ଜନସାଧାରଣଙ୍କ ଅସଲ ଶତ୍ରୁକୁ ଚିହ୍ନେଇ ଦେଇଛି ଦିଲ୍ଲୀଠାରେ ଚାଲିଥିବା ନଜିର ବିହୀନ କୃଷକ ଆନ୍ଦୋଳନ

     Sarbaharakranti January 2021 - ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକ ଆନ୍ଦୋଳନକୁ ଇତିମଧ୍ୟରେ ଦୁଇମାସ ପୁରିବାକୁ ଯାଉଛି । ଉତ୍ତର ଭାରତରେ ଶୀତର ପ୍ରକୋପ ବୃଦ୍ଧି ପାଇବା ସହିତ ତାଳଦେଇ ଆନ୍ଦୋଳନକାରୀ କୃଷକମାନଙ୍କର ମନୋବଳ ବଢ଼ିଚାଲିଛି । ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ଏବଂ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ସରକାର ଯେତେ ଚେଷ୍ଟା କରୁଛନ୍ତି ଆନ୍ଦୋଳନ ସେତେବେଶୀ ବ୍ୟାପକ ଓ ଶକ୍ତିଶାଳୀ ହେଉଛି । ଏହା ବିଭିନ୍ନ ରାଜ୍ୟକୁ ବ୍ୟାପୀ ଯାଇଛି ଏବଂ ସର୍ବଭାରତୀୟ ରୂପ ଧାରଣ କରିଛି । କିଛିଦିନ ପୂର୍ବରୁ ଉତ୍ତରାଖଣ୍ଡର କୃଷକମାନେ ପୁଲିସ୍‍ ବ୍ୟାରିକେଡ଼୍‍ ଭାଙ୍ଗି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦୀର୍ଘପଥ ଅତିକ୍ରମ କରି ମହାରାଷ୍ଟ୍ରର କୃଷକ ଦିଲ୍ଲୀ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ରାଜସ୍ଥାନର କୃଷକ ମଧ୍ୟ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ପଞ୍ଜାବ ଓ ହରିଆନାରେ ବିଜେପି ନେତା ଓ ମନ୍ତ୍ରୀ, ଏପରିକି ହରିୟାଣା ମୁଖ୍ୟମନ୍ତ୍ରୀ କୃଷକମାନଙ୍କର ଅବରୋଧର ଶୀକାର ହୋଇଛନ୍ତି । ସରକାର ସେହି ପୁରୁଣା ପ୍ରସ୍ତାବକୁ ବୁଲେଇ ବଙ୍କେଇ ଆନ୍ଦୋଳନକାରୀମାନଙ୍କ ସାମ୍‍ନାରେ ବାରମ୍ବାର ଉପସ୍ଥାପନ କରୁଛନ୍ତି ଏବଂ ଆନ୍ଦୋଳନକାରୀମାନେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ଇତି ମଧ୍ୟରେ ୧୧ ଥର ଆଲୋଚନା ବିଫଳ ହେଲାଣି । କୃଷକ ମାନଙ୍କର ଏକମାତ୍ର ଦାବି - ତିନୋଟି କଳା କୃଷି ଆଇନ୍‍ର ସମ୍ପୂର୍ଣ୍ଣ ପ୍ରତ୍ୟାହାର । ଆନ୍ଦୋଳନକାରୀମାନେ ଆଜି ବି ତାଙ୍କ ଦାବିରେ ଅଟଳ । ଅଲ୍‍ ଇଣ୍ଡିଆ କିଷାନ କ୍ଷେତମଜଦୁର ସଙ୍ଗଠନ ଦିଲ୍ଲୀଠାରେ ଚାଲିଥିବା ଆନ୍ଦୋଳନରେ ସାମିଲ ହେବା ସଙ୍ଗେ ସଙ୍ଗେ ସମଗ୍ର ଦେଶରେ ଆନ୍ଦୋଳନକୁ ପରିବ୍ୟାପ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରୁଛି । ଅନ୍ୟ ଦିଗରେ ବିଜେପି ସରକାରର ନଗ୍ନ କର୍ପୋରେଟ୍‍ ସ୍ୱାର୍ଥରକ୍ଷାକାରୀ ଚରିତ୍ର ଦେଶର ଜନସାଧାରଣଙ୍କ ସମ୍ମୁଖରେ ଆହୁରି ସ୍ପଷ୍ଟ ହୋଇଛି । ଏହି ପରିସ୍ଥିତିରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷି ଆଇନ୍‍ର ବିଭିନ୍ନ ଜନବିରୋଧି ଦିଗ ପ୍ରଶ୍ନ-ଉତ୍ତର ମାଧ୍ୟମରେ ଏଠାରେ ତୋଳି ଧରାଯାଇଛି ।
ପ୍ରଶ୍ନ- ୨୦୨୦ ମସିହା ନଭେମ୍ବର ୨୬ ତାରିଖରୁ ଦିଲ୍ଲୀଠାରେ ଦେଖିବାକୁ ମିଳୁଥିବା କୃଷକ ଆନ୍ଦୋଳନ ନଜିରବିହୀନ । ଲକ୍ଷ ଲକ୍ଷ କୃଷକ ପ୍ରବଳ ଶୀତକୁ ଭ୍ରୁକ୍ଷେପ ନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଇତିମଧ୍ୟରେ ଶତାଧିକ ଆନ୍ଦୋଳନକାରୀ ଶହୀଦ୍‍ର ମୃତ୍ୟୁବରଣ କରିଛନ୍ତି । ଏହି ଆନ୍ଦୋଳନ କ’ଣ କେବଳ ମାତ୍ର କୃଷକ ମାନଙ୍କର ଆନ୍ଦୋଳନ? ଏହି ଆନ୍ଦୋଳନକୁ କ’ଣ ଦେଶର ସାଧାରଣ ମଣିଷର ଗଣ ଆନ୍ଦୋଳନ ଭାବରେ ବିଚାର କରାଯାଇ ପାରିବ?
ଉତ୍ତର- ଏକଥା ଠିକ୍‍ ଯେ ଏହି ଆନ୍ଦୋଳନକୁ କୃଷକମାନେ ହିଁ ଆରମ୍ଭ କରିଛନ୍ତି । ସେହି ଅର୍ଥରେ ଏହା କୃଷକ ଆନ୍ଦୋଳନ । କୃଷକ ଆନ୍ଦୋଳନର ଚରିତ୍ର ନେଇ ହିଁ ଏହି ଆନ୍ଦୋଳନ ଗଢ଼ିଉଠିଛି । କିନ୍ତୁ ଯେତେଦିନ ଯାଉଛି କେନ୍ଦ୍ର ବିଜେପି ସରକାରର ଜିଦ୍‍ଖୋର ମନୋଭାବ ଯୋଗୁ ଏହି ଆନ୍ଦୋଳନର ତୀବ୍ରତା ବଢ଼ୁଛି ଏବଂ କେବଳ ମାତ୍ର ଦିଲ୍ଲୀର ରାଜପଥ ନୁହେଁ, ସମଗ୍ର ଦେଶରେ ଏହି ଆନ୍ଦୋଳନ ବ୍ୟାପୀ ଯାଇଛି । ଶହ ଶହ କୃଷକ ସଙ୍ଗଠନ ମାନଙ୍କର ମିଳିତ ମଞ୍ଚ, ସଂଯୁକ୍ତ କିଷାନ ମୋର୍ଚ୍ଚାରେ ସାମିଲ କୃଷକ ସଙ୍ଗଠନ ଗୁଡ଼ିକ ବିଭିନ୍ନ ରାଜ୍ୟରେ ବିକ୍ଷୋଭ, ଧାରଣା, ଅନଶନ, କୃଷକ ମଞ୍ଚ ଭଳି ନାନା ଧରଣର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଅଲ୍‍ ଇଣ୍ଡିଆ କିଷାନ୍‍ କ୍ଷେତମଜଦୁର ସଙ୍ଗଠନ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରୁଛି । କୃଷି ଆଇନ୍‍ ବାତିଲ କରିବା ଦାବିରେ କୃଷକ ସଙ୍ଗଠନମାନଙ୍କ ଡାକରାରେ ଗ୍ରାମୀଣ ଭାରତ ବନ୍ଦ, ଦୁଇଥର ସର୍ବଭାରତୀୟ ଧର୍ମଘଟ ସଫଳ ହୋଇଛି । କୋଟି କୋଟି ସାଧାରଣ ଲୋକ ଏହି ବନ୍ଦ ଓ ଧର୍ମଘଟରେ ସାମିଲ ହୋଇଛନ୍ତି । ଦେଶର ଶ୍ରମିକ ଓ କର୍ମଚାରୀମାନେ ଏହି ଆନ୍ଦୋଳନ ପ୍ରତି ସକ୍ରିୟ ସମର୍ଥନ ଜ୍ଞାପନ କରିଛନ୍ତି । ଛାତ୍ର, ଯୁବକ ଓ ମହିଳାମାନେ ମଧ୍ୟ ଏହି ଆନ୍ଦୋଳନର ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି । ଅଭିନେତା, ଗାୟକ, କ୍ରିକେଟ୍‍ ଖେଳାଳିଙ୍କ ସମେତ୍‍ ସମାଜର ସମସ୍ତ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଏହି ଆନ୍ଦୋଳନକୁ ଖୋଲାଖୋଲି ଭାବରେ ସମର୍ଥନ କରୁଛନ୍ତି । ବହୁ ପୁରସ୍କାରପ୍ରାପ୍ତ ବ୍ୟକ୍ତି ପଦକ ଫେରାଇ ଦେଇଛନ୍ତି । ସୁତରାଂ, ଏହି ଆନ୍ଦୋଳନକୁ ବର୍ତ୍ତମାନ ପରିପ୍ରେକ୍ଷୀରେ କେବଳମାତ୍ର କୃଷକ ଆନ୍ଦୋଳନ ଭାବରେ ଚିତ୍ରଣ କରିବା ଅର୍ଥ ଆନ୍ଦୋଳନର ଗୁରୁତ୍ୱ ହ୍ରାସ କରିବା ପାଇଁ ଉଦ୍ୟମ କରିବା । କୃଷକ ହେଉଛି ଅନ୍ନଦାତା । ଅନ୍ନଦାତା ଆଜି ବିପନ୍ନ । ଏହା ଉପଲବ୍ଧି କରି ସମାଜର ଅନ୍ୟାନ୍ୟ ସ୍ତରର ଜନସାଧାରଣ ଆନ୍ଦୋଳନରେ ସାମିଲ ହୋଇଛନ୍ତି । କାନ୍ଧକୁ କାନ୍ଧ ମିଶାଇ ଲଢ଼େଇ କରୁଛନ୍ତି । ଆନ୍ଦୋଳନକାରୀମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି, ବଞ୍ଚିବାର ଅବଲମ୍ବନ ଯୋଗାଇ ଦେଉଛନ୍ତି । ଚିକିତ୍ସକମାନେ ସ୍ୱେଚ୍ଛାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ସୁତରାଂ, ଏହା ହେଉଛି ସର୍ବସାଧାରଣଙ୍କର ଆନ୍ଦୋଳନ, ଗଣ ଆନ୍ଦୋଳନ । ଆକ୍ଷରିକ ଅର୍ଥରେ ହିଁ ଗଣଆନ୍ଦୋଳନ ।
ପ୍ରଶ୍ନ- କିଛି ଲୋକ ପ୍ରଚାର କରୁଛନ୍ତି ଯେ ଏହି ଆନ୍ଦୋଳନ ହେଉଛି ଧନୀ ଚାଷୀମାନଙ୍କର ଆନ୍ଦୋଳନ । ଆହୁରି ମଧ୍ୟ ପ୍ରଚାର ଚାଲିଛି ଯେ କେବଳ ମାତ୍ର ପଞ୍ଜାବ ଓ ହରିଆନାର ଚାଷୀମାନେ ହିଁ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏ ସମ୍ପର୍କରେ ବାସ୍ତବତା କ’ଣ?
ଉତ୍ତର- ସରକାର ଓ ସରକାରଙ୍କର ସମର୍ଥକମାନେ ଅସତ୍‍ ଉଦ୍ଦେଶ୍ୟରେ ଏହିଧରଣର ପ୍ରଚାର ଚଳାଇଛନ୍ତି । ବାସ୍ତବରେ ଅବସ୍ଥାପନ୍ନ କୃଷକ, ମଧ୍ୟମ ଧରଣର କୃଷକ ଓ ଛୋଟ କୃଷକ, ଭାଗଚାଷୀ, ନାମମାତ୍ର ଚାଷୀ, ଏପରିକି କ୍ଷେତମଜଦୁର ସମସ୍ତେ ହିଁ ଏହି କୃଷି ନୀତିକୁ ନେଇ ଉଦ୍‍ବିଘ୍ନ । ସମସ୍ତେ ହିଁ କର୍ପୋରେଟ୍‍ ମାନଙ୍କର ଆକ୍ରମଣର ସମ୍ମୁଖୀନ । ସୁତରାଂ, ନିଜର ଅସ୍ତିତ୍ୱ ରକ୍ଷା ପାଇଁ ହିଁ କୃଷି ସହିତ ଯୁକ୍ତ ସମସ୍ତେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏକଥା ଠିକ୍‍ ଯେ ପ୍ରାରମ୍ଭିକ ସମୟରେ ପଞ୍ଜାବ ଓ ହରିଆନାର କୃଷକମାନେ ବ୍ୟାପକ ସଂଖ୍ୟାରେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ମାତ୍ର ବର୍ତ୍ତମାନ ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତାମିଲନାଡ଼ୁ ପ୍ରଭୃତି ରାଜ୍ୟର କୃଷକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅନ୍ୟଦିଗରେ ଦେଶର ସମସ୍ତ ରାଜ୍ୟର କୃଷକ ନିଜ ନିଜ ରାଜ୍ୟରେ ଏହି କଳା କୃଷି ଆଇନ୍‍ ପ୍ରତ୍ୟାହାର ଦାବିରେ ଲଗାତର ଆନ୍ଦୋଳନ ଚଳାଇଛନ୍ତି । ସୁତରାଂ, ଆନ୍ଦୋଳନ ସର୍ବଭାରତୀୟ ରୂପ ନେଇଛି ଏବଂ ସମସ୍ତ ସ୍ତରର ସାଧାରଣ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
ପ୍ରଶ୍ନ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି କୃଷିନୀତି ‘ଯୁଗାନ୍ତକାରୀ’ ଓ ‘ଐତିହାସିକ’ । ତାଙ୍କର ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‍କି ବାତ୍‍’ରେ ସେ କହିଛନ୍ତି ଯେ ଏହି ଆଇନ୍‍ ଫଳରେ କୃଷକମାନଙ୍କ ଦୀର୍ଘଦିନର ଶୃଙ୍ଖଳ ମୋଚନ ହୋଇଛି । ଏହା କ’ଣ ସତ?
