କରୋନାର ଦ୍ୱିତୀୟ ଲହର ଓ ଅପରାଧି କେନ୍ଦ୍ର ସରକାର

Sarbaharakranti 15.05.2021 - ସମଗ୍ର ଦେଶ କରୋନା ମହାମାରୀର ଦ୍ୱିତୀୟ ଲହରର କରାଳ କବଳରେ ପଡିଛି । କରୋନାର ଏହି ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଆହୁରି ଅଧିକ ମରାତ୍ମକ ଏବଂ ଏହା ପ୍ରଥମ ଲହର ତୁଳନାରେ ଅତ୍ୟନ୍ତୁ ଦ୍ରୁତ ପ୍ରସାରିତ ହେଉଛି । ଫଳରେ ସମଗ୍ର ଦେଶ ଆଜି ଏହାର କବଳରେ କବଳିତ ହୋଇଛି ଏବଂ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଜୀବନ ନେଉଛି । ସରକାରୀ ହିସାବ ଅନୁଯାୟୀ ପ୍ରତ୍ୟେକ ଦିନ ୪/୫ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି  ଏବଂ ଏହି ସଂଖ୍ୟା ଉଦ୍‌ବେଗଜନକ ଭାବରେ ବଢିଚାଲିଛି । ତେବେ ବାସ୍ତବ ଆକ୍ରାନ୍ତ ଓ ମୃତ ସଂଖ୍ୟା ସରାକରୀ ଆକଳନଠାରୁ  ଯଥେଷ୍ଟ ଅଧିକ ବୋଲି ଇତି ମଧ୍ୟରେ ଗଣମାଧ୍ୟମରେ ପ୍ରମାଣ ସହିତ ଉପସ୍ଥାପିତ ହୋଇଛି । ଆମେରିକାର ଏକ ପ୍ରତିଷ୍ଠିତ ଖବର କାଗଜରେ ପ୍ରକାଶିତ ସମ୍ବାଦ ଅନୁଯାୟୀ ଇତି ମଧ୍ୟରେ ଦେଶରେ ୪୨ଲକ୍ଷ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ନଈରେ ଭାସୁଥିବା ଶହ ଶହ ଶବ ଏବଂ ନଦୀକୂଳ ବାଲିରେ ପୋତା ହୋଇଥିବା ହଜାର ହଜାର ମୃତଦେହ ଗୁଡକର ହିସାବ ସରକାରଙ୍କ ଖାତାରେ ନାହିଁ । ସମଗ୍ର ଦେଶରେ ହାହାକାରମୟ ପରିସ୍ଥିତି, ଘରେ ଘରେ କୋଭିଡ୍ ରୋଗୀ ଆଉ ଘରେ ଘରେ ମୃତ୍ୟୁର ବିଭିଷିକା ।
ତେବେ ଦେଶରେ ଯେ କରୋନାର ଦ୍ୱିତୀୟ ଲହର ଆସିବା ଅବଶ୍ୟମ୍ଭାବୀ ସେକଥା ଦେଶର ଶାସକମାନଙ୍କୁ ଅଜଣା ନଥିଲା । ଭାରତ ପୂର୍ବରୁ ପୃଥିବୀର ବହୁଦେଶରେ ଏହି ଦ୍ୱିତୀୟ ଲହର ଆସିଛି ଏବଂ ପ୍ରଥମ ଲହର ତୁଳନାରେ ଅଧିକ ଲୋକଙ୍କ ଜୀବନ ନେଇଛି । ଏହା ମଧ୍ୟ ଲକ୍ଷ୍ୟ କରାଯାଇଛି ଯେ ଯେଉଁଦେଶରେ କରୋନାର ପ୍ରଥମ ଲହର ସାମାନ୍ୟ କମିଯିବାପରେ ସରକାର ଓ ଜନସାଧାରଣ ଆବଶ୍ୟକ ସାବଧାନତା ନେଲେନାହିଁ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କରଣୀୟ ନିର୍ଦ୍ଦେଶାବଳୀ ମାନିଲେ ନାହିଁ ଏବଂ ଢିଲା ଢାଲା ମନୋଭାବ ପୋଷଣ କଲେ ସେହି ସମସ୍ତ ଦେଶରେ ଦ୍ୱିତୀୟ ଲହର ଅତ୍ୟନ୍ତ ମାରାତ୍ମକ ପ୍ରମାଣିତ ହୋଇଛି । ଇତି ମଧ୍ୟରେ କରୋନାପାଇଁ କେତେଗୁଡିଏ ଟୀକା ବାହାରିଛି । ମାତ୍ର ଏହି ଟୀକା ସାଧାରଣ ଲୋକଙ୍କପାଇଁ ଆବଶ୍ୟକ ସଂଖ୍ୟାରେ ଉପଲବ୍ଧ ହେଉନାହିଁ, ବିଶେଷକରି କୋଟି କୋଟି ଦରିଦ୍ର ଓ ସମାଜର ବଂଚିତ ଅବହେଳିତ ବର୍ଗର ଲୋକମାନେ ଏଥିରୁ ବଂଚିତ ହେଉଛନ୍ତି । ଏହାର କାରଣ ହେଉଛି ଟୀକାର ଅଭାବ ଏବଂ ଏହାର ଚଢାଦାମ । ଆବଶ୍ୟକତା ତୁଳନାରେ ଟୀକା ଉତ୍ପାଦନ ଯଥେଷ୍ଟ କମ ହେଉଥିବାରୁ ଏବଂ କମ୍ପାନୀ ଓ ସରକାରଙ୍କର ଲାଭଖୋର ମନୋବୃତ୍ତି ପାଇଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଆହୁରିମଧ୍ୟ, ଏହି ଟିକା ଘରୋଇ ଫାର୍ମା କମ୍ପାନୀମାନେ ପ୍ରସ୍ତୁତ କରୁଛନ୍ତି ଏବଂ ଏହି କମ୍ପାନୀମାନଙ୍କର ମୂଳ ଲକ୍ଷ୍ୟ ହେଉଛି ଯେକୌଣସି ଉପାୟରେ ସର୍ବୋଚ୍ଚ ମୁନାଫା ଅର୍ଜନ । ଏହି ପରିସ୍ଥିତିରେ ଯଥେଷ୍ଟ ସଂଖ୍ୟକ ଟୀକା ଉତ୍ପାଦନ କରିବା ଏବଂ କାଳବିଳମ୍ବ ନକରି ସମସ୍ତ ନାଗରିକ ମାନଙ୍କପାଇଁ ଏହି ଟୀକା ଉପଲବ୍ଧ କରାଇବା ଆମ ଦେଶ ସମେତ ପୃଥିବୀର ସମସ୍ତ ସରକାରମାନଙ୍କର ଦାୟିତ୍ୱ । ସମଗ୍ର ମାନବଜାତି ଏହି ଧରଣର ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହୋଇଥିଲାବେଳେ କୌଣସି ସଭ୍ୟ ସରକାର କଦାପି ଏହି ଦାୟିତ୍ୱ ଅସ୍ୱୀକାର କରିପାରିବନାହିଁ । ଏହାବ୍ୟତୀତ ଯେକୌଣସି ସଭ୍ୟ ସରକାରର ବର୍ତ୍ତମାନର ପ୍ରାଥମିକତା ହେଉଛି ଅଧିକ ସଂଖ୍ୟକ ହାସପାତାଳ ନିର୍ମାଣ କରିବା, ହାସପାତାଳର ଶଯ୍ୟା ସଂଖ୍ୟା ବୃଦ୍ଧିକରିବା, ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ନିଯୁକ୍ତି ଦେବା, ବ୍ୟତୀତ ଜରୁରୀ ଔଷଧ, ଜୀବନ ରକ୍ଷାକାରୀ ଅମ୍ଳଜାନ ଓ ଆବଶ୍ୟକ ସଂଖ୍ୟକ ଭେଣ୍ଟଲେଟର ଉପଲବ୍ଧ କରିବା । ମାତ୍ର ଉପରୋକ୍ତ ମାନଦଣ୍ଡ ଅନୁସାରେ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର କାର୍ଯ୍ୟକଳାପକୁ ଲକ୍ଷ୍ୟ କଲେ ଏହି ସରକାରମାନଙ୍କୁ ସଭ୍ୟ ସରକାର ବୋଲି କୁହାଯାଇ ପାରିବ ନାହିଁ । ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସମ୍ବାଦ ଆମର ଏହି ମତାମତକୁ ପ୍ରମାଣିତ କରିବାପାଇଁ ଯଥେଷ୍ଟ ।

କରୋନାର ପ୍ରଥମ ଲହର ସମୟରେ ଦେଶର
ଭୁଷୁଡି ପଡିଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିର ଚିତ୍ର
ଗତବର୍ଷ କରୋନା ମହାମାରୀ ଆରମ୍ଭ ହେବା ସମୟରେ ଆମ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ଡାକ୍ତଖାନାମାନଙ୍କର ଅଧିପତ୍ୟ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର କରୁଣ ଅବସ୍ଥା ସାମନାକୁ ଅସିଥିଲା । ଚିକିତ୍ସାପାଇଁ ସାଧାରଣ ଲୋକ ନିର୍ଭର କରୁଥିବା ସମଗ୍ର ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ କେବଳ ନାମକୁ ରହିଛି । ଭାରତୀୟ ଜନସ୍ୱାସ୍ଥ୍ୟ ମାନକ(Indian Public Health Standard) ଦୃଷ୍ଟିରୁ ବିଚାରକଲେ ଦେଶର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ଆବଶ୍ୟକ ମାନଠାରୁ ଯଥାକ୍ରମେ ଶତକଡା ୮୮ଭାଗ ଓ ୮୭ଭାଗ ନିକୃଷ୍ଟ ଧରଣର ଅବସ୍ଥାରେ ରହିଛି । ଦେଶର ଗ୍ରାମଞ୍ଚଳରେ ଚିକିତ୍ସା ଯୋଗାଉଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଅବସ୍ଥା ଏଥିରୁ ସ୍ପଷ୍ଟ ଜାଣିହେବ । ୨୦୧୯ ମହିସାର ଜାତୀୟ ସ୍ୱାସ୍ଥ୍ୟ ସେବାଚିତ୍ର(Profile) ଅନୁଯାୟୀ ଆମଦେଶରେ ପ୍ରତି ୧୦ହଜାର ୯୨୬ଜଣ ଲୋକଙ୍କପାଇଁ ଜଣେ ଡାକ୍ତର ଅଛନ୍ତି । ଦେଶର ୧୩୦କୋଟି ଲୋକଙ୍କପାଇଁ ମାତ୍ର ୨୫,୭୭୫ଟି ସରକାରୀ ହାସପାତାଳ ରହିଛି ଏବଂ ସେଥିରେ ମୋଟ୍ ୭,୧୩,୯୮୬ଟି ଶଯ୍ୟା ରହିଛି । ଗତ ଦୁଇବର୍ଷ ମଧ୍ୟରେ ଏହି ସଂଖ୍ୟାରେ କିଛି ବୃଦ୍ଧି ଘଟିଥିବା ବିଷୟ ସରକାରୀ ଭାବରେ ପ୍ରକାଶ କରାଯାଇନାହିଁ । କେବଳମାତ୍ର ଏହି ହାସପାତାଳ ଓ ଶଯ୍ୟାରୁ କିଛି ଅଂଶକୁ କରୋନା ହାସପାତାଳ ଓ ଶଯ୍ୟା ଭାବରେ ଘୋଷଣା କରାଯାଇଛି । ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାପାଇଁ ବଜେଟରେ ବ୍ୟୟବରାଦ କେବେହେଲେ ବର୍ଷକୁ ୧୦୦କୋଟି ଟଙ୍କାରୁ ଅଧିକ ହୋଇନାହିଁ । ପ୍ରକୃତରେ ୨୦୧୬ ପରଠାରୁ ଏବାବଦରେ ବାର୍ଷିକ ୫୦ରୁ ୬୦ କୋଟି ଟଙ୍କାହିଁ ଖର୍ଚ୍ଚ କରାଯାଇଛି । ଆପଦକାଳୀନ ସ୍ୱାସ୍ଥ୍ୟସେବା ସଂଟକର ମୁକାବିଲା ପାଇଁ ପ୍ରସ୍ତୁତି ଓ ଏହାର ପରିଚାଳନା ବାବଦ ଖର୍ଚ୍ଚ ୨୦୧୮-୧୯କେନ୍ଦ୍ରୀୟ ବଜେଟରେ ୨୦୧୬-୧୭ ବଜେଟ ତୁଳନାରେ ଅଧା କରିଦିଆ ଯାଇଥିଲା । ଗତବର୍ଷର ବଜେଟ୍‌ରେ ମଧ୍ୟ ଏହି ଅବସ୍ଥାରେ କୌଣସି ଉନ୍ନତି ଘଟିନାହିଁ । ଏହା ଅତ୍ୟନ୍ତ ସ୍ପଷ୍ଟଯେ ଦେଶର ଦରିଦ୍ରରୁ ଦରିଦ୍ରତମ ଲୋକପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ହେଲେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକରୁ ଅଧିକ ସରକାରୀ ନିୟନ୍ତ୍ରଣକୁ ଅଣାଯିବା ଆବଶ୍ୟକ ଏବଂ ସ୍ୱାସ୍ଥସେବା ଭିତ୍ତିଭୂମିର ଆବଶ୍ୟକ ବିକାଶ ଘଟିବା ଆବଶ୍ୟକ । ଏହା ସହିତି ସ୍ୱାସ୍ଥ୍ୟସେବାର ବ୍ୟବସାୟୀକରଣକୁ ତୁରନ୍ତୁ ବନ୍ଦ କରାଯିବା ଆବଶ୍ୟକ । ମାତ୍ର ବିଜେପି ସରକାର ପ୍ରଚଳନ କରିଥିବା ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭(National Health Policy -2017) ବାସ୍ତବରେ ହେଉଛି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବତ୍ମକ ଘରୋଇକରଣର ଏକ ସୁପରିକଳ୍ପିତ ନକ୍ସା । ଗତ କିଛିବର୍ଷ ମଧ୍ୟରେ ଦେଶର ଗଢିଉଠିଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି ମୁଖ୍ୟତଃ ଘରୋଇ ଉଦ୍ୟୋଗରେ କିମ୍ବା ପିପିଇ ବ୍ୟବସ୍ଥାରେ କରାଯାଇଛି । ବର୍ତ୍ତମାନ ସମଗ୍ର ଦେଶରେ ସରକାରୀ ମାଲିକାନାରେ ମାତ୍ର ୩,୫୯୩ଟି ହାସପାତଳ ରହିଥିବାବେଳେ ଘରୋଇ ମାଲିକମାନଙ୍କ ହାତରେ ୧୧,୮୧୦ଟି ହାସପାତାଳ ରହିଛି । ବର୍ତ୍ତମାନ ଦେଶର ମୋଟ ହାସପାତଳ ସଂଖ୍ୟାର ଶତକଡା ୭୬.