ଜନବିରୋଧୀ ଶ୍ରମ କୋଡ୍ ଓ ୧୨ ଫେବୃୟାରୀର ଦେଶବ୍ୟାପୀ ସାଧାରଣ ଧର୍ମଘଟ
SK Dated 05.02.2026 –
କେନ୍ଦ୍ରର ବିଜେପି ପରିଚାଳିତ ଏନ୍ଡିଏ ସରକାର ନଭେମ୍ବର ୨୧ତାରିଖ ଦିନ ଦେଶରେ ପ୍ରଚଳିତ ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ କୋଡ୍ ସାମଗ୍ରିକଭାବେ ଲାଗୁ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ବିପ୍ଳବୀ ଶ୍ରମିକ ସଂଗଠନ ଏଆଇୟୁଟିୟୁସି ସମେତ ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ବିଭିନ୍ନ କର୍ମଚାରୀ ଫେଡେରେସନ ସମେତ ସାଧାରଣ ଜନତା ଏହାର ବିରୋଧ କରି ଆସୁଛନ୍ତି ଓ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ ସଂଗଠିତ ହୋଇଛି । ମାତ୍ର କେନ୍ଦ୍ର ସରକାର ଜନଆନ୍ଦୋଳନ ଓ ଜନମତକୁ ଭୃକ୍ଷେପ ନକରି ଏହି ବିଜ୍ଞପ୍ତି ଜାରି କରିଛନ୍ତି । ଇତିମଧ୍ୟରେ କେନ୍ଦ୍ର ତଥା ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରମାନେ ଏହି କୋଡର ସଂଗତିପୂର୍ଣ୍ଣ ଡ୍ରାଫ୍ଟ୍ ରୁଲ(ଚିଠା ନିୟମ) ପ୍ରାୟ ତିଆରି କରିସାରିଛନ୍ତି । ଗୁଜୁରାଟ ଓ ଆରୁଣାଚଳପ୍ରଦେଶ ରୁଲ ଚୂଡାନ୍ତ କରି ଲାଗୁ କରିବା ଉପରେ । ଚଳିତ ୨୦୨୬ ବର୍ଷରେ ହିଁ ଏହି ଶ୍ରମକୋଡ୍ ଲାଗୁ କରିବାକୁ ସରକାର ବଦ୍ଧ ପରିକର । ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ମହାମାରି ସମୟରେ କେନ୍ଦ୍ର ସରକାର ଅତି ଅଗଣତାନ୍ତ୍ରିକ ଭାବେ ୨୦୧୯ରେ ଗୋଟିଏ ଓ ୨୦୨୦ରେ ଆଉ ତିନୋଟି ଶ୍ରମକୋଡ୍ ଆଣିଥିଲେ । ତେବେ ଶ୍ରମକୋଡ୍ ଘୋଷଣା ହେବା ସମୟରୁ, ୨୦୧୪-୧୫ରୁ ହିଁ ଏହାର ବିରୋଧ ହୋଇ ଆସୁଛି । ଆଗାମୀ ଫେବୃୟାରୀ ୧୨ତାରିଖ ଦିନ ଏହି ଅତ୍ୟନ୍ତ ଜନବିରୋଧୀ ଶ୍ରମ କୋଡ ସଂପୂର୍ଣ୍ଣ ବାତିଲ ତଥା ଅନ୍ୟାନ୍ୟ ଦାବିରେ ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ କର୍ମଚାରୀ ଫେଡେରେସନ ମିଳିତଭାବେ ଦେଶବ୍ୟାପୀ ଧର୍ମଘଟର ଡାକରା ଦେଇଛନ୍ତି । ସେହି ପରିପ୍ରେକ୍ଷୀରେ ୪ଟି ଶ୍ରମକୋଡକୁ କାହିଁକି ବିରୋଧ କରି ଏହି ଧର୍ମଘଟକୁ ସଫଳ କରିବା ସାଧାରଣ ଜନତାଙ୍କ ପାଇଁ ଅତି ଜରୁରୀ, ସେ ସଂକ୍ରାନ୍ତୀୟ ଆଲୋଚନା ଜନଗଣଙ୍କ ବିଚାର ନିମନ୍ତେ ଏହି ନିବନ୍ଧରେ ଉପସ୍ଥାପନା କରାଯାଇଛି ।
ବିଚାରର ମାପକାଠି
ପ୍ରଥମତଃ, କୌଣସି ଆଇନ ଭଲ କି ମନ୍ଦ, ମଙ୍ଗଳକାରୀ କି ଅନିଷ୍ଟକାରୀ ତାହା ଶ୍ରେଣୀ ଦୃଷ୍ଟିଭଙ୍ଗି ଦ୍ୱାରା ବିଚାର କରିବା ଉଚିତ । ଏହାର ଅର୍ଥ ହେଲା, ସେହି ନୀତି, ଆଇନ ବା ପଦକ୍ଷେପ ମୁଷ୍ଟିମେୟ ଧନୀ ପୁଞ୍ଜିପତି ଶ୍ରେଣୀର ସ୍ୱାର୍ଥ ନା ସଂଖ୍ୟାଗରିଷ୍ଠ ଶୋଷିତ ସାଧାରଣ ଜନତା, ଶ୍ରମିକ ଶ୍ରେଣୀର ସ୍ୱାର୍ଥ ଚିରତାର୍ଥ କରୁଛି, ତାହା ହିଁ ହେବ ବିଚାରର ମାପକାଠି । ଏହି ୪ଟି ଶ୍ରମ କୋଡ୍ ପ୍ରଚଳନ କରିବା ବିଷୟଟିକୁ ମଧ୍ୟ ସେହି ଦୃଷ୍ଟିଭଙ୍ଗୀରେ ବିଚାର କରିବାକୁ ହେବ । ଏହି ଶ୍ରମ କୋଡ୍ ଆଣିବା ପଛରେ ଥିବା ଉଦ୍ଦେଶ୍ୟ ସଂପର୍କରେ ସରକାରୀ ଭାବେ ଯାହା କୁହାଯାଇଛି, ସେଥିରୁ ଏହା ସ୍ପଷ୍ଟ ଯେ, ଏହା କେଉଁ ଶ୍ରେଣୀର ସ୍ୱାର୍ଥ ଚରିତାର୍ଥ କରିବ ଓ କେଉଁ ଶ୍ରେଣୀର ସ୍ୱାର୍ଥ ବିଘ୍ନିତ କରିବ । ସରକାରଙ୍କ ଘୋଷଣା ଅନୁଯାୟୀ ଫର ଇଜ୍ ଅଫ୍ ଡୁଇଂ ବିଜନେସ୍ ଅର୍ଥାତ୍ ବ୍ୟବସାୟର ସୁବିଧା ନିମନ୍ତେ ବର୍ତ୍ତମାନର ୨୯ଟି ଶ୍ରମ ଆଇନକୁ ବାତିଲ କରି ଏହି ୪ଟି ଶ୍ରମକୋଡ ଅଣାଯାଇଛି । କହିବା ବାହୁଲ୍ୟ, ସାଧାରଣ ଡାଲି ଚାଉଳ ବ୍ୟବସାୟର ସୁବିଧା ପାଇଁ ନୁହେଁ, ମନୋପଲି ବ୍ୟବସାୟ, ମଲ୍ଟି ନେସନାଲ ବା ବହୁଦେଶୀୟ କମ୍ପାନୀମାନଙ୍କ ଏକଚାଟିଆ ବ୍ୟବସାୟକୁ ସୁବିଧା କରିଦେବା ପାଇଁ ଏହି ଶ୍ରମ କୋଡ ଆଣାଯାଇଛି ।
ଶ୍ରମକୋଡର ପୃଷ୍ଠଭୂମି
୧୯୯୯ ମସିହାରେ କେନ୍ଦ୍ରରେ ବିଜେପି ପରିଚାଳିତ ଏନ୍ଡିଏ ସରକାର ସମୟରେ ଶ୍ରମ କୋଡର ଧାରଣା ଆସିଥିଲା । ଏହି ସରକାର ଦ୍ୱିତୀୟ ନେସନାଲ କମିଶନ ଅନ୍ ଲେବର ବସାଇଥିଲେ । ୧୯୭୭ ମସିହାରେ କେନ୍ଦ୍ରର ତତ୍କାଳୀନ ଜନତା ପାର୍ଟି ସରକାରରେ ଶ୍ରମ ମନ୍ତ୍ରୀ ଥିବା ରବିନ୍ଦ୍ର ବର୍ମାଙ୍କୁ ଏହାର ଚେୟାମରମ୍ୟାନ ଭାବେ ନିଯୁକ୍ତି କରାଯାଇଥିଲା । ୨୦୦୨ ମସିହାରେ ଏହାର ସୁପାରିଶ ଗୁଡିକ ଆସିଥିଲା । ସେଥିରେ କୁହାଯାଇଥିଲା, ବହୁ ପୂର୍ବରୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ଅନେକଗୁଡିଏ ଶ୍ରମ ଆଇନ ସବୁ ରହିଛି । ବର୍ତ୍ତମାନ ସମୟରେ ଏଗୁଡିକର ଆଉ ପ୍ରାସଙ୍ଗିକତା ନାହିଁ । ଆହୁରି ମଧ୍ୟ ବହୁ ଆଇନ ବ୍ରିଟିଶ ଅମଳରୁ ହିଁ ପ୍ରଣୟନ ହୋଇଛି । ଫଳରେ ଏଥିରେ ବ୍ରିଟିଶ ଐତିହ୍ୟ ଓ ପରମ୍ପରା ଭରି ରହିଛି । ତେଣୁ ଏହି ଆଇନଗୁଡିକର ସରଳୀକରଣ ଓ ସମ୍ମିଶ୍ରଣ ମଧ୍ୟଦେଇ ବର୍ତ୍ତମାନ ସମୟ ସହିତ ସାମଞ୍ଜସ୍ୟପୂର୍ଣ୍ଣ କରିବା ଦରକାର । ତେଣୁ ଏହି ଶ୍ରମ ଆଇନଗୁଡିକୁ ୪ଟିରୁ ୫ଟି ଶ୍ରମ କୋଡ ମଧ୍ୟରେ ବିଲୁପ୍ତ କରିଦେବା ଦରକାର । ତତ୍କାଳୀନ ବିଜେପି ପରିଚାଳିତ ଏନ୍ଡିଏ ସରକାର ଏହି ସୁପାରିଶଗୁଡିକୁ ଗ୍ରହଣ କରିଥିଲା । ତେବେ ସେତେବେଳେ ପାର୍ଲିଆମେଣ୍ଟରେ ସଂଖ୍ୟାଲଘୁଥିବା ବିଜେପି ସରକାର ଏହାକୁ କାର୍ଯ୍ୟକାରୀ କରିପାରିନଥିଲା । ଏହାପରେ ୨୦୦୪ରୁ ୨୦୧୪, କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିଲା । ଆଜି ତୁମ୍ଭିତୋଫାନ କରୁଥିବା କଂଗ୍ରେସ ଦଳ କ୍ଷମତାରେ ଥିବାବେଳେ ଏହାକୁ ଶ୍ରମିକ ବିରୋଧୀ କହି ନଥିଲା କି ବାତିଲ ମଧ୍ୟ କରିନଥିଲା । ବିଧିବଦ୍ଧ ଭାବେ ସେହି ସରକାର ଏହି କୋଡକୁ କାର୍ଯ୍ୟକାରୀ କରି ନଥିଲେ ବି ଏହାର କିଛି କିଛି ଦିଗ କାର୍ଯ୍ୟକାରୀ କରୁଥିଲେ । ସଂସଦରେ ଦୃଢ ସଂଖ୍ୟାବଳର ଅଭାବ ଓ ବିଭିନ୍ନ ଅଂଶୀଦାର ଦଳମାନଙ୍କ ସହିତ ଏହାର କାର୍ଯ୍ୟକାରିତା ସଂପର୍କରେ ବୁଝାମଣା କରୁ କରୁ ସମୟ ପାର ହୋଇଯାଇଥିଲା । ୨୦୧୪ରେ ପୁଣି କ୍ଷମତାକୁ ଆସିଥିବା ବିଜେପି, ୨୦୧୯ବେଳକୁ ନିଜର କ୍ଷମତାକୁ ସୁଦୃଢ କରିପାରିଥିଲା ଓ ୨୦୧୯ କରୋନା ମହାମାରି ସୁଯୋଗରେ ଏହି ଶ୍ରମ କୋଡକୁ ସଂସଦରେ ଅତି ତରବରିଆ ଭାବେ ଗୃହୀତ କରାଇ ନେଇଥିଲା । ଏଠି ଉଲ୍ଲେଖଯୋଗ୍ୟ, ସଂସଦର ଉଭୟ ଗୃହରେ ଏହି ବିଲକୁ ପାଶ କରାଇବା କ୍ଷେତ୍ରରେ ବିଜୁ ଜନତା ଦଳ ସମର୍ଥନ ଦେଇ କେନ୍ଦ୍ରର ବିଜେପି ସରକାରକୁ ସହଯୋଗ କରିଥିଲା ।
କେଉଁ ପରିସ୍ଥିତି ସହ ସାମଞ୍ଜସ୍ୟପୂର୍ଣ୍ଣ
କରିବା କଥା କୁହାଯାଇଛି
ପରିବର୍ତ୍ତିତ ପରିସ୍ଥିତି ସହ ସାମଞ୍ଜସ୍ୟପୂର୍ଣ୍ଣ କରିବା ସହିତ ଅନ୍ୟ ଯେଉଁସବୁ ପୁରୁଣା ଯୁକ୍ତି ବର୍ତ୍ତମାନ ସରକାର ଦେଉଛନ୍ତି, ତା’ପଛରେ ଥିବା ଅସଲ କଥାଟି ବୁଝିବାକୁ ହେବ । ପରିବର୍ତ୍ତିର୍ତ ପରିସ୍ଥିତିରେ ପ୍ରଚଳିତ ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ଶ୍ରମିକମାନଙ୍କ ସ୍ୱାର୍ଥରେ ସଂଶୋଧନ କରି ଆହୁରି ଉନ୍ନତ କରିବା ଗୋଟିଏ କଥା, ପରିବର୍ତ୍ତନ ନାଁରେ ମାଲିକଶ୍ରେଣୀ ପୁଞ୍ଜିପତିମାନଙ୍କ ସ୍ୱାର୍ଥରେ ପ୍ରଚଳିତ କେନ୍ଦ୍ରୀୟ ଶ୍ରମଆଇନଗୁଡିକୁ ସରଳୀକରଣ ଆଳରେ ସଂପୂର୍ଣ୍ଣ ବାତିଲ କରିଦେଇ ମାଲିକମାନଙ୍କ ହାତରେ ଲାଭ ଲୁଣ୍ଠନର କ୍ଷମତାକୁ ଆହୁରି ବୃଦ୍ଧି ଓ ଶକ୍ତିଶାଳୀ କରିବା ତଥା ଶ୍ରମିକମାନଙ୍କର ସମସ୍ତ କଷ୍ଟାର୍ଜିତ ଅଧିକାର ଗୁଡିକୁ ହରଣ କରିବା, ବଂଚିବାର ସର୍ବନିମ୍ନ ନିଶ୍ଚୟତାକୁ ଧ୍ୱଂସ କରିବା ଅଲଗା କଥା । ପ୍ରକୃତ କଥା ହେଲା, ଭାରତର ଶାସକ ପୁଞ୍ଜିପତିଶ୍ରେଣୀ ବହୁପୂର୍ବରୁ ହିଁ ସାମ୍ରାଜ୍ୟବାଦୀ ଚରିତ୍ର ଅର୍ଜନ କରିସାରିଛି । ବର୍ତ୍ତମାନ ସେ ବିଶ୍ୱର ଚତୁର୍ଥ ଆର୍ଥିକ ମହାଶକ୍ତି ଭାବେ ନିଜକୁ ଦାବି କରୁଛି । ବିଶ୍ୱ ବଜାରରେ ଆମେରିକା, ଚୀନ, ଋଷିଆ ପରେ ସେ ଚତୁର୍ଥ ଶକ୍ତିଶାଳୀ ପ୍ରତିଯୋଗୀଭାବେ ଉଭା ହୋଇଛି । ନବେ ଦଶକରେ ପ୍ରଣୀତ ହୋଇଥିବା ଜଗତୀକରଣ ଅର୍ଥନୀତି ମଧ୍ୟ ସେହି ଜାତୀୟ ଆନ୍ତର୍ଜାତୀୟ ପରିସ୍ଥିତିର ପୃଷ୍ଠଭୂମିରେ ଆସିଥିଲା । ସେହି ଧାରାବାହିକତାରେ ଦେଶର ଶାସକ ପୁଞ୍ଜିପତି-ସାମ୍ରାଜ୍ୟବାଦୀ ଶ୍ରେଣୀ ସ୍ୱାର୍ଥରେ ବର୍ତ୍ତମାନର ପରିସ୍ଥିତି ସହିତ ଖାପଖୁଆଇ ଶ୍ରମନୀତିରେ ପରିବର୍ତ୍ତନ ଆଣିବା ଆବଶ୍ୟକ ହୋଇପଡିଛି । ଯଦ୍ୱାରା କି ମାଲିକମାନେ ଅଧିକରୁ ଅଧିକ ଲାଭ ଲୁଣ୍ଠନ କରି ବିଶ୍ୱ ବଜାରରେ ଶକ୍ତିଶାଳୀ ପ୍ରତିଯୋଗୀଭାବେ ନିଜର ସ୍ଥିତିକୁ ସୁଦୃଢ କରିପାରିବେ ।
ସଂକ୍ଷେପରେ ଶ୍ରମକୋଡର ବିଭିନ୍ନ ଦିଗ :
୧- ପ୍ରଚଳିତ ୪ଟି ଶ୍ରମ ଆଇନକୁ ବାତିଲକରି ମଜୁରି କୋଡ-୨୦୧୯
୨- ୩ଟି ଶ୍ରମ ଆଇନକୁ ବାତିଲ କରି ଶିଳ୍ପ ସଂପର୍କ କୋଡ-୨୦୨୦
୩- ୧୩ଟି ଶ୍ରମ ଆଇନକୁ ବାତିଲ କରି ପେଶାଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିବେଶ ସଂପର୍କିତ କୋଡ-୨୦୨୦
ମଜୁରି କୋଡରେ ଥିବା
ସର୍ବନିମ୍ନ ମଜୁରି ପ୍ରସଙ୍ଗ
ଏହି ସର୍ବନିମ୍ନ ମଜୁରି ହେଲା ସେତିକି ମଜୁରି ଯାହା ନପାଇଲେ ଜଣେ ଶ୍ରମିକ ଜନ୍ତୁ ଜାନୁଆର ଭଳି ହେଲେ ବି ବଂଚିକି ଧକେଇ ଧକେଇ ହେଉପଛେ ତା ପରଦିନ କାମ କରିବାକୁ ଆସିପାରିବ । ଏହାପରେ ଅଛି ଫେୟାର ୱେଜ । ଏହି ୱେଜ୍ ବା ମଜୁରି ହେଲା ଖାଲି ଶ୍ରମିକ ନୁହେଁ ତା’ର ପରିବାରବର୍ଗ ବଂଚିଲା ଭଳି କିଛିଟା ପାଇବ । ଏହାପରେ ଅଛି ଲିଭିଂ ୱେଜ୍ । ଅର୍ଥାତ୍ ଖାଲି ବଂଚିବା ପାଇଁ ନୁହେଁ, ମଣିଷ ଭଳି ବଂଚିବା ପାଇଁ ନିଜର ଶ୍ରମ ଶକ୍ତି ଓ ବୌଦ୍ଧିକ ଶକ୍ତି ବିକାଶ ପାଇଁ ପ୍ରୟୋଜନ କିଛିଟା ଶିକ୍ଷା, ସ୍ୱାସ୍ଥ୍ୟ ପାଇପାରିଲା ଭଳି ମଜୁରି ସେ ପାଇବ । ଏହାପରେ ଅଛି ନିଡ୍ ବେସ୍ଡ ୱେଜ୍ ଅର୍ଥାତ୍ ଶ୍ରମିକ ତାର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ପ୍ରୟୋଜନ ଭିତ୍ତିକ ମଜୁରି ପାଇବ ଯାହା ଏକ ସମାଜତାନ୍ତ୍ରିକ ଦେଶରେ ହିଁ ସମ୍ଭବ । ତେବେ ଦେଶ ସ୍ୱାଧୀନତାର ୭୮ବର୍ଷ ପରେ ବି ଆମେ ସେହି ସର୍ବନିମ୍ନ ମଜୁରି ସ୍ତର ଉପରକୁ ଉଠିପାରୁ ନାହୁଁ । ୧୯୫୭ ମସିହାରେ ସିମଳାଠାରେ ଅନୁଷ୍ଠିତ ପଞ୍ଚଦଶ ତ୍ରିପାକ୍ଷିକ ଭାରତୀୟ ଶ୍ରମ ସମ୍ମିଳନୀରେ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ ନିମନ୍ତେ ଏକ ମାପକାଠି ସ୍ଥିର ହୋଇଥିଲା । ଏହି ସମ୍ମିଳନୀ ପିତା, ମାତା ଓ ତାଙ୍କର ଦୁଇ ଶିଶୁ ସନ୍ତାନକୁ ଜଣେ ସାବାଳକ ଭାବେ ଗ୍ରହଣ କରି ଗୋଟିଏ ୩ ଜଣିଆ ସଭ୍ୟଭୁକ୍ତ ପରିବାରରୁ ଏକ କନଜମ୍ପସନ୍ ୟୁନିଟ ଭାବେ ଗ୍ରହଣ କରିଥିଲା ଯାହାକୁ ନେଇ ମଧ୍ୟ ଆପତ୍ତି ଉଠିଥିଲା । ଏହି ପରିବାର ମୁଣ୍ଡପିଛା ପ୍ରତିଦିନ ୨୭୦୦ କ୍ୟାଲୋରି ଯୁକ୍ତ ଖାଦ୍ୟ, ବର୍ଷକୁ ୭୨ ଗଜ କପଡାର ଲୁଗାପଟା ଓ ଘର ଭଡା ପାଇଁ ଏକ ହାରାହାରି ଖର୍ଚ୍ଚ ମିଶାଇ ଯେଉଁ ବ୍ୟୟ ଅଟକଳ ହେବ, ତା’ର ୨୦ପ୍ରତିଶତ ବିଦ୍ୟୁତ ଓ ତେଲ ଖର୍ଚ୍ଚ ପାଇଁ ଏଥିରେ ଯୁକ୍ତ ହେବ । ଏହି ସମୁଦାୟ ଅର୍ଥ ହେବ ଦୈନିକ ସର୍ବନିମ୍ନ ମଜୁରି । ସରକାର ଏହାକୁ ଗ୍ରହଣ କରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ କରିନାହାନ୍ତି । ୧୯୯୧ ମସିହାରେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତିୟ ଏକ ରାୟରେ ଏହି ପରିମାଣକୁ ବୃଦ୍ଧି କରି ଉପରୋକ୍ତ ପରିମାଣର ମଜୁରି ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ବିବାହ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଏହାର ଆଉ ୨୫ ପ୍ରତିଶତ ଯୁକ୍ତ କରି ସର୍ବନିମ୍ନ ମଜୁରି ବାବଦକୁ ଦେବାକୁ ପଡିବ ବୋଲି କହିଥିଲେ । ଏହାକୁ ମଧ୍ୟ ସମସ୍ତ ସରକାର ଗ୍ରହଣ କରିଥିଲେ ବି କାର୍ଯ୍ୟକାରୀ କରିନାହାନ୍ତି । ସର୍ବନିମ୍ନ ମଜୁରି ଆଇନ-୧୯୪୮ କହୁଛି ରାଜ୍ୟ ଓ କେନ୍ଦ୍ର ସରକାର ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ସମସ୍ତ ମାଲିକମାନେ ଶ୍ରମିକମାନଙ୍କୁ ଦେବାକୁ ବାଧ୍ୟ । ମାତ୍ର ଆଇନ ଆଇନ ବାଟେ ରହିଗଲା । କାର୍ଯ୍ୟକାରୀ ହେବାର ନାଁ ଗନ୍ଧ ନାହିଁ । ଏହି ଶ୍ରମକୋଡ୍ରେ ଏସବୁର କୌଣସି ଉଲ୍ଲେଖ ନାହିଁ । ବରଂ ଖୁବ୍ ବଢେଇ ଚଢେଇ ନେସନାଲ ଲେଭେଲ ଫ୍ଲୋର ୱେଜ୍ ନାମରେ ଏକ ନୂଆ କଥା କୁହାଯାଉଛି ଏବଂ ସର୍ବନିମ୍ନ ମଜୁରି ଏହି ଫ୍ଲୋର ୱେଜରୁ କମ ହେବ ନାହିଁ ବୋଲି ଖୁବ ଦାମ୍ଭିକତାର ସହ ମଧ୍ୟ କୁହାଯାଉଛି । ଏହି ଫ୍ଲୋର ୱେଜ ବା ମଜୁରି ଦୈନିକ କେତେ? ମାତ୍ର ୧୭୮ ଟଙ୍କା । ଅର୍ଥାତ୍ ଜଣେ ଶ୍ରମିକ ମାସକୁ ୨୬ ଦିନ ଯଦି କାମ ପାଏ ତେବେ ୪ହଜାର ୬୨୮ ଟଙ୍କା ପାଇବ । ବର୍ତ୍ତମାନର ଏହି ମହରଗ ଦୁନିଆରେ ଶ୍ରମିକମାନଙ୍କ ପାଇଁ ଏହାକୁ ବଡ ନିଷ୍ଠୁର ଉପହାସ ଛଡା ଆଉ କଣ ବା କୁହାଯାଇପାରେ । ପୁଣି କାମ ଯେ ମିଳିବ ତା’ର ବି ନିଶ୍ଚୟତା ନାହିଁ, କାମ କେତେବେଳେ ଯେ ଚାଲିଯିବ ତା’ ବି କହିହେବ ନାହିଁ । କାହିଁଗଲା ସର୍ବନିମ୍ନ ମଜୁରି ନେଇ ସିମଳା ମାପକାଠି, ୧୯୪୮ ଆଇନ ଓ ସମ୍ବିଧାନର ଡିରେକ୍ଟିଭ ପ୍ରିନ୍ସିପଲ? ଏହି ସାମାନ୍ୟ ମଜୁରିକୁ ଖୁବ ବଡ କରି ଦେଖାଯାଉଛି । ବିକଶିତ ଭାରତ, ଅମୃତକାଳ, ଚତୁର୍ଥ ଅର୍ଥନୈତିକ ମହାଶକ୍ତି, ବିଶ୍ୱଗୁରୁ ଭଳି ଚମକପ୍ରଦ କଥା ପ୍ରତିଦିନ ଶୁଣାଯାଉଛି । ହେଲେ ସର୍ବନିମ୍ନ ମଜୁରି ସ୍ତରରେ ହିଁ ଆମେ ରହିଛୁ ଏବଂ ତାହାକୁ ନେଇ ଏତେକଥା ଚାଲିଛି । ପରବର୍ତ୍ତୀ ସ୍ତର କଥା ପଚାରେ କିଏ? ଏହା ହିଁ ବିକାଶର ଅସଲ ଚିତ୍ର ।
ସ୍ଥାୟୀ କାମର ଧାରଣା ସଂପୂର୍ଣ୍ଣ ବିଲୋପ
ଶିଳ୍ପ ସଂପର୍କ କୋର୍ଡ-୨୦୨୦ରେ ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତିର ଧାରଣାକୁ ସଂପୂର୍ଣ୍ଣ ବିଲୋପ କରିବା ଓ ଶ୍ରମିକମାନଙ୍କର ଥିବା ସର୍ବନିମ୍ନ ଅଧିକାର ଗୁଡିକୁ ସଂପୂର୍ଣ୍ଣ ହରଣ କରିବା ପାଇଁ ଧାରା ସବୁ ରହିଛି । ସ୍ଥାୟୀ କାମର ଧାରଣାକୁ ସଂପୂର୍ଣ୍ଣ ବିଲୋପ କରିବା ପାଇଁ ଫିକ୍ସଡ୍ ଟର୍ମ ଏମ୍ପ୍ଲୟମେଣ୍ଟର କଥା କୁହାଯାଇଛି । ଏହାର ଅର୍ଥ ହେଲା, ମାସେ ଦୁଇ ମାସେ, ବର୍ଷେ ଦୁଇବର୍ଷ ଏକ ନିର୍ଦ୍ଧାରିତ(ଫିକ୍ସଡ୍) ସମୟ ପାଇଁ କାମ କର । କାମର କୌଣସି ସ୍ଥାୟୀତ୍ୱ ନାହିଁ । ଏହା ହିଁ ୟୁଜ୍ ଆଣ୍ଡ ଥ୍ରୋ ପଲିସି ବା ଶ୍ରମିକମାନଙ୍କୁ ବ୍ୟବହାର କରି ସେମାନଙ୍କର ରକ୍ତ ଶୋଷିନେଇ ସେମାନଙ୍କୁ ଫୋପାଡି ଦିଅ । ଏହା ହିଁ ହେଲା ହାୟର ଆଣ୍ଡ ଫାୟର ପଲିସି । ଆଜି ଭାରତର ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ଶାସକ ଶ୍ରେଣୀର ପ୍ରୟୋଜନ କେତେ କମ୍ ଶ୍ରମିକ ଦ୍ୱାରା କେତେ କମ ସମୟ ମଧ୍ୟରେ କେତେ ବେଶି କାମ ଉଠାଇ କେତେ ବେଶି ଲାଭ ଲୁଟା ଯାଇପାରେ, ସେଥିପାଇଁ ଏହି ନୀତି । ପୁଣି ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟା କୁହାଯାଇଛି । ତେବେ ଶାସକ ଶ୍ରେଣୀର ପ୍ରବକ୍ତାମାନେ ଶ୍ରମିକମାନଙ୍କୁ ସପ୍ତାହକୁ ୧୨୦ଘଣ୍ଟା, ୧୪୦ ଘଣ୍ଟା କାମ କରି ଉତ୍ପାଦନ ବଢାଇ ଦେଶର ବିକାଶର ଧାରାକୁ ଆଗେଇ ନେବାକୁ ମଝିରେ ମଝିରେ ପ୍ରବଚନ ଦିଅନ୍ତି । ଆଜି ତ ବାସ୍ତବରେ ୮ଘଣ୍ଟା କି ୧୨ଘଣ୍ଟା ନୁହେଁ, ଗଧ ଘୁଷୁରି ଭଳି ମାଲିକ ସ୍ୱାର୍ଥରେ ଶ୍ରମିକମାନଙ୍କୁ ଖଟା ଯାଉଛି ।
ଗିଗ୍ ୱାର୍କର ଓ ବିଭିନ୍ନ ଅନ୍ଲାଇନ୍ ଓ ଆପ୍ ମାଧ୍ୟମରେ କାମ କରୁଥିବା ପ୍ଲାଟ୍ଫର୍ମ ୱାର୍କରମାନଙ୍କୁ ଆଇନଗତ ମାନ୍ୟତା ମିଳିବା ଓ ଗ୍ରାଚ୍ୟୁଇଟି ସହ କିଛି ସୁବିଧା ଦେବା କଥା କହି ଖୁବ୍ ତୁମ୍ଭି ତୋଫାନ ଚାଲୁଛି । କିଛି ବିଭ୍ରାନ୍ତ ହୋଇ ଏହାର ବାଃ ବାଃ ମଧ୍ୟ କରୁଛନ୍ତି । ଏହାରି ଆଢୁଆଳରେ ଯେ ସ୍ଥାୟୀ କାମର ଧାରଣା ସଂପୂର୍ଣ୍ଣ ଉଠାଇ ଦିଆଯାଇଛି, ତା’ ଅନେକ ଧରି ପାରୁନାହାନ୍ତି ବା ଧରିପାରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସ୍ଥାୟୀ କାମ ଛାଡନ୍ତୁ ଏପରିକି ଠିକା ଶ୍ରମିକ ବି ଉଠିଯାଇପାରେ । ଗିଗ୍ ଓ ପ୍ଲାଟ୍ଫର୍ମ ଶ୍ରମିକଙ୍କ କାମ ସଂପୂର୍ଣ୍ଣ ଅନିଶ୍ଚିତ । ଏହି ଶ୍ରମିକମାନଙ୍କର କିଏ ନିଯୁକ୍ତି ଦାତା, କେଉଁଠି ସେମାନେ ରୁହନ୍ତି କିଛି ସେମାନଙ୍କୁ ଜଣା ନାହିଁ । ଏମାନେ ବସ୍ତୁତଃ ସେଲଫ୍ ଏମ୍ପେ୍ଲୟଡ୍ ୱାର୍କର(ସ୍ୱନିଯୁକ୍ତ ଶ୍ରମିକ । ଏଠି ମାଲିକ-ଶ୍ରମିକ(ଏମ୍ପେ୍ଲୟର-ଏମ୍ପେ୍ଲୟି) ବିବାଦ ଓ ସେଥିରୁ ଶ୍ରମିକମାନଙ୍କର କିଛି ସୁବିଧା ଆଦାୟ କରିବାର କୌଣସି ଅବକାଶ ନାହିଁ ।
ଧର୍ମଘଟ ହେବ ବେଆଇନ୍
ଏହି କୋଡର ଆଉ ଏକ ଧାରାରେ ଶ୍ରମିକମାନଙ୍କ ପ୍ରତିବାଦ କରିବା, ଧର୍ମଘଟ କରିବାର ଅଧିକାରକୁ କାଢି ନିଆଯାଇଛି । ମାଲିକର ସମସ୍ତ ଅତ୍ୟାଚାରକୁ ମଥାପାତି ସହିବାକୁ ପଡିବ, ନଚେତ ଗଳାଧକ୍କା ଖାଇ ବିଦା ହେବାକୁ ପଡିବ । ତା’ର ବି ବ୍ୟବସ୍ଥା ଏହି କୋଡରେ କରାଯାଇଛି । ପୂର୍ବରୁ କେବଳ ଅତ୍ୟାବଶ୍ୟକୀୟ ସେବା କ୍ଷେତ୍ରରେ ଧର୍ମଘଟ କରିବାର ୧୪ଦିନ ପୂର୍ବରୁ ନୋଟିସ ଦେବାକୁ ପଡୁଥିଲା । ଅନ୍ୟ କ୍ଷେତ୍ରରେ ଏହି ନୋଟିସ ଦେବାର କୌଣସି ଆଇନଗତ ବାଧ୍ୟ ବାଧ୍ୟକତା ନଥିଲା । ନୂତନ ଆଇନରେ କିନ୍ତୁ ସମସ୍ତ କ୍ଷେତ୍ରରେ ଧର୍ମଘଟର ୧୪ଦିନ ପୂର୍ବରୁ ନୋଟିସ ଦେବାକୁ ପଡିବ । ପୁଣି ବିବାଦୀୟ ବିଷୟରେ ସରକାରଙ୍କ ଶ୍ରମ ଦପ୍ତରରେ ଯେତେଦିନ ଆଲୋଚନା ଚାଲୁଥିବ ସେତେଦିନ ଧର୍ମଘଟ ହୋଇପାରିବ ନାହିଁ । ଯଦି ହୁଏ ତା’ ହେବ ବେଆଇନ ଓ ଶ୍ରମିକମାନେ ଏଥିପାଇଁ ଦଣ୍ଡିତ ହେବେ । କି ପ୍ରକାର ଷଡଯନ୍ତ୍ର ଦେଖନ୍ତୁ? ଆଲୋଚନା ସରିବନି ଆଉ ଧର୍ମଘଟ ଗଡାଇ ଗଡାଇ ଶେଷରେ ଏହାକୁ ବନ୍ଦ କରାଯିବ । ପୂର୍ବରୁ ବନ୍ଦ ବେଆଇନ ଥିଲା, ବର୍ତ୍ତମାନ ଧର୍ମଘଟକୁ ବି ବେଆଇନ୍ କରାଯିବ ।