ଉତ୍ତର- ବାସ୍ତବରେ ଏହି କୃଷିନୀତି ଯୁଗାନ୍ତରକାରୀ! ମାତ୍ର ତାହା କୃଷକମାନଙ୍କ ସ୍ୱାର୍ଥରେ ଯୁଗାନ୍ତକାରୀ ନୁହେଁ । ଅମ୍ବାନୀ, ଆଦାନୀ ଭଳି କର୍ପୋରେଟ୍‍ ମାଲିକମାନଙ୍କ ସ୍ୱାର୍ଥରକ୍ଷା ଦିଗରୁ ବିଚାର କଲେ ନିଶ୍ଚିତ ଯୁଗାନ୍ତକାରୀ ।
ବର୍ତ୍ତମାନ ଦେଖାଯାଉ ବାସ୍ତବରେ କୃଷକମାନେ କେଉଁଠି ଶୃଙ୍ଖଳରେ ପଡ଼ିଛନ୍ତି ଏବଂ ସେହି ଶୃଙ୍ଖଳଟି କ’ଣ? ବାସ୍ତବରେ କୃଷକ କର୍ପୋରେଟ୍‍ ମାନଙ୍କ ପାଖରେ ବନ୍ଧା ପଡ଼ିଛି । ଯେଉଁ ବିହନ, ସାର, ପୋକମରା ଔଷଧ ଓ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷୀ ଚାଷକରେ ସେସବୁ ମଧ୍ୟରୁ କୌଣସି ଗୋଟିଏ ଉପରେ ଚାଷୀର ନିୟନ୍ତ୍ରଣ ନାହିଁ । ବଡ଼ ବଡ଼ କର୍ପୋରେଟ୍‍ ମାନେ ହିଁ ସେସବୁର ଦର ଓ ଯୋଗାଣ ନିୟନ୍ତ୍ରଣ କରନ୍ତି । କର୍ପୋରେଟ୍‍ ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦାମ୍‍ରେ ଚାଷୀ ଏସବୁ କିଣିବାକୁ ବାଧ୍ୟ । ପୁଣି ଫସଲ ବିକ୍ରି ସମୟରେ କର୍ପୋରେଟ୍‍ମାନେ ଯେଉଁ ନ୍ୟୁନତମ ଦାମ୍‍ ଦେବେ ସେହି ଦାମରେ ହିଁ କୃଷକକୁ ଫସଲ ବିକ୍ରି କରିବାକୁ ହେବ । ନିଜ ଫସଲର ଦାମ୍‍ ସ୍ଥିର କରିବାର ଅଧିକାର କୃଷକର ନାହିଁ । ସରକାରୀ ଉଦ୍ୟୋଗରେ କୃଷିଜାତ ଦ୍ରବ୍ୟ ଖରିଦ୍‍ କରିବା ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ବ୍ୟବସାୟୀ ବା ସେମାନଙ୍କର ଏଜେଣ୍ଟମାନେ କୃଷକମାନଙ୍କୁ ଏହିଭଳି ଶୋଷଣ କରିଚାଲିଛନ୍ତି । ନୂତନ କୃଷି ଆଇନ୍‍ ଅନୁଯାୟୀ ସରକାରୀ ଉଦ୍ୟୋଗରେ ଫସଲ ଖରିଦ୍‍ ବ୍ୟବସ୍ଥା ଆହୁରି ଦୁର୍ବଳ ହେବ । ପର୍ଯ୍ୟାୟକ୍ରମେ ସ୍ୱଭାବିକ ପ୍ରକ୍ରିୟାରେ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ବ୍ୟବସ୍ଥା ଉଚ୍ଛେଦ ହୋଇଯିବ । ଫଳରେ ଶୃଙ୍ଖଳ ମୋଚନ କରିବା ପରିବର୍ତ୍ତେ କୃଷକମାନେ କର୍ପୋରେଟ୍‍ମାନଙ୍କର ଶୋଷଣର ଶୃଙ୍ଖଳରେ ଆହୁରି ଶକ୍ତଭାବରେ ବନ୍ଧା ପଡ଼ିବେ । ଫଳରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ଅସତ୍ୟ ।
ପ୍ରଶ୍ନ- ପ୍ରଥମ କୃଷି ଆଇନ୍‍ଟି ମୁକ୍ତ ବାଣିଜ୍ୟ ସମ୍ପର୍କିତ । ଏହି ଆଇନ୍‍ରେ ଚାଷୀକୁ ମଣ୍ଡି ବାହାରେ ମଧ୍ୟ କୃଷିପଣ୍ୟ ବିକ୍ରି କରିବାର ଅଧିକାର ବା ସ୍ୱାଧିନତା ଦିଆଯାଇଛି । ଏହାଫଳରେ କର୍ପୋରେଟ୍‍ମାନେ ସିଧାସଳଖ କୃଷକମାନଙ୍କ ପାଖରୁ ଖରିଦ୍‍ କରିପାରିବେ । ମଝିରେ କେହି ମଧ୍ୟସ୍ଥି ବା ଦଲାଲ ରହିବେ ନାହିଁ । ଏହାଫଳରେ କୃଷକମାନେ 

ଫସଲର ଲାଭଦାୟକ ଦାମ ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା କ’ଣ ସତ୍ୟ?
ଉତ୍ତର- ପ୍ରଧାନମନ୍ତ୍ରୀଙ୍କର ଏହି ବକ୍ତବ୍ୟ ସହିତ ବାସ୍ତବତାର କୌଣସି ସମ୍ପର୍କ ନାହିଁ । ବର୍ତ୍ତମାନ ମଧ୍ୟ ମଣ୍ଡିରେ ଏବଂ ମଣ୍ଡି ବାହାରେ ଫସଲ କିଣାବିକାର ବ୍ୟବସ୍ଥା ରହିଛି । ବାସ୍ତବରେ ଦେଶର ଶତକଡ଼ା ୮୫ ଭାଗ ଫସଲ ମଣ୍ଡି ବାହାରେ ହିଁ ବିକ୍ରି ହୁଏ । ସୁତରାଂ, ନୂଆ ଆଇନ୍‍ରେ ପ୍ରକୃତରେ କିଛି ନୂଆ ବ୍ୟବସ୍ଥା ନାହିଁ । ଆହୁରି ମଧ୍ୟ ଯେଉଁ ସମସ୍ତ ରାଜ୍ୟରେ ମଣ୍ଡି ନାହିଁ ସେଠାରେ କ’ଣ ଚାଷୀମାନେ ସେମାନଙ୍କ ଫସଲର ଉପଯୁକ୍ତ ଦାମ ପାଉଛନ୍ତି? ବଡ଼ ବଡ଼ ବ୍ୟବସାୟୀ ଓ ସେମାନଙ୍କର ଏଜେଣ୍ଟମାନେ ପରସ୍ପର ମଧ୍ୟରେ ବୁଝାମଣା କରି ଫସଲର ଦାମ କମାଇ ଦେଉଛନ୍ତି । ମଣ୍ଡି ରହିଲେ ସେଠାରେ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ଦର ମିଳିବାର ସୁଯୋଗ ଥାଏ । ନୂଆ କୃଷି ଆଇନ୍‍ରେ ସରକାରୀ ମଣ୍ଡି ବାହାରେ ଫସଲ ବିକ୍ରିକୁ ବୈଧ କରାଯାଇଛି ବୋଲି ଦାବି କରାଯାଉଛି, ମାତ୍ର ଏହା ପୂର୍ବରୁ ହିଁ ବୈଧ ଥିଲା । ନୂଆ ଆଇନ୍‍ରେ ଘରୋଇ କମ୍ପାନୀ ମାନଙ୍କୁ ନିଜର ମଣ୍ଡି ଖୋଲିବାର ସୁଯୋଗ ଦିଆଯାଇଛି । ଘରୋଇ ମଣ୍ଡିରେ କୃଷି ପଣ୍ୟ ବ୍ୟବସାୟ କରୁଥିବା ବଡ଼ ବଡ଼ ଏକଚାଟିଆ ପୁଞ୍ଜିପତିମାନେ ଫସଲ ଖରିଦ୍‍ କରିବେ । ମାତ୍ର ଏହି ବ୍ୟବସାୟୀମାନେ ଚାଷୀମାନଙ୍କୁ ଲାଭଦାୟକ ଦର ଦେବା ଦୂରର କଥା ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ଦର ଦେବାକୁ ବାଧ୍ୟ ନୁହଁନ୍ତି । ଏଥିପାଇଁ ନୂଆ ଆଇନ୍‍ରେ କୌଣସି ବ୍ୟବସ୍ଥା ନାହିଁ ।
