ଲଗାତର ୪ ମାସ ଧରି ଚାଲିଛି ଦିଲ୍ଲୀର ଐତିହାସିକ କୃଷକ ଆନ୍ଦୋଳନ

Sarbaharakranti 15.03.2021 - ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି ଚୂଡ଼ାନ୍ତ ଭାବରେ ଜନସ୍ୱାର୍ଥବିରୋଧି କୃଷି ଆଇନ୍‍ ପ୍ରତିବାଦରେ ଗତବର୍ଷ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀ ସୀମାରେ ଚାଲିଥିବା ଐତିହାସିକ କୃଷକ ଆନ୍ଦୋଳନ ଇତି ମଧ୍ୟରେ ୪ମାସ ଅତିକ୍ରମ କରିଛି । ଏହି ୪ ମାସ ମଧ୍ୟରେ ଆନ୍ଦୋଳନକାରୀ କୃଷକମାନଙ୍କୁ ନଭେମ୍ବର-ଡିସେମ୍ବର ମାସର ହାଡ଼ଭଙ୍ଗା ଶୀତ ସହିତ ଅଦିନିଆ ବର୍ଷାର ପ୍ରକୋପ ସହ୍ୟ କରିବାକୁ ପଡ଼ିଛି । ପୁଲିସର ଲାଠି ଓ ପାଣିମାଡ଼ ସମେତ ହଜାର ହଜାର ମିଛ ମକଦ୍ଦମା ଓ ଆଖିବୁଜା ଗିରଫଦାରୀର ମୁକାବିଲା କରିବାକୁ ପଡ଼ିଛି । କର୍ପୋରେଟ୍‍ ପୁଞ୍ଜି ପରିଚାଳିତ ଓ ନିୟନ୍ତ୍ରିତ ସରକାରୀ ମୁଖପତ୍ରରେ ପରିଣତ ହୋଇଥିବା ଗଣମାଧ୍ୟମର ଅପପ୍ରଚାର ଓ କୁତ୍ସାର ମୁକାବିଲା କରିବାକୁ ପଡ଼ିଛି । ଏହି ନଜିର ବିହୀନ ଲଢ଼େଇର ଯଜ୍ଞବେଦୀରେ ୨୫୦ରୁ ଅଧିକ ଅମୂଲ୍ୟ ଜୀବନର ଆହୁତି ଦେବାକୁ ପଡ଼ିଛି । ଆନ୍ଦୋଳନକାରୀ ମାନଙ୍କୁ ଜାତି, ଧର୍ମ, ଅଞ୍ଚଳ ଓ ଭାଷା ଭିତ୍ତିରେ ଭାଗଭାଗ କରି ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ଓ ଆର୍‍ଏସ୍‍ଏସ୍‍-ବିଜେପିର ଷଡଯନ୍ତ୍ରକୁ ପ୍ରତିହତ କରିବାକୁ ପଡ଼ିଛି । ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲାଠାରେ ପ୍ରାୟୋଜିତ ହିଂସାକାଣ୍ଡକୁ ହତିଆର କରି ଆନ୍ଦୋଳନ ସମ୍ପର୍କରେ ବ୍ୟାପକ ବିଭ୍ରାନ୍ତି ସୃଷ୍ଟି କରିବାପାଇଁ ଘୃଣ୍ୟ ଉଦ୍ୟମକୁ ଦୃଢ଼ତାର ସହିତ ମୁକାବିଲା କରିବାକୁ ପଡ଼ିଛି । ଜାନୁଆରୀ ୨୬ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ପୁଲିସ୍‍ ସହାୟତାରେ ଆରଏସ୍‍ଏସ୍‍-ବିଜେପିର ଗୁଣ୍ଡା ମାନଙ୍କ ଦ୍ୱାରା ଆନ୍ଦୋଳନକାରୀମାନଙ୍କୁ ଦିଲ୍ଲୀ ସୀମାନ୍ତରୁ ବଳପୂର୍ବକ ହଟାଇ ଦେବାପାଇଁ କରାଯାଇଯାଇଥିବା ହୀନ ଉଦ୍ୟମର ବୀରତ୍ୱପୂର୍ଣ୍ଣ ମୁକାବିଲା କରିବାକୁ ପଡ଼ିଛି । ଏହି ଆନ୍ଦୋଳନକୁ ଖଲିସ୍ଥାନୀ, ମାଓବାଦୀ, ପାକିସ୍ଥାନ, ଚୀନ ଓ ଅନ୍ୟାନ୍ୟ ବିଦେଶୀ ଶକ୍ତିମାନଙ୍କ ଦ୍ୱାରା ପ୍ରୋତ୍ସାହିତ ବୋଲି ଚିତ୍ରଣ କରିବାପାଇଁ ସରକାରୀ ଉଦ୍ୟମକୁ ବିଫଳ କରିବାକୁ ପଡ଼ିଛି । କଳେବଳେ କୌଶଳେ ଆନ୍ଦୋଳନ ମଞ୍ଚ ମଧ୍ୟରେ ବିଭେଦ ସୃଷ୍ଟି କରିବାପାଇଁ ସରକାରୀ ପ୍ରୟାସକୁ ସଫଳ ଭାବରେ ମୁକାବିଲା କରିବାକୁ ପଡ଼ିଛି । ପପ୍‍ ଗାୟିକା ରିହାନା ଓ ପରିବେଶ କର୍ମୀ ଗ୍ରେଟା ଥନବର୍ଗଙ୍କର ଏହି ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନକୁ ଆଳକରି ଟୁଲ୍‍କିଟ୍‍ ମାମଲାରେ ବାଙ୍ଗାଲୋରର ୧୮ ବର୍ଷୀୟ ତରୁଣୀ ଦିଶା ରବିଙ୍କୁ ଗିରଫ କରାଯିବା ଓ ଟୁଲ୍‍କିଟ୍‍ ମାମଲାକୁ ଭାରତ ବିରୁଦ୍ଧରେ ଆନ୍ତର୍ଜାତୀୟ ଷଡଯନ୍ତ୍ର ଭାବରେ ଚିତ୍ରିତ କରି ଆନ୍ଦୋଳନକୁ ବଦ୍‍ନାମ କରିବାପାଇଁ କରାଯାଇଥିବା ଘୃଣ୍ୟ ଉଦ୍ୟମକୁ ଅସୀମ ସାହସ, ଧୈର୍ଯ୍ୟ ଓ ବିଚକ୍ଷଣତା ସହିତ ମୁକାବିଲା କରିବାକୁ ପଡ଼ିଛି । ଏହିଭଳି ଭାବରେ ସୀମାହୀନ ବାଧା ପ୍ରତିବନ୍ଧକକୁ ସାମ୍‍ନା କରି ଏବଂ ଦେଶର ଏକଚାଟିଆ ପୁଞ୍ଜିପତିମାନଙ୍କର ନିର୍ଲଜ୍ଜ ଦଲାଲି କରୁଥିବା ଚୂଡ଼ାନ୍ତ ଜନବିରୋଧି କେନ୍ଦ୍ର ସରକାର ତଥା ବିଜେପି-ଆରଏସ୍‍ଏସ୍‍କୁ ପ୍ରତିପାଦରେ ମୁକାବିଲା କରି ଏହି ଗୌରବମୟ ଆନ୍ଦୋଳନ ୪ମାସ ପୂର୍ଣ୍ଣ କରିଛି ।
