କେନ୍ଦ୍ର ବଜେଟ୍‍ ୨୦୨୧-୨୨: କର୍ପୋରେଟ୍‍ ସ୍ୱାର୍ଥରେ ମୋଦି ସରକାରର ଚୌକିଦାରୀ

Sarbaharakranti 15.03.2021 - କରୋନା ପରିସ୍ଥିତି ସାମାନ୍ୟ ସୁଧୁରୁଥିଲାବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ କେନ୍ଦ୍ର ବଜେଟ୍‍ ୨୦୨୧-୨୨ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‍ କରିବାକୁ ଯାଇ ସେ ଘୋଷଣା କରିଛନ୍ତି ଯେ, ଅତୀତର ସମସ୍ତ ବଜେଟ୍‍ଠାରୁ ଚଳିତ ବର୍ଷର ବଜେଟ୍‍ ହେଉଛି ସମ୍ପୂର୍ଣ୍ଣ ଭାବେ ଭିନ୍ନ ଧରଣର । ମାରାତ୍ମକ ଆର୍ଥିକ ସଙ୍କଟରେ ତ୍ରାହି ତ୍ରାହି ଡାକୁଥିବା ଜନସାଧାରଣ ଆଶା କରିଥିଲେ ବଜେଟ୍‍ରେ ସେମାନଙ୍କ ପାଇଁ କିଛି ଘୋଷଣା କରାଯିବ । ମାତ୍ର ବଜେଟ୍‍ରେ ବିପରୀତ ଛବି ହିଁ ପ୍ରତିଫଳିତ ହେଲା । ସଙ୍କଟଗ୍ରସ୍ତ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଧନୀ ବର୍ଗ ତଥା କର୍ପୋରେଟ୍‍ ମାନଙ୍କ ଉପରେ ଟିକସ ବସାଇ ସାଧାରଣ ଲୋକଙ୍କର କ୍ରୟକ୍ଷମତା ସୃଷ୍ଟି କରିବା ଆବଶ୍ୟକ ରହିଛି । ସେଥିପାଇଁ ସେମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇଦେବାପାଇଁ ବିଭିନ୍ନ ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେବା ସତ୍ତ୍ୱେ ମଧ୍ୟ ସରକାର ଏଥିରେ କର୍ଣ୍ଣପାତ କଲେ ନାହିଁ । ବରଂ ଆତ୍ମନିର୍ଭର ଭାରତ କଥା କହି ଏହି ବଜେଟ୍‍କୁ କର୍ପୋରେଟ୍‍ ମାନଙ୍କ ସ୍ୱାର୍ଥରେ ଉତ୍ସର୍ଗ କଲେ ।

ମୋଟ ଘରୋଇ ଉତ୍ପାଦନ ବା ଜିଡ଼ିପି
ଅଭିବୃଦ୍ଧିର କୁହେଳିକା
ମୋଟ ଘରୋଇ ଉତ୍ପାଦନ (ଜିଡ଼ିପି) କହିଲେ ଆମେ ବୁଝୁ ଯେ, ଏକ ଆର୍ଥିକ ବର୍ଷରେ ଦେଶ ମଧ୍ୟରେ ଉତ୍ପାଦିତ ସମସ୍ତ ଦ୍ରବ୍ୟ ଓ ସେବାର ଟଙ୍କା ହିସାବରେ ମୋଟ ମୂଲ୍ୟ । ବୁର୍ଜୁଆ ଅର୍ଥନୀତିବିତ୍‍ ତଥା ସମ୍ଭକାରମାନେ ପ୍ରଚାର କରିଥାନ୍ତି ଯେ, ଏହି ଜିଡ଼ିପି ଅଭିବୃଦ୍ଧିରୁ ହିଁ ଦେଶର ଅର୍ଥବ୍ୟବସ୍ଥା ପ୍ରଗତି କରୁଛି ବୋଲି ବୁଝି ହୋଇଥାଏ । ଜିଡ଼ିପିର ଅଭିବୃଦ୍ଧି ଘଟିଲେ ଦେଶର ଅର୍ଥବ୍ୟବସ୍ଥା ମଧ୍ୟରେ ଥିବା ସମସ୍ତ ଦୁର୍ବଳତା ଧିରେ ଧିରେ ସୁଧୁରିଯାଏ । ମାତ୍ର ଆମେ ଜାଣନ୍ତି ଯେ ଅତୀତରେ ଦେଶର ଜିଡ଼ିପିରେ ଅଭିବୃଦ୍ଧି ଘଟୁଥିଲେ ମଧ୍ୟ ଦେଶର ୯୦ ଭାଗ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଅତି ସଙ୍କଟାପନ୍ନ ପରିସ୍ଥିତିରେ ରହିଛି । କାରଣ ଏହି ଜିଡ଼ିପି ହିସାବରେ ଦେଶରେ ସମସ୍ତ ସମ୍ପତ୍ତି ଜନସାଧାରଣ ମଧ୍ୟରେ କିପରି ସୁଷମ ଭାବେ ବଣ୍ଟନ ହୋଇପାରିବ, ତା’ର କୌଣସି ବ୍ୟବସ୍ଥା ନ ଥାଏ । ଅର୍ଥାତ୍‍ ମୁଷ୍ଟିମେୟ କିଛି ପୁଞ୍ଜିପତି ଯେଉଁମାନେ ଅକଳ୍ପନୀୟଭାବେ ଲକ୍ଷ ଲକ୍ଷ କୋଟି ଟଙ୍କାର ମାଲିକ ସେମାନଙ୍କ ସମ୍ପତ୍ତିର ଅଭିବୃଦ୍ଧିକୁ ଦେଶର ଅଭିବୃଦ୍ଧି ବୋଲି ପ୍ରଚାର କରାଯାଇଥାଏ । ବର୍ତ୍ତମାନ ମୋଦି ସରକାର ଏହି ଜିଡ଼ିପିର ହିସାବ ପଦ୍ଧତିକୁ ମନଇଚ୍ଛା ପରିବର୍ତ୍ତନ କରିଛି ଏବଂ ଜିଡ଼ିପି ଅଭିବୃଦ୍ଧିର ଏକ ମନଗଢ଼ା ଚିତ୍ର ଉପସ୍ଥାପନ କରିବାର ପ୍ରୟାସ କରୁଛି । ୪.୯% ସ୍ତରରେ ଥିବା ଜିଡ଼ିପିକୁ ମୋଦି ସରକାର ରାତି ଅଧିଆ ୬.୭ରେ ପହଞ୍ଚାଇ ଦେଇଥିଲେ । ନ୍ୟାସନାଲ ସାମ୍ପଲ୍‍ ସର୍ଭେ ଅଫିସ୍‍ ଏଥିରେ କରାଯାଇଥିବା ଜାଲିଆତିକୁ ଧରା ପକାଇଦେଲା ଏବଂ ଏହି ହିସାବରେ ବହୁ ବିବାଦୀୟ ତଥ୍ୟ ବ୍ୟବହୃତ ବୋଲି ପ୍ରମାଣ କଲା ।
ଚଳିତ ବର୍ଷର ଏହି ବଜେଟ୍‍ରେ ମଧ୍ୟ ମୋଦି ସରକାରଙ୍କ ଏହି ଚାଲ୍‍ର ପୁନରାବୃତ୍ତି ଘଟିଛି । ଯେତେବେଳେ କରୋନା ମହାମାରୀ ସମୟରେ ଦେଶରେ ଉତ୍ପାଦନରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇ ଜିଡ଼ିପିରେ ୩.୩% ହ୍ରାସ ଘଟିଲା, ସେତେବେଳେ ୨୦୨୦-୨୧ ଅର୍ଥନୈତିକ ସର୍ଭେକୁ ସଂସଦରେ ଉପସ୍ଥାପନ କରି କୁହାଯାଇଥିଲା ଯେ, କରୋନା ମହାମାରୀ ପରବର୍ତ୍ତୀ କାଳରେ ଏହି ଅଭିବୃଦ୍ଧି ୧୧%ରେ ପହଞ୍ଚିବ । ଯଦି ଏହାକୁ ମଧ୍ୟ ବିଚାର କରାଯାଏ ତେବେ ଦେଖାଯାଉଛି ଯେ, ଜିଡ଼ିପିରେ ୩.୩% ହ୍ରାସ ଅର୍ଥ ହେଉଛି ଯେ ଜିଡ଼ିପି ହ୍ରାସ ଘଟି ୧୩୪.୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯଦି ବି ଏଥିରେ ୧୧% ଅଭିବୃଦ୍ଧି ଘଟେ ତେବେ ଏହା ୧୪୫.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ଯାହାକି ୨୦୧୯-୨୦ ବର୍ଷ ତୁଳନାରେ ମାତ୍ର ୨.୪% ବୃଦ୍ଧି । ଏହାଛଡ଼ା ଅର୍ଥନୈତିକ ସର୍ଭେ ଅନୁଯାୟୀ କରୋନା ମହାମାରୀ ପୂର୍ବାବସ୍ଥାରେ ଥିବା ଜିଡ଼ିପି ସ୍ତରରେ ପହଞ୍ଚିବା ପାଇଁ ଅନ୍ୟୁନ ୨ ବର୍ଷ ଅର୍ଥାତ୍‍ ୨୦୨୪ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ବାସ୍ତବରେ ଦେଖାଯାଇଛି ଯେ, ୨୦୧୯-୨୦ ବର୍ଷରେ ପ୍ରତି ତିନି ମାସରେ ସଂଶୋଧିତ ହିସାବ ଅନୁଯାୟୀ ଦେଶର ଜିଡ଼ିପି ମାତ୍ର ୩.୧% ଥିଲା । ତେବେ ୨୦୨୧-୨୨ ବର୍ଷରେ ଜିଡ଼ିପି ଅଭିବୃଦ୍ଧିକୁ ୧୪.୪% ସ୍ତରରେ ପହଞ୍ଚାଇବା ଲକ୍ଷ୍ୟକୁ ବଜେଟ୍‍ରେ ଘୋଷଣା କରି ମୋଦି ସରକାର ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି ।
ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ
ଏହି ବଜେଟ୍‍ରେ ସ୍ପଷ୍ଟଭାବେ ଘୋଷଣା କରାଯାଇଛି ଯେ ଉତ୍ପାଦନର ସମସ୍ତ କ୍ଷେତ୍ର ଯଥା- ଷ୍ଟିଲ୍‍, ଖଣି, ଦ୍ରବ୍ୟ ଉତ୍ପାଦନ, ବିଦ୍ୟୁତ୍‍, ପେଟ୍ରୋଲିୟମ, ରେଳ, ଜଳପଥ-ସ୍ଥଳପଥ ଓ ଆକାଶମାର୍ଗରେ ପରିବହନ, ବ୍ୟାଙ୍କ, ବୀମା, ସ୍ୱାସ୍ଥ୍ୟସେବା, ଶିକ୍ଷା ତଥା ଅନ୍ୟାନ୍ୟ ସେବା କ୍ଷେତ୍ରଗୁଡ଼ିକରେ ଦେଶୀବିଦେଶୀ କର୍ପୋରେଟ୍‍ମାନେ ପୁଞ୍ଜି ନିବେଶ କରିବା ପାଇଁ ଉନ୍ମୁକ୍ତ କରିଦିଆଯିବ । ନିଜର ବଜେଟ୍‍ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ସରକାରୀ ଆର୍ଥିକ ସଂସ୍ଥା ସମେତ ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରେ ଘରୋଇ ପୁଞ୍ଜି ନିବେଶ ପାଇଁ ନୂତନ ଭାବେ ସୁଯୋଗ ଯୋଗାଇଦେବା ହେଉଛି ସରକାରଙ୍କ ଲକ୍ଷ୍ୟ । ବୀମା କମ୍ପାନୀ ଗୁଡ଼ିକରେ ବିଦେଶୀ ପୁଞ୍ଜି ନିବେଶକୁ ୪୯%ରୁ ୭୪%କୁ ବୃଦ୍ଧି କରାଯାଇ ଏହି କମ୍ପାନୀ ଉପରେ ବିଦେଶୀ ମାଲିକାନା ଓ ନିୟନ୍ତ୍ରଣକୁ ଆମନ୍ତ୍ରଣ କରାଯାଇଛି । ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଗୋଟିଏ ସାଧାରଣ ବୀମା କମ୍ପାନୀ ଘରୋଇକରଣ ହେବ । ଏଲ୍‍ଆଇସିଆଇ ମଧ୍ୟ ଏହାର ଅଂଶଧକୁ ଘରୋଇ କ୍ଷେତ୍ରମାନଙ୍କୁ ବିକ୍ରି କରିବ ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୮-୧୯ ମସିହାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ ୧.୪୨ ଲକ୍ଷ କୋଟି ଟଙ୍କା ଲାଭ ଉପାର୍ଜନ କରି ସରକାରଙ୍କୁ ଲଭର ଏକ ବୃହତ୍ତର ଅଂଶ ଦେଇଥିଲେ । କେବଳ ୨୦୧୯-୨୦ ମସିହାରେ ୩୫,୫୪୩ କୋଟି ଟଙ୍କା ଲାଭାଂଶ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହା ସତ୍ତ୍ୱେ ମଧ୍ୟ ସରକାର ଏହି ସମସ୍ତ କ୍ଷେତ୍ରକୁ ଘରୋଇକରଣ କରୁଛନ୍ତି । ଏକଦା ଦେଶର ଜନସାଧାରଣଙ୍କ ଟିକସରୁ ନିର୍ମାଣ କରାଯାଇଥିବା ସଂସ୍ଥାଗୁଡ଼ିକୁ ଏକଚାଟିଆ ପୁଞ୍ଜିପତିଙ୍କ ହାତକୁ ଶାଗ ମାଛ ଦରରେ ବିକ୍ରି କରି ଦିଆଯାଉଛି ।
ବିତ୍ତୀୟ ନିଅଣ୍ଟ ଓ ପୁଞ୍ଜି ପ୍ରତ୍ୟାହାର
ସରକାରଙ୍କ ମୋଟ ଆୟ ଓ ବ୍ୟୟ ମଧ୍ୟରେ ଥିବା ପାର୍ଥକ୍ୟକୁ ବିତ୍ତୀୟ ନିଅଣ୍ଟ କୁହାଯାଏ । ଗତ ୨୦୨୦-୨୧ ବଜେଟ୍‍ରେ ବିତ୍ତୀୟ ନିଅଣ୍ଟ ସଂଶେଧିତ ହୋଇ ୨.୩ ଗୁଣ ବୃଦ୍ଧି ପାଇଥିଲା । ଫଳରେ ବିତ୍ତୀୟ ନିଅଣ୍ଟ ଜିଡ଼ିପିର ୯.୫% (୧୮.୪୮ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଥିଲା । ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ସରକାରୀ କରଜ ବହୁପକ୍ଷ ବୁଝାମଣା ଭିତ୍ତିକ କର, କ୍ଷୁଦ୍ର ସଂଚୟ ରାଶି, ସ୍ୱଳ୍ପମିଆଦି କରଜ ଇତ୍ୟାଦି ଜରିଆରେ ଏହି ବିତ୍ତୀୟ ନିଅଣ୍ଟକୁ ଭରଣା କରାଯାଇଛି । ମାତ୍ର ସେ କେଉଁ କ୍ଷେତ୍ରରୁ କେତେ ଟଙ୍କା କରଜ କରିଛନ୍ତି, ତାହା ଉଲ୍ଲେଖ କଲେ ନାହିଁ । ଚଳିତ ବର୍ଷ ମଧ୍ୟ କେନ୍ଦ୍ର ବେଜଟ୍‍ରେ ଏହି ବିତ୍ତୀୟ ନିଅଣ୍ଟକୁ ଜିଡ଼ିପିର ୬.୮% (୧୫.୦୬ ଲକ୍ଷ କୋଟି ଟଙ୍କା) ଧାର୍ଯ୍ୟ କରାଯାଇଛି । ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ପାଖାପାଖି ୧୨ ଲକ୍ଷ କୋଟି ଟଙ୍କା ଭରଣା କରିବା ତଥା ୨୦୨୫-୨୦୨୬ ମସିହା ବେଳକୁ ଏହି ବିତ୍ତୀୟ ନିଅଣ୍ଟକୁ ଜିଡ଼ିପିର ୪.୫% ମଧ୍ୟରେ ସୀମିତ ରଖିବାପାଇଁ ସରକାର ପ୍ରଥମତଃ ଟିକସ ହାରରେ ବ୍ୟାପକ ବୃଦ୍ଧି ଘଟାଇବେ ଏବଂ ଦ୍ୱିତୀୟତଃ ରାଷ୍ଟାୟତ୍ତ ଉଦ୍ୟୋଗ ତଥା ଜମି ଇତ୍ୟାଦିକୁ ବିକ୍ରି କରିବେ । ଅତଏବ୍‍ ଜନସାଧାରଣଙ୍କ ସମ୍ପତ୍ତିକୁ ଏକଚାଟିଆ ପୁଞ୍ଜିପତିମାନଙ୍କୁ ବିକ୍ରି କରିବାର ନିର୍ଦ୍ଧାରିତ ଲକ୍ଷ୍ୟକୁ ସରକାର ଏହି ବଜେଟ୍‍ ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ବଦ୍ଧପରିକର ।
ଭିତ୍ତିଭୂମି ବିକାଶ ବାଦରେ ବିଭ୍ରାନ୍ତିକର ତଥ୍ୟ
ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ବ୍ୟୟବରାଦ କରାଯିବ । ତେବେ ବାସ୍ତବ ଚିତ୍ର କ’ଣ? କଣ୍ଟ୍ରୋଲର ଜେନେରାଲ୍‍ ଅଫ୍‍ ଆକାଉଣ୍ଟସ୍‍ଙ୍କ ସୂତ୍ରରୁ ଗତ ନଭେମ୍ବର ୨୦୨୦ ସୁଦ୍ଧା ମିଳିଥିବା ତଥ୍ୟାନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ସରକାର ଏପରିକି କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ଖର୍ଚ୍ଚ କରିଛନ୍ତି ମାତ୍ର ୩.୭% । ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍‍ ଉପସ୍ଥାପନ କରୁଥିବା ସମୟରେ ସେଣ୍ଟର ଫର୍‍ ମନିଟରିଂ ଇଣ୍ଡିଆନ୍‍ ଇକୋନୋମି ତଥ୍ୟ ପ୍ରଘଟ କରିଥିଲା ଯେ, ଜାନୁଆରୀ ମାସ ଶେଷ ସୁଦ୍ଧା ପାଖାପାଖି ୧.୨୦ କୋଟି ପୂର୍ଣ୍ଣ ନିୟୋଜିତ ଚାକିରିଆ ସେମାନଙ୍କ ଚାକିରୀ ହରାଇଛନ୍ତି ଏବଂ ପାଖାପାଖି ସେହି ସଂଖ୍ୟକ ବ୍ୟକ୍ତି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଉପରେ ଆସ୍ଥା ରଖିଛନ୍ତି । ମାତ୍ର ଏହି କର୍ମନିଯୁକ୍ତି ଯୋଜନାରେ ଗତ ୨୦୨୦-୨୧ ବର୍ଷର ସଂଶୋଧିତ ବ୍ୟୟବରାଦ ତୁଳନାରେ ଚଳିତ ବର୍ଷ ୩୪.୫% କମ୍‍ ବ୍ୟୟବରାଦ କରାଯାଇଛି । ଏହାଛଡ଼ା ବିଶିଷ୍ଟ ଅର୍ଥନୀତିବିତ ପ୍ରଫେସର ଅରୁଣ କୁମାରଙ୍କ କହିବା ଅନୁଯାୟୀ ଦେଶର ଏହି କରୋନା ମହାମାରୀ ପରିସ୍ଥିତିରେ ୨୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଚାକରୀ ହରାଇଛନ୍ତି । ମାତ୍ର ସେମାନଙ୍କ ଥଇଥାନ ପାଇଁ ବଜେଟ୍‍ରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।
ସ୍ୱାସ୍ଥ୍ୟ ବଜେଟ୍‍ ବୃଦ୍ଧିର ପ୍ରହେଳିକା
ଚଳିତ ବର୍ଷ ବଜେଟ୍‍ରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୨,୨୩,୮୪୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି ଯାହାକି ଗତବର୍ଷ ୯୪,୪୫୨ କୋଟି ଟଙ୍କା ତୁଳନାରେ ୧୩୭% ଅଧିକ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହାକୁ ବିଜେପି ଦଳ ପକ୍ଷରୁ ବ୍ୟାପକ ପଚାର କରାଯାଉଛି । ମାତ୍ର ଦେଖାଗଲା ଯେ ଏହି ବ୍ୟୟବରାଦ ମଧ୍ୟରେ ପାନୀୟଜଳ ଓ ସାନିଟେସନ୍‍ ବାବଦକୁ ୬୦,୦୩୦ କୋଟି ଟଙ୍କା ଏବଂ ପୁଷ୍ଟିସାଧନ ବାବଦକୁ ୨୭,୦୦୦ କୋଟି ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ଯେଉଁ ବ୍ୟୟବରାଦ ଦୁଇଟି ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହୋଇଥାଏ । ସେହିପରି ଅର୍ଥ କମିଶନ୍‍ ୪୯,୨୧୪ କୋଟି ଟଙ୍କା ସହାୟତା ଦେଇଛି ଏବଂ ଟୀକାକରଣ ପାଇଁ ୩୫,୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମାତ୍ର ଏସବୁକୁ ସ୍ୱାସ୍ଥ୍ୟସେବାପାଇଁ ବ୍ୟୟବରାଦ ବୋଲି ପ୍ରଚାର କରାଯାଉଛି । ତେବେ ପ୍ରକୃତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଆୟୁଷ ମନ୍ତ୍ରଣାଳୟ ପାଇଁ ମିଳିତଭାବେ ଗତବର୍ଷରେ ୬୯,୨୩୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଚଳିତ ବର୍ଷ ମୋଟ ୭୬,୯୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ ଏହି ପାର୍ଥକ୍ୟ କ’ଣ ୧୩୭% କି?
