ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏସ୍‍ୟୁସିଆଇ (କମ୍ୟୁନିଷ୍ଟ)ର ଆହ୍ୱାନ

ବିଜେପି, ତୃଣମୂଳ କଂଗ୍ରେସ ଓ ସିପିଆଇ(ଏମ୍‍)-କଂଗ୍ରେସ-ଆଇଏସ୍‍ଏଫ୍‍ ମେଣ୍ଟକୁ ପରାସ୍ତ କରି ୧୯୩ଟି ଆସନରେ ଏସ୍‍ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟିର ପ୍ରାର୍ଥିମାନଙ୍କୁ ଜୟଯୁକ୍ତ କରନ୍ତୁ

Sarbaharakranti 15.03.2021 - ଆସନ୍ନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏସ୍‍ୟୁସିଆଇ (କମ୍ୟୁନିଷ୍ଟ) ଦଳର ନିର୍ବାଚନୀ ଦୃଷ୍ଟିଭଙ୍ଗୀ ଓ ପ୍ରାର୍ଥି ତାଲିକା ଘୋଷଣା କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୧ ତାରିଖ ଦଳର ରାଜ୍ୟ ଅଫିସ୍‍ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ କମ୍ରେଡ୍‍ ଚଣ୍ଡୀଦାସ ଭଟ୍ଟାଚାର୍ଯ୍ୟ ନିମ୍ନଲିଖିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ପଶ୍ଚିମବଙ୍ଗ ରାଜନୀତିରେ ବିଜେପିର ଅନୁପ୍ରବେଶ ଓ ଉତ୍ଥାନ ନିଃସନ୍ଦେହରେ ଏକ ବିପଦଜନକ ଘଟଣା । ପଶ୍ଚିମବଙ୍ଗ ଭାରତୀୟ ନବଜାଗରଣ ଓ ସ୍ୱାଧୀନତା ଆନ୍ଦୋଳନର ପୀଠସ୍ଥଳ । ଏହାଫଳରେ ନୀତି-ନୈତିକତା-ସଂସ୍କୃତି କ୍ଷେତ୍ରରେ ଗଣତାନ୍ତ୍ରିକ ଭାବନାର ପ୍ରଭାବ ନାଗରିକ ସମାଜ ମଧ୍ୟରେ ବି ପ୍ରସାରିତ ହୋଇଥିଲା । ବିଜେପିର ରାଜନୀତି ଓ ମତାଦର୍ଶ ନବଜାଗରଣ ଓ ସ୍ୱାଧୀନତା ଆନ୍ଦୋଳନର ସମ୍ପୂର୍ଣ୍ଣ ବିରୋଧି, ଯାହା ଇତିମଧ୍ୟରେ ହିଁ ବିଜେପି ନେତାମାନଙ୍କର କାର୍ଯ୍ୟକଳାପ ଓ ବକ୍ତବ୍ୟ ମଧ୍ୟରୁ ନାନା ଭାବରେ ସ୍ପଷ୍ଟ ହୋଇଛି । ପ୍ରଶ୍ନ ହେଉଛି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭଳି କ୍ଷମତାସମ୍ପନ୍ନ ହିନ୍ଦୁତ୍ୱବାଦୀ ନେତା ବହୁ ଉଦ୍ୟମ କରି ମଧ୍ୟ ଏହି ରାଜ୍ୟରେ ତାଙ୍କର ଓ ତାଙ୍କ ଦଳର ପ୍ରଭାବ ବିସ୍ତାର କରିପାରି ନ ଥିଲେ । ମାତ୍ର ତାଙ୍କଠାରୁ ଯଥେଷ୍ଟ କମ୍‍ କ୍ଷମତାସମ୍ପନ୍ନ ନେତାମାନଙ୍କ ଦ୍ୱାରା ବର୍ତ୍ତମାନ କିଭଳି ଏହା ସମ୍ଭବ ହେଉଛି, ବିଶେଷକରି ଯେତେବେଳେ ବିଜେପି ନେତାମାନଙ୍କର ଆଚାର ଆଚରଣରେ ଲେଶମାତ୍ର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନୈତିକତାର ଛାପ ଦେଖିବାକୁ ମିଳୁ ନାହିଁ ।
ବହୁକାଳ ପୂର୍ବରୁ ଯୁକ୍ତଫ୍ରଣ୍ଟ ସରକାରର ବଡ଼ ଅଂଶୀଦାର ସିପିଆଇ(ଏମ୍‍) ଦଳର ଆଚରଣ ଦେଖି ଏସ୍‍ୟୁସିଆଇ (କମ୍ୟୁନିଷ୍ଟ)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ, ମାର୍କ୍ସବାଦୀ ଚିନ୍ତାନାୟକ କମ୍ରେଡ୍‍ ଶିବଦାସ ଘାଷ କହିଥିଲେ ଯେ “ଜନସଂଘ ଭଳି ରାଷ୍ଟ୍ରୀୟତାବାଦୀ ମାନେ ଟାକି ବସିଛନ୍ତି । ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି । ବାମପନ୍ଥୀ ଆନ୍ଦୋଳନ ପ୍ରତି ଜନସାଧାରଣଙ୍କର ଯେଉଁ ଆକର୍ଷଣ ଆଜି ମଧ୍ୟ ରହିଛି ତାହା ନଷ୍ଟ ହୋଇଗଲେ ହିଁ ସେମାନେ ଆତ୍ମପ୍ରକାଶ କରିବେ । ଏକଥା କ୍ଷମତାସୀନ ସିପିଆଇ(ଏମ୍‍) ନେତାମାନେ ବୁଝୁନାହାନ୍ତି । ସେମାନେ କମ୍ୟୁନିଜିମ୍‍ର ଆଦର୍ଶ, ମୂଳତତ୍ତ୍ୱକୁ ବାଦଦେଇ ପ୍ରାୟ କଂଗ୍ରେସ ଦଳ ଭଳି ହିଁ ବଡ଼ ବଡ଼ ଭାଷଣ ଓ ମିଠା କଥାର ଚାଲାକିରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି । ଏହିଭଳି ଭାବରେ କମ୍ୟୁନିଜିମ୍‍ର ସୁନାମକୁ ନଷ୍ଟ କରିଦେଇ ତାହାକୁ କାଳିମାଲିପ୍ତ କରୁଛନ୍ତି ।” (ଶିବଦାସ ଘୋଷ ନିର୍ବାଚିତ ରଚନାବଳୀ, ତୃତୀୟ ଖଣ୍ଡ ପୃଷ୍ଠା ୧୧୧) । ବର୍ତ୍ତମାନ ଠିକ୍‍ ତାହା ହିଁ ଘଟିଛି । ସିପିଆଇ(ଏମ୍‍) ନେତୃତ୍ୱରେ ପରିଚାଳିତ ବାମଫ୍ରଣ୍ଟ ପଶ୍ଚିମବଙ୍ଗରେ ଲଗାତର ୩୪ ବର୍ଷ ଧରି କ୍ଷମତାସୀନ ରହି ଗୋଟିଏ ବୁର୍ଜୁଆ ଦଳର ସରକାର ଭଳି ଅତ୍ୟାଚାର, ଅନାଚାର, ନିର୍ଯ୍ୟାତନା, ହତ୍ୟା, ଦୁର୍ନୀତି ଇତ୍ୟାଦି ସବୁକିଛି କରିଛି । କିନ୍ତୁ ସିପିଆଇ(ଏମ୍‍) ଦ୍ୱାରା ସବୁଠାରୁ ଯେଉଁ ବଡ଼ ସର୍ବନାସ ଘଟିଗଲା ତାହା ହେଉଛି ସେମାନଙ୍କର ଭୋଟସର୍ବସ୍ୱ, ସମାଜର ସର୍ବକ୍ଷେତ୍ରରେ ନିରଙ୍କୁଶ ଦଳୀୟ ଏକାଧିପତ୍ୟ ପ୍ରତିଷ୍ଠା କରିବାର ରାଜନୀତି ଏବଂ ସେଥିପାଇଁ ଚରମ ସଂତ୍ରାସ ଓ ସୁବିଧାବାଦର ଆଶ୍ରୟ ନେବାକୁ ମଧ୍ୟ ଦ୍ୱିଧା ନ କରିବା । ଏହା ବ୍ୟତୀତ ଶ୍ରମିକ, କୃଷକ ସାଧାରଣ ମଣିଷଙ୍କର ନ୍ୟାୟସଙ୍ଗତ ଆନ୍ଦୋଳନକୁ ଦଳୀୟ ଗୁଣ୍ଡାବାହିନୀ ଓ ପୁଲିସ୍‍ ସାହାଯ୍ୟରେ ନିର୍ବିଚାରରେ ଦମନ କରିବା ପ୍ରଭୃତି ଦ୍ୱାରା ବାମପନ୍ଥାର ମର୍ଯ୍ୟାଦାକୁ, ଗୌରବକୁ, ଆଦର୍ଶବାଦ ଓ ନୀତିନୈତିକତାକୁ, ରୁଚି ସଂସ୍କୃତିକୁ ସିପିଆଇ(ଏମ୍‍) ଧ୍ୱଂସ କରିଛି । ମୁହଁରେ ବାମପନ୍ଥୀ ସ୍ଲୋଗାନ ଆଉ କାମରେ, ଆଚାର ଆଚରଣରେ ବୁର୍ଜୁଆ, ପେଟିବୁର୍ଜୁଆ- ଏହି ଦୋମୁହାଁ ନୀତି ବାମପନ୍ଥୀ ରାଜନୀତିକୁ କଳୁଷିତ କରିଛି । ଭୋଟ୍‍ରେ ଜୟଯୁକ୍ତ ହେବାପାଇଁ ଦଳର ଯେକୌଣସି କାମକୁ, କର୍ମୀମାନଙ୍କର ଯେକୌଣସି ଆଚରଣକୁ ଲାଇସେନ୍ସ ଦେଇ ପଶ୍ଚିମବଙ୍ଗର ନୈତିକ-ସାଂସ୍କୃତିକ ପରିବେଶକୁ ସେମାନେ ଧ୍ୱଂସ କରିଦେଇଛନ୍ତି । ଜନସାଧାରଣଙ୍କ ନିକଟରେ ବାମପନ୍ଥାର ଉନ୍ନତ ଆଦର୍ଶବାଦକୁ କଳୁଷିତ କରିଛନ୍ତି, ବାମପନ୍ଥା କଳଙ୍କିତ ହୋଇଛି । ଏହାରି ସୁଯୋଗ ନେଇ ବିଜେପି ଭଳି ଚରମ ଦକ୍ଷିଣପନ୍ଥୀ, ଫାସିବାଦୀ, ସାମ୍ପ୍ରଦାୟିକ ଶକ୍ତି ପଶ୍ଚିମବଙ୍ଗର ମାଟିରେ ଜାଗା କରିପାରିଛି । ତୃଣମୂଳ କଂଗ୍ରେସର କୁଶାସନ ଓ ଦୁର୍ନୀତି ବିଜେପିକୁ ସୁଯୋଗ ଦେଇଛି ଓ ଦେଉଛି, ଏକଥା ଠିକ୍‍ । କିନ୍ତୁ ସିପିଆଇ(ଏମ୍‍) ଦଳର କୁକର୍ମ ପାଇଁ ଇତିମଧ୍ୟରେ ରାଜ୍ୟର ସାମାଜିକ ଓ ସାଂସ୍କୃତିକ ପରିବେଶ କଳୁଷିତ ହୋଇ ନ ଥିଲେ କେବଳ ମାତ୍ର ତୃଣମୂଳ କଂଗ୍ରେସ ସରକାର ପ୍ରତି ଜନସାଧାରଣଙ୍କର ବିରୂପ ମନୋଭାବ ଯୋଗୁଁ ହିଁ ବିଜେପି ଏହିଭଳି ଭାବରେ ସମାଜ ଜୀବନରେ ତା’ର ମାରାତ୍ମକ ରାଜନୀତି ଓ ସଂସ୍କୃତିର ପ୍ରଭାବ ବିସ୍ତାର କରିପାରି ନ ଥାନ୍ତା । ଇତିହାସ ବାରବାର ପ୍ରମାଣ କରିଛି ଯେ ଦକ୍ଷିଣପନ୍ଥୀ ପ୍ରତିକ୍ରିୟାଶୀଳ ରାଜନୀତି ଓ ଫାସିବାଦୀ ରାଜନୀତି ବିରୁଦ୍ଧରେ ଆଦର୍ଶଗତ ଲଢ଼େଇରେ ଏକମାତ୍ର ବାମପନ୍ଥା ହିଁ ନେତୃତ୍ୱ ଦେଇପାରେ । ଆଜି ଭାରତ ବର୍ଷରେ ବିଜେପିର ୭ ବର୍ଷର କୁଶାସନ ବିରୁଦ୍ଧରେ ବାମପନ୍ଥୀ ଦଳଗୁଡ଼ିକୁ ସମ୍ମିଳିତ କରି ଯୌଥ ଆନ୍ଦୋଳନ ଗଢ଼ିତୋଳିବାର ପ୍ରୟୋଜନ ଥିଲା । ମାତ୍ର ସିପିଆଇ(ଏମ୍‍)ର ଭୋଟ ସର୍ବସ୍ୱ ସଂସଦୀୟ ରାଜନୈତିକ ଲାଇନ୍‍ ଏହି ଯୌଥ ଆନ୍ଦୋଳନ ରାସ୍ତାରେ ବାଧା ଆକାରରେ ଠିଆ ହୋଇଛି ।
ଆପଣମାନେ ସମସ୍ତେ ଜାଣନ୍ତି ଯେ ମାର୍କ୍ସବାଦୀ ଦଳ ଭାବରେ ଆମେ ଗଣ ଆନ୍ଦୋଳନର ଅଙ୍ଗ ହିସାବରେ ହିଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ । ଆମେ ମନେକରୁ ନିର୍ବାଚନୀ ଲଢ଼େଇରେ ମଧ୍ୟ ଶ୍ରମିକ ଶ୍ରେଣୀର ଲଇନ୍‍ ଓ ବୁର୍ଜୁଆ ଶ୍ରେଣୀର ଲାଇନ୍‍ ରହିଛି । ଏହା କେବଳ ମାତ୍ର ରାଜନୈତିକ ଆଦର୍ଶ କ୍ଷେତ୍ରରେ ହିଁ ନୁହେଁ ନିର୍ବାଚନୀ କଳାକୌଶଳ ମଧ୍ୟରେ ବି ପ୍ରତିଫଳିତ ହୁଏ । ଆମେ ଏହି ଦୃଷ୍ଟିଭଙ୍ଗୀରୁ ହିଁ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ । ବିଜେପି ସରକାର କେତେ ଜନସ୍ୱାର୍ଥ ବିରୋଧି ସେକଥା ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଦେଖାଇଦେଇଛି । ଯେ କୌଣସି ପ୍ରତିବାଦକୁ ଦେଶଦ୍ରୋହ ବୋଲି ଆଖ୍ୟା ଦେଇ, ପ୍ରତିବାଦକାରୀମାନଙ୍କୁ ଜେଲ ଜୋରିମାନା ଇତ୍ୟାଦି ନାନା ଉପାୟରେ ହୀନସ୍ଥା କରି ବିଜେପି ସରକାର ଏହା ମଧ୍ୟ ପ୍ରମାଣ କରୁଛି ଯେ ଗଣତନ୍ତ୍ର ପ୍ରତି ଏହି ଦଳର ବିନ୍ଦୁମାତ୍ର ଶ୍ରଦ୍ଧା ନାହିଁ । ଭାରତ ବର୍ଷରେ କଂଗ୍ରେସ ଶାସନରେ ଗଣତାନ୍ତ୍ରିକ ଅଧିକାରର ଯେଉଁ ସାମାନ୍ୟ ଅବଶିଷ୍ଟ ଥିଲା ତାକୁ ମଧ୍ୟ ବିଜେପି ଧ୍ୱଂସ କରିବାକୁ ଚାହେଁ । ସର୍ବୋପରି ମୁସଲିମ୍‍ ବିଦ୍ୱେଷ ହେଉଛି ଆର୍‍ଏସ୍‍ଏସ୍‍-ବିଜେପିର ମୂଳ ଆଦର୍ଶଗତ ଭିତ୍ତି । ଏହି ବିଦ୍ୱେଷ ଇତିମଧ୍ୟରେ ହିଁ ବହୁ ନିରୀହ, ନିର୍ଦ୍ଦୋଷ ସାଧାରଣ ମଣିଷଙ୍କ ପ୍ରାଣ ନେଇଛି । କରୋନା ମହାମାରୀ ପରିସ୍ଥିତିରେ ଦେଶର ଲକ୍ଷ ଲକ୍ଷ ଖଟିଖିଆ ଦିନମଜୁରିଆ, ଦାଦନ ଶ୍ରମିକ ମାନଙ୍କ ସହିତ କେନ୍ଦ୍ର ବିଜେପି ସରକାର ଯେଉଁ ଚରମ ଅମାନବିକ ଆଚରଣ କରିଛି, ଶିଳ୍ପ ସଙ୍କଟ, ବେକାରୀ ସମସ୍ୟା ଯେଉଁଭଳି ତୀବ୍ରରୂପ ଧାରଣ କରିଛି ସେଥିରେ ବିଜେପିର ଶ୍ରମିକ ବିରୋଧି, ଗରିବ ବିରୋଧି ଚରିତ୍ରଟି ମଧ୍ୟ ନଗ୍ନ ଭାବରେ ପ୍ରକଟିତ ହୋଇଛି । ଏହି ଅବସ୍ଥାରେ ପଶ୍ଚିମବଙ୍ଗରେ ତୃଣମୂଳର ୧୦ ବର୍ଷର କୁଶାସନ ବିରୁଦ୍ଧରେ ଲଢ଼େଇ-ଆନ୍ଦୋଳନ ଜାରି ରଖି ହିଁ ଆମେ କହିବାକୁ ଚାହୁଁ, ଚଳିତ ନିର୍ବାଚନରେ ବିଜେପିର ବିରୋଧିତା କରିବା ଏହି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କର ଅବଶ୍ୟ କରଣୀୟ କର୍ତ୍ତବ୍ୟ ।
୨୦୧୧ ମସିହାରେ ସିପିଆଇ(ଏମ୍‍) ନେତୃତ୍ୱାଧୀନ ସରକାରର ଅପସାରଣ ଦାବି ଆମେ ହିଁ ଉପସ୍ଥାପନ କରିଥିଲୁ । ପଶ୍ଚିମବଙ୍ଗର ସର୍ବସ୍ତରର ଜନସାଧାରଣଙ୍କର ଇଚ୍ଛାର ପ୍ରତିଫଳନ ହିସାବରେ ହିଁ ଏହି ଦାବି ଉତ୍ଥାପିତ ହୋଇଥିଲା । ସିପିଆଇ(ଏମ୍‍)କୁ ପରାସ୍ତ କରିବା ପାଇଁ ଆହ୍ୱାନ ଜଣାଇବା ପାଖାପାଖି ଏକଥା ବି ଆମେ କହିଥିଲୁ ଯେ, ସିପିଆଇ(ଏମ୍‍)କୁ ପରାସ୍ତ କରି ଯଦି ତୃଣମୂଳ କଂଗ୍ରେସ ସରକାର ଗଠନ କରେ ତା’ହେଲେ ସେମାନେ ଯେ ‘ସୁନାର ବାଂଲା’ ଗଢ଼ିଦେବେ ଏହି ଆଶା ଯେଭଳି ଜନସାଧାରଣ ପୋଷଣ ନ କରନ୍ତି । ଗୋଟିଏ ଦକ୍ଷିଣପନ୍ଥୀ ଆଞ୍ଚଳିକ ବୁର୍ଜୁଆ ଦଳ ଭାବରେ ତୃଣମୂଳ କଂଗ୍ରେସ କିଛି କିଛି ପ୍ରଶାସନିକ ସଂସ୍କାର କରିପାରେ । ଯଦି ସେମାନେ ଚାହାଁନ୍ତି ତା’ହେଲେ ଗଣଆନ୍ଦୋଳନକୁ ପୁଲିସ ଆକ୍ରମଣରୁ ରକ୍ଷା କରିବାପାଇଁ କିଛି ପଦକ୍ଷେପ ଗ୍ରହଣ କରିପାରନ୍ତି । ଚାହିଁଲେ ପ୍ରଶାସନରେ ଏବଂ ରାଜନୈତିକ କ୍ଷେତ୍ରରେ ଚୋରୀ-ଦୁର୍ନୀତି କିଛିଟା ନିୟନ୍ତ୍ରଣ କରିପାରନ୍ତି । କିନ୍ତୁ ଏ ସମ୍ପର୍କରେ ଆମେ ଆଶାବାଦୀ ନୋହୁଁ । ପଶ୍ଚିମବଙ୍ଗରେ ଗତ ଦଶ ବର୍ଷରେ ତୃଣମୂଳ ସରକାରର ଶାସନ ଆମର ଏହି ବକ୍ତବ୍ୟକୁ କାର୍ଯ୍ୟତଃ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ କରିଛି । ଚୋରୀ-ଦୁର୍ନୀତି-ପ୍ରିୟାପ୍ରୀତି ତୋଷଣ, ପୁଲିସ୍‍-ପ୍ରଶାସନକୁ ଦଳୀୟ ସ୍ୱାର୍ଥରେ ବ୍ୟବହାର, ସନ୍ତ୍ରାସ ସୃଷ୍ଟି କରି ବିରୋଧିମାନଙ୍କୁ ଭୋଟ୍‍ ଦେବାରୁ ବଂଚିତ କରିବା ଇତ୍ୟାଦି ପ୍ରତିଟି କ୍ଷେତ୍ରରେ ପ୍ରଥମେ ଜାତୀୟ କଂଗ୍ରେସ ଏବଂ ପରେ ୧୯୭୭ ମସିହାରୁ ଲଗାତର ୩୪ ବର୍ଷ ଧରି ସିପିଆଇ(ଏମ୍‍) ନେତୃତ୍ୱାଧୀନ ବାମଫ୍ରଣ୍ଟ ସରକାରର ଶାସନ ଯେଉଁ କଳା ଇତିହାସ ରଚନା କରିଥିଲା, ତୃଣମୂଳ କଂଗ୍ରେସର ୧୦ ବର୍ଷର ଶାସନ ତାରି ଧାରାବାହିକତାରେ ହିଁ ଚାଲିଛି । ସୁବିଧା ସୁଯୋଗ କରେଇ ଦେଇ ଦଳର ଶକ୍ତିବୃଦ୍ଧି ଏବଂ ଭୋଟବ୍ୟାଙ୍କର ସମର୍ଥନ ବଜାୟ ରଖିବାର ଯେଉଁ ରାଜନୀତି ସିପିଆଇ(ଏମ୍‍) ୩୪ ବର୍ଷ ଧରି କରିଛି, ତୃଣମୂଳ କଂଗ୍ରେସ ତା’ଠାରୁ କୌଣସି ଭିନ୍ନ ଦୃଷ୍ଟାନ୍ତ ସ୍ଥାପନ କରିପାରି ନାହିଁ । ସେଇ ସିଣ୍ଡିକେଟ୍‍ ରାଜ, ସେଇ ପ୍ରିୟାପ୍ରୀତି ତୋଷଣ ଚାଲିଛି । ଚିଟ୍‍ଫଣ୍ଡ ଜରିଆରେ ଲକ୍ଷ ଲକ୍ଷ ଗରିବ, ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଲୋକଙ୍କର ଟଙ୍କା ଲୁଟ କରିବାର ଯେଉଁ ପ୍ରକ୍ରିୟା ସିପିଆଇ(ଏମ୍‍) ଶାସନ ସମୟରେ ଆରମ୍ଭ ହୋଇଥିଲା ତୃଣମୂଳ ସରକାର ଶାସନ ସମୟରେ ତାହା ଖୋଲାଖୋଲି ଭାବରେ ହୋଇଛି । ମାତ୍ର କ୍ଷତିଗ୍ରସ୍ତ ଲୋକଙ୍କ ପ୍ରତି ନ୍ୟାୟ ହୋଇ ନାହିଁ । ତୃଣମୂଳ ସରକାର ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଯାଇ ପୁଲିସ୍‍ ଆକ୍ରମଣରେ ସାଧାରଣ ମଣିଷ ଆହତ ଓ ନିହତ ହେବା ଘଟଣା ମଧ୍ୟ ଆମେ ସମସ୍ତେ ପ୍ରତ୍ୟକ୍ଷ କରିଛୁ । ସୁତରାଂ, କ୍ଷମତାକୁ ଆସିବା ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ନେତ୍ରୀ ସୁଶାସନ ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୌଣସି ଭାବରେ ମଧ୍ୟ ପ୍ରତିଷ୍ଠିତ ହୋଇ ନାହିଁ । ମୂଲ୍ୟବୃଦ୍ଧି, ଫଟକାବାଜୀ, କଳାବଜାରୀ ସବୁକିଛି ବର୍ତ୍ତମାନର ଶାସନରେ ପୁରାମାତ୍ରାରେ ଚାଲିଛି । ନାରୀ ନିର୍ଯ୍ୟାତନା, ନାରୀ ଚାଲାଣ ଇତ୍ୟାଦି ବଢ଼ି ଚାଲିଛି । ଶିକ୍ଷାକୁ ନେଇ ସେଇ ପୁରୁଣା ଖେଳ ଚାଲିଛି । ୨୦୧୧ ନିର୍ବାଚନ ପୂର୍ବରୁ ପ୍ରଥମ ଶ୍ରେଣୀରୁ ପାଶ୍‍ଫେଲ୍‍ ବ୍ୟବସ୍ଥା ଚାଲୁ କରିବାପାଇଁ ପ୍ରତିଶ୍ରୁତି ଦେଇ ମଧ୍ୟ ଏହି ସରକାର ପ୍ରତିଶ୍ରୁତି ରକ୍ଷା କରି ନାହିଁ । ଏହି ଦାବିରେ ୨୦୧୫ ମସିହାରେ ଆମ ଦଳର ଆନ୍ଦୋଳନ ଉପରେ ପୁଲିସ୍‍ର ଅତ୍ୟାଚାର ଫଳରେ ଦୁଇ ଜଣ କର୍ମୀଙ୍କର ଆଖି ନଷ୍ଟ ହୋଇଛି । ସେମାନଙ୍କର ଦୃଷ୍ଟିଶକ୍ତି ଚାଲିଯାଇଛି । ଠିକ୍‍ ସିପିଆଇ(ଏମ୍‍) ଭଳି ରାଜ୍ୟକୁ ବିରୋଧିମୁକ୍ତ କରିବାପାଇଁ ତୃଣମୂଳ ହୁଁକାର ଦେଇଛି । ବିଜେପି ଏବଂ ତୃଣମୂଳ ଉଭୟ ଦଳ ହିଁ ଯେଉଁଭଳି ଭାବରେ ରବିନ୍ଦ୍ର ନାଥ, ସୁଭାସ ଚନ୍ଦ୍ର ଓ ଅନ୍ୟାନ୍ୟ ପ୍ରାତଃସ୍ମରଣୀୟ ମନୀଷୀମାନଙ୍କୁ ନିଜ ନିଜର ସୁବିଧା ଅନୁଯାୟୀ ରାଜନୈତିକ ଫାଇଦା ପାଇଁ ଯେମିତି ଇଚ୍ଛା ସେମିତି ବ୍ୟବହାର କରୁଛନ୍ତି ଓ କାଳିମାଲିପ୍ତ କରୁଛନ୍ତି ତାହା ଅତ୍ୟନ୍ତ ବେଦନାଦାୟକ ଓ ନିନ୍ଦନୀୟ । ଫଳରେ ଏହି ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ମଧ୍ୟ ପରାସ୍ତ କରିବାପାଇଁ ଆମେ ଆହ୍ୱାନ ଦେଉଛୁ ।
ବିଜେପି କେନ୍ଦ୍ରରେ କ୍ଷମତାସୀନ ହେବାପରେ ୬ଟି ବାମପନ୍ଥୀ ଦଳ ଦିଲ୍ଲୀରେ ବୈଠକ କରି ଗୋଟିଏ ମେଣ୍ଟ ଗଠନ କରାଯାଇଥିଲା । ଆମ ଦଳ ମଧ୍ୟ ଏହି ମେଣ୍ଟର ଅଂଶୀଦାର ଥିଲା । ମଝିରେ ମଝିରେ କିଛି କିଛି ବିବୃତ୍ତି ଦେବା ବ୍ୟତୀତ ରାସ୍ତାକୁ ଓହ୍ଲାଇ କୌଣସି ଗଣ ଆନ୍ଦୋଳନର କର୍ମସୂଚୀ ଏହି ମେଣ୍ଟ ଗ୍ରହଣ କରି ନାହିଁ । ଅନ୍ୟ ଦିଗରେ ସିପିଆଇ(ଏମ୍‍) ନେତୃତ୍ୱ ଭୋଟର ହିସାବ ନିକାଶ କରି କଂଗ୍ରେସ ସହିତ ସମ୍ପର୍କ ଗଢ଼ିତୋଳିବା ଦିଗରେ ଅଗ୍ରସର ହେଉଥିଲା । ପଶ୍ଚିମବଙ୍ଗରେ କଂଗ୍ରେସ ଶାସନ କାଳରେ ସେମାନଙ୍କ ଦଳର ୧୧୦୦ କର୍ମୀଙ୍କୁ ହତ୍ୟା କରାଯାଇଥିଲା ବୋଲି ସିପିଆଇ(ଏମ୍‍) ପକ୍ଷରୁ ଦାବି କରାଯାଇଛି । ଏହି କଂଗ୍ରେସ ଦଳ ହିଁ ଦେଶରେ ଜରୁରୀ ଅବସ୍ଥା ଜାରିକରି ଗଣତନ୍ତ୍ରକୁ କବର ଦେଇଥିଲା । ଆମେ ବରାବର ବାମପନ୍ଥୀ ଦଳଗୁଡ଼ିକର ଐକ୍ୟ ଏବଂ ବାମପନ୍ଥୀ ମାନଙ୍କର ମିଳିତ ଆନ୍ଦୋଳନ ପକ୍ଷରେ ଆମମାନଙ୍କର ମତାମତ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଛୁ । ମାତ୍ର ସିପିଆଇ(ଏମ୍‍) ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଏ ଦିଗରେ ଅଗ୍ରସର ହୋଇ ନାହାନ୍ତି । ଏହି ଅବସ୍ଥାରେ ୨୦୧୯ ମସିହା ଅଗଷ୍ଟ ମାସରେ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ଦିଲ୍ଲୀରୁ ସିପିଆଇ(ଏମ୍‍) ଓ ତା’ର ସହଯୋଗୀ ଅନ୍ୟ ୪ଟି ବାମପନ୍ଥୀ ଦଳ ନାମରେ ଗୋଟିଏ ବିବୃତ୍ତି ଜାରି କରିଥିଲେ । ଏ ସମ୍ପର୍କରେ ଆମ ସହିତ କୌଣସି ଆଲୋଚନା କରିବାକୁ ମଧ୍ୟ ସେମାନେ ଆବଶ୍ୟକ ମନେ କରି ନାହାନ୍ତି । ଏହାପରେ ମଧ୍ୟ ଏ ରାଜ୍ୟରେ ଓ ଅନ୍ୟତ୍ର ଆମେ ସେମାନଙ୍କ ସହିତ ଐକ୍ୟବଦ୍ଧ କାର୍ଯ୍ୟକ୍ରମ କରିଛୁ । କେବଳ ମାତ୍ର ଭାରତୀୟ ଏକଚାଟିଆ ପୁଞ୍ଜିପତିଶ୍ରେଣୀର ଅନ୍ୟତମ ପ୍ରମୁଖଦଳ କଂଗ୍ରେସ ସହିତ ଏକତ୍ର କର୍ମସୂଚୀ ଗ୍ରହଣର ବିରୋଧିତା କରିଛୁ । କଂଗ୍ରେସ କୌଣସି ଦିନ ହିଁ ଧର୍ମନିରପେକ୍ଷ ନ ଥିଲା, ଏହି ଦଳର ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟ ନାହିଁ । ମେହେନତୀ ମଣିଷ ତଥା ଜନସାଧାରଣଙ୍କର ନାଯ୍ୟ ଦାବିକୁ ନେଇ କେଉଁଠି ବି କୌଣସି ପ୍ରକାର ଆନ୍ଦୋଳନ ସେମାନେ କରନ୍ତି ନାହିଁ । ସାମ୍ପ୍ରଦାୟିକତା, ଜାତିବିଦ୍ୱେଷର ବୈଶିଷ୍ଟ୍ୟ ମଧ୍ୟ ଏହି ଦଳର ରହିଛି । ଆମର ଏହି ମତବାଦିକ ଆପତ୍ତିକୁ ସିପିଆଇ(ଏମ୍‍) ନେତୃତ୍ୱ ଗ୍ରହଣ କଲା ନାହିଁ । ସେମାନେ ଭୋଟସର୍ବସ୍ୱ ସୁବିଧାବାଦୀ ରାଜନୀତିରେ ଏତେ ପରିମାଣରେ ନିମଜ୍ଜିତ ଯେ ବର୍ତ୍ତମାନ ସେମାନେ ଗୋଟିଏ ମୁସ୍‍ଲିମ୍‍ ମୌଳବାଦୀ ଗୋଷ୍ଠୀ ସହିତ ଆସନ ବୁଝାମଣା କରିବାକୁ ମଧ୍ୟ ଦ୍ୱିଧା କରିନାହାନ୍ତି । ଏହି ଗୋଷ୍ଠୀଟିକୁ ସେମାନେ ‘ସିକୁଲାର’ ନାମ ଦେଇଛନ୍ତି । ସୂଚନାଯୋଗ୍ୟ, ଏହି ଗୋଷ୍ଠୀଟି ଆସାଉଦ୍ଦିନ ଓ ୟେସୀଙ୍କ ଏମ୍‍ଆଇଏମ୍‍ ସହିତ ବୁଝାମଣା କରିଛି । ଏହି ଏମ୍‍ଆଇଏମ୍‍ ସଙ୍ଗଠନ ହିଁ ବିଜେପିର ମିତ୍ର ହିସାବରେ ଗତ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଛି । ଏହି ଧରଣର ରାଜନୀତି ଦ୍ୱାରା ସିପିଆଇ(ଏମ୍‍) ଓ ଏହାର ସହଯୋଗୀମାନେ ବାମପନ୍ଥାର ଆହୁରି କ୍ଷତି ସାଧନ କରୁଛନ୍ତି । ଆମେ ସେମାନଙ୍କର ଏହି ନୀତିହୀନ ମେଣ୍ଟ ଓ ରାଜନୀତିର ତୀବ୍ର ବିରୋଧିତା କରୁଛୁ । ଫଳରେ ଏହି ମେଣ୍ଟକୁ ସମର୍ଥନ କରିବାର ମଧ୍ୟ ପ୍ରଶ୍ନ ଉଠୁ ନାହିଁ ।
