ବାଙ୍ଗାଲୋର ସହରରେ ସର୍ବଭାରତୀୟ ଜନ ସଂସଦ ଉଦ୍‌ଯାପିତ – ଏନ୍‌ଇପି-୨୦୨୦ର ବିକଳ୍ପ ଭାବେ ଜନ ଶିକ୍ଷାନୀତି (ପିଇପି) ଗୃହିତ

SK Dated 05.02.2026 –

୨୪ ଜାନୁୟାରୀ ୨୦୨୬ ବାଙ୍ଗାଲୋର ସହରରେ ଏକଜୁଟ୍ ହୋଇଥିଲେ ଦେଶର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ହଜାର ହଜାର ସଂଖ୍ୟାରେ ବହୁ ସୁନାମଧନ୍ୟ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ପ୍ରଫେସର, ବୈଜ୍ଞାନିକ, ଶିକ୍ଷକ, ଅଭିଭାବକ, ଛାତ୍ର ଏବଂ ସର୍ବୋପରି ଶୁଭବୁଦ୍ଧିସମ୍ପନ୍ନ ଜନଗଣ । ସମସ୍ତଙ୍କ ମନରେ ଗୋଟେ କଥା ସରକାରୀ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା । ଏଭଳି ଶିକ୍ଷା ନୀତି ଗ୍ରହଣ କରିବା, ଯାହା ସର୍ବସ୍ତରର ଜନଗଣଙ୍କ ଦ୍ୱାରା ଏବଂ ଛାତ୍ର-ଶିକ୍ଷା ସ୍ୱାର୍ଥ ରକ୍ଷାକାରୀ ବୈଜ୍ଞାନିକ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଏବଂ ସାର୍ବଜନୀନ ଶିକ୍ଷାର ଧାରଣାକୁ ଭିତ୍ତିକରି ଗଢିଉଠିବ । ସେହି ଉଦ୍ଦ୍ୟେଶରେ ବାଙ୍ଗାଲୋରର ରମୈୟା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆପେକ୍ସ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ସର୍ବଭାରତୀୟ ଜନ ସଂସଦକୁ ସଫଳ କରିବା ପାଇଁ ସମସ୍ତେ ଏକଜୁଟ୍ ହୋଇଥିଲେ । ଜନ ସଂସଦରେ ଏନ୍‌ଇପି-୨୦୨୦ ଯାହାକି ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାଂପ୍ରଦାୟୀକରଣ, କେନ୍ଦ୍ରୀକରଣ ଓ ଧନ୍ଦାମୂଖୀକରଣର ଏକ ନୀଳ ନକ୍ସା ତାହାର ଏକ ବିକଳ୍ପ ଭାବେ ଜନ ଶିକ୍ଷାନୀତି (ପିଇପି) ଗ୍ରହଣ କରିବା ପାଇଁ ।
ଠିକ୍ ସକାଳ ୧୦ଟାରେ ସମସ୍ତେ ଏକଜୁଟ୍ ହୋଇଥିଲେ ଅଲ୍ ଇଣ୍ଡିଆ ସେଭ ଏଜୁକେସନ୍ କମିଟି ସର୍ବଭାରତୀୟ କମିଟି ଆହ୍ୱାନରେ ବାଙ୍ଗାଲୋରର ରମୈୟା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆପେକ୍ସ ଅଡିଟୋରିୟମ୍‌ରେ । ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ୍ କମିଟି (ଏଆଇଏସ୍‌ଇସି)ର ସର୍ବଭାରତୀୟ ସଭାପତି ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରକାଶ ଏନ୍ ଶାହାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା ଐତିହାସିକ ସର୍ବଭାରତୀୟ ଜନ ସଂସଦ । ଏଆଇଏସ୍‌ଇସିର ସାଧାରଣ ସମ୍ପାଦକ ପ୍ରଫେସର ତରୁଣ କାନ୍ତି ନସ୍କର