ଭାରତ – ମାର୍କିନ୍ ବାଣିଜ୍ୟ ଚୁକ୍ତି : ଏକଚାଟିଆ ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ କେନ୍ଦ୍ର ବିଜେପି ସରକାର ଦେଶର ଚାଷୀ ଓ ସାଧାରଣ ଲୋକଙ୍କୁ ସମ୍ପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଲା
SK Dated 08.03.2026 –
ସାମ୍ରାଜ୍ୟବାଦର ବର୍ତ୍ତମାନ ଯୁଗରେ ଅବାଧ ବାଣିଜ୍ୟ ବୋଲି କିଛି ନାହିଁ । କୌଣସି ରାଷ୍ଟ୍ରନେତାଙ୍କ ସହ ଅନ୍ୟ ଜଣେ ରାଷ୍ଟ୍ରନେତାଙ୍କ ସମ୍ପର୍କ କିପରି, କିଏ କାହାକୁ ନିଜର ଘନିଷ୍ଠ ବନ୍ଧୁ ବୋଲି ପରିଚୟ ଦେଉଛନ୍ତି କିମ୍ବା ଦେଖାହେଲେ କେତେ ଜୋରରେ କୋଳାଗ୍ରତ କରୁଛନ୍ତି – ଏସବୁ ଦ୍ୱାରା ଦୁଇଟି ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଗଢ଼ିଉଠେ ନାହିଁ । ଭାରତ-ମାର୍କିନ୍ ବାଣିଜ୍ୟ ଚୁକ୍ତି ଏହାର ପ୍ରକୃଷ୍ଟ ଉଦାହରଣ ।
ବାସ୍ତବରେ ଯାହାର ପୁଞ୍ଜିର ଜୋର୍ ଯେତେ ବେଶୀ, ସେ ସେତେ ଅଧିକ ନିୟନ୍ତ୍ରକର ଭୂମିକାରେ ଥାଏ । ଭାରତ-ମାର୍କିନ୍ ଚୁକ୍ତିରେ ସେହି ନିୟନ୍ତ୍ରଣ ଭୂମିକାରେ ରହିଛି ଆମେରିକା । ତେଣୁ ମିଳିତ ଘୋଷଣା ପରିବର୍ତ୍ତେ ଚୁକ୍ତି ସଂପର୍କରେ ସବୁକିଛି ଆମେରିକାର ପ୍ରେସିଡେଣ୍ଟ ଟ୍ରମ୍ପ ହିଁ ଘୋଷଣା କଲେ । ଏପରିକି ଭାରତ କ’ଣ କ’ଣ କିଣିବାକୁ ରାଜି ହୋଇଛି, ତାହା ମଧ୍ୟ ଟ୍ରମ୍ପ କହିଦେଲେ । ଚୁକ୍ତିରେ ଆମେରିକା ନିକଟରେ ଭାରତର ନତିସ୍ୱୀକାର ପୁରାପୁରି ସ୍ପଷ୍ଟ । ଏହି ନତିସ୍ୱୀକାରର କାରଣ ହୋଇଛି ଚୁକ୍ତି ଫଳରେ ଭାରତର କୃଷକ ସମାଜ ସହ ସଂଖ୍ୟାଗରିଷ୍ଠ ଖଟିଖିଆ ମଣିଷ ବିପୁଳ କ୍ଷତିର ସମ୍ମୁଖୀନ ହେବେ, ମାତ୍ର ଏଥିରେ ଦେଶର ଏକଚାଟିଆ ପୁଞ୍ଜିର ମାଲିକମାନେ ଲାଭବାନ ହେବେ । ବିଷୟଟିକୁ ଅନୁଧ୍ୟାନ କରାଯାଉ ।
ପ୍ରଥମେ ଭାରତ ସହିତ ବିପୁଳ ବାଣିଜ୍ୟିକ ନିଅଣ୍ଟ ହ୍ରାସ କରିବାକୁ ୨୫% ଏବଂ ପରେ ଋଷିଆରୁ ତେଲ ଆମଦାନୀ ବାହାନାରେ ଆଉ ୨୫%, ମୋଟ ୫୦% ଶୁଳ୍କ ଲଗାଇଥିଲେ ଡୋନାଲ୍ଡ ଟ୍ରମ୍ପ । ତ୍ରାହି ତ୍ରାହି ଡାକ ପଡ଼ିଥିଲା ଦେଶର ଶିଳ୍ପ ମହଲରେ । କାରଣ ଭାରତ ଆମେରିକାକୁ ସବୁଠାରୁ ଅଧିକ ସାମଗ୍ରୀ ରପ୍ତାନୀ କରେ । ତା’ପରେ ଦୀର୍ଘ ଦର କଷାକଷି, ଯାହା ବାସ୍ତବରେ ଭାରତ ସରକାର ଉପରେ ମାର୍କିନ୍ ପୁଞ୍ଜିର ଚାପ ବ୍ୟତୀତ କିଛି ନୁହେଁ, ଶେଷରେ ୧୮% ଶୁଳ୍କ ମାନିନେଇ ଭାରତ-ଆମେରିକା ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ଘୋଷଣା କଲେ । ଏହା ସହିତ ଭାରତ ୫୦,୦୦୦ କୋଟି ଡଲାରର ପଣ୍ୟ ଓ ସେବା ଆମେରିକାରୁ କିଣିବାକୁ ‘ଦାୟବଦ୍ଧ\’ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛି ବୋଲି ମଧ୍ୟ ଟ୍ରମ୍ପ ଘୋଷଣା କଲେ । ଅନ୍ୟପଟେ ଆମେରିକାର ସମସ୍ତ ଶିଳ୍ପଜାତ ପଣ୍ୟ ଏବଂ ସେହି ଦେଶର ଖାଦ୍ୟ ଓ କୃଷିଜାତ ପଣ୍ୟର ଏକ ବଡ଼ ଅଂଶ ଉପରେ ଭାରତ ଆମଦାନୀ ଶୁଳ୍କ ଉଠାଇ ଦେଇଛି କିମ୍ବା ବହୁ ପରିମାଣରେ କମାଇ ଦେଇଛି । ବୁଝିବାରେ ଅସୁବିଧା ନାହିଁ ଯେ, ଭାରତୀୟ ପଣ୍ୟ ଉପରେ ଚଢ଼ା ଶୁଳ୍କର ଚାପ ଦେଇ ଭାରତୀୟ ବଜାର ମାର୍କିନ୍ ପଣ୍ୟ ପାଇଁ ଖୋଲିଦେବା ଉଦ୍ଦେଶ୍ୟରେ ହିଁ ଟ୍ରମ୍ପ ଶତକଡା ୫୦ଭାଗ ଶୁଳ୍କ ବୃଦ୍ଧି କରିଥିଲେ ।
ଆମେରିକାରୁ ଭାରତର ଆମଦାନୀ
ତିନିଗୁଣ ବଢ଼ିବ
ଏହି ଚୁକ୍ତି ଘୋଷିତ ହେବାପରେ ସ୍ୱାଭାବିକ ଭାବେ ଦେଶବ୍ୟାପୀ ପ୍ରବଳ ପ୍ରତିବାଦର ସ୍ୱର ଉଠୁଛି । ଚୁକ୍ତିରେ ଯେଉଁଭାବେ ଆମେରିକାକୁ ସମସ୍ତ ଶିଳ୍ପ ଏବଂ କୃଷିଜାତ ପଣ୍ୟ ଆମଦାନୀରେ ଶୁଳ୍କ ଛାଡ଼ ଦିଆଯାଇଛି, କିଛି କ୍ଷେତ୍ରରେ ଶୁନ୍ୟ ଶୁଳ୍କ କରାଯାଇଛି, ତା’ ଫଳରେ ଭାରତୀୟ କୃଷକମାନେ ବିରାଟ କ୍ଷତି ସହିବେ । ଭାରତର ମଧ୍ୟମ ଓ କ୍ଷୁଦ୍ର ଶିଳ୍ପଗୁଡ଼ିକ ମଧ୍ୟ ମାର୍କିନ୍ ପଣ୍ୟର ଜୁଆରରେ ଭାସିଯିବେ । ଏହି ଚୁକ୍ତି ଫଳରେ ହୁଏତ ଭାରତୀୟ ପଣ୍ୟ ରପ୍ତାନି ବୃଦ୍ଧି ପାଇବ ଏବଂ ତା’ ଦ୍ୱାରା ଭାରତର ବଡ଼ ବଡ଼ କମ୍ପାନୀଗୁଡ଼ିକର ବ୍ୟବସାୟ କିଛିଟା ବଢ଼ିବ । କିନ୍ତୁ ତାହା ଦେଶର ସାଧାରଣ ଚାଷୀ ବା ଶ୍ରମିକଙ୍କର ସର୍ବନାଶ କରିବ ।
ଏହି ଚୁକ୍ତିରେ ଠିକ୍ କି କି ପଣ୍ୟ ଆମଦାନୀ-ରପ୍ତାନି ହେବ ତାହା ଆମେରିକା ବା ଭାରତ ସରକାର ଦେଶର ଲୋକଙ୍କ ସାମ୍ନାରେ ସ୍ପଷ୍ଟ କରିନାହାନ୍ତି । କାହିଁକି ଏହି ଗୋପନୀୟତା? ସରକାର ଜନଗଣଙ୍କ ପାଖରୁ କ’ଣ ଲୁଚାଇବାକୁ ଚାହୁଁଛନ୍ତି? କେନ୍ଦ୍ର ବିଜେପି ସରକାର ଏହାର ସ୍ପଷ୍ଟ ଜବାବ ଦେବା ଦରକାର । ଆମଦାନୀ-ରପ୍ତାନିର ଯେଉଁ ଅଙ୍କ ଘୋଷଣା କରାଯାଇଛି ସେଥିରେ ସ୍ପଷ୍ଟ ଯେ ଆମେରିକାଠାରୁ ଭାରତର ଆମଦାନୀ ତିନିଗୁଣ ବଢ଼ିଯିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଚୁକ୍ତି ଭାରତର କୃଷକ, ଉଦ୍ୟୋଗୀ, ଛୋଟ-ମଧ୍ୟମ ଶିଳ୍ପ, ଷ୍ଟାର୍ଟ-ଅପ୍, ମତ୍ସ୍ୟଜୀବୀଙ୍କ ସାମ୍ନାରେ ନୂଆ ସୁଯୋଗ ସୃଷ୍ଟି କରିବ । ଆମେରିକାର ସମସ୍ତ ଶିଳ୍ପ ପଣ୍ୟ ଆମଦାନୀ ପାଇଁ ଭାରତ ଶୁଳ୍କ ଛାଡ଼ ଦେଇଛି । ଏକଥା କିଏ ନ ଜାଣେ ଯେ ସର୍ବୋଚ୍ଚ ମାନର ପ୍ରଯୁକ୍ତି ବ୍ୟବହାର କାରଣରୁ ମାର୍କିନ୍ ପଣ୍ୟର ମାନ ଅନେକ ଉନ୍ନତ । ସେହି ଉନ୍ନତ ମାନର ପଣ୍ୟ ବିନା ଶୁଳ୍କରେ ବା ନାମକୁ ମାତ୍ର ଶୁଳ୍କ ଦେଇ ଭାରତୀୟ ବଜାରକୁ ଆସିଲେ ଭାରତର ଉଦ୍ୟୋଗୀ, ଛୋଟ-ମଧ୍ୟମ ଶିଳ୍ପ ଏବଂ ଷ୍ଟାର୍ଟ-ଅପ୍ ଗୁଡ଼ିକ ଦ୍ୱାରା କିପରି ଲାଭବାନ ହେବେ? ବାସ୍ତବରେ ଏହି ଅସମ ପ୍ରତିଯୋଗିତାରେ ସପୃକ୍ତ ସଂସ୍ଥାଗୁଡ଼ିକ ତିଷ୍ଠି ପାରିବେ ନାହିଁ । ଗୋଟିଏ ଉଦାହରଣ ଦେଲେ ବିଷୟଟି ସ୍ପଷ୍ଟ ହେବ । ମାର୍କିନ୍ ବ୍ଲେଡ୍ ଉତ୍ପାଦକ ସଂସ୍ଥା ‘ଜିଲେଟ୍\’ ଭାରତରେ ବ୍ୟବସାୟ ଆରମ୍ଭ କରିବା ପରେ ଭାରତୀୟ ବ୍ଲେଡ୍ ଉତ୍ପାଦକ ସଂସ୍ଥାଗୁଡ଼ିକର ପରିଣତି ଯାହା ହୋଇଛି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ତାହାହିଁ ହେବାକୁ ବାଧ୍ୟ ।
ଚୁକ୍ତି ଅନୁଯାୟୀ ଭାରତ ଆମେରିକାରୁ ଖାଦ୍ୟଶସ୍ୟ ସହ ସୋୟାବିନ୍ ତେଲ, ବାଦାମ, ସତେଜ ଓ ପ୍ରକ୍ରିୟାକୃତ ଫଳ, ସେଓ, ତୁଳା, ମକା, ମଦ ଆମଦାନୀ କରିବ । ଏହା ସହିତ ‘ଅତିରିକ୍ତ ପଣ୍ୟ’ ସଂପର୍କରେ ଉଲ୍ଲେଖ ରହିଛି । ତେବେ ଏହି ଅତିରିକ୍ତ ପଣ୍ୟ କ’ଣ କ’ଣ ତାହା ସ୍ପଷ୍ଟ କରାଯାଇ ନାହିଁ । ବୁଝିବାରେ ଅସୁବିଧା ନାହିଁ ଯେ, ଯେଉଁ ସବୁ ପଣ୍ୟ ଆମଦାନୀ କରାହେବ ଚାଷୀଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ସେଗୁଡ଼ିକ ଗୋପନୀୟ ରଖାଯାଉଛି । ବାସ୍ତବରେ ଆମେରିକୀୟ ଚାଷୀଙ୍କ ସ୍ୱାର୍ଥରେ ଏହି ବୈଦେଶିକ ଚୁକ୍ତିରେ ଭାରତୀୟ କୃଷି କ୍ଷେତ୍ରକୁ ବିଦେଶୀ ପୁଞ୍ଜି ପାଇଁ ଖୋଲି ଦିଆଯାଇଛି ।
ଆମଦାନୀ ବୃଦ୍ଧିର କୁଫଳ
ଆମେରିକାରୁ ଖାଦ୍ୟଶସ୍ୟ ଏବଂ ସୋୟାବିନ୍ ତେଲ ଆମଦାନୀର ଫଳ କ’ଣ ହେବ? ଦେଶରେ ପୋଲ୍ଟ୍ରି-ମାଂସ ଏବଂ ପଶୁପାଳନ ଶିଳ୍ପରେ ସୋୟାବିନ୍, ତୁଳା ମଞ୍ଜି, ବାଦାମ ବା ତୁଳା ଖଇରୁ ଯେଉଁ ତେଲ ବାହାର କରାଯାଏ ତାହା ଖାଦ୍ୟ ଭାବେ ବ୍ୟବହାର ହୁଏ । ଚୁକ୍ତି ଅନୁଯାୟୀ ଆମେରିକୀୟ ମକା ରୁ ଇଥାନଲ୍ ତିଆରି କାରଖାନାର ଉପଜାତ ପଣ୍ୟ ଡିଡିଜିଏସ୍ (Dried Distillers Grains) ଏବଂ ଲାଲ ସୋୟା ଆମଦାନୀ କରାଯିବ, ଯାହା ଭାରତୀୟ ସୋୟା ଚାଷୀଙ୍କୁ ମାରାତ୍ମକ କ୍ଷତି ପହଂଚାଇବ । କାରଣ ଏବେ ଯେଉଁ ଦାମରେ ପୁଷ୍ଟିସାର ଡି-ଅୟଲ୍ଡ କେକ୍(ତେଲ ପେଡିଲେ ବାହାରୁଥିବା ପିଡିଆ) ଚାଷୀ କିଣୁଛନ୍ତି, ଡିଡିଜିଏସ୍ ତା’ ତୁଳନାରେ ଅନେକ ଶସ୍ତା । ତୁଳା ଏବଂ ସେଓ ଚାଷୀଙ୍କ କ୍ଷେତ୍ରରେ ସମାନ ପରିସ୍ଥିତି ହେବ । ମାର୍କିନ୍ ତୁଳାର ମାନ ଅନେକ ଉନ୍ନତ ଓ ଶସ୍ତା ହୋଇଥିବାରୁ ଭାରତୀୟ ତୁଳା ଚାଷୀମାନେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବେ । ଅନ୍ୟପଟେ ଆମେରିକା ଭାରତୀୟ ବସ୍ତ୍ର ଉପରେ ୧୮% ଶୁଳ୍କ ଲଗାଇଛି । ସର୍ତ୍ତ ଦେଇଛି କେବଳ ମାର୍କିନ୍ ତୁଳାରୁ ଉତ୍ପାଦିତ ବସ୍ତ୍ର ଉପରେ ଶୁଳ୍କ ଛାଡ଼ ମିଳିବ । ଅନ୍ୟ ଦିଗରେ ବାଙ୍ଗଲା ଦେଶକୁ ବିନା ଶୁଳ୍କରେ ତୁଳା ରପ୍ତାନୀ କରି ସେଠାରୁ ବିଭିନ୍ନ ପରିଧାନ ସାମଗ୍ରୀ ଖରିଦ କରିବା ପାଇଁ ଚୁକ୍ତି କରି ଆମେରିକା ଭାରତର ତୁଳା ରପ୍ତାନୀ ବଜାରକୁ କାର୍ଯ୍ୟତଃ ବନ୍ଦ କରି ଦେଇଛି ।
ଆମେରିକା ସହ ଚୁକ୍ତି ଫଳରେ ଭାରତୀୟ ବଜାରରେ ଅବାଧରେ ବିଦେଶୀ ସେଓ ପ୍ରବେଶ କଲେ କାଶ୍ମୀର ତଥା ହିମାଚଳ ପ୍ରଦେଶର ସେଓ ଚାଷୀମାନେ ମାରାତ୍ମକ କ୍ଷତି ସହିବେ । ଇତିମଧ୍ୟରେ କାଶ୍ମୀରର ସେଓ ଚାଷୀମାନେ ବିପୁଳ କ୍ଷତିର ଆଶଙ୍କା ପ୍ରକାଶ କରି ସରକାରଙ୍କୁ ବିଦେଶୀ ସେଓ ଉପରେ ବର୍ତ୍ତମାନ ଥିବା ୧୦୦% ଆମଦାନୀ ଶୁଳ୍କ ବଜାୟ ରଖିବାକୁ ଦାବି କରିଛନ୍ତି । ଆମେରିକାର କୃଷି ସଚିବ ଟମ୍ ଭିଲସାକ୍ ଦାବି କରିଛନ୍ତି, ବାଣିଜ୍ୟ ଚୁକ୍ତି ଫଳରେ ଆମେରିକାର କୃଷିଜାତ ପଣ୍ୟ ଆହୁରି ବେଶୀ ପରିମାଣରେ ଭାରତୀୟ ବଜାରରେ ପ୍ରବେଶ କରିବ । ଫଳରେ ଆମେରିକା ପାଖକୁ ନଗଦ ଡଲାର ଯିବ । ମନେ ରଖିବାକୁ ହେବ ଯେ, କୃଷି ପଣ୍ୟର ଏହି ଆମଦାନୀ-ରପ୍ତାନିରେ ଉଭୟ ଦେଶର ସାଧାରଣ ଚାଷୀଙ୍କ କୌଣସି ସ୍ୱାର୍ଥ ନାହିଁ । ଆମେରିକୀୟ କୃଷି ମୁଖ୍ୟତଃ ବିଶାଳକାୟ କୃଷି ଫାର୍ମ ତଥା ବୃହତ ପୁଞ୍ଜି ଦ୍ୱାରା ନିୟନ୍ତ୍ରିତ । ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ନିର୍ଭରଶୀଳ ଏବଂ ବିପୁଳ ପରିମାଣର ରାଷ୍ଟ୍ରୀୟ ସବସିଡି ନିର୍ଭର । ଏହି ବୃହତ ପୁଞ୍ଜି ପରିଚାଳିତ କୃଷିପାଇଁ ଆମେରିକା ସରକାର ବଡ ବଡ ଚାଷୀଙ୍କୁ ବିପୁଳ ପରିମାଣର ସବ୍ସିଡି ଦିଅନ୍ତି । ମାତ୍ର ଭାରତ ସରକାର ଭାରତୀୟ ଚାଷୀ ମାନଙ୍କୁ ମାମୁଲି ସବସିଡି ଦିଅନ୍ତି । ଫଳରେ ଆମେରିକାରୁ କମ୍ ଶୁଳ୍କରେ କୃଷିଜାତ ସାମଗ୍ରୀ ଆମଦାନୀ ହେଲେ ଦେଶର ଚାଷୀଙ୍କ ଭେଳା ବୁଡିବ ।
ଅଧିକ ରପ୍ତାନିର ସୁଫଳ ନେବେ
ବୃହତ ପୁଞ୍ଜିର ମାଲିକ
ପୂର୍ବରୁ ସୂଚନା ଦିଆଯାଇଛି ଏହି ବାଣିଜ୍ୟ ଚୁକ୍ତି ଫଳରେ ରପ୍ତାନୀ ବୃଦ୍ଧି ପାଇବ । ତେବେ ପ୍ରଶ୍ନ ହେଉଛି ଏହାର ଫାଇଦା କିଏ ନେବ? ଆଦାନୀ ଗ୍ରୁପ୍ ବନ୍ଦର ପରିଚାଳନା କରେ, ଏହା ସହିତ ସେମାନେ ବୃହଦାକାର ଆଧୁନିକ ଗୋଦାମ ନିର୍ମାଣ କରିଛନ୍ତି ଯାହା ଖାଦ୍ୟଶସ୍ୟର ଦୀର୍ଘକାଳୀନ ସଂରକ୍ଷଣ ଏବଂ ରପ୍ତାନି ଆମଦାନୀରେ ସହାୟତା କରେ । ଆଦାନୀ ୱିଲମାର୍ ସେମାନଙ୍କ ବ୍ରାଣ୍ଡ ମାଧ୍ୟମରେ ଖାଇବା ତେଲ ଏବଂ ଅନ୍ୟାନ୍ୟ ନିତ୍ୟପ୍ରୟୋଜନୀୟ ପଣ୍ୟ ବିଶ୍ୱ ବଜାରରୁ ଆମଦାନୀ କରେ । ଅନ୍ୟପଟେ ରିଲାଏନ୍ସ ରିଟେଲ ସିଧାସଳଖ ଚାଷୀଙ୍କ ପାଖରୁ ପଣ୍ୟ ସଂଗ୍ରହ କରେ ଏବଂ ଖୁଚୁରା ବଜାରକୁ ନିୟନ୍ତ୍ରଣ କରେ । ରିଲାଏନ୍ସ ଫ୍ରେଶ୍ ବା ରିଲାଏନ୍ସ ରିଟେଲ ମାଧ୍ୟମରେ ସେମାନେ ଆମଦାନୀ କରାଯାଉଥିବା ଏବଂ ଦେଶୀ ପଣ୍ୟର ଏକ ବିଶାଳ ସପ୍ଲାଇ ଚେନ୍ ନିୟନ୍ତ୍ରଣ କରନ୍ତି । ଫଳରେ ବୁଝିବାରେ ଅସୁବିଧା ନାହିଁ ଯେ, ଭାରତୀୟ କୃଷିପଣ୍ୟ ବିଦେଶକୁ ରପ୍ତାନି ହେଉ ବା ନ ହେଉ, ତା’ ସହିତ ସାଧାରଣ ଚାଷୀଙ୍କ ସୁଫଳ ପାଇବାର କୌଣସି ସମ୍ପର୍କ ନାହିଁ । ଏହି କମ୍ପାନୀଗୁଡ଼ିକ ଚାଷୀଙ୍କ ପାଖରୁ କମ୍ ଦାମରେ କୃଷିପଣ୍ୟ କିଣି ଚଢ଼ା ଦାମରେ ବିଦେଶୀ ବଜାରରେ ବିକ୍ରି କରିବେ । ଦେଶ ମଧ୍ୟରେ ମଧ୍ୟ ଏହାର ଅଜସ୍ର ଉଦାହରଣ ରହିଛି । ମହାରାଷ୍ଟ୍ର ଚାଷୀ ଯେଉଁ ପିଆଜ କିଲୋପିଛା ଦୁଇ ଟଙ୍କା ଦରରେ ବଡ଼ ପିଆଜ ବ୍ୟବସାୟୀଙ୍କ ପାଖରେ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି, ସେହି ପିଆଜ ବଜାରରେ ୪୦-୫୦-୬୦ ଟଙ୍କା, ଏପରିକି କେବେ କେବେ କିଲୋ ପିଛା ୧୦୦ଟଙ୍କା ଦରରେ ବିକ୍ରି ହୁଏ । ବୃହତ କର୍ପୋରେଟ୍ ନିୟନ୍ତ୍ରିତ ବୈଦେଶିକ ବାଣିଜ୍ୟ ସିଣ୍ଡିକେଟ୍ କୃଷି କିମ୍ବା ଶିଳ୍ପ ଯେକୌଣସି ପଣ୍ୟର ଆମଦାନୀ-ରପ୍ତାନି ନିୟନ୍ତ୍ରଣ କରେ ।
ଫଳରେ ମାର୍କିନ୍ କୃଷି ଓ ଶିଳ୍ପ ପଣ୍ୟର ଜୁଆରରେ ଭାସିଯିବ ଭାରତୀୟ ବଜାର । ଅର୍ଥନୀତିର ନିୟମରେ ପ୍ରାଥମିକ ଭାବେ ଭାରତୀୟ କ୍ରେତା ସାମୟିକ ଭାବେ କିଛିଟା ଶସ୍ତା ପଣ୍ୟ କିଣିବାର ସୁଯୋଗ ପାଇଲେ ମଧ୍ୟ, ଭାରତୀୟ ଉତ୍ପାଦକମାନେ ଅସମ ପ୍ରତିଯୋଗିତାରେ ବଜାର ଛାଡ଼ିବାକୁ ବାଧ୍ୟ ହେଲେ ହିଁ ମାର୍କିନ୍ ପଣ୍ୟର ଦାମ ବଢ଼ିବ । ତା’ ଛଡ଼ା କୌଣସି ପଣ୍ୟ ଶସ୍ତାରେ ଆମଦାନୀ ହେଲେ ହିଁ ଯେ ଦେଶର ସାଧାରଣ କ୍ରେତା ତା’ର ସୁବିଧା ପାଇବେ, ତାହା ନୁହେଁ । ଉଦାହରଣ ସ୍ୱରୂପ, ୟୁକ୍ରେନ ଯୁଦ୍ଧପରେ ଭାରତୀୟ ତେଲ କମ୍ପାନୀମାନେ ଅତ୍ୟନ୍ତ କମ ଦାମରେ ଋଷିଆରୁ ତେଲ ଆମଦାନୀ କରି ଅସ୍ୱାଭାବିକ ମୁନାଫା ଲୁଟ୍ କରିଛନ୍ତି । କିନ୍ତୁ ତା’ର କୌଣସି ସୁବିଧା ଦେଶର ସାଧାରଣ ମଣିଷ ପାଇନାହାନ୍ତି । ସ୍ୱାଭାବିକ ଭାବେ ବିଦେଶର ପଣ୍ୟ ଯଦି କିଛିଟା ଶସ୍ତା ଆମଦାନୀ ହୁଏ ତେବେ ତା’ର ସୁବିଧା ସାଧାରଣ ମଣିଷ ପର୍ଯ୍ୟନ୍ତ ପହଞ୍ଚିବ ନାହିଁ । ଲାଭ ନେଇଯିବେ ବୃହତ ପୁଞ୍ଜି ନିୟନ୍ତ୍ରିତ ସିଣ୍ଡିକେଟ୍ ।
ଭାରତରୁ ଆମେରିକାକୁ ରପ୍ତାନୀ ହୁଏ ଇସ୍ପାତ, ତମ୍ବା, ଗାଡ଼ିର ଯନ୍ତ୍ରାଂଶ, ବସ୍ତ୍ର, ଚମଡ଼ା, ଜୋତା, ରତ୍ନ-ଅଳଙ୍କାର ପରି ପ୍ରାୟ ୯ ହଜାର କୋଟି ଟଙ୍କାର ପଣ୍ୟ । ଶୀଘ୍ର ଚୁକ୍ତି ସମ୍ପନ୍ନ କରିବାକୁ ସରକାରଙ୍କ ଉପରେ ଏହି ସବୁ କ୍ଷେତ୍ରର ଉତ୍ପାଦକ ଏବଂ ରପ୍ତାନିକାରୀ ବଡ଼ କମ୍ପାନୀଗୁଡ଼ିକର ଚାପ ଥିଲା ।
ଆମେରିକା ଏବଂ ଭାରତର ବୃହତ ଏକଚାଟିଆ ପୁଞ୍ଜିପତିଙ୍କ ଚାପରେ କରାଯାଇଥିବା ଏହି ଚୁକ୍ତି ଦେଶର ସାଧାରଣ କୃଷକ, ଶ୍ରମିକ, ସାଧାରଣ ମଣିଷଙ୍କ ସ୍ୱାର୍ଥ ବିପନ୍ନ କରିବ । ମାତ୍ର ଏହି ଅସମ ଚୁକ୍ତିରେ ଯେହେତୁ ଉଭୟ ଆମେରିକା ଓ ଭାରତର ବୃହତ ଏକଚାଟିଆ ପୁଞ୍ଜିର ସ୍ୱାର୍ଥ ରକ୍ଷା ହେବ ତେଣୁ ଏହି ଚୁକ୍ତି ସଂପାଦିତ ହୋଇଛି । ଏହି ଚୁକ୍ତି ପାଇଁ ଯେମିତି ମାର୍କିନ୍ ଗୋଷ୍ଠୀଙ୍କ ଚାପ ଥିଲା ସେମିତି ଭାରତୀୟ ଧନକୁବେରଙ୍କ ମଧ୍ୟ ଚାପ ଥିଲା । ଆମେରିକାର ଟଳମଳ ଅର୍ଥନୀତିକୁ ରକ୍ଷା କରିବାକୁ ବାଣିଜ୍ୟିକ ନିଅ କମାଇବା ଆମେରିକା ପାଇଁ ବିଶେଷ ପ୍ରୟୋଜନ ଥିଲା । ଆଉ ରପ୍ତାନି କ୍ଷେତ୍ରରେ ଭାରତର ଅତିରିକ୍ତ ଆମେରିକା ନିର୍ଭରଶୀଳତା ଭାରତକୁ ମାର୍କିନ୍ ସର୍ତ୍ତ ମାନିବାକୁ ବାଧ୍ୟ କରିଛି ।
ଭାରତ ଯେ କେବଳ କୃଷି ଏବଂ ଶିଳ୍ପ ପଣ୍ୟ ହିଁ ଆମଦାନୀ କରିବ ଏମିତି ନୁହେଁ । ବିପୁଳ ପରିମାଣର ତେଲ, ଗ୍ୟାସ୍ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ କିଣିବ । ପାଠକ ମାନଙ୍କର ସ୍ମରଣ ଥିବ, ଟ୍ରମ୍ପ ଦ୍ୱିତୀୟ ଥର ପ୍ରେସିଡେଣ୍ଟ ନିର୍ବାଚିତ ହେବା ପରେ ପ୍ରଥମେ ଆମେରିକାରେ ପହଂଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ପାଖରେ ବସି ଟ୍ରମ୍ପ ଘୋଷଣା କରିଥିଲେ, ୨୦୨୫ ଶେଷ ସୁଦ୍ଧା ଭାରତକୁ ଯୁଦ୍ଧାସ୍ତ୍ର ରପ୍ତାନି ବଢ଼ାଇବ ଆମେରିକା । ଭାରତ ଆମେରିକାଠାରୁ ଏଫ୍-୩୫ ଯୁଦ୍ଧବିମାନ ସହ କୋଟି କୋଟି ଡଲାରର ଯୁଦ୍ଧାସ୍ତ୍ର କିଣିବ । ଦୁଇ ଦେଶର ଆଲୋଚନାରେ ସ୍ଥିର ହୋଇଥିଲା, ଭାରତ ଆମେରିକାଠାରୁ ଆହୁରି ଅଧିକ ପରିମାଣର ତେଲ ଓ ଗ୍ୟାସ୍ କିଣିବ, ଯାହା ଦୁଇ ଦେଶର ବାଣିଜ୍ୟିକ ନିଅଣ୍ଟ କମାଇବାରେ ସାହାଯ୍ୟ କରିବ ।
ଟ୍ରମ୍ପ ଜଣାଇଥିଲେ, ଆମେରିକା ହିଁ ଭାରତକୁ ସବୁଠାରୁ ବେଶୀ ପରିମାଣରେ ତେଲ ଓ ଗ୍ୟାସ୍ ଯୋଗାଇବ । ଟ୍ରମ୍ପ ଜଣାଇ ଦେଇଥିଲେ, ଋଷିଆରୁ ଶସ୍ତା ତେଲ ନ କିଣି ଭାରତ ଆମେରିକା ଏବଂ ଭେନେଜୁଏଲା ତେଲ ଆମେରିକା ମାଧ୍ୟମରେ ହିଁ କିଣିବ । କେବଳ ସେତିକି ନୁହେଁ, ଏତେଦିନ ପର୍ଯ୍ୟନ୍ତ ଆଣବିକ ଚୁକ୍ତି ଅନୁଯାୟୀ ବେସାମରିକ ପରମାଣୁ ପ୍ଲାଣ୍ଟରେ କୌଣସି ଦୁର୍ଘଟଣା ଘଟିଲେ ଯୋଗାଣକାରୀ କମ୍ପାନୀକୁ ତା’ର ଦାୟିତ୍ୱ ନେବାକୁ ହେଉଥିଲା । ସରକାର ସମ୍ପ୍ରତି ଏହି କ୍ଷେତ୍ରରେ ବିଦେଶୀ ପୁଞ୍ଜିକୁ ଦାୟିତ୍ୱ ମୁକ୍ତ କରିଛନ୍ତି । ସେହିପରି ନୂତନ ଆଇନ ପ୍ରଣୟନ କରି ଆଣବିକ ବିଷ୍ପୋରଣ ଘଟିଲେ ତାର ଦାୟଦାୟିତ୍ୱରୁ ମଧ୍ୟ କମ୍ପାନୀକୁ ଛାଡ଼ କରିଦିଆଯାଇଛି । ଏହାର ଲକ୍ଷ୍ୟ ଯେ ମାର୍କିନ୍ କମ୍ପାନୀଗୁଡ଼ିକ, ତାହା ବୁଝିବାରେ ଅସୁବିଧା ହେବା କଥା ନୁହେଁ ।
କାରଣ, ବାଣିଜ୍ୟ ଚୁକ୍ତି ଅନୁଯାୟୀ ମାର୍କିନ୍ କମ୍ପାନୀଗୁଡ଼ିକ ହିଁ କୋଟି ଟଙ୍କାର ଚୁକ୍ତି ସମ୍ପାଦନ କରିଛନ୍ତି । ଆଉ କୌଣସି ପୂର୍ବ ଅଭିଜ୍ଞତା ନଥାଇ ରାତାରାତି ତିଆରି ହୋଇଥିବା ଆଦାନୀଙ୍କ ବେସାମରିକ ପରମାଣୁ ଶକ୍ତି ଉତ୍ପାଦନ କମ୍ପାନୀ ମଧ୍ୟ ଏହି କ୍ଷେତ୍ରରେ ରହିଛି ଏବଂ ଏହିଭଳି କମ୍ପାନୀମାନଙ୍କୁ ବେସାମରିକ ପରମାଣୁ କ୍ଷେତ୍ରରେ ବ୍ୟବସାୟ କରିବାକୁ ସୁଯୋଗ କରିଦିଆଯାଇଛି । ଅନ୍ୟଦିଗରେ ଗଣତନ୍ତ୍ରର ସର୍ବନିମ୍ନ ରୀତିନୀତିକୁ ପାଦରେ ଦଳି ଭେନେଜୁଏଲାର ପ୍ରେସିଡେଣ୍ଟଙ୍କୁ ମାର୍କିନ୍ ସେନା ଗିରଫ କରି ନେଇଯିବା ପରେ ଭେନେଜୁଏଲାର ତେଲଖଣିଗୁଡ଼ିକୁ ମାର୍କିନ ପ୍ରଶାସନ ଦଖଲ କରିଛି । ଟ୍ରମ୍ପଙ୍କ ନିକଟରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେହି ତେଲ ଆମଦାନୀ କରିବାକୁ ଅନୁମତି ପାଇଛି । ଏଥିରୁ ସ୍ପଷ୍ଟ ଯେ ଭାରତର ଜନଗଣଙ୍କ ସ୍ୱାର୍ଥକୁ ବଳି ଦେଇ ଭାରତୀୟ ଏକଚାଟିଆ ପୁଞ୍ଜିର ସ୍ୱାର୍ଥ ରକ୍ଷା ହିଁ ଏହି ଚୁକ୍ତିର ଏକମାତ୍ର ଲକ୍ଷ୍ୟ ।
ଏକଚାଟିଆ ପୁଞ୍ଜିର ସ୍ୱାର୍ଥ ହିଁ ମୂଳ,
ଜନସ୍ୱାର୍ଥ ସଂପୂର୍ଣ୍ଣ ବିଡମ୍ବିତ
ଚୁକ୍ତି ଉପରେ ଆଲୋଚନା ଚାଲିଥିଲାବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ କହିଥିଲେ, ଏହି ଚୁକ୍ତି ସମ୍ପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ । ବାସ୍ତବରେ ସାମ୍ରାଜ୍ୟବାଦ ନିକଟରେ ଗଣତନ୍ତ୍ରର କୌଣସି ମୂଲ୍ୟ ନାହିଁ । ପୁଞ୍ଜିର ନିରଙ୍କୁଶ ସ୍ୱାର୍ଥ ହିଁ ସେମାନଙ୍କ ପାଇଁ ଗଣତନ୍ତ୍ର । ମୁନାଫା ପ୍ରୟୋଜନରେ ଏମିତି କୌଣସି କାମ ନାହିଁ ଯାହା ସେମାନେ କରିପାରିବେ ନାହିଁ । ଆଜି ଶକ୍ତିଶାଳୀ ସାମ୍ରାଜ୍ୟବାଦୀ ଶକ୍ତି ଆମେରିକାର ଲକ୍ଷ୍ୟ ହେଉଛି ସମଗ୍ର ବିଶ୍ୱ ବଜାର ପ୍ରତିଯୋଗିତାରେ ନିଜର ଚୂଡ଼ାନ୍ତ ଆଧିପତ୍ୟ ପ୍ରତିଷ୍ଠା କରିବା ।
ଭାରତ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି କ୍ଷେତ୍ରରେ ମଧ୍ୟ ଭାରତୀୟ ବାଣିଜ୍ୟିକ ପୁଞ୍ଜିକୁ ଶକ୍ତିଶାଳୀ ମାର୍କିନ୍ ପୁଞ୍ଜି ଉପରେ ନିର୍ଭରଶୀଳ କରାଇବା, ଭାରତର ବଜାରକୁ ମାର୍କିନ୍ ଧନକୁବେର ଗୋଷ୍ଠୀଙ୍କ ପାଇଁ ଖୋଲା ମଇଦାନରେ ପରିଣତ କରିବା । ଭାରତୀୟ ଏକଚାଟିଆ ପୁଞ୍ଜିପତି ଶ୍ରେଣୀ ଆମେରିକା ସହିତ ଏହାର ଘନିଷ୍ଠତାକୁ କାମରେ ଲଗାଇ ବିଶ୍ୱର ଅନ୍ୟ ଏକ ବୃହତ ଶକ୍ତିରେ ପରିଣତ ହେବା ଏବଂ ବିଶ୍ୱର ତୁଳନାମୂଳକ ଭାବରେ ଦୁର୍ବଳ ରାଷ୍ଟ୍ରମାନଙ୍କ ବଜାରକୁ ଆମେରିକାର ସହାୟତାରେ ଦଖଳ କରିବାକୁ ଉଦ୍ୟମ କରୁଛି । ମୋଟ ଉପରେ ଏହି ଚୁକ୍ତି ଏକଚାଟିଆ ପୁଞ୍ଜିପତିଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ଜନସ୍ୱାର୍ଥର ଚିହ୍ନବର୍ଣ୍ଣ ନାହିଁ ।
