ରାଜକନିକାରେ ଆନ୍ଦୋନକାରୀଙ୍କ ଉପରେ ପୋଲିସର ସନ୍ତ୍ରାସ ଓ ଅନ୍ୟାୟ ଗିରଫଦାରୀ ବିରୁଦ୍ଧରେ ପ୍ରତିବାଦ।
Sarbaharakranti News/ଯାଜପୁର ରୋଡ, ତା:-୧୬/୮: ଖରସ୍ରୋତା ନଦୀର ତଳମୁଣ୍ଡ ରାଜକନିକା ଓ ଭାରିଗଦା ଅଞ୍ଚଳରେ ଏକ ମେଗା ଜଳପ୍ରକଳ୍ପ କୁ ବିରୋଧ କରି ସେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଜନସାଧାରଣ ପାଖାପାଖି ୨ ବର୍ଷଧରି ଆନ୍ଦୋଳନ କରି ଆସୁଛନ୍ତି। ସରକାର ସେମାନଙ୍କ ଦାବି ପ୍ରତି ଦୃଷ୍ଟି ନଦେଇ, ପୋଲିସ ପ୍ରଶାସନ ମାଧ୍ୟମରେ ଜୋର୍ ଜବରଦସ୍ତି ପ୍ରକଳ୍ପ କାମ ଆରମ୍ଭ କରିବାରୁ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।ସହ ସହ ସଂଖ୍ୟାରେ ପୁରୁଷ ଓ ମହିଳା ଏହି ପ୍ରକଳ୍ପକୁ ବନ୍ଦ କରିବପାଇଁ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିଥିଲେ। ଗତ ୧୨ ତାରିଖ ଦିନ ରାତିରେ ସଶସ୍ତ୍ର ପୋଲିସ ବାହିନୀ ସ୍ଥାନୀୟ ଗ୍ରାମ ଗୁଡ଼ିକୁ ଘେରାବନ୍ଦୀ କରି ରାତି ଅଧରେ ଲୋକଙ୍କ କବାଟ ଝରକା ଭାଙ୍ଗି ମହିଳା ମାନଙ୍କୁ ଅସଦାଚରଣ କରିବା ସଙ୍ଗେ ସଙ୍ଗେ ବହୁ ନିରୀହ ଜନସାଧାରଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଓଡିଶା ରାଜ୍ୟକମିଟି ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରିବା ସଙ୍ଗେ ସଙ୍ଗେ ଆଜି ସାରା ଓଡ଼ିଶା ରେ ପ୍ରତିବାଦ ଦିବସ ପାଳନ ପରିପେକ୍ଷୀରେ ଯାଜପୁର ରୋଡ ଠାରେ ରାଜ୍ୟ କମିଟି ସଭ୍ୟ ସୁରେଶ ପ୍ରଧାନ,ବିଜୟାନନ୍ଦ ମଲ୍ଲିକ ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇ ପୋଲିସ ଗିରଫ କରିଥିବା ଲୋକଙ୍କୁ ବିନା ସର୍ତ୍ତରେ ଖଲାସ କରିବା,ସେଠାରୁ ୧୪୪ ଧାରା ପ୍ରତ୍ୟାହାର କରିବା, ପୋଲିସ ସନ୍ତ୍ରାସ ବନ୍ଦ କରିବା ଆଦି ଦାବୀରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ କଳିଙ୍ଗନଗର ଏ. ଡି. ଏମ୍ ଙ୍କୁ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଦାନଗଦି ଆଞ୍ଚଳିକ କମିଟି ସମ୍ପାଦକ ବିଜୟ ଜେନା, କୋରେଇ ଆଞ୍ଚଳିକ କମିଟି ସମ୍ପାଦକ ମେଘନାଦ ମଲ୍ଲିକ,ବରିଷ୍ଟ ସଭ୍ୟ ରାଧାକାନ୍ତ ଜେନା, ମହେଶ୍ୱର ପୃଷ୍ଟି, ଅଲେଖ ମଲ୍ଲିକ, ହୃଷୀକେଶ ସିଂହ, ରାଜକିଶୋର ମହନ୍ତ ପ୍ରମୁଖ ସହଯୋଗ କରିଥିଲେ।
