ଛଟେଇ ସାରୁଆ ବିଲ୍ ଖଣି ଶ୍ରମିକଙ୍କୁ ନିଯୁକ୍ତି, ନୀଳାଚଳ ଇସ୍ପାତ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ଦାବିରେ ଶ୍ରମିକ ବିକ୍ଷୋଭ
Sarbaharakranti/ ବ୍ୟାସନଗର/ ତା ୨୮/୧୦ – କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ବିରୋଧୀ ଓ ଜନବିରୋଧୀ ନିତୀ ବିରୁଦ୍ଧରେ ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ୍ ୟୁନିଅନ ସେଣ୍ଟର (ଏ.ଆଇ.ୟୁ.ଟି.ୟୁ.ସି) ସର୍ବଭାରତୀୟ କମିଟି ଆହ୍ୱାନରେ ୨୫ ରୁ ୩୧ ଅକ୍ଟୋବର ୨୦୨୧ ଦେଶ ବ୍ୟାପି ପ୍ରତିବାଦ ସପ୍ତାହ ଉପଲକ୍ଷେ ଆଜିଏ.ଆଇ.ୟୁ.ଟି.ୟୁ .ସି ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଯାଜପୁର ରୋଡସ୍ଥ କଳିଙ୍ଗ ନଗର ଏ.ଡି.ଏମ ଅଫିସ ସମ୍ମୁଖରେ ଏକ ଶ୍ରମିକ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି। ଦୁଇ ଶତାଧିକ ଶ୍ରମିକ କର୍ମଚାରୀ ଏକ ଶୋଭାଯାତ୍ରାରେ ଚୋର୍ଦା ବାଇପାସ୍ ଛକଠାରୁ ବାହାରି ଏ.ଡି.ଏମ୍ ଅଫିସ ସମ୍ମୁଖକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ସଙ୍ଗଠନର ଯାଜପୁର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଏ.ଆଇ.ୟୁ.ଟି.ୟୁ.ସି ଓଡିଶା ରାଜ୍ୟ ସମ୍ପାଦକ ଜୟସେନ ମେହେର, ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ର ମଲ୍ଲିକ, ରାଜକିଶୋର ମହାନ୍ତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୁଞ୍ଜିପତି ମାନଙ୍କ ସ୍ୱାର୍ଥରେ ସରକାରୀ ଉଦ୍ୟୋଗ ଗୁଡିକର ଘରୋଇକରଣ ପଦକ୍ଷେପର ଦୃଢ଼ ନିନ୍ଦା କରିଥିଲେ ଏବଂ ଏହି ସମସ୍ତ ଶ୍ରମିକ- କୃଷକ- ଜନବିରୋଧୀ ନୀତିକୁ ବାତିଲ କରିବା ପାଇଁ ଦାବି କରିଥିଲେ।
ସୁକିନ୍ଦା ଖଣି ଅଞ୍ଚଳରେ ସାରୁଆବିଲ ଓ କମର୍ଦ୍ଦା କ୍ରୋମାଇଟ ଖଣିରେ ଦୀର୍ଘ ବର୍ଷ ଧରି କାମ କରି ଆସିଥିବା ଓ ବର୍ତ୍ତମାନ ଛଟେଇ ହୋଇ କର୍ମଚ୍ୟୁତ ଶ୍ରମିକ କର୍ମଚାରୀଙ୍କୁ ନୂତନ ଭାବେ ଲିଜପାଇଥିବା ଟାଟା ମାଇନ୍ସ ଲିମିଟେଡ ଖଣି କାର୍ଯ୍ୟ ଆରମ୍ଭ କରିବାର ୧୦ ମାସ ପରେ ବି ନିଯୁକ୍ତି ନଦେବା ଅତ୍ୟନ୍ତ ଉଦବେଗ ଓ ବେଦନାଦାୟକ ବିଷୟ ବୋଲି ମତ ବ୍ୟକ୍ତକରିଥିଲେ। ଛଟେଇ ହୋଇଥିବା ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଦୃଢ଼ ଦାବି କରିଥିଲେ। କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଏକ ମାତ୍ର ସରକାରୀ କାରଖାନା ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କ ୧୧ ମାସର ବକେୟା ଦରମାକୁ ସରକାର ଓ କର୍ତୃପକ୍ଷ ପ୍ରଦାନ ନ କରିବା କାର୍ଯ୍ୟକୁ ବକ୍ତାମାନେ ସମାଲୋଚନା କରିଥିଲେ। ସାରୁଆବିଲ୍ ଖଣିର ଛଟେଇ ଶ୍ରମିକ କର୍ମଚାରୀଙ୍କୁ ଅବିଳମ୍ବେ ନିଯୁକ୍ତି ଦେବା ଏବଂ ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କ ୧୧ମାସର ବକେୟା ଦରମା ତୁରନ୍ତ ପ୍ରଦାନ କରିବା ନିମନ୍ତେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଏକ ଦାବିପତ୍ର ଏ.ଡି.ଏମ୍ ଙ୍କୁ ପ୍ରଦାନ କରି ଆଲୋଚନା କରାଯାଇଥିଲା। ଶ୍ରମିକ ବିରୋଧୀ ୪ ଟି ଶ୍ରମକୋଡକୁ ବାତିଲ କରିବା, କୃଷକ ବିରୋଧୀ ୩ ଟି କଳା କୃଷି ଆଇନ ଓ ବିଦ୍ୟୁତ୍ ସଂଶୋଧନ ବିଲ୍- ୨୦୨୧ କୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି) ର ଆଇନ ଗତ ଗ୍ୟାରେଣ୍ଟି ପ୍ରଦାନ କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦରବୃଦ୍ଧି ବନ୍ଦ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୧ ହଜାର ଟଙ୍କା ଓ ସର୍ବନିମ୍ନ ପେନସନ ମାସିକ ୧୦ ହଜାର ଟଙ୍କା ନିର୍ଦ୍ଧାରଣ କରିବା, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ପାଚିକା, ଆଶା, ଅଙ୍ଗନୱାଡ଼ି କର୍ମୀ – ସହାୟିକା ଆଦି ସ୍କିମ୍ ଶ୍ରମିକଙ୍କୁ ସରକାରୀ କର୍ମଚାରୀର ମର୍ଯ୍ୟାଦା ଓ ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ଆଦି ୧୪ ଦଫା ଦାବି ସମ୍ବଳିତ ଦାବିପତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏ.ଡି.ଏମ୍ ଙ୍କୁ ପ୍ରଦାନ କରାଯାଇଥିଲା।