ଦିନକୁ ଦିନ ଭୟାବହ ହେଉଛି ବିସ୍ଥାପନ ସମସ୍ୟା ଓ ରାଷ୍ଟ୍ରୀୟ ଦମନଲୀଳା

SK Dated 24.02.2026 –

ରାଜ୍ୟରେ ପ୍ରତିଷ୍ଠିତ ବିଜେପି ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଛି । ତେବେ ଇତିମଧ୍ୟରେ ରାଜ୍ୟରେ ଥିବା ବିଶାଳ ଖଣିଜ ସଂପଦ, ବନଜ ସଂପଦ, ଜଳ, ଉର୍ବର ଚାଷ ଜମି ଓ ଅନ୍ୟାନ୍ୟ ମୂଲ୍ୟବାନ ସଂପଦକୁ କମ୍ପାନୀମାନଙ୍କ ହାତରେ ଟେକି ଦେବା ପାଇଁ ସାଧାରଣ ଜନତାଙ୍କ ଉପରେ ସରକାର ଯେଉଁ ନୃଶଂସ ଦମନଲୀଳା ଚଳାଇଛନ୍ତି, ତା’ ଅତୀତର ସମସ୍ତ ରେକର୍ଡକୁ ଟପିଯାଇଛି । ଯାଜପୁର ରୋଡ ନିକଟସ୍ଥ କଳିଙ୍ଗନଗରରେ ଟାଟା କମ୍ପାନୀ ସ୍ୱାର୍ଥରେ ୨୦୦୬ ମସିହାରେ ତତ୍‌କାଳୀନ ବିଜେଡି-ବିଜେପି ମେଣ୍ଟ ସରକାର ଦ୍ୱାରା ହୋଇଥିବା ନାରକୀୟ ଗଣହତ୍ୟା ଜନ ସ୍ମୃତିରୁ ଆଜି ମଧ୍ୟ ଲିଭି ନାହିଁ । ସେହି ଧାରା ଓ ପ୍ରକ୍ରିୟାରେ ଡବଲ ଇଞ୍ଜିନ ସରକାର କୁହାଯାଉଥିବା ବର୍ତ୍ତମାନର ରାଜ୍ୟ ବିଜେପି ସରକାର ନୃଶଂସତାରେ ବହୁ ଦୂର ଆଗେଇ ଯାଇଛନ୍ତି । ସାଂପ୍ରତିକ ଘଟଣାବଳୀ ତାହା ହିଁ ପ୍ରମାଣ କରୁଛି । ୨୦୨୪ ମସିହାରେ ସରକାର ଗଠନ ହେବା ପରେ ପରେ ହିଁ ଘୋଷଣା ହେଲା କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ୍‌ର ସେହି ୨୨ଟି ଗ୍ରାମ ପଂଚାୟତର ଦୁଇ ଫସଲି ଉର୍ବର ଚାଷ ଜମି ଉପରେ ଜିନ୍ଦଲ-ପୋସ୍କୋ କମ୍ପାନୀର ମିଳିତ ଉଦ୍ୟୋଗରେ ଇସ୍ପାତ କାରଖାନା ପ୍ରତିଷ୍ଠିତ ହେବ, ଯେଉଁଠି ୨୦୧୩ ମସିହାରେ ଶକ୍ତିଶାଳୀ ଜନ ଆନ୍ଦୋଳନ ଚାପରେ ତତ୍‌କାଳୀନ ବିଜେଡି ସରକାର ଆର୍ସେଲର ମିତ୍ତଲ ସହିତ କାରଖାନା ପ୍ରତିଷ୍ଠା କରିବାପାଇଁ କରିଥିବା ବୁଝାମଣା ପତ୍ର ବାତିଲ କରିବାକୁ ବାଧ୍ୟ ହୋଇଥିଲେ । କୌଣସି ଆଇନକାନୁନକୁ ଭ୍ରୁକ୍ଷେପ ନକରି ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରିତ ଗତିରେ ଓ ଜନଗଣଙ୍କ ଉପରେ ଅତ୍ୟାଚାର ନୃଶଂସ ଭାବେ ଆରମ୍ଭ ହୋଇଗଲା । ଜନଗଣ ମଧ୍ୟ ବୀରବାଣୀ ଶୁଣାଇଲେ, ‘ମରିବୁ ପଛେ ଛାଡିବୁ ନାହିଁ, ଆମେ ଭିଟାମାଟି ଓ ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା କରାଇ ଦେବୁ ନାହିଁ । ଆଗରୁ ମିତ୍ତଲ ହଟାଇଛୁ, ଏଥର ଜିନ୍ଦଲ ପୋସ୍କୋକୁ ବି ଉଠାଇବୁ ।’ ଆହୁରି ମଧ୍ୟ ସ୍ପଷ୍ଟ ଭାବେ ଘୋଷଣା କଲେ ଆମେ ଶିଳ୍ପ ବିରୋଧି ନୁହେଁ, ଆମେ ଚାହୁଁ ନିଯୁକ୍ତି ସୃଷ୍ଟିକାରୀ ଶ୍ରମ ଭିତ୍ତିକ ଶିଳ୍ପ, ଯେଉଁଥି ପାଇଁ ଏ ଜିଲ୍ଲାରେ ପର୍ଯ୍ୟାପ୍ତ ଖାଲି ଜାଗା ରହିଛି । କେନ୍ଦୁଝର ଜିଲ୍ଲାରେ ଥିବା ଜନଗଣଙ୍କ ଜୀବନ ଜୀବିକାର ଏକମାତ୍ର ଉତ୍ସ ସ୍ୱଳ୍ପ ଉର୍ବର ଚାଷ ଜମିକୁ ଧ୍ୱଂସ କରି ଲୋକଙ୍କୁ ଭିଟା ମାଟିରୁ ଉଚ୍ଛେଦ କରି କମ୍ପାନୀର ଲାଭ ପାଇଁ ଶିଳ୍ପ ପ୍ରତିଷ୍ଠା ପଛରେ ଥିବା ଅସଲ ଅଭିସନ୍ଧି ଏ ଅଂଚଳର ଜନସାଧାରଣ ବୁଝିସାରିଥିଲେ । ପୂର୍ବ ଅଭିଜ୍ଞତାରୁ ଶିକ୍ଷା ନେଇ ଜନସାଧାରଣ ଆହୁରି ସଂଘବଦ୍ଧ ହୋଇଛନ୍ତି ଏବଂ ଗଠନ କରିଛନ୍ତି ଜିନ୍ଦଲ ପ୍ରତିରୋଧ ମଂଚ । ଏହି ମଂଚ ନେତୃତ୍ୱରେ ଆନ୍ଦୋଳନ ଚାଲିଛି । ପୋଲିସ ପ୍ରଶାସନ ଓ ସମସ୍ତ ସରକାରୀ କଳ କମ୍ପାନୀର ଦଲାଲ ସାଜି ନୃଶଂସ ଦମନଲୀଳା ଚଳାଇଛନ୍ତି । ସଂଗ୍ରାମୀ ଜନଗଣ ବୀରତ୍ୱପୂର୍ଣ୍ଣଭାବେ ଏହାର ପ୍ରତିରୋଧ କରୁଛନ୍ତି । ଗତ ନଭେମ୍ବର ୨୬ତାରିଖ ରାତି ଦୁଇଟାରେ ଏକ ବିଶାଳ ସଶସ୍ତ୍ର ପୋଲିସ ବାହିନୀ ଯମୁନାପୋଷି ଗାଁରେ ପଶି ଆନ୍ଦୋଳନର ନେତା ବେଣୁଧର ସର୍ଦ୍ଦାରଙ୍କ ଘରର ଝରକା, କବାଟ ଭାଙ୍ଗି ତାଙ୍କୁ ଓ ତାଙ୍କର ସାନ ଭାଇ ତଥା ବିଭିନ୍ନ ଗାଁରୁ ଏହିଭଳି ଭାବେ ୮ଜଣଙ୍କୁ ଉଠାଇ ନେଇ ମିଥ୍ୟା ମକଦ୍ଦମା ଦେଇ ଜେଲରେ ପୁରାଇଛନ୍ତି । ଆନ୍ଦୋଳନକାରୀମାନଙ୍କ ଉପରେ ହତ୍ୟା, ଡକାୟତି, ହିଂସା