ପୂର୍ବରୁ ଉଲ୍ଲେଖ କରାଯାଇଛି । ମଣ୍ଡି ବାହାରେ ହିଁ ବର୍ତ୍ତମାନ ମୂଳତଃ ଫସଲ ବିକ୍ରି ହେଉଛି । ସୁତରାଂ, ମଣ୍ଡି ବାହାରେ ଫସଲ ବିକ୍ରି କରିବାର ଅଧିକାର ଦେଇ ସରକାର ଚାଷୀଙ୍କୁ ଶୃଙ୍ଖଳ ମୁକ୍ତ କରିଦେଲେ ବୋଲି ଚାଲିଥିବା ସରକାରୀ ପ୍ରଚାର ଗଭୀର ଷଡଯନ୍ତ୍ରମୂଳକ । ଏହି ଦାବି କୃଷକମାନେ କେବେହେଲେ ଉତ୍ଥାପନ କରି ନାହାନ୍ତି ।
ବରଂ କୃଷକ ମାନଙ୍କର ଦାବି ହେଉଛି ସରକାର ସିଧାସଳଖ ଚାଷୀମାନଙ୍କଠାରୁ ଲାଭଜନକ ଦରରେ ଫସଲ କିଣନ୍ତୁ । କାରଣ ଚାଷୀ ଦଶଂଧି ଦଂଶଧି ଧରି ବ୍ୟବସାୟୀ ଓ ସେମାନଙ୍କ ଏଜେଣ୍ଟ ମାନଙ୍କ ଦ୍ୱାରା ପ୍ରତାରିତ ଓ ଶୋଷିତ ହେଉଛନ୍ତି । ମଣ୍ଡି ବାହାରେ ମନଇଚ୍ଛା ଦରରେ ଯେ କୌଣସି ପରିମାଣର ଫସଲ କିଣିବା ଓ ଫସଲକୁ ଯେକୌଣସି ପରିମାଣରେ ମହଯୁଦ କରିବା ଏବଂ ଦେଶର ଯେକୌଣସି ସ୍ଥାନରେ ମନଇଚ୍ଛା ଦରରେ ବିକ୍ରି କରିବାର ସୁଯୋଗ କର୍ପୋରେଟ୍‍ ମାନେ ଦାବି କରୁଥିଲେ, ଚାଷୀ ନୁହେଁ । ବର୍ତ୍ତମାନ ସରକାର କର୍ପୋରେଟ୍‍ ମାନଙ୍କର ଏହି ଦାବି ପୂରଣ କରିଛନ୍ତି । ତୀବ୍ର ବଜାର ସଙ୍କଟରେ ଜର୍ଜରିତ କର୍ପୋରେଟ୍‍ ହାଉସ୍‍ମାନେ ଦୀର୍ଘଦିନ ଧରି ଖାଦ୍ୟପଣ୍ୟ ବ୍ୟବସାୟରେ ପ୍ରବେଶ କରିବାର ସୁଯୋଗ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଆସୁଥିଲେ । ଏଥିପାଇଁ ଅସୁବିଧା ସୃଷ୍ଟି କରୁଥିବା ପୁରୁଣା ଆଇନ୍‍ ବାତିଲ କରି ନୂଆ ଆଇନ୍‍ ପ୍ରଣୟନ ପାଇଁ ଦାବି କରୁଥିଲେ । ସେମାନଙ୍କ ସ୍ୱାର୍ଥରେ ହିଁ ସରକାର ବର୍ତ୍ତମାନର ଆଇନ୍‍ଗୁଡ଼ିକ ପ୍ରଣୟନ କରିଛନ୍ତି ।
କୃଷିପଣ୍ୟ କାରବାର କର୍ପୋରେଟ୍‍ ମାନଙ୍କ ହାତକୁ ଚାଲିଗଲେ ଦୁଇ ପ୍ରକାର ବିପଦ ସୃଷ୍ଟି ହେବ । ପ୍ରଥମତଃ, କର୍ପୋରେଟ୍‍ ମାନେ ସର୍ବୋଚ୍ଚ ମୁନାଫା ଅର୍ଜନ ପାଇଁ ବିଭିନ୍ନ ଉପାୟରେ ଚାଷୀଠାରୁ କମ୍‍ ଦାମରେ ଫସଲ ଖରିଦ୍‍ କରିବେ । ଦ୍ୱିତୀୟତଃ, ଖାଦ୍ୟପଣ୍ୟ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ଇଚ୍ଛାମୁତାବକ ଦରବୃଦ୍ଧି କରିବେ । ଏହାଫଳରେ କେବଳ ଚାଷୀ ନୁହଁନ୍ତି, ସାଧାରଣ କ୍ରେତା ହାହାକାରମୟ ପରିସ୍ଥିତିରେ ସମ୍ମୁଖୀନ ହେବେ । ସାଧାରଣ ଲୋକଙ୍କର ଖାଦ୍ୟନିରାପତ୍ତା ବିଘ୍ନିତ ହେବ ।
ପ୍ରଶ୍ନ- ଦ୍ୱିତୀୟ କୃଷି ଆଇନ୍‍ଟି କୃଷିପଣ୍ୟର ମହଜୁଦ୍‍ ସମ୍ପର୍କିତ । ଏହି ଆଇନ୍‍ରେ କୃଷିପଣ୍ୟ ମହଜୁଦ୍‍ର ଊର୍ଦ୍ଧ୍ୱସୀମା ହଟାଇ ଦିଆଯାଇଛି । ଚାଉଳ, ଗହମ, ତୈଳବୀଜ, ଆଳୁ, ପିଆଜ ଇତ୍ୟାଦିକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‍ ଦିଆଯାଇଛି । ଏହାଫଳରେ ମହଜୁଦଖୋରୀ ବୃଦ୍ଧିପାଇବ । ତେବେ ଏହି ଆଇନ୍‍ଟି ସମ୍ପର୍କରେ ବେଶୀ ଆଲୋଚନା ହେଉ ନାହିଁ । କୃଷିନୀତିର ସପକ୍ଷବାଦୀମାନେ ଏହି ଆଇନ୍‍ଟି ବିଷୟରେ ପ୍ରାୟ ନିରବ । ଏହାର କାରଣ କ’ଣ?
ଉତ୍ତର- ଏହି ଆଇନ୍‍ଟି ଉପରେ ବାସ୍ତବରେ ବେଶୀ ଚର୍ଚ୍ଚା ହେଉ ନାହିଁ । କାରଣ ମହଜୁଦକାରୀ, କଳାବଜାରୀ ଓ ମୁନାଫାଖୋର ମାନେ ଲୋକଚକ୍ଷୁରେ ଘୃଣିତ । ତାସତ୍ତ୍ୱେ ମଧ୍ୟ କେହି କେହି କର୍ପୋରେଟ୍‍ ଭକ୍ତ କହୁଛନ୍ତି ଯେ କେବଳ ମହଜୁଦ ପାଇଁ ସୁଯୋଗ ଥିଲେ ହିଁ କ’ଣ ମନଇଚ୍ଛା ମହଜୁଦ ହେବ? ପ୍ରଶ୍ନ ହେଉଛି ଯଦି ମନଇଚ୍ଛା ମହଜୁଦ ହେବ ନାହିଁ ତା’ହେଲେ ମନଇଚ୍ଛା ମହଜୁଦ୍‍କୁ ଆଇନ୍‍ସିଦ୍ଧ କାହିଁକି କରାଗଲା? ମହଯୁଦର ଊର୍ଦ୍ଧ୍ୱସୀମା କାହିଁକି ଉଠାଇ ଦିଆଗଲା? ଆଇନ୍‍ ପ୍ରଣୟନ ହେବା ପୂର୍ବରୁ ମଧ୍ୟ ଆଦାନୀ ଭଳି ଦୈତ୍ୟକାୟ କର୍ପୋରେଟ୍‍ ହାଉସ୍‍ମାନେ କାହିଁକି ଲକ୍ଷ ଲକ୍ଷ ମେଟ୍ରିକ୍‍ଟନ୍‍ ଖାଦ୍ୟଶସ୍ୟ ମହଯୁଦ କରିପାରିବା ଭଳି ବିଶାଳକାୟ ଗୋଦାମଘର ନିର୍ମାଣ କରି ମହଯୁଦ କରିବାର ବ୍ୟବସ୍ଥା କରିଛନ୍ତି? ବଡ଼ ବଡ଼ ପୁଞ୍ଜିପତିମାନେ ମହଯୁଦଖୋରୀର ଫାଇଦା ଉଠାଇବେ । ସେମାନେ ପଣ୍ୟ ମହଯୁଦ କରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଜିନିଷପତ୍ରର ଦରବୃଦ୍ଧି କରିବେ । ଏହି ମହଯୁଦଖୋରୀ ଯୋଗୁ ହିଁ ବର୍ତ୍ତମାନ ଖାଉଟି ସାମଗ୍ରୀର ଦର ହୁ ହୁ ହୋଇ ବଢ଼ି ଚାଲିଛି । ଏହିଭଳି ଭାବରେ ସେମାନେ ସାଧାରଣ ଖାଉଟି ମାନଙ୍କର ପକେଟ୍‍ କାଟୁଛନ୍ତି । ଏହି ଆଇନ୍‍କୁ କ’ଣ ସାଧାରଣ ଲୋକ ଗ୍ରହଣ କରିାପରିବେ?
ପ୍ରଶ୍ନ- ବର୍ତ୍ତମାନ ମଧ୍ୟ ଦେଶର ବହୁ ପଣ୍ୟଦ୍ରବ୍ୟର ବଜାର କର୍ପୋରେଟ୍‍ ମାନଙ୍କ ନିୟନ୍ତ୍ରଣରେ ରହିଛି । ଏହାଫଳରେ କ’ଣ ସାଧାରଣ ଲୋକଙ୍କର ବିରାଟ କିଛି କିଛି ଅସୁବିଧା ହେଉଛି?
