ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ

କଟକ ତା ୩୦.୦୩.୨୦୨୧- ଆସନ୍ତା ଏପ୍ରିଲ୍ ୪ ତାରିଖ ଠାରୁ ପ୍ରତି ୟୁନିଟ୍ ପିଛା ବିଦ୍ୟୁତ୍ ଶୁଳ୍କ ୩୦ ପଇସା ଲେଖାଏଁ ବୃଦ୍ଧି କରିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ତଥା ବିଦ୍ୟୁତ୍ ସେବାର ଘରୋଇକରଣ ବନ୍ଦ କରିବା ଦାବିରେ ଆଜି ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ରାଣୀହାଟ ଠାରେ ଥିବା ଟାଟା ପାଓା୍ୱର ସେଂଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୋସାଲିଷ୍ଟ ୟୁନିଟି ସେଂଟର ଅଫ୍ ଇଣ୍ଡିଆ, କଟକ ଜିଲ୍ଲା କମିଟି ସଂପାଦକ କମ୍ରେଡ ବିଶ୍ୱାବସୁ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ  ଖଗେଶ୍ୱର ସେଠୀ,  ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ସସ୍ମିତା ମହାନ୍ତି, ଭାଗ୍ୟରବି ଦାସ, ବିନୋଦ ସେଠୀ, ସିପ୍ରା ମହାନ୍ତି, ଶୋଭାରାଣୀ ଦେହୁରୀ, ଇଶା ଧର, ଶୁଭସ୍ମିତା ସାହୁ, ଅମରେନ୍ଦ୍ର ନାୟକ, ଜ୍ୟୋତ୍ସାରାଣୀ ଦାସ, ଝରଣା ଦାସ ଓ ସରୋଜ ମାନସିଂହ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ବକ୍ତାମାନେ କହିଥିଲେ ଯେ, ଆସନ୍ତା ଏପ୍ରିଲ୍ ୪ ତାରିଖ ଠାରୁ ପ୍ରତି ୟୁନିଟ୍ ପିଛା ବିଦ୍ୟୁତ୍ ଶୁଳ୍କ ୩୦ ପଇସା ଲେଖାଏଁ ବୃଦ୍ଧି ଘଟିବ ବୋଲି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଘୋଷଣା କରିଛି । ଏହା ଦ୍ୱାରା ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍  ପିଛା ୨.୭୦ଟଙ୍କାରୁ ୩ଟଙ୍କା, ୫୧ ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍  ପିଛା ୪.୫୦ଟଙ୍କାରୁ ୪.୮୦ ଟଙ୍କା, ୨୦୧ ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍  ପିଛା ୫.୫୦ଟଙ୍କାରୁ ୫.୮୦ଟଙ୍କା ଏବଂ ୪୦୦ରୁ ଊର୍ଦ୍ଧ୍ୱ ୟୁନିଟ୍ ପାଇଁ ୟୁନିଟ୍ ପିଛା ୫.୯୦ଟଙ୍କାରୁ ୬.୨୦ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଫଳରେ ରାଜ୍ୟର ଜନସାଧାରଣ ତୀବ୍ର ଆର୍ଥିକ ଶୋଷଣର ଶୀକାର ହେବା ସହ ଘରୋଇ କମ୍ପାନୀ ଲାଭ ଲୁଟିବେ । ବିଦ୍ୟୁତ୍ ସେବାର ଘରୋଇକରଣର ଅବଶ୍ୟମ୍ଭାବୀ ପରିଣତିରେ ଏହି ଦୁର୍ଦ୍ଦଶା ହୋଇଛି । ଉଲ୍ଲେଖଯୋଗ୍ୟ ଯେ,  କରୋନା ମହାମାରୀ ଯୋଗୁଁ ଅପ୍ରତ୍ୟାଶିତ ଲକ୍‌ଡାଉନ୍ ଫଳରେ ଜନସାଧାରଣଙ୍କର ଆର୍ôଥକ ମେରୁଦଣ୍ଡ ଭାଙ୍ଗି ପଡିଛି । ବହୁ ଲୋକ ନିଜର କର୍ମ ସଂସ୍ଥାନ ହରାଇ ରୋଜଗାର ଶୂନ୍ୟ ହୋଇଛନ୍ତି । ଅନ୍ୟପଟେ ପେଟ୍ରୋଲ୍‌-ଡିଜେଲ ଓ ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମଧ୍ୟ ଆକାଶ ଛୁଆଁ ଦରଦାମ ବୃଦ୍ଧି ଘଟି ଚାଲିଛି । ଏହିଭଳି ଏକ ଅଭାବନୀୟ ପରିସ୍ଥିତିରେ ନିଜର ଜୀବନ ବୀବିକା ରକ୍ଷା କରିବା ପାଇଁ ସଂଘର୍ଷରତ ଜନସାଧାରଣ ତ୍ରାହିତ୍ରାହି କରୁଥିବା ବେଳେ ଏହି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଜନସାଧାରଣଙ୍କ ପାଇଁ ବେଡି ଉପରେ କରୋଡା ମାଡ ସଦୃଶ ହୋଇଛି ।

ଏଣୁ ରାଜ୍ୟର ଜନସାଧାରଣ ସରକାରଙ୍କ ଏହି ଚରମ ଜନମାରଣ ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ହୋଇ ଶକ୍ତିଶାଳୀ ଗଣଆନ୍ଦୋଳନ ସଂଗଠିତ କରିବା ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *