ଏ.ଆଇ.ଡି.ୱାଇ.ଓ. ସର୍ବ ଭାରତୀୟ କମିଟିର ଦାବି ସପ୍ତାହ ଉପଲକ୍ଷେ ଯାଜପୁର ଜିଲ୍ଲାପାଳ ଅଫିସ ରେ ଯୁବ ବିକ୍ଷୋଭ
Dated 25.02.2026 – ଏ ଆଇ ଡି ୱାଇ ଓ ର ଆହ୍ଵାନରେ ୨୦ ରୁ ୨୭ ଫେବୃଆରୀ ସର୍ବଭାରତୀୟ ଦାବି ସପ୍ତାହ ଉପଲକ୍ଷେ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକ ଯୁବ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦବି ଗୁଡ଼ିକୁ ଅବିଳମ୍ବେ ପୂରଣ କରିବା, ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଓ ପ୍ରଶ୍ନପତ୍ର ପ୍ରସ୍ତୁତି ଘରୋଇ ଏଜେନ୍ସୀ ମାଧ୍ୟମରେ ନୁହେଁ ସରକାର ନିଜେ ପରିଚାଳନା କରିବା, ପରୀକ୍ଷା ପରିଚାଳନାରେ ସମସ୍ତ ଦୁର୍ନୀତି ବନ୍ଦ କରିବା, ନିଯୁକ୍ତି ଦେବା ପର୍ଯ୍ୟନ୍ତ ବେକାରୀ ଭତ୍ତା ଦେବା ଓ ସରକାରୀ ସଂସ୍ଥାଗୁଡ଼ିକର ଘରୋଇକରଣ ବନ୍ଦ କରିବା ଇତ୍ୟାଦି ଦାବିକରି ସଂଗଠନର ଜିଲ୍ଲା ଉପ ସଭାପତି ରାଧାବଲ୍ଲଭ ମଲ୍ଲିକ ଓ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଯୁବକମାନେ କୁସୁମା ପୋଖରୀ ଛକରୁ ଏକ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ସଭାପତି ସୁବାସ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ୟ ସମ୍ପାଦକ କେଦାର ନାଥ ସାହୁ ଓ ଉପ ସଭାପତି ଅଭିମନ୍ୟୁ ମଲ୍ଲିକ ଉଦବୋଧନ ଦେବା ସଙ୍ଗେ ସଙ୍ଗେ ଯୁବକ ମାନଙ୍କର ସମସ୍ୟାକୁ ନେଇ ସାରାଦେଶରେ ଯୁବ ଆନ୍ଦୋଳନ ସଂଗଠିତ ହେଉଛି ବୋଲି ବକ୍ତବ୍ୟ ରଖିଥିଲେ ଏବଂ ଦାବିଗୁଡିକୁ ପୂରଣ ନକଲେ ଆଗାମୀ ଦିନରେ ଦୁର୍ବାର ଯୁବ ଆନ୍ଦୋଳନ ସଂଗଠିତ ହେବ ବୋଲି ଚେତାବନୀ ଦେଇଥିଲେ। ଯୁବ ସଂଗଠକ ପ୍ରଫୁଲ୍ଲ ମଲ୍ଲିକ,ଗଗନ ବିହାରୀ ମଲ୍ଲିକ, କାର୍ତ୍ତିକ ଦଳାଇ ,ସନ୍ତୋଷ ଲେଙ୍କା,ପ୍ରଶାନ୍ତ ମଲ୍ଲିକ, କୁଳମଣି ପରିଡ଼ା,ମନୋଜ ଭଞ୍ଜ, ମଧୁସୂଦନ ଜେନା, କବି ସେଠୀ, ମନୋଜ ରାଉତ,ତୁଷାର ମଲ୍ଲିକ,ବ୍ରଜବନ୍ଧୁ ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ ଓ ନନ୍ଦନ ମଲ୍ଲିକ, ବିନୋଦ ଜଟି ଓ ରତନ ଜେନା ପ୍ରମୁଖ ନେତାମାନେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହାୟତା କରିଥିଲେ।
