ ପହଂଚିଛି । ଏହା ସହିତ, ଓଡ଼ିଶାରେ ବନ୍ଦ ହୋଇଥିବା କାରଖାନାର ସଂଖ୍ୟା ଅଗଣିତ । ଗତ ୨୫ ବର୍ଷ ମଧ୍ୟରେ ରାଜ୍ୟର ୯ ବର୍ଷର ବିଜେଡି – ବିଜେପି ମିଳିତ ସରକାର ଓ ୧୫ ବର୍ଷର ଏକକ ବିଜେଡି ସରକାର ର ଶାସନ କାଳରେ ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟି ଆଳରେ ଏହିଭଳି ହଜାର ହଜାର ଏକର ଚାଷ ଜମି ପୁଞ୍ଜିପତି ମାନଙ୍କୁ ହସ୍ତାନ୍ତର କରାଯାଇଛି । ଜମି ଅଧିଗ୍ରହଣ ପାଇଁ ଅକଥନୀୟ ପୋଲିସ ଅତ୍ୟାଚାର କରାଯାଇଛି, ଏପରିକି ଗୁଳିକରି ଏକାଥରକେ ୧୩ଜଣ ଆନ୍ଦୋଳନକାରୀଙ୍କୁ କଳିଙ୍ଗନଗରଠାରେ ହତ୍ୟା କରାଯାଇଛି । ତେବେ ସରକାର ଯଦି କେଉଁଝର ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ତାହେଲେ ଜିଲ୍ଲାରେ ବିପୁଳ ପରିମାଣର ଅନୂର୍ବର ଜମି ଅଛି । ସେଠାରେ ଶିଳ୍ପ ସ୍ଥାପନ କରିବାରେ ଅସୁବିଧା କେଉଁଠି? ପାଟନା ବ୍ଲକର ଠିକ୍ ସେହି ସ୍ଥାନରେ ହିଁ କାରଖାନା ପ୍ରତିଷ୍ଠା ପାଇଁ କଂପାନୀ ମାନଙ୍କର ଏତେ ଜିଦ୍ କାହିଁକି? ସରକାର ଓ କଂପାନୀ ମାନଙ୍କ ଷଡ଼ଯନ୍ତ୍ର ବିରୁଦ୍ଧରେ ସାଧାରଣ ଲୋକମାନେ ସଂଗଠିତ ହୋଇ ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଂଚ ଗଠନ କରିଛନ୍ତି । ଏହି ସଂଗଠନ ନେତୃତ୍ୱରେ ହଜାର ହଜାର ଗ୍ରାମବାସୀ ବିଡିଓ କାର୍ଯ୍ୟାଳୟ, ଜିଲ୍ଲାପାଳ କାର୍ଯ୍ୟାଳୟ, ଏପରିକି ସଚିବାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ଜମି ଦେବେ ନାହିଁ ବୋଲି ଲିଖିତ ଭାବରେ ସରକାରଙ୍କୁ ଜଣେଇ ଦେଇଛନ୍ତି । କିନ୍ତୁ ସରକାର ମାନେ ହେଉଛନ୍ତି ମାଲିକ ଶ୍ରେଣୀର ସେବକ । ତେଣୁ ବହୁରାଷ୍ଟ୍ରୀୟ କଂପାନୀଗୁଡ଼ିକର ମାଲିକଙ୍କ ସ୍ୱାର୍ଥ ମଧ୍ୟ ସେମାନଙ୍କର ସ୍ୱାର୍ଥ । ଫଳରେ, ବିଜେପି ସରକାର ସମସ୍ତ ଶକ୍ତି ଦେଇ ପ୍ରତିବାଦ କରୁଥିବା ଗାଁ ଲୋକଙ୍କ ଉପରେ ପୋଲିସ ଦ୍ୱାରା ଆକ୍ରମଣ କରୁଛି । ବିଭିନ୍ନ ପ୍ରଲୋଭନ ଦେଖାଇ ସେହି ଅଂଚଳରେ କିଛି ଦଲାଲ ସୃଷ୍ଟି କରିବାକୁ କଂପାନୀ ଓ ସ୍ଥାନୀୟ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଟି ଉଦ୍ୟମ କରୁଛନ୍ତି । ପୋଲିସର ସିଧାସଳଖ ସମର୍ଥନରେ ସେମାନେ ଆନ୍ଦୋଳନକାରୀ ମାନଙ୍କୁ ଧମକ ଦେବା, ମାଡ଼ ମାରିବା ଏବଂ ଭୟଭୀତ କରିବା ଆରମ୍ଭ କରିଛନ୍ତି । ନଭେମ୍ବର ୨୬ ତାରିଖ ସଶସ୍ତ୍ର ପୋଲିସର ୨୯ଟି ଗାଡ଼ି ସମସ୍ତ ଗ୍ରାମକୁ ଘେରି ଯାଇଥିଲା । ସେମାନେ ଘରର ଦ୍ୱାର ଏବଂ ଝରକା ଭାଙ୍ଗି ଆନ୍ଦୋଳନର ନେତା, ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଂଚର ସଂପାଦକ ବେଣୁଧର ସର୍ଦ୍ଦାରଙ୍କୁ ଗିରଫ କରିଥିଲେ । ତାଙ୍କ ଭାଇଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ବିଭିନ୍ନ ଗ୍ରାମରୁ ଅନ୍ୟ ଚାରି ଜଣ ଆନ୍ଦୋଳନର ନେତାଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ହତ୍ୟା ଉଦ୍ୟମ, ଡକାୟତି, ରାହାଜାନୀ ଇତ୍ୟାଦି ମିଥ୍ୟା ଅଭିଯୋଗରେ ଗିରଫ କରାଯାଇ ଆଜି ପର୍ଯ୍ୟନ୍ତ ଜେଲ୍‌ରେ ରଖାଯାଇଛି । ଆହୁରି ୩୪ ଜଣଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି । ଗାଁ ଗାଁ ରେ ପୋଲିସର ଆତଙ୍କ ଚାଲିଛି । ଗାଁ ଲୋକଙ୍କୁ ଆତଙ୍କିତ କରିବା, ସେମାନଙ୍କୁ ମାନସିକ ଭାବରେ ଦୁର୍ବଳ କରିବା ଆତ୍ମ ସର୍ମପଣ ପାଇଁ ବାଧ୍ୟ କରିବା ଉଦ୍ଦେଶ୍ୟରେ ଏହି ଧରଣର ପୋଲିସ ଆକ୍ରମଣ ଚାଲିଛି । ମାତ୍ର ସରକାର ଓ କଂପାନୀ ମାନଙ୍କର ସମସ୍ତ ଷଡ଼ଯନ୍ତ୍ର ପଣ୍ଡ ହୋଇଛି ସମସ୍ତ ଭୟ ଏବଂ ପ୍ରଲୋଭନକୁ ଅଣଦେଖା କରି, ଆନ୍ଦୋଳନର ନେତା ମାନଙ୍କ ଗିରଫଦାରୀ ପରଦିନ ନଭେମ୍ବର ୨୬ ତାରିଖରେ ହଜାର ହଜାର ଲୋକ ପୋଲିସ ଷ୍ଟେସନକୁ ଘେରାଉ କରିଛନ୍ତି । ଏହି ଆନ୍ଦୋଳନ ସହିତ ସଂହତି ପ୍ରଦର୍ଶନ କରି ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତୃତ୍ୱ ଡିସେମ୍ବର ୧ ତାରିଖରେ ସଂପୃକ୍ତ ଅଂଚଳକୁ ଗସ୍ତ କରିଥିଲେ । ସଂଯୁକ୍ତ କିଶାନ୍ ର୍ମୋଚ୍ଚାର ତୁଙ୍ଗ ନେତା ତଥା ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଗଠନର ସର୍ବଭାରତୀୟ ସଭାପତି କମ୍ରେଡ୍ ସତ୍ୟବାନ, କମ୍ରେଡ ସଦାଶିବ ଦାସ, ରାଜେନ୍ଦ୍ର ର୍ବମା ଓ ରଣଜିତ୍ ପ୍ରଧାନ ଏକ ପ୍ରତିନିଧି ଦଳରେ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଆନ୍ଦୋଳନକୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । କମ୍ରେଡ୍ ସତ୍ୟବାନ ଏବଂ ଅନ୍ୟ ଚାଷୀ ନେତାମାନେ ଗାଁ ଲୋକଙ୍କ ସହିତ ଆଲୋଚନା କରି ଫେରିବା ରାସ୍ତାରେ କେତେକ ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଘେରି ଯାଇଥିଲେ, ସେମାନଙ୍କୁ ଶାରୀରିକ ଆକ୍ରମଣ କରିଥିଲେ ଏବଂ ବଳପୂର୍ବକ ନିକଟସ୍ଥ ତୁରୁମୁଙ୍ଗା ପୋଲିସ ଷ୍ଟେସନକୁ ନେଇଯାଇଥିଲେ । ସେଠାରେ ପୋଲିସ ସେମାନଙ୍କୁ ଦୀର୍ଘ ସମୟ ପାଇଁ ବେଆଇନ ଭାବରେ ଅଟକ ରଖିଥିଲା । ଅସାମାଜିକ ବ୍ୟକ୍ତି ମାନେ ଥାନା ମଧ୍ୟରେ ପୋଲିସ ଉପସ୍ଥିତିରେ ଚାଷୀ ନେତା ମାନଙ୍କୁ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ, ସେମାନଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ । ପୋଲିସର ଭୂମିକା ବାସ୍ତବରେ ଅସାମାଜିକ ଯୁବକ ମାନଙ୍କପାଇଁ ସହାୟକ ଥିଲା । କମ୍ରେଡ୍ ସତ୍ୟବାନ ଏବଂ ଅନ୍ୟ ଚାଷୀ ନେତାଙ୍କ ଉପରେ ଆକ୍ରମଣ ଖବର ଗାଁରେ ପହଂଚିବା ପରେ ଶହ ଶହ ଲୋକ, ମୁଖ୍ୟତଃ ମହିଳା ମାନେ ପୋଲିସ ଷ୍ଟେସନ ଘେରାଉ କରିବାପାଇଁ ଆସୁଥିବା ଖବରପାଇ ପୋଲିସ ଚାଷୀ ନେତାମାନଙ୍କୁ ଛାଡିବାକୁ ବାଧ୍ୟ ହେଲା ଏବଂ ଅସାମାଜିକ ଯୁବକ ମାନେ ସେ ଜାଗା ଛାଡ଼ି ଚାଲିଯିବାକୁ ବାଧ୍ୟ ହେଲେ । ଘଟଣାର ନିନ୍ଦା କରି ଏବଂ ଦୋଷୀମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରି ସଂଯୁକ୍ତ କିଷାନ ର୍ମୋଚ୍ଚା, ଏଆଇକେକେଏମଏସ ଓ ମାନବାଧିକାର ସଂଗଠନ ସିପିଡିଆରଏସ ସମେତ ଚଉଦଟି ସର୍ବଭାରତୀୟ କୃଷକ ସଂଗଠନ ବିବୃତ୍ତି ଜାରି କରିଛନ୍ତି ଏବଂ ବଳପୂର୍ବକ ଜମି ଅଧିଗ୍ରହଣ ବିରୁଦ୍ଧରେ ଗ୍ରାମବାସୀଙ୍କୁ ବୃହତ୍ତର ଆନ୍ଦୋଳନ ଗଢିତୋଳିବା ପାଇଁ ଆହ୍ୱାନ ଦେଇଛନ୍ତି । ଗ୍ରାମବାସୀମାନେ ମଧ୍ୟ ଜୀବନ ଦେବୁ ପଛେ ଭିଟାମାଟି ଛାଡିବୁନାହିଁ ବୋଲି ଦୃଢ କଣ୍ଠରେ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *