ଜେ.ଏସ୍‌.ପି.ଏଲ୍ ସମ୍ମୁଖରେ ଶ୍ରମିକ ବିକ୍ଷୋଭ

ଅନୁଗୁଳ-ତା୧୫/୦୨ । ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ, ଅନୁଗୁଳଠାରେ କାର୍ଯ୍ୟରତ ସପ୍ଲାଇ ମ୍ୟାନ୍ ପାୱାର ଶ୍ରମିକମାନଙ୍କ ନ୍ୟାଯ୍ୟ ତିନି ଦଫା ଦାବିରେ ଜେ.ଏସ୍‌.ପି.ଏଲ୍ ୱାର୍କର୍ସ ୟୁନିୟନ୍ ପକ୍ଷରୁ ଆଜି ପୂର୍ବାହ୍ନ ୯ଘଟିକା ଠାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଜେ.ଏସ୍‌.ପି.ଏଲ୍ ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । କରୋନା ଲକ୍‌ଡାଉନ୍ ସମୟରେ ଶ୍ରମିକଙ୍କ ଅନୁପସ୍ଥିତି ପାଇଁ କଟାଯାଇଥିବା ଦୁଇଗୁଣ ମଜୁରୀକୁ ଅବିଳମ୍ବେ ପ୍ରଦାନ କରିବା, ୨୦୧୯ ମସିହା ଜୁଲାଇ ମାସ ଠାରୁ ମଜୁରୀ ବୃଦ୍ଧି କରିବା, ସପ୍ଲାଇ ମ୍ୟାନ୍‌ପାୱାର ଶ୍ରମିକଙ୍କୁ ଜେ.ଏସ୍‌.ପି.ଏଲ୍‌.ରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଏହି ବିକ୍ଷୋଭ ସଂଗଠିତ କରାଯାଇଛି । ଏହି ସମସ୍ତ ଦାବି ପୂରଣ କରିବା ନିମନ୍ତେ ୟୁନିୟନ୍ ପକ୍ଷରୁ ବାରମ୍ବାର ଲିଖିତ ଭାବେ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଜେ.ଏସ୍‌.ପି.ଏଲ୍ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଅବହେଳା କରି ଆସୁଥିବାରୁ ୟୁନିୟନ୍ ପକ୍ଷରୁ କାରଖାନାର ବିଭିନ୍ନ ବିଭାଗର ଶ୍ରମିକ ପ୍ରତିନିଧି ମାନଙ୍କୁ ନେଇ ଆଜିକାର ଏହି ବିକ୍ଷୋଭ ସଂଗଠିତ କରାଯାଇଛି । ଏହି ତିନୋଟି ନ୍ୟାଯ୍ୟ ଦାବିରେ ଆସନ୍ତା ମାର୍ଚ୍ଚ ୩ତାରିଖରେ
ଅନୁଗୁଳ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଶ୍ରମିକ ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଘୋଷଣା କରି ଆଜିକାର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କରାଯାଇଛି । ଆଜିକାର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ୟୁନିୟନର ସଭାପତି ଜୟସେନ ମେହେର, କାର୍ଯ୍ୟକାରୀ ସଭାପତି ମାନସ ପାଳ, ସାଧାରଣ ସମ୍ପାଦକ ପୁରୁଷୋତ୍ତମ ବିଶ୍ୱାଳ, ସମ୍ପାଦକ ସୁରେନ୍ଦ୍ର ଦାସ ପ୍ରମୁଖଙ୍କ ନେତୃତ୍ୱରେ ସଂଗଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *