ଅତୁଟ ମନୋବଳ, ଅମିତ ତେଜ ନେଇ ଅପ୍ରତିରୋଧ ଗତିରେ ଆଗେଇ ଚାଲିଛି ଦିଲ୍ଲୀ ସୀମାନ୍ତର ଐତିହାସିକ କୃଷକ ଆନ୍ଦୋଳନ

ଦିଲ୍ଲୀର ସିଂଘୁ ସୀମାନ୍ତରେ ଆନ୍ଦୋଳନରତ କୃଷକମାନଙ୍କର ଅସ୍ଥାୟୀ ଶିବିରର ଦୃଶ୍ୟ

Sarbaharakranti January 2021 – ଦିଲ୍ଲୀ ସୀମାନ୍ତରେ ଲକ୍ଷ ଲକ୍ଷ ମେହନତୀ କୃଷକ ପ୍ରତିଦିନ ସୃଷ୍ଟି କରିଚାଲିଛନ୍ତି ଏକ ଗୌରବୋଜ୍ଜ୍ୱଳ ଐତିହାସିକ କୃଷକ ଆନ୍ଦୋଳନର ଇତିହାସ । ଭୟାନକ ଶୀତର ପ୍ରକୋପ ଯେତେ ବଢ଼ୁଛି, ଆନ୍ଦୋନର ଉତ୍ତାପ ବି ସେତେ ବଢ଼ୁଛି । ସମସ୍ତଙ୍କ କଣ୍ଠରୁ ସେହି ଗୋଟିଏ ବଜ୍ର ଧ୍ୱନି, ମୋଦି ସରକାର ତୁମେ ସର୍ବନାଶୀ ତିନୋଟି କୃଷି ଆଇନ୍‍ ଓ ବିଜୁଳି (ସଂଶୋଧନ) ବିଲ୍‍ ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କର । ମୋଦି ସରକାର, କିଛି ଭଡ଼ାଟିଆ ବୁଦ୍ଧିଜୀବୀ, ଗୋଦୀ ମିଡ଼ିଆ ଏହି ଆନ୍ଦୋଳନକୁ ବଦନାମ କରିବା ପାଇଁ ଯେତେ କୁତ୍ସା ଅପପ୍ରଚାର କଲେ ବି ଏହି ମହନୀୟ ଆନ୍ଦୋଳନ ଦିନକୁ ଦିନ ବ୍ୟାପକରୁ ବ୍ୟାପକତର ରୂପ ନେଉଛି । ପୋଲିସ୍‍ ମିଲିଟାରୀ ନିର୍ମମ ଦମନଲୀଳାର ଯେତେ ଭୟ ଦେଖାଇଲେ ବି ଆନ୍ଦୋଳନକାରୀ ମାନଙ୍କର ଅଦମ୍ୟ ସାହସ ଆହୁରି ଦୃଢ଼ ହେଉଛି । ମୋଦି ସରକାର ଆନ୍ଦୋଳନର ଐକ୍ୟକୁ ଭାଙ୍ଗିବା ପାଇଁ ଯେତେ ବିଭେଦକାମୀ ଘୃଣ୍ୟ ଅସ୍ତ୍ର ପ୍ରୟୋଗ କଲେ ବି ଆନ୍ଦୋଳନକାରୀମାନଙ୍କ ଅଦମ୍ୟ ମନୋବଳ ଓ ଲୌହଦୃଢ଼ ଐକ୍ୟ ସେତେ ଶକ୍ତିଶାଳୀ ହେଉଛି । ଏହି ଦୃଷ୍ଟାନ୍ତକାରୀ ଆନ୍ଦୋଳନ ଶୋଷିତ ନୀପଡ଼ିତ ମଣିଷ ମଧ୍ୟରେ ଗଭୀର ପ୍ରତ୍ୟାଶା ଓ ପ୍ରତ୍ୟୟ ସୃଷ୍ଟି କରିଛି । ଦେଶର ନିର୍ଯ୍ୟାତିତ କୃଷକ, ଶ୍ରମିକ, ଛାତ୍ର, ଯୁବକ, ମହିଳା, ସର୍ବସ୍ତରର ଶୋଷିତ ମଣିଷ, ଶୁଭବୁଦ୍ଧି ସମ୍ପନ୍ନ ଜନଗଣ ହୃଦୟ ଦେଇ ଏହି ଆନ୍ଦୋଳନରେ ଯୋଗ ଦେଇଛନ୍ତି । ନିଜର ଅକୁଣ୍ଠ ସମର୍ଥନ ଯୋଗାଇ ଦେଇଛନ୍ତି । ଦିଲ୍ଲୀ ହରିୟାଣାର ସିଂଘୁ, ଟିକ୍ରି ସୀମାନ୍ତରୁ ପ୍ରେରଣା ନେଇ ଆଗେଇ ଆସିଛନ୍ତି ପଡ଼ୋଶୀ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନର କୃଷକମାନେ । ଅନୁରୂପ ଆନ୍ଦୋଳନ ସଙ୍ଗଠିତ ହୋଇଛି ଦିଲ୍ଲୀ-ୟୁପି ସୀମାନ୍ତର ଗାଜିପୁରଠାରେ, ନଏଡ଼ାର ଚିଲୀ ସୀମାନ୍ତ, ଦିଲ୍ଲୀ-ରାଜସ୍ଥାନର ସାହାଜାନପୁର-ଖେଡ଼ା ସୀମାନ୍ତ । ଏହି ଆନ୍ଦୋଳନରେ ଆଜି ସାମିଲ ହୋଇଛନ୍ତି ସମଗ୍ର ଦେଶର କୃଷକ ଓ କ୍ଷେତମଜଦୁର । ବୋଧହୁଏ, ପ୍ରଥମଥର ପାଇଁ ସ୍ୱାଧୀନ ଭାରତରେ ଦେଶର ଶୋଷିତ କୃଷକ ସମ୍ପ୍ରଦାୟ ଏକ ଚରମ ପ୍ରତିକ୍ରିୟାଶୀଳ ଏକଛତ୍ରବାଦୀ ସରକାରକୁ ଖୋଲା ଆହ୍ୱାନ ଦେଇଛନ୍ତି – କିଛି ସଂଶୋଧନ ନୁହେଁ ଏହି ତିନୋଟି ସର୍ବନାଶୀ କଳା କୃଷି ଆଇନ୍‍କୁ ବାତିଲ କରିବାକୁ ହେବ । ପ୍ରସ୍ତାବିତ ବିଜୁଳି ବିଲ -୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ହେବ । ଆମେ ମରିବୁ ପଛେ ପଛକୁ ହଟିବୁ ନାହିଁ, ଦାବି ଆଦାୟ ନ କରି ଘରକୁ ଫେରିବୁ ନାହିଁ । ଦେଢ଼ ମାସରୁ ଅଧିକ ସମୟ ଧରି, ପ୍ରଚଣ୍ଡ ଶୀତ, ଝଡ଼ ବର୍ଷା ମଧ୍ୟରେ ଅଛୁ । ୬ ମାସ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ଆସିଛୁ । ଆମେ ଜାଣୁ ଉଦ୍ଧତ ସରକାର ତୁମେ ଏତେ ସହଜରେ ମଥାନତ କରିବ ନାହିଁ । ମାତ୍ର ଆଲୋଚନା ପରେ ଆଲୋଚନା କରି ତାରିଖ ଗଡ଼ାଇ ଗଡ଼ାଇ ଆମର ମନୋବଳକୁ ଦୁର୍ବଳ କରିପାରିବ ନାହିଁ । ବୋଧେ ଏଥର ମୋଦି ସରକାର ତାର ପ୍ରକୃତ ମୁନିବ ଆଦାନୀ-ଅମ୍ବାନୀ ଭଳି ପୁଞ୍ଜିପତିମାନେ ଶୋଷିତ ଜନସାଧାରଣର ଐକ୍ୟବଦ୍ଧ ଶକ୍ତିର ଟେର ପାଉଛନ୍ତି । ସେମାନେ ଯେମିତି ଏହି ଆନ୍ଦୋଳନ ମଧ୍ୟରେ ସେମାନଙ୍କର ମୃତ୍ୟୁଘଣ୍ଟି ଶୁଣିପାରୁଛନ୍ତି । କାରଣ ଏହି ଆନ୍ଦୋଳନର ଏକ ବ୍ୟତିକ୍ରମୀ ଦୃଷ୍ଟାନ୍ତ ହେଲା, କେବଳ ମୋଦି ଅମିତ ଶାହା ବା ମୋଦି ସରକାର ଏ ଆନ୍ଦୋଳନର ନିଶାନା ନୁହେଁ, ସିଧାସଳଖ ଅମ୍ବାନୀ, ଅଦାନୀ, କର୍ପୋରେଟ୍‍ ପୁଞ୍ଜିପତିମାନେ ଆଜି ଆନ୍ଦୋଳନର ନିଶାନା ହୋଇଛନ୍ତି । ଆନ୍ଦୋଳନର ଅଭିଜ୍ଞତାରୁ ସେମାନେ ବୁଝିପାରିଛନ୍ତି ଏ ସରକାରକୁ ପ୍ରକୃତରେ ଚଳାଉଛି କିଏ? ଶାସକ ସରକାରକୁ ରିମୋର୍ଟ କଣ୍ଟ୍ରୋଲ ଧରି ଚଳାଉଛି ଦେଶର ପ୍ରକୃତ ଶାସକ, ପୁଞ୍ଜିପତି ଶ୍ରେଣୀ, ତେଣୁ ଆଚମ୍ବିତ ଓ ଆତଙ୍କିତ ଶାସକ ଶ୍ରେଣୀ ପକ୍ଷରୁ ସମସ୍ତ ସୀମାନ୍ତରେ ହୋଇଛି ଏକ ଅଭୁତପୂର୍ବ ସମରସଜ୍ଜା । ରାଷ୍ଟ୍ରଶକ୍ତି ଓ ଶୋଷିତ ମଣିଷର ଐକ୍ୟବଦ୍ଧ ଶକ୍ତି ଆଜି ମୁହାଁମୁହିଁ ।