ପ୍ରଥମେ ଜନଶିକ୍ଷା ନୀତି ସମ୍ପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସେ କହିଥିଲେ, ଯେତେବେଳେ ଏନ୍‌ଇପି-୨୦୨୦ର ଶିକ୍ଷା ବିରୋଧୀ ସୁପାରିଶ ଗୁଡ଼ିକ ବିରୁଦ୍ଧରେ ପ୍ରତିବାଦ ହେଉଥିଲା, ସେତେବେଳେ ଏକ ବିକଳ୍ପ ଶିକ୍ଷାନୀତି ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଆସିଥିଲା । ତଦନୁସାରେ, ଦେଶବ୍ୟାପୀ ବହୁ ଶିକ୍ଷାବିତ୍‌ଙ୍କ ସହଯୋଗରେ, ଏକ ଚିଠା ଶିକ୍ଷା ନୀତି ପ୍ରସ୍ତୁତ କରାଯାଇ, ମେ’ ୨୦୨୫ରେ ସର୍ବ ସାଧାରଣ ଆଲୋଚନା ପାଇଁ ପ୍ରକାଶିତ କରାଯାଇଥିଲା । ଏହି ଚିଠା ଶିକ୍ଷାନୀତିର ଲକ୍ଷ ଲକ୍ଷ କପି ସମସ୍ତ ଆଞ୍ଚଳିକ ଭାଷାରେ ମୁଦ୍ରିତ ହୋଇଛି ଏବଂ ଲୋକଙ୍କ ମଧ୍ୟରେ ପ୍ରସାରିତ ହୋଇଛି । ସାରା ଭାରତରେ ସମସ୍ତ ରାଜ୍ୟରେ ଆଲୋଚନା କରାଯାଇଥିଲା । ହଜାର ହଜାର ପରାମର୍ଶ ଗ୍ରହଣ କରାଯାଇଛି । ନୀତିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଏହି ଜନସଂସଦରେ ଏଗୁଡ଼ିକ ଉପରେ ଆଲୋଚନା କରାଯିବ । ଶେଷରେ, ଏହି ନୀତି ଲାଗୁ କରିବା ପାଇଁ ବାଙ୍ଗାଲୋର ଘୋଷଣାନାମା ଉପସ୍ଥାପିତ କରାଯିବ ।


ଜନ ସଂସଦର ଉଦ୍‌ଘାଟନୀ ଅଧିବେଶନରେ ୟୁଜିସିର ପୂର୍ବତନ ଚେୟାରମ୍ୟାନ୍ ପ୍ରଫେସର ସୁଖଦେଓ ଥୋରାଟଙ୍କର ଉଦ୍‌ଘାଟନୀ ବକ୍ତବ୍ୟ ଭିତର ଦେଇ ଜନ ସଂସଦ ଆରମ୍ଭ ହୋଇଥିଲା । ସେ କହିଥିଲେ, କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ପରାମର୍ଶ ନକରି ଏନ୍‌ଇପି-୨୦୨୦ ନୀତିକୁ ଅଗଣତାନ୍ତ୍ରିକ ଭାବରେ କାର୍ଯ୍ୟକାରୀ କରିଛନ୍ତି । ଏହା ଶିକ୍ଷାର ସମ୍ପୂର୍ଣ୍ଣ କେନ୍ଦ୍ରୀକରଣ କରିବା ଦିଗରେ ଅଗ୍ରସର ହେଉଛି । ଭାରତୀୟ ଜ୍ଞାନ ବ୍ୟବସ୍ଥା ନାଁରେ, ଅଯୌକ୍ତିକ ଏବଂ ଅବୈଜ୍ଞାନିକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ୧୯୯୦ ଦଶକରେ ଘରୋଇକରଣର ଲହର ପରଠାରୁ, ଶିକ୍ଷାଗତ ଅସମାନତା ବୃଦ୍ଧି ପାଉଛି । ପ୍ରାୟ ୬୭% ଉଚ୍ଚ ଶିକ୍ଷାନୁଷ୍ଠାନ ସେଲ୍ଫ ଫାଇନାନସିଂ ଏବଂ ଘରୋଇ ହୋଇଯାଇଛନ୍ତି । ବର୍ଦ୍ଧିତ ଫି ଯୋଗୁଁ ଆର୍ଥିକ ଭାବରେ ପଛୁଆ ବର୍ଗଙ୍କ ମଧ୍ୟରେ ୨୨% ପାଠପଢା ଛାଡି ଦେଉଥିବା ପରିଲକ୍ଷିତ ହେଉଛି । ଫଳସ୍ୱରୂପ, ସାର୍ବଜନୀନ ଶିକ୍ଷା ଏକ ମରୀଚିକା ପାଲଟିଛି । ସେ ଏକ ଜନ ଶିକ୍ଷା ନୀତି ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ । ଯାହା ବୈଜ୍ଞାନିକ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଏବଂ ସାର୍ବଜନୀନ ଶିକ୍ଷାକୁ ପଣ୍ୟ ପରିବର୍ତ୍ତେ ଏକ ସାର୍ବଜନୀନ ଭାବରେ ବ୍ୟବହୃତ ହେବ ।


ପୂର୍ବତନ ସାଂସଦ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପୂର୍ବତନ ସଚିବ ଶ୍ରୀଯୁକ୍ତ ଜବାହାର ସିରକାର ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଆଧାରରେ ଗମ୍ଭୀର ଚେତାବନୀ ଦେଇ ଶିକ୍ଷା ଉପରେ ଆସୁଥିବା ଆକ୍ରମଣକୁ ସମସ୍ତ ଶକ୍ତି ଦେଇ ପ୍ରତିହତ କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ବର୍ତ୍ତମାନ ଆମେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସଂଗଠିତ ଶକ୍ତି ବିରୁଦ୍ଧରେ ଲଢ଼େଇ କରୁଛନ୍ତି । ସେ ଏନ୍‌ଇପି-୨୦୨୦କୁ ଏକ ଅମଲାତାନ୍ତ୍ରିକ ଉପକରଣ ଭାବରେ ବର୍ଣ୍ଣନା କରିଥିଲେ ଯାହା ଚାରୋଟି ମୁଖ୍ୟ ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ତାହା ହେଉଛି କେନ୍ଦ୍ରୀକରଣ, କର୍ପୋରେଟାଇଜେସନ୍‌, ସାମ୍ପ୍ରଦାୟୀକରଣ ଏବଂ ଶିକ୍ଷାର ଘରୋଇକରଣ । ସେ ଜୋର ଦେଇ କହିଥିଲେ ଯେ ଏହି ସରକାର ଆବେଦନର ଉତ୍ତର ଦିଏ ନାହିଁ । ତେଣୁ କେବଳ ଆବେଦନ ନୁହେଁ ସଂସଦ, ନ୍ୟାୟପାଳିକା ସମେତ ସମସ୍ତ ମଂଚରେ ଏନ୍‌ଇପି-୨୦୨୦କୁ ଚ୍ୟାଲେଞ୍ଜ କରିବାକୁ ଅନୁରୋଧ କରିଥିଲେ ।


ବମ୍ବେ ଆଇଆଇଟିର ଅବସରପ୍ରାପ୍ତ ପ୍ରଫେସର ରାମ ପୁନିଆନି ବର୍ତ୍ତମାନର ଶିକ୍ଷାଗତ ସଙ୍କଟ ବିଶ୍ଳେଷଣ କରିଥିଲେ । ସେ ନିରାଶ ପ୍ରକାଶ କରିଥିଲେ ଯେ ୧୧ ବର୍ଷ ଧରି କ୍ଷମତାରେ ରହିବା ସତ୍ତ୍ୱେତ୍ତ୍ୱ ବି ବର୍ତ୍ତମାନର କେନ୍ଦ୍ର ସରକାର ଶତାବ୍ଦୀ ତଳର ପୁରୁଣା ରାଜନୈତିକ ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରୁଛି ଯାହାର ଲକ୍ଷ୍ୟ ସାମାଜିକ ଅସମାନତାକୁ ଗଭୀର କରିବା ଏବଂ ସାମ୍ବିଧାନିକ ଅଧିକାରକୁ ଦମନ କରିବା । ସେ ଅଭିଯୋଗ କରିଥିଲେ ଯେ ଗୁଣାତ୍ମକ ଶିକ୍ଷା ଉଚ୍ଚବର୍ଗଙ୍କ ପାଇଁ ସଂରକ୍ଷିତ କରାଯାଉଥିବା ବେଳେ, ସରକାରୀ ସ୍କୁଲଗୁଡ଼ିକୁ ବନ୍ଦ କରାଯାଉଛି ଏବଂ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିଛି ।


