କମ୍ରେଡ ଉଦ୍ଧବ ଜେନାଙ୍କ ସ୍ମୃତିରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟିର ଶ୍ରଦ୍ଧାଞ୍ଜଳି

ସର୍ବହରାକ୍ରାନ୍ତି/ଭୁବନେଶ୍ବର /ତା – 28.08.2021 – ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟିର ସମ୍ପାଦକ ମଣ୍ଡଳୀର ବରିଷ୍ଠ ସଦସ୍ୟ ତଥା ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ (ଏ.ଆଇ.କେ.କେ.ଏମ୍‌.ଏସ୍‌)ର ରାଜ୍ୟ ସଭାପତି କମ୍ରେଡ ଉଦ୍ଧବ ଜେନା ୬୯ବର୍ଷ ବୟସରେ ମାରାତ୍ମକ କରୋନାର ଦ୍ୱିତୀୟ ଲହରୀରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଦୀର୍ଘ ୧୦ଦିନ ମୃତ୍ୟୁ ସହିତ ସଂଘର୍ଷ କରି ଶେଷରେ ଅଗଷ୍ଟ ୧୫ତାରିଖ ରାତି ୧୦ଟା ୫ମିନିଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ୫ ଅଗଷ୍ଟ ରାତିରେ କମ୍ରେଡ ଜେନାଙ୍କ କରୋନା ଦ୍ୱାରା ଆକ୍ରାନ୍ତ ହେବାର ଖବର ମିଳିବା ପରେ ତାଙ୍କର ଉତ୍ତମ ଓ ଉପଯୁକ୍ତ ଚିକିତ୍ସା ନିମନ୍ତେ ଅକ୍ସିଜେନ୍ ସପୋର୍ଟରେ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରୀପୋଖରୀର ପୁରିପଡା ଠାରୁ ଆଣି ସମ୍ ହସ୍ପିଟାଲରେ ଅଗଷ୍ଟ ୬ ତାରିଖ ଦିନ ଆଇ.ସି.ୟୁ.ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଫୁସ୍‌ଫୁସ୍ କ୍ରିୟାରେ ଦ୍ରୁତ ଅବନତି ହେବା ଫଳରେ ତାଙ୍କୁ ୮ ଅଗଷ୍ଟରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ମାତ୍ର ସଂଶ୍ଳିଷ୍ଟ ସମସ୍ତ କମ୍ରେଡମାନଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କର ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିଲା ନାହିଁ । ଅସମୟରେ ଅତି ଆକସ୍ମିକଭାବେ ତାଙ୍କର ଜୀବନ ଦୀପ ଲିଭିଯିବା ବିପ୍ଳବୀ ସଂଗଠନ ଓ ବିପ୍ଳବୀ ଆନ୍ଦୋଳନ ପାଇଁ ଏକ ଶକ୍ତ ଧକ୍କା ।
ଯାଜପୁର ଟାଉନ ନିକଟସ୍ଥ ଆନ୍ଦୋଳା ଗ୍ରାମର ଏକ ନିମ୍ନ ମଧ୍ୟବିତ୍ତ ଅଭାବୀ ପରିବାରରେ କମ୍ରେଡ
ଉଦ୍ଧବ ଜେନା ଜନ୍ମଗ୍ରହଣ କରିଥିଲେ । ବିରଜା ହାଇସ୍କୁଲରେ ପଢ଼ୁଥିବା ସମୟରେ ସ୍କୁଲର ଜଣେ ଶିକ୍ଷକଙ୍କ ଦ୍ୱାରା ଗାନ୍ଧୀବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାନ୍ଧୀବାଦୀ ମୂଲ୍ୟବୋଧସମ୍ପନ୍ନ ଜୀବନ ଗ୍ରହଣ କରିବାକୁ ମନସ୍ଥ କରିଥିଲେ । ଏହି ସମୟରେ ୧୯୬୯ ମସିହାରେ କଲେଜର ପ୍ରିୟୁନିଭରସିଟିର ଛାତ୍ରଥିବାବେଳେ ସେ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓ. ସମ୍ପର୍କରେ ଆସିଥିଲେ । ଏହାପରେ ସେତେବେଳର ଏ.ଆଇ.ଡି.ଏସ୍‌.ଓ. ନେତା ବର୍ତ୍ତମାନ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ସଭ୍ୟ କମ୍ରେଡ ଦ୍ୱାରିକାନାଥ ରଥଙ୍କ ସଂସ୍ପର୍ଶରେ ଆସିଥିଲେ । ତା ପରେ ପରେ ଏ.ଆଇ.ଡି.ଏସ୍‌.ଓ.ର ତତ୍କାଳନୀ ସାଧାରଣ ସମ୍ପାଦକ, ବର୍ତ୍ତମାନର ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ସାଧାରଣ ସମ୍ପାଦକ କମ୍ରେଡ ପ୍ରଭାଷ ଘୋଷଙ୍କ ସାନିଧ୍ୟ ପାଇଥିଲେ ଓ ଏହି ପ୍ରକ୍ରିୟାରେ ସେ ମାର୍କ୍ସବାଦ-ଲେନିନବାଦ-କମ୍ରେଡ ଶିବଦାସ ଘୋଷଙ୍କ ବୈପ୍ଳବିକ ଆଦର୍ଶ ପ୍ରତି ଆକୃଷ୍ଟ ହୋଇଥିଲେ । ଏହାର କିଛିଦିନ ପରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରୟାତ ରାଜ୍ୟ ସମ୍ପାଦକ ମହାନ୍ ବିପ୍ଳବୀ ଭାସ୍କର କମ୍ରେଡ ତାପସ ଦତ୍ତଙ୍କ ଘନିଷ୍ଠ ସଂସ୍ପର୍ଶରେ ଆସି ବୁଝିପାରିଥିଲେ ଯେ ପ୍ରକୃତ ମାନବମୁକ୍ତି ଶୋଷିତଶ୍ରେଣୀର ବିପ୍ଳବୀ ସଂଗ୍ରାମ ମଧ୍ୟରେ ନିହିତ ଓ ମାର୍କ୍ସବାଦ-ଲେନିନବାଦ-କମ୍ରେଡ ଶିବଦାସ ଘୋଷଙ୍କ ଚିନ୍ତାଧାରା ହେଉଛି ଏଯୁଗର ସବୁଠାରୁ ଉନ୍ନତତର ମହତ୍ତର ଆଦର୍ଶ । ୧୯୭୧ ମସିହାରେ କଟକର ଶ୍ରୀରାମଚନ୍ଦ୍ର ଭବନରେ ଏ ଯୁଗର ମହାନ୍ ମାର୍କ୍ସବାଦୀ ଦାର୍ଶନିକ ତଥା ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ କମ୍ରେଡ ଶିବଦାସ ଘୋଷଙ୍କ ପରିଚାଳନାରେ ଅନୁଷ୍ଠିତ ଏକ ଶିକ୍ଷା ଶିବିରରେ ଯୋଗ ଦେବାପରେ ତାଙ୍କର ଏହି ଚିନ୍ତା ଆହୁରି ପରିପକ୍ୱ ହୋଇଥିଲା । ସେହି ତରୁଣ ବୟସରେ ନିଜର ବ୍ୟକ୍ତିଗତ
କ୍ୟାରିୟର ଗଢ଼ିବାର ମୋହ ଓ ଅଭାବୀ ପରିବାରର ଦାୟିତ୍ୱକୁ ତୁଚ୍ଛ କରି ଶୋଷିତ ମଣିଷର ମୁକ୍ତି ସଂଗ୍ରାମରେ ନିଜକୁ ଉତ୍ସର୍ଗ କଲେ । ଯାଜପୁର ଅଞ୍ଚଳରେ ସର୍ବକ୍ଷଣ କର୍ମୀଭାବେ ଦାୟିତ୍ୱ ପାଳନ କରିବାକୁ ଆଗେଇ ଆସିଲେ ।

ଏହି ବିପ୍ଳବୀ ଉପଲବ୍ôଧରୁ ହିଁ ସେ ଏନ୍‌.ସି. କଲେଜ ଯାଜପୁରରେ ବିପ୍ଳବୀ ଛାତ୍ର ସଂଗଠନ
