କରୋନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଟୀକାକରଣ ଦାବିରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣ ବିକ୍ଷୋଭ
Sarbaharakranti News/ଅନୁଗୁଳ-ତା୨୨/୦୭ । ସୁପ୍ରିମକୋର୍ଟର ରାୟକୁ ତୁରନ୍ତ କାର୍ଯ୍ୟକାରୀ କରି କରୋନାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପଯୁକ୍ତ ଆର୍ôଥକ ସହାୟତା ଯୋଗାଇଦେବା, କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତାଲିକା ସଂଶୋଧନ କରି କରୋନାରେ ମୃତ ସମସ୍ତ ମୃତକଙ୍କ ନାମ ପଞ୍ଜିକରଣ କରିବା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରୁ ବାଦ୍ ପଡିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକୀୟ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇଦେବା, ସମସ୍ତ ଅସଂଗଠିତ ଶ୍ରମିକ, ପ୍ରବାସୀ ଶ୍ରମିକଙ୍କୁ ପଞ୍ଜିକୃତ କରି ସେମାନଙ୍କୁ ଲକ୍ଡାଉନ୍, ସଟ୍ଡାଉନ୍ ସମୟ ପାଇଁ ଆର୍ôଥକ ସହାୟତା ଯୋଗାଇଦେବା ସହିତ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଯୋଗାଇଦେବା, ଗାଁରୁ ସହର ପର୍ଯ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କର ଟୀକାକରଣ କରିବା ଦାବିରେ ଆଜି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ସାରା ଓଡିଶା ଦାବି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ତରଫରୁ ଛଅ ଦଫା ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଣ ବିକ୍ଷୋଭ ପୂର୍ବରୁ ଆଜି ପୂର୍ବାହ୍ନ ୧୦.୩୦ଟା ସମୟରେ ଦଳୀୟ କର୍ମୀମାନେ ଜିଲ୍ଲା ସମ୍ପାଦକ ଭିକାରୀ ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଅମଲାପଡା ଠାରୁ ଏକ ଶୋଭାଯାତ୍ରାରେ ବାହାରି କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବା, ସମସ୍ତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ କରିବା ପ୍ରଭୃତି ସ୍ଲୋଗାନ୍ ଦେଇ ବସ୍ ଷ୍ଟାଣ୍ଡ, ରାଜାଛକ ଦେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ôଚଥିଲେ । ସେଠାରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣ ବିକ୍ଷୋଭ ସଭାରେ ରାଜ୍ୟ କମିଟି ସଭ୍ୟ ଜୟସେନ ମେହେର, ବ୍ରଜବନ୍ଧୁ ସାହୁ, ଜିଲ୍ଲା କମିଟି ସଭ୍ୟ ତୀର୍ଥବାସୀ ଭୋଇ, କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ବକ୍ତବ୍ୟଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅବହେଳା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଯୋଗୁଁ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ହଜାର ହଜାର ଶିଶୁ ଉଭୟ ପିତାମାତାଙ୍କୁ ହରାଇ ସମ୍ପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି ବୋଲି ପ୍ରକାଶ କରିଥିଲେ । କରୋନାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବା ପାଇଁ ମାନ୍ୟବର ସୁପ୍ରିମ୍ କୋର୍ଟ ରାୟ ଦେଇଥିବାବେଳେ ଏବଂ ସରକାର କରୋନା ମହାମାରୀକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିଥିବା ସତ୍ତ୍ୱେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ଅମାନବିକ ଓ ଦୁର୍ଭାଗ୍ୟଜନକ ବୋଲି ସେମାନେ ଅଭିଯୋଗ କରିଥିଲେ । କରୋନା ମହାମାରୀର ମୁକାବିଲା ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଟୀକାକରଣ କରିବା ପାଇଁ ସେମାନେ ଦୃଢ଼ ଦାବି କରିଥିଲେ । ଗଣ ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛଅ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଜିର ଗଣ ବିକ୍ଷୋଭରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ମାନସ ପାଳ, ସୁବାସ ପ୍ରଧାନ, ମାନସୀ ସ୍ୱାଇଁ, ମନ୍ଦୋଦରୀ ରାଉଳ, ରଣଜିତ ପ୍ରଧାନ, ସଞ୍ଜୟ ସାହୁ, ପ୍ରମିଳା ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ଅଂଶ ଗ୍ରହଣ କରିଥିଲେ ।