୬୭ ଭାଗ ଘରୋଇ ମାଲିକାନାରେ ରହିଛି । ଏହା ବ୍ୟତୀତ ଶତକଡା ୩୦ଭାଗ ରୋଗୀ ଶଯ୍ୟା ଓ ଶତକଡା ୮୧ଭାଗ ଡାକ୍ତର ବର୍ତ୍ତମାନ ଘରୋଇ କ୍ଷେତ୍ର ହାତରେ ରହିଛନ୍ତି । କହିବା ବାହୁଲ୍ୟ ଏହି ଘରୋଇ ଡାକ୍ତରଖାନା ଗୁଡିକ କେବଳ ଲାଭ ଓ ସର୍ବୋଚ୍ଚ ସମ୍ଭବ ଲାଭ ଉଦ୍ଦେଶ୍ୟରେ ହିଁ ପ୍ରତିଷ୍ଠା କରାଯାଇଛି । ସମଗ୍ର ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଏହିଭଳି ପରିସ୍ଥିତି ଲାଗିରହିଥିଲାବେଳେ ଦେଶରେ କରୋନା ମହାମାରୀ ବ୍ୟାପିବା ଯୋଗୁ ପରିସ୍ଥିତି ସଂକଟଜନକ ହୋଇପଡିଲା । ଇତିପୂର୍ବରୁହିଁ କ୍ଷମତା ତୁଳନାରେ ଯଥେଷ୍ଟ ଅଧିକଲୋକଙ୍କର ସ୍ୱାସ୍ଥ୍ୟସେବାର ବୋଝ ବୋହିଚାଲିଥିବା ଓ ଡାକ୍ତର ନର୍ସ, ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ତଥା ଆବଶ୍ୟକ ଚିକିତ୍ସା ସଂରଜାମ ଇତ୍ୟାଦିର ଘୋର ଅଭାବ ଲାଗିରହିଥିବା ସରକାରୀ ଡାକ୍ତରଖାନାର ଅବସ୍ଥା ଅବର୍ଣ୍ଣନୀୟ ହୋଇପଡିଲା । ଅନ୍ୟ ଦିଗରେ ଘରୋଇ ହାସପାତାଳମାନେ ଏହି ଧରଣର ବିପର୍ଯ୍ୟୟ ସମୟରେ ମଧ୍ୟ ମୁନାଫା ଲୁଟ୍‌ରୁ ବିରତ ହେଲେ ନାହିଁ । କରୋନା ସଂପର୍କରେ ପୂର୍ବରୁ ଜଣାଥିଲେ ମଧ୍ୟ ସରକାର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କପାଇଁ ବ୍ୟକ୍ତିଗତ ସୁରକ୍ଷା ପୋଷାକ(PPE)ର ଉପଯୁକ୍ତ ବ୍ୟବସ୍ଥା କଲେନାହିଁ । ଏହାଫଳରେ ଶହ ଶହ ସଂଖ୍ୟାରେ ଡାକ୍ତର ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମଚାରୀ କରୋନାର ପ୍ରଥମ ଲହର ସମୟରେହିଁ ରୋଗୀ ଚିକିତ୍ସା କରିବା ସମୟରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ମାତ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରର ବ୍ୟାପକ ଘରୋଇକରଣ ଯୋଜନାକୁ ଲୋକ ଲୋଚନର ଆଢୁଆଳରେ ରଖିବାପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟବୀମା(Universal Health Insurance) ଯୋଜନା ସଂପର୍କରେ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଉଛି । ସତେ ଯେପରି ସାର୍ବଜନୀନ ସ୍ୱାସ୍ଥ୍ୟବୀମା ହିଁ ହେଉଛି ସର୍ବଜନୀନ ସ୍ୱାସ୍ଥ୍ୟସେବାର ଗ୍ୟାରେଣ୍ଟି । ବାସ୍ତବରେ ପ୍ରତ୍ୟେକ ପରିବାର ପାଇଁ ବର୍ଷକୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇଦେବାର ଲକ୍ଷରେ ଘୋଷିତ ଆୟୁଷ୍ମାନ ଭାରତ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ(Aysman Bharat National Health Protection Mission) ହେଉଛି ସଂପୂର୍ଣ୍ଣଭାବରେ ବାଜେ କଥା । ସମଗ୍ର ଦେଶରେ ଯେତେବେଳେ ସର୍ବନିମ୍ନ ଆବଶ୍ୟକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଘୋର ଅଭାବ ରହିଛି ଓ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା କ୍ଷେତ୍ରରେ ଗୁରୁତର ସୀମାବଦ୍ଧତା ରହିଛ ସେତେବେଳେ ସ୍ୱାସ୍ଥ୍ୟବୀମା ସାଧାରଣ ଲୋକଙ୍କର ସ୍ୱାସ୍ଥ୍ୟସେବା ସମସ୍ୟା ଦୂରକରିବ ବୋଲି ପ୍ରଚାର ସଂପୂର୍ଣ୍ଣ ହାସ୍ୟାଷ୍ପଦ । ବାସ୍ତବରେ ଏହି ଧରଣର ଯୋଜନା ଜରିଆରେ ଅତି ଉଚ୍ଚ ହାରର ପ୍ରିମିୟମ୍ ମାଧ୍ୟମରେ ଦେଶର ସାଧାରଣ ଲୋକଙ୍କ ଟିକସ ଅର୍ଥରେ ସୃଷ୍ଟି ହେଉଥିବା ରାଜକୋଷରୁ ଘରୋଇ ବୀମା କମ୍ପାନୀମାନଙ୍କୁ ଖାତାକୁ ଅର୍ଥ ପଇଠ କରିବାହିଁ ହେଉଛି ସରକାରଙ୍କର ଉଦ୍ଦେଶ୍ୟ । ଗଣମାଧ୍ୟମରେ ପ୍ରକାଶିତ ସଂବାଦ ଅନୁଯାୟୀ ଘରୋଇ ବୀମା କମ୍ପାନୀମାନେ ଆଦାୟ ହେଉଥିବା ପ୍ରିମିୟମର ଶତକତା ୯୭ଭାଗ ଅର୍ଥ ଆତ୍ମସାତ କରୁଥିଲା ବେଳେ ଖାଉଟିମାନଙ୍କୁ ପ୍ରଦାନ କରାଯାଉଥିବା ବୀମାରାଶି କମିକମି ଶତକଡା ୬.୬୧ରେ ପହଞ୍ôଚଛି ।
କରୋନାର ଦ୍ୱିତୀୟ ଲହର ପରିସ୍ଥିତିକୁ ଆହୁରି ଖରାପ କରିଛି ।
ପାଠକମାନଙ୍କୁ ଆମେ ସ୍ମରଣ କରାଇ ଦେବାକୁ ଚାହୁଁଯେ ୨୦୨୧ ମିସହା ଜାନୁଆରୀ ମାସ ମଧ୍ୟ ଭାଗରେ ଭାରତ କରୋନା ଉପରେ ବିଜୟ ପାଇବାକୁ ଯାଉଛିବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ବାସ୍ତବତା ଭିନ୍ନ ଧରଣର ହେବାକୁ ଯାଉଥିଲା । କରୋନାର ପ୍ରଥମ ଲହରର ଠିକ୍ ଏକବର୍ଷ ପରେ ଦ୍ୱିତୀୟ ଲହର ଆସିଲା । ଏହାପୂର୍ବରୁ ପ୍ରାୟ ୪ମାସଧରି କରୋନାର ପ୍ରକୋପ କିଛିଟି କମିଯାଇଥିଲା । ତେବେ ଖୁବ୍ ଶୀଘ୍ର କରୋନାର ଦ୍ୱିତୀୟ ଲହର ଆସିବ ଏବଂ ଏହା ପ୍ରଥମ ଲହରଠାରୁ ଆହୁରି ଘାତକ ହେବବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ ମଧ୍ୟ କେନ୍ଦ୍ର ବିଜେପି ସରକାର ଓ ରାଜ୍ୟ ବିଜେଡି ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡିବାପାଇଁ ବିଶେଷ କରି ଦରିଦ୍ର ଲୋକମାନଙ୍କପାଇଁ ଚିକିତ୍ସାର ଉପଯୁକ୍ତ ବ୍ୟବସ୍ଥା କରିବାପାଇଁ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ । ଏଥିପାଇଁ ଗତବର୍ଷ କରୋନା ମହାମାରୀ ଆରମ୍ଭ ହେବାର ପ୍ରାୟ ୧୪ମାସପରେ ଆଜି ଉଭୟ ସରକାରୀ ଓ ବେସରକାରୀ ହାସପାତାଳରେ ଅକ୍ସିଜେନ ଅଭାବରୁ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି । ଭେଣ୍ଟିଲେଟର, ଡାକ୍ତରଖା ଶଯ୍ୟା ଓ ଜୀବନ ରକ୍ଷାକାରୀ ଔଷଧ ଅଭାବରୁ ହଜାର ହଜାର ଲୋକ ପ୍ରତିଦିନ ପ୍ରାଣ ହରାଉଛନ୍ତି । ଔଷଧର ବ୍ୟାପକ କଳାବଜାରୀ ଚାଲିଛି । ଡାକ୍ତରଖାନାରେ ଭର୍ତ୍ତି ହୋଇ ନପାରି ସାଧାରଣ ଲୋକ ହାସପାତାଳ ବାହାରେ ରାସ୍ତାଉପରେ ମର୍ମନ୍ତୁଦ ଅବସ୍ଥାରେ ମୃତ୍ୟୁବରଣ କରୁଛନ୍ତି । ଅକ୍ସିଜେନ ଅଭାବରୁ ଆମ୍ବୁଲାନ୍ସ ଭିତରେହିଁ ରୋଗୀଙ୍କ ମୃତ୍ୟୁ ଘଟୁଛି । ଏଥିପାଇଁ ଏହିଭଳି ପ୍ରତ୍ୟେକ ମୃତ୍ୟୁପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସଂପୂର୍ଣ୍ଣ ଦାୟୀ । ଗତ ୩୦ବର୍ଷଧରି ଚାଲିଥିବା ଜଗତିକରଣ ପ୍ରକ୍ରିୟା ସ୍ୱାସ୍ଥ୍ୟସେବାର ଘରୋଇକରଣ ଓ ସ୍ୱସ୍ଥ୍ୟସେବା ବଜେଟ୍ ହ୍ରାସ ଏହି ପରିସ୍ଥିତି ପାଇଁ ଦାୟୀ । ସ୍ୱାସ୍ଥ୍ୟବୀମା କାଗଜ ଖଣ୍ଡିଏ ପକେଟରେ ପକେଇଲେ ସେମାନଙ୍କ ପରିବାର ପାଇଁ ସର୍ବୋତକୃଷ୍ଟ ସ୍ୱାସ୍ଥ୍ୟସେବା ମିଳିବା ସମ୍ଭବ ବୋଲି ଧରିନେଇଥିବା ସ୍ୱଚ୍ଛଳ ବର୍ଗ ବୋଧହୁଏ ପରିସ୍ଥିତିର ଗୁରୁତ୍ୱକୁ ଏହାପୂର୍ବରୁ ଏହିଭଳି ସ୍ପଷ୍ଟ ଭାବରେ କେବେହେଲେ ଉପଲବ୍ଧି କରିନଥିଲେ ।

ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଓ ବିଜେପି ନେତାମାନଙ୍କର ଚରମ ଦାୟିତ୍ୱହୀନତା
ଓ ଘୃଣ୍ୟ ରାଜନୀତି
ଏଠାରେ ଉଲ୍ଲେଖଯୋଗ୍ୟ ଗତବର୍ଷ ମାର୍ଚ୍ଚମାସ ବେଳକୁ ସମଗ୍ର ବିଶ୍ୱ ଦ୍ରୁତ କରୋନା କବଳିତ ହେଉଥିଲାବେଳେ ପ୍ରଧାନମନ୍ତ୍ରୀ ମୋଦି ମହାଆଡମ୍ବରରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ କରିଥିଲେ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ଭାଙ୍ଗିବା କାମରେ ସମସ୍ତ ଶକ୍ତି ବିନିଯୋଗ କରିଥିଲେ । ଏପରିକି ଗତବର୍ଷ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ କରୋନା ଭାରତପାଇଁ ଏକ ସ୍ୱାସ୍ଥ୍ୟ ସମସ୍ୟ ନୁହେଁ । ମାତ୍ର ଘୋଡା ବେପାର କରି ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ ପରେ ପରେ ମାତ୍ର ୪ଘଣ୍ଟା ନୋଟିସ୍‌ରେ ସମଗ୍ର ଦେଶରେ ତାଲାବନ୍ଦ ଘୋଷଣା କରି ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ସାଧାରଣଲୋକଙ୍କୁ ହାହାକାରମୟ ପରିସ୍ଥିତି ମଧ୍ୟରେ ନିକ୍ଷେପ କରିଥିଲେ । ଲକ୍‌ଡାଉନ ପରେ ପରେ ଦେଶର କୋଟି କୋଟି ପ୍ରବାସୀ ଶ୍ରମିକମାନଙ୍କର ଦୟନୀୟ ଚିତ୍ର ଆଜିବି ହୃଦୟର ତନ୍ତ୍ରିକୁ ଥରେଇଦିଏ ।
ମାତ୍ର ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା କିମ୍ବା କେନ୍ଦ୍ର ସରକାର ଏହି ଦୁଃଖଦ ଅଭିଜ୍ଞତାରୁ କୌଣସି ଶିକ୍ଷାଲାଭ କରିନାହାନ୍ତି । କରୋନାର ଦ୍ୱିତୀୟ ଲହର ମାଡି ଆସୁଥିବାବେଳେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା କରାଗଲା । ଏପରିକି ବିଜେପି ଦଳକୁ ଭୋଟ ରାଜନୀତିରେ ସୁବିଧା କରିଦେବାପାଇଁ ପଶ୍ଚିମବଙ୍ଗରେ ୮ଟି ଦଫାରେ ନିର୍ବାଚନ କରାଗଲା । ଏହି ନିର୍ବାଚନୀ ସଭାମାନଙ୍କର ସ୍ୱୟଂ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପିର ତୁଙ୍ଗ ନେତାମାନେ ଲକ୍ଷ ଲକ୍ଷ ଲୋକଙ୍କର ସମାବେଶକରି ସମସ୍ତ କରୋନା ସଂକ୍ରାନ୍ତିୟ ସାବଧାନତାକୁ ଅଣଦେଖାକରି ନିର୍ବାଚନ ପ୍ରଚାର କଲେ । ଦେଶରେ କରୋନାର ଭୟାବହତା ଦ୍ୱିତୀୟ ଲହରୀ ଦେଖା ଦେଇଥିଲାବେଳେ ସମଗ୍ର କେନ୍ଦ୍ର ସରକାରକୁ ଗୋଟିଏ ନିର୍ବାଚନ ପ୍ରଚାର ଯନ୍ତ୍ରରେ ପରିଣତ କରଗଲା । ଏହାଫଳରେ ଆଜି ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହାର ଦେଶରେ ସର୍ବାଧିକ । ଏହି ପରିସ୍ଥିତିରେ ମାଡ୍ରାସ ହାଇକୋର୍ଟର ବିଚାରପତିମାନେ ଗଭୀର କ୍ଷୋଭ ପ୍ରକାଶ କରି କହିଥିଲେଯେ ବର୍ତ୍ତମାନର କରୋନା ମୃତ୍ୟୁପାଇଁ ନିର୍ବାଚନ ଆୟୋଗର ଅଧିକାରୀମାନେ ହତ୍ୟା ମାମଲାର ସମ୍ମୁଖୀନ ହେବା ଆବଶ୍ୟକ । କେବଳ ୫ଟି ରାଜ୍ୟର ନିର୍ବାଚନ ସମୟରେ ନୁହେଁ, ଆସନ୍ତାବର୍ଷ ହେବାକୁଥିବା ଉତ୍ତରପ୍ରଦେଶ ରାଜ୍ୟ ବିଧାନସଭା ନିର୍ବାଚନରେ ଫାଇଦା ହାସଲ କରିବାପାଇଁ ଉତ୍ତରାଖଣ୍ଡର ହରିଦ୍ୱାରଠାରେ କୁମ୍ଭମେଳା ସମୟ ପୂର୍ବରୁ ଆୟୋଜନ କରାଗଲା । ଏହି ମେଳାରେ ପ୍ରାୟ ଏକ କୋଟି ଯୋଗଦେଲେ ଏବଂ ସମସ୍ତ ଦେଶରେ କରୋନା ବ୍ୟାପିଲା । କରୋନାପାଇଁ ଗତବର୍ଷ ହଜ୍‌, ଖ୍ରୀଷ୍ଟମାସ ବନ୍ଦ କରିଦିଆ ଯାଇଥିଲା, ରମଜାନ ପର୍ବକୁ ସଂକ୍ଷିପ୍ତ କରାଯାଇଥିଲା । କିନ୍ତୁ ଭୋଟ ପାଇଁ ଓ ଉଗ୍ର ହିନ୍ଦୁତ୍ୱ ସୃଷ୍ଟି କରିବାପାଇଁ କୁମ୍ଭମେଳା କରିବାକୁ ଦିଆଗଲା । ଗତବର୍ଷ ତବଲିଗି ଜମାତରେ ଅଂଶଗ୍ରହଣକାରୀମାନଙ୍କ ବିରୁଦ୍ଧରେ କିଭଳି ଅପପ୍ରଚାର କରାଗଲା ଓ ଏହାକୁ କରୋନା ଜିହାଦ ଆଖ୍ୟା ଦେଇ ଦେଶର ସମସ୍ତ ମୁସଲମାନ ଧର୍ମାବଲମ୍ବୀମାନଙ୍କୁ କିଭଳି ନିନ୍ଦିତ କରିବାପାଇଁ ଉଦ୍ୟମ କରାଗଲା ଏବଂ ଶହଶହ ଲୋକଙ୍କୁ ଗିରଫ କରାଗଲା ସେକଥା ପାଠକମାନଙ୍କର ନିଶ୍ଚିନ୍ତ ସ୍ମରଣ ରହିଛି । ଏହାଛଡା ଦେଶରେ କରୋନାର ପ୍ରକୋପ ଆରମ୍ଭ ହେବା ସମୟରୁହିଁ ଆରଏସ୍‌ଏସ୍‌-ବିଜେପି ପକ୍ଷରୁ ଏବାବଦରେ ବିଭିନ୍ନ ଅବୈଜ୍ଞାନିକ ପ୍ରଚାର ଚାଲିଛି । ଗୋମୂତ୍ର, ଗୋବର କିମ୍ବା ପାତଞ୍ଜଳୀର ବିଭିନ୍ନ ଔଷଧ କରୋନା ଭଲ କରିପାରିବ ବୋଲି ପ୍ରଚାର କରିଗଲା । ଏପରିକି ଗତି ଦୁଇଦିନ ପୂର୍ବରୁ ରାମଦେବ ଏଲୋପ୍ୟାଥିକ ଔଷଧହିଁ କରୋନା ଜନିତ ମୃତ୍ୟୁପାଇଁ ଦାୟୀବୋଲି ଘୋଷଣା କରିଦେଲେ । ମାତ୍ର କେନ୍ଦ୍ର ସରକାର ଏହି ଧରଣର ଅବୈଜ୍ଞାନିକ ପ୍ରଚାର ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଦୂରରେ ଥାଉ ସେସବକୁ ସିଧାସଳଖ ପ୍ରୋତ୍ସାହିତ କରିଚାଲିଛନ୍ତି । ସୁତରାଂ, ଆଜି କରୋନା ମାହାମାରୀର ଦ୍ୱିତୀୟ ଲହର ଓ ଏଥିରେ ମୃତ୍ୟୁମୁଖରେ ପଡୁଥିବା ପ୍ରତ୍ୟେକଟି ବ୍ୟକ୍ତିଙ୍କର ମୃତ୍ୟୁପାଇଁ ଏମାନେହିଁ ଦାୟୀ ।