 ଏହି ୪ମାସ ମଧ୍ୟରେ ତିନିଥର ଭାରତବନ୍ଦ ବ୍ୟତୀତ ଲଗାତର ଦେଶବ୍ୟାପୀ ଆନ୍ଦୋଳନର ବ୍ୟାପକ କର୍ମସୂଚୀ ଗ୍ରହଣ କରଯାଇଛି । ଆହୁରି ମଧ୍ୟ ଏହି ୪ମାସ ମଧ୍ୟରେ ଆନ୍ଦୋଳନ ଦିଲ୍ଲୀ ସୀମାନ୍ତରୁ ପଞ୍ଜାବ, ହରିଆନା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶର ବ୍ୟାପକ ଅଞ୍ଚଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡ଼ୁ ସମେତ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପି ଯାଇଛି । ଇତି ମଧ୍ୟରେ ଏହି କୃଷକ ଆନ୍ଦୋଳନର ନେତୃବୃନ୍ଦ ଦେଶର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ କିଷାନ ମହାପଞ୍ଚାୟତର ଆୟୋଜନ କରିସାରିଛନ୍ତି ଏବଂ ଏହି ମହାପଞ୍ଚାୟତ ମାନଙ୍କରେ ଲକ୍ଷ ଲକ୍ଷ ଲୋକ ସମବେତ ହେଉଛନ୍ତି । ସବୁଠାରୁ ଉଲ୍ଲେଖଯୋଗ୍ୟ ହେଉଛି, କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି କୃଷକ ସ୍ୱାର୍ଥ ବିରୋଧି କଳା କୃଷି ଆଇନ୍‍ ବାତିଲ ଓ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ବାଧ୍ୟତାମୂଳକ କରିବାପାଇଁ ଆଇନ୍‍ ପ୍ରଣୟନ ଦାବିରେ ଆୟୋଜନ କରାଯାଉଥିବା ଏହି ମହାପଞ୍ଚାୟତ ମାନଙ୍କରେ ଜାତି, ଧର୍ମ, ଓ ଅଞ୍ଚଳ ନିର୍ବିଶେଷରେ କୃଷି ସହିତ ଜଡ଼ିତ ସମସ୍ତ ସ୍ତରର ଲୋକ ସ୍ୱତଃସ୍ଫୂର୍ତ୍ତ ଭାବରେ ଯୋଗ ଦେଉଛନ୍ତି । ସ୍ୱାଧିନ ଭରତର ଇତିହାସରେ ପ୍ରଥମଥର ପାଇଁ ଦେଶର କୃଷକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏହି ପରିଚୟ ସାମ୍‍ନାରେ ମଣିଷର ଅନ୍ୟ ସମସ୍ତ ପରିଚୟ ଗୌଣ ହୋଇଯାଇଛି । ପୁଣି ପ୍ରଥମଥର ପାଇଁ କୌଣସି ରାଜନୈତିକ ଦଳର ସିଧାସଳଖ ସମ୍ପୃକ୍ତି ବିନା ଏହି ଧରଣର ଏକ ଦୀର୍ଘସ୍ଥାୟୀ ଆନ୍ଦୋଳନ ଗଢ଼ିତୋଳିବା ସମ୍ଭବ ହୋଇଛି । କେବଳ ସେତିକି ନୁହେଁ, ଏହି ଆନ୍ଦୋଳନର ନେତୃତ୍ୱ ଆନ୍ଦୋଳନକୁ ଆହୁରି ବ୍ୟାପକ ସ୍ତରର ଜନସାଧାରଣଙ୍କ ମଧ୍ୟକୁ ନେଇଯିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ତାଲାବନ୍ଦୀର ସୁଯୋଗ ନେଇ ପୂର୍ବରୁ ବଳବତ୍ତର ରହିଥିôବା ସମସ୍ତ ଶ୍ରମ ଆଇନ୍‍କୁ ଉଚ୍ଛେଦକରି ୪ଟି ଶ୍ରମ କୋର୍ଡ଼ ପ୍ରଣୟନ କରିଛନ୍ତି । ଏହାଫଳରେ ସମଗ୍ର ଦେଶର ଶ୍ରମିକ କାର୍ଯ୍ୟତଃ ମାଲିକମାନଙ୍କ କ୍ରୀତଦାସରେ ପରିଣତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କର ଏହି ଧରଣର ଶ୍ରମିକ ସ୍ୱାର୍ଥ ବିରୋଧି ପଦକ୍ଷେପ ବିରୁଦ୍ଧରେ ଲଢ଼େଇକୁ ଶକ୍ତିଶାଳୀ କରିବାପାଇଁ କୃଷକ-ଶ୍ରମିକମାନଙ୍କର ଐକ୍ୟବଦ୍ଧ ମଞ୍ଚ ଗଢ଼ିତୋଳିବା ପାଇଁ ଉଦ୍ୟମ କରାଯାଉଛି । ଏହା ବ୍ୟତୀତ ବେକାରୀ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମସ୍ୟା ତଥା ସରକାରୀ କର୍ମଚାରୀମାନଙ୍କର ପେନ୍‍ସନ୍‍ ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ କୃଷକ ଆନ୍ଦୋଳନ ମଞ୍ଚରୁ ବକ୍ତବ୍ୟ ଉପସ୍ଥାପନ କରାଯାଉଛି । କୃଷକ ଆନ୍ଦୋଳନକୁ ଭିତ୍ତିକରି ଗଢ଼ି ଉଠିଥିବା ଗଣ ଆନ୍ଦୋଳନକୁ ଦେଶର ସମସ୍ତ ଅଞ୍ଚଳରେ ପରିବ୍ୟାପ୍ତ କରିବା ଓ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ ଓ ଦୀର୍ଘସ୍ଥାୟୀ କରିବା ପାଇଁ କୃଷକ-ଶ୍ରମିକ ନେତାମାନେ ଉଦ୍ୟମ ଜାରି ରଖିଛନ୍ତି । ଏହି ଉଦ୍ୟମ ଅନେକାଂଶରେ ସଫଳ ହୋଇଛି । ପ୍ରତ୍ୟେକ ଦିନ ଆନ୍ଦୋଳନ ବ୍ୟାପକ ଓ ଶକ୍ତିଶାଳୀ ହେଉଛି ।
ଆନ୍ଦୋଳନ ଚାପରେ ସରକାର ଆନ୍ଦୋଳନକାରୀମାନଙ୍କ ସହିତ ୧୨ ଦଫା ଆଲୋଚନା କରିବାପାଇଁ ବାଧ୍ୟ ହୋଇଛନ୍ତି । ପ୍ରସ୍ତାବିତ ବିଦ୍ୟୁତ୍‍ ବିଲ୍‍-୨୦୨୦କୁ ସଂସଦରେ ଉପସ୍ଥାପନ ନ କରିବାକୁ ସମ୍ମତ ହୋଇଛନ୍ତି । ପଞ୍ଜାବ, ହରିଆନା ଓ ଉତ୍ତର ପ୍ରଦେଶରେ ଧାନ କାଟିବା ପରେ ବିଲରେ ରହିଯାଇଥିବା ଧାନ ଗଛର ଅବଶିଷ୍ଟାଂଶକୁ ଜଳାଇ ଦିଆଯିବା ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବା ଓ ଏଥିପାଇଁ କରାଯାଉଥିବା ଜେଲ ଜୋରିମାନା ବ୍ୟବସ୍ଥା ବନ୍ଦ କରିବା ପାଇଁ ସମ୍ମତ ହୋଇଛନ୍ତି । ଆହୁରି ମଧ୍ୟ ଏହି ତିନୋଟି ଆଇନ୍‍କୁ ଦେଢ଼ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବା ପାଇଁ ଓ ଏହି ଆଇନ୍‍ ଗୁଡ଼ିକର ଆବଶ୍ୟକ ସଂଶୋଧନ କରିବାପାଇଁ ସରକାର ଆନ୍ଦୋଳନକାରୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି । ସରକାରଙ୍କର ଏହିସବୁ ପଦକ୍ଷେପ ପରେ ମଧ୍ୟ କୃଷକମାନେ ଆନ୍ଦୋଳନ ପ୍ରତ୍ୟାହାର କରୁ ନ ଥିବାରୁ ଏହାକୁ ପ୍ରାୟୋଜିତ ଓ ନିଚ୍ଛକ ମୋଦି ବିରୋଧି ଆନ୍ଦୋଳନ ବୋଲି ପ୍ରଚାର କରିବାପାଇଁ ଗଣମାଧ୍ୟମ ଉଦ୍ୟମ କରୁଛି । ତେବ ଏହା ଅତ୍ୟନ୍ତ ସ୍ପଷ୍ଟ ଯେ ସରକାରଙ୍କର ଅସଲ ଉଦ୍ଦେଶ୍ୟ ହେଉଛି ଯେକୌଣସି ଉପାୟରେ ଆନ୍ଦୋଳନକାରୀ କୃଷକମାନଙ୍କୁ ଦିଲ୍ଲୀ ସୀମାରୁ ହଟାଇଦେବା, ସେମାନଙ୍କର ଦାବି ପୁରଣ କରିବା ନୁହେଁ । କାରଣ ସରକାର ଜାଣନ୍ତି ଏହି ଧରଣର ଆନ୍ଦୋଳନ ଥରେ ପ୍ରତ୍ୟାହୃତ ହେଲେ ପୁଣିଥରେ ଦାନା ବାନ୍ଧିବା କଷ୍ଟସାଧ୍ୟ । ଆନ୍ଦୋଳନକାରୀ କୃଷକ ନେତାମାନେ ସରକାରଙ୍କର ଏହି ସମସ୍ତ ପଦକ୍ଷେପ ପଛରେ ଥିବା ଅସଲ ଉଦ୍ଦେଶ୍ୟକୁ ବୁଝିପାରି ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ସରକାର ଯେ ପର୍ଯ୍ୟନ୍ତ ତିନୋଟି କୃଷି ଆଇନ୍‍ ପ୍ରତ୍ୟାହାର ନ କରିଛନ୍ତି ଏବଂ ଏମ୍‍ଏସ୍‍ପିକୁ ଆଇନ୍‍ଗତ ମାନ୍ୟତା ପ୍ରଦାନ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ବ୍ୟତୀତ ଦିଲ୍ଲୀ ସୀମାନ୍ତରେ ସିଂଘୁ, ଟିକରି, ଗାଜିପୁର ତଥା ଅନ୍ୟାନ୍ୟ ସ୍ଥାନରେ ବସି ରହିଥିବା ପଚାଶ ହଜାରରୁ ଅଧିକ କୃଷକ ଆଇନ୍‍ ପ୍ରତ୍ୟାହୃତ ନ ହେଲେ ଘରକୁ ଫେରିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି ।
ଏହିଭଳି ଭାବରେ କୃଷକ ଆନ୍ଦୋଳନ ତୀବ୍ର ହେଉଥିବାବେଳେ ସଂସଦର ବଜେଟ୍‍ ଅଧିବେଶନର ପ୍ରଥମ ଚରଣ ଅନୁଷ୍ଠିତ ହୋଇଥିଲା । ଆଶା କରାଯାଉଥିଲା ସରକାର ଆନ୍ଦୋଳନକାରୀ କୃଷକମାନଙ୍କର ଦାବି ପୂରଣ କରିବାପାଇଁ ସଂସଦରେ ଆବଶ୍ୟକ ଆଇନ୍‍ଗତ ପଦକ୍ଷେପ ଗ୍ରହଣ କରିବେ । ଅନ୍ତତଃ ଆନ୍ଦୋଳନ ସ୍ଥଳରେ ମୃତ୍ୟୁବରଣ କରିଥିବା କୃଷକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ଓ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଉପଯୁକ୍ତ ସହାୟତା ଓ ଥଇଥାନ ସମ୍ପର୍କରେ ଘୋଷଣା କରିବେ । ମାତ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଲୋଚନା ପାଇଁ ଉପସ୍ଥାପନ କରାଯାଇଥିବା କାର୍ଯ୍ୟସୂଚୀରେ କୃଷକ ଆନ୍ଦୋଳନ କିମ୍ବା କୃଷି ଆଇନ୍‍ ସମ୍ପର୍କରେ କୌଣସି ଉଲ୍ଲେଖ ନ ଥିଲା । ବିରୋଧଦଳ ମାନଙ୍କର ଲଗାତର ଦାବି ଫଳରେ ସରକାର ଶେଷପର୍ଯ୍ୟନ୍ତ କୃଷି ଆଇନ୍‍ ଓ କୃଷକ ଆନ୍ଦୋଳନ ସମ୍ପର୍କରେ ଆଲୋଚନା ପାଇଁ ସମ୍ମତ ହୋଇଥିଲେ । ସଂସଦୀୟ ପରମ୍ପରା ଅନୁଯାୟୀ ବିଭିନ୍ନ ଦଳର ସଭ୍ୟମାନଙ୍କ ବକ୍ତବ୍ୟ ଶୁଣିବାପରେ ପ୍ରଧାନମନ୍ତ୍ରୀ ସଂସଦର ଉଭୟ ଗୃହରେ ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବାପାଇଁ ଆଲୋଚନାର ଉତ୍ତର ରଖିଥିଲେ । ସ୍ୱାଭାବିକ ଭାବରେ ଆଶା କରାଯାଉଥିଲା ପ୍ରଧାନମନ୍ତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ଆନ୍ଦୋଳନ ଚଳାଇଥିବା କୃଷକ ମାନଙ୍କ ପ୍ରତି ସହାନୁଭୂତି ଓ ଶହୀଦ୍‍ କୃଷକମାନଙ୍କ ପରିବାରବର୍ଗ ପ୍ରତି ସମବେଦନା ଜ୍ଞାପନ କରିବେ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଆନ୍ଦୋଳନ ପ୍ରତି ପ୍ରତ୍ୟକ୍ଷ ଓ ପରୋକ୍ଷ କଟାକ୍ଷ ଓ ତାତ୍ସଲ୍ୟ ବ୍ୟତୀତ  ଅନ୍ୟ କିଛି ନ ଥିଲା । ପ୍ରଧାମନ୍ତ୍ରୀ ଯାହା କହିଥିଲେ ତା’ର ସାରାଂଶ ହେଉଛି- କୃଷକ ମାନଙ୍କର ମଙ୍ଗଳପାଇଁ ଏହି ତିନୋଟି କୃଷି ଆଇନ୍‍ ପ୍ରଣୟନ କରାଯାଇଛି । ଏହାଫଳରେ କୃଷକମାନଙ୍କୁ ଦେଶର ଯେକୌଣସି ସ୍ଥାନରେ ଉପଯୁକ୍ତ ଦରରେ ସେମାନଙ୍କର ଉତ୍ପାଦିତ ଶସ୍ୟ ବିକ୍ରି କରିବାର ସୁଯୋଗ ମିଳିବ । ପୂର୍ବଭଳି ସରକାରୀ ମଣ୍ଡିରେ ଫସଲ ବିକ୍ରି କରିବାକୁ କୃଷକମାନେ ବାଧ୍ୟ ହେବେ ନାହିଁ । ସରକାରୀ ମଣ୍ଡି ସହିତ ଘରୋଇ ମଣ୍ଡି ମଧ୍ୟ ଖୋଲିବ । ଚାଷୀ ସରକାରୀ ମଣ୍ଡି, ଘରୋଇ କିମ୍ବା ଉଭୟ ଘରୋଇ ଓ ସରକାରୀ ମଣ୍ଡିରେ ଫସଲ ବିକ୍ରି କରିପାରିବ । ଚୁକ୍ତିଚାଷ ପ୍ରକ୍ରିୟାରେ ଚାଷୀମାନଙ୍କ ଜମି କମ୍ପାନୀମାନେ ନେଇପାରିବେ ନାହିଁ କିମ୍ବା ବନ୍ଧକ ରଖିପାରିବେ ନାହିଁ । ପୁଣି ଏହି ଚୁକ୍ତିଚାଷ ଆଇନ୍‍ କାହାରି ପାଇଁ ବାଧ୍ୟତାମୂଳକ ନୁହେଁ । କୃଷକମାନେ ଇଚ୍ଛାକଲେ କମ୍ପାନୀ ସହିତ ଚୁକ୍ତି କରିପାରନ୍ତି କମ୍ବା କରି ନପାରନ୍ତି । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଗଝଚ) ପୂର୍ବରୁ ଥିଲା, ବର୍ତ୍ତମାନ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ । ଏହି ତିନୋଟି ଆଇନ୍‍ ପ୍ରଣୟନ ହେବାପରେ ସରକାରୀ ମଣ୍ଡିରେ ଫସଲ ଖରିଦ୍‍ ବନ୍ଦ ହୋଇ ନାହିଁ ବରଂ ଖରିଦ୍‍ ବହୁଗୁଣ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ ଦେଶର କୃଷି ବ୍ୟବସ୍ଥାର ଆଧୁନିକୀକରଣ କରିବା ପାଇଁ ଏହି କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ହେବା ଆବଶ୍ୟକ । କୃଷି କ୍ଷେତ୍ରକୁ ଆବଶ୍ୟକ ପୁଞ୍ଜି ଆକର୍ଷଣ କରିବା ଏବଂ ଏଥିପାଇଁ ଘରୋଇ କମ୍ପାନୀମାନଙ୍କୁ ଆଗ୍ରହୀ କରାଇବା ପାଇଁ ସରକାର ଉପରୋକ୍ତ ତିନୋଟି କୃଷି ଆଇନ୍‍ ପ୍ରଣୟନ କରିଛନ୍ତି । ସରକାରଙ୍କର କୃଷି ଆଇନ୍‍ ବିରୁଦ୍ଧରେ ୪ ମାସ ଧରି ଚାଲିଥିବା ଆନ୍ଦୋଳନକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ଏହାକୁ ବିଭ୍ରାନ୍ତ କୃଷକମାନଙ୍କର ଆନ୍ଦୋଳନ ଭାବରେ ଚିତ୍ରଣ କରିଥିଲେ । କଂଗ୍ରେସ ସମେତ ଦେଶର ବିରୋଧିଦଳମାନେ କୃଷକମାନଙ୍କୁ ବିଭ୍ରାନ୍ତ କରି ଏହି ଆନ୍ଦୋଳନ ଚଳାଇଛନ୍ତି ଏବଂ ଏହାଦ୍ୱାରା କୃଷକମାନଙ୍କର ହିଁ କ୍ଷତି ସାଧନ ହେଉଛି ବୋଲି ସେ ଅଭିଯୋଗ କରିଥିଲେ । ପ୍ରଥମେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆନ୍ଦୋଳନକାରୀ ମାନଙ୍କୁ ଆନ୍ଦୋଳନଜୀବୀ ବା ପେଶାଦାର ଆନ୍ଦୋଳନକାରୀ ଓ ପରଜୀବୀ ଭାବରେ ଚିତ୍ରଣ କରି ସମଗ୍ର ଆନ୍ଦୋଳନକୁ କାଳିମାଲିପ୍ତ କରିବାପାଇଁ ଉଦ୍ୟମ କରିଥିଲେ । ମାତ୍ର ତାଙ୍କର ଏହି ମନ୍ତବ୍ୟପାଇଁ ସାରା ଦେଶରେ କଠୋର ସମାଲୋଚନାର ଶୀକାର ହେବାପରେ ଲୋକସଭାରେ ନିଜ ବକ୍ତବ୍ୟରେ ସାମାନ୍ୟ ପରିବର୍ତ୍ତନ କରି କୃଷକ ଆନ୍ଦୋଳନ ଏକ ପବିତ୍ର ଆନ୍ଦୋଳନ ମାତ୍ର ଆନ୍ଦୋଳନଜୀବୀମାନେ ଏହାକୁ ଅପବିତ୍ର କରୁଛନ୍ତି ବୋଲି ମନ୍ତବ୍ୟ ଦେଇ କ୍ଷତି ଭରଣା କରିବାକୁ ଉଦ୍ୟମ କରିଥିଲେ । ତେବେ ଏହି ‘ପବିତ୍ର ଆନ୍ଦୋଳନ’ ପରିଚାଳନା କରିବାକୁ ଯାଇ ମୃତ୍ୟୁବରଣ କରିଥିବା ପ୍ରାୟ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁରେ ସାମାନ୍ୟ ସମବେଦନା ଜ୍ଞାପନ କରିବାପାଇଁ ପ୍ରଧାନମନ୍ତ୍ରୀ ଉଚିତ୍‍ ମନେକଲେ ନାହିଁ କିମ୍ବା ଏହି ପବିତ୍ର ଆନ୍ଦୋଳନର ଦାବି ପୁରଣ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ।
ତେବେ ପ୍ରଧାନମନ୍ତ୍ରୀ ତାଙ୍କର ଭାଷାଚାତୁରୀ ଅନ୍ତରାଳରେ ଯାହା କହିଲେ ନାହିଁ ତା ହେଉଛି ଏହି ତିନୋଟି କୃଷି ଆଇନ୍‍ ଫଳରେ ଦେଶର ସାଧାରଣ କୃଷକ, ବିଶେଷକରି ଯେଉଁ ଛୋଟ କୃଷକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଏତେ ଦରଦ ପ୍ରକାଶ କଲେ ସେମାନେ କିଭଳି ଉପକୃତ ହେବ? ଯଦି ଏମ୍‍ଏସ୍‍ପି ଥିଲା, ଅଛି ରହିବ ତା’ହେଲେ ସରକାର ପ୍ରଣୟନ କରିଥିବା ତିନୋଟି ଆଇନ୍‍ ମଧ୍ୟରୁ କୌଣସି ଆଇନ୍‍ରେ ଏ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ କାହିଁକି? ସରକାର ବିଭିନ୍ନ କୃଷିଜାତ ଦ୍ରବ୍ୟ ପାଇଁ ଘୋଷଣା କରୁଥିବା ସର୍ବନିମ୍ନ ସହାୟକ ଦର(ଏମ୍‍ଏସ୍‍ପି)ରେ ସେସବୁର ବିକ୍ରିୟକୁ ବାଧ୍ୟତାମୂଳକ କରିବା ଦାବିରେ କୃଷକମାନେ ଆନ୍ଦୋଳନ ଚଳାଇଥିଲେ ମଧ୍ୟ ସରକାର ଏହି ଦାବିକୁ ମାନୁ ନାହାନ୍ତି କାହିଁକି? ପ୍ରଧାନମନ୍ତ୍ରୀ ଏହା ମଧ୍ୟ ପ୍ରକାଶ କଲେ ନାହିଁ ଯେ ସରକାରୀ ହିସାବ ଅନୁଯାୟୀ ବର୍ତ୍ତମାନ ସମଗ୍ର ଦେଶରେ ଉତ୍ପାଦିତ ଧାନ ଓ ଗହମର ମାତ୍ର ଶତକଡ଼ା ୬ ଭାଗ ସରକାରୀ ମଣ୍ଡିରେ, ସରକାର ଘୋଷଣା କରୁଥିବା ସର୍ବନିମ୍ନ ସହାୟକ ଦରରେ ବିକ୍ରି ହେଉଥିଲାବେଳେ ବଳକା ଶତକଡ଼ା ୯୬ ଭାଗ ଧାନ ଓ ଗହମ କେଉଁଠି ବିକ୍ରି ହେଉଛି? ଏହି ବିପୁଳ ପରିମାଣର ଖାଦ୍ୟଶସ୍ୟ ବର୍ତ୍ତମାନ ବି ମଣ୍ଡିବାହାରେ ଏମ୍‍ଏସ୍‍ପି ଠାରୁ ଯଥେଷ୍ଟ କମ୍‍ ଦରରେ ବିକ୍ରି ହେଉ ନାହିଁ କି? ଅନ୍ୟ ଫସଲ ସର୍ବନିମ୍ନ ସହାୟକ ଦରରେ ଖରିଦ୍‍ର କୌଣସି ସରକାରୀ ବ୍ୟବସ୍ଥା ନାହିଁ । ତା’ହେଲେ ନୂଆ ଆଇନ୍‍ରେ କି ନୂଆ ବ୍ୟବସ୍ଥା ରହିଛି? ଏହି ନୂଆ ଆଇନ୍‍ କିଭଳି ଭାବରେ ଫସଲର ଅଭାବୀ ବିକ୍ରି ବନ୍ଦ କରିବ? ନୂଆ ଆଇନ୍‍ ଅନୁଯାୟୀ ଖୋଲିବାକୁ ଯାଉଥିବା ଘରୋଇ ମଣ୍ଡିରେ ସରକାର ଘୋଷଣା କରୁଥିବା ସର୍ବନିମ୍ନ ସହାୟକ ଦରଠାରୁ କମ୍‍ ଦରରେ ଫସଲ ଖରିଦ୍‍ ନ ହେବାର କୌଣସି ଆଇନ୍‍ଗତ ଗ୍ୟାରେଣ୍ଟି ଅଛି କି? ଉଲ୍ଲେଖ କରିବା ବାହୁଲ୍ୟ, ଆଇନ୍‍ରେ ଏସବୁ ବିଷୟରେ କିଛି ଉଲ୍ଲେଖ ନାହିଁ । ସେଥିପାଇଁ ପ୍ରଧାନମନ୍ତ୍ରୀ ଏସବୁ ବିଷୟରେ ତାଙ୍କ ଭାଷଣରେ କିଛି କହିଲେ ନାହିଁ । କେବଳ ସେତିକି ନୁହେଁ ୧୯୫୫ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‍ରେ ସଂଶୋଧନ କରି ୨୩ଟି କୃଷିଜାତ ଦ୍ରବ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦଦେବା ଏବଂ ବ୍ୟବସାୟୀମାନଙ୍କୁ ଯେତେ ଇଚ୍ଛା ସେତେ ପରିମାଣର ଏହିସବୁ ଖାଦ୍ୟଦ୍ରବ୍ୟ ମହଯୁଦ କରିବାର ଅଧିକାର ଦେବାଫଳରେ ସାଧାରଣ ଚାଷୀ ଓ ଖାଉଟି ମାନଙ୍କର କି ଉପକାର ହେବ ସେ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଦୌ କିଛି କହିଲେ ନାହିଁ । ଏହା ଯେ ମହଜୁଦକାରୀ, କଳାବଜାରୀ ଓ ମୁନାଫାଖୋର ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଏହାଫଳରେ ବଢ଼ି ଚାଲିଛି ସେ କଥା ଉଲ୍ଲେଖ କରିବାର ପ୍ରୟୋଜନ ନାହିଁ । ମାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟିକୁ ହିଁ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଭାବରେ ଏଡାଇଗଲେ । ଆହୁରି ମଧ୍ୟ ଚୁକ୍ତିଚାଷ ଆଇନ୍‍ କୃଷକର କି ଉପକାର କରିବ ସେ କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କଲେ ନାହିଁ । ପ୍ରଧାନମନ୍ତ୍ରୀ କେବଳ କହିଲେ ଯେ ଚୁକ୍ତିଚାଷ ଫଳରେ ଚାଷୀର ଜମି କେହି ନେଇପାରିବ ନାହିଁ । ପ୍ରଧାନମନ୍ତ୍ରୀଙ୍କର ଏହି ଦାବି ଯଦି ସତ୍ୟ ବୋଲି ବି ଧରିନିଆଯାଏ ତା’ହେଲେ ଏହାଫରେ ଚାଷୀର କି ଲାଭ ହେବ? ଜମିତ ଚାଷୀ ପାଖରେ ଏବେ ଅଛି ଭବିଷ୍ୟତରେ ବି ରହିବ ବୋଲି ପ୍ରଧାନମନ୍ତ୍ରୀ ଦାବି କରୁଛନ୍ତି । ଏଥିରେ ଚାଷୀର ଅଧିକ ଫାଇଦା କ’ଣ? ତେବେ ଆଲୋଚନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଅସଲ କଥାଟି କହିଦେଲେ । ତାହା ହେଉଛି କୃଷି କ୍ଷେତ୍ରରେ ଆଧୁନିକୀକରଣ ଆବଶ୍ୟକ ଏବଂ ସେଥିପାଇଁ ଏହି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଆବଶ୍ୟକ, ଅର୍ଥାତ୍‍ ଘରୋଇ ପୁଞ୍ଜି ଆବଶ୍ୟକ । କୃଷି କ୍ଷେତ୍ରରେ ଆଧୁନିକୀକରଣ ପାଇଁ ଆବଶ୍ୟକ ଘରୋଇ ପୁଞ୍ଜିବିନିଯୋଗକୁ ସୁଗମ କରିବାପାଇଁ ଏହି ତିନୋଟି କୃଷି ଆଇନ୍‍ ପ୍ରଣୟନ କରାଯାଇଛି । ଉଲ୍ଲେଖ କରିବା ବାହୁଲ୍ୟ, ପୁଞ୍ଜିପତିମାନେ ଦେଶର ଚାଷୀମାନଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ କୃଷିକ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବେ ନାହିଁ କିମ୍ବା କୃଷିର ଆଧୁନିକୀକରଣ କରିବେ ନାହିଁ । ପୁଞ୍ଜି ବିନିଯୋଗ କରିବେ ମୁନାଫା ଅର୍ଜନ ପାଇଁ । ସୁତରାଂ, ପୁଞ୍ଜିପତିମାନଙ୍କୁ ପୁଞ୍ଜି ଖଟେଇ ଲାଭ ଅର୍ଜନର ସୁଯୋଗ ଦେବାପାଇଁ ଏହି ଆଇନ୍‍ ।
ପାଠକମାନଙ୍କର ସ୍ମରଣ ଥିବ ଯେ ବିଗତ ଶତାବ୍ଦୀର ନବେ ଦଶକରେ ଦେଶରେ ଜଗତୀକରଣ, ଘରୋଇକରଣ ଓ ଉଦାରୀକରଣ ବ୍ୟବସ୍ଥା ଲାଗୁ କରାଯିବା ପରେ ଠିକ୍‍ ଏହି ଯୁକ୍ତିରେ ହିଁ ଅର୍ଥନୀତିର ସମସ୍ତ କ୍ଷେତ୍ର ସମେତ ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ଜନମଙ୍ଗଳକାରୀ କ୍ଷେତ୍ରଗୁଡ଼ିକୁ ମଧ୍ୟ ଘରୋଇ ପୁଞ୍ଜିପାଇଁ ଖୋଲି ଦିଆଯାଇଥିଲା । ଯୁକ୍ତି କରାଯାଇଥିଲା ଯେ ଘରୋଇ ପୁଞ୍ଜି ବିନିଯୋଗ ଫଳରେ ଜନସାଧାରଣ ସୁଲଭ ମୂଲ୍ୟରେ ଉପଯୁକ୍ତ ସେବା ପାଇବେ । ମାତ୍ର ଗତ ପ୍ରାୟ ୩୦ ବର୍ଷର ଜଗତୀକରଣରେ ଆଜି ଆମେ ଦେଶରେ ଠିକ୍‍ ବିପରୀତ ଚିତ୍ର ଦେଖିବାକୁ ପାଉଛୁ । ଦେଶରେ ବିଶାଳକାୟ ଘରୋଇ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନ ଗଢ଼ି ଉଠିଛି ମାତ୍ର ସେଠାରେ ପାଠ ପଢ଼ିବା ଦେଶର ସାଧାରଣ ଲୋକଙ୍କ ପାଇଁ ଦିବାସ୍ୱପ୍ନ । ଅନ୍ୟପଟରେ ଦେଶର ସାଧାରଣ ଘରର ପିଲା ପାଠପଢ଼ୁଥିବା ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ନାହି ନାହିଁର ରାଜତ୍ୱ । ଏହିସବୁ ସରକାରୀ ଶିକ୍ଷାନୁଷ୍ଠାନରେ ମଧ୍ୟ ଲଗାତର ଫି ବୃଦ୍ଧି ଫଳରେ ସାଧାରଣ ଘରର ପିଲାମାନଙ୍କର ପୋଥିରେ ଡୋରିବନ୍ଧା ହେବାର ଆଶଙ୍କା ସୃଷ୍ଟି ହେଉଛି । ସେହିଭଳି ଗତ ୩୦ ବର୍ଷ ମଧ୍ୟରେ ଦେଶରେ ଶହ ଶହ ଅତ୍ୟାଧୁନିକ ହାସପାତାଳ ନିର୍ମିତ ହୋଇଛି ଯେଉଁଠି କେବଳ ଧନୀ ଲୋକମାନେ ଚିକିତ୍ସାର ସୁଯୋଗ ପାଇପାରିବେ । ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ହାସପାତାଳରେ ଅବସ୍ଥା ସମ୍ପର୍କରେ ଉଲ୍ଲେଖ କରିବା ନିଷ୍ପ୍ରୟୋଜନ । ବିଦ୍ୟୁତ୍‍ ଶକ୍ତି, ଗମନାଗମନ, ନିଯୁକ୍ତି, ସାମାଜିକ ନିରାପତ୍ତା ସମେତ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ସମାନ ଚିତ୍ର ଆମେ ଆଜି ଦେଖିବାକୁ ପାଉଛୁ । ତେବେ ଠିକ୍‍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଜଗତୀକରଣର ଆଦ୍ୟ ପ୍ରବକ୍ତାମାନେ ସାଧାରଣ ଲୋକଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇ ଦେଶର ସମସ୍ତ କ୍ଷେତ୍ରକୁ ଘରୋଇ ପୁଞ୍ଜିପାଇଁ ଖୋଲି ଦେଇଥିଲେ । ମାତ୍ର ବାସ୍ତବରେ ସାଧାରଣ ଲୋକ ଜଗତୀକରଣ ଫଳରେ ହାହାକାରମୟ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଅନ୍ୟ ଦିଗରେ ଦେଶର ଶତକଡ଼ା ୭୦ ଭାଗ ସମ୍ପଦ ମୁଷ୍ଟିମେୟ ଲୋକଙ୍କ ହାତରେ ଠୁଳ ହୋଇଛି । ଗୋଟିଏ ପଟରେ ସମସ୍ତ ସମ୍ପଦର ମାଲିକ ମୁଷ୍ଟିମେୟ ଆରବତି, ଅନ୍ୟ ଦିଗରେ କୋଟି ଲୋକଙ୍କର ହାହାକାର । ଅନ୍ୟାନ୍ୟ ସମସ୍ତ କ୍ଷେତ୍ରକୁ ଦଖଲ କରିସାରିବା ପରେ ବର୍ତ୍ତମାନ ଏକଚାଟିଆ ପୁଞ୍ଜିପତି ଓ କର୍ପୋରେଟ୍‍ ମାନଙ୍କର ନଜର ପଡ଼ିଛି ଦେଶର କୃଷିକ୍ଷେତ୍ର ଉପରେ । ଶିଳ୍ପକ୍ଷେତ୍ରରେ ଦେଖାଦେଇଥିବା ମାରାତ୍ମକ ମାନ୍ଦାର ସମ୍ମୁଖୀନ ଏକଚାଟିଆ ପୁଞ୍ଜିପତିମାନେ ସେମାନଙ୍କର ଉଦ୍‍ବୃତ୍ତ ପୁଞ୍ଜିକୁ କୃଷି କ୍ଷେତ୍ରରେ ବିନିଯୋଗ କରି ମୁନାଫା ଲୁଟ୍‍ କରିବାକୁ ଚାହୁଁଛନ୍ତି । ଦେଶର ଏକଚାଟିଆ ପୁଞ୍ଜିର ସେବା