ଭାରତର ସ୍ୱାଧୀନତା ଆନ୍ଦୋଳନର ମହାନ୍ ଆପୋଷହୀନ ଯୋଦ୍ଧା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମ ବାର୍ଷିକୀକୁ ଯଥାଯୋଗ୍ୟ ମର୍ଯ୍ୟାଦାର ସହ ପାଳନ କରନ୍ତୁ

Sarbaharakranti January 2021 – ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ୨୩ ଜାନୁଆରୀ ୨୦୨୧ରୁ ସାରା ଦେଶରେ ପାଳିତ ହେବାକୁ ଯାଉଛି । ସେ ଜଣେ ଏଭଳି ବ୍ୟକ୍ତିତ୍ୱ ଯାହାଙ୍କ ନାମ ଦେଶର କୋଟି କୋଟି ସାଧାରଣ ମଣିଷର ହୃଦୟରେ ଗଭୀର ଶ୍ରଦ୍ଧା, ସମ୍ମାନ ଓ ଉଦ୍ଦୀପନା ସୃଷ୍ଟି କରେ । ତାଙ୍କର ନିଃସ୍ୱାର୍ଥପର, ସାହସିକ, ବୀରତ୍ୱପୂର୍ଣ୍ଣ ଓ ସାଲିସ ବିହୀନ ସଂଗ୍ରାମ ପାଇଁ ତାଙ୍କର ସ୍ମୃତି ଆମ ନିକଟରେ ଚିର ଜାଜୁଲ୍ୟମାନ ହୋଇ ରହିବ । ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଉଦ୍ଦାତ୍ତ ଆହ୍ୱାନରେ ହଜାର ହଜାର ଛାତ୍ର, ଯୁବକ ନିଜର ବ୍ୟକ୍ତିଗତ ସୁଖ ସ୍ୱାଚ୍ଛନ୍ଦ୍ୟ, ଆରାମ-ଅୟସ, ପରିବାର-ପରିଜନ, ଉଚ୍ଚ ଆକାଂକ୍ଷା, ଚାକିରୀ-ବାକିରୀ ସବୁ କିଛିକୁ ଜଳାଞ୍ଜଳି ଦେଇ ଦେଶର ମୁକ୍ତି ପାଇଁ କାରାବରଣ କରିଥିଲେ । ବ୍ରିଟିଶ ସାମ୍ରାଜ୍ୟବାଦୀ ଉତ୍ପୀଡ଼କୁ ଭୃକ୍ଷେପ ନ କରି ସ୍ୱାଧୀନତା ଆନ୍ଦୋଳନରେ ହସି ହସି ଫାଶୀଖୁଣ୍ଟକୁ ଆଲିଙ୍ଗନ କରିଥିଲେ ।
ସ୍ୱାଧୀନତା ଆନ୍ଦୋଳନର ସାଲିସବିହୀନ ସଂଗ୍ରାମର ମୁଖ୍ୟ ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରିବାକୁ ଗଲାବେଳେ ଇତିହାସର ସେହି ଗୌରବମୟ ଅଧ୍ୟାୟର କଥା ମନେ ପଡ଼ିଯାଏ । ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧି ସଂଗ୍ରାମ ମଧ୍ୟରୁ ସେଦିନ ଭାରତୀୟ ନବଜାଗରଣର ବହୁ ମହାମନିଷୀଙ୍କର ଆବିର୍ଭାବ ହୋଇଥିଲା । ବିଜ୍ଞାନ, କଳା, ସାହିତ୍ୟ, ସଂସ୍କୃତି ତଥା ଜ୍ଞାନ ଜଗତର ବହୁବିଧ କ୍ଷେତ୍ରରେ ଏକ ଅଭୂତପୂର୍ବ ପରିସ୍ଫୁଟନ ଘଟିଥିଲା । ଏହା ଥିଲା ଭାରତ ଇତିହାସର ଏକ ସ୍ୱର୍ଣ୍ଣାଭ ଅଧ୍ୟାୟ । ମାତ୍ର ସ୍ୱାଧୀନୋତ୍ତର ଭାରତବର୍ଷରେ ସେହି ଗୌରବମୟ ଯୁଗ ବିସ୍ମୃତିର ଅତଳ ଗର୍ଭରେ ବିଲୁପ୍ତ । ଆଜିର ଅଭାବନୀୟ ପରିସ୍ଥିତି ପାଇଁ ଦେଶର ଶାସକ ଶ୍ରେଣୀ ଏବଂ ସେମାନଙ୍କର ରାଜନୈତିକ ଦଳ ମାନଙ୍କର ଅଭିସନ୍ଧି ମୂଳକ ଭୂମିକା ହିଁ ଦାୟୀ ।
ଗଭୀର ଉଦ୍ବେଗର ସହ ଆମେ ଲକ୍ଷ୍ୟ କରୁଛୁ ଯେ ଯେଉଁ ରାଜନୈତିକ ଦଳଗୁଡ଼ିକ ସେଦିନ ତାଙ୍କ ସଂଗ୍ରାମର ତୀବ୍ର ବିରୋଧିତା କରିଥିଲେ, ବିଭିନ୍ନ ବାଧା ପ୍ରତିବନ୍ଧକ ସୃଷ୍ଟି କରି ନେତାଜୀଙ୍କୁ କାଳିମାଲିପ୍ତ କରିବା ପାଇଁ ସାମାନ୍ୟ ପଛଘୁଞ୍ଚା ଦେଇ ନଥିଲେ ଆଜି ସେହି ସୁବିଧାବାଦୀ ଦଳ ଗୁଡ଼ିକ ଶସ୍ତା ଲୋକପ୍ରିୟତା ଅର୍ଜନ ପାଇଁ ନେତାଜୀ ଜୟନ୍ତୀକୁ ଖୁବ୍ ଆଡ଼ମ୍ବର ସହକାରେ ପାଳନ ପାଇଁ ଉତ୍ପର ହୋଇ ଉଠିଛନ୍ତି । ମାତ୍ର ଏହା ଯେ ସେହି ମହାନ୍ ବିପ୍ଳବୀଙ୍କ ପ୍ରତି ଗଭୀର ଶ୍ରଦ୍ଧା ଏବଂ ଭଲପାଇବା ଦ୍ୱାରା ଅଭିପ୍ରେତ, ତାହା ଆଦୌ ନୁହେଁ; ବରଂ ସାଧାରଣ ମଣିଷର ହୃଦୟରେ ନେତାଜୀଙ୍କ ପ୍ରତି ଥିବା ଅପରିସୀମ ଶ୍ରଦ୍ଧା ଓ ଭଲ ପାଇବାକୁ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ କରିବା ଉଦ୍ଦେଶ୍ୟରେ ଓ ଜନଗ୍ଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଅତ୍ୟନ୍ତ ହୀନ ପ୍ରୟାସ ।
ଏହା ଆଦୌ ଭୁଲିଗଲେ ଚଳିବ ନାହିଁ ଯେ ନେତାଜୀ ଥିଲେ ଆପୋଷହୀନ ସଂଗ୍ରାମର କର୍ଣ୍ଣଧାର, ଯାହା ଆପୋଷକାମୀ ସଂସ୍କାରବାଦୀ ଦକ୍ଷିଣପନ୍ଥୀ କଂଗ୍ରେସ ନେତୃତ୍ୱର ସମ୍ପୂର୍ଣ୍ଣ ପରିପନ୍ଥୀ ଥିଲା । ଦେଶର ହଜାର ହଜାର ଉଚ୍ଚ ଶିକ୍ଷିତ ଛାତ୍ର, ଯୁବକ, ବହୁ ବିପ୍ଳବୀ, ଜ୍ଞାନୀଗୁଣୀ ଶୁଭବୁଦ୍ଧି ସମ୍ପନ୍ନ ମଣିଷ ସେଦିନ ବିପୁଳ ସଂଖ୍ୟାରେ ନେତାଜୀଙ୍କ ନେତୃତ୍ୱ ଓ ଆହ୍ୱାନରେ ସଙ୍ଗଠିତ ହୋଇ ଏକ ଦୃଢ଼ ସଙ୍ଗଠନ ଗଢ଼ି ତୋଳିଥିଲେ । ଏହା ବ୍ରିଟିଶ ସାମ୍ରାଜ୍ୟବାଦ ତଥା ଜାତୀୟ ପୁଞ୍ଜିବାଦୀ ବ୍ୟବସ୍ଥାର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା; ସେମାନଙ୍କ ପାଇଁ ଏକ ବଡ଼ ବିପଦରୂପେ ଉଭା ହୋଇଥିଲା ।
ତତ୍କାଳୀନ ଜାତୀୟ କଂଗ୍ରେସ ଥିଲା ସ୍ୱାଧୀନତା ସଂଗ୍ରାମର ଏକ ବୃହତ୍ ମଞ୍ଚ, ଯାହାର ଅଭ୍ୟନ୍ତରରେ ଆପୋଷହୀନ ବିପ୍ଳବବାଦୀ ଏବଂ ଆପୋଷକାମୀ ସଂସ୍କାରବାଦୀଙ୍କ ମଧ୍ୟରେ ଆଦର୍ଶଗତ ସଂଗ୍ରାମ ଜାରି ରହିଥିଲା । ନେତାଜୀ ଦୁଇଥର କଂଗ୍ରେସର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ପ୍ରଥମେ ହରିପୁରା କଂଗ୍ରେସରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହେଲା ପରେ ସେ ତାଙ୍କର ସଭାପତି ଅଭିଭାଷଣରେ ଡୋମିନିୟନ୍ ଷ୍ଟାଟସ୍ ବା ସ୍ୱାୟତ୍ତ ଶାସନ ପରିବର୍ତ୍ତେ ପୂର୍ଣ୍ଣ ସ୍ୱାଧୀନତାର ଦୃଢ଼ ଦାବି ଉପସ୍ଥାପନ କଲେ । ଏହାଛଡ଼ା ସମସ୍ତ ଶ୍ରମିକ, କର୍ମଚାରୀଙ୍କୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ଆହ୍ୱାନ ଦେଲେ ଏବଂ ଦେଶରୁ ଜମିଦାରୀ ପ୍ରଥାର ଉଚ୍ଛେଦ ଓ ବିଶେଷ କରି ସୋଭିଏତ୍ ୟୁନିଅନ୍କୁ ଦେଶର ସ୍ୱାଧୀନତା ସଂଗ୍ରାମ ତଥା ବିଶ୍ୱ ସାମ୍ରାଜ୍ୟବାଦ ବିରୋଧି ସଂଗ୍ରାମର ବାସ୍ତବ ବନ୍ଧୁ ଭାବରେ ମହିମା ମଣ୍ଡିତ କରିଥିଲେ । ତାଙ୍କର ଏହି ଆଭିମୁଖ୍ୟ କଂଗ୍ରେସ ମଧ୍ୟରେ ଥିବା ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି କଲା । ଫଳରେ ପରବର୍ତ୍ତୀ ତ୍ରିପୁରୀ ଅଧିବେଶନରେ ନେତାଜୀଙ୍କୁ ପରାସ୍ତ କରିବା ପାଇଁ ତାଙ୍କ ବିରୁଦ୍ଧରେ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ କରାଗଲା । ତା’ ସତ୍ତ୍ୱେ ବି ଦକ୍ଷିଣପନ୍ଥୀମାନଙ୍କର ଶୋଚନୀୟ ପରାଜୟ ହେଲା ଏବଂ ନେତାଜୀ ସଭାପତି ରୂପେ ନିର୍ବାଚିତ ହେଲେ । ତଥାପି କ୍ରୋଧାନ୍ୱିତ ଦକ୍ଷିଣପନ୍ଥୀ ତାଙ୍କର ଷଡଯନ୍ତ୍ରରେ ସଫଳ ହେଲେ ଏବଂ ନେତାଜୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ଏହାପରେ ତାଙ୍କୁ କଂଗ୍ରେସରୁ ବହିଷ୍କାର କରାଗଲା । ସିପିଆଇ ଭଳି ବାମପନ୍ଥୀ ପାର୍ଟି ଠାରୁ ସମର୍ଥନ ଆଶା କରି ମଧ୍ୟ ସେ ନିରାଶ ହୋଇଥିଲେ । ଧର୍ମୀୟ ମୌଳବାଦ ଓ ସାମ୍ପ୍ରଦାୟିକତାବାଦକୁ ସେ ତୀବ୍ର ବିରୋଧ କରୁଥିଲେ । ସେ ଘୋଷଣା କରିଥିଲେ ଯେ ରାଜନୀତି ସର୍ବଦା ଧର୍ମୀୟ ପ୍ରଭାବରୁ ମୁକ୍ତ ରହି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ଯୁକ୍ତିସିଦ୍ଧ ଆଚରଣ ଏବଂ ଅର୍ଥନୈତିକ ତତ୍ତ୍ୱ ଆଧାରିତ ହେବା ଉଚିତ । ଏତଦ୍ ବ୍ୟତୀତ ସ୍ୱାଧୀନତା ସଂଗ୍ରାମକୁ ଘୋର ବିରୋଧ କରୁଥିବା ହନ୍ଦୁ ମହାସଭା, ଆରଏସ୍ଏସ୍ ଏବଂ ମୁସ୍ଲିମ୍ ଲିଗ୍ ମଧ୍ୟ ତାଙ୍କୁ ତୀବ୍ର ବିରୋଧ କରୁଥିଲେ । ପରିଶେଷରେ ନେତାଜୀ ଦେଶଛାଡ଼ି, ଇଣ୍ଡିଆନ୍ ନ୍ୟାସନାଲ ଆର୍ମି ଗଠନ କରି ଦ୍ୱିତୀୟ ବିଶ୍ୱଯୁଦ୍ଧର ମିତ୍ରଶକ୍ତି ଏବଂ ଅକ୍ଷଶକ୍ତି ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ କାମରେ ଲଗାଇ ଦେଶର ମୁକ୍ତିପାଇଁ ପ୍ରଚେଷ୍ଟା କରିଥିଲେ । ବାକି ସବୁ ଇତିହାସ ।
