ସାରା ଓଡ଼ିଶା ନେତାଜୀ ସୁଭାଷ ୧୨୫ତମ ଜୟନ୍ତୀ କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ

Sarbaharakranti 15.03.2021 – ଚଳିତ ବର୍ଷ ଦେଶର ସ୍ୱାଧୀନତା ଆନ୍ଦୋଳନର ମହାନ୍‍ ନେତା ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମବାର୍ଷିକୀ । ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଜଡ଼ିତ କରି ମୁକ୍ତି ସଂଗ୍ରାମର ଏହି ଅନନ୍ୟ ନାୟକଙ୍କର ସଂଗ୍ରାମୀ ଜୀବନର ବିଭିନ୍ନ ଦିଗ ଉପରେ ବସ୍ତୁନିଷ୍ଠ ବିଶ୍ଳେଷଣ ଓ ବ୍ୟାପକ ଚର୍ଚ୍ଚା କରିବା ଉଦ୍ଦେଶ୍ୟରେ “ସାରା ଓଡ଼ିଶା ନେତାଜୀ ସୁଭାସ ୧୨୫ତମ ଜୟନ୍ତୀ କମିଟି” ଗଠନ କରାଯାଇଛି । ବିଭିନ୍ନ ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ପ୍ରସଙ୍ଗରେ ତଥା ସ୍ୱାଧୀନତା ଆନ୍ଦୋଳନ ଓ ସ୍ୱାଧୀନତା ସମ୍ପର୍କରେ ନେତାଜୀଙ୍କ ଆଭିମୁଖ୍ୟକୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଏହି କମିଟି ସ୍ଥିର କରିଛି । ଓଡ଼ିଶା ଉଚ୍ଚନ୍ୟାଳୟର ଅବସରପ୍ରାପ୍ତ ବିଚାରପତି ତଥା ରାଜ୍ୟମାନବାଧିକାର କମିଶନର ସଭ୍ୟ ଜଷ୍ଟିସ୍‍ ରଘୁବୀର ଦାଶଙ୍କ ଚେୟାରମ୍ୟାନ୍‍ସିପ୍‍ରେ ଗଠିତ ଏହି ରାଜ୍ୟସ୍ତରୀୟ କମିଟିରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବୈଷ୍ଣବ ଚରଣ ତ୍ରିପାଠୀ ସଭାପତି ପଦବୀ ଅଳଙ୍କୃତ କରିଛନ୍ତି । ସାମାଜିକ କର୍ମୀ ବିଶ୍ୱାବସୁ ଦାସ କମିଟିର ରାଜ୍ୟ ସମ୍ପାଦକ ଦାୟିତ୍ୱ ପାଳନ କରୁଛନ୍ତି । ଏହା ବ୍ୟତୀତ ସମଜର ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ଶିକ୍ଷାବିତ୍‍, ସମାଜସେବୀ, ସଚେତନ ନାଗରିକ, ସାହିତ୍ୟିକ, କବି, ଲେଖକ, ଶିଳ୍ପୀ, ଆଇନ୍‍ଜୀବୀ, ଛାତ୍ର, ଯୁବକ, ମହିଳା ଏହି କମିଟିର କାର୍ଯ୍ୟକ୍ରମ ସହିତ ବିଭିନ୍ନ ଭାବରେ ସଂଶ୍ଳିଷ୍ଟ ହୋଇଛନ୍ତି । ରାଜ୍ୟ କମିଟିର ଉଦ୍ୟୋଗରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଅନୁଗୁଳ, ଗଞ୍ଜାମ ପ୍ରଭୃତି ଜିଲ୍ଲାରେ “ସାରା ଓଡ଼ିଶା ନେତାଜୀ ସୁଭାଷ ୧୨୫ତମ ଜୟନ୍ତୀ କମିଟି”ର ଜିଲ୍ଲାଶାଖାମାନ ପ୍ରତିଷ୍ଠିତ ହୋଇଛି ଓ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଚଳିତ ବର୍ଷ ଜାନୁୟାରୀ ୨୩, ନେତାଜୀ ଜୟନ୍ତୀ ଦିନ କଟକସ୍ଥ ଗାନ୍ଧୀଭବନଠାରେ ବର୍ଷବ୍ୟାପୀ ପାଳନ କାର୍ଯ୍ୟକ୍ରମର ଉଦ୍‍ଘାଟନ ଉପଲକ୍ଷେ ରାଜ୍ୟ କମିଟି ଉଦ୍ୟୋଗରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଷ୍ଟୁୱାଟ୍‍ ବିଜ୍ଞାନ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଦେବାଶିଷ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କମିଟିର ଚେୟାରମ୍ୟାନ୍‍ ଜଷ୍ଟିସ୍‍ ରଘୁବୀର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ବୁଦ୍ଧିଜୀବୀ ତଥା ସାମାଜିକ କର୍ମୀ ଶ୍ରୀଯୁକ୍ତ ଶଙ୍କର ଦାସଗୁପ୍ତା ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । କମିଟି ସମ୍ପାଦକ ଶ୍ରୀ ବିଶ୍ୱାବସୁ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ନେତାଜୀଙ୍କର ଏକ ଫଟୋ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡଃ ସିଦ୍ଧାର୍ଥ ଭରଦ୍ୱାଜ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ କରୋନା କଟକଣା ସତ୍ତ୍ୱେ ଶତାଧିକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ଯାଜପୁର

ଯାଜପୁର ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ କମିଟି ଓ କେତୋଟି ଆଞ୍ଚଳିକ କମିଟି ଗଠନ କରାଯାଇଛି । ଏହି କମିଟି ଉଦ୍ୟୋଗରେ କବାଟବନ୍ଧ ଓ କାଏମାଠାରେ ଜାନୁୟାରୀ ୨୩ ତାରିଖରେ ସଭାମାନ ଅନୁଷ୍ଠିତ ହୋଇଥିଲା । କବାଟବନ୍ଧ ଠାରେ ନାଟ୍ୟକାର ସୁକାନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର କର ମୁଖ୍ୟବକ୍ତା, ନାଟ୍ୟକାର ଗୋକୁଳାନନ୍ଦ ସାହୁ ସମ୍ମାନିତ ଅତିଥିଭାବରେ ଯୋଗ ଦେଇଥିଲେ । ଏହା ବ୍ୟତୀତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କୋଦଣ୍ଡଧର ନାୟକ, ପ୍ରମୁଖ ମଧ୍ୟ ଏହି ସଭାରେ ବକ୍ତବ୍ୟ ରଖିଥିଲେ । ସେହିଭଳି କାଏମାଠାରେ ଅନୁଷ୍ଠିତ ସଭାରେ ଶ୍ରୀଯୁକ୍ତ ଅକ୍ଷୟ ଦାସ, ପ୍ରଫୁଲ୍ଲ ନାୟକ, ଦମୟନ୍ତୀ ମୁଦୁଲି, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଫେବୃଆରୀ ୭ ତାରିଖରେ ଅନ୍‍ଲାଇନ୍‍ରେ ଯାଜପୁର ଜିଲ୍ଲାସ୍ତରୀୟ ଉଦ୍‍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ରାଜ୍ୟ କମିଟିର ଅନ୍ୟତମ ଉପଦେଷ୍ଟା ଡଃ ରାଜକିଶୋର ପାଢ଼ୀ, ପ୍ରଫେସର ନୀହାର ରଞ୍ଜନ ଜେନା, ସାହିତ୍ୟିକ ଶ୍ରୀମତୀ ଭାରତୀ ଦାସ, ନାଟ୍ୟକାର ଶ୍ରୀଯୁକ୍ତ ସୁକାନ୍ତ ଦାସ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ସାମଲ, ଶ୍ରୀଯୁକ୍ତ ଅକ୍ଷୟ ଦାସ, ସଂଘମିତ୍ରା ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଫେବୃଆରୀ ୨୧ ତାରିଖରେ ଛତିଆଠାରେ ଅନୁଷ୍ଠିତ ନେତାଜୀଙ୍କ ଜୟନ୍ତୀ ସଭାରେ ଶ୍ରୀ ଅକ୍ଷୟ ଦାସ, ସୁରେଶ ବିଶ୍ୱାଳ, ଭରତ ଚନ୍ଦ୍ର ବେହେରା, କାର୍ତ୍ତିକ ଚନ୍ଦ୍ର ବାରିକ, ଆଲୋକ କୁମାର ସ୍ୱାଇଁ, ବିଚିତ୍ର ଦାସ ଓ ଦମୟନ୍ତୀ ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