ଉତ୍ତର- ପ୍ରଥମ କଥା ହେଉଛି କର୍ପୋରେଟ୍‍ ନିୟନ୍ତ୍ରିତ ପ୍ରତ୍ୟେକ ଜିନିଷର ଦାମ ବର୍ତ୍ତମାନ ଲଗାମଛଡ଼ା ଭାବରେ ବଢ଼ୁଛି । ଦ୍ୱିତୀୟତଃ, ଖାଦ୍ୟ ସହିତ ଅନ୍ୟାନ୍ୟ ପଣ୍ୟଦ୍ରବ୍ୟର ମୌଳିକ ପାର୍ଥକ୍ୟ ରହିଛି । ଖାଦ୍ୟ ନ ହେଲେ ବଞ୍ଚି ହେବ ନାହିଁ, କିନ୍ତୁ ଅନ୍ୟାନ୍ୟ ସାମଗ୍ରୀ ଠିକ୍‍ ସେହି ଧରଣର ନୁହେଁ । ଖାଦ୍ୟର ନିୟନ୍ତ୍ରଣ ମୁନାଫାଖୋର ମାନଙ୍କ ହାତରେ ଛାଡ଼ିଦେଲେ ସେମାନେ ମୁନାଫାଲୁଟ ପାଇଁ ମନଇଚ୍ଛା ଦରବୃଦ୍ଧି କରିବେ ଏବଂ ସାଧାରଣ ଲୋକ ନିଜର ସର୍ବସ୍ୱ ବିକ୍ରିକରି ତା’ କିଣିବାକୁ ବାଧ୍ୟ ହେବେ । ଭୋକିଲା ଲୋକଙ୍କ ସଂଖ୍ୟା ବଢ଼ିବ । ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହେବ । ମାତ୍ର ଯେଉଁମାନେ କର୍ପୋରେଟ୍‍ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଓକିଲାତି କରନ୍ତି ସେମାନେ ଅନ୍ୟ ପଣ୍ୟଭଳି ଖାଦ୍ୟପଣ୍ୟ ବଜାରକୁ ମୁକ୍ତ କରିଦେବା ପାଇଁ ଦାବି କରୁଛନ୍ତି । କାରଣ ଖାଦ୍ୟ ବଜାରର ଏକ ପ୍ରକାର ଆପେକ୍ଷିକ ସ୍ଥାୟିତ୍ୱ ରହିଛି । ବଜାର ସଙ୍କଟ ଯୋଗୁ ତୀବ୍ର ମାନ୍ଦାବସ୍ଥାରେ ପଡ଼ିଥିବା ପୁଞ୍ଜିପତିମାନେ ବଜାରର ସ୍ଥାୟିତ୍ୱର ସନ୍ଧାନରେ ଅଛନ୍ତି । ସେଥିପାଇଁ ସେମାନେ ଖାଦ୍ୟ ବ୍ୟବସାୟରେ ପ୍ରବେଶ କରିବାକୁ ଚାହାଁନ୍ତି । ମାତ୍ର ଦେଶର ସାଧାରଣ ଲୋକଙ୍କ ପାଇଁ ଏହାର ପରିଣାମ ଭୟାବହ ହେବ । ସୁତରାଂ, ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଚାର କଲେ ଖାଦ୍ୟପଣ୍ୟ କାରବାର ସମ୍ପୂର୍ଣ୍ଣ ରାଷ୍ଟ୍ରାୟତ୍ତ ହେବା ଆବଶ୍ୟକ । ଏହାବ୍ୟତୀତ ଖାଦ୍ୟପଣ୍ୟ ବ୍ୟବସାୟରେ କର୍ପୋରେଟ୍‍ ଅନୁପ୍ରବେଶ ଘଟିଲେ ଦେଶର ଲକ୍ଷ ଲକ୍ଷ ଖୁଚୁରା ବ୍ୟବସାୟୀ ବିପନ୍ନ ହେବେ । ଫଳରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବ ।
ପ୍ରଶ୍ନ- ବହୁ ଲୋକ ମତ ଦେଉଛନ୍ତି ଯେ ବଜାର ଉପରେ କର୍ପୋରେଟ୍‍ ମାନଙ୍କର ନିୟନ୍ତ୍ରଣ ପ୍ରତିଷ୍ଠା ହେଲେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଫଳରେ ବଜାର ଦର ହ୍ରାସ ହେବାର ସୁଯୋଗ ରହିବ ।
ଉତ୍ତର- ଏହି ଧାରଣା ସମ୍ପୂର୍ଣ୍ଣ ଭ୍ରାନ୍ତ । ସମସ୍ତେ ଜାଣନ୍ତି ଯେ ଦେଶର ଔଷଧ ବଜାର କର୍ପୋରେଟ୍‍ମାନଙ୍କ ନିୟନ୍ତ୍ରଣରେ ରହିଛି । ଏହାଫଳରେ କ’ଣ ପ୍ରତିଯୋଗିତା ଯୋଗୁ ଔଷଧର ଦାମ କମୁଛି? ବରଂ ଔଷଧ, ଏପରିକି ଜୀବନରକ୍ଷାକାରୀ ଔଷଧର ଦର କ୍ରମାଗତ ବଢ଼ିଚାଲିଛି । ବାସ୍ତବରେ କର୍ପୋରେଟ୍‍ ହାଉସ୍‍ମାନେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରିବା ପରିବର୍ତ୍ତେ ପରସ୍ପର ସହିତ ହାତ ମିଳାଇ, ନିଜ ନିଜ ମଧ୍ୟରେ ବୁଝାମଣା କରି ପଣ୍ୟର ଦର ବୃଦ୍ଧି କରନ୍ତି । ଏମାନେ ହିଁ ଚାଷୀମାନଙ୍କ ଠାରୁ ଫସଲ ଖରିଦ୍‍ କରିବା ସମୟରେ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରି ଦାମ ବଢ଼ାଇବା ପରିବର୍ତ୍ତେ ପରସ୍ପର ମଧ୍ୟରେ ବୁଝାମଣା କରି ଦର କମାଇ ଦିଅନ୍ତି । ଏହା ହିଁ ସେମାନେ କରୁଛନ୍ତି, କରିଆସୁଛନ୍ତି । ତା’ ନହେଲେ କିଛିଦିନ ପୂର୍ବରୁ ବଜାରରେ ପିଆଜ କିଲୋପିଛା ୮୦ ରୁ ୧୦୦ ଟଙ୍କା ଦରରେ ବିକ୍ରି ହେଉଥିଲାବେଳେ ସେହି ପିଆଜକୁ ଚାଷୀ କିଲୋପିଛା ୭-୮ ଟଙ୍କା ଦରରେ ବ୍ୟବସାୟୀ ମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉ ନ ଥାନ୍ତେ । ପ୍ରତିଯୋଗିତା ଫଳରେ ଜିନିଷର ଦାମ କମେ- ଏହା ପୁଞ୍ଜିବାଦୀର ଅର୍ଥନୀତିର ଗୋଟିଏ ପ୍ରତ୍ୟାଖ୍ୟାତ ଏବଂ ଅତିସରଳୀକୃତ ତତ୍ତ୍ୱ । କୃଷକମାନେ ବାରବାର ପ୍ରତାରିତ ହୋଇ ଏହି ତତ୍ତ୍ୱର ଅନ୍ତଃସାରଶୂନ୍ୟତାକୁ ଅତି ସହଜରେ ବୁଝିପାରିଛନ୍ତି । ସେଥିପାଇଁ ଆଜି କୃଷକ ଆନ୍ଦୋଳନ ରାସ୍ତାରେ ।
ପ୍ରଶ୍ନ- ତୃତୀୟ କୃଷି ଆଇନ୍‍ଟି ଚୁକ୍ତିଚାଷ ସମ୍ପର୍କିତ । ଏହି ଆଇନ୍‍ ଅନୁଯାୟୀ କର୍ପୋରେଟ୍‍ମାନେ ଫସଲ କିଣିବା ପାଇଁ ଚାଷୀ ସହିତ ଚୁକ୍ତିବଦ୍ଧ ହେବେ । ଏହା କୃଷକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସରକାର ଦାବି କରୁଛନ୍ତି । କାରଣ ଚାଷୀ ଚୁକ୍ତି ଅନୁଯାୟୀ ଦାମ୍‍ ପାଇବ । ଦଲାଲ ମାନଙ୍କ ଦ୍ୱାରା ପ୍ରତାରିତ ହେବାର କୌଣସି ସମ୍ଭାବନା ନାହିଁ । ତା’ହେଲେ ଏହି ଆଇନ୍‍କୁ ଚାଷୀମାନେ କାହିଁକି ବିରୋଧ କରୁଛନ୍ତି?