ଆମେମାନେ ସମସ୍ତେ ଜାଣନ୍ତି ଯେ ନେତାଜୀଙ୍କ ନେତୃତ୍ୱରେ ସଙ୍ଗଠିତ ଐତିହାସିକ ସଂଗ୍ରାମର ଦୁଃଖଦ ପରିସମାପ୍ତି ହୋଇଥିଲା । ଦେଶ ମାତୃକାର ଅନ୍ୟତମ ଶ୍ରେଷ୍ଠ ସନ୍ତାନଙ୍କ ମହାନ ତ୍ୟାଗ, ବଳିଦାନ ଏବଂ ଅପୂର୍ବ ବୀରତ୍ୱପୂର୍ଣ୍ଣ ସଂଗ୍ରାମର ବାସ୍ତବ ଇତିହାସ ଆଜି ବି ଦେଶବାସୀଙ୍କ ନିକଟରେ ଅଜଣା ହୋଇ ରହିଯାଇଛି । ଦେଶ ରାଜନୈତିକ ସ୍ୱାଧୀନତା ହାସଲ କଲା । ମାତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ୱପ୍ନ – ଜନଗଣଙ୍କ ଆର୍ଥିକ, ରାଜନୈତିକ, ସାମାଜିକ ମୁକ୍ତି ଯାହା ଆଜି ବି ସୁଦୂର ପରାହତ । ଆମେ ଜାଣନ୍ତି ଶହୀଦ୍ ଖୁଦୀରାମ ବୋଷ, ମାଷ୍ଟରଦା ସୂର୍ଯ୍ୟସେନ, ଆସ୍ଫାକ୍ଉ୍ଲ୍ଲା ଖାନ୍, ଚନ୍ଦ୍ରଶେଖର ଆଜାଦ, ଭଗତ ସିଂ ଓ ସ୍ୱାଧୀନତା ସଂଗ୍ରାମର ଆହୁରି ହଜାର ହଜାର ଯୋଦ୍ଧାଙ୍କର ଏହା ହିଁ ଅଭିଳାଷ ଥିଲା, ଯାହା ଆଜି ଉପେକ୍ଷିତ ।
ଆଜି ଦେଶର କି ପରିସ୍ଥିତି ଆମେ ଲକ୍ଷ୍ୟ କରୁଛୁ । କୋଟି କୋଟି ବେକାର ଯୁବକ, କୋଟି କୋଟି ଛଟେଇ ଶ୍ରମିକରେ ଆଜି ଦେଶ ଛାଇଯାଇଛି । ହଜାର ହଜାର ସଂଖ୍ୟାରେ ଅନାହାର ମୃତ୍ୟୁ, ଲକ୍ଷ ଲକ୍ଷ କୃଷକଙ୍କ ଆତ୍ମହତ୍ୟା, ଶିଶୁ କନ୍ୟା ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ବଳାତ୍କାର ଆଜି ପ୍ରତିଦିନ, ପ୍ରତିମୁହୂର୍ତ୍ତରେ ଘଟିଚାଲିଛି । ସଂସଦୀୟ ଗଣତନ୍ତ୍ର ନାମରେ ଦେଶରେ ବାସ୍ତବରେ ଗଣତନ୍ତ୍ରର ଘୃଣ୍ୟ ଉପହାସ ଚାଲିଛି । ବାକ୍ ସ୍ୱାଧୀନତା, ପ୍ରତିବାଦ କରିବାର ସ୍ୱାଧୀନତାକୁ ପଶୁବଳରେ ଦମନ କରାଯାଉଛି । ଲଗାମହୀନ ଦୁର୍ନୀତି, ଅବାଧ ଶଠତା ଓ ଅପରାଧିକ କାର୍ଯ୍ୟକଳାପ ତଥାକଥିତ ନେତାମାନଙ୍କର ସ୍ୱଭାବିକ ଅଭ୍ୟାସରେ ପରିଣତ ହୋଇଛି । ଯୁବ ସମାଜକୁ ମନୁଷ୍ୟତ୍ୱହୀନ କରିବାର ଘୃଣ୍ୟ ଉଦ୍ଦେଶ୍ୟରେ ଅଧଃପତନ ରାସ୍ତାରେ ଠେଲି ଦିଆଯାଉଛି । ସମସ୍ତ ସୂକ୍ଷ୍ମ ମାନବୀୟ ଗୁଣାବଳୀ, ମଣିଷ ପ୍ରତି ମଣିଷର ଭଲ ପାଇବା, ସାମାଜିକ ଦାୟବଦ୍ଧତା, ଯୁକ୍ତିଶୀଳ ମାନସିକତା, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିବର୍ଜିତ କରି ଯୁବ ସମାଜକୁ ପଙ୍ଗୁ କରିଦିଆଯାଉଛି । ଦେଶ ବର୍ତ୍ତମାନ ସାମ୍ପ୍ରଦାୟିକ, ଜାତିଆଣ, ଆଞ୍ଚଳିକତା ଭଳି ସଂକୀର୍ଣ୍ଣତାର ଦାବାଗ୍ନିରେ କବଳିତ । ଆଜିର କ୍ଷମତାସୀନ ଦଳ ଶାସକ ଶ୍ରେଣୀର ସ୍ୱାର୍ଥ ରକ୍ଷାପାଇଁ ଏହିସବୁ କୁକର୍ମ ଜାରି ରଖି ସମାଜରୁ ନୀତି-ନୈତିକତା ଧ୍ୱଂସ କରି ଚାଲିଛି । ଏହା କ’ଣ ବାସ୍ତବରେ ସେହି ସ୍ୱାଧୀନତା ଯାହାପାଇଁ ନେତାଜୀ ସୁଭାଷ ଚନ୍ଦ୍ର ଏବଂ ହଜାର ହଜାର ଶହୀଦ୍ ଦେଶର ସ୍ୱାଧୀନତା ସଂଗ୍ରାମରେ ଅକାତରେ ପ୍ରାଣ ବିସର୍ଜନ କରିଥିଲେ? ଏହା ହିଁ ଆଜି ଜନସାଧାରଣଙ୍କ ବିବେକ ନିକଟରେ ପ୍ରଶ୍ନ ।
ଏହିଠାରେ ହିଁ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନର ଗୁରୁତ୍ୱ । ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟଟିକୁ ଯଥାଯୋଗ୍ୟ ମର୍ଯ୍ୟାଦାର ସହ ସମାପନ କରିବାର ଦାୟିତ୍ୱ ଆଜି ଦେଶର ଛାତ୍ର, ଯୁବକ, ଶିକ୍ଷିକ, ବୁଦ୍ଧିଜୀବୀ ତଥା ସର୍ବସ୍ତରର ସାଧାରଣ ମଣିଷ ବହନ କରିବାକୁ ଆଗେଇ ଆସିବା ପ୍ରୟୋଜନ । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ଜନସାଧାରଣ ସ୍ୱାଧୀନତା ଆନ୍ଦୋଳନ ଏବଂ ନେତାଜୀଙ୍କ ଜୀବନ ସଂଗ୍ରାମର ସଠିକ୍ ଇତିହାସ ସମ୍ପର୍କରେ ଜାଣିବା ଓ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ । ନେତାଜୀ ଏବଂ ତାଙ୍କ ଭଳି ଆହୁରି ଅନେକ ବିପ୍ଳବୀ ସମାଜ ପାଇଁ ତାଙ୍କର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିଯାଇଛନ୍ତି । ସମୟ ଆସିଛି, ନେତାଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମମାନଙ୍କୁ ଆମର ଐତିହାସିକ ଦାୟିତ୍ୱ ନିର୍ବାହ କରିବାକୁ ହେବ । ପ୍ରଥମ ପଦକ୍ଷେପ ଭାବରେ ଇତିହାସର ବିକୃତିକରଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ହେବ ଏବଂ ଏହି ମହାନ୍ ଯୋଦ୍ଧାଙ୍କର ଜୀବନ ସଂଗ୍ରାମ ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ଆଲୋଚନା କରିବା ସହ ତାଙ୍କ ହୃଦୟର ବ୍ୟଥାକୁ ନିଜ ହୃଦୟରେ ବହନ କରି, ତାଙ୍କର ଜୀବନରୁ ଶିକ୍ଷା ଗ୍ରହଣ କରି ସେହି ପଥରେ ଅଗ୍ରସର ହେବାକୁ ପଡ଼ିବ । ଏହା ହିଁ ହେବ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧା ଜ୍ଞାପନ ଓ ସମ୍ମାନ ପ୍ରଦର୍ଶନ ।