କେନ୍ଦ୍ରାପଡ଼ା

ସେହିଭଳି ଜାନୁଆରୀ ୨୩ ତାରିଖରେ ସାରା ଓଡ଼ିଶା ନେତାଜୀ ସୁଭାସ ୧୨୫ତମ ଜୟନ୍ତୀ କମିଟି, କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ରାପଡ଼ାଠାରେ ଉଦ୍‍ଘାଟନୀ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କମିଟିର ସଭାପତି ଡଃ ବାସୁଦେବ ଦାସଙ୍କ ସଭାପତିତ୍ୱରେ କେନ୍ଦ୍ରାପଡ଼ା ପ୍ରେସ୍‍କ୍ଲବଠାରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା କମିଟିର ସମ୍ପାଦକ ଶ୍ରୀଯୁକ୍ତ ପବିତ୍ର ମୋହନ ପଟ୍ଟନାୟକ ଏହି ବର୍ତ୍ତମାନ ପରିସ୍ଥିତିରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସଭାରେ ବରେଣ୍ୟ ଅତିଥି ପ୍ରାଧ୍ୟାପକ ନନ୍ଦକିଶୋର ପରିଡ଼ା ଏବଂ କରୁଣାକର ଦାସ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଶୁଭ୍ରାଂସୁ ଦାସ, ଅରୁଣ ପ୍ରମାଣିକ, ସଂଜୟ କୁମାର ଜେନା, କାର୍ତ୍ତିକ ଚରଣ ନାୟକ, ଡଃ ରତ୍ନାକର ମଲ୍ଲିକ, ଆଶିଷ ସେନାପତି, ପ୍ରଦୀପ କୁମାର ଦାସ, କେଦାର ସାମନ୍ତରାୟ ପ୍ରମୁଖ ବକ୍ତବ୍ୟ ରଖି ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଲିନା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ରହ୍ମପୁର

ଫେବୃଆରୀ ୨୮ ତାରିଖରେ ବ୍ରହ୍ମପୁର ସହରର ସଂକଳ୍ପ ସ୍କୁଲଠାରେ “ସାରା ଭାରତ ଓଡ଼ିଶା ନେତାଜୀ ସୁଭାସ ୧୨୫ତମ ଜୟନ୍ତୀ କମିଟି’ର ଗଞ୍ଜାମ ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଶିକ୍ଷାବିତ୍‍, ବୁଦ୍ଧିଜୀବୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆଲୋଚକମାନେ ନେତାଜୀଙ୍କ ଜୀବନ ଓ ରାଜନୈତିକ କାର୍ଯ୍ୟକଳାପ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାରୁ ବହୁ ଯୁବକ ଯୁବତୀ ସେ ସମୟରେ ନେତାଜୀଙ୍କ ନେତୃତ୍ୱରେ ପରିଚାଳିତ ଆଜାଦ୍‍ହିନ୍ଦ୍‍ ବାହିନୀରେ ଯୋଗଦେଇଥିବା କଥା ବକ୍ତାମାନେ ମଧ୍ୟ ପ୍ରକାଶ କରିଥିଲେ । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏକ ନେତାଜୀ କମିଟି ଗଠନ କରାଯାଇଛି । ବରିଷ୍ଠ ଆଇନ୍‍ଜୀବୀ ଶ୍ରୀଯୁକ୍ତ ଭଗବାନ ସାହୁ ଏହି କମିଟିର ଚେୟାରମ୍ୟାନ୍‍ ଭାବରେ ମନୋନୀତ ହୋଇଥିଲାବେଳେ ସାହିତ୍ୟିକା ଡଃ ବିଦୁପ୍ରଭା ରଥ ସଭାପତି ଓ ସାମାଜିକ କର୍ମୀ ସୋମନାଥ ବେହେରା ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି । ବର୍ଷବ୍ୟାପୀ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି କରାଯାଇଛି ।