ଉତ୍ତର- ଚୁକ୍ତିଚାଷ ବ୍ୟବସ୍ଥାକୁ ବିରୋଧ କରାଯିବାର ବହୁ କାରଣ ରହିଛି । ପ୍ରଥମତଃ, ଚାଷୀକୁ କର୍ପୋରେଟ୍‍ ମାନଙ୍କର ଚାହିଦା ମୁତାବକ ଫସଲ ଉତ୍ପାଦନ କରିବାକୁ ହେବ । ଅର୍ଥାତ୍‍ କର୍ପୋରେଟ୍‍ମାନେ ଯେଉଁ ଫସଲ ଚାହିଁବେ ଚାଷୀକୁ ସେହି ଫସଲ ହିଁ ଚାଷ କରିବାକୁ ହେବ । ଅର୍ଥାତ୍‍ ଏ କ୍ଷେତ୍ରରେ କୃଷକର ସ୍ୱାଧୀନତା ରହିବ ନାହିଁ । ଦ୍ୱିତୀୟତଃ, ଚୁକ୍ତି ଚାଷ ଫଳରେ କୃଷକ ଅଧିକ ଦାମ ପାଇବ, ଏ କଥା ମଧ୍ୟ ଠିକ୍‍ ନୁହେଁ । କର୍ପୋରେଟ୍‍ମାନେ ବଜାର ଦରଠାରୁ ଅଧିକ ଦର କୃଷକକୁ କାହିଁକି ଦେବେ? ବାସ୍ତବରେ ଚୁକ୍ତି ହୁଏ ବଜାର ଦରଠାରୁ କମ୍‍ ଦାମରେ । ପୁଣି ଚୁକ୍ତି ଅନୁଯାୟୀ ଯେଉଁ ଦରରେ କୃଷକ ଫସଲ ବିକ୍ରି କରିବ, ବଜାର ଦର ଯଦି ତା’ଠାରୁ ଅଧିକ ହୁଏ ତା’ହେଲେ କ୍ଷତି ସହିବ । ତୃତୀୟତଃ, ଚୁକ୍ତି ହେବ ଫସଲର ବିଶେଷ ମାନକୁ ଆଧାରକରି । ସେହି ନିର୍ଦ୍ଦିଷ୍ଟ ମାନର ଫସଲ ଯଦି ନ ଫଳେ? ବିଭିନ୍ନ ପ୍ରାକୃତିକ ବା ଅଜଣା କାରଣରୁ ଯଦି ସେହି ମାନର ଫସଲ ନ ଫଳେ? ତା’ହେଲେ କର୍ପୋରେଟ୍‍ମାନେ ସେହି ଫସଲ ଆଦୌ କିଣି ନ ପାରନ୍ତି ବା ଅତ୍ୟନ୍ତ ଅଳ୍ପ ମୂଲ୍ୟରେ କିଣିପାରନ୍ତି । ଏହି ପରିସ୍ଥିତିରେ ଚାଷୀ ଚୁକ୍ତିଭଙ୍ଗକାରୀ ବୋଲି ଘୋଷିତ ହୋଇପାରେ । ଚୁକ୍ତି ଅନୁଯାୟୀ ଫସଲ ନ ମିଳିବା ଫଳରେ କର୍ପୋରେଟ୍‍ମାନେ ଯଦି ଚାଷୀଠାରୁ କ୍ଷତିପୂରଣ ଦାବି କରନ୍ତି ତା’ହେଲେ କୃଷକ ଏହି କ୍ଷତିପୂରଣ ପଇଠ କରିବାପାଇଁ ଟଙ୍କା କେଉଁଠୁ ଆଣିବ? ସୁତରାଂ, ବିଭିନ୍ନ ଆଳ ଦେଖାଇ ଚୁକ୍ତିଭଙ୍ଗର ଅଭିଯୋଗ ଆଣି କର୍ପୋରେଟ୍‍ ହାଉସ୍‍ମାନେ କୃଷକଙ୍କୁ ବିପଦରେ ପକାଇବାର ବିପଦ ରହିଛି । ଚତୁର୍ଥତଃ, ଫସଲର ଗୁଣମାନ ସମ୍ପର୍କିତ ବିବାଦ ସମାଧାନ ପାଇଁ ଆଇନ୍‍ରେ ଯେଉଁ ବ୍ୟବସ୍ଥା ରହିଛି ସେହି ବ୍ୟବସ୍ଥାରେ ସାଧାରଣ ଚାଷୀ ପ୍ରବଳ ଶକ୍ତିଶାଳୀ କର୍ପୋରେଟ୍‍ ମାନଙ୍କ ବିରୁଦ୍ଧରେ ଲଢ଼େଇ କରି ନ୍ୟାୟ ପାଇ ପାରିବ କି? ସୁତରାଂ, ଚୁକ୍ତିଚାଷ ହେଉଛି କୃଷକକୁ ଫାନ୍ଦରେ ପକାଇବା ପାଇଁ ଏକ ମାରାତ୍ମକ କୌଶଳ ।
ପ୍ରଶ୍ନ- ଏହି ତିନିଟି କୃଷି ଆଇନ୍‍ ପାଶ୍‍ ହେବାପରେ ନୀତି ଆୟୋଗର ବରିଷ୍ଠ କର୍ମକର୍ତ୍ତା ଅମିତାଭ କାନ୍ତ ଉଲ୍ଲସିତ ହୋଇ କହିଥିଲେ ଯେ ବିଗତ ଶତାବ୍ଦୀର ନବେଦଶକରେ ଆର୍ଥିକ ସଂସ୍କାର ଏତେ ବର୍ଷପରେ କୃଷିକ୍ଷେତ୍ରରେ ଲାଗୁ ହେଲା । ନବେଦଶକର ଆର୍ଥିକ ସଂସ୍କରର ଆଭିମୁଖ୍ୟ କ’ଣ ଥିଲା? ତା’ସହିତ ବର୍ତ୍ତମାନର କୃଷି ସଂସ୍କାରର ସମ୍ପର୍କ କ’ଣ?