ପ୍ରକୃତିର ପ୍ରତିକୂଳତା, ରାଷ୍ଟ୍ରଶକ୍ତିର
ବର୍ବରତା ସବୁକିଛି ହାର ମାନିଛି
ଦିନ ଯେତେ ଯାଉଛି, ଆନ୍ଦୋଳନକାରୀ କୃଷକମାନଙ୍କର ଅଦମ୍ୟ ମନୋବଳ ସେତେ ବୃଦ୍ଧି ପାଉଛି, ସେମାନଙ୍କର ଲୌହଦୃଢ଼ ଐକ୍ୟ ସେତେ ସୁଦୃଢ଼ ହେଉଛି । ଅସହ୍ୟ ଶୀତରେ ଆନ୍ଦୋଳନ ଶିଥିଳ ହୋଇଯାଉନି, ବରଂ ଏହାର ଉତ୍ତାପ ଯେମିତି ବୃଦ୍ଧି ପାଇବାରେ ଲାଗିଛି । ପୁଣି ବେଳେବେଳେ ବର୍ଷା ପବନ ମାଡ଼ି ଆସୁଛି । ଆନ୍ଦୋଳନ ସ୍ଥଳରେ ପାଣିର ସୁଅ ଛୁଟୁଛି । ଟେଣ୍ଟ ଭାଙ୍ଗି ଚୁରମାର ହୋଇଯାଉଛି । ଗଦି କମ୍ବଳ ସବୁ ଭିଜି ଯାଉଛି । ଦେହ ଥରିଯାଉଛି । କିନ୍ତୁ ଆନ୍ଦୋଳନକାରୀ ମାନଙ୍କର ମନ ଥରିଯାଉନି । “ଏତେ ଥଣ୍ଡା, ବର୍ଷା, କୋହଲା ପବନକୁ ସହ୍ୟ କରି ଆଉ କେତେଦିନ ଏଠି ବସିରହି ଆନ୍ଦୋଳନ କରିବ? ସାମ୍ବାଦିକଙ୍କ ଏହି ପ୍ରଶ୍ନର ଜବାବରେ ଜଣେ ୮୦ ବର୍ଷର କୃଷକ ଗର୍ଜି ଉଠି କହିଛନ୍ତି, “ଜୀବ ଥିବା ଯାଏ, ଆମେ କୃଷକ, ବର୍ଷା ଶୀତ କାକର ସହି ଶସ୍ୟ ଫଳାଉ, ଦେଶବାସୀଙ୍କୁ ଖାଦ୍ୟ ଯୋଗାଉ । ବର୍ଷା ଶୀତକୁ ଡରି କେବେ ଚାଷ କ୍ଷେତରୁ ପଳାୟନ କରୁନା । ଆଜି ଡରି ଏ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବୁ?’ ଏ ଶାଣୀତ ସ୍ୱର ଲକ୍ଷ ଲକ୍ଷ ଆନ୍ଦୋଳନକାରୀଙ୍କ କଣ୍ଠରେ ଧ୍ୱନିତ ହେଉଛି । ପ୍ରତିଦିନ ଜୁଆର ଭଳି ଲୋକେ ଆନ୍ଦୋଳନ ସ୍ଥଳକୁ ମାଡ଼ି ଆସୁଛନ୍ତି । ମା ଆସୁଛି କୋଳରେ ସନ୍ତାନ ଧରି, ଛାତ୍ର ଛାତ୍ରମାନେ ଆସୁଛନ୍ତି ହାତରେ ପଢ଼ା ବହି ଧରି, ଏଠି କିଏ ବୃଦ୍ଧ, କିଏ ଯୁବକ ବାରି ହେଉ ନାହିଁ । ପଞ୍ଜାବ, ହରିୟାନାର ଅମ୍ବାଲା ସୀମାନ୍ତରେ ପୋଲିସର ନିର୍ମମ ଲାଠି ମାଡ଼ରେ ଗୋଟିଏ ହାତ ସମ୍ପୂର୍ଣ୍ଣ ଭାଙ୍ଗିଥିବା ୭୫ ବର୍ଷର ୟୋଗରାଜ ସିଂ ନିର୍ଭୀକ ଭାବେ କହିଛନ୍ତି, “ଏବେ ବି ଡାହାଣ ହାତ ଅଛି, ଏ ଶରୀରରେ ପ୍ରାଣ ବି ଅଛି । ସିଂଘୁ ସୀମାନ୍ତରୁ ହଟିବି ନାହିଁ ।’ ସିଂଘୁ ସୀମାନ୍ତର ମହିଳା ଆନ୍ଦୋଳନକାରୀ ଏକ ପ୍ରଶ୍ନର ଜବାବରେ କହିଛନ୍ତି, ‘ନାରୀ ଅବଳା ନୁହେଁ, ସେ ବୀରଙ୍ଗନା । ନିଜର ସନ୍ତାନକୁ ସାଙ୍ଗରେ ଆଣିଛି । ପ୍ରୟୋଜନ ହେଲେ ମୋର ସନ୍ତାନକୁ ଏ ଆନ୍ଦୋଳନରେ ଉତ୍ସର୍ଗ କରିବି ।’ ପଞ୍ଜାବ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ହରମପ୍ରୀତ କହିଛନ୍ତି, ‘ଏ ଆନ୍ଦୋଳନରେ ସାମିଲ ନ ହେବା ନିଜର ଅପମାନ, ନିଜର ମନୁଷ୍ୟତ୍ୱର ଅମର୍ଯ୍ୟାଦା । ଏହି ଆନ୍ଦୋଳନରେ ସାମିଲ ହୋଇ, ପୋଲିସର ବର୍ବର ନିର୍ଯ୍ୟାତନା, ପ୍ରତିକୂଳ ପ୍ରକୃତିର ଦାରୁଣ ଯାତନାକୁ ଆମେ ଆନନ୍ଦର ସହ ଗ୍ରହଣ କରିଛୁ । ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ।’ ତାଙ୍କ ସହିତ ଥିବା ଆଉ ଜଣେ ଯୁବକ କହିଲେ, ‘ଆଜି ପଞ୍ଜାବର ଘରେ ଘରେ ଗୋଟିଏ କଥା ଉଠିଛି, “ଯେଉଁ ଯୁବକ ନିଜର ଚାଷ ଜମିକୁ ଏ କମ୍ପାନୀ ରାକ୍ଷସ ହାତରୁ ରକ୍ଷା କରିବାର ସଂଗ୍ରାମରେ ସାମିଲ ହେଉ ନାହିଁ, ସେ ମୋର କନ୍ୟାର ସମ୍ମାନ କ’ଣ ରକ୍ଷା କରିବ? ସେଭଳି ଭୀରୁ ଯୁବକ ସହିତ ମୋର କନ୍ୟାର ବିବାହ ଦେବି ନାହିଁ ।”
ରାଷ୍ଟ୍ରଶକ୍ତିର ନିର୍ମମ ନିର୍ଯ୍ୟାତନା ଏମାନଙ୍କ ଅଫୁରନ୍ତ ଶକ୍ତି ଓ ଉତ୍ସାହକୁ ଯେମିତି ଆହୁରି ତେଜୀୟାନ କରିଛି । କେନ୍ଦ୍ରର ମୋଦି ସରକାର ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ରାଜ୍ୟ ସଭାରେ ଧ୍ୱନିମତରେ ଏହି ତିନୋଟି କଳା କୃଷି ବିଲ୍‍କୁ ଆଇନ୍‍ରେ ପରିଣତ କରିବା ପରେ ପ୍ରଥମେ ପ୍ରତିବାଦରେ ଫାଟି ପଡ଼ିଥିଲେ ପଞ୍ଜାବ ଓ ହରିୟାଣାର କୃଷକ ଓ କୃଷି ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ କ୍ଷେତ ମଜଦୁର । ଏକଚାଟିଆ ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ ଦେଶର ରେଳ, ପରିବହନ ସମେତ ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ କରିବା, କୋଇଲା, ଜଳ, ଜଙ୍ଗଲ, ଜମି ଭଳି ପ୍ରାକୃତିକ ସମ୍ପଦକୁ ଆଦାନୀ – ଅମ୍ବାନୀ ଭଳି କର୍ପୋରେଟ୍‍ ପୁଞ୍ଜିପତିମାନଙ୍କୁ ଲୁଟ କରିବାର ଅବାଧ କ୍ଷମତା ପ୍ରଦାନ କରିବା, ଦେଶର ୪୨ଟି ଶ୍ରମ ଆଇନ୍‍କୁ ବାତିଲ କରି ନୂତନ ଶ୍ରମିକ ମାରଣ ଶ୍ରମ କୋଡ୍‍ ଚାଲୁ କରିବା, ଶିକ୍ଷା ସଭ୍ୟତା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନ କରିବା ଭଳି ଗୋଟିଏ ପରେ ଗୋଟିଏ ମାରାତ୍ମକ ଜନମାରଣ ନୀତି ଅତି କ୍ଷୀପ୍ରଗତିରେ ଲାଗୁ କରୁଥିବା ମୋଦି ସରକାର ଭାବିଥିଲା, ଏହି କଳା କୃଷି ଆଇନ୍‍କୁ ବିନା ବାଧାରେ ଲାଗୁ କରିଦେବ । କରୋନା ମହାମାରୀର ଦୁର୍ଯ୍ୟୋଗରୁ ଫାଇଦା ଉଠାଇ, ମୋଦିଙ୍କର ମନମତାଣିଆ ଭାଷଣ, ଗୋଦୀ ମିଡ଼ିଆ ଜରିଆରେ ଅନ୍ୟାନ୍ୟ ଆଇନ୍‍ ଭଳି ଏହି ଆଇନ୍‍କୁ ଅନାୟସରେ ଲାଗୁ କରିଦେବ । ଯଦି ପ୍ରତିବାଦ ହୁଏ ତା’ହେଲେ ତାକୁ ସହଜରେ ରାଷ୍ଟ୍ରଶକ୍ତି ସାହାଯ୍ୟରେ ଦମନ କରିଦେବ । କିନ୍ତୁ ସରକାରଙ୍କ ସବୁ ଅଙ୍କକୁ ଗୋଳମାଳ କରିଦେଲେ ପଞ୍ଜାବ ହରିୟାନାର ସଂଗ୍ରାମୀ କୃଷକମାନେ । ପରେ ଏଥିରେ ସାମିଲ ହେଲେ ଦେଶର ଅନ୍ୟାନ୍ୟ ପ୍ରଦେଶର କୃଷକ । ଏହି ଦୁଇ ରାଜ୍ୟରେ ଆରମ୍ଭ ହେଲା ବିଚ୍ଛିନ୍ନଭାବେ ଆନ୍ଦୋଳନ । ପରେ ଏହି ଆନ୍ଦୋଳନ ସଙ୍ଗଠିତ ରୂପ ନେଲା । ରାଷ୍ଟ୍ରଶକ୍ତି ଓ ଏକଛତ୍ରବାଦୀ ସରକାର ସହିତ ସମ୍ମୁଖ ଲଢ଼େଇ ପାଇଁ ଆରମ୍ଭ ହେଲା ଏକ ଅଭୁତପୂର୍ବ ପ୍ରସ୍ତୁତି । ନିଜ ମଧ୍ୟରେ ବହୁ ମତପାର୍ଥକ୍ୟ ଥିଲେ ବି ଶହ ଶହ ସଙ୍ଗଠନ ବିଶେଷକରି କୃଷକ ସଙ୍ଗଠନମାନେ ଏହି ଆନ୍ଦୋଳନରେ ସାମିଲ ହେଲେ । ମୋଦି ସରକାର ଭାବିଥିଲା, ଏ ଆନ୍ଦୋଳନ ପାଣି ଫୋଟକା ଭଳି ମିଳାଇଯିବ । ଗର୍ଜିଲା ମେଘ ବର୍ଷିବନି । ଏଠି ବି ହିସାବ ଗୋଳମାଳ ହୋଇଗଲା । ଆନ୍ଦାଳନ ଦିନକୁ ଦିନ ଦୁର୍ବାର ରୂପ ନେଲା । ସମସ୍ତ ପ୍ରସ୍ତୁତି ସହ, ଏପରିକି ୬ ମାସ ପାଇଁ ନିଜର ଖାଦ୍ୟସାମଗ୍ରୀ, ନିଜ ନିଜର ପରିବାର ସହିତ, ଟ୍ରଲି, ଟ୍ରାକ୍ଟର ଆଦି ଗାଡ଼ିରେ ସେମାନେ ଏକ ଦୁର୍ଦ୍ଦାନ୍ତ ଝଡ଼ ଭଳି ମାଡ଼ି ଆସିଲେ । ଡାକରା ଦେଲେ ‘ଦିଲ୍ଲୀ ଚଲୋ’ । ତା’ସତ୍ତ୍ୱେ ମଧ୍ୟ ସରକାରଙ୍କ ହୋସ ଆସିଲା ନାହିଁ । ଅମିତ ଶାହାଙ୍କ ଉଦ୍ଧତ କଣ୍ଠସ୍ୱର ଶୁଣାଗଲା, “କୌଣସି ଆଲୋଚନା ହେବ ନାହିଁ, ଆମେ ଇଞ୍ଚେ ହଟିବୁ ନାହିଁ ।” କିଛି କାମ ଦେଲା ନାହିଁ । ଲକ୍ଷ ଲକ୍ଷ କୃଷକଙ୍କ ଅଗ୍ରଗାମୀ ପଟୁଆରକୁ ପଞ୍ଜାବ ହରିଆଣାରେ ବିଭିନ୍ନ ସୀମାନ୍ତରେ ହିଁ ରୋକିଦେବା ପାଇଁ ଚାଲିଲା ରାଷ୍ଟ୍ରଶକ୍ତିର ବର୍ବର ପ୍ରସ୍ତୁତି । ପ୍ରଶସ୍ତ ରାଜପଥକୁ ୭ ରୁ ୮ ମିଟର ଯାଏ ୧୫ ରୁ ୨୦ ଫୁଟ ପର୍ଯ୍ୟନ୍ତ ଖୋଳି ଦିଆଗଲା । ଯେମିତିକି ଟ୍ରାକ୍ଟର, ଟ୍ରଲି ଆଗକୁ ଆସିପାରିବନି, ସିମେଣ୍ଟ, ରଡ଼ ଦେଇ ତିଆରି ହେଲା ସୁଉଚ୍ଚ ଶକ୍ତ ପ୍ରାଚୀର ପୁଣି ତା ଉପରେ କଣ୍ଟା ତାରର କୁଣ୍ଡଳୀ ଯେମିତି ଆନ୍ଦୋଳନକାରୀମାନେ ଲଂଘି ପାରିବେନି । ତା’ ସହିତ ମୁତୟନ ହେଲେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ପୋଲିସ ମିଲିଟାରୀ । ଦିଲ୍ଲୀର ୨୦୦ କିମି ଦୂର ପଞ୍ଜାବ ହରିୟାନାର ଅମ୍ବଲା ସୀମାନ୍ତରେ ଆରମ୍ଭ ହେଲା ଲଢ଼େଇ । ଏତ ଲଢ଼େଇ ନୁହେଁ, ଯୁଦ୍ଧ । ଦେଶର ନିରସ୍ତ୍ର ଅନ୍ନଦାତା କୃଷକମାନଙ୍କ ବିରୁଦ୍ଧରେ ନିର୍ମମ ପୁଞ୍ଜିବାଦୀ ରାଷ୍ଟ୍ରଶକ୍ତି ମଧ୍ୟରେ ଯୁଦ୍ଧ । କିଛି ଚାଷୀ ନେତା ଭୟ ପାଇ ପଛକୁ ହଟିବାକୁ ପରାମର୍ଶ ଦେଲେ, କିନ୍ତୁ ବୀର ଜନତା ଗର୍ଜିଉଠି ଜବାବ ଦେଲେ, ଆମେ ଅପ୍ରତିରୋଧ, କୌଣସି ଶକ୍ତି ଆମକୁ ରୋଧ କରିପାରିବ ନାହିଁ । ଏହିଭଳି ଆପୋଷହୀନ ଭୀରୁ ନେତାମାନେ ହଟିଯାଅ । କୌଣସି ବିଶେଷ ନେତା ନୁହେଁ, ଦେଶର ସଂଗ୍ରାମୀ ଯୋଦ୍ଧା କୃଷକମାନେ ହିଁ ସୃଷ୍ଟି କଲେ ଏକ ଗୌରବୋଜ୍ଜ୍ୱଳ ଇତିହାସର ପ୍ରଥମ ଅଧ୍ୟାୟ । ପୋଲିସର ବର୍ବର ଲାଠିମାଡ଼, ପାଣିମାଡ଼, ଟିଅର ଗ୍ୟାସ ସବୁକିଛି ବ୍ୟର୍ଥ ହେଲା । କ୍ଷତ ବିକ୍ଷତ ରକ୍ତାକ୍ତ ଜନତା ନିମିଷେକ ମଧ୍ୟରେ ସମସ୍ତ ବିରାଟ ବିରାଟ ଗର୍ତ୍ତଗୁଡ଼ିକୁ ଭରିଦେଇ ରାସ୍ତା ସମତୁଲ କରିଦେଲେ । ଶକ୍ତିଶାଳୀ ବ୍ୟାରିକେଡକୁ ବଜ୍ରାଘାତରେ ଚୁରମାର କରିଦେଲେ । ବିଜୟୀ କୃଷକମାନେ ଶତସିଂହର ବଳନେଇ ପାହାଡି଼ ନଦୀ ଭଳି ଦିଲ୍ଲୀ ଅଭିମୁଖେ ଆଗେଇ ଆସିଲେ । ଏହିଭଳି ୫ଟି ସ୍ଥାନରେ ଉଦ୍ଧତ ରାଷ୍ଟ୍ରଶକ୍ତି ଓ ମୋଦି ସରକାର ଐତିହାସିକ କୃଷକ ଆନ୍ଦୋଳନ ସମ୍ମୁଖରେ ମଥାନତ କଲା । ତା’ପରେ ଚାଲିଲା ଆନ୍ଦୋଳନର ନେତାମାନଙ୍କର ବେପରୁଆ ଗିରଫଦାରୀ । ହରିୟାଣାର ଏ.ଆଇ.କେ.କେ.ଏମ୍‍.ଏସ୍‍. (ଅଲ୍‍ ଇଣ୍ଡିଆ କିଷାନ କ୍ଷେତମଜଦୁର ସଙ୍ଗଠନ)ର ରାଜ୍ୟ ସମ୍ପାଦକଙ୍କ ସମେତ ବିଭିନ୍ନ ସ୍ଥାନରେ ଚାଷୀନେତା ଓ ଆନ୍ଦୋଳନରେ ଯୋଗଦେବାକୁ ଆସୁଥିବା ହଜାର ହଜାର କୃଷକମାନଙ୍କୁ ଗିରଫ କରାଗଲା । ଗାଁ ସ୍କୁଲ ବି ଜେଲ ବନିଗଲା । ତେବେ ସରକାରଙ୍କ ଏହି ଦମନନୀତି ଆନ୍ଦୋଳନର ନିଆଁରେ ଘିଅ ଢାଳିଲା । ହଜାର ହଜାର ଚାଷୀ ସରକାରୀ ଜେଲରୁ ନିଜର ନେତା ଓ ସଂଗ୍ରାମୀ ମାନଙ୍କୁ ଛଡ଼ାଇ ଆଣିଲେ । ସରକାର ଓ ରାଷ୍ଟ୍ରଶକ୍ତି ଏଠି ବି ପରାସ୍ତ ହେଲା । ଏହିଭଳି ଭାବେ ଏକ ଗୌରବଶାଳୀ ଆନ୍ଦୋଳନର ନୂତନ ନୂତନ ଅଧ୍ୟାୟ ସୃଷ୍ଟି ହେବାରେ ଲାଗିଲା ।
ପଞ୍ଜାବ, ହରିଆଣାରେ ବିଭିନ୍ନ ସ୍ଥାନରୁ ଏହିଭଳି ଅଲଙ୍ଘନୀୟ ବାଧାକୁ ସଫଳତାର ସହ ପ୍ରତିହତ କରି ବହୁ ଆନ୍ଦୋଳନର ସ୍ରୋତ ଆସି ସିଙ୍ଘୁ, ଟିକ୍ରି ସୀମାନ୍ତରେ ମିଳିତ ହେଲା । ଶହ ଶହ ଟ୍ରକ ବିଭିନ୍ନ ଧରଣର ଗାଡ଼ି ଓ ପୋଲିସ ମିଲିଟାରୀ ଦେଇ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରି ରଖାଯାଇଥିଲା । ସେହି ନଭେମ୍ବର ୨୬ ତାରିଖରୁ ପ୍ରଶସ୍ତ ରାଜପଥ ଉପରେ ଖୋଲା ଆକାଶ ତଳେ ପ୍ରଚଣ୍ଡ ଶୀତ, ଝଡ଼ ବୃଷ୍ଟି, ପବନ ମଧ୍ୟରେ ଚାଲୁ ରହିଛି ଦେଶର ଅନ୍ନଦାତା କୃଷକମାନଙ୍କ ଏକ ଯୁଗାନ୍ତକାରୀ ପ୍ରତିବାଦ ଆନ୍ଦୋଳନ । ଏହି ଆନ୍ଦୋଳନର ପଦାଙ୍କ ଅନୁସରଣ କରି ଗାଜିପୁର, ନଏଡ଼ା, ଦିଲ୍ଲୀ ସୀମାନ୍ତ ବି ଆଜି ଆନ୍ଦୋଳନରେ ମୁଖରିତ ।
ଏକ ମହନୀୟ ଆନ୍ଦୋଳନର ଅନନ୍ୟ ଦୃଷ୍ଟାନ୍ତ
ସିଙ୍ଘୁ, ଟିକ୍ରି, ଗାଜିପୁର ସୀମାନ୍ତ
ଏକ ମହନୀୟ ଆନ୍ଦୋଳନର ଅନନ୍ୟ ସାଧାରଣ ଦୃଷ୍ଟାନ୍ତ ପାଲଟି ଯାଇଛି ଏହିସବୁ ସୀମାନ୍ତ ସ୍ଥଳ । ଯିଏ ଏଠାକୁ ଆସୁଛି ସେ କହୁଛି, ଏଇତ ନିଚ୍ଛକ ଏକ ଆନ୍ଦୋଳନ ସ୍ଥଳ ନୁହେଁ, ଏହା ଯେମିତି ଏକ ସ୍ୱର୍ଗ ରାଜ୍ୟ, ଶୋଷିତ ମଣିଷର ତୀର୍ଥସ୍ଥଳ, । ବସରେ ମେଟ୍ରୋ ଟ୍ରେନ୍‍ରେ ଦିଲ୍ଲୀର ସର୍ବତ୍ର ଲୋକଙ୍କ ମଧ୍ୟରେ ଗୋଟିଏ କଥା “ସିଙ୍ଘୁ, ଟିକ୍ରୀ, ଗାଜୀପୁର ସୀମାନ୍ତ ଦର୍ଶନ କଲେଣି? ଯଦି କରିନ, ଶୀଘ୍ର କରିଆସ ।” କେବଳ ଆନ୍ଦୋଳନକାରୀ କୃଷକମାନେ ନୁହଁନ୍ତି, ଆନ୍ଦୋଳନ ସ୍ଥଳକୁ ଆସି ନିଆରା ଦୃଶ୍ୟ ଦେଖିବା ପାଇଁ ଓ ଏଠୁ ଶିଖିବାର ମନ ନେଇ ପ୍ରତିଦିନ ହଜାର ହଜାର ଲୋକଙ୍କର ଆଗମନ ହେଉଛି । ଯିଏ ଆସୁଛି ସିଏ ଆନ୍ଦୋଳନକାରୀମାନଙ୍କର ସଂସ୍କୃତି, ଶୃଙ୍ଖଳା, ମନୋବଳ ଓ ସାହସ ଦେଖି ଅଭିଭୂତ ହୋଇଯାଉଛି । ସିଂଘୁ, ଟିକ୍ରୀରେ ଜନସମାଗମର ଆରମ୍ଭ ତ ବୁଝି ହେଉଛି, କିନ୍ତୁ ଶେଷ ସୀମା ବୁଝିବା କଷ୍ଟ । ଏ ଯେମିତି ଏକ ଅନ୍ତହୀନ ଦିଗ୍‍ବଳୟ । ହଜାର ହଜାର ଟ୍ରଲି, ଟ୍ରାକ୍ଟର । ସୀମାନ୍ତର ଏହି ରାଜପଥକୁ ଦେଖିଲେ ମନେହେବ ନାହିଁ ଯେ ଏଠି ଦିନେ ଘଣ୍ଟାକୁ ଶହେ କିମି ବେଗରେ ହଜାର ହଜାର ଗାଡ଼ି ଦୌଡ଼ୁଥିଲା । ଏହା ଯେମିତି ହୋଇଯାଇଛି ଆନ୍ଦୋଳନକାରୀଙ୍କର ଆନନ୍ଦ ନିଳୟ । ଲକ୍ଷ ଲକ୍ଷ ଜନତାର ଏକ ଏକାନ୍ନବର୍ତ୍ତୀ ପରିବାର । ନିଜର ଦୁଃଖ କଷ୍ଟ ଅସୁବିଧା ଏମାନେ ଭୁଲି ଯାଇଛନ୍ତି । ଅନ୍ୟର କଷ୍ଟ, ଅସୁବିଧା ଦୂର କରିବା ଯେମିତି ସମସ୍ତଙ୍କର ଦାୟିତ୍ୱ । ଲଙ୍ଗରରେ ଖାଦ୍ୟ ବିତରଣ ହେଉଛି । କେବଳ ଶିଖ୍‍ ଧର୍ମର ଲଙ୍ଗର ନୁହେଁ, ମୁସଲମାନ, ହିନ୍ଦୁ ଧର୍ମର ବି ଲଙ୍ଗର ଖୋଲିଛି । ଏକ ଅବିଶ୍ୱାସନୀୟ ଶୃଙ୍ଖଳା ବଜାୟ ରଖି ଲୋକେ ଲଙ୍ଗରରୁ ଖାଦ୍ୟ ଗ୍ରହଣ କରୁଛନ୍ତି । ଚା, ଗରମ ଜଳ ନେଉଛନ୍ତି । କିଛି ସରିଗଲେ ବି ଅସନ୍ତୋଷ ନାହିଁ । ସମସ୍ତେ ସମସ୍ତଙ୍କୁ ସହଯୋଗ କରୁଛନ୍ତି । ଜାତି, ଧର୍ମ, ଭାଷା, ଅଞ୍ଚଳର କୌଣସି ଭେଦାଭେଦ ନାହିଁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, “ଆମର ଗୋଟିଏ ପରିଚୟ, ଆମେ ସମସ୍ତେ ଆନ୍ଦୋଳନକାରୀ, ଶ୍ରମିକ, କୃଷକ । ଆମର ଲକ୍ଷ୍ୟ ଏକ – ଏହି କଳା ଆଇନ୍‍କୁ ବାତିଲ କରିବା, ଆମର ଶତ୍ରୁ ବି ଏକ, ଏକଛାତ୍ରବାଦୀ ମୋଦି ସରକାର ଓ ଆଦାନୀ-ଅମ୍ବାନୀ ଭଳି କର୍ପୋରେଟ୍‍ ପୁଞ୍ଜିପତି ଶ୍ରେଣୀ । ଏହି ଅଭିନ୍ନ ଲକ୍ଷ୍ୟ ଓ ଏକ ସମଚିନ୍ତା ଧର୍ମ ଜାତିର ବିଭେଦକୁ ଚୁର୍ଣ୍ଣକରି ଗଢ଼ି ଦେଇଛି ଏକ ଅପୂର୍ବ ଭାଇଚାରା ଓ ମମତାର ବନ୍ଧନ । ଅସୁସ୍ଥ ମାନଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ମେଡ଼ିକାଲ ସର୍ଭିସ୍‍ ସେଣ୍ଟରର ସ୍ୱେଚ୍ଛାସେବୀ ଡାକ୍ତର ନର୍ସ ମାନେ ଜନସାଧାରଣଙ୍କ ପାଖରୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରି ଦିନରାତି ଚିକିତ୍ସା ସେବା ଯୋଗାଇ ଦେଇଚାଲିଛନ୍ତି । ଲଙ୍ଗରର ରୋଷେଇ କାର୍ଯ୍ୟ ଓ ସଫେଇ କାର୍ଯ୍ୟରେ ଛାତ୍ର, ଯୁବ ଓ ମହିଳାକର୍ମୀମାନେ ସାମିଲ ହୋଇଛନ୍ତି । ବୟସ୍କମାନଙ୍କର ଦେହର ଯନ୍ତ୍ରଣାର ଉପସମ ପାଇଁ ସେମାନଙ୍କ ଶରୀର ମାଲିସ କରିଦେବାକୁ ଆନନ୍ଦ ସହକାରେ ଆଗେଇ ଆସିଛନ୍ତି ସେମାନଙ୍କ ପୁତ୍ରସମ ତରୁଣମାନେ । ସୀମାନ୍ତର ଆରପାରିରେ ମୁକ ଦର୍ଶକ ଭଳି ପୋଲିସ୍‍ ମିଲିଟାରୀ ବାହିନୀ ରହିଛନ୍ତି । କିଭଳି ଏହିସବୁ ରାସ୍ତା ଆଜି କୃଷକମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆଉ କିଭଳି ଆଇନ୍‍ ଶୃଙ୍ଖଳା, ଟ୍ରଫିକ୍‍ ବ୍ୟବସ୍ଥା କେତେ ସୁନ୍ଦର ଭାବେ ନିୟନ୍ତ୍ରିତ ହେଉଛି । ଯେଉଁ ଦେଶରେ ପ୍ରତି ମୁହୂର୍ତ୍ତରେ ନାରୀ ଧର୍ଷିତା, ଲାଞ୍ଛିତା, ସେହି ଦେଶରେ ଦେଖିବାକୁ ମିଳୁଛି ଏକ ଭିନ୍ନ ସଂସ୍କୃତି । ଆନ୍ଦୋଳନ ସ୍ଥଳରେ ହଜାର ହଜାର ମହିଳା, ଛାତ୍ରୀ, ଯୁବତୀ ଅଛନ୍ତି । କିନ୍ତୁ କାହାରି ମନରେ ନାହିଁ ସାମାନ୍ୟତମ ଭୟ, ସମସ୍ତେ ପାଉଛନ୍ତି ପ୍ରକୃତ ମର୍ଯ୍ୟାଦା ଓ ସମ୍ମାନ । ଦିନ କି ରାତି ଏଠି ବିଳମ୍ବିତ ରାତିରେ ବି ମହିଳାମାନେ ନିର୍ଭୟରେ ଚଲାବୁଲା କରୁଛନ୍ତି । ସମସ୍ତ ଆନ୍ଦୋଳନକାରୀମାନଙ୍କ ମୁଖମଣ୍ଡଳରୁ ଫୁଟି ଉଠୁଛି ଏକ ବୀରତ୍ୱପୂର୍ଣ୍ଣ ଚାହାଣୀ । କିନ୍ତୁ ଏଥିରେ ନାହିଁ କ୍ରୁରତା ବରଂ ଅଛି ଅପୂର୍ବ ମମତା । ଏପରିକି ଯେଉଁ ପୋଲିସର ଲାଠିରେ ଏମାନେ କ୍ଷତବିକ୍ଷତ ହୋଇଛନ୍ତି, ସେହି ପୋଲିସକୁ ନିଜର ପୁତ୍ରଭଳି ଏମାନେ ଖାଦ୍ୟ ଖୁଆଉଛନ୍ତି । ଏହା ଯେମିତି ଏକ ନିଆରା ଦୃଶ୍ୟ । କାରଣ ଏମାନେ ବୁଝିଛନ୍ତି ବ୍ୟକ୍ତି ପୁଲିସ ନୁହେଁ, ଏହି ବ୍ୟବସ୍ଥା ହିଁ ଆମର ଶତ୍ରୁ । ଯେ କେହି ବାହାରୁ ଗଲେ ସେମାନଙ୍କୁ ଅତି ଆଦରର ସହ ପାଛୋଟି ନେଉଛନ୍ତି । ପଡ଼ୋଶୀ ପ୍ରତିବେଶୀମାନେ ବି ଆନ୍ଦୋଳନକାରୀ କୃଷକମାନଙ୍କର ସଂସ୍କୃତିରେ ଅଭିଭୂତ । ସେମାନେ ବି ଆନ୍ଦୋଳନକୁ ସକ୍ରିୟ ସହଯୋଗ କରୁଛନ୍ତି, ନିଜର ଘର, ନିତ୍ୟକର୍ମ ସାରିବା ନିଜର ପାଇଖାନା, ଗାଧୁଆଘର ମଧ୍ୟ ଛାଡ଼ି ଦେଉଛନ୍ତି । ନ୍ୟାୟସଙ୍ଗତ ଦାବିରେ ଗଢ଼ି ଉଠୁଥିବା ଗଣତାନ୍ତ୍ରିକ ଆନ୍ଦୋଳନ ଯେ କି ଧରଣର ଗଣତାନ୍ତ୍ରିକ ସଂସ୍କୃତି, ଉନ୍ନତ ଚିନ୍ତା ଚେତନା ଜନ୍ମ ଦିଏ, ଏହା ଯେମିତି ତାର ଏକ ଜ୍ୱଳନ୍ତ ନିଦର୍ଶନ । ଆଜି ଏହି ଆନ୍ଦେଳନ ଯେମିତି ଗଢ଼ିଦେଇଛି ଏକ ନୂତନ ସଭ୍ୟତା, ଏକ ନୂତନ ସଂସ୍କୃତିର ଭିନ୍ନ ଜନପଦ ।
ଶହୀଦର ସ୍ୱପ୍ନ ବ୍ୟର୍ଥ ହେବନି
ଏହି ଐତିହାସିକ କୃଷକ ଆନ୍ଦୋଳନ ଯେମିତି ତ୍ୟାଗ ଓ କଷଣର ଅଗ୍ନିରପରୀକ୍ଷା ନେଉଛି ଓ ଆନ୍ଦୋଳନକାରୀ ସଂଗ୍ରାମୀ ଯୋଦ୍ଧା କୃଷକମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଗ୍ରସର ହେଉଛନ୍ତି । ଆନ୍ଦୋଳନ ସ୍ଥଳରେ ଟଳି ପଡ଼ିଲେଣି ଶତାଧିକ ସଂଗ୍ରାମୀ ସାଥୀ । ସେମାନଙ୍କୁ ଶହୀଦ୍‍ର ମର୍ଯ୍ୟାଦା ଦେଇ ଆବେଗପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସଂଗ୍ରାମୀ କୃଷକମାନେ । ଆନ୍ଦୋଳନ ସ୍ଥଳରେ ଗୁଞ୍ଜରିତ ହେଉଛି, “ଶହୀଦର ମୃତ୍ୟୁ ନାହିଁ, ଶହୀଦ୍‍ର ପ୍ରତିଟି ରକ୍ତବିନ୍ଦୁ ସୃଷ୍ଟି କରିବ ଶତ ସହସ୍ର ଶହୀଦ୍‍” ।
ଶହୀଦ୍‍ର ଅମୂଲ୍ୟ ପ୍ରାଣ ଆମ ମଧ୍ୟରେ ନୂତନ ପ୍ରାଣର ସଂଚାର କରିବ, ଆମର ସଂକଳ୍ପ ଆହୁରି ବଜ୍ର ହେବ । ଶତାଧିକ ସାଥିଙ୍କୁ ହରାଇଲୁଣି, ଆହୁରି ବି କେତେ ହରାଇବୁ, କିନ୍ତୁ ଆମେ ଭାଙ୍ଗିବୁ ନାହିଁ । ଶହୀଦର ସ୍ୱପ୍ନ, ବଳିଦାନ କେବେ ବ୍ୟର୍ଥ ହେବ ନାହିଁ । ଆମେ ଲଢ଼ିବୁ ଜିତିବୁ । ଏ ନିଷ୍ଠୁର ଫାସିବାଦୀ ମୋଦୀ ସରକାର, ପୁଞ୍ଜିବାଦୀ ରାଷ୍ଟ୍ରଶକ୍ତି ହୁଏତ ଜାଲିୱାଲାବାଗ ହତ୍ୟାକାଣ୍ଡ ଭଳି ଆମ ରକ୍ତର ନଦୀ ବୁହାଇ ଦେଇପାରେ । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ ଏ ଚରମ ଚେତାବନୀ ମଧ୍ୟ ସେମାନେ ଏ ବଧିର ସରକାରକୁ ଶୁଣାଇ ଦେଇଛନ୍ତି ।