ତାହାପରେ ଜେଏନ୍‌ୟୁର ପୂର୍ବତନ ପ୍ରଫେସର ସଚ୍ଚିଦାନନ୍ଦ ସିହ୍ନା ଜନ ସଂସଦର ବାଚସ୍ପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ଉଦ୍‌ଘାଟନୀ ଅଧିବେଶନ ପରେ ଚିଠା ଜନ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ପୃଥକ ପୃଥକ ଭାବେ ୧୦ଟି ଥିମେଟିକ୍ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବହୁ ବିଶିଷ୍ଟ ଶିକ୍ଷାବିତ୍ ମାନେ ଅଧ୍ୟକ୍ଷତା କରୁଥିଲେ । ଥିମେଟିକ୍ ଅଧିବେଶନ ଗୁଡିକରେ ସାରା ଦେଶରୁ ଆସିଥିବା ସଂଯୋଜନ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ସୁପାରିଶ, ସଂଯୋଜନ ଗୁଡିକ ଗ୍ରହଣ କରାଯାଇଥିଲା ।
ଜନ ସଂସଦର ଉଦ୍‌ଯାପନୀ ଅଧିବେଶନରେ ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଅରୁଣ କୁମାର ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ମୌଳିକ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ । ସାମାଜିକ ପ୍ରାସଙ୍ଗିକ ଜ୍ଞାନ ବ୍ୟବସ୍ଥା ହେବା ପରିବର୍ତ୍ତେ ସାମନ୍ତବାଦୀ ପ୍ରକୃତି ଏବଂ ପାଶ୍ଚାତ୍ୟ ଧାରଣାକୁ ପୁନଃସ୍ଥାପନା କରିବାର ପ୍ରବୃତ୍ତିକୁ ସମାଲୋଚନା କରିଥିଲେ । ଯୁକ୍ତି ଦେଇଥିଲେ ଯେ ଏନ୍‌ଇପି ଦିଲ୍ଲୀର ପ୍ରଦୂଷଣ ଭଳି ଆଧୁନିକ ସଙ୍କଟ ସମାଧାନ କରିବା ବଦଳରେ ଅସଂଗଠିତ କ୍ଷେତ୍ର ପାଇଁ ଆଜ୍ଞାଧୀନ ଶ୍ରମିକ ସୃଷ୍ଟି କରିବାର ବିପଦ ସୃଷ୍ଟି କରୁଛି । ବିଶ୍ୱ ବ୍ୟାଙ୍କ-ଚାଳିତ ଏଜେଣ୍ଡା ଉପରେ ଅତ୍ୟଧିକ ନିର୍ଭରଶୀଳତାକୁ ଆଲୋକପାତ କରିଥିଲେ । ସେ ଅତିଥି, ଚୁକ୍ତି ଭିତ୍ତିକ ଏବଂ ବରିଷ୍ଠ ଅଧ୍ୟାପକଙ୍କ ମଧ୍ୟରେ ବିଭାଜନକୁ ଦୂର କରି ଶିକ୍ଷକ ସମ୍ପ୍ରଦାୟର ଏକୀକରଣ ପାଇଁ ଅନୁରୋଧ କରିଥିଲେ । ପୁଞ୍ଜିବାଦୀ ଆବଶ୍ୟକତା ଅପେକ୍ଷା ସାମାଜିକ ଚେତନା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଉଥିବା ବିକଳ୍ପ ଶିକ୍ଷା ନୀତିକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ ।


ଅବସରପ୍ରାପ୍ତ IISER କୋଲକାତା ପ୍ରଫେସର ସୌମିତ୍ରୋ ବାନାର୍ଜୀ ଭାରତୀୟ ଜ୍ଞାନ ପ୍ରଣାଳୀର ଆବରଣ ତଳେ ଛଦ୍ମ-ବିଜ୍ଞାନର ପ୍ରତିଷ୍ଠାନ ବିରୁଦ୍ଧରେ ଚେତାବନୀ ଦେଇଥିଲେ । ଆମକୁ ଅନୁଭବମୂଳକ ପ୍ରମାଣକୁ ପୁରାଣ-ଇତିହାସ (empirical evidence with ‘myth-history)) ସହିତ ବଦଳାଇବାର ଧାରାକୁ ପ୍ରତିରୋଧ କରିବାକୁ ପଡିବ । ସେ ଯୁକ୍ତି ଦେଇଥିଲେ ଯେ ପ୍ରାଚୀନ ବିମାନ କିମ୍ବା ଷ୍ଟେମ୍ ସେଲ୍ ଉପରେ ଗବେଷଣା ଥର୍ମୋଡାଇନାମିକ୍ସ ଏବଂ ଧାତୁ ବିଜ୍ଞାନର ମୌଳିକ ପ୍ରମାଣର ଅଭାବ ଅଛି । ସେ ବୈଦିକ ଗଣିତ ଅନ୍ତର୍ଭୁକ୍ତ କରିବାକୁ ତିବ୍ର ସମାଲୋଚନା କରିଥିଲେ । ଉଲ୍ଲେଖ କରିଥିଲେ ଯେ ଏସ.ଜି. ଦାନିଙ୍କ ପରି ପ୍ରଖ୍ୟାତ ଗଣିତଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ ଏଗୁଡ଼ିକ କେବଳ ଗଣନାର ସଂକ୍ଷିପ୍ତ ଉପାୟ ଯାହାର କୌଣସି ବୈଦିକ ଉତ୍ପତ୍ତି ନାହିଁ ।