ଉତ୍ତର- ସଂକ୍ଷେପରେ ନବେଦଶକର ଆର୍ଥିକ ସଂସ୍କାରକୁ ଏଲପିଜି କୁହାଯାଏ । ଏଲ୍‍ପିଜି ହେଉଛି ଲିବରାଲାଇଜେସନ୍‍, ପ୍ରାଇଭେଟାଇଜେସନ୍‍ ଓ ଗ୍ଲୋବାଲାଇଜେସନ୍‍ । ଏହାର ମୂଳ କଥା ହେଉଛି କର୍ପୋରେଟ୍‍ ମାନଙ୍କ ପାଇଁ ସବୁକିଛି ଖୋଲିଦିଅ, ରାଷ୍ଟ୍ରାୟତ୍ତ ସମସ୍ତ ସମ୍ପତ୍ତି ସେମାନଙ୍କ ହାତରେ ଟେକିଦିଅ ଏବଂ ବିଶ୍ୱ ପୁଞ୍ଜିପାଇଁ ଦେଶର ବଜାର ଉନ୍ମୁକ୍ତ କରିଦିଅ । ସେହି ସମୟର ଅର୍ଥମନ୍ତ୍ରୀ ଓ ପରବର୍ତ୍ତୀ ସମୟର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଘୋଷିତ ଏହି ତଥାକଥିତ ସଂସ୍କାରର ଲକ୍ଷ୍ୟ ଥିଲା ମାନ୍ଦାଦ୍ୱାରା ଆକ୍ରାନ୍ତ ପୁଞ୍ଜିବାଦୀ ବ୍ୟବସ୍ଥାକୁ କିଛିଟା ଚାଙ୍ଗା କରିବା । ସେତେବେଳେ ମଧ୍ୟ କିଛି ଲୋକ ବିଭ୍ରାନ୍ତ ହୋଇ ଏହି ସଂସ୍କାରର ସମର୍ଥନ କରିଥିଲେ । ମାତ୍ର ଶେଷ ପର୍ଯ୍ୟନ୍ତ ଏହି ବହୁପ୍ରଚାରିତ ସଂସ୍କାରର ପରିଣାମ କ’ଣ ହେଲା? ୨୦୧୬ ମସିହାରେ ଦେଶର ସଂସ୍କାର ପ୍ରକ୍ରିୟା ଆରମ୍ଭ ହେବାର ୨୬ ବର୍ଷ ପରେ ବିଶ୍ୱବ୍ୟାପୀ କରାଯାଇଥିବା ବିଭିନ୍ନ ସମୀକ୍ଷା ଦର୍ଶାଇଲା ଯେ ଜଗତୀକରଣ ବ୍ୟର୍ଥ ହୋଇଛି । ଜଗତୀକରଣ ଫଳରେ ପୁଞ୍ଜବାଦୀ ବଜାରରେ କୌଣସି ପ୍ରକାର ସ୍ଥାୟିତ୍ୱ ଆସିଲା ନାହିଁ । ବରଂ ବଜାର ସଙ୍କଟ ତୀବ୍ର ହେଲା । କାହିଁକି ଆସିଲା ନାହିଁ? କାରଣ ପୁଞ୍ଜିବାଦୀ ଅର୍ଥନୀତି ଅର୍ନ୍ତନିହିତ କାରଣରୁ ପ୍ରତିମୁହୂର୍ତ୍ତରେ ମାନ୍ଦାବସ୍ଥାକୁ ଜନ୍ମ ଦେଇ ଚାଲିଛି । ବର୍ତ୍ତମାନ ପୁଞ୍ଜିପତିମାନେ ବିନିଯୋଗ କରିବାପାଇଁ ନୂଆ କ୍ଷେତ୍ର ଭାବରେ କୃଷିକ୍ଷେତ୍ର ଉପରେ ନଜର ପକାଇଛନ୍ତି । ଏମାନଙ୍କ ସ୍ୱାର୍ଥ ରକ୍ଷା କରିବାପାଇଁ ହିଁ କେନ୍ଦ୍ର ସରକାର କୃଷିପଣ୍ୟର ବଜାରକୁ ପୁଞ୍ଜିପତି ମାନଙ୍କ ପାଇଁ ଖୋଲି ଦେଇଛନ୍ତି ।
ପ୍ରଶ୍ନ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି ଯେ, ଅତ୍ୟନ୍ତ ପ୍ରୟୋଜନୀୟ ଏହି ଆଇନ୍‍ ଗୁଡ଼ିକୁ ପୂର୍ବତନ କଂଗ୍ରେସ ସରକାର ପ୍ରଣୟନ କରିବାକୁ ଚାହିଁଥିଲା କିନ୍ତୁ ଆଣିପାରି ନ ଥିଲା । ଏହା କ’ଣ ସତ୍ୟ?
ଉତ୍ତର- ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଠିକ୍‍ କହିଛନ୍ତି । କର୍ପୋରେଟ୍‍ ମାନଙ୍କର ଅନ୍ୟତମ ବିଶ୍ୱସ୍ଥ ସେବକ ଭାବରେ କଂଗ୍ରେସ ସରକାର ମଧ୍ୟ ଶ୍ରମ ଆଇନ୍‍, କୃଷି ଆଇନ୍‍ ‘ସଂସ୍କାର’ କରିବାକୁ ଉଦ୍ୟମ କରିଥିଲା । ମାତ୍ର ବିଭିନ୍ନ ରାଜନୈତିକ କାରଣରୁ କରିପାରି ନ ଥିଲା । ସଂସଦରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତାର ସୁଯୋଗରେ ବିଜେପି ବର୍ତ୍ତମାନ ଏହା କରିଛି । ବର୍ତ୍ତମାନ କଂଗ୍ରେସ ଦଳ ଭୋଟ୍‍ ରାଜନୀତିର ଅଙ୍କକଷି ଏହି ଆଇନ୍‍ ବିରୁଦ୍ଧରେ ବିବୃତ୍ତି ଦେଉଛି । ତେବେ ଯେଉଁ କଂଗ୍ରେସ ୧୯୯୦ ଦଶକରେ ଆର୍ଥିକ ସଂସ୍କାରର ଉଦ୍‍ଗାତା, ଯେଉଁ କଂଗ୍ରେସ ଅତୀତରେ କୃଷି ଆଇନ୍‍ ସଂଶୋଧନ କରିବାକୁ ଉଦ୍ୟମ କରିଥିଲା, ସେହି କଂଗ୍ରେସ କ’ଣ କେବେହେଲେ ଆନ୍ଦୋଳନର ଶକ୍ତି ହୋଇପାରେ? ଦୁର୍ଭାଗ୍ୟ ହେଉଛି କଂଗ୍ରେସ ଏହି କୃଷି ଆଇନ୍‍ ବିରୋଧୀ ଆନ୍ଦୋଳନର ଶକ୍ତି ବୋଲି ନିଜକୁ ବାମପନ୍ଥୀ ବୋଲି ଦାବି କରୁଥିବା କେତେକ ଦଳ ମନେ କରୁଛନ୍ତି । କଂଗ୍ରେସ କ’ଣ କୃଷିନୀତି ବିରୁଦ୍ଧରେ ଲଢ଼େଇ କରୁଛି? ସିପିଆଇ(ଏମ୍‍) ଓ ସିପିଆଇ କ’ଣ ସେମାନଙ୍କର ସମସ୍ତ ଶକ୍ତିଦେଇ ଆନ୍ଦୋଳନ ପରିଚାଳନା କରୁଛନ୍ତି? ଭୋଟ୍‍ପାଇଁ ଯେତିକି ଆନ୍ଦୋଳନ ଦରକାର ସେତିକି ମାତ୍ର ।
ପ୍ରଶ୍ନ- ଶାସକ ଶିବିର ପକ୍ଷରୁ ଏହି ଆନ୍ଦୋଳନ କେତେବେଳେ ଖଲିସ୍ଥାନୀ, କେତେବେଳେ ପାକିସ୍ଥାନୀ ବା ଆଉ କେତେବେଳେ ନକ୍ସଲପନ୍ଥୀ ମାନଙ୍କ ନିୟନ୍ତ୍ରଣରେ ରହିଛି ବୋଲି ପ୍ରଚାର କରାଯାଉଛି । ଏହି ଧରଣର ପ୍ରଚାର ପଛରେ ସେମାନଙ୍କର ଉଦ୍ଦେଶ୍ୟ କ’ଣ?
ଉତ୍ତର- ଜନସ୍ୱାର୍ଥକୁ କେନ୍ଦ୍ରକରି ଗଢ଼ିଉଠିଥିବା ଆନ୍ଦୋଳନକୁ ଏହିଭଳି ଭାବରେ ଚିତ୍ରଣକରି ତା’ର ଗୁରୁତ୍ୱକୁ ଲଘୁ କରିଦେବାପାଇଁ ଏହା ହେଉଛି ଶାସକ ଶ୍ରେଣୀର ଷଡଯନ୍ତ୍ର । ପାଠକମାନଙ୍କର ସ୍ମରଣ ଥିବ ଯେ ନନ୍ଦୀଗ୍ରାମ ଆନ୍ଦୋଳନକୁ ମଧ୍ୟ ତତ୍‍କାଳୀନ ସିପିଆଇ(ଏମ୍‍) ସରକାର ମାଓବାଦୀ ମାନଙ୍କ ଆନ୍ଦୋଳନ ଭାବରେ ଚିତ୍ରଣ କରିବାକୁ ଉଦ୍ୟମ କରିଥିଲା । ତା’ଛଡ଼ା ୨୦୧୪ ମସିହା ପରେ ଯେ କୌଣସି ସରକାର ବିରୋଧି ଆନ୍ଦୋଳନକୁ ବିଜେପି ଦଳର ନେତା, ମନ୍ତ୍ରୀ, ଏପରିକି ସ୍ୱୟଂ ପ୍ରଧାନମନ୍ତ୍ରୀ ଦେଶଦ୍ରୋହୀ ବୋଲି କହି ଆସୁଛନ୍ତି । ଜାତୀୟ ପତାକା ହାତରେ ଧରି ଯେଉଁ କୃଷକମାନେ ଦୀର୍ଘ ଦେଢ଼ ମାସରୁ ଅଧିକ ସମୟ ଧରି ଶାନ୍ତିପୂର୍ଣ୍ଣ ଭାବରେ ଦିଲ୍ଲୀ ଉପକଣ୍ଠରେ ଆନ୍ଦୋଳନ ଚଳାଇଛନ୍ତି ସେମାନେ ଦେଶଦ୍ରୋହୀ? ତେବେ ଦେଶକୁ ଯଦି ଅମ୍ବାନୀ-ଆଦାନୀଙ୍କର ବୋଲି ଧରିନିଆଯାଏ ତା’ହେଲେ ସେମାନଙ୍କ ସ୍ୱାର୍ଥରେ ପ୍ରଣୀତ ଆଇନ୍‍ର ବିରୋଧିତା କରିବା ନିଶ୍ଚିତ ଭାବରେ ଦେଶଦ୍ରୋହୀ କାମ!