ଭିଆଇବା ଆଦି ନାନା ମିଥ୍ୟା ମକଦ୍ଦମା ଲଗାଇ ୱାରେଣ୍ଟ ଜାରି କରିଛନ୍ତି । ବିଭିନ୍ନ ଗାଁରେ ପୋଲିସ ପଇଁତରା ମାରି ଭୟ ଓ ସନ୍ତ୍ରାସର ବାତାବରଣ ସୃଷ୍ଟି କରିଚାଲିଛି । ଆନ୍ଦୋଳନକାରୀ ଜନସାଧାରଣଙ୍କୁ ସାକ୍ଷାତ କରିବାକୁ ଯାଇଥିବା ଜଣେ ସର୍ବଭାରତୀୟ ସମ୍ମାନସ୍ପଦ କୃଷକ ନେତା, ସଂଯୁକ୍ତ କିଷାନ ମୋର୍ଚ୍ଚାର ଅନ୍ୟତମ ରାଷ୍ଟ୍ରୀୟ ସଂପାଦକ ଶ୍ରୀ ସତ୍ୟବାନ ଓ ତାଙ୍କ ସହିତ ଥିବା ଅନ୍ୟାନ୍ୟ କୃଷକ ନେତାମାନଙ୍କୁ କମ୍ପାନୀର ଗୁଣ୍ଡାମାନେ ଅପହରଣ କରିଛନ୍ତି ଓ ସ୍ଥାନୀୟ ତୁରମୁଙ୍ଗା ପୋଲିସ ଷ୍ଟେସନରେ ସ୍ୱୟଂ ଥାନା ଇନଚାର୍ଜ ଉପସ୍ଥିତିରେ ଅଶ୍ରାବ୍ୟ ଗାଳିଗୁଲଜ ଓ ଧମକ ଚମକ ଦେଇଛନ୍ତି । ପୋଲିସ ମଧ୍ୟ ସାମାଜବିରୋଧୀ ମାନଙ୍କ ସହିତ ଏକ ହୋଇଯାଇଛି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା । ପ୍ରଶାସନ ପୋଲିସ ଲଗାଇ ପ୍ରାୟୋଜିତ ପଲ୍ଲୀସଭା କରାଇ ନେବାକୁ ଯେତେ ଚେଷ୍ଟା କଲେ ବି ସଫଳ ହୋଇପାରୁନାହିଁ । ତଥାକଥିତ ସପକ୍ଷବାଦୀ ମାନଙ୍କ ବିଭାଜନକାରୀ କୌଶଳକୁ ମଧ୍ୟ ଜନଗଣ ପ୍ରତିହତ କରୁଛନ୍ତି । ବହୁ ଲୋକ ଏପରିକି ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ମାଳ ମାଳ ମିଥ୍ୟା ମକଦ୍ଦମା ଲଗାଇ ଗିରଫ କରିବା ପାଇଁ ଦିନରାତି ହିଂସ୍ର ପ୍ରଚେଷ୍ଟା ଚାଲିଛି । ଅନେକ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଛନ୍ତି । ତା ସତ୍ତ୍ୱେ ବି ସ୍ତରେ ସ୍ତରେ ସଂଗ୍ରାମୀ ନେତୃତ୍ୱ ଗଢି ଉଠୁଛି, ବିଶେଷକରି ମହିଳାମାନେ ସାହସିକତାର ସହିତ ସଶସ୍ତ୍ର ପୋଲିସ ବଳକୁ ସାମ୍ନା କରୁଛନ୍ତି, ଅନ୍ୟାୟ ଗିରଫଦାରୀର ପ୍ରତିବାଦ କରି ରାସ୍ତାରୋକ ଭଳି ଆନ୍ଦୋଳନ ମଧ୍ୟ କରୁଛନ୍ତି । ଗାଁରେ ଗାଁରେ ହେଉଥିବା ଲୋକମାନଙ୍କ ମେଳି ଓ ଜନଜାଗରଣ ଆଜି କମ୍ପାନୀ ଓ ସରକାରଙ୍କ ନିଦ ହଜାଇ ଦେଇଛି ।
ସେହିଭଳି ସୁନ୍ଦରଗଡ ଜିଲ୍ଲାର କୁତ୍ରା ବ୍ଲକ୍‌ର ପ୍ରାୟ ୬ଟି ପଂଚାୟତର ଦୁଇ ହଜାର ଏକର ଚାଷ ଜମି ଉପରେ ଡାଲମିଆଁ ଓସିଏଲ କମ୍ପାନୀ ସ୍ୱାର୍ଥରେ ବଳପୂର୍ବକ ଚୂନପଥର ଖନନ ପାଇଁ ଆନ୍ଦୋଳନରତ ସ୍ଥାନୀୟ ଜନସାଧାରଣଙ୍କ ଉପରେ ପୋଲିସ ଦମନଲୀଳା ହିଂସ୍ର ରୂପ ନେଇଛି । ଲାଠି ମାଡରେ ବହୁ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ଲୋକଙ୍କ ଫସଲ ଫଳିଥିବା ଜମିକୁ କମ୍ପାନୀ ନଷ୍ଟ କରିଦେଇଛି । ଯେମିତି ଗତ ଡିସେମ୍ବର ୩୦ତାରିଖ ମଧ୍ୟ ରାତ୍ରୀରେ ରାଜ୍ୟ ପୋଲିସ ଓ ଅଫିସରଙ୍କ ସୁରକ୍ଷା ବଳୟ ମଧ୍ୟରେ କମ୍ପାନୀର ୩୦ରୁ ଉର୍ଦ୍ଧ୍ୱ ଜେସିପି ଏ ଅଂଚଳରେ ଥିବା ଲାଂଜିବେରନା ଗ୍ରାମର ରବି ଫସଲ ହୋଇଥିବା ୩୭ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛି । ଖୋଲାଖୋଲି ଭାବେ ରାଜ୍ୟ ସରକାର କମ୍ପାନୀର ଦଲାଲଭାବେ କାମ କରି ଜନସାଧାରଣଙ୍କ ଧନ ଜୀବନ ଉପରେ ନୃଶଂସ ଦମନଲୀଳା ଚଳାଇଛନ୍ତି । ସରକାର କମ୍ପାନୀ ସ୍ୱାର୍ଥରେ କେତେ ଅଗଣତାନ୍ତ୍ରିକ ଓ ଅମାନବୀୟ ହୋଇପାରେ ତା’ର ମଧ୍ୟ ନଗ୍ନ ନମୁନା ଏଠି ଦେଖିବାକୁ ମିଳୁଛି । ଜମି ଅଧିଗ୍ରହଣ ପାଇଁ ପ୍ରତି ଗ୍ରାମରେ ଗ୍ରାମ ସଭା କରି ୮୦ଭାଗ ଜମିମାଲିକଙ୍କ ସମ୍ମତି ପ୍ରଦାନ ବାଧ୍ୟତାମୂଳକ ଥିଲେ ବି ତା ଏଠି ଖୋଲାଖୋଲି ଉଲଂଘନ କରାଯାଇଛି । ଯେଉଁ ଡାଲମିଆଁ ଓ ସିଏଲ୍ କମ୍ପାନୀ ଦୀର୍ଘ ୩୦ବର୍ଷ ଧରି ଏ ଅଂଚଳର ଖଣି ଖନନ କରି ଶହ ଶହ ଏକର ଜମିକୁ ନଷ୍ଟ କରି ଦେଇଛି, ସୃଷ୍ଟି ହୋଇଥିବା ବିଶାଳକାୟ ଗର୍ତ୍ତକୁ ମାଟି ବାଲି ପୁରାଇ ସମତଳ କରିବାର ଦାୟିତ୍ୱ ପାଳନ କରିନାହିଁ, ଏ ଅଂଚଳର ଜଳବାୟୁ ପାଣି ପ୍ରଦୂଷିତ କରିଛି, ଧୂଳି ଧୂଆଁରେ ଭର୍ତ୍ତି କରିଦେଇଛି, କେତେ ଲୋକ ରୋଗଗ୍ରସ୍ତ ହୋଇ ବିନା ଚିକିତ୍ସାରେ ମୃତ୍ୟୁବରଣ କରୁଛନ୍ତି, ସେଠି ପୁଣି ଏହି କମ୍ପାନୀକୁ ବିଜେପି ସରକାର ଖଣି ଖନନ ପାଇଁ ଅନୁମତି ଦେଇଛି । ବିଜେପି ଦଳ ଓ କମ୍ପାନୀର ଭିତିରି ବୁଝାମଣା ଆଜି ଖୋଲାଖୋଲି ଭାବେ ଉଦ୍‌ଘାଟିତ ହୋଇଯାଇଛି । ଲୋକମାନେ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ସଜବାଜ ହେଲେଣି । ସେମାନେ ବଜ୍ରକଣ୍ଠରେ ଘୋଷଣା କରିଛନ୍ତି, “ଆମେ ମରିବୁ ପଛେ ଏ ଅନ୍ୟାୟ ସହିବୁ ନାହିଁ, ଟଙ୍କାର ଲୋଭ ଦେଖାଇ, ବନ୍ଧୁକର ଧମକ ଦେଖାଇ ଆମ ଜମି ନେଇ ପାରିବ ନାହିଁ ।”
ଓଡିଶାର ଆରାବଳୀ ଭାବେ ପରିଚିତ ବଲାଙ୍ଗିର-ବରଗଡ ଜିଲ୍ଲାରେ ଅବସ୍ଥିତ ଗନ୍ଧମାର୍ଦ୍ଦନରୁ ଆରମ୍ଭ କରି ରାୟଗଡା-କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତ ସିଜିମାଳି ପାର୍ବତ୍ୟ ଅଂଚଳ ଆଜି ଧ୍ୱଂସ ମୁଖରେ । ସିଜିମାଳି ପର୍ବତରେ ଥିବା ମୂଲ୍ୟବାନ ବକ୍ସାଇଟ ଖଣି ଖନନ ପାଇଁ ବେଦାନ୍ତ କମ୍ପାନୀକୁ ଲିଜ୍ ଦିଆଯାଇଛି । ପାଖରେ ଥିବା କୁଟୁରିମାଳିକୁ ଆଦାନୀ କମ୍ପାନୀକୁ ଲିଜ ଦିଆଯାଇଛି । ମୂଲ୍ୟବାନ ବକ୍ସାଇଟ୍ ଗଚ୍ଛିତ ଥିବା ଗନ୍ଧମାର୍ଦ୍ଦନକୁ ଏ ନୂଆ ସରକାର ଖୁବ୍ ଚଞ୍ଚକତାପୂର୍ଣ୍ଣଭାବେ ଆଦାନୀକୁ ବନୀକରଣ ନାଁରେ ଦେଇଛନ୍ତି । ସଂପୂର୍ଣ୍ଣ ମାଳି ପାର୍ବତ୍ୟାଂଚଳକୁ ଦେଶୀ ବିଦେଶୀ କମ୍ପାନୀମାନଙ୍କ ହାତକୁ ଟେକି ଦେବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେମିତି ଶାଶୁବୋହୂ ମାଳି. ମାଂଝିମାଳିକୁ ଲିଜ ଦେବାପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । କର୍ଲାପାଟ ଜଙ୍ଗଲର ବିସ୍ତୀର୍ଣ୍ଣ ଅଂଚଳ ଖଣ୍ଡୁଆଳ ମାଳିର ଏକ ବଡ ଅଂଶକୁ ବେଦାନ୍ତକୁ ଦେଇ ଦିଆଯାଇଛି । ଏସବୁ କଲାବେଳେ ଅତୀତର ସରକାର ଓ ବର୍ତ୍ତମାନର ବିଜେପି ସରକାର ସର୍ବନିମ୍ନ ସାମ୍ବିଧାନିକ ନିର୍ଦ୍ଦେଶ, ପେସା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ-୨୦୨୨, ଜମି ଅଧିଗ୍ରହଣ ଆଇନ-୨୦୧୩ର କୌଣସି ପରୱା କରିନାହାନ୍ତି । ମନଇଚ୍ଛା ଖଣି ଓ ଜଙ୍ଗଲ ହସ୍ତାନ୍ତର କରିଚାଲିଛନ୍ତି । ଖଣିଖନନ ଓ ଜଙ୍ଗଲ ଧ୍ୱଂସକୁ ବିରୋଧ କରି, ନିଜର ଜୀବନ ଜୀବିକାର ଉତ୍ସ ଜମି-ଜଙ୍ଗଲ-ପାହାଡ-ଝରଣାର ସୁରକ୍ଷା ପାଇଁ ଲଢୁଥିବା ଏ ଅଂଚଳର ଅଧିବାସୀମାନଙ୍କ ଉପରେ ଏ ସରକାରର ଆକ୍ରମଣ ପ୍ରକୃତରେ ଅତ୍ୟନ୍ତ ଲୋମହର୍ଷଣକାରୀ । ନିକଟରେ ଘଟିଥିବା କିଛି ଘଟଣା ସେହି କଥା କୁହେ । ସିଜିମାଳି ସୁରକ୍ଷା ଆନ୍ଦୋଳନର ଜଣେ ବୃଦ୍ଧା କର୍ମୀ ଶ୍ରୀମତୀ ନାରଙ୍ଗି ଦେଇ ମାଝି ସ୍ଥାନୀୟ କାଶୀପୁର ହସପିଟାଲରେ ଚିକିତ୍ସା ସେବା ନମିଳିବାରୁ ନିଜର ଆସନ୍ନ ପ୍ରସବା ବୋହୂକୁ ନେଇ ସୁଦୂର ରାୟଗଡା ହସ୍ପିଟାଲକୁ ଯାଇଥିଲେ । ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ହିଁ ନିଜର ବୋହୂଙ୍କର ଅଜାଣତରେ ନାରଙ୍ଗି ଦେଇଙ୍କୁ ପୋଲିସ ଗିରଫ କରି ମିଥ୍ୟା ମକଦ୍ଦମା ଦେଇ ଜେଲରେ ଭର୍ତ୍ତି କରିଦେଲା । ଅସହାୟା ବୋହୂ ଏକାକୀ ହସପିଟାଲରେ ପଡିରହି ସନ୍ତାନ ପ୍ରସବ କଲା । ପୁଣି ଅନ୍ୟାନ୍ୟ ଆନ୍ଦୋଳନକାରୀମାନଙ୍କ ଘର ଦୋକାନ ସବୁ ଲୁଟପାଟ ହେଉଛି । ଲାବଣ୍ୟ ନାୟକ ନାମକ ଜଣେ ଗରିବ ଆନ୍ଦୋଳନକାରୀଙ୍କ ଛୋଟିଆ ଦୋକାନଟିକୁ ଧ୍ୱଂସ କରିଦିଆଯାଇଛି । ଆନ୍ଦୋଳନର ଅନ୍ୟତମ ନେତା କାର୍ତ୍ତିକ ନାୟକଙ୍କୁ ବାରମ୍ବାର ମିଥ୍ୟା ମକଦ୍ଦମା ଦେଇ ଜେଲ ପଠାଯାଇଛି । ବହୁ ଲୋକ ଆଜି ଜେଲରେ ବନ୍ଦୀ, ମୁକୁଳିବାର ଠିକଣା ନାହିଁ । ପୋଲିସ ଭୟରେ ଲୋକେ ହାଟବାଟ କରିବାକୁ ଏପରିକି ହସ୍ପିଟାଲ ଯିବାକୁ ବି ଭୟ କରୁଛନ୍ତି । ସମସ୍ତ ମାଳି ଅଂଚଳରେ ପୋଲିସ ସନ୍ତ୍ରାସ ଚାଲିଛି । ଏହିଭଳି ବହୁ ଲୋମହର୍ଷଣକାରୀ ଘଟଣାମାନ ରହିଛି । କିଛିମାତ୍ର