ଦେଶରେ ଅକ୍ସିଜେନର ଅଭାବର
କାରଣ କ’ଣ
ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠୁଛି ଦେଶରେ ଅକ୍ସିଜେନର ଏହିଧରଣର ମାରାତ୍ମକ ଅଭାବ କାହିଁକି ପରିଲିକ୍ଷିତ ହେଉଛି? କରୋନା ରୋଗୀଙ୍କ ଚିକିତ୍ସା, ବିଶେଷକରି ଏହାର ଦ୍ୱିତୀୟ ଲହର ସମୟରେ ଯେ ଅକ୍ସିଜେନର ଏହିଧରଣର ଆବଶ୍ୟକତା ଦେଖାଦେବ ତା’ କ’ଣ ସରକାରଙ୍କୁ ଅଜଣା ଥିଲା? ଏଠାରେ ଆମେ ପାଠକମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହୁଁଯେ ୨୦୨୦ମସିହା ମାର୍ଚ୍ଚ ୧୪ ତାରିଖ ଦିନ କରୋନା ମହାମାରୀକୁ ଏକ ‘ଆପଦ’ ଭାବରେ ଭାରତ ସରକାର ଘୋଷଣା କରିଥିଲେ । ଏହାର ୧୦ଦିନପରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ବିସ୍ତାରପାଇଁ ସମୟ ଦରକାର ବୋଲି ସରକାର ପ୍ରକାଶ କରିଥିଲେ । ତେବେ ଏ ବାବଦରେ କେନ୍ଦ୍ର ସରକାର କେତେ ତତ୍ପର ତାହା ନିମ୍ନ ଆଲୋଚନାରୁ ବୁଝିହେବ । କରୋନାକୁ ‘ଆପଦ’ ଭାବରେ ଘୋଷଣା କରାଯିବାର ପ୍ରାୟ ୭ମାସ ପରେ ୨୦୨୦ମସିହା ଅକ୍ଟୋବର ୨୧ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରିଚାଳନାରେ କାମକରୁଥିବା ସେଣ୍ଟ୍ରାଲ ମେଡିକାଲ ସର୍ଭିସ ସୋସାଇଟି ସମଗ୍ର ଦେଶର ୧୫୦ଟି ଜିଲ୍ଲା ସଦର ମହକୁମା ହାସପାତାଳରେ ଅକ୍ସିଜେନ କରାଖାନା ବସାଇବାପାଇଁ ଟେଣ୍ଡର ଆହ୍ୱାନ କଲା । ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ଖବର ଅନୁଯାୟୀ ପ୍ରସ୍ତାବିତ ୧୫୦ଟି ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୧୧ଟି କାରଖାନା ପ୍ରତିଷ୍ଠା ହୋଇଛି ତା ମଧ୍ୟରୁ ମାତ୍ର ୫ଟି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । ଏ ସମସ୍ତ ଅକ୍ସିଜେନ କାରଖାନା ପ୍ରତିଷ୍ଠା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ମାତ୍ର କେନ୍ଦ୍ର ସରକାରଙ୍କ ଅବହେଳାପାଇଁ ଅକ୍ସିଜେନ ଅଭାବରେ ସମଗ୍ର ଦେଶରେ ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡିବାପରେ ପରିସ୍ଥିତି ଚାପରେ ପ୍ରଧାନମନ୍ତ୍ରୀ ଅକ୍ସିଜେନ କାରଖାନା ପ୍ରତିଷ୍ଠାପାଇଁ ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ପରିଚାଳିତ ହେଉଥିବା ପିଏମ୍ କେୟାର ଫଣ୍ଡରୁ ୨୦୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଠିକ୍ ସମୟରେ ଆବଶ୍ୟକ ଅକ୍ସିଜେନ କାରଖାନା ପ୍ରତିଷ୍ଠା କରାନଯିବା ଫଳରେ ବର୍ତ୍ତମାନ ସାଧାରଣ ଲୋକ ପାକମାଛି ଭଳି ମୃତ୍ୟୁ ମୁଖରେ ପଡୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କର ଏହି ‘ଦାନ’କୁ ବିଜେପି ଦଳ ପକ୍ଷରୁ ଅତ୍ୟନ୍ତ ନିଲ୍ଲଜ ଭାବରେ ପ୍ରଚାର କରାଯାଉଛି । କେବଳ ଏତିକି ନୁହେଁ, କରୋନା ରୋଗୀ ମାନଙ୍କପାଇଁ ବି ପିଏମ୍ କେୟାର ଫଣ୍ଡ ଟଙ୍କାରେ ଖରିଦକରି ବିଭିନ୍ନ ରାଜ୍ୟକୁ ପଠାଯାଉଥିବା ଭେଣ୍ଟିଲେଟରଗୁଡିକ ନିମ୍ନମାନର ଓ ଚିକିତ୍ସାପାଇଁ କାମରେ ଲାଗୁନାହିଁ ସେସବୁ ପଡିରହିଛି ବୋଲି ଗତ ଏକବର୍ଷଧରି ଗୁରୁତର ଅଭିଯୋଗ ଆସୁଛି । ଏ ସପଂର୍କରେ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହେଉଛି । ମାତ୍ର ଏହା ଉପରେ କୌଣସି ଅନୁସନ୍ଧାନ ହେଉନାହିଁ ବରଂ ଏହି ଧରଣର ନିମ୍ନମାନର ଭେଣ୍ଟିଲେଟର ଯୋଗାଉଥିବା କମ୍ପାନୀମାନଙ୍କୁ ଆହୁରି ଅଧିକ ଯୋଗାଣପାଇଁ ବରାଦ କରାଯାଉଛି । ଏହି ଧରଣର ଭେଣ୍ଟିଲେଟର ଯୋଗାଣରେ ଶହ ଶହ କୋଟି ଟଙ୍କାର ଦୁର୍ନିତି ହୋଇଥିବା ଅତ୍ୟନ୍ତ ସ୍ପଷ୍ଟ । ବ୍ୟବସାୟୀମାନଙ୍କର ଫାଇଦାପାଇଁ କେନ୍ଦ୍ର ସରକାର ଓ ଶାସକ ବିଜେପି ଦଳ ସାଧାରଣ ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଛନ୍ତି । ମଧ୍ୟପ୍ରଦେଶର କେତେଜଣ ଆରଏସସ୍‌ଏସ୍‌-ବିଜେପି