ଏ ଆନ୍ଦୋଳନରେ ଆଜି କୃଷକ ସମ୍ପ୍ରଦାୟ ଏକା ନୁହଁନ୍ତି, ଏହି ଆନ୍ଦୋଳନର ସମର୍ଥନରେ କେତେ ସାହିତ୍ୟିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍‍ ଓ ବିଶିଷ୍ଟ ବୈଜ୍ଞାନିକ ରାସ୍ତାକୁ ଓହ୍ଲାଇଲେଣି । ନିଜ ନିଜର ପଦବୀ, ପଦକ ସବୁ ପ୍ରତ୍ୟାହାର କଲେଣି । ଏପରିକି ଜଣେ ସନ୍ଥ ରାମ ସିଂ କୃଷକମାନଙ୍କ ପ୍ରତି ହେଉଥିବା ଅବିଚାରର ଯନ୍ତ୍ରଣାକୁ ବରଦାସ୍ତ କରିନପାରି ଆତ୍ମବଳିଦାନ ଦେଇଛନ୍ତି । ଏକ ମର୍ମଭେଦୀ ଚିଠିରେ ସେ ଲେଖିଛନ୍ତି “ଅନେକ ଅନେକ କିଛି ତ୍ୟାଗ କରୁଛନ୍ତି, ମୁଁ ମୋର ଏହି ପ୍ରାଣ ତ୍ୟାଗ କରୁଛି ।”
ଆନ୍ଦୋଳନସ୍ଥଳ ଏକ ନୂତନ ଶିକ୍ଷା-ସଂସ୍କୃତି
କେନ୍ଦ୍ରରେ ପରିଣତ ହୋଇଛି
ଏହିଭଳି ଭାବେ ଏହି କୃଷକ ଆନ୍ଦୋଳନ ବ୍ୟାପକରୁ ବ୍ୟାପକ ରୂପ ନେଉଛି । ତେବେ ଆଉ ଏକ ଦୃଶ୍ୟ ଆଖିରେ ଲାଖି ଯାଉଛି । ତା’ ହେଲା, ଆନ୍ଦୋଳନକାରୀମାନଙ୍କର ସତ୍ୟ ଜାଣିବାର ତୀବ୍ର ଆକାଂକ୍ଷା । ଆନ୍ଦୋଳନ ସ୍ଥଳରେ ବହୁ ପାଠାଗାର ଗଢ଼ି ଉଠିଛି । ଆନ୍ଦୋଳନର ଘନଘଟା ମଧ୍ୟରେ ବି ଏହି ପାଠାଗାରମାନଙ୍କରେ ଆଖିଦୃଶିଆ ଭିଡ଼ । ଦେଶ ବିଦେଶର ପ୍ରଗତିଶୀଳ ସାହିତ୍ୟ, ବିଜ୍ଞାନ, ପରିବେଶ ସଂକ୍ରାନ୍ତୀୟ ପୁସ୍ତକ, ଦେଶ ବିଦେଶର ସ୍ୱାଧୀନତା ଆନ୍ଦୋଳନ, ବିପ୍ଳବୀ ଆନ୍ଦୋଳନର ଇତିହାସ, ବିଭିନ୍ନ ମହାମନୀଷୀ ଓ ବିପ୍ଳବୀ ଯୋଦ୍ଧାମାନଙ୍କର ଜୀବନୀ ସଂକ୍ରାନ୍ତୀୟ ପୁସ୍ତକ, ମାର୍କ୍ସବାଦୀ ରଚନାବଳୀ ଗୁଡ଼ିକୁ ବହୁ ଆନ୍ଦୋଳନକାରୀ ଗଭୀର ମନଯୋଗ ସହକାରେ ଅଧ୍ୟୟନ କରୁଛନ୍ତି । ଛାତ୍ର ସଙ୍ଗଠନ ଏ.ଆଇ.ଡି.ଏସ୍‍.ଓ. ପକ୍ଷରୁ ଆୟୋଜିତ ବୁକ୍‍ଷ୍ଟଲରୁ ପ୍ରଚୁର ବହି ବିକ୍ରୀ ହେଉଛି । କମ୍ରେଡ୍‍ ପ୍ରଭାସ ଘୋଷଙ୍କ ‘ଶହୀଦ୍‍ ଭଗତ ସିଂ ଏକ ମାର୍କ୍ସବାଦୀ ମୂଲ୍ୟାଙ୍କନ’ ବହିଟି ବ୍ୟାପକ ଭାବେ ଆଦୃତ ହେଉଛି । ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ କୃଷକମାନେ ମଧ୍ୟ ମନଯୋଗ ସହକାରେ ଏହି ବହିଟିକୁ ପଢ଼ୁଛନ୍ତି । ପ୍ରାୟ ପ୍ରତିଦିନ ବିପ୍ଳବୀ ସଙ୍ଗୀତ, କବିତା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଦେଶର ବିଭିନ୍ନ ରାଜ୍ୟରୁ କବି, ଗାୟକମାନେ ଆସି ଭିନ୍ନ ସ୍ୱାଦର କବିତା ପାଠକରି ଗୀତ ଗାଇ ଆନ୍ଦୋଳନକାରୀ ମାନଙ୍କ ସହିତ ସଂହତି ପ୍ରକାଶ କରୁଛନ୍ତି । ଏଆଇଡିଏସ୍‍ଓ, ଏଆଇଏମ୍‍ଏସ୍‍ଏସ୍‍ ଓ ଏଆଇଡିୱାଇଓର ଯୁବ ଛାତ୍ର ମହିଳା କର୍ମୀମାନଙ୍କୁ ନେଇ ଗଠିତ ସଙ୍ଗୀତ ଗୋଷ୍ଠୀ ନିୟମିତ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରୁଛନ୍ତି । ଏଥି ସହିତ ପାଳିତ ହେଉଛି ମହାମନୀଷୀମାନଙ୍କ ଜୟନ୍ତୀ, ଶହୀଦ୍‍ ଦିବସ ଓ ଏହି ଉପଲକ୍ଷେ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା । ଶହୀଦ୍‍ ଉଦ୍ଧାମ ସିଂଙ୍କ ୧୦୧ ତମ ଜନ୍ମଜୟନ୍ତୀ, ଶହୀଦ୍‍ ଖୁଦୀରାମଙ୍କ ୧୩୨ତମ ଜୟନ୍ତୀ ଓ ସାବିତ୍ରୀ ବାଇ ଫୁଲେଙ୍କ ୧୮୯ତମ ଜୟନ୍ତୀ, କାକୋରୀ ଷଡଯନ୍ତ୍ର ମାମଲାରେ ଫାଶୀ ପାଇଥିବା ରାମପ୍ରସାଦ ବିସମିଲ, ଆସଫାକୁଲା ଖାଁ, ରୋସନ ସିଂ, ରାଜେନ୍ଦ୍ର ଲାହିଡିଙ୍କ ଶହୀଦ ଦିବସ ପାଳିତ ହୋଇଛି । ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକରେ ଆନ୍ଦୋଳନକାରୀମାନଙ୍କର ଆବେଗପୂର୍ଣ୍ଣ ଅଂଶଗ୍ରହଣ ଅତି ଉତ୍ସାହଜନକ । ବାସ୍ତବରେ ଏହି ଆନ୍ଦୋଳନ ସ୍ଥଳ ଯେମିତି ପରିଣତ ହୋଇଛି ଆଜିର ପଚମାନ ପୁଞ୍ଜିବାଦୀ ସଂସ୍କୃତି ବିରୁଦ୍ଧରେ ଏକ ଉନ୍ନତ ଶିକ୍ଷା ସଂସ୍କୃତିର ଅଭ୍ୟୁତଥାନର ପ୍ରାଣକେନ୍ଦ୍ର ।
ଏ ଆନ୍ଦୋଳନ ସଚେତନ କୃଷକମାନଙ୍କର ସଙ୍ଗଠିତ ଆନ୍ଦୋଳନ
ମୋଦୀ ସରକାର ଓ ଗୋଦି ମିଡ଼ିଆ ଦିନରାତି ପ୍ରଚାର କରୁଛି, ଏମାନେ କାଳେ ବରୋଧି ଦଳ ଓ କମ୍ୟୁନିଷ୍ଟଙ୍କ ଦ୍ୱାରା ବିଭ୍ରାନ୍ତ । ଏମାନେ କୃଷି ଆଇନ୍‍ ସମ୍ପର୍କରେ ଅସଚେତନ । ଏହି ଅଭିଯୋଗର ଜବାବରେ ଜଣେ ଚାଷୀ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ସରକାରଙ୍କୁ ଆହ୍ୱାନ ଜଣାଇ କହିଛନ୍ତି, “ଆମକୁ ଯଦି ବିରୋଧି ଦଳର ଲୋକେ ବିଭ୍ରାନ୍ତ କରୁଛନ୍ତି, ତା’ହେଲେ ବିଜେପି ଓ ସଂଘ ପରିବାରର ଲୋକ ଓ ସେମାନଙ୍କର ବୁଦ୍ଧିଜୀବୀମାନେ ଏଠାକୁ ଆସି ଆମକୁ ବୁଝାଇ ଦିଅନ୍ତୁ ।” ଆଖିବୁଜି ଯେ କୌଣସି ଜଣେ ଆନ୍ଦୋଳନକାରୀ, ସେ ବୃଦ୍ଧ ହୁଅନ୍ତୁ ବା କିଶୋର ହୁଅନ୍ତୁ, ଶିକ୍ଷିତ ହୁଅନ୍ତୁ ବା ଅଶିକ୍ଷିତ ହୁଅନ୍ତୁ କାହାକୁ ବି ଏହି ତିନୋଟି କଳା ଆଇନ୍‍ ଓ ବିଜୁଳି ବିଲ୍‍-୨୦୨୦ ସମ୍ପର୍କରେ ପଚାରିଲେ ସେ ପ୍ରାଞ୍ଜଳଭାବେ ବୁଝାଇଦେଇ ପାରିବେ । ଏମାନେ ଭଲଭାବେ ଏହି ଆଇନ୍‍କୁ ଅଧ୍ୟୟନ କରିଛନ୍ତି । ସରକାରଙ୍କ ଦାବି ସହ ନିଜ ଅଭିଜ୍ଞତାକୁ ମିଳାଇ ଦେଖିଛନ୍ତି ଓ ତା’ପରେ ସଠିକ୍‍ ଦାବି ସହ ନିଜ ଅଭିଜ୍ଞତାକୁ ମିଳାଇ ଦେଖିଛନ୍ତି ଓ ତାପରେ ସଠିକ୍‍ ନିଷ୍କର୍ଷରେ ପହଞ୍ଚି ଏହି ପ୍ରତିବାଦରେ ଓହ୍ଲାଇଛନ୍ତି । ସେଥିପାଇଁ ତ ‘କରୋନା ମହାମରୀର ବିପଦକୁ ଆପଣମାନେ ଭୟ କରନ୍ତି ନାହିଁ ।’ ଜଣେ ସାମ୍ବାଦିକର ଏହି ପ୍ରଶ୍ନର ତତ୍‍କ୍ଷଣାତ୍‍ ଉତ୍ତର ଦେଇ ଜଣେ ବୟସ୍କ ଚାଷୀ କହିଲେ, ‘କରୋନା ମହାମାରୀ ବିପଦଜନକ, କିନ୍ତୁ ତା’ଠାରୁ ଅଧିକ ବିପଦଜନକ ହେଉଛି ଏହି ତିନୋଟି କଳା କୃଷି ଆଇନ୍‍ ଓ ବିଜୁଳି ବିଲ୍‍-୨୦୨୦” । “କରୋନା ତ ଜଣେ ବ୍ୟକ୍ତି ବା କିଛି ବ୍ୟକ୍ତିଙ୍କର ପ୍ରାଣ ନାଶ କରିପାରେ, ମାତ୍ର ଏହି ଆଇନ୍‍ ଚାଷୀ କୂଳର ସର୍ବନାଶ କରିବ, ଆମର ବଂଶକୁ ହିଁ ନାଶ କରିବ ।” ଏମାନେ ଭଲଭାବେ ବୁଝିଛନ୍ତି ଯେ ଏହି ଆଇନ୍‍ ଦେଶର ଚାଷୀମାନଙ୍କର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ସହ ଚାଷୀମାନଙ୍କୁ କର୍ପୋରେଟ୍‍ ପୁଞ୍ଜିପତିମାନଙ୍କର କ୍ରତୀଦାସରେ ପରିଣତ କରିବ । ଚୁକ୍ତିଚାଷ ଜରିଆରେ କୃଷକମାନଙ୍କୁ ଋଣଯନ୍ତାରେ ପେଷି ସେମାନଙ୍କ ପାଖରୁ ଜମି ଛଡ଼ାଇ ନେବ । ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଅତି ଶସ୍ତାରେ କିଣିନେଇ ମନଇଚ୍ଛା ମହଜୁଦ କରି କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାର କରିବା ଓ ଆକାଶଛୁଆଁ ଦରରେ ସେହି ଦ୍ରବ୍ୟକୁ ବିକ୍ରୀ କରିବା ପାଇଁ କର୍ପୋରେଟ୍‍ମାନଙ୍କୁ ଲଗାମଛଡ଼ା ସୁଯୋଗ ଦେବ । ସର୍ବନିମ୍ନ ସହାୟକ ରାଶି (ଏମ୍‍ଏସ୍‍ପି) ହଟାଇ ଓ ଘରୋଇମଣ୍ଡି ଖୋଲିବା ପାଇଁ କର୍ପୋରେଟ ପୁଞ୍ଜିପତିମାନଙ୍କୁ ଅନୁମତି ଦେଇ ସେମାନଙ୍କ ହାତରେ କୃଷକମାନଙ୍କୁ ଅତି ଅସହାୟ ଭାବେ ଲୁଟ ହେବାକୁ ଛାଡ଼ି ଦେବାର ସମସ୍ତ ବନ୍ଦୋବସ୍ତ କରିବ । ସେମାନେ ଆଖି ସାମ୍ନାରେ ଦେଖୁଛନ୍ତି, ପଞ୍ଜାବ, ହରିୟାଣାରେ କିଭଳି ଆଦାନୀ, ଅମ୍ବାନୀ ବିଶାଳକାୟ ଗୋଦାମ ଗୃହ ସବୁ ତିଆରି କରୁଛି ଯେଉଁଠି ସେମାନେ କୃଷକମାନଙ୍କର ରକ୍ତଝାଳ ବିନିମୟରେ ଉତ୍ପାଦିତ ସାମଗ୍ରୀକୁ ମହୁଜଦ କରି କଳାବଜାରୀ କରିବେ । ପଞ୍ଜାବର ଚାଷୀମାନେ ମଧ୍ୟ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି, କିଭଳି ଚାଷୀ ପେପ୍‍ସି କମ୍ପାନୀ ସହିତ ଚୁକ୍ତିରେ ଆଳୁଚାଷ କରି ସର୍ବସ୍ୱାନ୍ତ ହୋଇଛନ୍ତି ଓ ବହୁ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି । ତେଣୁ ଏହି ଐତିହାସିକ ଆନ୍ଦୋଳନ ସଚେତନ କୃଷକମାନଙ୍କର ସଙ୍ଗଠିତ ଆନ୍ଦୋଳନ ।
ଆନ୍ଦୋଳନକୁ କାଳିମାଲିପ୍ତ କରିବା ଓ ଆନ୍ଦୋଳନର ଐକ୍ୟକୁ ଭାଙ୍ଗିବାର ସମସ୍ତ ଘୃଣ୍ୟ ଖେଳରେ
ମୋଦି ସରକାର ପରାସ୍ତ
ଏତେବଡ଼ ଏକ ମହନୀୟ କୃଷକ ଆନ୍ଦୋଳନକୁ କାଳିମାଲିପ୍ତ କରିବା ଓ ଆନ୍ଦୋଳନର ଐକ୍ୟକୁ ଭାଙ୍ଗିବାର ସମସ୍ତ ଘୃଣ୍ୟ ଖେଳରେ ମୋଦି ସରକାର ପରାସ୍ତ ହୋଇଛି । ମୋଦି ସରସକାର ଓ ଏହାର ଗୋଦି ମିଡ଼ିଆ କିଛି ସରକାରୀ ଭଡ଼ାଟିଆ ବୁଦ୍ଧିଜୀବୀ ଏହି ଆନ୍ଦୋଳନକୁ କେତେବେଳେ ଖଲିସ୍ଥାନୀ, ପାକିସ୍ତାନ ବା ଚୀନ ଦ୍ୱାରା ପ୍ରରୋଚିତ କିଛି ଦେଶଦ୍ରୋହୀମାନଙ୍କ ଆନ୍ଦୋଳନ ତ ପୁଣି କେତେବେଳେ ଏହା ଉଗ୍ର ବାମପନ୍ଥୀମାନଙ୍କ ଦ୍ୱାରା ପ୍ରରୋଚିତ ଆନ୍ଦୋଳନ ବୋଲି ପ୍ରଚାର କରୁଛନ୍ତି । ଏହା ପ୍ରକୃତ ଚାଷୀମାନଙ୍କ ଆନ୍ଦୋଳନ ନୁହେଁ, ସମଗ୍ର ଦେଶର ଚାଷୀ ଆନ୍ଦୋଳନ ନୁହେଁ ଏମିତି କେତେ କୁତ୍ସାରଟନା କଲେ ବି, ଆନ୍ଦୋଳନର ମହନୀୟତାକୁ ସେମାନେ ଘୃଣାକ୍ଷରରେ ବି କ୍ଷୁଣ୍ଣ କରିପାରି ନାହାଁନ୍ତି, ବରଂ ସେମାନେ ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଓ ଘୃଣିତ ହୋଇଛନ୍ତି । ଆନ୍ଦୋଳନର ମହନୀୟତା ଆହୁରି ଉଜ୍ଜ୍ୱଳ ହେଉଛି । ଅବଶ୍ୟ ଯେ କୌଣସି ଗଣତାନ୍ତ୍ରିକ ଆନ୍ଦୋଳନକୁ ଦେଶଦ୍ରୋହୀ ମାନଙ୍କର ଆନ୍ଦୋଳନ କହିବା ଆଜି ମୋଦି ସରକାର ଓ ଗୋଦି ମିଡ଼ିଆର ଏକ ଅଭ୍ୟାସରେ ପରିଣତ ହୋଇଛି । ଅତୀତରେ ବି ଏହିଭଳି ପଶ୍ଚିମବଙ୍ଗର ସିଙ୍ଗୁର, ନନ୍ଦୀଗ୍ରାମର ଆନ୍ଦୋଳନକୁ ମାଓବାଦୀ ଆନ୍ଦୋଳନ ବୋଲି ସେଦିନର ସିପିଆଇ(ଏମ୍‍) ପରିଚାଳିତ ବାମଫ୍ରଣ୍ଟ ସରକାର ନିନ୍ଦିତ କରିବାର ଅପଚେଷ୍ଟା କରି ବସ୍ତୁତଃ ନିଜେ ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲା ।
ଅନ୍ୟ ଦିଗରେ ଅମିତ ସାହା କୌଣସି ଆଲୋଚନା ହେବ ନାହିଁ ବୋଲି ଖୁବ୍‍ ଦମ୍ଭର ସହ କହିଥିଲାବେଳେ, ବର୍ତ୍ତମାନଯାଏ ୧୧ ଦଫା ସରକାରୀ ସ୍ତରରେ ଆଲୋଚନା ସରିଲାଣି । ଏଠି ବି ସାହା ବିଭାଜନ ରାଜନୀତିର ଘୃଣ୍ୟ ଖେଳ ଖେଳି ପରାସ୍ତ ହେଲେ । ସରକାରୀ ସ୍ତରରେ ଚାଷୀ ନେତାମାନଙ୍କ ସହ ଆଲୋଚନା ଚାଲିଥିବାବେଳେ, ଏହାର ସାମନ୍ତରାଳ ଭାବେ ଅମିତ ସାହା ଅଲଗା ରୁଦ୍ଧଦ୍ୱାର କୋଠରୀରେ ୧୩ ଜଣ ଚାଷୀ ନେତାଙ୍କ ସହ ଆଲୋଚନା ନାଁରେ ଗୁପ୍ତ ମନ୍ତ୍ରଣାରେ ବସିଲେ । ସବୁ କ୍ଷେତ୍ରରେ ପରାସ୍ତ ହୋଇ ଏହି ଉଦ୍ଧତ ସରକାର ମଥାନତ କରିବାକୁ ବାଧ୍ୟ ହେଲେଣି । କୃଷି ମନ୍ତ୍ରୀ ଘୋଷଣା କରିଛନ୍ତି, ବିଦ୍ୟୁତ୍‍ ବିଲ୍‍-୨୦୨୦ ପ୍ରତ୍ୟାହାର କରିବେ, ଆଇନ୍‍ରେ ପରିଣତ କରିବେ ନାହିଁ । ଚାଷୀମାନଙ୍କଠାରୁ ଜୋରିମାନା ଆଦାୟର କେତେକ ଆଇନ୍‍ ପ୍ରତ୍ୟାହାର କରିବା କଥା ମଧ୍ୟ ଘୋଷଣା କରିଛନ୍ତି । ପୁଣି କହୁଛନ୍ତି, ଏହି ଆଇନ୍‍ରେ କିଛି ସଂଶୋଧନ ଆଣିବୁ । ଦେଶରେ ଏହି ଆଇନ୍‍କୁ ଦୁଇବର୍ଷ ପାଇଁ ସ୍ଥଗିତ ରଖିବାକୁ ମଧ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ମାତ୍ର ଆନ୍ଦୋଳନକାରୀ ମାନଙ୍କର ଗୋଟିଏ କଥା ଏହି ସର୍ବନାଶ କୃଷି ଆଇନ୍‍କୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ପଡ଼ିବ ।
ଐତିହାସିକ କୃଷକ ଆନ୍ଦୋଳନର ଆହ୍ୱାନ
ଏହି ଐତିହାସିକ କୃଷକ ଆନ୍ଦେଳନ ଦର୍ଶାଇ ଦେଇଛି ସଂଘବଦ୍ଧ ଜନତାର ଶକ୍ତି କେତେ! ଦେଢ଼ ମସରୁ ଅଧିକ ସମୟ ବିତିଯାଇଥିଲେ ବି ଆନ୍ଦୋଳନକାରୀ କୃଷକମାନଙ୍କ ମଧ୍ୟରେ ହତାଶା, ନିରାଶାର ଚିହ୍ନ ମାତ୍ର ନାହିଁ, ବରଂ ସେମାନଙ୍କର ଅଦମ୍ୟ ମନୋବଳ, ଦାବି ଆଦାୟର ବଜ୍ର ଶପଥ ଶକ୍ତିଶାଳୀ ହେଉଛି । ଆନ୍ଦୋଳନର ବାର୍ତ୍ତା ଦିଲ୍ଲୀରୁ ପଲ୍ଲୀ ସବୁଠି ପ୍ରତିଧ୍ୱନିତ ହେଉଛି । କେବଳ କୃଷକ ଆନ୍ଦୋଳନ ନୁହେଁ, ଏ ଆନ୍ଦୋଳନ ଆଜି ଏକ ଶକ୍ତିଶାଳୀ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଆନ୍ଦୋଳନକାରୀମାନେ ସରକାରଙ୍କୁ ଚରମପତ୍ର ଦେଇଛନ୍ତି, ଜାନୁୟାରୀ ୨୬ ତାରିଖ ଦିନ ଦିଲ୍ଲୀର ରାଜରାସ୍ତାରେ କୃଷକ ପ୍ୟାରେଡ୍‍ ହେବ । ଏହି ଦିନ ଆମେ କୌଣସି ବାଧା ମାନିବୁନି । ସଂଗ୍ରାମୀ କୃଷକମାନଙ୍କର ଏହି ବୀରତ୍ୱପୂର୍ଣ୍ଣ ଆହ୍ୱାନ ଆଜି ପ୍ରତ୍ୟେକ ଶୋଷିତ ମଣିଷର ଶୀରା ପ୍ରଶିରାରେ ଏକ ନୂତନ ଶିହରଣ ସୃଷ୍ଟି କରୁଛି । ସମୟେ ସମୟେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ବା ନେତୃତ୍ୱ ବିନା ବି ଜନତାର ପୁଞ୍ଜିଭୂତ ଅସନ୍ତୋଷ ଓ ବଂଚନା ଆଗ୍ନେୟଗିରୀ ଭଳି ଶାସକ ଶ୍ରେଣୀ ଓ ସରକାର ବିରୁଦ୍ଧରେ ଫାଟି ପଡ଼େ । ବିଦ୍ରୋହର ରକ୍ତରଞ୍ଜିତ ସ୍ୱର୍ଣ୍ଣିମ ଇତିହାସ ରଚିତ ହୁଏ । ଏହି ସମୟରେ ଦେଶରେ ଯଦି ଯଥାର୍ଥ ବିପ୍ଳବୀ ନେତୃତ୍ୱ ଉପଯୁକ୍ତ ଶକ୍ତି ନେଇଥାଏ, ତେବେ ସମାଜ ପରିବର୍ତ୍ତନର ବିପ୍ଳବ ସଙ୍ଗଠିତ ହୋଇଯାଇପାରେ । ଏହି ଐତିହାସିକ କୃଷକ ଆନ୍ଦୋଳନ ମାଧ୍ୟମରେ ସେହି ଉଜ୍ଜ୍ୱଳ ସମ୍ଭାବନା ପ୍ରତିଭାତ ହେଉଛି । ଶ୍ରମିକ, ଛାତ୍ର, ଯୁବକ, ମହିଳା ଶୋଷିତ ମଣିଷର ସମସ୍ତ ସ୍ତରର ନ୍ୟାୟସଙ୍ଗତ ଆନ୍ଦୋଳନକୁ ଏହି କୃଷକ ଆନ୍ଦୋଳନ ସହିତ ସଂଯୋଜିତ କରି ସବୁ ପ୍ରତାରଣା ବଞ୍ଚନା ଶୋଷଣ ଜୁଲୁମର ମୂଳ କାରଣ ଏହି ପୁଞ୍ଜିବାଦୀ ବ୍ୟବସ୍ଥାର ଉଚ୍ଛେଦ ସାଧନ ନିମନ୍ତେ ସମାଜତାନ୍ତ୍ରିକ ବିପ୍ଳବକୁ ଶକ୍ତିଶାଳୀ କରିବାକୁ ପଡ଼ିବ । ଏହି ଦୃଷ୍ଟିଭଙ୍ଗୀରେ କୃଷକ ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ ଓ ବ୍ୟାପକ କରିବାକୁ ହେବ, ଆନ୍ଦୋଳନର ପ୍ରାଣକେନ୍ଦ୍ର ଭାବରେ ଲକ୍ଷ ଲକ୍ଷ ଗଣକମିଟି ଗଠନ କରିବାକୁ ହେବ ଓ ସ୍ତରେ ସ୍ତରେ ସ୍ୱେଚ୍ଛାସେବକ ବାହିନୀ ପ୍ରସ୍ତୁତ କରିବାକୁ ହେବ । ଏହା ହିଁ ଏହି ଐତିହାସିକ କୃଷକ ଆନ୍ଦୋଳନର ଆହ୍ୱାନ ।

Leave a Reply

Your email address will not be published. Required fields are marked *