ଏ.ଆଇ.ଡି.ଏସ୍‌.ଓ.କୁ ଗଢ଼ି ତୋଳିବା ପାଇଁ ଦାୟିତ୍ୱ ନେଇଥିଲେ । ୧୯୬୯ ମସିହାରେ ସମଗ୍ର ରାଜ୍ୟରେ ଗଢ଼ି ଉଠିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ କରି ଏନ୍‌.ସି. କଲେଜରେ ସଂଗଠିତ ହୋଇଥିବା ଛାତ୍ର ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ । ୧୯୭୧ ମସିହା ଅକ୍ଟୋବର ମାସରେ ପ୍ରଳୟଙ୍କାରୀ ବନ୍ୟା ବାତ୍ୟା ବିଧ୍ୱସ୍ତ ଲୋକଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇଦେବା ଦାବିରେ ଏକ ଆନ୍ଦୋଳନର ନେତୃତ୍ୱ ନେଇ ଗିରଫ ହୋଇଥିଲେ । ଏକ ସମ୍ପୂର୍ଣ୍ଣ ବିରୁଦ୍ଧ ପରିସ୍ଥିତି ମଧ୍ୟରେ ମୁଷ୍ଟିମେୟ କେତେଜଣ ତରୁଣ ସହକର୍ମୀଙ୍କ ସହିତ ଗୁଣ୍ଡାମାନଙ୍କର ଆକ୍ରମଣକୁ ସାହସର ସହିତ ମୁକାବିଲା କରି, ତଥାକଥିତ ପ୍ରତିଷ୍ଠିତ କିଛି ବୁଦ୍ଧିଜୀବୀଙ୍କ ବ୍ୟଙ୍ଗ ବିଦ୍ରୁପକୁ ଉପେକ୍ଷା କରି ସେ ଯାଜପୁର ଅଞ୍ଚଳରେ ଏ.ଆଇ.ଡି.ଏସ୍‌.ଓ. ଏବଂ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ସଂଗଠନର ବିସ୍ତାର ଘଟାଇଲେ । ଏହି ମହାନ୍ ଦାୟିତ୍ୱ ପାଳନ କରିବାକୁ ଯାଇ କମ୍ରେଡ ଜେନା ଓ ତାଙ୍କର ସହକର୍ମୀମାନଙ୍କୁ ମଧ୍ୟ ଦିନ ପରେ ଦିନ ଭୋକ ଉପାସରେ ରହିବାକୁ ପଡିଛି । କଷ୍ଟଦାୟକ ଜୀବନ ସଂଗ୍ରାମକୁ ସେମାନେ ଆନନ୍ଦ ସହକାରେ ଗ୍ରହଣ କରିଛନ୍ତି । ୧୯୭୨ ମସିହାରେ ଅନୁଷ୍ଠିତ ଏ.ଆଇ.ଡି.ଏସ୍‌.ଓ.ର ପ୍ରଥମ ରାଜ୍ୟ ସମ୍ମିଳନୀରେ ଏହି ଅଞ୍ଚଳରୁ ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
କମ୍ରେଡ ଶିବଦାସ ଘୋଷଙ୍କ ଦିଗନିର୍ଦ୍ଦେଶ ଅନୁଯାୟୀ କମ୍ରେଡ ତାପସ ଦତ୍ତ ସେତେବେଳେ ଥିବା
ମୁଷ୍ଟିମେୟ ତରୁଣ କର୍ମୀମାନଙ୍କୁ ରାଜ୍ୟର ବହୁ ନୂତନ ଅଞ୍ଚଳକୁ ସଂଗଠନର ବ୍ୟାପ୍ତି ପାଇଁ ପଠାଉଥିଲେ ।
୧୯୭୩ ମସିହାରେ ଏ.ଆଇ.ଡି.ଏସ୍‌.ଓ. ଏବଂ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ସଂଗଠନ ଗଢ଼ି ତୋଳିବା ପାଇଁ ତାଙ୍କୁ ଭଦ୍ରକ ପଠାଯାଇଥିଲା । ଖୁସି ମନରେ ସେ ଏହି ଦାୟିତ୍ୱ ଗ୍ରହଣକରି ସଂଗଠନର ପ୍ରୟୋଜନରେ ଭଦ୍ରକ କଲେଜରେ ନାମ ଲେଖାଇଥିଲେ । ଏଠି ମଧ୍ୟ ପ୍ରତିପକ୍ଷ ଛାତ୍ର ସଂଗଠନ ମାନଙ୍କର ଗୁଣ୍ଡା ବାହିନୀକୁ ମୁକାବିଲା କରି ଅଭାବ ଅନଟନ ମଧ୍ୟରେ ସେ ସଂଗଠନର ବିସ୍ତାର ଘଟାଇଥିଲେ । ସଂଗଠନ ପ୍ରତି ବହୁ ଛାତ୍ର ଆକୃଷ୍ଟ ହୋଇଥିଲେ, କେତେଜଣ କର୍ମୀ ମଧ୍ୟ ହୋଇଥିଲେ । ମହାନ୍ ନେତା କମ୍ରେଡ ଶିବଦାସ ଘୋଷ, ବରେଣ୍ୟ ଜନନେତା ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଓ ସୁବୋଧ ବାନାର୍ଜୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିବା କଟକଠାରେ ୧୯୭୪ ମସିହାରେ ଅନୁଷ୍ଠିତ ଏ.ଆଇ.ଡି.ଏସ୍‌.ଓ.ର ଐତିହାସିକ ସର୍ବଭାରତୀୟ ଛାତ୍ର ସମ୍ମିଳନୀରେ ତାଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଯୋଗଦେଇଥିଲେ । ୧୯୭୭ ମସିହାରେ ସମ୍ବଲପୁରରେ ଅନୁଷ୍ଠିତ ଏ.ଆଇ.ଡି.ଏସ୍‌.ଓ.ର ରାଜ୍ୟ ସମ୍ମିଳନୀରେ ସେ ସମ୍ପାଦକମଣ୍ଡଳୀ ସଭ୍ୟଭାବେ ନିର୍ବାଚିତ ହୋଇଥିଲେ ଓ ଅବିଭକ୍ତ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାମାନଙ୍କରେ ସଂଗଠନ ଗଢ଼ିବାର ଦାୟିତ୍ୱ ପ୍ରାପ୍ତ ହୋଇ ସେ ଦିଗରେ ଆପ୍ରାଣ ଉଦ୍ୟମ କରିଥିଲେ । ୧୯୭୪-୭୫ ମସିହାରେ ଦେଶବ୍ୟାପୀ ଗଢ଼ି ଉଠିଥିବା ଐତିହାସିକ ଜୟପ୍ରକାଶ ଆନ୍ଦୋଳନରେ କମ୍ରେଡ ଜେନା ସକ୍ରିୟ ଭାବେ ସାମିଲ ହୋଇଥିଲେ । ୧୯୭୫ ମସିହାରେ ଜାରି ହୋଇଥିବା ଜାତୀୟ ଜରୁରୀ ଅବସ୍ଥା ସମୟରେ ଭାରତ ନିରାପତ୍ତା ଆଇନ୍ (ଊଓଜ) ବଳରେ ଗିରଫ ହୋଇଥିଲେ । ୧୯୮୦-୮୧ ଏବଂ ୧୯୮୪ ମସିହାର ଐତିହାସିକ ସାରା ଓଡିଶା ଛାତ୍ର ଆନ୍ଦୋଳନକୁ ଉପକୂଳବର୍ତ୍ତୀ ଓଡିଶାରେ ସଫଳ କରିବା କ୍ଷେତ୍ରରେ ନେତୃତ୍ୱକାରୀ ଭୂମିକା ପାଳନ କରିଥିଲେ ।
୧୯୮୩ ମସିହା ମାର୍ଚ୍ଚ ମାସରେ ବନ୍ୟା ବାତ୍ୟା ମରୁଡିର ସ୍ଥାୟୀ ପ୍ରତିକାର ଦାବିରେ ପାର୍ଟି ପକ୍ଷରୁ
କମ୍ରେଡ ତାପସ ଦତ୍ତଙ୍କ ନେତୃତ୍ୱରେ ୩୧ ଦିନ ଧରି ପ୍ରାୟ ୪,୦୦୦କି.ମି. ଯାତ୍ରା କରିଥିବା ସାରା ଓଡିଶା
ଐତିହାସିକ ସାଇକେଲ ଶୋଭାଯାତ୍ରାରେ ସେ ଉଲ୍ଲେଖଯୋଗ୍ୟ ଭୂମିକା ପାଳନ କରିଥିଲେ । ପରବର୍ତ୍ତୀ ସମୟରେ ୧୯୯୯ ମସିହାରେ ପ୍ରଳୟଙ୍କରୀ ମହାବାତ୍ୟା ବେଳେ କମ୍ରେଡ ତାପସ ଦତ୍ତଙ୍କ ନେତୃତ୍ୱରେ ସମଗ୍ର କ୍ଷତିଗ୍ରସ୍ତ ଅଞ୍ଚଳ ବିଶେଷକରି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଜଗତସିଂହପୁରର ଏରସମା ଅଞ୍ଚଳରେ ବ୍ୟାପକ ରିଲିଫ କାର୍ଯ୍ୟରେ ତାଙ୍କର ଅସାଧାରଣ ନେତୃତ୍ୱକାରୀ ଭୂମିକା ରହିଥିଲା ।

୧୯୮୬-୮୭ ମସିହାରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳଠାରେ କ୍ଷେପଣାସ୍ତ୍ର ଘାଟୀ ବିରୋଧୀ
ସଂଗଠିତ ଜନଆନ୍ଦୋଳନରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲେ ।

କମ୍ରେଡ ଜେନା ଛାତ୍ର ଆନ୍ଦୋଳନର ନେତା ଥିଲେ ମଧ୍ୟ କୃଷକ-କ୍ଷେତମଜଦୁର ମାନଙ୍କ ଆନ୍ଦୋଳନରେ ସକ୍ରିୟ ଭୂମିକା ପାଳନ କରୁଥିଲେ । ବର୍ତ୍ତମାନର ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ନିକଟସ୍ଥ ଡାହାଲା ଠାରେ କମ୍ରେଡ ତାପସ ଦତ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏ.ଆଇ.କେ.କେ.ଏମ୍‌.ଏସ୍‌.ର ୪ର୍ଥ ରାଜ୍ୟ ସମ୍ମିଳନୀକୁ ସଫଳ କରିବା ପାଇଁ ସେ ପ୍ରଶଂସନୀୟ ଭୂମିକା ପାଳନ କରିଥିଲେ । ଏହି ସମ୍ମିଳନୀରେ ସେ ରାଜ୍ୟ କମିଟିରେ ଅନ୍ତର୍ଭୁକ୍ତ ହୋଇଥିଲେ । ୨୦୧୦ ମସିହାରେ କେନ୍ଦୁଝର ଜିଲ୍ଲାରେ ସଂଗଠନର ପଞ୍ଚମ ରାଜ୍ୟ ସମ୍ମିଳନୀରେ ରାଜ୍ୟ ସଭାପତି ଏବଂ ୨୦୧୬ ମସିହାରେ ଅନୁଷ୍ଠିତ ଦ୍ୱିତୀୟ ସର୍ବଭାରତୀୟ ସମ୍ମିଳନୀରେ ଏ.ଆଇ.କେ.କେ.ଏମ୍‌.ଏସ୍‌.ର ଅଲ୍ ଇଣ୍ଡିଆ ୱାର୍କିଂ କମିଟିକୁ ନିର୍ବାଚିତ ହୋଇଥିଲେ ।
ଭଦ୍ରକରେ ଛାତ୍ର ସଂଗଠନ ଓ ପାର୍ଟି ସଂଗଠନ ଗଢ଼ିବାର ଦାୟିତ୍ୱ ଥିବାବେଳେ କ୍ରମାନ୍ୱୟରେ ତାଙ୍କୁ ମଧ୍ୟ
ସଂଗଠନର ବ୍ୟାପ୍ତି ପାଇଁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଇନ୍‌ଚାର୍ଜ
କରାଯାଇଥିଲା । ଏହି ସମୟରେ ଜିଲ୍ଲାର ବିଭିନ୍ନ ଗଣଆନ୍ଦୋଳନର ନେତୃତ୍ୱ ଦେବା ସଙ୍ଗେ ସଙ୍ଗେ ବହୁ
ସାମାଜିକ ସାଂସ୍କୃତିକ କାର୍ଯ୍ୟମାନ କରୁଥିଲେ । ୧୯୪୨ ମସିହାର ଭାରତ ଛାଡ ଆନ୍ଦୋଳନ ବେଳେ ସଂଗଠିତ ହୋଇଥିବା ଇରମର ରକ୍ତକ୍ଷୟୀ ଆନ୍ଦୋଳନର ଇତିହାସକୁ ଲୋକଲୋଚନକୁ ଆଣିବା ଏବଂ ବିପ୍ଳବୀ କବି ବାଞ୍ଚାନିଧି ମହାନ୍ତିଙ୍କ କବିତା ସଂଗ୍ରହ କରି ସେଗୁଡିକୁ ଜନପ୍ରିୟ କରାଇବା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ରଖିଥିଲେ ।
୧୯୮୫ ମସିହାରେ, କମ୍ରେଡ ଜେନା ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ପାର୍ଟି ଦାୟିତ୍ୱରେ ଥିବାବେଳେ
କମ୍ରେଡ ତାପସ ଦତ୍ତଙ୍କ ପରିଚାଳନାରେ ଦଳର ରାଜ୍ୟ କମିଟି ଭୁବନେଶ୍ୱରରେ ଆରମ୍ଭ ହେଉଥିବା ପାର୍ଟିର ନିଜସ୍ୱ ପ୍ରେସ ଓ ପାର୍ଟି ମୁଖପତ୍ର ସର୍ବହରାକ୍ରାନ୍ତି ପ୍ରକାଶନ ଦେଖିବାର ଦାୟିତ୍ୱ ତାଙ୍କୁ ଦେଇଥିଲା । ଜଣେ ଜନନେତା ଭାବେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ସେ ପ୍ରେସ କାମ ଭଳି ଏକ ଆପାତଃ ମନେ ହେଉଥିବା ନିରସ କ୍ଳାନ୍ତିଦାୟକ କାର୍ଯ୍ୟକୁ ଦୀର୍ଘ ଦିନ ଧରି ନିଷ୍ଠା ଓ ଧୈର୍ଯ୍ୟର ସହିତ ତୁଲାଇଥିଲେ ଓ ସେହି ପ୍ରୟୋଜନରେ ଛପା ଛପି ଓ ପ୍ରେସ ସଂକ୍ରାନ୍ତୀୟ ନାନା ବୈଷୟିକ ଜ୍ଞାନ ଆୟତ୍ତ କରିଥିଲେ । ପ୍ରେସ କାର୍ଯ୍ୟରେ ନିଯୁକ୍ତ ନବାଗତ ଅନଭିଜ୍ଞ କମ୍ରେଡମାନଙ୍କୁ ଧୈର୍ଯ୍ୟର ସହିତ ପ୍ରଶିକ୍ଷିତ କରାଇବା, ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ମାଧ୍ୟମରେ ପାର୍ଟି ପ୍ରତି ଘନିଷ୍ଠ କରାଇବା କାର୍ଯ୍ୟକୁ ସୁନ୍ଦରଭାବେ କରିଥିଲେ । ୧୯୯୨ ମସିହାରେ ପାର୍ଟିର ପ୍ରେସ ନିର୍ମାଣ ପାଇଁ ଭୁବନେଶ୍ୱରରେ ଜମି କ୍ରୟ ବେଳେ ଉପୁଜିଥିବା ବହୁ ଜଟିଳ ସମସ୍ୟାକୁ ପ୍ରୟାତ କେନ୍ଦ୍ରୀୟ କମିଟି ସଭ୍ୟ ଓ ରାଜ୍ୟ ଅଫିସ ସମ୍ପାଦକ କମ୍ରେଡ ଶୀତେଶ ଦାସଗୁପ୍ତଙ୍କ ପରାମର୍ଶ ନେଇ ବିଚକ୍ଷଣତାର ସହିତ ତାହା ସମାଧାନ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲେ । ପାର୍ଟି ପ୍ରେସ୍ ଓ ସର୍ବହରାକ୍ରାନ୍ତି ପ୍ରକାଶନ ଦାୟିତ୍ୱ ସହିତ ତାଙ୍କୁ ୧୯୮୬ ମସିହାରେ ଭୁବନେଶ୍ୱର ସଂଗଠନ ଦେଖିବାର ଦାୟିତ୍ୱ ମଧ୍ୟ ପାର୍ଟି ତରଫରୁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ୧୯୮୮ ମସିହାରେ ଅନୁଷ୍ଠିତ ପାର୍ଟିର ପ୍ରଥମ କଂଗ୍ରେସ ପୂର୍ବରୁ ୧୯୮୭ ମସିହାରେ ସେ ଅବିଭକ୍ତ ପୁରୀ ଜିଲ୍ଲା କମିଟି ସଭ୍ୟ ଓ ଭୁବନେଶ୍ୱର ଆଞ୍ଚଳିକ କମିଟିର ସମ୍ପାଦକ ଭାବେ ନର୍ବାଚିତ ହୋଇଥିଲେ ।
୧୯୮୭ ମସିହାରେ କଟକଠାରେ ଅନୁଷ୍ଠିତ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରଥମ ଓ ୨୦୦୯
ମସିହାରେ ଅନୁଗୁଳରେ ଅନୁଷ୍ଠିତ ଦ୍ୱିତୀୟ ରାଜ୍ୟ ସମ୍ମିଳନୀକୁ ସେ ରାଜ୍ୟ କମିଟି ସଭ୍ୟ ଭାବେ ଏବଂ ୨୦୧୮ ମସିହାରେ ଭୁବନେଶ୍ୱରରେ ଅନୁଷ୍ଠିତ ତୃତୀୟ ରାଜ୍ୟ ସମ୍ମିଳନୀରେ ସେ ରାଜ୍ୟ କମିଟି ସଭ୍ୟଭାବେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କୁ ରାଜ୍ୟ ସମ୍ପାଦକମଣ୍ଡଳୀର ସଭ୍ୟ ମଧ୍ୟ କରାଯାଇଥିଲା । ଭଦ୍ରକ ଜିଲ୍ଲା, କେନ୍ଦୁଝର ଜିଲ୍ଲାର ଶାଳିନିଆ, ଆନନ୍ଦପୁର, ମନୋହରପୁର ଅଞ୍ଚଳ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ପାର୍ଟି ସଂଗଠନର ଦାୟିତ୍ୱ ମଧ୍ୟ ସେ ସମ୍ପାଦନ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ଜଗତସିଂହପୁର ଜିଲ୍ଲାର ପୋସ୍କୋ ବିରୋଧୀ ଆନ୍ଦୋଳନକୁ ବ୍ୟାପକ ଓ ସଫଳ କରିବା କ୍ଷେତ୍ରରେ ସେ ମଧ୍ୟ ଏକ ଉଲ୍ଲେଖଯୋଗ୍ୟ ଭୂମିକା ପାଳନ କରିଥିଲେ । ୧୯୯୩ ମସିହାରେ ବିପ୍ଳବୀ ଯୁବ ସଂଗଠନ ଏ.ଆଇ.ଡି.ୱାଇ.ଓ.ର ରାଜ୍ୟ ପ୍ରସ୍ତୁତି କମିଟିର ଯୁଗ୍ମ ଆବାହକ ଭାବେ ନିର୍ବାଚିତ ହୋଇଥିଲେ । ଏଥିସହିତ ଐକ୍ୟବଦ୍ଧ ବାମପନ୍ଥୀ ଗଣତାନ୍ତ୍ରିକ ଆନ୍ଦୋଳନ ଗଢ଼ି ତୋଳିବା କ୍ଷେତ୍ରରେ ପାର୍ଟି ଦ୍ୱାରା ଅର୍ପିତ ଦାୟିତ୍ୱକୁ ସେ ନିଷ୍ଠାର ସହିତ ପାଳନ କରିଥିଲେ ।
ଦିଲ୍ଲୀ ସୀମାନ୍ତରେ ଚାଲୁଥିବା ଐତିହାସିକ କୃଷକ ଆନ୍ଦୋଳନକୁ ସଂହତି ଜଣାଇ ରାଜ୍ୟରେ କୃଷକ
ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ସେ ମଧ୍ୟ ଉଦ୍ୟମ କରିଥିଲେ ।
ଆହୁରି ମଧ୍ୟ ବିଭିନ୍ନ ଆଦର୍ଶଗତ ବିଷୟ ତଥା ଦେଶର ରାଜନୈତିକ ପରିସ୍ଥିତି ଅତି ସହଜ ବୋଧଗମ୍ୟ
ଭାଷାରେ ଆଲୋଚନା କରିପାରୁଥିଲେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଶତବର୍ଷକୁ ରାଜ୍ୟବ୍ୟାପୀ ମର୍ଯ୍ୟାଦାର ସହ ପାଳନ କରିବା ପାଇଁ ଗଠିତ ହୋଇଥିବା ଶତବର୍ଷ କମିଟିର ଜଣେ ସଭ୍ୟଭାବେ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ତାଙ୍କର ଗପ, କବିତା ଲେଖିବାର ରୁଚି ମଧ୍ୟ ଥିଲା । ଗମ୍ଭୀର ଏକ ପରିବେଶକୁ ରୁଚିପୂର୍ଣ୍ଣ ହସ ଥଟ୍ଟା ମାଧ୍ୟମରେ ସହଜ କରିଦେବାର ଏକ ବିଶେଷ ଗୁଣ ମଧ୍ୟ ତାଙ୍କର ଥିଲା । କମ୍ରେଡମାନଙ୍କ ପ୍ରତି ବିଶେଷକରି କନିଷ୍ଠ କମ୍ରେଡମାନଙ୍କ ପ୍ରତି ସ୍ନେହଶୀଳ ଥିଲେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଖିବା କ୍ଷେତ୍ରରେ ମଧ୍ୟ ଖୁବ ଯତ୍ନଶୀଳ ଥିଲେ ।
ଭାରତବର୍ଷରେ ପୁଞ୍ଜିବାଦ ବିରୋଧୀ ସମାଜତାନ୍ତ୍ରିକ ବିପ୍ଳବକୁ ସଫଳ କରିବା ପାଇଁ କମ୍ରେଡ ଜେନା
ଦୀର୍ଘ ୫ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମାର୍କ୍ସବାଦ-ଲେନିନବାଦ-କମ୍ରେଡ ଶିବଦାସ ଘୋଷଙ୍କ ବୈପ୍ଳବିକ ଆଦର୍ଶକୁ ପାଥେୟ କରି ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରିଯାଇଛନ୍ତି । ସଦ୍ୟ ଯୌବନରେ ପଦାର୍ପଣ କରିଥିବାବେଳେ ନେଇଥିବା ସଂକଳ୍ପରୁ ଜୀବନର ଶେଷ ଦିନଯାଏ ପଛକୁ ହଟି ନାହାଁନ୍ତି । ମାର୍କ୍ସବାଦ-ଲେନିନବାଦ- କମ୍ରେଡ ଶିବଦାସ ଘୋଷଙ୍କ ଚିନ୍ତା ଶିକ୍ଷାର ଦିଗନିର୍ଦ୍ଦେଶରେ ବହୁମୁଖୀ ଗୁଣାବଳୀର ଅଧିକାରୀ, ବିପ୍ଳବୀ ଆଦର୍ଶ ଓ କର୍ମନିଷ୍ଠାରେ ଅବିଚଳ, ଦୃଢ଼ ପ୍ରତିଜ୍ଞ, ଆଜୀବନ ନିଃସ୍ୱାର୍ଥପର ନିରାଡମ୍ବର ଅମାୟିକ ଜୀବନ ଜିଇଁଥିବା ଦରଦୀ ହୃଦୟର ଜଣେ ବିପ୍ଳବୀ ଯୋଦ୍ଧା କମ୍ରେଡ ଉଦ୍ଧବ ଜେନା ଆଉ ଆମ ଗହଣରେ ନାହାଁନ୍ତି । ତାଙ୍କର ଦୁଃଖଦ ଅକାଳ ବିୟୋଗ ବିପ୍ଳବୀ ଆନ୍ଦୋଳନ ଓ ବିପ୍ଳବୀ ସଂଗଠନ ପାଇଁ ଏକ ବିରାଟ କ୍ଷତି । ସମୟର ଏହି କ୍ରୁର ବାସ୍ତବ ସତ୍ୟକୁ ଏକ ଆହ୍ୱାନଭାବେ ଗ୍ରହଣ କରି ବିପ୍ଳବୀ ସଂଗ୍ରାମରେ ଆମକୁ ଆହୁରି ଯୋର କଦମରେ ଆଗେଇଯିବାକୁ ପଡିବ ।
ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ (କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପ୍ରୟାତ ନେତା କମ୍ରେଡ
ଉଦ୍ଧବ ଜେନାଙ୍କ ପ୍ରତି ଗଭୀର ସମ୍ମାନର ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ଶୋଷିତ ଶ୍ରମଜୀବୀ ମଣିଷର ମୁକ୍ତି ଉଦ୍ଦେଶ୍ୟରେ ପୁଞ୍ଜିବାଦ ବିରୋଧୀ ସମାଜତାନ୍ତ୍ରିକ ବିପ୍ଳବକୁ ସଫଳ କରିବା ପାଇଁ ଭାରତବର୍ଷର ଏକମାତ୍ର ସାମ୍ୟବାଦୀ ଦଳ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଦଳକୁ ଶକ୍ତିଶାଳୀ କରିବା ପାଇଁ ତାଙ୍କର ପାଞ୍ଚ ଦଶନ୍ଧି ବ୍ୟାପୀ ସୁଦୀର୍ଘ ବିପ୍ଳବୀ ସଂଗ୍ରାମକୁ ସ୍ମରଣ କରି ଏକ ମିନିଟ୍ ନିରବତା ପାଳନ କରୁଛି ।
କମ୍ରେଡ ଉଦ୍ଧବ ଜେନା ଲାଲ୍‌ସଲାମ୍‌
ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିନ୍ଦାବାଦ୍‌
କମ୍ରେଡ ଶିବଦାସ ଘୋଷ ଲାଲ୍‌ସଲାମ୍‌

Leave a Reply

Your email address will not be published. Required fields are marked *