ଉଲ୍ଲେଖ କରାଗଲା । ସେହିଭଳି ବିସ୍ତୀର୍ଣ୍ଣ କୋଇଲା ଖଣି, ନଦ ନଦୀ, ଜଙ୍ଗଲ ଓ ଅନ୍ୟାନ୍ୟ ପ୍ରାକୃତିକ ସଂପଦରେ ଭରପୁର ଅନୁଗୁଳ ଜିଲ୍ଲା ଜିନ୍ଦଲ, ଟାଟା, ମୋନେଟ୍‌, ଆଦାନୀ, ଅମ୍ବାନୀ ଭଳି କମ୍ପାନୀମାନଙ୍କ ପାଇଁ ସ୍ୱର୍ଗ ରାଜ୍ୟରେ ପରିଣତ ହୋଇଥିବାବେଳେ ସାଧାରଣ ଲୋକଙ୍କ ପାଇଁ ନର୍କପୁରରେ ପରିଣତ ହୋଇଛି । ଦେଶର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଜିଲ୍ଲା ହେଉଛି ଅନୁଗୁଳ । ତାଳଚେର, ଅନୁଗୁଳ ଆଦି ସହରକୁ ଧୂଳି ଓ ଧୂଆଁର ସହର ବୋଲି କୁହାଯାଉଛି । ସାତକୋଶିଆ ଅଭୟାରଣ୍ୟରୁ ସ୍ୱେଚ୍ଛାକୃତ ସ୍ଥାନାନ୍ତରଣ ନାଁରେ ବଳପୂର୍ବକ ବିସ୍ଥାପନ କରାଯାଉଛି । ଟିକରପଡା ଜଙ୍ଗଲରେ କେତେବେଳେ ‘ସୁନ୍ଦରୀ’ ବାଘ ତ କେତେବେଳେ ଭୟଙ୍କର ଦନ୍ତା ହାତୀ ଓ ବିଷଧର ସାପ ଛାଡି ଦେଇ ଲୋକମାନଙ୍କୁ ମରଣ ମୁହଁକୁ ଠେଲି ଦିଆଯାଉଛି, ଯାହାଫଳରେ କି ଲୋକେ ଆପେ ଆପେ ଘରଦ୍ୱାର ଛାଡି କୁଆଡେ ପଳାଇବେ । ହାତୀ କୁମ୍ଭୀର ଆକ୍ରମଣରେ ଲୋକ ମରୁଛନ୍ତି । ଏଠି ମଧ୍ୟ ସେହି ନୀତି, ଲାଠି ଗୁଳି ବନ୍ଧୁକ ଦେଖାଇ ଆନ୍ଦୋଳନକୁ ଦମନ କରି ମିଥ୍ୟା ପ୍ରଲୋଭନ ଦେଖାଇ ଲୋକମାନଙ୍କୁ ପ୍ରଲୁବ୍‌ଧ କର । ନଚେତ, ବିଭାଜନକାରୀ ରାଜନୀତିର ମାୟାଜାଲରେ ଲୋକଙ୍କୁ ଛନ୍ଦି ଦିଅ । ତା’ ସତ୍ତ୍ୱେ ବି ଜନଗଣ ଏ ଅଂଚଳରେ ସଂଘବଦ୍ଧ ହୋଇ କୃଷି ଜମି, ଜଙ୍ଗଲ ଓ ଜୀବନ ଜୀବିକା ସୁରକ୍ଷା ପାଇଁ ଲଗାତର ଆନ୍ଦୋଳନ ଜାରି ରଖିଛନ୍ତି ।
ପ୍ରସଙ୍ଗତଃ ୨୦୧୫ ମସିହାର ତତ୍‌କାଳୀନ ରାଜ୍ୟ ବିଜେଡି ସରକାରଙ୍କ ଶିଳ୍ପ ସଂକ୍ରାନ୍ତ ପ୍ରସ୍ତାବ ବା ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନରେ ଥିବା ତଥ୍ୟ ଉଲ୍ଲେଖ କରାଯାଇପାରେ । ଏଥିରେ କୁହାଯାଇଛି, “ଓଡିଶା ଦେଶର ଅନ୍ୟତମ ଖଣିଜ ସଂପଦ ସମୃଦ୍ଧ ରାଜ୍ୟ । ଏଠି ଦେଶର ୩୩ ପ୍ରତିଶତ ଲୁହାପଥର, ୯୭.