ପ୍ରଶ୍ନ- ପୁଞ୍ଜିପତିମାନେ ଏହି କୃଷି ଆଇନ୍‍ର ସପକ୍ଷରେ ଥିଲାବେଳେ ଦେଶର ଜନସାଧାରଣ ଏହାର ବିରୁଦ୍ଧରେ, ତା’ହେଲେ ଆଇନ୍‍ ଆଖିରେ ସମସ୍ତେ ସମାନ – ଏହି ପ୍ରଚାରର ଭିତ୍ତି କ’ଣ?
ଉତ୍ତର- ଆମ ଦେଶରେ ଆଇନ୍‍ ଅଖିରେ ସମସ୍ତେ ସମାନ – ଏହି ଭ୍ରାନ୍ତ ପ୍ରଚାରକୁ ବର୍ତ୍ତମାନର କୃଷକ ଆନ୍ଦୋଳନ ମିଥ୍ୟା ପ୍ରମାଣିତ କରିଛି । କେବଳ କୃଷି ଆଇନ୍‍ ନୁହେଁ, ୪୪ଟି ଶିଳ୍ପ ଆଇନ୍‍କୁ ଉଚ୍ଛେଦ କରି ପ୍ରବର୍ତ୍ତନ କରାଯାଇଥିବା ୪ଟି ଶ୍ରମ କୋର୍ଡ଼ ବିରୁଦ୍ଧରେ ଶ୍ରମିକ ଆନ୍ଦୋଳନ କରୁଛନ୍ତି । ମାତ୍ର ଏହାକୁ ମାଲିକମାନେ ସ୍ୱାଗତ କରୁଛନ୍ତି । କାରଣ ମାଲିକମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଏହି କୋର୍ଡ଼ ପ୍ରଚଳନ କରାଯାଇଛି ଓ ପୁରୁଣା ଆଇନ୍‍ ଗୁଡ଼ିକ ଉଚ୍ଛେଦ କରାଯାଇଛି । ଆଇନ୍‍ ସମସ୍ତଙ୍କ ପାଇଁ ସମାନ – ବାସ୍ତବରେ ଏହା ଏକ ମିଥ୍ୟା ପ୍ରଚାର । ପୁଞ୍ଜିବାଦୀ ସମାଜରେ ଆଇନ୍‍ ସମସ୍ତଙ୍କ ପାଇଁ ସମାନ କଥାଟା ବହିରେ ରହିଥିଲେ ମଧ୍ୟ ବାସ୍ତବରେ ଆଇନ୍‍ ମାଲିକ ଶ୍ରେଣୀର ସ୍ୱାର୍ଥରକ୍ଷା ପାଇଁ ହିଁ ପ୍ରଣୟନ କରାଯାଏ । ଯେଉଁସବୁ ଆଇନ୍‍ରେ ଚାଷୀ, ଶ୍ରମିକ ଓ ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷାର ସାମାନ୍ୟତମ ବ୍ୟବସ୍ଥା ରହିଛି ସେସବୁକୁ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରାଯାଉଛି । ଏହି ଆଇନ୍‍ଗୁଡ଼ିକୁ ପରିବର୍ତ୍ତନ କରି ସମଗ୍ର ବ୍ୟବସ୍ଥା ଉପରେ କର୍ପୋରେଟ୍‍ ମାନଙ୍କର ଏକଚାଟିଆ ଅଧିକାର ପ୍ରତିଷ୍ଠା କରାଯାଉଛି । ଏହା ହେଉଛି ଫାସିବାଦର ଅନ୍ୟତମ ଚାରିତ୍ରିକ ବୈଶିଷ୍ଟ୍ୟ ।
ପ୍ରଶ୍ନ- ରାଜନୀତି ବିଜ୍ଞାନ ବହିରେ ଲିଖିତ ଅଛି ସରକାର ହେଉଛି- ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ ଓ ଲୋକଙ୍କର । ଦିଲ୍ଲୀର କୃଷକ ଆନ୍ଦୋଳନର ପରିପ୍ରେକ୍ଷୀରେ ଏହି ଧାରଣା କେତେ ପ୍ରାସଙ୍ଗିକ?
ଉତ୍ତର- ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ । ବାସ୍ତବରେ ସରକାର ହେଉଛି ଆଦାନୀ-ଅମ୍ବାନୀ ଦ୍ୱାରା, ଅମ୍ବାନୀ-ଆଦାନୀ ପାଇଁ ଓ ଅମ୍ବାନୀ-ଆଦାନୀମାନଙ୍କର । ସରକାର ହେଉଛି ଏକଚାଟିଆ ପୁଞ୍ଜିପତିମାନଙ୍କ ଦ୍ୱାରା, ଏକଚାଟିଆ ପୁଞ୍ଜିପତିମାନଙ୍କ ପାଇଁ ଓ ଏକଚାଟିଆ ପୁଞ୍ଜିପତିଙ୍କର । ସେଥିପାଇଁ ଏହିଭଳି ହାଡ଼ଭଙ୍ଗା ଶୀତରେ, ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟଧରି ଖୋଲା ଆକାଶ ତଳେ କୃଷକମାନେ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଚଳାଇଥିଲେ ମଧ୍ୟ କେନ୍ଦ୍ର ବିଜେପି ସରକାର କୃଷକ ମାନଙ୍କର କୌଣସି ଦାବି ପୁରଣ କରୁ ନାହାନ୍ତି । ଶ୍ରମିକ ମାନଙ୍କର ଦାବି ପୁରଣ କରୁ ନାହାନ୍ତି । ସାଧାରଣ ଲୋକଙ୍କର କୌଣସି ଦାବି ପୁରଣ କରୁ ନାହାନ୍ତି । କୃଷକ, ଶ୍ରମିକ ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଉପେକ୍ଷା କରି ପୁଞ୍ଜିପତିମାନଙ୍କର ସ୍ୱାର୍ଥ ରକ୍ଷା କରିବାପାଇଁ ଯାହା କରିବା ଆବଶ୍ୟକ ସରକାର ସେସବୁ ହିଁ କରୁଛନ୍ତି । ଏହାକୁ କ’ଣ କେବେହେଲେ କୃଷକ-ଶ୍ରମିକ ତଥା ସାଧାରଣ ଲୋକଙ୍କ ସରକାର କୁହାଯାଇ ପାରିବ? ବାସ୍ତବରେ ଦେଶରେ କର୍ପୋରେଟ୍‍ ମାନଙ୍କର ଶାସନ ଚାଲିଛି । ଏହି ବ୍ୟବସ୍ଥା ବଳବତ୍ତର ରହିଥିବା ପର୍ଯ୍ୟନ୍ତ କୃଷକ-ଶ୍ରମିକ ମାନଙ୍କ ସ୍ୱାର୍ଥ କେବେହେଲେ ସୁରକ୍ଷିତ ରହିପାରିବ ନାହିଁ । ସେଥିପାଇଁ କୃଷକ-ଶ୍ରମିକ ମାନଙ୍କର ଶାସନ ପ୍ରତିଷ୍ଠା କରିବାକୁ ହେବ । ଦିଲ୍ଲୀର ଐତିହାସିକ କୃଷକ ଆନ୍ଦୋଳନ ଏହି ସତ୍ୟଟିକୁ ହିଁ ତୋଳି ଧରିଛି ।

Leave a Reply

Your email address will not be published. Required fields are marked *