ମନଇଚ୍ଛା ଛଟେଇ ଓ ତାଲାବନ୍ଦ ଆଇନଗତ ହେବ । ପୂର୍ବରୁ ଥିଲା, ୧୦୦ କିମ୍ବା ତା’ଠାରୁ ଅଧିକ ଶ୍ରମିକ କାମ କରୁଥିବା କାରଖାନା, ଖଣି ବା ପ୍ରତିଷ୍ଠାନ ଗୁଡିକରେ ଶ୍ରମିକ ଛଟେଇ, ଅସ୍ଥାୟୀ ବା ସ୍ଥାୟୀଭାବେ(ଲେ ଅଫ୍, ଲକ ଆଉଟ୍) କାରଖାନା ବନ୍ଦ କରିବାକୁ ହେଲେ ମାଲିକକୁ ଉପଯୁକ୍ତ କର୍ତ୍ତୃପକ୍ଷ ଅର୍ଥାତ୍ ରାଜ୍ୟର ହେଲେ ରାଜ୍ୟ ସରକାର ବା କେନ୍ଦ୍ରର ହେଲେ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିବାକୁ ହେବ । ସେ ସଂପର୍କରେ ଶୁଣାଣି ହେବ । ମାଲିକ ତାର ଏହି ନୀତିକୁ ଯୁକ୍ତି ଯୁକ୍ତ ପ୍ରମାଣିତ କରିବାକୁ ହେବ, ନଚେତ ନୀତି ପ୍ରତ୍ୟାହାର କରିବାକୁ ହେବ । ଶ୍ରମିକମାନଙ୍କ ହାତରେ ନିଜର ଚାକିରୀ ବଂଚାଇବା ପାଇଁ କିଛିଟା ହେଲେ ବି ସୁଯୋଗ ଥିଲା । ପ୍ରସଙ୍ଗତଃ କୁହାଯାଇପାରେ, ଯାଜପୁର ରୋଡର ସାରୁଆବିଲ ମାଇନ୍ସର ଶ୍ରମିକମାନେ ମିଶ୍ରିଲାଲ କମ୍ପାନୀର ଲେ ଅଫ୍ ଓ ଛଟେଇ ନୋଟିସ ବିରୁଦ୍ଧରେ ଲଢି ଜୟଯୁକ୍ତ ହୋଇଥିଲେ । ମାତ୍ର ବର୍ତ୍ତମାନର ଏହି କୋଡରେ କୁହାଯାଇଛି, ୩୦୦ ବା ଏହାଠୁ ଅଧିକ ସଂଖ୍ୟାରେ ଶ୍ରମିକ କାମ କରୁଥିବା କାରଖାନା ବା ପ୍ରତିଷ୍ଠାନରେ ଏହି ନୀତି କାର୍ଯ୍ୟକାରୀ ହେବ । ବର୍ତ୍ତମାନର ବାସ୍ତବ ଚିତ୍ର କ’ଣ? ଜଗତିକରଣ, ଉଦାରୀକରଣ ଅର୍ଥନୀତିରେ ବିଦାୟ ନୀତି ବା ଏକଜିଟ୍ ପଲିସି ଓ ଏହି ଧାରାରେ ଡାଉନ ସାଇଜିଂ ଯୋଗୁ ବ୍ୟାପକ ଶ୍ରମିକ ସଂକୋଚନ ଫଳରେ ଆଜି ଦେଶର ପ୍ରାୟ ୮୫ ପ୍ରତିଶତରୁ ଅଧିକ ଉଦ୍ୟୋଗରେ ୩୦୦ରୁ କମ ଶ୍ରମିକ କାମ କରୁଛନ୍ତି । ସୁତରାଂ ଅଧିକାଂଶ କ୍ଷେତ୍ରରେ ମନଇଚ୍ଛା ଛଟେଇ, କାରଖାନା, ଖଣି, ବିଭିନ୍ନ ପ୍ରତିଷ୍ଠାନ ଯେକୌଣସି ସମୟରେ ତାଲାବନ୍ଦ କରିଦେବା ପାଇଁ ମାଲିକମାନଙ୍କୁ ଅଖଣ୍ଡ ଆଇନଗତ ଅଧିକାର ଦିଆଗଲା ଓ ଶ୍ରମିକକୁ ଅନିଶ୍ଚିତତାର ଘୋର ଅନ୍ଧକାର ମଧ୍ୟକୁ ଠେଲି ଦିଆଗଲା ।
ଆହୁରି ମଧ୍ୟ କୁହାଯାଇଛି, ୩୦୦ ବା ଏହାରୁ ଊର୍ଦ୍ଧ୍ୱ ଶ୍ରମିକ କାମ କରୁଥିବା ଉଦ୍ୟୋଗରେ ‘ଷ୍ଟାଣ୍ଡିଂ’ ଅର୍ଡର କାର୍ଯ୍ୟକାରୀ ହେବ । ପୂର୍ବରୁ ୧୦୦ ବା ଏହାଠାରୁ ଅଧିକ ଶ୍ରମିକ କାମ କରୁଥିବା ଉଦ୍ୟୋଗରେ ‘ଷ୍ଟାଣ୍ଡିଂ’ ଅର୍ଡର କାର୍ଯ୍ୟକାରୀ ହେବାର ବ୍ୟବସ୍ଥା ଥିଲା । ‘ଷ୍ଟାଣ୍ଡିଂ’ ଅର୍ଡର ହେଲା କୌଣସି ଶିଳ୍ପ ବା ପ୍ରତିଷ୍ଠାନରେ ଆଲୋଚନା ମଧ୍ୟ ଦେଇ ସ୍ଥିର ହୋଇଥିବା ମାଲିକ-ଶ୍ରମିକଙ୍କର ଆଚରଣ ବିଧି ଓ ଚାକିରୀ ସର୍ତ୍ତାବଳୀ ସଂକ୍ରାନ୍ତୀୟ କିଛି ବିଷୟ ‘ଷ୍ଟାଣ୍ଡିଂ’ ଅର୍ଡର ଭାବେ ଗୃହୀତ ହୋଇ କାର୍ଯ୍ୟକାରୀ କରିବାର ବ୍ୟବସ୍ଥା । ବର୍ତ୍ତମାନ ଏହି କୋଡ ଅନୁଯାୟୀ ପ୍ରାୟ ୮୫ପ୍ରତିଶତ ଶିଳ୍ପ ଓ ପ୍ରତିଷ୍ଠାନ ଗୁଡିକରେ ଏହି ‘ଷ୍ଟାଣ୍ଡିଂ’ ଅର୍ଡର ଆଉ ରହିବ ନାହିଁ । ଅର୍ଥାତ୍ ମାଲିକ ସ୍ୱାର୍ଥରେ ଶ୍ରମିକକୁ ବଳି ପକାଇବାର ଇଏ ମଧ୍ୟ ଆଉ ଏକ ମାରାତ୍ମକ ଷଡଯନ୍ତ୍ର ।