ସମସ୍ତେ ଜାଣନ୍ତି ଆମ ଦଳ କେନ୍ଦ୍ର ଓ ରାଜ୍ୟ ସରକାରର ସମସ୍ତ ଜନବିରୋଧି ନୀତି ବିରୁଦ୍ଧରେ ଲଗାତର ନାନା ଭାବରେ ଗଣଆନ୍ଦୋଳନ ସଙ୍ଗଠିତ କରୁଛି । ପ୍ରତିଦିନ ଆମ ଦଳର କର୍ମୀମାନେ ଜନସାଧାରଣଙ୍କ ଦାବିକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟସେବା, ନାରୀନିର୍ଯ୍ୟାତନା, ମଦ-ମାଦକ ଦ୍ରବ୍ୟ, ଅଶ୍ଳୀଳତା ଇତ୍ୟାଦି ବିରୁଦ୍ଧରେ ଆନ୍ଦୋଳନରେ ନିୟୋଜିତ ରହିଛନ୍ତି । ଜନସାଧାରଣ ମଧ୍ୟ ଏସ୍‍ୟୁସିଆଇ (କମ୍ୟୁନିଷ୍ଟ)କୁ ପ୍ରତିବାଦୀ ଆନ୍ଦୋଳନର ଦଳ ବୋଲି ଅବିହିତ କରନ୍ତି । ବର୍ତ୍ତମାନ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ କେବଳ ଉତ୍ତର ଭାରତର ରାଜ୍ୟଗୁଡ଼ିକରୁ ନୁହେଁ, ଦେଶର ସମସ୍ତ ରାଜ୍ୟରୁ ଆମ ଦଳର ନେତା ଓ କର୍ମୀମାନେ ସ୍ୱେଚ୍ଛାସେବକ ଭାବରେ କାମ କରୁଛନ୍ତି । କୃଷକ ଆନ୍ଦୋଳନର ସମର୍ଥନରେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ମଧ୍ୟ  ଧାରଣା, ଅବରୋଧ, ବିକ୍ଷୋଭ, ସଭା, ଶୋଭାଯାତ୍ରା କରାଯାଉଛି । ଏହି ଆନ୍ଦୋଳନର ଧାରାବାହିକତାରେ ଓ ଏହାର ଅଙ୍ଗ ଭାବରେ ହିଁ ଚଳିତ ନିର୍ବାଚନରେ ଆମେ ପଶ୍ଚିମବଙ୍ଗ ବିଧାନ ସଭାରେ ୧୯୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛୁ । ଗଣ ଆନ୍ଦୋଳନର ଏହି ସ୍ୱରକୁ ବିଧାନସଭା ମଧ୍ୟରେ ପ୍ରତିଧ୍ୱନିତ କରିବାପାଇଁ ଏସ୍‍ୟୁସିଆଇ (କମ୍ୟୁନିଷ୍ଟ) ଦଳର ପ୍ରାର୍ଥିମାନଙ୍କୁ ଜୟଯୁକ୍ତ କରିବା ପାଇଁ ଆମେ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରୁଛୁ । ଏହା ରାଜ୍ୟର ଜନସାଧାରଣଙ୍କର କର୍ତ୍ତବ୍ୟ । ଯେଉଁସବୁ ଆସନରେ ଆମ ଦଳର ପ୍ରାର୍ଥି ନାହାନ୍ତି ସେଠାରେ ଜନସାଧାରଣଙ୍କୁ ଉଦ୍ୟୋଗ ନେଇ ଗଣସଂଗ୍ରାମ କମିଟି ଗଠନ କରି ଏବଂ ଏହି କମିଟି ପକ୍ଷରୁ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ସର୍ବୋପରି ସଂଗ୍ରାମୀ ବ୍ୟକ୍ତିମାନଙ୍କୁ ପ୍ରାର୍ଥିଭାବରେ ଠିଆକରାଇ ଜୟଯୁକ୍ତ କରିବାପାଇଁ ମଧ୍ୟ ଆମେ ନିବେଦନ କରୁଛୁ ।

ଧନ୍ୟବାଦ ସହ
ଚଣ୍ଡୀଦାସ ଭଟ୍ଟାଚାର୍ଯ୍ୟ
ରାଜ୍ୟ ସମ୍ପାଦକ

Leave a Reply

Your email address will not be published. Required fields are marked *