୯ ପ୍ରତିଶତ କ୍ରୋମାଇଟ୍‌, ୯୨.୫ ପ୍ରତିଶତ ନିକେଲ, ୫୧ ପ୍ରତିଶତ ବକ୍ସାଇଟ୍ ଏବଂ ୩୩.୨ ପ୍ରତିଶତ କୋଇଲା ଅଛି । ଆହୁରି ମଧ୍ୟ ପ୍ରଚୁର ଜଳ ରହିଛି ।” ୨୦୨୧ ପ୍ରସ୍ତାବରେ କୁହାଯାଇଛି “ଖଣିଜ ସଂପଦର ପ୍ରାଚୁର୍ଯ୍ୟତା, ଜଳର ଉପଲବ୍‌ଧତା, ମାଲ ସରବରାହ ପାଇଁ ଉନ୍ନତ ପରିବହନ ବ୍ୟବସ୍ଥା, ଜଙ୍ଗଲ ସଂପଦ ଏବଂ ଉନ୍ନତ ସାଂସ୍କୃତିକ ଐତିହ୍ୟ ଯୋଗୁ ଓଡିଶା ଶିଳ୍ପପତିମାନଙ୍କ ନିମନ୍ତେ ପୁଞ୍ଜି ବିନିଯୋଗର ଏକ ସୁବିଧାଜନକ ଲକ୍ଷ୍ୟସ୍ଥଳ ଭାବେ ପରିଗଣିତ ହୋଇଛି ।”
ସେଥିପାଇଁ ବୋଧେ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର କ୍ଷିପ୍ର ଗତିରେ ସବୁ ସଂପଦକୁ ପୁଞ୍ଜିପତିମାନଙ୍କ ହାତରେ ଟେକି ଦେବାପାଇଁ ଆଗେଇ ଚାଲିଛନ୍ତି । ପ୍ରତିଦିନ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ, ପୁଞ୍ଜିପତିମାନଙ୍କ ବିଭିନ୍ନ ମେଳା ବା କନ୍‌କ୍ଲେଭ ଲଗାଇ ଚାଲିଛନ୍ତି । ନିଯୁକ୍ତିର ଧୂଆଁବାଣ ମାରିଚାଲିଛନ୍ତି । କିନ୍ତୁ ସରକାରୀ ନିୟନ୍ତ୍ରିତ ଗଣମାଧ୍ୟମର ନେପଥ୍ୟରେ ଆଉ ନିରବରେ ଚାଲିଛି ଏହି ନାରକୀୟ ବର୍ବର ଦମନଲୀଳା । କଣ୍ଠ ଫଟେଇ ଏହାରି ହିଁ ନାଁ ଦେଇଛନ୍ତି ବିକାଶ, ଆଉ ସେମାନେ କହୁଛନ୍ତି ଏହି ବିକାଶର ପଥରେ କାଳେ ୨୦୩୬, ସ୍ୱତନ୍ତ୍ର ଓଡିଶାର ଶତବର୍ଷ ଓ ୨୦୪୭ ସ୍ୱାଧୀନ ଭାରତର ଶତବର୍ଷ ଧୁମଧାମରେ ପାଳନ ହେବ, ଏକ ବିକଶିତ ସମୃଦ୍ଧ ଓଡିଶା ଓ ଭାରତ ପୃଥିବୀ ମାନଚିତ୍ରରେ ଝଲସି ଉଠିବ । ବିଚାର କରିବାର ବେଳ ଆସିଛି, ମଣିଷର ଶ୍ମାଶାନ ଉପରେ, ପ୍ରକୃତିର ଧ୍ୱଂସସ୍ତୁପ ଉପରେ କେଉଁ ବିକାଶ ଆଉ କାହାର ବିକାଶର ସୌଧ ନିର୍ମାଣ ହେବ?

Leave a Reply

Your email address will not be published. Required fields are marked *