ଏହାଛଡ଼ା ଅର୍ଥମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟାଇବା ଓ ନୂଆ ନୂଆ ରୋଗର ଚିହ୍ନଟ ଓ ନିରାକରଣ ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନା ମାଧ୍ୟମରେ ଆଗାମୀ ୬ ବର୍ଷ ମଧ୍ୟରେ ୬୪,୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅର୍ଥାତ୍‍ ବର୍ଷକୁ ୬୪,୧୮/୬ = ୧୦,୬୯୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏପରିକି ଯଦି ଏହି ପରିମାଣକୁ ମଧ୍ୟ ୭୬, ୯୦୨ କୋଟିର ବ୍ୟୟବରାଦ ସହ ମିଶାଇ ଦିଆଯାଏ, ତେବେ ସୁଦ୍ଧା କ’ଣ ଏହା ୧୩୭% ବୃଦ୍ଧି କରାଯାଇଛି ବୋଲି କୁହାଯାଇ ପାରିବ କି? ଅର୍ଥାତ୍‍ ସରକାରଙ୍କ ଏହି ଘୋଷଣା ନିଚ୍ଛକ ଧୂଆଁବାଣ ।
ଶିକ୍ଷାର ବ୍ୟବସାୟୀକରଣ ଓ କେନ୍ଦ୍ରୀକରଣର ଯୋଜନା
ଗତ ବର୍ଷ ଶିକ୍ଷା କ୍ଷେତ୍ରରେ ୯୯,୩୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ଚଳିତ ବର୍ଷ ୯୩,୨୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅର୍ଥାତ୍‍ ଶିକ୍ଷା କ୍ଷେତ୍ରରେ ପ୍ରାୟ ୬୦୯୯ କୋଟି ଟଙ୍କା ବା ୬.୧୩% ବ୍ୟୟ ହ୍ରାସ କରାଯାଇଛି । ସୁଚନାଯୋଗ୍ୟ ଯେ, ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ଶିକ୍ଷା ବଜେଟ୍‍ ଦ୍ରୁତ ହ୍ରାସ ପାଇବାରେ ଲାଗିଛି । ଏହାଛଡ଼ା ଘୋଷଣା କରାଯାଇଛି ଯେ, ଉଚ୍ଚ ଶିକ୍ଷାରେ ଏକ ସର୍ବୋଚ୍ଚ ସଂସ୍ଥା ଏଚ୍‍.ଇ.ସି.ଆଇ (Higher Education Council of India) ଗଠନ କରାଯିବ । ଯଦ୍ୱାରା କି ଶିକ୍ଷାର ସ୍ୱାୟତ୍ତତା ଅପହରଣ ହେବା ସହ ଶିକ୍ଷାର କେନ୍ଦ୍ରୀକରଣ ଓ ବ୍ୟବସାୟୀକରଣ ତୀବ୍ର ରୂପ ଧାରଣ କରିବ । ଏହି ବଜେଟ୍‍ରେ ଘୋଷଣା କରାଯାଇଛି ଯେ, ବିଭିନ୍ନ ଏନ୍‍ଜିଓ, ଘରୋଇ ବିଦ୍ୟାଳୟ ଓ ରାଜ୍ୟମାନଙ୍କ ସହଭାଗିତାରେ ଦେଶରେ ୧୦୦ଟି ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ । ଏହାଫଳରେ ଜନସାଧାରଣଙ୍କ ଅର୍ଥରେ ନିର୍ମିତ ଭିତ୍ତିଭୂମି ତଥା ପ୍ରସିଦ୍ଧିକୁ ଉପଯୋଗ କରି ଘରୋଇ ସଂସ୍ଥାମାନେ ଛାତ୍ରଛାତ୍ରୀମାନଙ୍କୁ ଶୋଷଣ କରିବେ । ଅନ୍ୟପଟେ ଏହି ଏନ୍‍ଜିଓମାନେ କିଏ? ଏମାନେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରିବେ ନାହିଁ ତ? ଦେଶର ଲକ୍ଷ ଲକ୍ଷ ସରକାରୀ ବିଦ୍ୟାଳୟ ଗୁଡ଼ିକୁ ବର୍ଷ ବର୍ଷ ଧରି ଅବହେଳା କରି ସେଗୁଡ଼ିକୁ ଯୋଜନାବଦ୍ଧଭାବେ ବନ୍ଦ କରି ଦିଆଯାଉଥିଲାବେଳେ, ସେହି ସ୍କୁଲ ଗୁଡ଼ିକର ପରିସ୍ଥିତିରେ ସୁଧାର ଆଣିବା ପାଇଁ ମଧ୍ୟ ସରକାରଙ୍କର କୌଣସି ଯୋଜନା ନାହିଁ । ଏପରିକି ଚରମ ଶିକ୍ଷା ବିରୋଧୀ ଜାତୀୟ ଶିକ୍ଷାନୀତି ୨୦୨୦ର ସୁପାରିଶ ଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ମଧ୍ୟ ଏହି ବଜେଟ୍‍ରେ ଉଦ୍ୟମ କରାଯାଇଛି । ଅତଏବ୍‍ ଏହି ବଜେଟ୍‍ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟୀକରଣ, କେନ୍ଦ୍ରୀକରଣ ଓ ଧନ୍ଦାମୂଖୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ।
ପୁଞ୍ଜିପତିଙ୍କୁ ରିହାତି ଓ ଜନସାଧାରଣଙ୍କୁ
କ୍ଷତିଗ୍ରସ୍ତ କରିବା ପାଇଁ ବ୍ୟାଙ୍କ ନୀତି
ବର୍ତ୍ତମାନ ବ୍ୟାଙ୍କ ମାନଙ୍କର ଅନାଦେୟ ଋଣ ବଢ଼ି ବଢ଼ି ଚାଲିଛି ଏବଂ ଦେଶର ବୃହତ୍ତ ପୁଞ୍ଜିପତିମାନେ ହିଁ ଏହି ଅନାଦେୟ ଋଣର ସିଂହଭାଗ ଆତ୍ମସାତ କରିଛନ୍ତି । ମାତ୍ର ସରକାର ସେମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଉଦାର ହୋଇ ସେମାନଙ୍କ ଋଣ ସବୁ ଛାଡ଼ କରି ଦେଉଛନ୍ତି । ତେଣୁ ବ୍ୟାଙ୍କ ମାନଙ୍କ ଖାତାରୁ ଏହି ଅନାଦେୟ ଋଣକୁ ସମ୍ପୂର୍ଣ୍ଣ ବାଦଦେବା ପାଇଁ ବଜେଟ୍‍ରେ ପ୍ରସ୍ତାବ ଅନୁଯାୟୀ ଏକ ସମ୍ପତ୍ତି ପୁନର୍ଗଠନ କମ୍ପାନୀ ଓ ସମ୍ପତ୍ତି ପରିଚାଳନା କମ୍ପାନୀ ପ୍ରତିଷ୍ଠା ହେବ । ଏହି ଦୁଇ କମ୍ପାନୀ ଅଧିନକୁ ସମସ୍ତ ଅନାଦେୟ ଋଣ ଚାଲି ଆସିବ ଏବଂ ଏହି କମ୍ପାନୀ ଦୁଇଟି ବ୍ୟାଙ୍କ ଗୁଡ଼ିକର ଅଧିନରେ ଥିବା ଋଣ ଖିଲାପକାରୀଙ୍କ ଅକାର୍ଯ୍ୟକାରୀ ସମ୍ପତ୍ତି ଗୁଡ଼ିକୁ ବିକଳ୍ପ ନିବେଶ ପାଣ୍ଠିରେ ପରିଣତ କରିବେ ଏବଂ କ୍ଷମତାସମ୍ପନ୍ନ ନିବେଶକାରୀମାନଙ୍କ ଜରିଆରେ ତା’ର ମୂଲ୍ୟ ସଂଗ୍ରହ କରିବେ । ଅର୍ଥାତ୍‍ ଋଣ ସୁଝିବା ଆଉ କର୍ପୋରେଟ୍‍ ହାଉସ୍‍ମାନଙ୍କ ଦାୟିତ୍ୱ ନୁହେଁ । ସରକାର ଏହି ଦାୟିତ୍ୱ ମଧ୍ୟ ନିଜ କାନ୍ଧକୁ ନେଇଗଲେ । ଋଣ ଠକିଥିବା ବୃହତ୍ତ ପୁଞ୍ଜିପତିମାନଙ୍କୁ ଦାୟିତ୍ୱମୁକ୍ତ କରିବାର ଆଉ ସହଜ ବାଟ ଆଉ କ’ଣ ଥାଇପାରେ! ମାତ୍ର ଅନ୍ୟ ପଟରେ ଘୋଷଣା କରାଯାଇଛି ଯେ, ଯଦି କୌଣସି ବ୍ୟାଙ୍କ କୌଣସି କାରଣ ପାଇଁ ଦେବାଳିଆ ହୋଇଯାଏ, ତେବେ ଏହାର ଜମାକାରୀମାନେ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପାଇପାରିବେ ଏବଂ ଏହାଠାରୁ ଅଧିକ ଟଙ୍କା ଯଦି ବ୍ୟାଙ୍କରେ ଥାଏ ତା’ହେଲେ ଜମାକାରୀ ସେ ଟଙ୍କା ଫେରି ପାଇବେ ନାହିଁ । ସ୍ପଷ୍ଟ ଯେ ବ୍ୟାଙ୍କର ସାଧାରଣ ଜମାକାରୀମାନେ କ୍ଷତିଗ୍ରସ୍ତ ହେବେ ।
କୃଷିକ୍ଷେତ୍ରକୁ କର୍ପୋରେଟ୍‍ମାନଙ୍କ ହାତକୁ ଟେକିଦେବାର ଉଦ୍ୟମ
୨୦୨୦-୨୧ ଅର୍ଥନୀତିକ ସର୍ଭେ ଅନୁଯାୟୀ ଗତ ୧୭ ବର୍ଷ ମଧ୍ୟରେ ଦେଶର ଜିଡ଼ିପିକୁ ପ୍ରଥମଥର ପାଇଁ କୃଷି କ୍ଷେତ୍ର ୨୦ ପ୍ରତିଶତ ଅବଦାନ ଦେଇଛି । ଯେତେବେଳେ ଉତ୍ପାଦନର ସମସ୍ତ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି ସେତେବେଳେ କୃଷି କ୍ଷେତ୍ରରେ ୩.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହିଭଳି ପରିସ୍ଥିତିରେ ଦେଶର ଏକଚାଟିଆ ପୁଞ୍ଜିପତିମାନେ ଲାଭ ଲୁଟିବା ପାଇଁ କୃଷି କ୍ଷେତ୍ର ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । କରୋନା ମହାମାରୀକୁ ସୁଯୋଗ ଭାବେ ବ୍ୟବହାର କରି କୃଷି କ୍ଷେତ୍ରକୁ ଦେଶୀ ବିଦେଶୀ କର୍ପୋରେଟ୍‍ମାନଙ୍କ ହାତକୁ ଟେକି ଦେବାପାଇଁ ୩ଟି କଳା କୃଷି ଆଇନ୍‍ ପ୍ରଣୟନ କରାଯାଇଛି ଏବଂ ତା’ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନରେ ପାଖାପାଖି ୨୫୦ ଜଣ ଆନ୍ଦୋଳନକାରୀ ଚାଷୀଙ୍କର ପ୍ରାଣହାନୀ ଘଟିଲାଣି । ଆଶା କରାଯାଉଥିଲା ଯେ, ସରକାର ବଜେଟ୍‍ ମାଧ୍ୟମରେ ଚାଷୀମାନଙ୍କ ପାଇଁ କିଛି ସୁବିଧା କରିବେ । ମାତ୍ର ତାହା ହେଲା ନାହିଁ ଏବଂ ଅର୍ଥମନ୍ତ୍ରୀ ଏହି ଆନ୍ଦୋଳନ ସମ୍ପର୍କରେ ଗୋଟିଏ ଶବ୍ଦ ମଧ୍ୟ ଉଚ୍ଚାରଣ କଲେ ନାହିଁ । ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀଙ୍କଠାରୁ ଫସଲ କିଣୁଛନ୍ତି ବୋଲି ଦେଖାଇବାକୁ ଯାଇ ଅର୍ଥମନ୍ତ୍ରୀ କହିଲେ ଯେ, ଗତବର୍ଷ ଧାନଚାଷୀମାନଙ୍କୁ ୧.୭୪ ଲକ୍ଷ କୋଟି ଓ ଗହମ ଚାଷୀମାନଙ୍କୁ ୭୫,୦୬୦ କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପ୍ରଦାନ କରାଯାଇଛି । ମାତ୍ର ଏହି ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ୍‍ସମ୍ମତ କରିବାପାଇଁ ଆନ୍ଦୋଳନକାରୀ ଚାଷୀମାନେ ଯେତେବେଳେ ଦାବି କରୁଛନ୍ତି, ସରକାର ସେତେବେଳେ ଏହାକୁ ମନା କରୁଛନ୍ତି । କାରଣ ସରକାର ସରକାରୀ ମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରି ଘରୋଇ ମଣ୍ଡି ସ୍ଥାପନ କରିବା ପାଇଁ ଚକ୍ରାନ୍ତ କରାଯାଇଛି । ଏହି ବଜେଟ୍‍ରେ ପିଏମ୍‍ କିଷାନ ଯୋଜନାରେ ବ୍ୟୟବରାଦ ଗତ ବର୍ଷର ୭୫,୦୦୦ କୋଟିରୁ ଚଳିତ ବର୍ଷ ୬୫,୦୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି । ସରକାର କହିଛନ୍ତି ଯେ, କୃଷି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଘଟାଇବା ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ଏବଂ ଏଥିପାଇଁ ପେଟ୍ରୋଲ ଓ ଡିଜେଲ୍‍ ଉପରେ ଲିଟର ପିଛା ଯଥାକ୍ରମେ ୨.୫୦ ଟଙ୍କା ଓ ୪ ଟଙ୍କା ଅତିରିକ୍ତ ଟିକସ ଲାଗୁ କରାଯାଇଛି । ସୂଚନାଯୋଗ୍ୟ ଯେ ଏହି ପେଟ୍ରୋଲ ଓ ଡିଜେଲର ଦର ପ୍ରାୟ ପ୍ରତିଦିନ ବୃଦ୍ଧି ଘଟି ଶହେ ଟଙ୍କା ପାର କରିବାକୁ ବସିଛି । ଯଦିଓ କେତେକ ରାଜ୍ୟରେ ନିର୍ବାଚନ ପାଇଁ ଦରବୃଦ୍ଧି ସାମୟିକ ଭାବେ ସ୍ଥଗିତ ରହିଛି । ଫଳରେ କୃଷିକାର୍ଯ୍ୟ ପାଇଁ ବ୍ୟବହୃତ କଞ୍ଚମାଲର ଦର ବୃଦ୍ଧି, ପରିବହନରେ ବ୍ୟୟବୃଦ୍ଧି ତଥା ସମସ୍ତ ଜିନିଷପତ୍ରର ଦରଦାମ ବୃଦ୍ଧି ଘଟି ଚାଲିଛି । ପରିଣାମତଃ ଦେଶର କୃଷକ ଓ ଅନ୍ୟାନ୍ୟ ଜନସାଧାରଣଙ୍କ ଜୀବନ ଦୟନୀୟ ହେବା ସହ ଏହି ତଥାକଥିତ କୃଷି ଭିତ୍ତିଭୂମି ବିକାଶ ନାଁରେ କର୍ପୋରେଟ୍‍ମାନେ ଲାଭବାନ ହେବେ । ଏହାଛଡ଼ା ବିଷଦଭାବେ ଦେଖିଲେ ମୋଟ ଉପରେ ଦେଖାଯାଉଛି ଯେ, ଗତବର୍ଷ ତୁଳନାରେ ଚଳିତ ବର୍ଷ କୃଷି ବଜେଟ୍‍ରେ ୮% ହ୍ରାସ ଘଟିଛି ।
କର୍ପୋରେଟ୍‍ମାନଙ୍କ ପୁଷମାସ ଓ ସାଧାରଣ ମଣିଷର ସର୍ବନାଶ
ମୋଦି ସରକାର କ୍ଷମତାକୁ ଆସିବା ପରେ କର୍ପୋରେଟ୍‍ ଟିକସ ହ୍ରାସ କରିଛି । ଫଳରେ ଏହି ଟିକସରୁ ଆୟ ଦ୍ରୁତ ହ୍ରାସ ଘଟିବାରେ ଲାଗିଛି । ୨୦୧୮-୧୯ ବର୍ଷରେ ଏହି ଆୟ ୬.୬୩ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ବର୍ଷରେ ଏହି ଆୟରେ ୧ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଲା । ୨୦୧୪-୧୫ ବର୍ଷ ଏହି ଆୟ ଜିଡ଼ିପିର ୩.୪% ଥିବାବେଳେ ୨୦୧୯-୨୦ ବର୍ଷ ଏହା ୨.୭ ସ୍ତରକୁ ଖସି ଆସିଲା । କରୋନା ମହାମାରୀ ପୂର୍ବରୁ କର୍ପୋରେଟ୍‍ ଟିକସରେ ହ୍ରାସ ଘଟାଇ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ, ତାଙ୍କ ସରକାର ଭାରତରେ କର୍ପୋରେଟ୍‍ ଟିକସ୍‍କୁ ବିଶ୍ୱରେ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚାଇବାକୁ ଚାହୁଁଛି । ଫଳରେ ଦେଶୀ ବିଦେଶୀ କମ୍ପାନୀମାନେ ଭାରତରେ ପୁଞ୍ଜି ନିବେଶ ପାଇଁ ଆକର୍ଷିତ ହେବେ । ମାତ୍ର ଅର୍ଥମନ୍ତ୍ରୀ ଘୋଷଣା କଲେ ନାହିଁ ଯେ, ଏହି ଟିକସ ହ୍ରାସ କରିବା ପରେ ପ୍ରକୃତ ଅର୍ଥରେ ଦେଶରେ କେତୋଟି ଉତ୍ପାଦନକ୍ଷମ ନିବେଶ ହୋଇଛି । କରୋନା ମହାମାରୀ ସମୟରେ ଶିଳ୍ପପତିମାନଙ୍କର ସମ୍ପତ୍ତିରେ ଜ୍ୟାମିତିକ ପ୍ରଗତି ହାରରେ ବୃଦ୍ଧି ଘଟିଥିବାବେଳେ ସାଧାରଣ ଲୋକ ତଳିତଳାନ୍ତ ହୋଇଛନ୍ତି ।
ତେବେ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ୨୦୨୧-୨୨ ବଜେଟ୍‍ ମାଧ୍ୟମରେ ଏହି ସମସ୍ୟାକୁ ଆହୁରି ଜଟିଳ କରାଯାଇଛି । ଏହି ବଜେଟ୍‍ରେ କମ୍ପାନୀମାନଙ୍କ ଉପରେ କୌଣସି ନୂତନ ଟିକସ ବସାଯାଇ ନାହିଁ କି ଟିକସ ହାରରେ ମଧ୍ୟ ବୃଦ୍ଧି କରାଯାଇ ନାହିଁ । ମଧ୍ୟବିତ୍ତଙ୍କ ଲାଗି ଆୟକର ସୀମାରେ କୌଣସି ରିହାତି ଦିଆଯାଇ ନାହିଁ । ବେତନଭୋଗୀମାନେ ତାଙ୍କର ପ୍ରୋଭିଡେଣ୍ଟ ଫଣ୍ଡରେ ୨.୫ ଲକ୍ଷରୁ ଅଧିକ ଜମା ରଖିଲେ ତା’ର ସୁଧ ଉପରେ ଟିକସ ଲାଗୁ ହେବ, ଯାହାକି ପୂର୍ବରୁ ନ ଥିଲା । ବିମୁଦ୍ରୀକରଣ ସମୟରେ କୁହାଯାଇଥିଲା ଯେ ଯେଉଁମାନେ ଟିକସ ଫାଙ୍କି କଳାଧନ ଠୁଳ କରିଛନ୍ତି, ତାଙ୍କର ସମସ୍ତ ପୁରୁଣା ନଥି (ଫାଇଲ୍‍)କୁ ଖୋଲାଯିବ । କିନ୍ତୁ ଏହି ବଜେଟ୍‍ରେ କୁହାଯାଇଛି ଯେ, ତିନିବର୍ଷ ତଳର ଫାଇଲ ଆଉ ଖୋଲାଯିବ ନାହିଁ । ଦେଶରେ ପେଟ୍ରୋଲ ଡିଜେଲ ଦର ସବୁ ଦିନ ବଢ଼ୁଥିବାବେଳେ ଏହି ବଜେଟ୍‍ ମାଧ୍ୟମରେ ବିଭିନ୍ନ ଦ୍ରବ୍ୟ ଉପରେ ଟିକସ ବସିଥିବାରୁ ସେସବୁ ଆହୁରି ମହଙ୍ଗା ହେବ । ଏହା ସହ ଖାଦ୍ୟ, ସାର, ଗ୍ରାମୀଣ ନିଯୁକ୍ତି ଯୋଜନା ଓ ରନ୍ଧନ ଗ୍ୟାସ ଉପରେ ସବ୍‍ସିଡ ବାବଦ ବ୍ୟୟବରାଦ ୩୦ ରୁ ୬୦ ପ୍ରତିଶତ କମାଇ ଦିଆଯାଇଛି ।
ଅତଏବ୍‍ ଏହି ବଜେଟ୍‍ ସମ୍ପୂର୍ଣ୍ଣ ଭାବରେ ଦେଶୀ ବିଦେଶୀ କର୍ପୋରେଟ୍‍ ମାନଙ୍କ ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ । ଦେଶର ସାଧାରଣ ମଣିଷକୁ ଦୁର୍ଦ୍ଦଶା ମଧ୍ୟକୁ ଅତି ଦ୍ରୁତ ଠେଲି ଦେବାର ସମସ୍ତ ପରିକଳ୍ପନା ଏହି ବଜେଟ୍‍ ମାଧ୍ୟମରେ କରାଯାଇଛି । ଅର୍ଥାତ୍‍ ଏହା ହେଉଛି ପୁଞ୍ଜିପତିଙ୍କ ସ୍ୱାର୍ଥରେ ସମର୍ପିତ ବଜେଟ୍‍ ।

Leave a Reply

Your email address will not be published. Required fields are marked *