ଯୁକ୍ତରାଷ୍ଟ୍ର ଆମେରିକାର କୃଷିକ୍ଷେତ୍ରରେ ବ୍ୟାପକ କର୍ପୋରେଟ୍‍ ପୁଞ୍ଜି ବିନିଯୋଗର ଧ୍ୱଂସାତ୍ମକ ପରିଣତି

Sarbaharakranti 15.04.2021 - (ଦେଶର କୃଷକମାନଙ୍କ ଅବସ୍ଥାରେ ଉନ୍ନତି ଆଣିବାର ଘୋଷିତ ଲକ୍ଷ୍ୟରେ କେନ୍ଦ୍ର ବିଜେପି ସରକାର ତିନୋଟି କୃଷି ଆଇନ୍‍ ପ୍ରଣୟନ କରିଛନ୍ତି । ସରକାରଙ୍କର ଯୁକ୍ତି ହେଉଛି କୃଷକମାନଙ୍କର ଅବସ୍ଥାର ଉନ୍ନତି ଘଟାଇବାକୁ ହେଲେ କୃଷିକ୍ଷେତ୍ରର ଆଧୁନିକୀକରଣ ଆବଶ୍ୟକ । ପୁଣି ଆଧୁନିକୀକରଣ ପାଇଁ ଏହି କ୍ଷେତ୍ରରେ ବ୍ୟାପକ କର୍ପୋରେଟ୍‍ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି । ଏହି ଆବଶ୍ୟକତା ପୂରଣ କରିବାପାଇଁ ଏହି ତିନିଟି କୃଷି ଆଇନ୍‍ ପ୍ରଣୟନ କରାଯାଇଛି । ଅନ୍ୟଦିଗରେ ଏହି କୃଷି ଆଇନ୍‍ଗୁଡ଼ିକ କାର୍ଯ୍ୟକାରୀ ହେଲେ ଦେଶର ସମସ୍ତ କୃଷିଜାତଦ୍ରବ୍ୟ, ଚାଷ ଜମି କର୍ପୋରେଟ୍‍ କୃଷିବ୍ୟବସାୟୀମାନଙ୍କ ହାତକୁ ଚାଲିଯିବ । ବ୍ୟବସାୟୀମାନେ ସାଧାରଣ ଲୋକଙ୍କ ଭୋକରେ ବ୍ୟବସାୟ କରିବେ । ଚାଷୀ, କ୍ଷେତମଜଦୁର ଓ ସାଧାରଣ ଖାଉଟି ସର୍ବସ୍ୱାନ୍ତ ହେବ ବୋଲି ଦୀର୍ଘ ୪ ମାସରୁ ଅଧିକ ସମୟଧରି ଏହି କୃଷି ଆଇନ୍‍ ବିରୁଦ୍ଧରେ ଐତିହାସିକ ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନମାନେ ମତଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତର ଶାସକମାନେ ଆଦର୍ଶ ବୋଲି ପ୍ରଚାର କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାରେ କୃଷିକ୍ଷେତ୍ରରେ ବ୍ୟାପକ କର୍ପୋରେଟ୍‍ ପୁଞ୍ଜି ବିନିଯୋଗ ଫଳରେ ସେଠିକାର କୃଷକମାନଙ୍କର ଅବସ୍ଥା କ’ଣ ହୋଇଛି ସେ ସମ୍ପର୍କରେ ଆମେରିକାର ଅଗ୍ରଣୀ ସମ୍ବାଦପତ୍ର ଦି ଗାର୍ଡ଼ିଆନ୍‍, ‘ଦି ହିନ୍ଦୁ ବିଜିନେସ୍‍ ଲଇନ୍‍’ (ତା ୧୨.୧୨.୨୦୨୦) ତଥା ଟାଇମ୍ସ ଅଫ୍‍ ଇଣ୍ଡିଆ (ତା ୮.୦୩.୨୦୨୧)ରେ ପ୍ରକାଶିତ ରିପୋର୍ଟର ଆଧାରରେ ଏହି ଲେଖାଟି ପ୍ରସ୍ତୁତ କରାଯାଇଛି । ଆଶା କରୁଛୁ ସର୍ବହରାର ପାଠକ ତଥା ଜନସାଧାରଣ ଆମେରିକାର ଅଭିଜ୍ଞତାରୁ ଆମ ଦେଶରେ ପ୍ରଣୟନ କରାଯାଇଥିବା ତିନୋଟି କୃଷି ଆଇନ୍‍ର ଭୟାବହ ବିପତ୍ତି ସମ୍ପର୍କରେ ଅନୁମାନ କରିପାରିବେ ।)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଏବଂ ବିଜେପି ନେତମାନେ ଦାବି କରୁଛନ୍ତି ଯେ ଦେଶର କୃଷି କ୍ଷେତ୍ରରେ ବ୍ୟାପକ କର୍ପୋରେଟ୍‍ ପୁଞ୍ଜି ବିନିଯୋଗ ରାସ୍ତାରେ ଥିବା ସମସ୍ତ ବାଧା ଦୂର କରିବାପାଇଁ ପ୍ରଣୟନ କରାଯାଇଥିବା ତିନିଟି କୃଷି ଆଇନ୍‍ ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଥମଥର ପାଇଁ ଦେଶର ସାଧାରଣ କୃଷକମାନଙ୍କ ମୁହଁରେ ହସ ଫୁଟେଇବ । ଏହି ଆଇନ୍‍ ବିରୁଦ୍ଧରେ ଆନ୍ଦୋଳନକାରୀ କୃଷକମାନେ ଉତ୍ଥାପନ କରୁଥିବା କୌଣସି ଗୋଟିଏ ହେଲେ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରୁ ନଥିଲେ ମଧ୍ୟ କେନ୍ଦ୍ର ସରକାର ଓ ବିଜେପି ଦଳ ଏ ବାବଦରେ ନାନାଧରଣର ବିଭ୍ରାନ୍ତିକର ପ୍ରଚାର ଚଳାଇଛନ୍ତି । ଗତବର୍ଷ ଡିସେମ୍ବର ମାସରେ ଫେଡ଼େରେସନ୍‍ ଅଫ୍‍ ଇଣ୍ଡିଆନ୍‍ ଚାମ୍ବର୍ସ ଅଫ୍‍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ୯୩ତମ ବାର୍ଷିକ ଅଧିବେଶନକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ସମ୍ବୋଧନକରି ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରି କହିଥିଲେ ଯେ କୃଷି ଓ କୃଷି ସହିତ ଯୁକ୍ତ ଶିଳ୍ପ କ୍ଷେତ୍ରରେ ରହିଥିବା ସୁଯୋଗର ଘରୋଇ ଉଦ୍ୟୋଗ ଉପଯୁକ୍ତ ଭାବରେ ସଦ୍‍ବ୍ୟବହାର କରି ନାହିଁ । ଏହି ଭାଷଣରେ ପ୍ରଧାନମନ୍ତ୍ରୀ ଆମେରିକାକୁ ଏ କ୍ଷେତ୍ରରେ ଆଦର୍ଶ ଭାବରେ ଉପସ୍ଥାପନ କରିଥିଲେ ।
