ଲାକ୍ଷାଦ୍ୱୀପରେ ପ୍ରସ୍ତାବିତ ଜନବିରୋଧି ବିଲ୍‌ଗୁଡିକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ଦାବି

Sarbaharakranti 15.05.2021 - ଉପରୋକ୍ତ ପ୍ରସଙ୍ଗରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ସାଧାରଣ ସଂପାଦକ ପ୍ରଭାସ ଘୋଷ ଏକ ବିବୃତ୍ତରେ କହିଛନ୍ତି ଯେ - ଗୁଜୁରାଟର ଜନୈକ ପୂର୍ବତନ ବିଧ୍ୟାୟକ, ପୂର୍ବତନ ଗୃହମନ୍ତ୍ରୀ ଏବଂ ବର୍ତ୍ତମାନ ଲାକ୍ଷାଦ୍ୱୀପର ପ୍ରଶାସକ ଶ୍ରୀ ପ୍ରଫୁଲ ଖେଡା ପଟେଲଙ୍କ ଦ୍ୱାରା ପ୍ରସ୍ତାବିତ ଅତ୍ୟନ୍ତ ଜନବିରୋଧି ଓ ଅଗଣତାନ୍ତ୍ରିକ ବିଲ୍‌କୁ ଆମେ ଦୃଢତାର ସହିତ ନିନ୍ଦା କରୁଛୁ । ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏବଂ ୩୬ଟି ଦ୍ୱୀପକୁ ନେଇ ଗଠିତ ଏହି ଦ୍ୱୀପପୁଞ୍ଜ ତଥା କେନ୍ଦ୍ର ଶାସିତ ଅଞ୍ଚଳର ସ୍ଥାନୀୟ ଲୋକମାନେ ଏହି ପ୍ରସ୍ତାବିତ ବିଲ ଯୋଗୁ ସେମାନଙ୍କ ଭବିଷ୍ୟତ ସଂପର୍କରେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଚିଠିା ଆକାରରେ ଉପସ୍ଥାପତି ହୋଇଥିବା ଲାକ୍ଷାଦ୍ୱୀପ ଆନିମଲ ପ୍ରିଜଭେସନ ରେଗୁଲେସନ୍‌-୨୦୨୧ ଅନୁଯାୟୀ ଏହି ଦ୍ୱୀପପୁଞ୍ଜରେ ଗୋମାଂସ ନିଷିଦ୍ଧ ହେବ । ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଅପରାଧର ହାର ଦେଶରେ ସବୁଠାରୁ କମ୍‌ଥିଲେ ମଧ୍ୟ ୟୁଏପିଏ ଓ ଅନ୍ୟାନ୍ୟ କଳାଆଇନର ଧାରାରେ ରଚିତ ପ୍ରସ୍ତାବିତ ପ୍ରିଭେନ୍‌ସନ୍ ଅଫ୍ ଆଣ୍ଟିସୋସିଆଲ ଆକ୍ଟିଭିଟି ରେଗୁଲେସନ-୨୦୨୧ ଯେକୌଣସି ବ୍ୟକ୍ତିଙ୍କୁ ଏକବର୍ଷ ପର୍ଯ୍ୟନ୍ତ ଜେଲରେ ଅଟକାଇ ରଖିବାର କ୍ଷମତା ପ୍ରଶାସକଙ୍କ ହାତରେ ନ୍ୟସ୍ତ କରିବ । ଗୁଜୁରାଟରେ ଢୋଲେରା ସ୍ମାଟସିଟି ଓ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଜବରଦସ୍ତି ଲୋକଙ୍କଠାରୁ ଜମି ଛଡେଇ ନେବାପାଇଁ ପ୍ରଣୀତ ଆଇନ୍‌ର ଢାଞ୍ଚାରେ ପ୍ରସ୍ତୁତ କରାଯାଇଥିବା ଚିଠା ଲାକ୍ଷାଦ୍ୱୀପ ଡେଭଲପମେଣ୍ଟ ଅଥରିଟି ରେଗୁଲେସନ-୨୦୨୧ ପ୍ରଶାସକଙ୍କ ହାତରେ ଯୋଜନା(Planning) ସଂକ୍ରାନ୍ତୀୟ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରିଛି ଏବଂ ଜମିର ମାଲିକ ଯେକେହି ହୋଇଥିଲେ ମଧ୍ୟ ଏହି ଦ୍ୱୀପର ଯେକୌଣସି ଜମି ‘ବିକାଶ’ ଉଦ୍ଦେଶ୍ୟରେ ବ୍ୟବହାର କରିବା ଆଳରେ ପ୍ରଶାସକ ଅକ୍ତିଆର କରିପାରିବ ।
୨୦୨୦ମସିହା ଡିସେମ୍ବର ୨ତାରିଖରେ ଏହି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ନିଯୁକ୍ତ ହେବାପରେ ଏହି ବିଜେପି ଅନୁରକ୍ତ ପ୍ରଶାସକ ଜଣକ କେତେଗୁଡିଏ ଅସାଧାରଣ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ସେଗୁଡିକ ହେଉଛି - ଦୁଇରୁ ଅଧିକ ସନ୍ତାନଥିବା କୌଣସି ବ୍ୟକ୍ତି ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ, ସ୍କୁଲ ମଧ୍ୟାହ୍ନଭୋଜନ ତାଲିକାରୁ ଆମିଶଖାଦ୍ୟ ବାଦ ଦିଆଯିବ, ଶହ ଶହ ଠିକା କର୍ମଚାରୀଙ୍କୁ କାମରୁ ବହିଷ୍କାର କରିଦିଆଯିବ, ପାରମ୍ପରିକ ମତ୍ସଜୀବୀମାନଙ୍କ ବ୍ୟବସାୟ କେନ୍ଦ୍ର ଗୁଡିକୁ ଭାଙ୍ଗି ଦିଆଯିବ, ଏନ୍‌ଆରସି-ସିଏଏ ବିରୋଧି ଆନ୍ଦୋଳନରେ ଅଂଶଗ୍ରହଣକାରୀମାନଙ୍କୁ ବିଚାରଶୂନ୍ୟ ଭାବରେ ଗିରଫ କରିବା, ଏପର୍ଯ୍ୟନ୍ତ ବଳବତ୍ତର ରହିଥିବା ଏହି ଦ୍ୱୀପକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କପାଇଁ ବାଧ୍ୟତାମୂଳକ ଏକାନ୍ତବାସ ବ୍ୟବସ୍ଥା-ଯାହା ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ମୋଟାମୋଟି ଭାବରେ କରୋନା ମୁକ୍ତ ରହିଥିଲା-ପ୍ରତ୍ୟାହାର କରିବା ଇତ୍ୟାଦି । ସେ ଏହା ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳ ‘ଡିୟୁ’ର  ପ୍ରଶାସକଥିଲାବେଳେ ମଧ୍ୟ ଏହି ଧରଣର ବହୁ ସୌରାଚାରୀ ପଦକ୍ଷେପ ଗ୍ରହଣ କରିଥିଲେ । ଏହି କେନ୍ଦ୍ରଶାସିତ ଅଂଚଳର ସଂଖ୍ୟାଗରିଷ୍ଠ ଲୋକ ମୁସଲମାନ ଧର୍ମାବଲମ୍ବୀ ହୋଇଥିବାରୁ ଏହି ପଦକ୍ଷେପ ଗୁଡିକ କେବଳ ସୌରାଚାରୀ ନୁହେଁ ଏଗୁଡିକ ମଧ୍ୟରେ ସୂକ୍ଷ୍ମଭାବରେ ସାଂପ୍ରଦାୟିତାର ଆଭାସ ରହିଛି । ଏହି ଜନବିରୋଧି ପଦକ୍ଷେପ ଗୁଡିକ ସୁସ୍ପଷ୍ଟ ଭାବରେ ସାମାଜିକ ସଂପ୍ରିତି ଏବଂ ପରିବେଶର ସନ୍ତୁଳନକୁ ଞ୍ଜଳାଞ୍ଜଳୀ ଦେଇ ସେଠାରେ ପର୍ଯ୍ୟଟନ ବ୍ୟବସାୟରେ ପୁଞ୍ଜି ଖଟାଇବାକୁ ଉଦ୍ୟମ କରୁଥିବା କର୍ପୋରେଟ୍ ମାନଙ୍କର ବ୍ୟବସାୟିକ ସ୍ୱାର୍ଥ ରକ୍ଷାକରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି ।
ଆମେ ଦାବି କରୁଛୁ-ଲକ୍ଷାଦ୍ୱୀପର ପ୍ରଶାସକ ପ୍ରଫୁଲ୍ଲ ଖେଡା ପଟେଲଙ୍କୁ ତୁରନ୍ତ କେନ୍ଦ୍ର ସରକାର ଫେରାଇ ଆଣନ୍ତୁ । କର୍ପୋରେଟମାନଙ୍କ ସ୍ୱାର୍ଥ ରକ୍ଷାପାଇଁ ଗ୍ରହଣ କରାଯାଇଥିବା ସଂସ୍କାର ଗୁଡିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ସ୍ଥାନୀୟ ଲୋକମାନଙ୍କ ଇଚ୍ଛାକୁ ସମ୍ମାନ ଦିଆଯାଉ ଏବଂ ଜୀବିକା ଅର୍ଜନପାଇଁ ସେମାନଙ୍କୁ ମାଛ ଧରିବା ଓ ସେହିଭଳି ଅନ୍ୟାନ୍ୟ କାର୍ଯ୍ୟ କରିବାର ସୁଯୋଗ ଦିଆଯାଉ ।

Leave a Reply

Your email address will not be published. Required fields are marked *