କଟକ
ଫେବୃଆରୀ ୨୦ ତାରିଖରେ କଟକ ଜିଲ୍ଲା କମିଟି ଉଦ୍ୟୋଗରେ କଟକ କଲେଜଛକଠାରେ ନେତାଜୀଙ୍କ ଉଦ୍ଧୃତି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନ୍‍ଜୀବୀ ଶ୍ରୀଯୁକ୍ତ ଗୌତମ ମୁଖାର୍ଜୀ ଏହି ଉଦ୍ଧୃତି ପ୍ରଦର୍ଶନୀକୁ ଉଦ୍‍ଘାଟନ କରିଥିଲେ । କଟକ ଜିଲ୍ଲା କମିଟିର ସଭାପତି ଡଃ ଦେବାଶିଷ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଳେ । ଏହି କାର୍ଯ୍ୟକ୍ରମରେ କମିଟିର ରାଜ୍ୟ ସମ୍ପାଦକ ବିଶ୍ୱାବସୁ ଦାସ, ଶିକ୍ଷାବିତ୍‍ ବିଦ୍ୟୁତ୍‍ କୁମାରୀ ଲାଲା, ଡଃ ଅଜୁର୍ନ ବିଶ୍ୱାଳ, ଡଃ ସିଦ୍ଧାର୍ଥ ଭରଦ୍ୱାଜ, ସାମାଜିକ କର୍ମୀ ଡଲି ଦାଶ, ସତ୍ୟଗୋପାଳ ପରିଜା, ଆଡ଼ଭୋକେଟ ବିଜୟ ରାଉତରାୟ ପ୍ରମୁଖ ଶତାଧିକ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

କଟକ ଜିଲ୍ଲାର ଦଢ଼ାପାଟଣାଠାରେ କମିଟର ବାରଙ୍ଗ ବ୍ଲକ୍‍ ଶାଖା ପକ୍ଷରୁ ମାର୍ଚ୍ଚ ୪ ତାରିଖରେ ନେତାଜୀଙ୍କର ଊଦ୍ଧୃତି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନୀକୁ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ବିଜୟ କୁମାର ଶତପଥି ଆନୁଷ୍ଠାନିକ ଭାବରେ ଉଦ୍‍ଘାଟନ କରିଥିଲେ । କମିଟିର ବାରଙ୍ଗ ବ୍ଲକ୍‍ ଶାଖା ସଭାପତି ଅବସରପ୍ରାପ୍ତ ସରକାରୀ ଅଧିକାରୀ ଶ୍ରୀଯୁକ୍ତ ସୁକାନ୍ତ ମହାରଣା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ଡଃ ସିଦ୍ଧାର୍ଥ ଭରଦ୍ୱାଜ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ବେହୁରା, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ତପନ ସେଠୀ ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ରଖିଥିଲେ । ଶ୍ରୀ ଅଶୋକ ବେହେରା, ଟିକା ସାମଲ, ଶୁଭ୍ରା ରାୟ, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ, ଆଇନ୍‍ଜୀବୀ ଅରବିନ୍ଦ ବେହେରା ପ୍ରମୁଖଙ୍କ ସମେତ ଶତାଧିକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଅନୁଗୁଳ
୧୨୫ତମ ଜନ୍ମବାର୍ଷିକୀ ପାଳନ କମିଟି, ଅନୁଗୁଳ ଶାଖା ପକ୍ଷରୁ ଅନୁଗୁଳ ସହରର କଳାକେନ୍ଦ୍ରଠାରେ ମାର୍ଚ୍ଚ ୭ ତାରିଖରେ ଜିଲ୍ଲାସ୍ତରୀୟ ଉଦ୍‍ଘାଟନୀ ସଭା ଅନୁଷ୍ଠିତ ହୋଇଛି । କମିଟିର ସଭାପତି ଆଡ୍‍ଭୋକେଟ୍‍ ପ୍ରମୋଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସମ୍ପାଦିକା ମାନସୀ ସ୍ୱାଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ତଥା ଶିକ୍ଷାବିତ୍‍ ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ଦାଶ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମାଜିକ କର୍ମୀ ଶ୍ରୀ ଅଶୋକ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଶିକ୍ଷାବିତ୍‍ ଶ୍ରୀଯୁକ୍ତ ଅଭିମନ୍ୟୁ ସ୍ୱାଇଁ ମଞ୍ଚାସୀନ ଥିଲେ ।

Leave a Reply

Your email address will not be published. Required fields are marked *