ମାତ୍ର ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ କୃଷିକ୍ଷେତ୍ରରେ ବ୍ୟାପକ କର୍ପୋରେଟ୍‍ ପୁଞ୍ଜି ବିନିଯୋଗ ଫଳରେ କୃଷକମାନଙ୍କ ଜୀବନରେ ସୃଷ୍ଟି ହୋଇଥିବା ଭୟାବହ ପରିସ୍ଥିତି ଅତ୍ୟନ୍ତ ସ୍ପଷ୍ଟଭାବରେ ପ୍ରର୍ଦଶିତ ହୋଇଛି । ଆଜିଠାରୁ ୪୦ ବର୍ଷ ତଳେ ୧୯୮୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ତତ୍‍କାଳୀନ ସରକାର ଆମେରିକାର କୃଷିକ୍ଷେତ୍ରକୁ କର୍ପୋରେଟ୍‍ ପୁଞ୍ଜିପାଇଁ ଖୋଲିଦେଇଥିଲା । ଆମେରିକାର ସେତେବେଳର ରାଷ୍ଟ୍ରପତି ତଥା “ମୁକ୍ତ ବଜାର ଓ ସରକାରୀ ନିୟନ୍ତ୍ରଣ ମୁକ୍ତି”ର ଶକ୍ତିଶାଳୀ ପ୍ରବକ୍ତା ରୋନାଲ୍ଡ ରିଗାନ କୃଷି ଅର୍ଥନୀତି ଉପରୁ ସରକାରୀ ନିୟନ୍ତ୍ରଣ ହଟାଇ ଦେଇଥିଲେ ଏବଂ ପ୍ରତିଯୋଗିତାମୂଳକ ବଜାର ସୃଷ୍ଟି କରିବା ଆଳରେ କର୍ପୋରେଟ୍‍ ଏବଂ କୃଷି ବ୍ୟବସାୟ କରୁଥିବା ବହୁଜାତୀୟ କମ୍ପାନୀମାନଙ୍କୁ କୃଷିକ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ କରିବାପାଇଁ ନିରଙ୍କୁଶ ସୁଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ପରବର୍ତ୍ତୀ ସମୟରେ ଏହି “ମୁକ୍ତ ବଜାର ଓ ସରକାରୀ ନିୟନ୍ତ୍ରଣ ମୁକ୍ତ” ହିଁ ଜଗତିକରଣ ଅର୍ଥନୀତିର ମୂଳ ଆଧାରଭାବରେ ଉପସ୍ଥାପନ କରାଯାଇଥିଲା । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ରୋନାଲ୍ଡ ରିଗାନ୍‍ ମଧ୍ୟ ଯୁକ୍ତି କରିଥିଲେ ଯେ ଖୁବ୍‍ଶୀଘ୍ର କୃଷି ଅର୍ଥନୀତିକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରାଯିବା ଉଭୟ କୃଷକ ଓ ଖାଉଟିମାନଙ୍କର ସମସ୍ତ ସମସ୍ୟାର ମହୋଷଧି ପ୍ରମାଣିତ ହେବ । ଆମେରିକାରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀଙ୍କ ସଂଖ୍ୟା ଶତକଡ଼ା ୯୦ ଭାଗ ହୋଇଥିଲେ ମଧ୍ୟ ସେମାନେ ବଜାର ମୂଲ୍ୟର କେବଳ ମାତ୍ର ଶତକଡ଼ା ୨୫ ଭାଗ ଉତ୍ପାଦନ କରନ୍ତି । ମାତ୍ର କର୍ପୋରେଟ୍‍ମାନେ ଆମେରିକାର କୃଷିକ୍ଷେତ୍ର ଉପରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଛନ୍ତି ଏବଂ କୃଷିକ୍ଷେତ୍ରରୁ ବିପୁଳ ମୁନାଫା ଲୁଟ୍‍ କରନ୍ତି । ବାସ୍ତବରେ ଗତ ଦଶଂନ୍ଧିରେ କ୍ଷୁଦ୍ର ଓ ମଧ୍ୟମ ଧରଣର କୃଷକମାନଙ୍କର ଆୟ କ୍ରମାଗତଭାବରେ ହ୍ରାସପାଇ ଚାଲିଛି । ଖୁଚୁରା ବଜାରରେ ଆମେରିକାର କ୍ଷୁଦ୍ର କୃଷକମାନଙ୍କର ଭାଗିଦାରୀ ୧୯୫୦ ମସିହାରେ ଶତକଡ଼ା ୫୦ ଭାଗ ଥିଲାବେଳେ ଏହା ବର୍ତ୍ତମାନ ମାତ୍ର ଶତକଡ଼ା ୧୫ ଭାଗକୁ ଖସିଆସିଛି । ଏହାର ଅର୍ଥ ହେଉଛି କୃଷିକ୍ଷେତ୍ରକୁ କର୍ପୋରେଟ୍‍ମାନେ ଦଖଲ କରିବାପରେ କ୍ଷୁଦ୍ର ଓ ମଧ୍ୟମଧରଣର କୃଷକମାନେ ଖୁଚୁରା ବଜାରରେ ନିଜର ଉତ୍ପାଦିତ କୃଷିଜାତଦ୍ରବ୍ୟ ବିକ୍ରିର ସୁଯୋଗ ହରାଇଛନ୍ତି ଏବଂ ଦୈତ୍ୟକାୟ ଏକଚାଟିଆ କୃଷିବ୍ୟବସାୟୀ କର୍ପୋରେଟ୍‍ମାନଙ୍କୁ ଯଥେଷ୍ଟ କମ୍‍ ଦାମରେ କୃଷିପଣ୍ୟ ବିକ୍ରିକରିବାକୁ ବାଧ୍ୟ ହୋଇଛନ୍ତି । ଏହି ସମୟ ମଧ୍ୟରେ କୃଷକମାନଙ୍କ ଉପରେ ଋଣଭାର ବଢ଼ି ବଢ଼ି ୪୨୫ ବିଲିୟନ୍‍ ଡଲାର (ପ୍ରାୟ ୩୨ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି । ଚାଷୀମାନଙ୍କ ମଧ୍ୟରେ ଋଣଖିଲାପି, ଦେବାଳିଆ ପଣିଆ ଓ ଆତ୍ମହତ୍ୟା ନିବାରଣ କେନ୍ଦ୍ରକୁ ଆବେଦନ ବଢ଼ି ଚାଲିଛି । ଆମେରିକାରେ ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି । ଏହାବ୍ୟତୀତ ଆମେରିକାର ଶତକଡ଼ା ୭୫ ଭାଗ ଚାଷୀ ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରନ୍ତି ଯେତେବେଳେ କି ବିହନଠାରୁ ତେଜରାତି ଦୋକାନ ପର୍ଯ୍ୟନ୍ତ କୃଷିର ସମସ୍ତ କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ଦୈତ୍ୟକାୟ କୃଷି ବ୍ୟବସାୟୀ କମ୍ପାନୀମାନେ ଅଧିକରୁ ଅଧିକ ମୁନାଫା ଲୁଟ୍‍ କରିଚାଲିଛନ୍ତି । ମାତ୍ର ଚାରିଟି ବିରାଟକାୟ ଏକଚାଟିଆ କମ୍ପାନୀ ଆମେରିକାର ବିହନ ବଜାରର ଶତକଡ଼ା ଦୁଇତୃତୀୟାଂଶ ଓ ରାସାୟନିକ ସାର କାରବାର, ଫସଲ ବ୍ୟବସାୟ, ଦୁଗ୍ଧଜାତ ଦ୍ରବ୍ୟ, ମାଂସ ପ୍ରଭୃତି କାରବାରର ଶତକଡ଼ା ୮୦ ଭାଗ ନିୟନ୍ତ୍ରଣ କରନ୍ତି । ପୁଣି ଏହି ଚାରିଟି କମ୍ପାନୀ ଆମେରିକାର କୃଷିଯନ୍ତ୍ରପାତି ଉତ୍ପାଦନ ଓ ବିକ୍ରିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରନ୍ତି । ପୂର୍ବରୁ ବଂଶାନୁକ୍ରମିକ ଭାବରେ ଆମେରିକାର ଚାଷୀମାନେ ବିଭିନ୍ନ ପ୍ରକାର ଚାଷ କରୁଥିଲେ । କୁକୁଡ଼ା, ଛେଳି, ମେଣ୍ଢା ଚାଷ ଉପରେ ଗୁରୁତ୍ୱ ଦେଉଥିଲେ । ମାତ୍ର ବର୍ତ୍ତମାନ ଛୋଟ ଓ ମଧ୍ୟମଧରଣର ଚାଷୀମାନେ ମକା ଚାଷ ପାଇଁ ନିଜ ଜମି ଚୁକ୍ତିରେ ଦେଉଛନ୍ତି । ମକା ମୁଖ୍ୟତଃ ଗୋଖାଦ୍ୟ ଭାବରେ ବ୍ୟବହାର ହେଉଛି ଏବଂ ଦେଶ ଅଭ୍ୟନ୍ତର ସହିତ ବିଦେଶରେ ଏହାର ବିରାଟ ବଜାର ରହିଛି । ୨୦୨୦-୨୧ ମସିହାରେ ଆମେରିକାର ମକା ରତ୍ପାନୀ ପୂର୍ବବର୍ଷ ତୁଳନାରେ ଶତକଡ଼ା ୧୬୨ ଭାଗ ବୃଦ୍ଧି ପାଇଛି । ମକାଚାଷ ପାଇଁ ଆମେରିକା ସରକାର ପ୍ରଚୁର ସବ୍‍ସିଡ଼ି ମଧ୍ୟ ଦେଉଛନ୍ତି ଏବଂ ଏହାକୁ ଅର୍ଥକାରୀ ଫସଲ ଭାବରେ ଧରାଯାଉଛି । ସରକାର ଋଣଛାଡ଼, ବଜାରରେ ପ୍ରତିଯୋଗିତା ପାଇଁ ଯୋଗ୍ୟହେବା ଏବଂ ଫସଲ ବୀମା ବାବଦରେ କର୍ପୋରେଟ୍‍ମାନଙ୍କୁ ବିପୁଳ ସହାୟତା ଦେଉଛନ୍ତି । ଆମେରିକା ସରକାର କୃଷିକ୍ଷେତ୍ର ପାଇଁ ବର୍ଷକୁ ଦେଉଥିବା ୫୦ ବିଲିୟନ୍‍ ଡଲାର (୩ ଲକ୍ଷ ୭୨ ହଜାର କୋଟି) ସବ୍‍ସିଡ଼ିର ଶତକଡ଼ା ୭୦ ଭାଗ ବଡ଼ ବଡ଼ କର୍ପୋରେଟ୍‍ମାନଙ୍କ ପକେଟ୍‍କୁ ଯାଉଛି ।
କେବଳ ସେତିକି ନୁହେଁ, ଛୋଟ ଛୋଟ କୃଷିକ୍ଷେତ୍ରର ସଂଖ୍ୟା ହ୍ରାସ ପାଇବା ସହିତ ଶତକଡ଼ା ୮୦ ଭାଗ ଗ୍ରାମାଞ୍ଚଳରେ ଜନସଂଖ୍ୟା ହ୍ରାସ ପାଉଛି । ବିହନ ଯୋଗାଣକାରୀ, ଶସ୍ୟଜମାକାରୀ, କୃଷିଯନ୍ତ୍ରପାତି ମରାମତି ଦୋକାନ, ଏପରିକି ପଶୁ ଡାକ୍ତରଖାନା ମଧ୍ୟ ଆଉ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁ ନାହିଁ । ଆମେରିକାର ଗ୍ରାମାଞ୍ଚଳ ଜିଲ୍ଲାମାନଙ୍କରେ ପ୍ରତ୍ୟେକ ବର୍ଷ ହାରାହାରି ୧୦୦୦ ସ୍କୁଲ ବନ୍ଦ ହେଉଛି । ପ୍ରାୟ ସମସ୍ତ କୃଷକମାନଙ୍କର ମତ ହେଉଛି କୃଷିକ୍ଷେତ୍ରକୁ କର୍ପୋରେଟ୍‍ ପୁଞ୍ଜିପାଇଁ ଉନ୍ମୁକ୍ତ କରିଦେବା ଏବଂ ଦୈତ୍ୟକାୟ କୃଷି କର୍ପୋରେଟ୍‍ ମାନଙ୍କର ଅଭ୍ୟୁତ୍‍ଥାନ ଏହି ପରିସ୍ଥିତି ପାଇଁ ଦାୟୀ । ଏହି କର୍ପୋରେଟ୍‍ମାନେ ଗୁଣସୂତ୍ର (ଜେନେଟିକ୍‍) ଗବେଷଣା ଠାରୁ ଆରମ୍ଭ କରି ଗ୍ରୋସରୀ ଦୋକାନ ପର୍ଯ୍ୟନ୍ତ କୃଷିରେ ବ୍ୟବହୃତ ପ୍ରତ୍ୟେକ ସାମଗ୍ରୀପାଇଁ ଅତ୍ୟଧିକ ଦର ଆଦାୟ କରନ୍ତି, କାରଣ ସେମାନଙ୍କର ମୂଳ ଉଦ୍ଦେଶ୍ୟ ହେଉଛି ମୁନାଫା ଅର୍ଜନ କରିବା । ସେମାନେ ଅତ୍ୟଧିକ ଉତ୍ପାଦନ କରନ୍ତି ଯାହାଫଳରେ କୃଷିଜାତ ଦ୍ରବ୍ୟର ଦର କମ୍‍ ରହେ, ଏପରିକି ଉତ୍ପାଦନ ପାଇଁ ହେଉଥିବା ବ୍ୟୟ ଅପେକ୍ଷା ମଧ୍ୟ କମ୍‍ ହୋଇଯାଏ । ଏହି ପ୍ରକ୍ରିୟାରେ ସେମାନେ ପ୍ରତିଯୋଗୀମାନଙ୍କୁ ବଜାରରୁ ହଟାଇ ଦିଅନ୍ତି । କୃଷିକୁ ଭିତ୍ତିକରି ଗଢ଼ିଉଠିଥିବା କଳକାରଖାନା ଓ କର୍ପୋରେଟ୍‍ ମାଲିକମାନଙ୍କ ସ୍ୱାର୍ଥରେ ସମଗ୍ର ବ୍ୟବସ୍ଥାକୁ ପ୍ରସ୍ତୁତ କରାଯାଇଛି । ଯାହାଫଳରେ କି କ୍ଷୁଦ୍ରଚାଷୀ ପରିବାର, ପରିବେଶ ଓ ଦେଶର ଖାଦ୍ୟସୁରକ୍ଷା ଗୁରୁତର ସଙ୍କଟରେ ନିମଜ୍ଜିତ ହୋଇଛି । ଏହି କର୍ପୋରେଟ୍‍ ମାନେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଧ୍ୟ ନିୟନ୍ତ୍ରଣ କରୁଥିବାରୁ ସମାଜର ସମସ୍ତ କ୍ଷେତ୍ର ଉପରେ ସେମାନଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ପ୍ରତିଷ୍ଠିତ ହୋଇଛି । ଏହା କୃଷକମାନଙ୍କୁ ଉଚ୍ଛନ୍ନ କରିବାପାଇଁ ଏକ ନକ୍ସା । ଜଣେ କ୍ଷୁଦ୍ରଚାଷୀଙ୍କ ଭାଷାରେ ‘ଆମେ ଆମ ନିଜର ମୃତ୍ୟୁପାଇଁ ସରକାରଙ୍କୁ ଟିକସ ଦେଉଛୁ ।’ ଆଉ ଜଣେ କୃଷକ କହିଲେ, ‘ପୁଞ୍ଜି ବିନିଯୋଗକାରୀମାନେ ଜମି ଖରିଦ୍‍ କରିନିଅନ୍ତି, ସେମାନଙ୍କ ପାଖରେ ଉନ୍ନତ କୃଷି ଯନ୍ତ୍ରପାତି ରହିଛି ଯାହାକୁ ସେମାନେ କମ୍ପ୍ୟୁଟର ଜରିଆରେ ଚଳାଇପାରନ୍ତି । ଏହି ପ୍ରକ୍ରିୟାରେ ଚାଷୀମାନେ ଚାଷ ଓ ପଶୁପାଳନ ଭୁଲିଗଲେଣି । ଆମେରିକାର ଅନ୍ତତଃ ଦୁଇଟି ପିଢ଼ୀ ଚାଷୀଙ୍କ ପାଖରେ ଚାଷ ସମ୍ପର୍କିତ ଜ୍ଞାନ ଆଉ ନାହିଁ । ବର୍ତ୍ତମାନ କିଏ ଖାଇବ, କ’ଣ ଖାଇବ ଓ କିଏ ଖାଇବ ନାହିଁ ସେକଥା ହାତଗଣିତ କୃଷିପଣ୍ୟ ବ୍ୟବସାୟୀ କର୍ପୋରେଟ୍‍ ହାଉସ୍‍ ସ୍ଥିର କରିବେ । କେହିଯଦି ଚାଷ କରିବାକୁ ଚାହାଁନ୍ତି ତା’ହେଲେ ତାଙ୍କୁ ସେହି କର୍ପୋରେଟ୍‍ମାନଙ୍କ ପାଇଁ ହିଁ ଚାଷ କରିବାକୁ ହେବ । ସେମାନେ ଚାଷୀକୁ କାମ ଦେବେ ଏବଂ ଚାଷୀକୁ ସେମାନଙ୍କ ସର୍ତ୍ତ ମାନି କାମ କରିବାକୁ ହେବ । ସେମାନେ ସବୁକିଛି ନିୟନ୍ତ୍ରଣ କରନ୍ତି । ସୁତରାଂ ଏହି ପରିସ୍ଥିତିରେ ଛୋଟ ଚାଷୀ ତିଷ୍ଠି ରହିପାରିବ ନାହିଁ ।”
ପୂର୍ବରୁ ଆଲୋଚନା କରାଯାଇଛି ଯେ କୃଷିକ୍ଷେତ୍ରର କର୍ପୋରେଟ୍‍ ଦଖଲ ସପକ୍ଷରେ ଯୁକ୍ତି କରିବାକୁ ଯାଇ ରାଷ୍ଟ୍ରପତି ରୋନାଲ୍ଡ ରିଗାନ କହିଥିଲେ ଯେ ଏହା ଉଭୟ କୃଷକ ଓ ଖାଉଟିମାନଙ୍କ ପାଇଁ ଲଭାଦାୟକ ହେବ । ଉପରେ କୃଷକମାନଙ୍କର କ୍ରମବର୍ଦ୍ଧମାନ ଦାରିଦ୍ର‌୍ୟ ଓ ଦୁଃଖଦୁର୍ଦ୍ଦଶା ସମ୍ପର୍କରେ ଆଲୋଚନା କରାଯାଇଛି । ପୁଣି ଖାଉଟିମାନଙ୍କର ଅବସ୍ଥା କ’ଣ? ଆମେରିକା ରାଷ୍ଟ୍ରପତିଙ୍କ ଦାବି ମୁତାବକ କୃଷିକ୍ଷେତ୍ର ଉପରେ କର୍ପୋରେଟ୍‍ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ପ୍ରତିଷ୍ଠା ହେବାଫଳରେ ଖାଦ୍ୟସାମଗ୍ରୀର ଦର କ’ଣ ହ୍ରାସ ପାଇଛି? ନା ଏ ସମ୍ପର୍କିତ ବାସ୍ତବତା ଠିକ୍‍ ବିପରୀତ । ଗତ ୪୦ ବର୍ଷ ମଧ୍ୟରେ ଆମେରିକାରେ ଖାଦ୍ୟସାମଗ୍ରୀର ହାରାହାରି ଦର ଶତକଡ଼ା ୨୦୦ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଯେତେବେଳେ କି ସମାଜର ସବୁଠାରୁ ନିମ୍ନସ୍ତରରେ ଥିବା ଶତକଡ଼ା ୯୦ ଭାଗ ଲୋକଙ୍କର ରୋଜଗାର ମାତ୍ର ଶତକଡ଼ା ୨୫ ଭାଗରୁ ମଧ୍ୟ କମ୍‍ ବୃଦ୍ଧିପାଇଛି ।
ସୁତରାଂ ଏହାହେଉଛି କୃଷିକ୍ଷେତ୍ରର କର୍ପୋରେଟ୍‍ ଦଖଲର ଅବଶ୍ୟମ୍ଭାମୀ ପରିଣତି । ସେଥିପାଇଁ ଆମେରିକାର କୃଷି ଆଇନ୍‍ର ଅବଲମ୍ବନ ଆମ ଦେଶରେ ପ୍ରଣୟନ କରାଯାଇଥିବା ଚୂଡ଼ାନ୍ତ ଜନବିରୋଧୀ କୃଷି ଆଇନ୍‍ ପ୍ରତିବାଦରେ ଚାଲିଥିବା ଐତିହାସିକ ଆନ୍ଦୋଳନ ଓ ଏହି ଆନ୍ଦୋଳନକୁ ଭାଙ୍ଗିବାପାଇଁ ବିଜେପି ସରକାରର ଘୃଣ୍ୟ ଉଦ୍ୟମକୁ ବିଫଳ କରିବାପାଇଁ ସମସ୍ତ ସ୍ତରର ଜନସାଧାରଣ ଆଗେଇଆସିବା ହେଉଛି ଆଜି ସମୟର ଆହ୍ୱାନ ।

Leave a Reply

Your email address will not be published. Required fields are marked *