ଦାସରେ ପରିଣତ ହୋଇଥିବା ସରକାର ଏକଚାଟିଆ ପୁଞ୍ଜିପତି ଶ୍ରେଣୀ ଓ କର୍ପୋରେଟ୍‍ ହାଉସ୍‍ ମାନଙ୍କ ସ୍ୱାର୍ଥରେ କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ବିନିଯୋଗ ପାଇଁ ସମସ୍ତ ଆଇନ୍‍ଗତ ପ୍ରତିବନ୍ଧକ ଦୂର କରିବାପାଇଁ ହିଁ ଏହି ତିନୋଟି କୃଷି ଆଇନ୍‍ ପ୍ରଣୟନ କରିଛନ୍ତି । ଏହି ଆଇନ୍‍ ଫଳରେ ସମୟକ୍ରମେ ଦେଶର ସମସ୍ତ କୃଷିଜାତ ଦ୍ରବ୍ୟ ଓ ଜମି ମୁଷ୍ଟିମେୟ ଲୋକଙ୍କ ମାଲିକାନାକୁ ଚାଲିଯିବ ଏବଂ କୃଷକ ନିଜ କ୍ଷେତରେ ମୁଲିଆରେ ପରିଣତ ହେବେ । ମୁଲିଆ ଦାଦନ ଶ୍ରମିକରେ ପରିଣତ ହେବ । ଖାଦ୍ୟ ସାମଗ୍ରୀ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବ୍ୟବସାୟୀମାନେ ହିଁ ନିର୍ଦ୍ଧାରଣ କରିବେ । ଅନ୍ୟାନ୍ୟ ସମସ୍ତ କ୍ଷେତ୍ରଭଳି ସରକାର ଏ କ୍ଷେତ୍ରରୁ ମଧ୍ୟ ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି । ଏହାରି ନାଁ ହେଉଛି ସଂସ୍କାର । ଗତ ୩୦ ବର୍ଷ ଧରି ଶିଳ୍ପ, ବ୍ୟାଙ୍କ, ବୀମା, ଖୁଚୁରା ବ୍ୟବସାୟ, ଅର୍ଥନୀତିର ବିଭିନ୍ନ କ୍ଷେତ୍ର ସମେତ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗମନାଗମନ କ୍ଷେତ୍ରରେ ଏହି ସଂସ୍କାର ଚାଲିଛି । ବର୍ତ୍ତମାନ ଦେଶର ବିଶାଳ କୃଷି କ୍ଷେତ୍ରରେ ଏହି ଧରଣର ସଂସ୍କାର କରିବାକୁ ସରକାର ଉଦ୍ୟମ କରୁଛନ୍ତି ।
ତେବେ ସରକାରଙ୍କର ଏହି ପ୍ରତାରଣାକୁ ଆନ୍ଦୋଳନକାରୀ କୃଷକମାନେ ଠିକ୍‍ ଭାବରେ ବୁଝିପାରିଛନ୍ତି । ଏହି ତିନୋଟି କୃଷି ଆଇନ୍‍ ଯେ ଲୋକଙ୍କ ଭୋକରେ ବ୍ୟବସାୟ କରିବାପାଇଁ ପୁଞ୍ଜିପତିମାନଙ୍କୁ ଅବାଧ ସୁଯୋଗ ଦେବାପାଇଁ ଉଦ୍ଦିଷ୍ଟ ସେ କଥା କୃଷକମାନେ ବୁଝିପାରିଛନ୍ତି । କୃଷକମାନେ ଏହା ମଧ୍ୟ ବୁଝିପାରିଛନ୍ତି ଯେ ଦେଶରେ ଚାଲିଥିବା ଅବାଧ ଘରୋଇକରଣ ନୀତି ଯୋଗୁ ହିଁ କୃଷକ ତଥା ଦେଶର ସିଂହଭାଗ ସାଧାରଣ ମଣିଷ ଆଜି ବିପନ୍ନ । ସେଥିପାଇଁ ସରକାର ସରକାରୀ କଳ ଓ ବିଜେପି-ଆର୍‍ଏସ୍‍ଏସ୍‍ର ସମସ୍ତ ଷଡ଼ଯନ୍ତ୍ର ସତ୍ତ୍ୱେ କୃଷକମାନେ ବିଭ୍ରାନ୍ତ ନ ହୋଇ ନିଜର ଫସଲ ଓ ଜମିକୁ ରକ୍ଷା କରିବାପାଇଁ ମରଣପଣ ଲଢ଼େଇ ଚଳାଇଛନ୍ତି । କେବଳ ସେତିକି ନୁହେଁ ଆନ୍ଦୋଳନକାରୀ କୃଷକମାନେ ଏକଥା ମଧ୍ୟ ବୁଝିଛନ୍ତି ଯେ ବିଚ୍ଛିନ୍ନ ଭାବରେ ଭିନ୍ନ ଭିନ୍ନ କ୍ଷେତ୍ରରେ କର୍ମଚାରୀ, ଜନସାଧାରଣ ବା ଏପରିକି କୃଷକମାନଙ୍କର ଆନ୍ଦୋଳନ ମଧ୍ୟ ସରକାରକୁ ନତି ସ୍ୱୀକାର କରିବାକୁ ବାଧ୍ୟ କରିବା କଷ୍ଟକର । ସେଥିପାଇଁ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ, ଶକ୍ତିଶାଳୀ ଓ ଦୀର୍ଘସ୍ଥାୟୀ କରିବା ଏବଂ ଆନ୍ଦୋଳନକୁ ସର୍ବଭାରତୀୟ ରୂପ ଦେବାପାଇଁ ଆନ୍ଦୋଳନର ନେତୃତ୍ୱ ଉଦ୍ୟମ ଜାରି ରଖିଛନ୍ତି । ସ୍ୱାଧୀନ ଭାରତର ଇତିହାସରେ ନଜିରବିହୀନ ଏହି ଐତିହାସିକ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ଶକ୍ତିଶାଳୀ କରିବା ଆଜି ସମୟର ଆହ୍ୱାନ । ଏହି ଆହ୍ୱାନକୁ ସ୍ୱୀକାର କରିବାପାଇଁ ଆମେ ରାଜ୍ୟର ସମସ୍ତ ସ୍ତରର ଜନସାଧାରଣଙ୍କୁ ନିବେଦନ କରୁଛୁ ।

Leave a Reply

Your email address will not be published. Required fields are marked *