ପେଶାଗତ ଓ ଅନ୍ୟାନ୍ୟ ସୁରକ୍ଷା କଥା କୁହାଯାଇଥିଲେ ବି ସବୁ କିଛି ଅସୁରକ୍ଷିତ । ଆଜି ମହିଳାମାନେ ସର୍ବକ୍ଷେତ୍ରରେ ଏପରିକି ନିଜର କର୍ମକ୍ଷେତ୍ରରେ କେତେ ଅସୁରକ୍ଷିତ ତା’ତ ସମସ୍ତେ ଖାଲି ଦେଖୁନାହାନ୍ତି ଅଙ୍ଗେ ନିଭାଇଛନ୍ତି । ଏହି ପରିସ୍ଥିତିରେ ମହିଳା ଶ୍ରମିକ ମାନଙ୍କୁ ରାତିରେ କାମ କରିବାକୁ ଅର୍ଥାତ୍ ନାଇଟ୍ ସିଫ୍ଟ କରିବାକୁ କୁହାଯାଇଛି । ସଫେଇ ଦିଆଯାଇଛି, ଏହା ବି ଇଚ୍ଛାଧୀନ ରଖାଯାଇଛି । ତେବେ ‘ଇଚ୍ଛାଧୀନ’ କଥା ବି ଧର୍ମକୁ ଆଖିଠାର ଭଳି । କାମ କରିବାକୁ ସେମାନେ ବାଧ୍ୟ, ନଚେତ ଚାକିରୀ ଚାଲିଯିବ । ଏଥିରୁ ସହଜରେ ଅନୁମେୟ, ଏହି କୋଡ୍ କେତେ ସୁରକ୍ଷା ଦେବ, ଚାକିରୀ, ପେନସନ୍, ଅନ୍ୟାନ୍ୟ ସୁବିଧା ସୁଯୋଗ ସବୁକିଛି ଅସୁରକ୍ଷିତ, ଏହିଭଳି ବହୁଦିଗ ଅଛି ।
ଏହି ଶ୍ରମ କୋଡ୍ ସାମଗ୍ରିକଭାବେ ଲାଗୁ ହେଲେ ଜନସାଧାରଣଙ୍କର କି ସର୍ବନାଶ ହେବ ତା ବେଳ ଥାଉ ଥାଉ ବୁଝିବାର ସମୟ ଆସିଛି । ନଚେତ ନେଢିଗୁଡ କହୁଣିକି ବହିଯିବ । ଦେଶସାରା ବେକାର ମାଳ ମାଳ । କାମ ଦିଅ କାମ ଦିଅର ହାହାକାର । ମାଲିକ ସ୍ୱାର୍ଥରେ କାରଖାନା ମାନଙ୍କରେ ଉନ୍ନତ ଜ୍ଞାନ କୌଶଳ ପ୍ରଯୁକ୍ତି ବିଦ୍ୟା ଓ ଉନ୍ନତ ଧରଣର ମେସିନ ବସାଇ କାମ ଚାଲୁଛି । ଶ୍ରମିକ ସଂଖ୍ୟା ବ୍ୟାପକ ମାତ୍ରାରେ କମି କମି ଆସୁଛି । ଏପରିକି ରାସ୍ତା ଘାଟ, ପୋଲ ତିଆରି କାମରେ ବି ଲୋକ ଦରକାର ନାହିଁ, ସବୁ ମେସିନରେ ହେଉଛି । ସମୁଦ୍ରକୁ ଶଙ୍ଖେ ଭଳି କାମ ମିଲିଲେ ବି ମଜୁରି ନାହିଁ । ଜୀବନ ଅନିଶ୍ଚିତ, ବଂଚିବା ଦୁର୍ବିସହ । ଏହି ପରିସ୍ଥିତିରେ ଶାସକ ଶ୍ରେଣୀର ଜାତି, ଧର୍ମ ସଂପ୍ରଦାୟ ଭିତ୍ତିରେ ବିଭାଜନକାରୀ ଘୃଣ୍ୟ ରାଜନୀତିକୁ ସଂଗଠିତ ଓ ଯୋଜନାବଦ୍ଧଭାବେ କାର୍ଯ୍ୟକାରୀ କରୁଛି, ତା’ର ବର୍ତ୍ତମାନ ସବୁଠୁ ବିଶ୍ୱସ୍ତ ଦଳ ବିଜେପି । ଆଜି ସମୟର ଜରୁରି ଆହ୍ୱାନ ହେଉଛି ଶୋଷିତ ଜନଗଣଙ୍କର ଐକ୍ୟବଦ୍ଧ ଆନ୍ଦୋଳନ । ଏହି ପୃଷ୍ଠଭୂମିରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ କର୍ମଚାରୀ ଫେଡେରେସନ ପକ୍ଷରୁ ମିଳିତଭାବେ ୧୨ଫେବୃୟାରୀର ଦେଶବ୍ୟାପୀ ସାଧାରଣ ଧର୍ମଘଟର ଆହ୍ୱାନ ଦିଆଯାଇଛି । ଏହା କେବଳ ଶ୍ରମିକ କର୍ମଚାରୀର ଆନ୍ଦୋଳନ ନୁହେଁ, ଏହା ଶୋଷିତ ମଣିଷର ସମସ୍ତ ଅଂଶର ଜନଗଣଙ୍କର ଆନ୍ଦୋଳନ । ଏହି ସାଧାରଣ ଧର୍ମଘଟକୁ ସଫଳ କରିବା ସହିତ ଆନ୍ଦୋଳନର ଧାରାବାହିକତା ରକ୍ଷା କରି ସଠିକ ରାସ୍ତାରେ ଏହାକୁ ଆଗେଇ ନେବା ହିଁ ଜନଗଣଙ୍କର ନିକଟରେ ଐତିହାସିକ କର୍ତ୍ତବ୍ୟ ଭାବେ ଦେଖାଦେଇଛି ।
