ରାଜକନିକା ଅଞ୍ଚଳରେ ପୋଲିସର ଆତଙ୍କରାଜ ବିରୁଦ୍ଧରେ ଏସ୍.ୟୁ.ସି.ଆଇ.(ସି) ପକ୍ଷରୁ ଆର.ଡି.ସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ସର୍ବହରାକ୍ରାନ୍ତି/କଟକ ତା ୧୬/୦୮/୨୦୨୧ – ରାଜକନିକା ଆନ୍ଦୋଳନକୁ କେନ୍ଦ୍ର କରି ଗିରଫ କରାଯାଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ବିନା ସର୍ତ୍ତରେ ଖଲାସ କରିବା, ସଂପୃକ୍ତ ଅଞ୍ଚଳରୁ ତୁରନ୍ତ ପୋଲିସ ବାହିନୀ ପ୍ରତ୍ୟାହର କରାଯାଉ ଓ ୧୪୪ ଧାରା ପ୍ରତ୍ୟାହାର କରି ପୁଲିସ ସଂତ୍ରାସ ବନ୍ଦ କରିବା ଏବଂ ଗଣତାନ୍ତ୍ରିକ ଭାବରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ଅତ୍ୟାଚାର କରିଥିବା, ବିଶେଷକରି ମହିଳାମାନଙ୍କର ସଂଭ୍ରମହାନୀ କରିଥିବା ପୁଲିସ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ଦାବିରେ ଏସ୍.ୟୁ.ସି.ଆଇ.(ସି) କଟକ ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସଂଗଠନର ଜିଲ୍ଲା ଅଫିସ ସମ୍ପାଦକ ଖଗେଶ୍ୱର ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ସୌଭାଗ୍ୟ ସାମଲ, ଭାଗ୍ୟରବି ଦାସ, ଦୀପକ ଦାସ, ବିନୋଦ ସେଠୀ, ସସ୍ମିତା ମହାନ୍ତି, ତରୁଣସେନ ନାୟକ, ପ୍ରତାପ ମିଶ୍ର, ଇଶା ଧର, ଶୁଭସ୍ମିତା ସାହୁ, ସ୍ୱାଧୀନୀ ବେହେରା, ଶୋଭା ଦେହୁରୀ ଓ ପାଭେଲ ପ୍ରିୟଦର୍ଶନ ଅକ୍ଷୟ ରାଉଳ,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ ଯେ, ରାଜକନିକା ବ୍ଲକ୍ର ଭାରିଗଦାଠାରେ ଖରସ୍ରୋତା ନଦୀ ଉପରେ ଏକ ବୃହତ ଜଳ ଉତ୍ତୋଳନ ପ୍ରକଳ୍ପ କାର୍ଯ୍ୟକାରୀ କରିବାପାଇଁ ସରକାରୀ ନିଷ୍ପତ୍ତିକୁ ସଂପୃକ୍ତ ଅଞ୍ଚଳର ଜନସାଧାରଣ ଏକ ବର୍ଷରୁ ଅଧିକ ସମୟ ଧରି ବିରୋଧ କରିଆସୁଛନ୍ତି । ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣକରି ସଂପୃକ୍ତ ଅଞ୍ଚଳର ଲୋକଙ୍କର ବ୍ୟବହାର ଓ ଚାଷବାସ ପାଇଁ ଆବଶ୍ୟକ ଜଳ ସଂରକ୍ଷିତ କରିବାର ସୁବନ୍ଦୋବସ୍ତ କରିବାପରେହିଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାପାଇଁ ଗ୍ରାମବାସୀମାନଙ୍କର ଦାବିକୁ ସଂପୂର୍ଣ୍ଣ ଉପେକ୍ଷା କରି ଆପଣଙ୍କ ସରକାର ଓ ଜିଲ୍ଲା ପ୍ରଶାସନ ପଶୁବଳ ପ୍ରୟୋଗକରି ଜୋର ଜବରଦସ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାପାଇଁ ନିନ୍ଦନୀୟ ଉଦ୍ୟମ ଚଳାଇଛି । ସେହି ଅଞ୍ଚଳକୁ ପୁଲିସ ଛାଉଣୀରେ ପରିଣତ କରାଯାଇଛି ଏବଂ ସମଗ୍ର ଅଞ୍ଚଳରେ ୧୪୪ଧାରା ଜାରୀ କରାଯାଇ ଜନସାଧାରଣଙ୍କର ସ୍ୱାଭାବିକ ଜୀବନଯାତ୍ରାକୁ ଗୁରୁତର ଭାବରେ ବ୍ୟାହତ କରାଯାଇଛି । ଗତ ୧୨ ତରିଖ ବିଳମ୍ବିତ ରାତିରେ ପୋଲିସ ଆନ୍ଦୋଳନକାରୀମାନଙ୍କ ଘର କବାଟ ଝରକା ଭାଙ୍ଗି ବେଆଇନ୍ ଭାବରେ ଘରେ ପଶି ଆସବାସ ପତ୍ର ନଷ୍ଟ କରିଛି । ପୁରୁଷ ପୋଲିସ ମହିଳାମାନଙ୍କ ପ୍ରତି ଅଶାଳୀନ ଆଚରଣ କରିଛି ଏବଂ ଆନ୍ଦୋଳନରେ ଯୋଗ ଦେଲେ ଗୁଳିକରି ମାରିଦେବାପାଇଁ ଧମକ ଦେଇଛି । ବହୁ ନିରିହଲୋକଙ୍କୁ ଗିରଫକରି ଜେଲରେ ଭର୍ତ୍ତି କରାଯାଇଛି । ଆନ୍ଦୋଳନକୁ ଭାଙ୍ଗିବାପାଇଁ ସମଗ୍ର ଅଞ୍ଚଳକୁ ପୁଲିସ ଛାଉଣିରେ ପରିଣତ କରାଯାଇଛି ଏବଂ ସମଗ୍ର ଅଞ୍ଚଳରେ ପୋଲିସ ସନ୍ତ୍ରାସ ସୃଷ୍ଟି କରୁଛି । ପୁଲିସ ପ୍ରଶାସନର ଏତାଦୃଶ ଅଗଣତାନ୍ତ୍ରିକ ଓ ଚୂଡାନ୍ତ ଜନବିରୋଧର କାର୍ଯ୍ୟକଳାପକୁ ଏସ୍.ୟୁ.ସି.ଆଇ.(ସି) ଓଡିଶା ରାଜ୍ୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାପାଇଁ ପାର୍ଟି ପକ୍ଷରୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କର୍ତ୍ତୃପକ୍ଷଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