ନେତା ନକଲି ରେମଡିସିଭିର ଇଂଜେକ୍‌ସନ ପ୍ରସ୍ତୁତ କରି ବିକ୍ରି କରୁଥିଲା ବେଳେ ଗିରଫ ହୋଇଛନ୍ତି । ଏହାବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ବିଶେଷକରି ବିଜେପି ଶାସିତ ରାଜ୍ୟମାନଙ୍କରେ ବିଜେପି ନେତାମାନଙ୍କଘରୁ ବିପୁଳ ପରିମାଣର ରେମସେଡିଭର ଜବତ ହେଉଥିଲାବେଳେ କଳବଜାରରେ ଏହା ପ୍ରଚୁର ଚଢାଦାମରେ ବିକ୍ରି ହେଉଛି । ସୁତରାଂ, ଅକ୍ସିଜେନ ଅଭାବରେ ଘଟୁଥିବା ପ୍ରତ୍ୟେକ ମୃତ୍ୟୁ ମନୁଷ୍ୟକୃତ ଏବଂ ସରକାରଙ୍କର ଚୂଡାନ୍ତ ଜନବିରୋଧି ଅପରାଧି ସୁଲଭ ଆଭିମୁଖ୍ୟର ପରିଣାମ । ପୁଣି ଜନସାଧାରଣ ଜୀବନ ମୃତ୍ୟୁ ମାଧ୍ୟରେ ଠିଆହୋଇଥିବା ବେଳେ ଆରଏସ୍‌ଏସ୍‌-ବିଜେପି ତଥା ଅସାଧୁ ବ୍ୟବସାୟୀମାନେ ମିଳିମିଶି ଲୋକଙ୍କୁ ଲୁଣ୍ଠନ କରୁଛନ୍ତି ଏବଂ କେନ୍ଦ୍ର ସରକାର ଏହାର ପୃଷ୍ଠପୋଷକତା କରୁଛି ।
ଟୀକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କୁ ମୁନାଫାଲୁଟ୍‌ର ସୁଯୋଗ
ଭାରତର ଜନସାଧାରଣ କେବଳ ମାତ୍ର ହାସପାତାଳ ଶଯ୍ୟା, ଅକ୍ସିଜେନ, ଭେଣ୍ଟିଲେଟର, ଅତ୍ୟାବଶ୍ୟକ ଔଷଧର ଅଭାବଯୋଗୁ ପ୍ରାଣ ହରାଉ ନାହାନ୍ତି, ଟୀକାପାଇଁ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଦେଶରେ ଟୀକାର ଘୋର ଅଭାବ ଦେଖାଦେଇଥିବାବେଳେ ପ୍ରଚାରପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ଲୋକଙ୍କୁ ଟୀକାଦେବାପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଟୀକା ଉତ୍ପାଦନର ବନ୍ଦୋବସ୍ତ କରିବା ପରିବର୍ତ୍ତେ ‘ଟୀକା ଉତ୍ସବ’ ପାଳନପାଇଁ ଆହ୍ୱାନ ଦେଇଥିଲେ । ସୂଚନାଯୋଗ୍ୟ ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ ହେବାବେଳକୁ ମାତ୍ର ପରେ ବାସ୍ତବରେ ଦେଖାଗଲା ଯେ, ଏହି ୪ଦିନିଆ ଟୀକା ଉତ୍ସବ ଚାଲିଥିଲା ବେଳେ ହିଁ ଟୀକାକରଣ ହାର କମିଚାଲିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ମାତ୍ର ……. କୋଟି ଲୋକଙ୍କୁ ପ୍ରଥମ ଓ …….. କୋଟି ଲୋକଙ୍କୁ ଦ୍ୱିତୀୟ ଡୋଜ ଟୀକା ଦିଆଯାଇପାରିଛି । ମାତ୍ର ଯେଉଁହାରରେ ଦେଶରେ ଟୀକାକରଣ ଚାଲିଛି ସେହି ହାରରେ ଚାଲିଲେ ଦେଶର ସମସ୍ତ ଲୋକଙ୍କୁ ଟୀକା ଦେବାପାଇଁ ଅନ୍ତତଃ ୫ବର୍ଷ ସମୟ ଲାଗିବ । ପୁଣି ଯେଉଁ ହାରରେ ଦେଶରେ ଟୀକା ଉତ୍ପାଦନ ହେଉଛି ସହି ହାରରେ ଆଗାମୀ ଦିନରେ ଉତ୍ପାଦନ ଜାରୀ ରହିଲେ ସାର୍ବଜନୀନ ଟିକାକରଣ ଆହୁରି ବିଳମ୍ବିତ ହେବା ଅତ୍ୟନ୍ତ ସ୍ପଷ୍ଟ । ଏହିଭଳୀ ପରିସ୍ଥିତିରେ ଦେଶର ଲୋକଙ୍କପାଇଁ ଆବଶ୍ୟକ ସଂଖ୍ୟକ ଟୀକାର ବନ୍ଦୋବସ୍ତ କରିବା ବଦଳରେ କେନ୍ଦ୍ର ସରକାର ବିଦେଶକୁ ଟୀଖା ରପ୍ତାନୀ କରିବାପାଇଁ ଘରୋଇ କମ୍ପାନୀମାନଙ୍କୁ ସୁଯୋଗ ଦେଇଛନ୍ତି । ପୁଣି ଏହାକୁ ମହାଆଡମ୍ବରରେ ପ୍ରଚାରକରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବହୁ ଦେଶକୁ ଟୀକା ଯୋଗାଇବାର ଗୌରବ ଅର୍ଜନ କରିଛି ବୋଲି ବିଜେପି ଦଳ ପକ୍ଷରୁ ପ୍ରଚାର କରାଯାଉଛି । ପୁଣି ମୋଦିଙ୍କର ଏହି ନିଷ୍ପତ୍ତିକୁ ସମାଲୋଚନା କରୁଥିବା ଲୋକଙ୍କୁ ଗିରଫ କରାଯାଉଛି ।
ପାଠକମାନଙ୍କର ସ୍ମରଣଥିବ ଯେ ବିହାର ନିର୍ବାଚନ ସମୟରେ ଦେଶର ପ୍ରତ୍ୟେକ ଲୋକଙ୍କୁ ବିନାମୂଲ୍ୟରେ କୋଭିଡ୍ ଟୀକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ସିରମ୍ ଇଷ୍ଟିଚ୍ୟୁଟ୍ କେନ୍ଦ୍ର ସରକାରଙ୍କୁ ଡୋଜ୍ ପିଛା ୧୫୦ଟଙ୍କାରେ ରାଜ୍ୟ ସରକାରମାନଙ୍କୁ ୬୦୦ଟଙ୍କାରେ ଏବଂ ଘରୋଇ ହାସପାତାଳମାନଙ୍କୁ ୬୦୦ରୁ ୧୦୦୦ଟଙ୍କାରେ ବିକ୍ରି କରିପାରିବେ । ସେହିଭଳି କୋଭାକ୍ସିନ୍ ଟୀକା ପ୍ରସ୍ତୁତ କରୁଥିବା ଦେଶର ଅନ୍ୟତମ ଟୀକାଉତ୍ପାଦନକାରୀ ଭାରତ ବାୟୋଟେକ୍ ଡୋଜ୍ ପିଛା ୧୫୦,୬୦୦ ଓ ୧୨୦୦ଟଙ୍କାରେ ବିକ୍ରି କରିପାରିବ । ଏକ ହିସାବରୁ ଜଣାଯାଇଛି ଯେ ଏହି ଦରରେ ଟୀକା ବିକ୍ରିକରି ଟୀକା ଉତ୍ପାଦନକାରୀ କମ୍ପାନୀମାନେ ୧.୧ଲକ୍ଷ କୋଟି ଟଙ୍କା ମୁନାଫା ଅର୍ଜନ କରିବେ । ତେବେ ବର୍ତ୍ତମାନ ଦେଶର ଟୀକାର ଘୋର ଅଭାବ ଆବଶ୍ୟକ ସଂଖ୍ୟକ ଟୀକା ଯୋଗାଣରେ କେନ୍ଦ୍ର ସରକାରଙ୍କ ବିଫଳତା ଫଳରେ ବିଭିନ୍ନ ରାଜ୍ୟ ସରକାରାମାନେ ଯଥେଷ୍ଟ ସଂଖ୍ୟକ ଟୀକା ଖରିଦ କରିବାପାଇଁ ଆନ୍ତର୍ଜାତୀୟ ଟେଣ୍ଡର ଆହ୍ୱାନ କରୁଛନ୍ତି । ତେବେ ଗତ କେନ୍ଦ୍ରୀୟ ବଜେଟ୍‌ରେ ଟୀକା ପାଇଁ ଯେଉଁ ୩୫ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା ସେ ଟଙ୍କା କୁଆଡେଗଲା ଖୋଜିଲେ ମିଳୁନାହିଁ । ସେ ବାବଦରେ କେନ୍ଦ୍ର ସରକାର ନିରବ ।
ଉପର ଆଲୋଚନାରୁ ବୁଝିହେବ ଯେ ଏହି କରୋନା ମହାମାରୀ ବହୁପ୍ରଚାରତି ଗଣତନ୍ତ୍ର, ଜନମଙ୍ଗଳକାରୀ ରାଷ୍ଟ୍ର ଓ ବିଜେପିର ସବ୍ କେ ସାଥ୍ ସବ୍ କେ ବିକାଶ ସଂପର୍କିତ ସମସ୍ତ ପ୍ରଚାରର ମୁଖା ଖୋଲି ଦେଇଛି । ବର୍ତ୍ତମାନ ଏହା ସ୍ପଷ୍ଟଯେ କେନ୍ଦ୍ର ବିଜେପି ସରକାର ଓ ବିଜେପି ଦଳର ଭୋଟ ସର୍ବସ୍ୱ ରାଜନୀତି ଏବଂ ଅବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ଚରମ ଦୁର୍ନିତୀ, ଦେଶର ସାଧାରଣ ଲୋକଙ୍କ ଜୀବନ ପ୍ରତି ସରକାରଙ୍କର ଚୂଡାନ୍ତ ଉଦାସୀନତା ଓ ଦେଶର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ପାଇଁ ଦେଶରେ କରୋନା ମହାମାରୀ ଆଜି ଏହିଧରଣର ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଯୁଦ୍ଧକାଳୀନ ଭିତ୍ତିରେ ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା, ଡାକ୍ତରଖାନାମାନଙ୍କରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନର୍ସ, ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମଚାରୀ ନିଯୁକ୍ତ କରିବା, କରୋନା ରୋଗୀଙ୍କ ଉପଯୁକ୍ତ ଚିକିତ୍ସାପାଇଁ ଆବଶ୍ୟକ ଯନ୍ତ୍ରପାତି, ଅକ୍ସିଜେନ, ଭେଣ୍ଟିଲେଟର ଇତ୍ୟାଦିର ବନ୍ଦୋବସ୍ତ କରିବା ଓ ଦେଶର ପ୍ରତ୍ୟେକ ନାଗରିକଙ୍କୁ ବିନାମୂଲ୍ୟରେ ଯୁଦ୍ଧାକାଳୀନ ଭିତ୍ତିରେ ଟୀକାକରଣ କରିବା ଆଜିର ଦିନରେ ସରକାରଙ୍କର ପ୍ରାଥମିକତା ହେବା ଆବଶ୍ୟକଥିଲା । ମାତ୍ର ସରକାର ଏହା ଉପରେ ଆବଶ୍ୟକ ଗୁରୁତ୍ୱ ନଦେଇ ୨୦,୦୦୦କୋଟି ଟଙ୍କା ଖର୍ଚ୍ଚ କରି ନୂଆ ପାର୍ଲାମେଣ୍ଟ ଭବନ ନିର୍ମାଣ କରିବା ଓ ଏହାର ଆଖପାଖ ଅଂଚଳର ସୌନ୍ଦର୍ଯ୍ୟକରିବା ଉପରେ ପ୍ରାଥମିକତା ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଓ ଦେଶର ଅତିବିଶିଷ୍ଟ ଲୋକମାନଙ୍କପାଇଁ ୮୦୦କୋଟି ଟଙ୍କା ଖର୍ଚ୍ଚକରି ବିଳାସପୂର୍ଣ୍ଣ ଉଡାଜାହାଜ ଖରିଦ କରିବା, କୁମ୍ଭମେଳାପାଇଁ ୬୭୫କୋଟି ଟଙ୍କା ଖର୍ଚ୍ଚକରିବା ଭଳି ଅତ୍ୟନ୍ତ ବଦ୍ ଖର୍ଚ୍ଚ ମଧ୍ୟ ଏହି କରୋନା ମହାମାରୀ ସମୟରେ କରାଯାଉଛି । ଗୋଟିଏ ପଟରେ ଦେଶରେ ମୃତ୍ୟୁର ଶୋଭାଯାତ୍ରା ଚାଲିଥିଲାବେଳେ ବଡ ବଡ କର୍ପୋରେଟ୍‌, ହାତଗଣତି ଅତିଧନୀ ଓ ନିଶ୍ଚିତ ଭାବରେ ଏହାପଛରେ ରହିଥିବା ଅପରାଧ ସାମ୍ରାଜ୍ୟର ମୁନାଫାପାଇଁ ଦେଶରେ ଆଇପିଏଲ୍ କ୍ରିକେଟ ଖେଲ ଚାଲିଥିଲା । ଏହା ହେଉଛି ପୃଥିବୀର ସର୍ବବୃହତ ଗଣତନ୍ତ୍ରର ବାସ୍ତବଚିତ୍ର । ମଣିଷର ମୃତ୍ୟୁରେ ଦେଶରେ ବ୍ୟବସାୟ ଚାଲିଛି । ଏହିଭଳି ପରିସ୍ଥିତିରେ ଦେଶର ପ୍ରତ୍ୟେକ ନାଗରିକପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଦାବିରେ ଦେଶର କୋଟି କୋଟି ମେହନତି ଜନସାଧାରଣ ଏକଜୁଟ୍ ହୋଇ ଐକ୍ୟବଦ୍ଧ ଶକ୍ତିଶାଳୀ ଗଣଆନ୍ଦୋଳନ ଜରିଆରେ ସରକାରଙ୍କୁ ଦାବି ମାନିନେବାପାଇଁ ବାଧ୍ୟ କରିବା ଆବାଶ୍ୟକ । ଏହାହିଁ ଆଜି ସମୟର ଆହ୍ୱାନ ।

Leave a Reply

Your email address will not be published. Required fields are marked *