ଜେଏନ୍‌ୟୁର ପୂର୍ବତନ ପ୍ରଫେସର ମୃଦୁଲା ମୁଖାର୍ଜୀ ଚେତାବନୀ ଦେଇ କହିଥିଲେ ଯେ DU ଏବଂ JNU ଭଳି ପ୍ରମୁଖ ପ୍ରତିଷ୍ଠାନ ଗୁଡ଼ିକୁ ସୁପରିକଳ୍ପିତ ଉପାୟରେ ଦୁର୍ବଳ କରିବା, ଶୈକ୍ଷିକ ଉତ୍କର୍ଷତା ପାଇଁ ଏକ ଶକ୍ତ ଆଘାତ । ସେ ସାମ୍ପ୍ରଦାୟୀକରଣ ପ୍ରସଂଗରେ କହିଥିଲେ ଐତିହାସିକ ସତ୍ୟକୁ ପୁନରୁଦ୍ଧାର କରିବା ପାଇଁ NCERT ପାଠ୍ୟପୁସ୍ତକଗୁଡ଼ିକର ଯାଂଚ କରିବାର ଜରୁରୀ ଆବଶ୍ୟକତା ରହିଛି । ଘରୋଇକରଣ ପ୍ରସଂଗରେ କହିଥିଲେ ଶିକ୍ଷାକୁ ଜନସାଧାରଣଙ୍କ ଅଧିକାରରୁ ଏହାକୁ ଏକ ବାଣିଜ୍ୟିକ ସାମଗ୍ରୀରେ ରୂପାନ୍ତରିତ କରାଯାଉଛି ।
IFUCTOର ସାଧାରଣ ସମ୍ପାଦକ ପ୍ରଫେସର ଅରୁଣ କୁମାର ଏନ୍‌ଇପିର ବିଭିନ୍ନ ମାରତ୍ମକ ଦିଗ ଉପରେ ଆଲୋକପାତ କରି ଶିକ୍ଷା ବଂଚାଅ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ୍ କମିଟି (AISEC)କୁ IFUCTOର ପୂର୍ଣ୍ଣ ସମର୍ଥନ ଅଛି ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉତ୍ତର ପୂର୍ବ ହିଲ୍ ବିଶ୍ୱବିଦ୍ୟାଳୟ (NEHU)ର ପ୍ରଫେସର ବାଟସ୍କେମ୍ ମୀରବୋ ଏବଂ ଶ୍ରୀକାନ୍ତ ଆଦିବାସୀ ଅଂଚଳରେ ଶିକ୍ଷା ନୀତିର ବିଫଳତା, ଡ୍ରପ ଆଉଟ୍‌, ସ୍କୁଲ ବନ୍ଦ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।
କଲିକତା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଧ୍ରୁବଜ୍େୟାତି ମୁଖୋପାଧ୍ୟାୟ ଜନ ସଂସଦର ମେମ୍ବର ମାନଙ୍କୁ ମନେ ପକାଇ ଦେଇଥିଲେ ଯେ ଶିକ୍ଷା ହେଉଛି ଦେଶର ମେରୁଦଣ୍ଡ । ଶିକ୍ଷା କ୍ଷେତ୍ରରେ ବୃଦ୍ଧି ପାଉଥିବା ଫିସ୍ ଏବଂ ଖର୍ଚ୍ଚ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଏହା ବିଶ୍ୱାସଘାତକତା ବୋଲି ଦର୍ଶାଇଥିଲେ । ପ୍ରସ୍ତାବିତ ଚଋଚର ଲକ୍ଷ୍ୟ ହେଉଛି: ଲୋକଙ୍କୁ ବଜାର ମାପଦଣ୍ଡ ବଦଳରେ ମାନବ ବିକାଶର କେନ୍ଦ୍ରରେ ସ୍ଥାନିତ କରିବା । ମାଗଣା, ସାର୍ବଜନୀନ ଶିକ୍ଷା ପ୍ରଦାନ କରିବା ପାଇଁ ରାଷ୍ଟ୍ର ଦାୟିତ୍ୱ ଦୃଢ଼ କରିବା । ବୈଜ୍ଞାନିକ ମନୋଭାବ ଏବଂ ଧର୍ମନିରପେକ୍ଷତାର ମୌଳିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା । ଶିକ୍ଷାକୁ ଏକ ସାର୍ବଜନୀନ ମଙ୍ଗଳ ଏବଂ ଯୁକ୍ତିଯୁକ୍ତ ଅନୁସନ୍ଧାନର ଏକ ଉପକରଣ ଭାବରେ ପୁନଃସ୍ଥାପନ କରିବା ପାଇଁ ଦେଶବ୍ୟାପୀ ଦୃର୍ବାର ଗଣତାନ୍ତ୍ରିକ ଆନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ ଦେଇଥିଲେ ।
ଶେଷରେ ଜନ ସଂସଦର ବାଚସ୍ପତି ପ୍ରଫେସର ସଚ୍ଚିଦାନନ୍ଦ ସିହ୍ନା ବିଭିନ୍ନ ଥିମାଟିକ୍ ଅଧିବେଶନରୁ ଆସିଥିବା ସଂଯୋଜନ ଗୁଡିକୁ ସଂସଦରେ ଆଗତ କରିଥିଲେ ଏବଂ ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହି ଡ୍ରାଫ୍ଟକୁ ଚୁଡାନ୍ତ ରୂପ ଦେଇ ପ୍ରକାଶିତ କରିବା ପାଇଁ ଏହି ଜନ ସଂସଦ ଏକ ଯାଂଚ କମିଟି ସର୍ବସମ୍ମତିକ୍ରମେ ଗଠନ କରିଥିଲା । ଏଆଇଏସ୍‌ଇସିର ଉପସଭାପତି ଶ୍ରୀଯୁକ୍ତ ଦେବାଶିଷ ରାୟ ବାଙ୍ଗାଲୋର ଘୋଷଣାପତ୍ର ଉପସ୍ଥାପନ କରିଥିଲେ ଏବଂ ତାହା ସର୍ବସମ୍ମତିକ୍ରମେ ଗୃହୀତ କରାଯାଇଥିଲା । ଘୋଷଣାପତ୍ର ଅନୁଯାୟୀ ଆଗାମୀ ଦିନରେ ସରକାର ଶିକ୍ଷା ଧ୍ୱଂସକାରୀ ଏନ୍‌ଇପିକୁ ବାତିଲ କରି ଏହି ଜନ ଶିକ୍ଷାନୀତି (ପିଇପି-୨୦୨୬)କୁ ଦେଶରେ ଲାଗୁ କରିବାକୁ ଗାଁ, ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ସର୍ବପରି ସର୍ବଭାରତୀୟ ସ୍ତରରେ ସ୍ତରେ ସ୍ତରେ ଜନ ଆନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ହାମ୍ପି ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ପ୍ରଫେସର ଏ ମୁରିଗେପ୍ପା ସ୍ୱାଗତ ଭାଷଣ ଦେଇଥିଲେ । ଏହି ଜନ ସଂସଦରେ ଓଡିଶାରୁ ବଚ୍ଛାବଚ୍ଛା ୫୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇ ବିଭିନ୍ନ ଥିମେଟିକ୍ ଅଧିବେଶନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ । ଓଡିଶାରୁ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ, ପ୍ରଫେସର ଜବାହାର ନେସାନ, ପ୍ରଫେସର ଚନ୍ଦ୍ରଶେଖର ଚକ୍ରବର୍ତ୍ତୀ, ପ୍ରଫେସର ଆର ମହାଲକ୍ଷ୍ମୀ, ପ୍ରଫେସର ଫ୍ରାନ୍ସିସ୍ ଆସିସି ଅଲ୍ମେଇଦା, ଡ. ମହାବଳେଶ୍ୱର ରାଓ, ଡ. ଏ. ଆର. ଭାଷାଭି, ଡ. ଶିନ୍ତି ଆଣ୍ଟୋନି, ପ୍ରଫେସର ଆଲ୍ଲାମାପ୍ରଭୁ ବେଟାଡୁର ପ୍ରମୁଖ ବହୁ ଶିକ୍ଷାବିତ୍ ଜନଶିକ୍ଷା ନୀତି ସପକ୍ଷରେ ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *