ରାଜକନିକା ଘଟଣାର ପ୍ରତିବାଦ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସର୍ବହରାକ୍ରାନ୍ତି ସମ୍ବାଦ/ଅନୁଗୁଳ – ୧୬/୦୮ । ରାଜକନିକା ବ୍ଲକରେ ଖରସ୍ରୋତା ବଞ୍ଚାଅ ଆନ୍ଦୋଳନକାରୀଙ୍କ ଉପରେ ସ୍ଥାନୀୟ ପୋଲିସ ପ୍ରଶାସନର ଦମନଲୀଳା ବିରୋଧରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ଅନୁଗୁଳରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି । ଏହି ଦାବିପତ୍ରରେ ଖରସ୍ରୋତା ବଞ୍ଚାଅ ଆନ୍ଦୋଳନର ସମସ୍ତ ଗିରଫ ବ୍ୟକ୍ତିଙ୍କୁ ତୁରନ୍ତ ବିନା ସର୍ତ୍ତରେ ଖଲାସ କରିବା, ସଂପୃକ୍ତ ଅଞ୍ଚଳରୁ ତୁରନ୍ତ ପୋଲିସ ବାହିନୀ ପ୍ରତ୍ୟାହର କରାଯାଉ ଓ ୧୪୪ ଧାରା ପ୍ରତ୍ୟାହାର କରି ପୁଲିସ ସନ୍ତ୍ରାସ ବନ୍ଦ କରିବା, ଗଣତାନ୍ତ୍ରିକ ଭାବରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ଅତ୍ୟାଚାର କରିଥିବା, ବିଶେଷକରି ମହିଳାମାନଙ୍କର ସମ୍ଭ୍ରମହାନୀ କରିଥିବା ପୁଲିସ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ଆଦି ଦାବି ଉଲ୍ଲେଖ ଅଛି । ଜମି, ଜଳ, ଜଙ୍ଗଲର ସୁରକ୍ଷା ପାଇଁ ଲଢ଼ୁଥିବା ଆନ୍ଦୋଳନକୁ ବିଭିନ୍ନ ଆଳରେ ଦମନ କରିବା ନୀତି ଅତ୍ୟନ୍ତ ନିନ୍ଦନୀୟ ବୋଲି ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ବ୍ରଜବନ୍ଧୁ ସାହୁ, ସୁବାସ ପ୍ରଧାନ, ମାନସ ପାଳ, ମନ୍ଦୋଦରୀ ରାଉଳ ପ୍ରମୁଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *